Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅହମ୍ମଦାବାଦଠାରେ ସିଭିଲ, କ୍ୟାନସର ଏବଂ ଚକ୍ଷୁ ହସପିଟାଲ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅହମ୍ମଦାବାଦଠାରେ ସିଭିଲ, କ୍ୟାନସର ଏବଂ ଚକ୍ଷୁ ହସପିଟାଲ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅହମ୍ମଦାବାଦଠାରେ ସିଭିଲ, କ୍ୟାନସର ଏବଂ ଚକ୍ଷୁ ହସପିଟାଲ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅହମ୍ମଦାବାଦଠାରେ ସିଭିଲ, କ୍ୟାନସର ଏବଂ ଚକ୍ଷୁ ହସପିଟାଲ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ସର୍ବ ପ୍ରଥମେ ଆପଣମାନେ ଆମ ରାଷ୍ଟ୍ରର ବୀର ଯବାନମାନଙ୍କ ନାମ ନିଜ ନିଜର ମୋବାଇଲ ଫୋନରୁ ବାହାର କରନ୍ତୁ, ଏହାର ବ୍ୟାଟେରୀ ଫ୍ଲାସ ଚଲାଇ ଆମର ବୀରମାନଙ୍କୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିବା । ପ୍ରତ୍ୟେକଙ୍କ ମୋବାଇଲ ଫୋନର ବ୍ୟାଟେରୀ, ଏହାକୁ ଚାଲୁ ରଖନ୍ତୁ । ମୁଁ ତିନିଥର ଜୟଜୟକାର ଧ୍ୱନି ଦେବି । ଆପଣମାନଙ୍କୁ ସମସ୍ତଙ୍କୁ, ଆପଣମାନଙ୍କୁ ବି, ଆପଣମାନଙ୍କୁ ମଧ୍ୟ ତିନିଥର ଜୟଜୟକାର ଧ୍ୱନି ଦେବାକୁ ପଡ଼ିବ । ଏହା ଭାରତମାତାଙ୍କ ଜୟଧ୍ୱନି-

ପରାକ୍ରମୀ ଭାରତ ପାଇଁ-

ଭାରତ ମାତା କୀ – ଜୟ

ବିଜୟୀ ଭାରତ ମାତା କୀ – ଜୟ

ଦେଶର ବୀର ଯବାନମାନଙ୍କ ପାଇଁ-

ଭାରତ ମାତା କୀ – ଜୟ

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

ଏଠାରେ ବିପୁଳ ସଂଖ୍ୟାରେ ଉପସ୍ଥିତ ସମସ୍ତ ଉତ୍ସାହୀ ଭାଇ ଓ ଭଉଣୀଗଣ ।

ମୋର ମନ ହେଉଛି ଆଜି ଆପଣମାନଙ୍କୁ ଢ଼େର୍ କିଛି କହିବାକୁ । ଆଜି ଅହମ୍ମଦାବାଦର ବିକାଶ ପାଇଁ ଏଠାକାର ପ୍ରତ୍ୟେକ ଜନତାଙ୍କ ପାଇଁ ଏକ ଐତିହାସିକ ଦିବସ । କିଛି ସମୟ ପୂର୍ବରୁ ଅହମ୍ମଦାବାଦ ମେଟ୍ରୋର ପ୍ରଥମ ପର୍ଯ୍ୟାୟର ଲୋକାର୍ପଣ କରାଯାଇଛି ଏବଂ ଏଥିସହ ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏବଂ ଏବେ ଏଠାରେ ଅହମ୍ମଦାବାଦ ପାଇଁ କେବଳ ନୁହେଁ, ବରଂ ସମଗ୍ର ଗୁଜରାଟ ପାଇଁ, ଦେଶ ପାଇଁ ଏକ ବହୁତ ବଡ଼ ସ୍ୱାସ୍ଥ୍ୟ ସୁବିଧାର ଲୋକାର୍ପଣ କରାଯାଇଛି । ଅହମ୍ମଦାବାଦବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହିସବୁ ପ୍ରକଳ୍ପ ସକାଶେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧାଇ ଜଣାଉଛି ।

ସାଥୀଗଣ, ଆପଣମାନଙ୍କ ଭଳି ଆଜି ମୋର ବି ବର୍ଷ ବର୍ଷର ପୁରୁଣା ସ୍ୱପ୍ନ ପୂର୍ଣ୍ଣ ହୋଇଛି । ଏଠାକୁ ଆସିବା ପୂର୍ବରୁ ମୁଁ ଅହମ୍ମଦାବାଦ ମେଟ୍ରୋରେ ଯାତ୍ରା କରିଛି । ସେହି ସମୟରେ ଲୋକମାନଙ୍କ ଉତ୍ସାହ ଏବଂ ସେମାନଙ୍କର ଖୁସିକୁ ମୁଁ ଅନୁଭବ କରିଛି । ସତରେ ସେମାନଙ୍କ ମନ ଆନନ୍ଦରେ ଭରି ଉଠିଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ବେଳେ ଲୋକମାନେ ଯେପରି ଛାତ ଉପରକୁ ଯାଇ ଖୁସିରେ ଗୁଡ଼ି ଉଡ଼ାଇଥାନ୍ତି, ସେମିତି ଆଜି ନିଜ ନିଜ ଛାତ ଉପରେ ଠିଆହୋଇ ଅନେକ ଲୋକ ତାଙ୍କ ସହରର ମେଟ୍ରୋ ଟ୍ରେନକୁ ସ୍ୱାଗତ କରୁଥିଲେ । ରାସ୍ତାସାରା ଏପରି କ୍ୱଚିତ ଛାତ ଥିବ ଯାହା ଉପରେ ଲୋକ ଜମା ହୋଇନଥିଲେ । ମେଟ୍ରୋ ଅହମ୍ମଦାବାଦବାସୀଙ୍କର ଏକ ବଡ଼ ସ୍ୱପ୍ନ ଥିଲା, ଯାହା ଆଜି ବାସ୍ତବତାରେ ପରିଣତ ହୋଇପାରିଛି ।

ସାଥୀଗଣ, ପ୍ରଥମ ପର୍ଯ୍ୟାୟରେ ତ ମେଟ୍ରୋ ଚଳାଚଳ ଆରମ୍ଭ ହୋଇଛି, ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ବି ଆଜି ହୋଇଯାଇଛି । ଅର୍ଥାତ, ଗୋଟିଏ କାର୍ଯ୍ୟ ଶେଷ ଏବଂ ଦ୍ୱିତୀୟ କାର୍ଯ୍ୟ ଆରମ୍ଭ । ଏହା ବି ଆମ ସରକାରର ଆଉ ଏକ ବିଶେଷତା । ଗୋଟିଏ କାର୍ଯ୍ୟ ଶେଷ ହେବାପରେ ଆମେ ନିଶ୍ଚିନ୍ତ ମନରେ ଶୋଇଯାଉନାହିଁ, ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଲାଗି ପ୍ରସ୍ତୁତି ଆରମ୍ଭ କରିଥାଉ ।

ଆପଣମାନେ କ’ଣ ଭାବୁଛନ୍ତି, ମୁଁ କଣ କହୁଛି ? ନିଜ ନିଜ ହିସାବରେ ଅର୍ଥ ବାହାର କରିବା କେବଳ କଂଗ୍ରେସକୁ ଆସେ, ଆପଣମାନେ ସେଭଳି କରନ୍ତୁ ନାହିଁ । 10 ହଜାର କୋଟି ଟଙ୍କାରୁ ଅଧିକ ରାଶି ବିନିଯୋଗରେ ନିର୍ମିତ ହୋଇଥିବା ଏହି ମେଟ୍ରୋ ଅହମ୍ମଦାବାଦର ଲୋକମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବାକୁ ଯାଉଛି । ଲକ୍ଷ ଲକ୍ଷ ଅହମ୍ମଦାବାଦବାସୀଙ୍କୁ ଏହାର ଲାଭ ମିଳିପାରିବ । କଳ୍ପନା କରନ୍ତୁ, ଯେଉଁ ସାଥୀମାନେ କାର୍ଯ୍ୟାଳୟକୁ ଯାଉଛନ୍ତି, ଯେଉଁମାନେ ବିଭିନ୍ନ ଉଦ୍ୟୋଗକୁ ଯାଉଛନ୍ତି, ସ୍କୁଲ କଲେଜକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କୁ ଏହା ଦ୍ୱାରା କେତେ ଲାଭ ମିଳିବ । ସେମାନଙ୍କର କେତେ ସମୟ ବଞ୍ଚିବ ? ଏହା ଫଳରେ ଅହମ୍ମଦାବାଦର ଟ୍ରାଫିକ ସମସ୍ୟା କେତେ ମାତ୍ରାରେ ହ୍ରାସ ପାଇବ ? ପର୍ଯ୍ୟାବରଣର ଅବକ୍ଷୟ ହେବନାହିଁ । ଆଉ ଆପଣମାନେ ପୁରୁଣା ମନ୍ତ୍ର ଜାଣିଛନ୍ତି ଯେ ଯାହାର ଶିଳାନ୍ୟାସ ଆମେ କରୁଛୁ ତାହାର ଉଦଘାଟନ ବି ଆମେ ହିଁ କରୁଛୁ । ଏହାର ଅର୍ଥ କ’ଣ ହେଲା ? ନା, ଏହାର ଉଦ୍ଦେଶ୍ୟ କ’ଣ ହେଲା ? ଏହାର ଅର୍ଥ ହେଲା ଏଇଆ ଯେ ଆଜି ଯେଉଁ ମେଟ୍ରୋର ଶିଳାନ୍ୟାସ କରାଗଲା, ତିନି- ଚାରି- ପାଞ୍ଚ ବର୍ଷ, ଯେତେବେଳେ ବି ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ, ଆମେ ମହଜୁଦ ଥିବୁ । ଏବଂ ଏସବୁ କାର୍ଯ୍ୟ କିପରି ହେଉଛି- ଆପଣମାନଙ୍କ ଆଶୀର୍ବାଦରୁ ହିଁ ତାହା ସମ୍ଭବପର ହୋଇପାରୁଛି ।

ସାଥୀଗଣ, ଦେଶର ପରିବହନକୁ ସୁବିଧା ଦେବା ସକାଶେ ଆମ ସରକାର କେତେ ଗମ୍ଭୀରତାର ସହ କାର୍ଯ୍ୟ କରୁଛି, ତାହା ଆପଣମାନେ ସହଜରେ ଏହି କାର୍ଯ୍ୟରୁ ହିଁ ଅନୁମାନ କରିପାରିବେ । 2014 ମସିହା ପର୍ଯ୍ୟନ୍ତ…ଏହି ସଂଖ୍ୟାକୁ ସ୍ମରଣ ରଖନ୍ତୁ … କିଛି ବୁଦ୍ଧିମାନ ଲୋକ ସଂଖ୍ୟାକୁ ସହଜରେ ଭୁଲି ଯାଆନ୍ତି । ମୋ ଭଳି ସାଧାସିଧା ଲୋକଙ୍କ ପରି ଆପଣମାନେ ଏ ସଂଖ୍ୟାକୁ ହିଁ ସ୍ମରଣ ରଖିଥାନ୍ତି । 2014 ପୂର୍ବରୁ ଯେତେବେଳେ ରିମୋଟ କଣ୍ଟ୍ରୋଲ ସରକାର ଚାଲୁଥିଲା; 2014 ପର୍ଯ୍ୟନ୍ତ ଦେଶରେ ମେଟ୍ରୋ ନେଟୱାର୍କ ସାରା ଦେଶରେ ମାତ୍ର 250 କିଲୋମିଟର ହିଁ ଥିଲା । ଏବେ ସ୍ଥିତି ଏଇଆ ଯେ ଦେଶରେ ମେଟ୍ରୋ ଅପରେସନାଲ ନେଟୱାର୍କ… ଏବଂ 55 ମାସର ହିସାବ ଆପଣମାନଙ୍କୁ ମୁଁ ଦେଉଛି… ଆଜି ପାଖାପାଖି 650 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଛି । କେଉଁଠି 250 କିଲୋମିଟର, ରିମୋଟ କଣ୍ଟ୍ରୋଲ ବାଲା ସରକାର ଏବଂ କେଉଁଠି 650,55 ମାସ ଭିତରେ । ଏବଂ କେବଳ ସେତିକି ନୁହେଁ, ଦେଶର ଭିନ୍ନ ଭିନ୍ନ ଭାଗରେ ପ୍ରାୟ 800 କିଲୋମିଟର ମେଟ୍ରୋ ରୁଟ୍ ପାଇଁ ଏବେ କାର୍ଯ୍ୟ ଜାରି ରହିଛି । ଚିନ୍ତା କରନ୍ତୁ, ଆଗାମୀ ଦିଗରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାରେ କେତେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହେବାକୁ ଯାଉଛି ।

