Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏନଡ଼ିଏ ସରକାରଙ୍କ ପ୍ରଥମ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ


 

ଦେଶର କୋଟି କୋଟି କୃଷକମାନଙ୍କୁ ପେନସନ ଯୋଜନାରେ ସାମିଲ କରାଯିବ

ପେନସନ ଯୋଜନା ଆଗାମୀ ତିନିବର୍ଷ ମଧ୍ୟରେ ଦେଶର 5 କୋଟି କୃଷକ ପରିବାରର ସଦସ୍ୟମାନଙ୍କ ଜୀବନ ଜୀବିକାକୁ ସୁନିଶ୍ଚିତ କରିବ

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅତିରିକ୍ତ ଏହା କୃଷକମାନଙ୍କୁ ସହାୟକ ହେବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକରେ ଏକ ନୂତନ କେନ୍ଦ୍ରୀୟ ସେକ୍ଟର ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ଐତିହାସିକ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି କୃଷକ ଉପକୃତ ତଥା ସଶକ୍ତ ହେବେ ଏବଂ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରାଯିବ । ଏହି ଯୋଜନା ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ଯାହାକି ସାରା ବର୍ଷ କ୍ଷେତରେ ହାଡ଼ଭଙ୍ଗା ଶ୍ରମ କରୁଥିବା କୋଟି କୋଟି କୃଷକଙ୍କ ପାଇଁ ଉଦ୍ଦିଷ୍ଟ ।  କୃଷକମାନେ ଦେଶବାସୀଙ୍କ ପାଇଁ ଖାଦ୍ୟ ସୁନିଶ୍ଚିତ କରୁଛନ୍ତି ତେଣୁ ସେମାନଙ୍କ ସକାଶେ ଆର୍ଥିକ ସୁରକ୍ଷା ଏକାନ୍ତ ଜରୁରୀଦେଶ ସ୍ୱାଧୀନ ହେବା ପରଠାରୁ ପ୍ରଥମ ଥର ପାଇଁ କୃଷକମାନଙ୍କ ସକାଶେ ଏଭଳି ପେନସନ ଯୋଜନାର ପରିକଳ୍ପନା କରାଯାଇଛି ।

ଆକଳନ ଅନୁସାରେ ଆଗାମୀ ତିନିବର୍ଷ ମଧ୍ୟରେ ଦେଶର 5 କୋଟି କ୍ଷୁଦ୍ର ଓ ନାମମାତ୍ର କୃଷକ ଏହି ଯୋଜନାରୁ ସୁଫଳ ପାରିପାରିବେ । ଏଥିପାଇଁ କେନ୍ଦ୍ର ସରକାର 10,774.50 କୋଟି ଟଙ୍କାର ପ୍ରାବଧାନ କରିଛନ୍ତି ଯାହାକି ଆଗାମୀ ତିନି ବର୍ଷ ମଧ୍ୟରେ ସରକାରଙ୍କ ଭାଗ (ତତୁଲ୍ୟ ଭାଗ) ଭାବେ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ବ୍ୟବସ୍ଥା ଭାବେ ସରକାର ଏହି ଯୋଜନା ପ୍ରବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି ।

ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ:

ଏହା ଏକ ସ୍ୱେଚ୍ଛାକୃତ ଏବଂ ଦେୟଯୁକ୍ତ ପେନସନ ଯୋଜନା ଯାହାକି ଦେଶବ୍ୟାପୀ କ୍ଷୁଦ୍ର ଏବଂ ମଧ୍ୟମ ଧରଣର କୃଷକ (ଏସଏମଏଫ)ମାନଙ୍କ ପାଇଁ ଉଦ୍ଦିଷ୍ଟ ।

ଏଥିପାଇଁ ଉପରୋକ୍ତ ବର୍ଗର କୃଷକମାନଙ୍କ ଆୟୁସୀମା 18ରୁ 40 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଏବଂ ସେମାନେ ଏଥିରେ ସାମିଲ ହେଲେ ସେମାନଙ୍କୁ 60 ବର୍ଷ ପୂରଣ ହେବା ମାତ୍ରେ ମାସିକ 3000 ଟଙ୍କାର ନିର୍ଦ୍ଧାରିତ ପେନସନ ମିଳିବ ।

