ପିଏମଇଣ୍ଡିଆ
ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ବିଶ୍ୱବ୍ୟାପୀ ଅଭିନନ୍ଦନ ବାର୍ତ୍ତାର ସୁଅ ଜାରି ରହିଛି । ଆଜି ପ୍ରଧାନମନ୍ତ୍ରୀ ସାଉଦି ଆରବର ଯୁବରାଜ ମହାମହିମ ମହମ୍ମଦ ବିନ ସଲମାନ, କାତାର ଶାସକ ଶେଖ ତମିମ ବିନ ହମାଦ ଅଲ-ଥାନି, ଜର୍ମାନୀର ଚାନସେଲର ଶ୍ରୀମତି ଆଞ୍ଜେଲା ମର୍କେଲ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀମତି ଥେରେସା ମେ ଏବଂ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହାମହିମ ମହିନ୍ଦ୍ରା ରାଜପକ୍ଷଙ୍କଠାରୁ ଟେଲିଫୋନ ମାଧ୍ୟମରେ ଅଭିନନ୍ଦନ ବାର୍ତ୍ତା ପାଇଥିଲେ ।
ତାଙ୍କର ଅଭିନନ୍ଦନ ପାଇଁ ପ୍ରଧାନମନ୍ତ୍ରୀ ଯୁବରାଜଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଭାରତର ଜନସାଧାରଣଙ୍କ ସହ ତାଙ୍କର ବହୁମୂଲ୍ୟ ବନ୍ଧୁତ୍ୱ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱକୁ ଅଧିକ ନିବିଡ କରିବା ନେଇ ତାଙ୍କ ବ୍ୟକ୍ତିଗତ ଆଗ୍ରହ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ । କାତାରର ଏମିର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ଓ କାତାର ମଧ୍ୟରେ ଦୃଢ଼ିଭୂତ ହେଉଥିବା ସମ୍ପର୍କ ସମ୍ବନ୍ଧରେ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଏମିରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଏକ ଶକ୍ତିଶାଳୀ ଭାଗିଦାରିତା ନିର୍ମାଣ କରିବାରେ ତାଙ୍କ ମାର୍ଗଦର୍ଶନ ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ଚାନସେଲର ମର୍କେଲ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କ ସମ୍ବନ୍ଧରେ ପ୍ରକାଶ କରିଥିଲେ ଓ ଦ୍ୱିପାକ୍ଷିକ ସ୍ୱାର୍ଥ ଥିବା ବିଷୟରେ ସହଯୋଗ ବୃଦ୍ଧି ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ବୈଶ୍ୱିକ ଶାନ୍ତି ଓ ସମୃଦ୍ଧି କ୍ଷେତ୍ରରେ ସେ ଗ୍ରହଣ କରିଥିବା ଉଦାହରଣୀୟ ଭୂମିକାକୁ ପ୍ରଶଂସା କରିଥିଲେ । ଉଭୟ ନେତା ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ G-20 ସମ୍ମିଳନୀ ଏବଂ ଚଳିତ ବର୍ଷ ଶେଷବେଳକୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃସରକାରୀ ପରାମର୍ଶ କାର୍ଯ୍ୟକ୍ରମରେ ଭାବ ବିନିମୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନରେ ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ସାଧାରଣ ନିର୍ବାଚନକୁ ଗଣତନ୍ତ୍ରର ଏକ ପ୍ରମୁଖ ପ୍ରକ୍ରିୟା ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମେ ଏହି ତାତ୍ପର୍ଯ୍ୟପୂର୍ଣ୍ଣ କାର୍ଯ୍ୟଧାରା ସମ୍ପାଦନ କରିଥିବାରୁ ଭାରତର ଜନସାଧାରଣଙ୍କୁ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ସମସ୍ତ କ୍ଷେତ୍ରରେ ଇଂଲଣ୍ଡ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ପୁନଶ୍ଚ ସୁଦୃଢ଼ କରିବା ନେଇ କାର୍ଯ୍ୟ ଚାଲୁରଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାଜପାକ୍ଷଙ୍କୁ ତାଙ୍କ ଅଭିନନ୍ଦନ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ପଡୋଶୀ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବହୁ ଦିନ ଧରି ନିବିଡ ବନ୍ଧୁତ୍ୱ ରହିଥିବାର ପ୍ରକାଶ କରି ପ୍ରଧାନମନ୍ତ୍ରୀ ଦୃଢ଼ ଆତ୍ମବିଶ୍ୱାସ ପ୍ରକାଶ କରି କହିଲେ ଯେ ଦୁଇ ଦେଶର ଜନସାଧାରଣଙ୍କ ଲାଭ ପାଇଁ ଏବଂ ଆଞ୍ଚଳିକ ଶାନ୍ତି ଓ ସମୃଦ୍ଧି ପାଇଁ ଏହି ସମ୍ପର୍କ ଆହୁରି ଅଧିକ ବୃଦ୍ଧି ପାଇବ ।
******************