ସାଥୀଗଣ, କିଛି ସମୟ ପୂର୍ବରୁ ମୁଁ ଗୋଟିଏ କମନ ମୋବିଲିଟି କାର୍ଡ଼ର ବି ଶୁଭାରମ୍ଭ କରିଛି । ଦେଶବାସୀଙ୍କୁ ଅର୍ପଣ କରିଛି । ଏବଂ ମୋ ଦୃଷ୍ଟିରେ ଆଜି ଅହମ୍ମଦାବାଦକୁ ତ ଯାହା ମିଳିଛି, ତାହା ମିଳିଛି, ଗୁଜରାଟକୁ ଯାହା ମିଳିଛି, ତାହା ତ ମିଳିଛି; କିନ୍ତୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ସମଗ୍ର ଭାରତକୁ ଏକ ନୂତନ ଆହ୍ୱାନ ଜଣାଉଛି । ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ବି ଏହାର ଉଦ୍ଦେଶ୍ୟ ଜାଣି ବେଶ୍ ଖୁସି ଲାଗିବ । ଏବଂ ଏଇ ଯେଉଁ ରୁପେ କାର୍ଡ଼ ଅଛି, ସେଥିରେ ଚାଲିବା ଭଳି କାର୍ଯ୍ୟ । ସେହି କାର୍ଡ଼ ଯାତ୍ରା କରିବା ସମୟରେ ଆପଣମାନଙ୍କ ସବୁପ୍ରକାର ସମସ୍ୟାକୁ ଦୂର କରିବାରେ ସହାୟକ ହେବ । ଦେଶରେ ଲୋକମାନେ ଟ୍ରେନ ଯାତ୍ରା କରୁଛନ୍ତି, ବସରେ ଯାତ୍ରା କରୁଛନ୍ତି, କିନ୍ତୁ ଲୋକାଲ ଟ୍ରେନରେ ଯାତାୟାତ କରୁଛନ୍ତି, ଟୋଲ ପଇସା ବି ସେମାନଙ୍କୁ ଦେବାକୁ ପଡ଼ୁଛି । ଏବଂ ସେଥିରେ ଆପଣମାନଙ୍କୁ ଅଧିକାଂଶ ସମୟରେ ନିଜ ପକେଟରୁ ପଇସା ବାହାର କରି ଦେବାକୁ ପଡ଼ିଥାଏ । କେତେବେଳେ ଖୁଚୁରା ପଇସା ଥାଏ ପୁଣି କେତେବେଳେ ନଥାଏ । ତେଣୁ ଆପଣମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅଯଥା ସମୟ ବରବାଦ ହୋଇଥାଏ । ଏସବୁ କଥା ସହ ଆପଣମାନେ ସମସ୍ତେ ଭଲଭାବେ ପରିଚିତ ।

ଏଭଳି ଝିନଝଟକୁ ଦୂର କରିବା ସକାଶେ ଅଟୋମେଟିକ୍ ଯାତ୍ରୀଭଡ଼ା ଅସୁଲି ବ୍ୟବସ୍ଥାର ବିକାଶ ଘଟାଯାଇଛି । କିନ୍ତୁ ସେଥିରେ ବି ଏକ ଚାଲେଞ୍ଜ ଥିଲା ଯେ ଏହି ବ୍ୟବସ୍ଥା ଭାରତକୁ ବିଦେଶରୁ ମଗାଇବାକୁ ପଡ଼ୁଥିଲା । ସେସବୁ ଭିନ୍ନ ଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବାରୁ ଗୋଟିଏ ସିଷ୍ଟମ ପରିବର୍ତ୍ତେ ଦେଶରେ ନାନା ପ୍ରକାର ବ୍ୟବସ୍ଥା ପ୍ରଚଳିତ ଥିଲା । ଆମ ଦେଶରେ ଏକ ସମନ୍ୱିତ ବ୍ୟବସ୍ଥାର ବିକାଶ ଘଟାଯାଇ ପାରୁନଥିଲା । ଅର୍ଥାତ୍ ଗୋଟିଏ ସହରର କାର୍ଡ଼ ଅନ୍ୟ ସହରରେ ଚଳୁନଥିଲା । ତାହା ବେକାର ହୋଇ ଯାଉଥିଲା । ଏଭଳି ଚାଲେଞ୍ଜକୁ ଦୂର କରିବା ସକାଶେ ଆମ ସରକାର ବ୍ୟାପକ ସ୍ତରରେ ଏକ ଟାସ୍କ ଫୋର୍ସ ଗଠନ କରି ପ୍ରଯୁକ୍ତି ଦୃଷ୍ଟିକୋଣରୁ ଗୋଟିଏ ନୂତନ ସଫଳତା ହାସଲ କରିବା ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲା । ଅନେକ ମନ୍ତ୍ରଣାଳୟ, ବିଭିନ୍ନ ବିଭାଗକୁ ଏହି କାର୍ଯ୍ୟରେ ସାମିଲ କରାଯାଇଥିଲା । ବ୍ୟାଙ୍କମାନଙ୍କୁ ବି ଏଥି ସହ ଯୋଡ଼ି ଦିଆଯାଇଥିଲା । ସରକାର ସେମାନଙ୍କୁ କେବଳ ଗୋଟିଏ କାର୍ଯ୍ୟ କରିବାକୁ ଦେଇଥିଲେ ଏବଂ ତାହା ଥିଲା ଏପରି ଏକ ବ୍ୟବସ୍ଥାର ବିକାଶ ଘଟାଅ ଯାହା ଭିନ୍ନ ଭିନ୍ନ କାର୍ଡ଼ ପ୍ରସ୍ତୁତ କରିବା ସମସ୍ୟାକୁ ଦୂର କରିପାରିବ ଏବଂ ଡ଼ିଜିଟାଲ କାରବାରକୁ ସହଜ ଓ ସରଳ କରିପାରିବ ।

ସାଥୀଗଣ, ତମାମ ପ୍ରୟାସ ପରେ ଏବେ ଦେଶରେ… ଏବେ ଆପଣମାନଙ୍କୁ ଜାଣି ଖୁସି ଲାଗିବା ଉଚିତ… ଏବେ ଦେଶରେ ୱାନ ନେସନ ୱାନ କାର୍ଡ଼ (ଗୋଟିଏ ରାଷ୍ଟ୍ର, ଗୋଟିଏ କାର୍ଡ଼) ଲକ୍ଷ୍ୟ ହାସଲ କରାଯାଇଛି । ୱାନ ନେସନ ୱାନ କାର୍ଡ଼ ସ୍ୱପ୍ନ ଏବେ ସାକାର ହୋଇଛି । ସାଧାରଣ ଯାତାୟାତ କାର୍ଡ଼ ମାଧ୍ୟମରେ ଆପଣମାନେ ପଇସା ବି ଉଠାଇପାରିବେ, ସପିଂ ବି କରିପାରିବେ ଏବଂ ସାରା ଦେଶରେ …କେବଳ ଅହମ୍ମଦାବାଦରେ ନୁହେଁ… ଦେଶବ୍ୟାପୀ ଯେ କୌଣସି ସ୍ଥାନରେ ମେଟ୍ରୋ ବା ପରିବହନର ଅନ୍ୟ ସଂସାଧନରେ ଆପଣମାନେ ଏହି ରୁପେ କାର୍ଡ଼କୁ ଉପଯୋଗ କରିପାରିବେ । ଯଦି ମୁଁ ଆହୁରି ସରଳ ଶବ୍ଦରେ ଆପଣମାନଙ୍କୁ ବୁଝାଇବି- ତା’ହେଲେ ଏବେ ଆପଣମାନଙ୍କ ରୁପେ ଡ଼େବିଟ କାର୍ଡ଼ ଏବଂ ମୋବିଲିଟି କାର୍ଡ଼କୁ ମିଶାଇ ଗୋଟିଏ କରିଦିଆଯାଇଛି ।

ସାଥୀଗଣ, ଏହି ବ୍ୟବସ୍ଥା ସହ ଏବେ ବିଦେଶୀ ପ୍ରଯୁକ୍ତି ଉପରେ ଭାରତର ନିର୍ଭରତାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏଣିକି ଯାହାକିଛି ବି ହେବ ତାହା ମେଡ଼ ଇନ୍ ଇଣ୍ଡିଆ ଦ୍ୱାରା ହିଁ କରାଯିବ । ଏବେ ଭାରତ ବିଶ୍ୱର ମାତ୍ର କେଇଟି ରାଷ୍ଟ୍ର ଚୟନକୃତ ରାଷ୍ଟ୍ର ତାଲିକା ଭିତରୁ ଗୋଟିଏ ଭାବେ ସାମିଲ ହୋଇଛି ଯାହା ପାଖରେ ଏଭଳି ପ୍ରଯୁ୍କ୍ତି ଉପଲବ୍ଧ ହୋଇପାରିଛି । ଦେଶର ପ୍ରତ୍ୟେକ ଯୁବକ ଏଥିପାଇଁ ଗର୍ବ ଅନୁଭବ କରିବା ଉଚିତ ଯେ ନିଜ ଦେଶରେ ପ୍ରସ୍ତୁତ ଏଭଳି ପ୍ରଯୁକ୍ତିକୁ ଆଜି ଦେଶବାସୀଙ୍କୁ ସମର୍ପିତ କରାଯାଇଛି । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଏଥିପାଇଁ ବହୁତ ବହୁତ ବଧେଇ ଜଣାଉଛି । ଏମିତିରେ ତ ଗୁଜରାଟ ପାଇଁ ଏହା ଗର୍ବର କଥା ଯେ ଏଠାକାର ବଡ଼ୋଦରାର ସାବଲୀରେ ଯେଉଁ ମେଟ୍ରୋ କୋଚ ନିର୍ମାଣ କରାଯାଉଛି ସେସବୁ ବିଦେଶକୁ ରପ୍ତାନି ପାଇଁ ପ୍ରସ୍ତୁତ କରାଯାଉଛି ।

ସାଥୀଗଣ, ପରିବହନ ସେକ୍ଟରକୁ ମଜଭୁତ କରିବା ସକାଶେ ଆଜି… ଏବେ ଆପଣମାନେ ଦେଖିଥାଇପାରନ୍ତି ଯେ ମୁଁ ସବୁଜ ପତାକା ଦେଖାଇ ଏକ ଟ୍ରେନଯାତ୍ରାର ଶୁଭାରମ୍ଭ କରୁଥିଲି । ଆଜି ପାଟନ- ଭିଲଡ଼ି ନୂତନ ରେଳ ଲାଇନର ଉଦ୍ଘାଟନ ଏବଂ ଆନନ୍ଦ-ଗୋଧ୍ରା ରେଳ ଲାଇନର ଦୋହରାକରଣର ଶିଳାନ୍ୟାସ ବି କରାଯାଇଛି । ମୁଁ ଛୋଟ ଥିଲି, ପ୍ରତ୍ୟେକ ସାଂସଦ ପାଟନା-ଭିଲଡ଼ୀ ରେଳ ଲାଇନ କଥା ସଦାବେଳେ କହୁଥିଲେ । ପିଲାବେଳେ ମୁଁ ସେସବୁ କଥା ଶୁଣୁଥିଲି, ପ୍ରଥମ ଥର ପାଇଁ ଏ କାର୍ଯ୍ୟ ଆରମ୍ଭ ହେଲା । ଆପଣମାନେ କହନ୍ତୁ, ପୂର୍ବରୁ କିଭଳି ଚାଲୁଥିଲା ?