ଉଦାହରଣ ସ୍ୱରୂପ, ଜଣେ 29 ବର୍ଷର ହିତାଧିକାରୀ କୃଷକ ମାସକୁ ମଧ୍ୟବର୍ତ୍ତୀ ପ୍ରବେଶିକା ଫିସ୍‌ ସ୍ୱରୂପ ମାସକୁ 100 ଟଙ୍କା ଲେଖାଏଁ ପୈଠ କରିଚାଲିବେ । କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଭାବେ ପେନସନ ପାଣ୍ଠିକୁ ତତୁଲ୍ୟ ଦେୟ ତାଙ୍କ ବାବଦକୁ ଯୋଗ୍ୟ କୃଷକଙ୍କ ପାଇଁ ଜମା କରିବେ

ଯଦି ହିତାଧିକାରୀଙ୍କର ପେନସନ ପାଉଥିବା ବେଳେ ଦେହାନ୍ତ ଘଟେ, ତେବେ ତାଙ୍କର ପତ୍ନୀ ବା ପତି ଯିଏକି ଏସଏମଏଫ ହିତାଧିକାରୀ ହୋଇଥିବେ ତାଙ୍କୁ ପେନସନର 50% ମିଳିବ ଯାହାକି ପାରିବାରିକ ପେନସନ ଭାବେ ବିବେଚିତ ହେବ । ତେବେ ସେ ଏହା ପୂର୍ବରୁ ଏସଏମଏଫର ହିତାଧିକାରୀ ହୋଇନଥିବା ବାଞ୍ଛନୀୟଯଦି ଦେୟ ଅବଧିରେ ହିତାଧିକାରୀଙ୍କ ଦେହାନ୍ତ ଘଟେ, ତେବେ ତାଙ୍କର ପତ୍ନୀ ଅବା ପତି ଏହି ପେନସନ ଯୋଜନାକୁ ଜାରି ରଖିବା ସକାଶେ ଚାହିଁଲେ ଦେୟ ଦେଇ ଚାଲିପାରିବେ ।

ଯୋଜନା ଏବଂ କୃଷକ ସମୃଦ୍ଧି ମଧ୍ୟରେ ସମନ୍ୱୟ

ଏହି ଯୋଜନାର ଏକ ପ୍ରମୁଖ ବୈଶିଷ୍ଟ ହେଲା ଏହା ଯେ କୃଷକମାନେ ଚାହିଁଲେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ  ନିଧି (ପିଏ-କିଷାନ) ଯୋଜନାରୁ ପାଉଥିବା ଉପକାରିତା ଅର୍ଥରୁ ମଧ୍ୟ ଏହି ଦେୟ ସିଧାସଳଖ ଦେଇପାରିବେ । ବିକଳ୍ପ ଭାବେ ଜଣେ କୃଷକ ତାଙ୍କର ମାସିକ ଦେୟ କମନ୍‌ ସର୍ଭିସ ସେଣ୍ଟର (ସିଏସସି) ମାଧ୍ୟମରେ ମଧ୍ୟ ଦେଇପାରିବେ ।

ମୌଳିକ ପ୍ରତିଶ୍ରୁତି ପୂରଣ ଏବଂ କୃଷି କ୍ଷେତ୍ରର ସଶକ୍ତିକରଣ:

ଦେଶ ସ୍ୱାଧୀନ ହେବାର ସତୁରୀ ବର୍ଷ ପର୍ଯ୍ୟନ୍ତ, କୃଷକମାନଙ୍କ ସକାଶେ ଏଭଳି ସମାଜିକ ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ସୁଦ୍ଧା କରାଯାଇନଥିଲା । 2019 ମସିହାର ସଂସଦୀୟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏହି ପ୍ରସଙ୍ଗରେ ଚିନ୍ତା କରିଥିଲେ । ଏହାକୁ ଦେଶରେ ସର୍ବତ୍ର ପ୍ରଶଂସା ମିଳିଥିଲା । ବିଜେପି ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହି ପ୍ରସଙ୍ଗରେ ଉଲ୍ଲେଖ ରହିଥିଲା ଏବଂ ତଦନୁସାରେ ନୂତନ ସରକାର ଗଠନ ହେବାପରେ କେନ୍ଦ୍ର କ୍ୟାବିନେଟର ପ୍ରଥମ ବୈଠକରେ ଏହାକୁ ବାସ୍ତବ ରୂପ ପ୍ରଦାନ କରାଯାଇଛି ।

 

***************