ପିଏମଇଣ୍ଡିଆ
2019 ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଟେଲିଫୋନ କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନିକଟକୁ ଟେଲିଫୋନ କରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଥମେ ତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାରକୁ ଭାରତର ଜନସାଧାରଣ ବିପୁଳ ସମର୍ଥନର ସହ ପୁନଃନିର୍ବାଚିତ କରିଥିବା ଯୋଗୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ନିର୍ବାଚନ ବିଜୟ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବାରେ ଶେଖ ହସିନା ହେଉଛନ୍ତି ପ୍ରଥମ ବୈଦେଶିକ ନେତା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ଶେଖ୍ ହସିନାଙ୍କ ଏଭଳି ସୌଜନ୍ୟ ସକାଶେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସେ ଭାରତ ଓ ବାଂଲାଦେଶ ମଧ୍ୟରେ ରହି ଆସିଥିବା ଉତ୍ତମ ଓ ଘନିଷ୍ଠ ସଂପର୍କର ଅବତାରଣା କରିଥିଲେ । ଆଗାମୀ ଦିନରେ ତାହା ଅଧିକ ନିବିଡ଼ ହେବ ବୋଲି ସେମାନେ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।
ଉଭୟ ନେତା ଭାରତ-ବାଂଲାଦେଶ ସଂପର୍କରୁ ଆଗାମୀ ଦିନରେ ଏକ ନୂତନ ଶୀର୍ଷ ଓ ଘନିଷ୍ଠତାର ଚରମ ସୀମାରେ ପହଂଚାଇବା ଲାଗି ବଚନବଦ୍ଧତା ଦୋହରାଇଥିଲେ । ନିରାପତ୍ତା ବାଣିଜ୍ୟ, ପରିବହନ, ଶକ୍ତି ଏବଂ ଉଭୟ ରାଷ୍ଟ୍ର ମଧ୍ୟରେ ଗଢ଼ି ଉଠିଥିବା ଲୋକସଂପର୍କର ସହଭାଗୀତାକୁ ଅଧିକ ନିବିଡ଼ କରିବା ସହ ବର୍ତମାନ କାର୍ଯ୍ୟକାରୀ ହେଉଥିବା ଯୋଜନାମାନ କିଭଳି ଦ୍ରୁତ ଭାବେ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇପାରିବ ସେଥିପାଇଁ ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଆଗାମୀ ତିନି ବର୍ଷ ଏଥିପାଇଁ ଅଧିକ ମହତ୍ତ୍ଵ ବହନ କରେ ଏବଂ ଏହି ଅବଧି ମଧ୍ୟରେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନଙ୍କ 2020 ମସିହାରେ ଜନ୍ମ ଶତବାର୍ଷିକୀ ପାଳିତ ହେବ ଏବଂ 2021 ମସିହାରେ ବାଂଲାଦେଶ ଜନ୍ମଲାଭର 50ତମ ବାର୍ଷିକୀ ମଧ୍ୟ ପାଳନ କରାଯିବ ।
ଉଭୟ ରାଷ୍ଟ୍ରର ଶାସନମୁଖ୍ୟ ଖୁବ୍ ଶୀଘ୍ର ଦ୍ୱିପାକ୍ଷିକ ବୈଠକରେ ମିଳିତ ହେବା ସକାଶେ ତାରିଖ ଧାର୍ଯ୍ୟ ସକାଶେ ସହମତି ପ୍ରକାଶ କରିଥିଲେ । ଏଭଳି ସାକ୍ଷାତ ଆଲୋଚନା ଦୁଇ ଦେଶ ମଧ୍ୟରେ ସେବାଠାରୁ ଆରମ୍ଭ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ ବୋଲି କଥାବାର୍ତ୍ତା ବେଳେ ମତ ପ୍ରକାଶ ପାଇଥିଲା ।
******