ସାଥୀଗଣ, ଆଜକୁ ଦୁଇ ଦଶନ୍ଧି ପୂର୍ବରୁ ଗୁଜରାଟ ଯେଉଁ ସ୍ଥିତିରେ ଥିଲା, ସେକଥା ଆଜିର ନୂତନ ପିଢ଼ିକୁ ସମ୍ଭବତଃ ମାଲୁମ ନାହିଁ । ଅବସ୍ଥା ଏଭଳି ଥିଲା ରାଜ୍ୟର ଅନେକ କ୍ଷେତ୍ର ପାଣି ପାଇଁ ଆଉଟୁପାଉଟୁ ହେଉଥିଲେ, ଚିକିତ୍ସା ପାଇଁ ଲୋକମାନଙ୍କୁ ଅନ୍ୟ ସହରମାନଙ୍କୁ ଯାଇ ବୁଲିବାକୁ ପଡ଼ୁଥିଲା । 24 ଘଣ୍ଟିଆ ବିଜୁଳି ଯୋଗାଣ ତ ସ୍ୱପ୍ନ ଥିଲା । ଅଧିକାଂଶ କ୍ଷେତ୍ରରେ ଜୀବନ ବଞ୍ଚିବା ଏତେ କଷ୍ଟସାଧ୍ୟ ଥିଲା ଯେ ଲୋକ ବାଧ୍ୟ ହୋଇ ଅନ୍ୟ ସ୍ଥାନକୁ ଚାଲି ଯାଉଥିଲେ । ବିଶେଷ କରି ମୋର ଆଦିବାସୀ ଭାଇ ଭଉଣୀମାନଙ୍କୁ ତ ସେମାନଙ୍କ କଥା ପଚାରିବାକୁ କେହି ନଥିଲେ । ଆଜିକାର ଗୁଜରାଟ ଯେଉଁଠି ଆସି ପହଞ୍ଚିଛି, ସେ ଗୁଜରାଟରେ ବସବାସ କରୁଥିବା ପ୍ରତ୍ୟେକ ଗୁଜରାଟୀ ବ୍ୟକ୍ତିଙ୍କର ତାହା ହେଉଛି ଶ୍ରମର ଫଳ । କିଛି ବର୍ଷ ଭିତରେ ଗୁଜରାଟର ଲୋକମାନେ ରାଜ୍ୟର ସ୍ଥିତିରେ ଏଭଳି ଆମୂଳଚୂଳ ପରିବର୍ତ୍ତନ ଘଟାଇ ପାରିଛନ୍ତି ।

ଭାଇ ଓ ଭଉଣୀଗଣ, ଗୁଜରାଟର ବିକାଶକୁ ଏବଂ ଏହାକୁ ଉଚ୍ଚରେ ପହଞ୍ଚାଇବାରେ ଯୋଗଦାନ କରିଥିବା ବ୍ୟକ୍ତି, ଗୁଜରାଟର ସନ୍ତୁଳିତ ବିକାଶ ପାଇଁ ଆମର ସରକାର ଚାହା କେନ୍ଦ୍ର ସରକାର ହୋଇଥାନ୍ତୁ ଅଥବା ରାଜ୍ୟ ସରକାର, ଆମେ ଚାରିଆଡ଼ୁ ବିକାଶ କାର୍ଯ୍ୟ ଜାରିରଖି ଆଗକୁ ଅଗ୍ରସର ହେଉଛୁ । ବିଗତ 55 ମାସ ମଧ୍ୟରେ ସରକାର ଉମର ଗାଁ ଠାରୁ ନେଇ ଅମ୍ବାଜୀ ପର୍ଯ୍ୟନ୍ତ, ଅର୍ଥାତ୍ ରାଜ୍ୟର ପୂର୍ବାଞ୍ଚଳ କ୍ଷେତ୍ର, ଆଦିବାସୀ ବହୁଳ ଅଞ୍ଚଳ ଉମରଗାଓଁ ଠାରୁ ଜାଖୋର, ଅର୍ଥାତ୍, ଆମର ସମୁଦ୍ରତଟ କ୍ଷେତ୍ର ଓ ଆବୁଠାରୁ ଦହାନୁ ପର୍ଯ୍ୟନ୍ତ, ରାଜସ୍ଥାନ ଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଆମର ଗୁଜରାଟର ସଂପୂର୍ଣ୍ଣ ମଧ୍ୟମ କ୍ଷେତ୍ର, ଅର୍ଥାତ୍, କେନ୍ଦ୍ରୀୟ ଗୁଜରାଟର ଆବଶ୍ୟକତାଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀତ କରି ବିକାଶର ଅନେକ କାର୍ଯ୍ୟ ଆରମ୍ଭ କରିଛୁ । ପୁଣି ଏଥିପାଇଁ ଏକ ବିରାଟ ଯୋଜନା କରାଯାଇ ସେସବୁ କାର୍ଯ୍ୟ ସଂପାଦନ କରାଯାଉଛି ।
ପୂର୍ବରେ ଆଦିବାସୀ ପଟ୍ଟି, ପଶ୍ଚିମରେ ଆଦିବାସୀ ଲୋକ ଏବଂ ମଝିରେ ଆମର ଅହମ୍ମଦାବାଦ- ବରୋଦା-ପାଲନପୁର, ବାପ୍ତି-ତାପ୍ତି ଭଳି କ୍ଷେତ୍ର । ଯଦି ପୂର୍ବରୁ ମୁଁ ଉମରଗାଓଁ ଠାରୁ ଅମ୍ବାଜୀ କଥା କରିବି ତ ସରକାର ଏହି କ୍ଷେତ୍ରର ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଜୀବନକୁ ସରସସୁନ୍ଦର କରିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଏହି କ୍ଷେତ୍ରର ସମସ୍ତ ଗ୍ରାମକୁ ସବୁଦିନିଆ ସଂଯୋଗ ଯୋଗାଇ ଦିଆଯାଇସାରିଛି । ଏଠାରେ ପାଣିର ସମସ୍ୟା ଦୂର କରିବା ସକାଶେ 2800 କୋଟି ଟଙ୍କା ବ୍ୟୟରେ ଜଳ ଯୋଗାଣ ଯୋଜନା ଉପରେ କାର୍ଯ୍ୟ ଜାରିରହିଛି । ନର୍ମଦା ନଦୀର ଜଳ ଉପରେ ଆଧାରିତ ଦାହୋଦ-ଛୋଟା ଉଦୟପୁର ଜଳ ଯୋଗାଣ ଯୋଜନା ହୋଇଥାଉ, ନର୍ମଦା ଏବଂ ତାପ୍ତି ଜିଲ୍ଲା ପାଇଁ ପାନୀୟ ଜଳ ପରିଯୋଜନା ହୋଇଥାଏ ମୟସାଗର ଜିଲ୍ଲା ପାଇଁ କଡ଼ାନା ବନ୍ଧ ଉପରେ ଆଧାରିତ ଜଳ ଯୋଜନା ଯୋଜନା ହୋଇଥାଉ ଅଥବା ପୁଣି ସଂଖେଡ଼ା-ପାବୀଜିତପୁର କ୍ଷେତ୍ରୀୟ ଜଳ ଯୋଜନା ହେଉ, ଏହାର ଲାଭ ଉମରଗାଓଁ ଠାରୁ ନେଇ ଅମ୍ବାଜୀ ବେଲ୍ଟର ଲକ୍ଷ ଲକ୍ଷ ଲୋକଙ୍କୁ ମିଳିପାରିଛି । ଏହି କ୍ଷେତ୍ରର ଡ଼ାଏରୀ ଉଦ୍ୟୋଗ ବୃଦ୍ଧି ସକାଶେ ପ୍ରୟାସ କରାଯାଉଛି । ସବରକଣ୍ଟାରେ ଇସ୍ରାଏଲ ସହିତ ମିଶି ଆଧୁନିକ କୃଷି ସେଣ୍ଟର ପାଇଁ ମଧ୍ୟ କାର୍ଯ୍ୟ ଜାରି ରହିଛି ।

ସାଥୀଗଣ, ସରକାରଙ୍କ ଅନେକ ପ୍ରୟାସ ଦ୍ୱାରା ଆଜି ଗୁଜରାଟର ସମସ୍ତ ଆଦିବାସୀ କ୍ଷେତ୍ରରେ ସିକଲ ସେଲ୍‌ ଆନେମିଆର ଯାଞ୍ଚ ସକାଶେ ସ୍କ୍ରିନିଂ କାର୍ଯ୍ୟ ଜାରି ରହିଛି । ଏହା ଦ୍ୱାରା ଆଦିବାସୀ ଲୋକଙ୍କୁ ନାନା ପ୍ରକାର ସମସ୍ୟାରୁ ନିସ୍ତାର ପାଇବା ସକାଶେ ଅନେକ ପ୍ରକାର ସାହାଯ୍ୟ ମିଳିପାରୁଛି । ସରକାର ଆଦିବାସୀ ଶିଶୁମାନଙ୍କ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଆପଣମାନେ ଏକଥା ଜାଣି ବିବ୍ରତ ହେବେ ଯେ ଏତେ ବଡ଼ ବଡ଼ କଥା କହୁଥିବା ଲୋକ, ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ଲୋକ ଗୁଜରାଟର ଆଦିବାସୀ କ୍ଷେତ୍ରରେ କୌଣସି ଗୋଟିଏ ହେଲେ ତହସିଲରେ ଯେତେବେଳ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ହୋଇନଥିଲି, ସେ ପର୍ଯ୍ୟନ୍ତ ଗୋଟିଏ ହେଲେ ପ୍ଲସ ଟୁ ସାଇନ୍ସ ଥିବା ସ୍କୁଲ ସୁଦ୍ଧା ନଥିଲା । ତେବେ ମୋତେ କହୁନ୍ତୁ, 2001 ପର୍ଯ୍ୟନ୍ତ ଆଦିବାସୀ କ୍ଷେତ୍ରରେ ଜନଜାତି ବର୍ଗର ପିଲାମାନଙ୍କ ସକାଶେ ଗୋଟିଏ ହେଲେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ସ୍କୁଲ ନଥିବା କେଡ଼େ ଦୁର୍ଭାଗ୍ୟଜନକ କଥା ! ଆଜି ସେଠାରେ ମେଡ଼ିକାଲ କଲେଜ ସ୍ଥାପନ କରାଯାଉଛି, ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ବିକାଶ କିଭଳି ହୁଏ, ସ୍ୱପ୍ନ କେଡ଼େ ବଡ଼ ହୋଇପାରେ, ଏବଂ ସଂକଳ୍ପକୁ ନେଇ କିଭଳି ଭାବେ ସିଦ୍ଧିପ୍ରାପ୍ତ କରାଯାଇପାରେ, ଗୁଜରାଟ ଏହାର ଏକ କେସ୍‌ ଷ୍ଟଡ଼ିର ବିଷୟ ବନ୍ଧୁଗଣ ।

ଦୀନବନ୍ଧୁ କଲ୍ୟାଣ ଯୋଜନା ମାଧ୍ୟମରେ ଅସଂଖ୍ୟ ମଡ଼େଲ ଆଦିବାସୀ ସ୍କୁଲ, ଆଶ୍ରମ ବିଦ୍ୟାଳୟ, ଏକଲବ୍ୟ ସ୍କୁଲ ସ୍ଥାପନ କରାଯାଇଛି । 1100ରୁ ଅଧିକ ହଷ୍ଟେଲ ବି ନିର୍ମାଣ କରାଯାଇଛି ଯାହାର ଲାଭ ଦୁଇ ଲକ୍ଷରୁ ଅଧିକ ଆଦିବାସୀ ପିଲାଙ୍କୁ ମିଳିପାରୁଛି । କେବଳ ଏତିକି ନୁହେଁ, ନର୍ମଦା ଜିଲ୍ଲାରେ 300 କୋଟି ଟଙ୍କା ବ୍ୟୟରେ ବୀର୍ସା ମୁଣ୍ଡା ଜନଜାତି ବିଶ୍ୱବିଦ୍ୟାଳୟର ମଧ୍ୟ ସ୍ଥାପନା କରାଯାଇଛି । ସରକାରଙ୍କ ଦ୍ୱାରା ଆଦିବାସୀ ବିଦ୍ୟାଥୀମାନଙ୍କ ପାଇଁ ସ୍ପେଶାଲ କୋଚିଂ କ୍ଲାସ ବି ଆରମ୍ଭ କରାଯାଇଛି । ପୂର୍ବରୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ରିଜର୍ଭ ମେଡ଼ିକାଲ ସିଟ ଖାଲି ପଡ଼ୁଥିଲା । ଏବେ ପାଖାପାଖି ସବୁ ସିଟ୍‌ ପୂରଣ ହୋଇପାରୁଛି ।

ଦାହୋଦ ଏବଂ ପାଲନପୁରରେ ସ୍ଥାପନ କରାଯାଇଥିବା ମେଡ଼ିକାଲ କଲେଜ ଦ୍ୱାରା ଏହି କ୍ଷେତ୍ରର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ମିଳିପାରିଛି । ସରକାର ଦାହୋଦର ରେଳ ୱାର୍କସପର ବିସ୍ତାରକରଣ ଉପରେ କାର୍ଯ୍ୟ କରୁଛନ୍ତି । ଏବେ ଆପଣମାନେ ଟେଲିଭିଜନରେ ଦେଖିଥିବେ, ଆମ ଯଶୱନ୍ତ ସିଂହଜୀ ଭାଭୋର ସେଠାରେ ରେଲୱେ ୟାର୍ଡ଼ରେ ଥିଲେ ଏବଂ ମୁଁ ଏଠାରୁ ତାଙ୍କୁ ରିମୋଟ ଦ୍ୱାରା ଚାଲୁ କରୁଥିଲି । ଦାହୋଦ ରେଲୱେ ୱାର୍କସପର କ୍ଷମତା ଦାହୋଦରେ ପରେଲ ନାମକ ଏକ ସ୍ଥାନ ଅଛି, ମୁଁ କେବେ ସେଠାକାର ଜଙ୍ଗଲରେ କାମ କରୁଥିଲି । ଏହା 30 କି 40 ବର୍ଷ ପୂର୍ବର କଥା । ସେଠାରେ ସେମିତି ଖାଲି ପଡ଼ିଥିଲା ସେ ରେଲୱେର ସଂପୂର୍ଣ୍ଣ ଇଲାକା ।

ଆମେ ଏବେ ପୁଣି ଥରେ ତାହାକୁ ଜୀବନଦାନ ଦେଇଛୁ ଏବଂ ତାହାର ୱାର୍କସପର କ୍ଷମତାରେ ଚାରିଗୁଣ ବୃଦ୍ଧି ଘଟାଯାଇଛି ଯାହା ଫଳରେ ଏଠାକାର ଲୋକମାନଙ୍କୁ ଅଧିକ ରୋଜଗାର ମିଳିପାରିବ । ଏପର୍ଯ୍ୟନ୍ତ ସେଠାରେ କେବଳ ସାଢ଼େ ଚାରିଶହ ମାଲଗାଡ଼ି ୱାଗନକୁ ଓଭରହଲିଂ କରାଯାଇ ପାରୁଥିଲା । ଏବେ ଏହା କ୍ଷମତାକୁ ବାର୍ଷିକ 1800 ୱାଗନ ମରାମତି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏବେ ଆପଣମାନେ କଳ୍ପନା କରିପାରୁଥିବେ ଯେ ଗୋଟିଏ ଦିଗରେ ସେଠାରୁ 6ଟି ୱାଗନ ମରାମତି ହୋଇ ବାହାରି ପାରିବ, ଅର୍ଥାତ୍‌, କେତେ ଅଧିକ ଲୋକ ରୋଜଗାରକ୍ଷମ ହୋଇପାରିବେ ।

ଏହା ବ୍ୟତୀତ ସରକାର ପର୍ଯ୍ୟଟନ ସହ ସଂଶ୍ଳିଷ୍ଟ ସୁବିଧାଗୁଡ଼ିକୁ ବି ବିକଶିତ କରୁଛନ୍ତି । କେବାଡ଼ିଆରେ ଷ୍ଟାଚୁ ଅଫ୍‌ ୟୁନିଟି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମାରକ ନିର୍ମାଣ କରାଯାଇଛି । ବିଶ୍ୱର ସର୍ବୋଚ୍ଚ ପ୍ରତିମୂତ୍ତି । ଷ୍ଟାଚୁ ଅଫ୍‌ ଲିବର୍ଟି ଠାରୁ ଏହାର ଉଚ୍ଚତା ପ୍ରାୟ ଦୁଇ ଗୁଣ ଅଧିକ । ଏହା ବି ଗୁଜରାଟ କରିପାରେ ଏବଂ ଏହି ଷ୍ଟାଚୁ ଅଫ୍‌ ୟୁନିଟିକୁ ଦେଖିବା ଲାଗି ଦେଶବ୍ୟାପୀ କେତେ ଲୋକ ଉତ୍ସାହ ପ୍ରକଟ କରୁଛନ୍ତି ତାହା ଆପଣମାନେ ଭଲଭାବେ ଜାଣନ୍ତି । ଅମ୍ବାଜୀରେ ବି ବିକାଶ ସହିତ ସଂଶ୍ଳିଷ୍ଟ ଅନେକ ପରିଯୋଜନା କାର୍ଯ୍ୟକାରୀ ହେଉଛି । ଏହିଭଳି ଭାବେ ସରକାର ରାଜପିପ୍ପଳାଠାରେ ଏକ ଜନଜାତି ସଂଗ୍ରହାଳୟ ଉପରେ ବି ଜୋରସୋରରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଭାଇ ଓ ଭଉଣୀମାନେ, ସ୍ୱତନ୍ତ୍ରତା ଆନ୍ଦୋଳନରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଆମର ଆଦିବାସୀ ସମୂହଙ୍କୁ ଏଯାବତ୍‌ ଉପଯୁକ୍ତ ସମ୍ମାନ ମିଳି ପାରିନାହିଁ । କିନ୍ତୁ ତାହା ପାଇବା ସକାଶେ ସେମାନେ ସଂପୂର୍ଣ୍ଣ ହକ୍‌ଦାର । ଏଭଳି ଜନଜାତି ସଂଗ୍ରହାଳୟ ସ୍ଥାପନ କରି ସରକାର ଆଦିବାସୀମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଥିବା ଯୋଗଦାନକୁ ଲୋକଲୋଚନକୁ ଆଣିବେ, ସେମାନଙ୍କ ପ୍ରତି ଲୋକମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।

ସାଥୀଗଣ, ଗୁଜରାଟର ସାମୁଦ୍ରିକ ଶକ୍ତି ସହିତ ସାରା ବିଶ୍ୱରେ ସମସ୍ତେ ଭଲଭାବେ ଜ୍ଞାତ । ଉମରଗାଓଁ ଠାରୁ ନେଇ ଜଖୋର କଚ୍ଛ ପର୍ଯ୍ୟନ୍ତ ସଂପୂର୍ଣ୍ଣ କ୍ଷେତ୍ର ଭାରତର ସବୁଠାରୁ ଦୀର୍ଘ ସମୁଦ୍ରତଟ ଏବଂ ଏହା ଗୁଜରାଟ ପାଖରେ ହିଁ ଉପଲବ୍ଧ । ଏହା ଆଜି ସୁଦ୍ଧା ଆମର ସାମୁଦ୍ରିକ ଶକ୍ତିକୁ ବଳ ଦେଉଛି । ଏହି କ୍ଷେତ୍ରର ବିକାଶ ସକାଶେ ଅନେକ ପରିଯୋଜନା ଉପରେ କାର୍ଯ୍ୟ କରାଯାଉଛି । ଗୋଗା ଠାରୁ ଦହେଜ ମଧ୍ୟରେ ରୋରୋଫେରୀ ଯାତାୟାତ କରାଯିବା ଦ୍ୱାରା ଲୋକମାନଙ୍କ ପାଇଁ ଆତଯାତ ସହଜସାଧ୍ୟ ହୋଇପାରିଛି ଏବଂ ସେମାନଙ୍କର ଢ଼େର୍‌ ସମୟ ବଞ୍ଚିପାରିଛି ଓ ସେମାନେ ଖର୍ଚ୍ଚ ମଧ୍ୟ ବଞ୍ଚାଇ ପାରୁଛନ୍ତି ।

ସୋନୀ ଯୋଜନା ଉପରେ ଆଧାରିତ ସିଞ୍ଚନ ଏବଂ ପାନୀୟଜଳ ପରିଯୋଜନାଗୁଡ଼ିକ ଏହି କ୍ଷେତ୍ରକୁ ଜଳ ସଂକଟରୁ ଢ଼େର୍‌ ମାତ୍ରାରେ ରକ୍ଷା କରିପାରିଛି । ଏବେ ସରକାର ସମୁଦ୍ର ଜଳରୁ ସ୍ୱଚ୍ଛ ପାନୀୟ ଜଳ ଉତ୍ପାଦନ କରିବା ଯୋଜନା ଉପରେ ଜୋରସୋରରେ କାର୍ଯ୍ୟ ଚଳାଇଛନ୍ତି । ଜୋଡ଼ିୟା ସମେତ ଅନ୍ୟ ଛଅଟି ସ୍ଥାନରେ ଏଭଳି ଡ଼ିଷ୍ଟିଲେସନ୍‌ କାର୍ଯ୍ୟ ଆରମ୍ଭ କରାଯାଉଛି । ଏହି ସଂପୂର୍ଣ୍ଣ ତଟୀୟ ଇଲାକାର ବିକାଶ ଦିଗରେ ଏବେ କାର୍ଯ୍ୟ ଜାରି ରହିଛି ଏବଂ ଏଠାକାର ସଡ଼କ ସଂଯୋଗ ବ୍ୟବସ୍ଥାକୁ ସୁଧାରିବା ସକାଶେ ସରକାର ସାଗରମାଳା କାର୍ଯ୍ୟକ୍ରମ ମାଧ୍ୟମରେ 75 ହଜାର କୋଟି ଟଙ୍କାରୁ ଅଧିକ ରାଶି ଏହି ପରିଯୋଜନା ବାବଦକୁ ମଞ୍ଜୁର କରିଛନ୍ତି । କେବଳ ଗୁଜରାଟର ସମୁଦ୍ର ତଟ ପାଇଁ 75 ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି ଭାଇମାନେ । ସରକାର ଦ୍ୱାରକାଠାରେ ମେରାଇନ୍‌ ପୁଲିସ ଏକାଡ଼େମୀ ବି ସ୍ଥାପନା କରିଛନ୍ତି ।

ଭାଇ ଓ ଭଉଣୀମାନେ, ଆମେ ଦେଶକୁ ଏକବିଂଶ ଶତାବ୍ଦୀରେ ନୂତନ ଶୀର୍ଷରେ ପହଞ୍ଚାଇବା ସକାଶେ କାର୍ଯ୍ୟ କରିବା ସହ ନିଜର ପ୍ରାଚୀନ ବୈଭବକୁ ସୁରକ୍ଷିତ ରଖିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ । ଗାନ୍ଧୀଜୀଙ୍କ ଲବଣ ସତ୍ୟାଗ୍ରହ ପାଇଁ ସମର୍ପିତ ଦାଣ୍ଡି ସ୍ମାରକର ଏବେଠାରୁ କିଛି ସପ୍ତାହ ପୂର୍ବରୁ ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ପ୍ରାପ୍ତ ହୋଇଥିଲା । ଏବଂ ଆଜି, ଆଜି ଏଭଳି ଏକ କାର୍ଯ୍ୟର ଶିଳାନ୍ୟାସ କରାଯାଉଛି ଯାହାକୁ ସମଗ୍ର ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିବା ସୁନିଶ୍ଚିତ । ମୁଁ ଆପଣମାନଙ୍କୁ କିଛି ଛୋଟ କଥାଟିଏ ସୂଚୀତ କରୁନାହିଁ । ସମଗ୍ର ବିଶ୍ୱରେ ପ୍ରଥମ ଥର ପାଇଁ ହଜାର ହଜାର ବର୍ଷ ପୁରୁଣା ସବୁଠାରୁ ପ୍ରଥମ ବନ୍ଧର ଏହି ଗୁଜରାଟର ଲୋଥଲ ବନ୍ଦର ହିଁ ଥିଲା । ପାଞ୍ଚ ହଜାର ବର୍ଷର ପୁରୁଣା ବନ୍ଦର । ଯଦି ବିଶ୍ୱର କାହାରି ପାଖରେ ଏଭଳି କୌଣସି ସ୍ଥାନ ଥାଆନ୍ତା, ତା’ହେଲେ ସାରା ବିଶ୍ୱକୁ ପାଗଳ କରି ଛାଡ଼ି ଦେଇଥାନ୍ତା, ବନ୍ଧୁଗଣ ।

କିନ୍ତୁ, ଏବେ, ଯେତେବେଳେ ମୋତେ ଭାରତ ସରକାରରେ ବସି ସେବା କରିବାର ସୁଯୋଗ ମିଳିଲା, ତ ଆଜି ଲୋଥଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସରର ଶିଳାନ୍ୟାସ କରାଯାଉଛି । ଭାରତର ସାମୁଦ୍ରିକ ଶକ୍ତି , ସାରା ବିଶ୍ୱର ସାମୁଦ୍ରିକ ଶକ୍ତି ସଂପର୍କରେ, ପାଞ୍ଚ ହଜାର ବର୍ଷର ପୁରୁଣା ଆମର ସାମୁଦ୍ରିକ ଜୀବନ ଉପରେ ଆଧାରିତ ତଥ୍ୟ ସମ୍ବଳିତ ଏହି ଐତିହାସିକ ମ୍ୟୁଜିୟମ୍‌ ନିର୍ମାଣ କରାଯାଉଛି । ଆପଣମାନେ କଳ୍ପନା କରିପାରନ୍ତି – ସମଗ୍ର ବିଶ୍ୱରେ କେତେ ବଡ଼ ପର୍ଯ୍ୟଟନ ସାମର୍ଥ୍ୟ ଆମର ଏହି ଲୋଥଲରେ ରହିଛି ଯାହାକି ଆଗାମୀ ଦିଗରେ ପର୍ଯ୍ୟଟକମାନଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିବ । ଗୁଜରାଟ ଲୋକଙ୍କ ଉପାର୍ଜନ ଦିଗରେ ଏହା କେତେବଡ଼ ସୁବିଧା ସୁଯୋଗ ପ୍ରଦାନ କରିବ ।
ସାଥୀଗଣ, ଲୋଥଲ ଆମର ସାମୁଦ୍ରିକ ଶକ୍ତିର ପ୍ରତୀକ ହୋଇ ରହିଆସିଛି । ବିଶ୍ୱର ଅନେକ ରାଷ୍ଟ୍ରର ଲୋକ ଏଠାରୁ ନିକଟରେ ଥିବା ବଲ୍ଲଭୀ ବିଶ୍ୱବିଦ୍ୟାଳୟକୁ ଆସୁଥିଲେ । ଅଧ୍ୟୟନ କରିବା ପାଇଁ ଏଠାକୁ ଆଗମନ କରୁଥିଲେ, କିଭଳି ଭାବେ ସେତେବେଳେ ଏହି ବନ୍ଦର କାର୍ଯ୍ୟ କରୁଥିଲା ଏବଂ ଏହି କ୍ଷେତ୍ରର ବ୍ୟାପାରକୁ ବଢ଼ାଇବା ଦିଗରେ ତାହା ସହାୟକ ହେଉଥିଲା । କୁହାଯାଏ, ଏଭଳି ଏକ ସମୟ ଥିଲା ଯେତେବେଳେ ହଜାର ହଜାର ସଂଖ୍ୟାରେ ଏଠାରେ ପତାକା ଉଡ଼ୁଥିଲା ଏବଂ ବିଶ୍ୱର ଅନେକ ରାଷ୍ଟ୍ରର ପତାକା ଉଡ଼ାଇ ଏଠାକୁ ଜାହାଜମାନ ଆଗମନ କରୁଥିଲେ । ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର ସ୍ଥାପନ ଆମମାନଙ୍କୁ ଏହି ଗୌରବୋଜ୍ଜ୍ୱଳ ଇତିହାସ ସଂପର୍କରେ ସ୍ମରଣ କରାଇବ ଏବଂ ମୁଁ ଏକଥା ମଧ୍ୟ ବିଶ୍ୱାସ କରୁଛି ଓ ଆପଣମାନଙ୍କୁ ସୂଚୀତ କରୁଛି ଯେ ମୁଁ ଏହାର ଆଜି ଶିଳାନ୍ୟାସ କରୁଛି ଏବଂ ଉଦ୍‌ଘାଟନ କିଏ କରିବ ? କିଏ କରିବ? ମୋର ବିଶ୍ୱାସ ଯେ ଦେଶର ଆଶୀର୍ବାଦ ମୋ ସହିତ ରହିଛି, ଏହାର ଉଦଘାଟନ ବି ଆମେ କରିବୁ ।

ଏହି ପରିସରରେ ମ୍ୟୁଜିୟମ୍‌ ବି ହେବ, ଥିମ୍‌ ପାର୍କ ବି ହେବ, ରିସର୍ଚ୍ଚ ସେଣ୍ଟର ବି ହେବ, ହୋଟେଲ ଓ ରିସୋର୍ଟ ବି ହେବ । ଅର୍ଥାତ୍‌, ଭାରତର ଏହି ସମୃଦ୍ଧ ବୈଭବ ସହିତ ସମଗ୍ର ବିଶ୍ୱକୁ ପରିଚିତ କରିବା ସକାଶେ ଏହା ଏକ ମାଧ୍ୟମ ଭାବେ ମୁଣ୍ଡ ଟେକିବ । ଏଥିସହ ଏହା ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ବୃଦ୍ଧି କରିବା ସକାଶେ ପର୍ଯ୍ୟାପ୍ତ ଅବସର ପ୍ରଦାନ କରିବ । ଏହି ପରିସର ଆଧାରରେ ଭାରତକୁ କେବଳ ନୁହେଁ, ବରଂ ସମଗ୍ର ବିଶ୍ୱକୁ ଏକ ନୂତନ ବୈଭବ ମିଳିବାକୁ ଯାଉଛି ।

ସାଥୀଗଣ, ଆମ ସରକାର ଦ୍ୱାରା ଯାହାକୁ ମୁଁ ମଧ୍ୟ ଗୁଜରାଟ ବୋଲି କହୁଥିଲି- ଗୋଟିଏ ପଟେ ପୂର୍ବ ପାର୍ଶ୍ଵ, ଗୋଟିଏ ପଟେ ପଶ୍ଚିମ ପାର୍ଶ୍ଵ ଏବଂ ଅନ୍ୟପଟେ ସଂପୂର୍ଣ୍ଣ ରାଜସ୍ଥାନ ଓ ମହାରାଷ୍ଟ୍ରକୁ ଯୋଡ଼ିବାକୁ ସକ୍ଷମ ଆମର ମଧ୍ୟବର୍ତ୍ତୀ କ୍ଷେତ୍ର ଯାହାକୁ ଆମେ ସେଣ୍ଟ୍ରାଲଭିଷ୍ଟା ବୋଲି କହିପାରିବା । ଏହି ମଧ୍ୟ ଭାଗର ବିକାଶ ଆବଶ୍ୟକତାଗୁଡ଼ିକୁ ବିଚାରକୁ ନେଇ ବିକାଶର ଅନେକ ପରିଯୋଜନା ଉପରେ ଆମେ କାର୍ଯ୍ୟ ଜାରି ରଖିଛୁ । ଅହମ୍ମଦାବାଦ – ମୁମ୍ବାଇ ବୁଲେଟ ଟ୍ରେନ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏହି ଟ୍ରେନ୍‌ ଗୁଜରାଟକୁ ଏକ ନୂତନ ପରିଚୟ ପ୍ରଦାନ କରିବ ଏବଂ ଭାରତର ଗୌରବ ବୃଦ୍ଧି କରିବ । ଏଠାକାର ଉଦ୍ୟମୀମାନଙ୍କୁ ମୁମ୍ବାଇ ସହ ସଂଯୋଗ କରିବା କାର୍ଯ୍ୟ ସହଜସାଧ୍ୟ ହୋଇପାରିବ ।

ଆଜି ଅହମ୍ମଦାବାଦକୁ ତ ମେଟ୍ରୋ ଉପହାର ମିଳିସାରିଛି, ଏହା ବ୍ୟତୀତ ବରୋଦା-ମୁମ୍ବାଇ ଏକ୍ସପ୍ରେସ ଯାହାକି ସେଣ୍ଟ୍ରାଲ ଗୁଜରାଟର ଲୋକମାନଙ୍କୁ ଏବଂ ଏଠାକାର ଉଦ୍ୟୋଗୀମାନଙ୍କୁ ଢ଼େର ଫାଇଦା ପହଞ୍ଚାଇବ । ଏଥିସହ ସରକାର ସାନନ୍ଦକୁ ଅଟୋମୋବାଇଲ ହବ୍‌ ପରି ବିକଶିତ କରିବା ଉପରେ କାର୍ଯ୍ୟ କରୁଛନ୍ତି । ସେହିଭଳି ଧୋଲେରାକୁ ବିଶ୍ୱ ଶ୍ରେଣୀୟ ବ୍ୟବସାୟିକ ହବ୍‌ ଭାବେ ବିକଶିତ କରାଯାଉଛି । ଏଥିରେ ଧୋଲେରା ଏୟାରପୋର୍ଟ ମଧ୍ୟ ସାମିଲ ରହିଛି ।

ଭାଇ ଓ ଭଉଣୀଗଣ, ସେଣ୍ଟ୍ରାଲ ଗୁଜରାଟରେ ପାନୀୟ ଜଳ ସଂକଟ ଦୂର କରିବା ସକାଶେ ସରକାର ସବୁପ୍ରକାର ପ୍ରୟାସ କରି ନର୍ମଦା ବନ୍ଧ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି ଏବଂ ଏଥି ସହିତ ଯୋଡ଼ିହୋଇ ରହିଥିବା ପରିଯୋଜନାଗୁଡ଼ିକ ଉପରେ ଜୋର ଦେଉଛନ୍ତି । ସୁଜଳାମ୍‌ – ସୁଫଳାମ୍‌ ଯୋଜନା ଅଧୀନରେ ବି ଅନେକ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହା ଫଳରେ ଉତ୍ତର ଏବଂ ସେଣ୍ଟ୍ରାଲ ଗୁଜରାଟକୁ ନର୍ମଦା ନଦୀର ଜଳ ଯୋଗାଣ ଫାଇଦା ପ୍ରାପ୍ତ ହୋଇପାରିବ ।

ସାଥୀଗଣ, ଆଜିର ଦିନଟି ମୋ ପାଇଁ ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ବିଶେଷ ମହତ୍ତ୍ୱ ବହନ କରେ । ଆଜି ମେଡ଼ି-ସିଟିର ବିସ୍ତାରର ସ୍ୱପ୍ନ, ଅହମ୍ମଦାବାଦର ଲୋକମାନଙ୍କୁ ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବାକୁ ଗୋଟିଏ ଛାତ ତଳେ ଯୋଗାଇ ଦେବାର ସ୍ୱପ୍ନ ବି ସାକାର ହୋଇପାରିଛି । ଏକା ସଙ୍ଗେ ଚାରି ଚାରିଟି ହସ୍ପିଟାଲର ଏଠାରେ ଲୋକାର୍ପଣ କରାଯାଇଛି । ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ବିଶେଷ ସୁପର ସ୍ପେଶିଆଲିଟି ହସପିଟାଲ, କ୍ୟାନସର ହସପିଟାଲ, ଚକ୍ଷୁ ଚିକିତ୍ସାଳୟ ଏବଂ ଦନ୍ତ ଚିକିତ୍ସାଳୟ ଗୋଟିଏ ସ୍ଥାନରେ ଆପଣମାନଙ୍କୁ ସେବା ଯୋଗାଇ ଦେବା ସକାଶେ, ଗୁଜରାଟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଛି ।

ସାଥୀଗଣ, ଅହମ୍ମଦାବାଦର ଦଶନ୍ଧି ଦଶନ୍ଧି ପୁରୁଣା ସିଭିଲ ହସପିଟାଲକୁ ମେଡ଼ିସିଟି ରୂପରେ ବିକଶିତ କରିବା ସକାଶେ 2008 ମସିହାରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜି ମୁଁ ଖୁସି ଯେ ଗୋଟିଏ ଦଶକ ଭିତରେ ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମେଡ଼ି ସିଟି ଆଜି ଏଠାରେ ସ୍ଥାପନ କରାଯାଇପାରିଛି । ଏହାର ସ୍କେଲ ଦେଖନ୍ତୁ, ଦେଶରେ ଯେଉଁ ଲୋକ ଟେଲିଭିଜନରେ ଦେଖୁଥିବେ, ଶୁଣୁଥିବେ, ସେମାନେ ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯାଉଥିବେ । ଏହା କେମିତି କ୍ୟାମ୍ପସ ଯେ ଯେଉଁଥିରେ 10 ହଜାର ଡାକ୍ତର, ମେଡ଼ିକାଲ ଛାତ୍ର, ପାରାମେଡ଼ିକାଲ ଷ୍ଟାଫ୍‌, ସ୍ପୋର୍ଟ ଷ୍ଟାଫ୍‌, ସେମାନେ ଏକତ୍ର ମିଶି ପ୍ରତିଦିନ ପାଖାପାଖି 10 ହଜାର ରୋଗୀଙ୍କୁ ଏଠାରେ ଚିକିତ୍ସା ସେବା ଯୋଗାଇ ଦେଇପାରିବେ ।

ଆପଣମାନେ କଳ୍ପନା କରି ପାରୁଥିବେ, ଅର୍ଥାତ୍‌, ଗୋଟିଏ ଦୃଷ୍ଟିରୁ କହିବାକୁ ଗଲେ 20 ହଜାର ଜନସଂଖ୍ୟା ବିଶିଷ୍ଟ ଗୋଟିଏ ବଡ଼ ଗାଁ ଏଠାରେ ରହିଛି । ଆଜି ଏହାର ଲୋକାର୍ପଣ କରାଯିବା ପରେ, ମେଡ଼ି ସିଟିର ବେଡ଼୍‌ କ୍ଷମତା ବୃଦ୍ଧିପାଇ 5,500 ହୋଇଯାଇଛି ଏବଂ କଥା ଏତିକିରେ ସଂପୂର୍ଣ୍ଣ ହୋଇନାହିଁ । ଏଥିରେ ଆହୁରି ବିସ୍ତାର ହେବାର ଯୋଜନା ରହିଛି । ମୋର ବିଶ୍ୱାସ ଯେ ଯେଉଁସବୁ ବାକି ହସ୍ପିଟାଲ ଉପରେ କାର୍ଯ୍ୟ ଜାରି ରହିଛି, ସେଗୁଡ଼ିକ ବି ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ।

ସାଥୀଗଣ, ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଆମ ସରକାର ପାଇଁ ସଦାସର୍ବଦା ପ୍ରାଥମିକତା ପ୍ରଦାନ କରି ଆସୁଛନ୍ତି । ଆଜି ସକାଳେ ମୁଁ ଜାମନଗରରେ ଥିଲି, ସେଠାରେ ବି 700 ବେଡ଼ଯୁକ୍ତ ଏକ ହସପିଟାଲର ଉଦଘାଟନ କରାଯାଇଛି । ଉତ୍ତର ହେଉ, ଦକ୍ଷିଣ ହେଉ, ପୂର୍ବ ହେଉ ଅବା ପଶ୍ଚିମ, ସ୍ୱାସ୍ଥ୍ୟ ସହିତ ସଂଶ୍ଳିଷ୍ଟ ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍ଥାନରେ ଅଭୂତପୂର୍ବ ଆଜି ସାରା ଦେଶରେ ଅନୁଭୂତ ହେଉଛି । ଆଜି ଦେଶବ୍ୟାପୀ 22 ଏମ୍ସ କାର୍ଯ୍ୟ କରୁଛି ଅଥବା ଏହାର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ସେଥି ମଧ୍ୟରୁ 15 ଏମ୍ସ ଉପରେ ଗତ 5 ବର୍ଷ ଭିତରେ ହିଁ କାର୍ଯ୍ୟ କରାଯାଇଛି । 22ଟି ଏମ୍ସ ଭିତରୁ 15ଟି ଏମ୍ସ ଏହି 55 ମାସ ଭିତରେ ହିଁ ସାକାର କରାଯାଇଛି । ଆମ ପ୍ରୟାସ ଜାରି ରହିଛି ଯେ ଦେଶର କ୍ଷୁଦ୍ରରୁ ଅତି କ୍ଷୁଦ୍ର ପଲ୍ଲୀରେ ବାସ କରୁଥିବା ଲୋକମାନଙ୍କୁ ସୁଦ୍ଧା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯେଭଳି ପ୍ରାପ୍ତ ହୋଇପାରିବ । ସେଥିପାଇଁ ନିରାମୟ କେନ୍ଦ୍ର ଠାରୁ ଆରମ୍ଭ କରି ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ଏକ ପ୍ରୟାସ ଜାରି ରହିଛି, ଗୋଟିଏ ଚେନ୍‌ ଚାଲୁ ରହିଛି ।

ସାଥୀଗଣ, ସେତେବେଳେ ଗୋଟିଏ ସମୟ ଥିଲା ଯେତେବେଳେ ଗରିବ ଓ ନିମ୍ନ ମଧ୍ୟବିତ୍ତ ବର୍ଗଙ୍କୁ ଭାଗ୍ୟ ଉପରେ ନିର୍ଭର କରି ଜୀବନ ବଞ୍ଚିବାକୁ ପଡ଼ୁଥିଲା ଏବଂ ସେମାନଙ୍କୁ ସେଥିପାଇଁ ଛାଡ଼ି ଦିଆଯାଉଥିଲା । ଦେଶରେ ନା ସେତେବେଳେ ପର୍ଯ୍ୟାପ୍ତ ହସପିଟାଲ ଥିଲା ନା ଚିକିତ୍ସାରେ ସହଯୋଗ ଦେବା ସକାଶେ କୌଣସି ଉତ୍ତମ ଯୋଜନା । ଚିକିତ୍ସା ଖର୍ଚ୍ଚ ଅଭାରରୁ ଦେଶର କୋଟି କୋଟି ଗରିବ ଲୋକ ହସପିଟାଲର ଦୁଆରମୁହଁ ମାଡ଼ି ପାରୁନଥିଲେ । ଦେଶବ୍ୟାପୀ ଆୟୁଷ୍ମାନ ଭାରତ ପିଏମ – ଜେଏୱାଇ, ଏହି ପିଏମ-ଜେଏୱାଇ ଯୋଜନା, ଲୋକମାନେ ଏହାକୁ ମୋଦୀ କେୟାର ବି କହୁଛନ୍ତି । ଏହିଭଳି ଅନେକ ଲାଭାର୍ଥୀ, ସେମାନଙ୍କ ସହ ମୁଁ ନିୟମିତ ଭାବେ ଭେଟୁଛି । ଆଜି ବି ଏଠାକୁ ଆସିବା ପୂର୍ବରୁ ସେହିଭଳି ଲାଭାର୍ଥୀମାନଙ୍କ ସହ ମୁଁ ମିଶିଥିଲି । ଆଜିକାଲି ଦେଶବ୍ୟାପୀ ଯେଉଁଠାରେ ବି ଏହିଭଳି ଲାଭାର୍ଥମୀନଙ୍କ ସହ ମୁଁ ସାକ୍ଷାତ କରୁଛି, ସେମାନଙ୍କ ସହ ଭାବ ବିନିମୟ କରୁଛି, ଆୟୁଷ୍ମାନ ଭାରତ ଯୋଜନା ସେମାନଙ୍କ ଜୀବନରେ କିଭଳି ଜୀବନଦାନ ଭଳି ସୁଯୋଗ ଭାବେ ଆସିଛି ସେମାନେ ସମସ୍ତେ ସେହିକଥା ହିଁ କହୁଛନ୍ତି ।

ସାଥୀଗଣ, ଏହି ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର ପାଞ୍ଚମାସ ଠାରୁ କିଛି ଅଳ୍ପ ସମୟ ହିଁ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଏଥିରୁ 14 ଲକ୍ଷରୁ ଅଧିକ ଗରିବ ରୋଗୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିଛି । ଆଜି ଗରିବ ଠାରୁ ନେଇ ଅତି ଗରିବଙ୍କୁ ବି ଉତ୍ତମ ଓ ଗୁଣାତ୍ମକ ଚିକିତ୍ସା ମିଳିପାରୁଛି । ସେମାନଙ୍କର ଏଭଳି ଚିକିତ୍ସା ଉପରେ ବିଶ୍ୱାସ ସ୍ଥାପିତ ହୋଇଛି । ତାହା କିଭଳି ଭାବେ ସମ୍ଭବ ହୋଇପାରିଲା ? ଆଜି ଦେଶର ଗରିବ ଲୋକମାନଙ୍କୁ ଏତେବଡ଼ ସୁବିଧା ମିଳିପାରିଲା । ଏହା ପଛରେ କାହାର ଶକ୍ତି ରହିଛି, ମୋତେ କହନ୍ତୁ କାହା ଦ୍ୱାରା ଏହା ସମ୍ଭବପର ହୋଇପାରିଲା ? କାହା ଦ୍ୱାରା ହୋଇପାରିଲା ? କାହା ଦ୍ୱାର ହୋଇପାରିଲା ? ଆରେ ବନ୍ଧୁଗଣ, ଏହା ମୋଦୀ ଦ୍ୱାରା ହୋଇପାରୁନଥିଲା, ଏହା ହୋଇପାରିଛି ସେଇଥିପାଇଁ ଯେ ଆପଣମାନେ 2014ରେ ଉଚିତ ନିର୍ଣ୍ଣୟ ନେଇଥିଲେ, ଉଚିତ ସ୍ଥାନରେ ହିଁ ଆପଣମାନଙ୍କ ମତଦାନ କରିଥିଲେ । 2014ରେ ଆପଣମାନେ ଉଚିତ ମନୋଭାବସମ୍ପନ୍ନ ମଜଭୁତ ସରକାର ପକ୍ଷରେ ମତଦାନ କରିଥିଲେ । ଏହାର ପରିଣାମ ସ୍ୱରୂପ ଆଜି ଦେଶରେ ଆମର ଗରିବ ଏବଂ ମଧ୍ୟମ ବର୍ଗ ପରିବାରଙ୍କୁ ଏଭଳି ଫାଇଦା ଉପଲବ୍ଧ ହୋଇପାରିଛି । ସେମାନଙ୍କର ଜୀବନରେ ଏକ ନୂତନ ଆଶାର ଦୀପ ପ୍ରଜ୍ଜ୍ୱଳିତ ହୋଇଛି ।

ଭାଇ ଓ ଭଉଣୀଗଣ, ଆମ ସରକାର ଦେଶରେ ଏକ ଢ଼ାଞ୍ଚାଗତ ରାଜନୈତିକ ପରିବର୍ତ୍ତନ କରିବାର ପ୍ରୟାସ କରିଛି । ଯାହା କିଛି କରିବାର ଅଛି, ତାହା ସ୍ୱଚ୍ଛା ଏବଂ ସୁନିଶ୍ଚିତ ଭାବେ ଏବଂ ନିର୍ଦ୍ଦିଷ୍ଟ ସମୟରେ ହିଁ କରିବା ଆବଶ୍ୟକ ବୋଲି ଆମେ ଭାବୁ । ରାଷ୍ଟ୍ର ହିତପାଇଁ, ଜନହିତ ସକାଶେ ବଡ଼ ବଡ଼ ନିଷ୍ପତ୍ତିମାନ ନେବାର ଅଛି ଏବଂ କଠୋର ନିର୍ଣ୍ଣୟ ମଧ୍ୟ ନେବାର ଅଛି, ସେଥିରେ ଆମେ କେବେ ସୁଦ୍ଧା ପଶ୍ଚାତପଦ ହେବୁନାହିଁ । ଆପଣମାନେ ଦେଖୁଛନ୍ତି, ତାହା ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବା ପ୍ରସଙ୍ଗ ହୋଇଥାଏ ଅଥବା ଆତଙ୍କବାଦ ବିରୋଧରେ ଲଢ଼ିବା ପ୍ରସଙ୍ଗ, ଆମର ନୀତି ଏବଂ ଆଭିମୁଖ୍ୟ, ଉଭୟ ପ୍ରସଙ୍ଗ, ମୋର ଦେଶବାସୀ, ଆପଣମାନଙ୍କ ସମ୍ମୁଖରେ ଉଦାହରଣ ସ୍ୱରୂପ ରହିଛି ।
ଆପଣମାନେ ସ୍ମରଣ କରନ୍ତୁ ବନ୍ଧୁଗଣ, ଏହି ସିଭିଲ ହସ୍ପିଟାଲରେ କଣ ହୋଇଥିଲା । ଏହି ହସପିଟାଲ ଲୋକମାନଙ୍କୁ ଜୀବନ ଦାନ ଦେଇଥାଏ ଏବଂ ରାକ୍ଷସମାନେ… ମୁଁ ଯେତେବେଳେ ଏଠାରେ ମୁଖ୍ୟମନ୍ତ୍ରୀ ଥିଲି, ଏହି ସିଭିଲ ହସପିଟାଲରେ ବମ ଧମାକା କରିଥିଲେ ଏବଂ ନିର୍ଦ୍ଦୋଷ ଲୋକମାନଙ୍କ ଜୀବନ ନାଶ ଘଟାଇଥିଲେ । ଆପଣମାନଙ୍କର ସ୍ମରଣ ଅଛି ନା ନାହିଁ ? ସୀମାର ଆରପାରିରୁ ଆତଙ୍କୀ ଆକ୍ରମଣ ହେଉଥିଲା । ସେତେବେଳେ କ’ଣ ଦିଲ୍ଲୀରେ ବସିଥିବା ଲୋକମାନଙ୍କର ଏହା ଦାୟିତ୍ୱ ନଥିଲା ଯେ ତାହାର ହିସାବନିକାଶ କରିବା ?
ଭାଇ ଓ ଭଉଣୀଗଣ, ଏଭଳି ଅନେକ କଥା ମୋ ହୃଦୟ ଭିତରେ ପଡ଼ିରହିଛି ଏବଂ ମୁଁ ସେତେବେଳେ ବି କହିଥିଲି, ପୁଲୱାମା ଘଟଣା ପରେ ମୁଁ ଜନସାଧାରଣରେ ସର୍ବସମକ୍ଷରେ କହିଥିଲି ଯେ ଯେଉଁ ନିଆଁ ଦେଶବାସୀଙ୍କ ମନରେ ଜଳୁଛି, ସେହି ଅଗ୍ନି ମୋ ଭିତରେ ବି ଜଳୁଛି । ଯଦି ସେତେବେଳର ସରକାରଙ୍କର ଦମ୍‌ ଥାଆନ୍ତା ତ ଅହମ୍ମଦାବାଦ ସିଭିଲ ହସପିଟାଲରେ ନିର୍ଦ୍ଦୋଷ ଲୋକଙ୍କ ଜୀବନହାନି ଘଟାଇଥିବା ଲୋକମାନଙ୍କୁ ଏଠାରୁ ଯାଇ ସେମାନଙ୍କ ହିସାବନିକାଶ କରାଯାଇ ପାରିଥାନ୍ତା ।

ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣ ହେଲା, ନିର୍ଦ୍ଦୋଷ ଲୋକମାନଙ୍କ ଜୀବନହାନି ଘଟିଲା । ଏବଂ ଆମେ, କିଛି ଦିନ ପରେ – ଚାଲ, ଏବେ ସବୁକିଛି ଠିକ୍‌ ହୋଇଗଲା, ସବୁଲୋକ ପୁଣି ସ୍ୱାଭାବିକ ଭାବେ କାମରେ ଲାଗିଗଲେ ଭାବି ଚୁପ୍‌ ବସିପଡ଼ିଲୁ । ଆପଣମାନେ ମତେ କହନ୍ତୁ ବନ୍ଧୁଗଣ, ଆତଙ୍କବାଦ ବିରୋଧରେ ଲଢ଼ିବା ଉଚିତ ନା ନଲଢ଼ିବା ଉଚିତ ? ଆତଙ୍କବାଦର ମୂଳୋତ୍ପାଟନ କରାଯିବା ଉଚିତ କି ନାହିଁ ? ଆପଣମାନେ ମୋତେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ, କିଏ କରିପାରିବ ? ଆମେ ଗୋଟିଏ ପଟେ ଭୁଲ କାଣ୍ଡ କରୁଥିବା ଲୋକମାନଙ୍କୁ ଶାସ୍ତି ଦେଉଛୁ ତ ଅପର ପକ୍ଷରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ସମ୍ମାନିତ ବି କରୁଛୁ । ଏବଂ ଭାଇ ଓ ଭଉଣୀଗଣ, ମୁଁ ଆଜି ଅହମ୍ମଦାବାଦ ମାଟିକୁ ଆସିଛି ଏବଂ ସିଭିଲ ହସପିଟାଲକୁ ଆସିଛି । ସେ ଦୃଶ୍ୟ ମୁଁ କଦାପି ଭୁଲିପାରିବି ନାହିଁ । ଏବଂ ସେଇଥିପାଇଁ ମୁଁ ଆପଣମାନଙ୍କୁ କହିବାକୁ ଚାହିଁବି- ସାତ ତଳ ପାତାଳରେ ଲୁଚିଥାନ୍ତୁ ନା କାହିଁକି, ତଥାପି ମୁଁ ସେମାନଙ୍କୁ ଛାଡ଼ିବା ଲୋକ ନୁହଁ । ଏବଂ ଦେଶର ଦୁର୍ଭାଗ୍ୟ ଦେଖନ୍ତୁ – କିଛି ଲୋକ ତ, ଜଣାନାହିଁ ସେମାନଙ୍କର କ’ଣ ହୋଇଯାଇଛି । ଆଜିର ପାକିସ୍ତାନୀ ଖବରକାଗଜର ହେଡ଼ଲାଇନ୍‌ ଦେଖିନିଅନ୍ତୁ – ଭାରତର ନେତାମାନେ ଯେଉଁପ୍ରକାର ବୟାନବାଜି କରୁଛନ୍ତି, ସେସବୁ ପାକିସ୍ତାନୀ ଖବରକାଗଜର ହେଡ଼ଲାଇନ ହୋଇ ଛପିଛି । ଏଭଳି ନେତା, ଏଭଳି କଥା କହୁଛନ୍ତି ଯାହା ପାକିସ୍ତାନ ଟେଲିଭିଜନ ଦେଖାଉଛି, ପାକିସ୍ତାନର ପାର୍ଲାମେଣ୍ଟରେ ତାହା ଉପରେ ଚର୍ଚ୍ଚା ହେଉଛି ।
ଏହାକୁ କ’ଣ ଦେଶ ହିତକର କାର୍ଯ୍ୟ ବୋଲି କୁହାଯିବ ? ଆପଣମାନେ ଏଭଳି କଥା କହିବେ କି, ଯେଉଁଥିରେ ପାକିସ୍ତାନ ତାଳି ବଜାଇବ ? ଆରେ, ଦେଶର ସଶସ୍ତ୍ର ସେନା ପରାକ୍ରମର କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ଦେଶର ସେନା ସାହସ ଦେଖାଇଛନ୍ତି ଏବଂ ମୁଁ ବନ୍ଧୁଗଣ ଆପଣମାନଙ୍କ ପ୍ରତୀକ୍ଷାକୁ ଦୀର୍ଘ କରିବାକୁ ଚାହୁଁନାହିଁ । ବାଛି ବାଛି ସେମାନଙ୍କର ହିସାବ ନିଆଯିବ, ଏହା ମୋର ପ୍ରତିଜ୍ଞା । କେତେଦିନ ଆଉ ନିର୍ଦ୍ଦୋଷ ଲୋକଙ୍କ ଜୀବନଙ୍କୁ ମାରିବାକୁ ସେମାନଙ୍କୁ ଦେବା? ବନ୍ଧୁଗଣ, ଆପଣମାନେ ମୋତେ କହନ୍ତୁ, ଆପଣମାନଙ୍କର ଆମ ଦେଶର ସେନାବଳ ଉପରେ ଭରସା ଅଛି କି ନାହିଁ ? ସେମାନଙ୍କ ଦାବି ଉପରେ ଭରସା ଅଛି କି ନାହିଁ ? ସେମାନେ ଯାହା କହୁଛନ୍ତି, ତାହା ଉପରେ ଆପଣମାନଙ୍କର ଆସ୍ଥା ଅଛି କି ନାହିଁ ? ସେନା ଯାହା କହୁଛି ତାହା ଉପରେ ମୁଁ ବିଶ୍ୱାସ କରିବା ଉଚିତ କି ନୁହେଁ ? ସେନା ଯାହା କହିବ ତାହା ମୋତେ ମାନିବାକୁ ପଡ଼ିବ ନା ନାହିଁ ? କିନ୍ତୁ କିଛି ଲୋକ ଅଛନ୍ତି ଯାହାଙ୍କୁ ସେନାବାହିନୀ କଥା ପସନ୍ଦଯୋଗ୍ୟ ନୁହେଁ ।

ଆରେ ଭାଇ, ମୋଦୀ କଥା ମାନନାହିଁ, ମୁଁ କହୁନାହିଁ ଯେ ମୋ କଥା ଆପଣମାନେ ମାନନ୍ତୁ । ସେନାବଳ ଉପରେ ତ ଅତି କମ୍‌ରେ ବିଶ୍ୱାସ କରନ୍ତୁ । ସେମାନଙ୍କର ପରାକ୍ରମ ଉପରେ ତ ଦାଗ ଲାଗିବାକୁ ଦିଅନାହିଁ । ସେମାନେ ଜୀବନକୁ ବାଜି ଲଗାଇ ଲଢ଼ୁଛନ୍ତି, ସେମାନେ ଦେଶ ପାଇଁ ପ୍ରାଣବଳି ଦେବାକୁ ବାହାରିଛନ୍ତି ଏବଂ ସଫଳକାମୀ ହୋଇ ଫେରୁଛନ୍ତି ତ ଆପଣମାନଙ୍କ ଆଖିକୁ ନିଦ ଆସୁନାହିଁ । ଆଉ ଧରାଯାଉ, ଆମର ସେନାର ଲୋକ ଏଭଳି ଅଭିଯାନରେ ଯାଇଥିଲେ, ଏବଂ ଧରନ୍ତୁ ସେଠାରେ ଯଦି ଆମର ଯୋଜନା ଅନୁସାରେ କିଛି ହୋଇନଥାନ୍ତା ଏବଂ କିଛି ଓଲଟା ଘଟଣା ଘଟିଥାନ୍ତା, ତ ସେ ଲୋକମାନେ କଣ କରନ୍ତେ ? କଣ କରନ୍ତେ, ମୋତେ କହନ୍ତୁ । କାହାର ଇସ୍ତଫା ମାଗିଥାନ୍ତେ ? କାହାର ଇସ୍ତଫା ମାଗିଥାନ୍ତେ ଭାଇ ? ଅର୍ଥାତ୍‌, ରାଜନୀତି ଆପଣମାନେ କରୁଛନ୍ତି, ଏବେ ସେନା ଅପରେସନ ସଫଳ ହେଲା ବେଳକୁ ଚିତ୍କାର ଛାଡ଼ୁଛନ୍ତି ଯେ ମୋଦୀ ତ ସେନାବାହିନୀର ନାମ ଉଚ୍ଚାରଣ କରିବା ଉଚିତ ନୁହେଁ; ଜୟ ଯବାନ ଜୟ କିଷାନ କହିବା ଉଚିତ ନୁହେଁ । କ’ଣ ଦେଶର ସେନା, ବୀର ଯବାନମାନଙ୍କ ଗୌରବ ଗାନ କରିବା ଅପରାଧ ? ଏହା କରିବା ଉଚିତ ନୁହେଁ ? ସେମାନଙ୍କୁ ସମ୍ମାନିତ କରିବା ଉଚିତ ନା ନୁହେଁ ? କିନ୍ତୁ ସେପରି କଲେ ସେମାନଙ୍କ ପେଟ ଭାରି ଦରଜ ଲାଗୁଛି ।

ଏବେ ସେମାନେ କହୁଛନ୍ତି ଯେ ଏହା ତ ନିର୍ବାଚନୀ ଖେଳ । ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ୍‌ ଆମେ ପ୍ରଥମ ଥର କରିଥିଲୁ, ସେତେବେଳେ ନିର୍ବାଚନ କେଉଁଠି ଥିଲା ଭାଇ ? ଏହା ଆମର ସିଦ୍ଧାନ୍ତ, ଆମେ ଘରେ ପଶି ମାରିବୁ । କୌଣସି ରାଷ୍ଟ୍ର ଏଭଳି ଅସହାୟ ଅବସ୍ଥାରେ ରହିପାରିବ ନାହିଁ । 40 ବର୍ଷ ଧରି ଆତଙ୍କବାଦ ଭାରତର ଛାତିରେ ଗୁଳିର ଦାଗ ଦେଇ ଚାଲିଛି । ଭାରତ ମାତାର ଛାତିରେ ଗୁଳିର ଦାଗ ବଢ଼ି ବଢ଼ି ଚାଲିଛି, ବମ୍‌ ଧମାକା କରି ଚାଲିଛନ୍ତି ଆତଙ୍କବାଦୀମାନେ, ନିର୍ଦ୍ଦୋଷ ଲୋକମାନଙ୍କୁ ମାରି ଚାଲିଛନ୍ତି । କିନ୍ତୁ ଭୋଟବ୍ୟାଙ୍କ୍‌ ରାଜନୀତିରେ ଡ଼ୁବି ରହିଥିବା ଲୋକ ଏହା ବିରୋଧରେ ପଦକ୍ଷେପ ନେବାକୁ ଡ଼ରୁଛନ୍ତି । ମୋର କ୍ଷମତାକୁ, ମୋର କୁର୍ସିକୁ ପରବାୟ ନାହିଁ, ମୋର ଏକମାତ୍ର ଚିନ୍ତା ମୋ ଦେଶ ପାଇଁ । ମୋର ଦେଶ ପାଇଁ ଚିନ୍ତା, ଦେଶବାସୀଙ୍କ ସୁରକ୍ଷିତ ଜୀବନ ପାଇଁ ଚିନ୍ତା । ଏବଂ ସେଇଥିପାଇଁ ଦୟାକରି ଏସବୁ ପ୍ରସଙ୍ଗ ଉପରେ ରାଜନୀତି କରିବା ବନ୍ଦ୍‌ କରନ୍ତୁ । ଆରେ ମୋଦୀ କହୁଛି ମୁଁ ଏତେ ଘର ତୋଳାଇଛି, ତା’ ଉପରେ ବିବାଦ ଠିଆ କରାଅ- ମୋଦୀ ସତ କହୁଛି କି ମିଛ କହୁଛି – ଉଚିତ କହୁଛି କି ଅନୁଚିତ କହୁଛି, ତାହା ଉପରେ ବିବାଦ ଆରମ୍ଭ କଲେ ଚଳିବ । କରୁଥାନ୍ତୁ ବିବାଦ । କିନ୍ତୁ ଦେଶର ସେନାଙ୍କୁ ନେଇ ବିବାଦ କରନ୍ତୁ ନାହିଁ ।

ମୁଁ କହୁଛି ମେଟ୍ରୋ ରେଳ ଆଣିଛି, ଆପଣମାନଙ୍କୁ କହିବାକୁ ହେବ, ଭାଇ, ତୁମେ ତ ଆଣିନ । ମୋଦୀ ମିଛ କହୁଛି ବୋଲି ଦେଶବାସୀଙ୍କୁ କୁହ । ବିବାଦ କର, କିଏ ମନା କରୁଛି ଭାଇ ? ମୁଁ କହୁଛି ମେଡ଼ି ସିଟି ନିର୍ମାଣ କରିଛି, ଆପଣମାନେ କହନ୍ତୁ, ମୋଦୀ ତୁମମାନଙ୍କୁ ମିଛ କହୁଛି । ମୋଦୀକୁ ଗାଳି ଦେବାଲାଗି କ’ଣ କମ୍‌ ସ୍ଥାନ ଅଛି, ପୁରା ମୈଦାନ ଖାଲି ପଡ଼ିଛି । ଏବଂ ମୋଦୀର ବି ସେଥିରେ କୌଣସି ପ୍ରତିବାଦ ନାହିଁ କି ମନଦୁଃଖ କରିବାର ନାହିଁ । କିନ୍ତୁ ଦେଶର ସେନାକୁ କାହିଁକି ଗାଳି ଦେଉଛ ? ଦେଶର ବୀର ଯବାନମାନଙ୍କୁ କାହିଁକି ବଦନାମ କରୁଛ ? ସେମାନଙ୍କର ମନୋବଳକୁ କାହିଁକି ଭାଙ୍ଗି ଦେଉଛ ? ଏବଂ ସେଇଥିପାଇଁ, ଭାଇ ଓ ଭଉଣୀଗଣ, ମୁଁ ପ୍ରଥମରୁ ବି କହିଥିଲି, ମୁଁ ଏଭଳି ମାଟିକୁ ଆସିଛି ଯେଉଁଠି ଆମେ ସେଦିନ ଲୋକଙ୍କ ଶବ ଦେଖିଥିଲେ । ଗମ୍ଭୀର ଭାବେ ଆହତ ଡ଼ାକ୍ତରମାନଙ୍କୁ ବି ଦେଖିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ନର୍ସମାନଙ୍କୁ ବି ଦେଖିଥିଲେ । ସେଇଥିପାଇଁ ମୁଁ କହିଥିଲି, ମୁଁ ଯେଉଁ ସ୍ଥାନକୁ ଆସିଛି ସେଠାରେ ମନ ଖୋଲି ଯାହା କହିବାର ଅଛି କହିବି ।

ବନ୍ଧୁଗଣ, ଆମେମାନେ ଯେଉଁଭଳି ଭାବେ ଦେଶ ମାତୃକାର ସୁରକ୍ଷା ସକାଶେ ପ୍ରତିବଦ୍ଧ ଏବଂ ଏ ଯୁଦ୍ଧ ଆମେ ଆରମ୍ଭ କରିଛେ ଭାଇମାନେ । ଏକଥା ଆପଣମାନେ ମାନି ଚାଲନ୍ତୁ ଯେ ଦେଶର ହିତ ପାଇଁ ଯାହାକିଛି ଆବଶ୍ୟକ ହେବ, ତାହା କରିବା ଆମ ସମସ୍ତଙ୍କର ପ୍ରାଥମିକତା ରହିବ । ମୁଁ ଦେଶକୁ ଏହି ବିଶ୍ୱାସ ଦେଉଛି । ଆପଣମାନେ ଦେଖିଥିବେ, ଏଥର ଆମ ବଜେଟ- ଅନ୍ତରୀଣ ବଜେଟରେ, ଏବେ ତ ପୂର୍ଣ୍ଣାଙ୍ଗ ବଜେଟ ତ, ଯେତେବେଳେ ଆପଣମାନେ ମୋତେ ପ୍ରଧାନମନ୍ତ୍ରୀ ବନାଇବେ, ସେତେବେଳେ ଆସିବ । କିନ୍ତୁ ଏହି ଅନ୍ତରୀଣ ବଜେଟରେ ବି ଆମେ ମଧ୍ୟମ ବର୍ଗଙ୍କ ସକାଶେ ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛୁ । ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଯୋଗ୍ୟ ଆୟକୁ ଟିକସ ସୀମାରୁ ବାହାରେ ରଖିବା ସକାଶେ ସ୍ଥିର କରିଛୁ । ତିନ କୋଟିରୁ ଅଧିକ ଲୋକ ଏହା ଫଳରେ ସିଧାସଳଖ ମୁକ୍ତି ପାଇବା ଭଳି କାର୍ଯ୍ୟ ଆମେ କରିଛୁ ।
ସାଥୀଗଣ, ବିଗତ ପାଞ୍ଚ ବର୍ଷ ଭିତରେ ଆମେ ନୂତନ ଭାରତର ଏକ ଆଧାରଶୀଳ ରଖିଛୁ, ନୂତନ ଭାରତର ନୂତନ ସଂସ୍କାର ଗଢ଼ିବାର ପ୍ରୟାସ କରିଛୁ । ରାଷ୍ଟ୍ରହିତରେ ନିଷ୍ଠା ଓ ସଚ୍ଚୋଟପଣିଆ ସହିତ ପ୍ରତ୍ୟେକ ବ୍ୟକ୍ତି କିଭଳି କାମଧନ୍ଦା ପାଇପାରିବେ ଏଭଳି ଏକ ସଂସ୍କୃତିର ବିକାଶ ସକାଶେ ଆମେ ପ୍ରୟାସ କରୁଛୁ । ଆଗାମୀ ପାଞ୍ଚବର୍ଷ ଏହି ଦିଗରେ ଓ ଧାରାରେ ନୂତନ ଭାରତ କିଭଳି ବୈଭବଶାଳୀ ଭାରତରେ ପରିଣତ ହୋଇପାରିବ, ଏକ ମଜଭୁତ ଢ଼ାଞ୍ଚା ଗଠନ ହୋଇପାରିବ, ଦୃଢ଼ ଇଚ୍ଛାଶକ୍ତିର ସହ ଆମେ ଏହି ଦିଗରେ ଆଗକୁ ଅଗ୍ରସର ହେଉଛୁ । ଆମେ ସଭିଏଁ ଏହି ଦିଗରେ ମିଳିମିଶି ଆଗକୁ ଅଗ୍ରସର ହେବା । ଏହି ବିଶ୍ୱାସର ସହ ଆପଣମାନଙ୍କୁ ସମସ୍ତଙ୍କୁ ଆଜି ଯେତେ ଯେତେ ସୁବିଧା ସୁଯୋଗ- ଯୋଜନା ମିଳିଛି, ସେଥିପାଇଁ ଅନେକ ଅନେକ ବଧାଇ ଜଣାଉଛି ଏବଂ ଆପଣମାନେ ମୋତେ ଯେତେ ଶ୍ରଦ୍ଧା ଦେଖାଇଛନ୍ତି, ସେହି ପ୍ରେମ ଓ ଶ୍ରଦ୍ଧାକୁ ମୋର ମସ୍ତକରେ ବହନ କରୁଛି । ମୋ ସହ ସ୍ୱର ମିଳାଇ କହନ୍ତୁ-

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ଭାରତ ମାତା କୀ – ଜୟ

ବନ୍ଦେ ମାତରମ୍‌

ବନ୍ଦେ ମାତରମ୍‌

ବନ୍ଦେ ମାତରମ୍‌

ଧନ୍ୟବାଦ ।

*************