Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫ୍ରାନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ସମ୍ବୋଧନ


 

ଫ୍ରାନ୍ସର ଗଣ୍ୟମାନ୍ୟ ନାଗରିକ ଏବଂ ଏଠାରେ ନିଜର ପରିଶ୍ରମ ଏବଂ ନିଜର କୌଶଳ ଦ୍ୱାରା ଭାରତ ଏବଂ ଫ୍ରାନ୍ସର ଗୌରବ ବୃଦ୍ଧି କରିଥିବା ଆପଣ ସମସ୍ତ ସାଥୀଙ୍କୁ ମୋର ନମସ୍କାର ।

ଭାଇ ଓ ଭଉଣୀମାନେ, ଭାରତ ଏବଂ ଫ୍ରାନ୍ସର ବନ୍ଧୁତ୍ୱ ସଂପୂର୍ଣ୍ଣ ଭାବେ ଅତୁଟ ଆଉ ଏହା କେବଳ ବନ୍ଧୁତା ହିଁ ନୁହେଁ, ବନ୍ଧୁତାଠାରୁ ଆଗକୁ ବଳି ଆଉ କିଛି, ଏହା କିଛି ନୂଆ ନୁହେଁ ବରଂ ବର୍ଷ ବର୍ଷ ଧରି ପୁରୁଣା । ଏଭଳି କୌଣସି ସୁଯୋଗ କିମ୍ବା ବିଶ୍ୱସ୍ତରୀୟ ମଞ୍ଚ ନଥିବ ଯେଉଁଠାରେ ଆମ ଦୁଇଦେଶ ଜଣେ ଅନ୍ୟ ଜଣଙ୍କୁ ସମର୍ଥନ କରି ନଥିବ ଏବଂ ସାଥୀଭାବେ କାର୍ଯ୍ୟ କରି ନଥିବ ଆଉ ସେଥିପାଇଁ ଆଜିର ଦିନଟି ହେଉଛି ବନ୍ଧୁତା ନାମରେ ସମର୍ପିତ ।

ସାଥୀଗଣ, ଭଲ ବନ୍ଧୁତ୍ୱର ଅର୍ଥ ହେଉଛି ଏହା ଯେ… ସୁଖ ଦୁଃଖରେ ଜଣେ ଅନ୍ୟଜଣଙ୍କ ପାଖରେ ଠିଆ ହେବା ଉଚିତ ହୁଏତ ପରିସ୍ଥିତି ଯାହା କିଛି ମଧ୍ୟ ହୋଇଥାଉ ନା କାହିଁକି । ଯେତେବେଳେ ଭାରତ ଏବଂ ଫ୍ରାନ୍ସକୁ କୌଣସି ମଧ୍ୟ ଭଲ ଉପଲବ୍ଧି ମିଳିଥାଏ ତ ଆମେ ଜଣେ ଅନ୍ୟଜଣଙ୍କ ପାଇଁ ଖୁସି ଅନୁବଭ କରିଥାଉ । ମୋତେ ଲାଗୁଛି କି ଭାରତରେ ଫ୍ରାନ୍ସ ଫୁଟବଲ ଟିମର ସମର୍ଥକଙ୍କ ସଂଖ୍ୟା ବୋଧହୁଏ ଯେତିକି ଫ୍ରାନ୍ସରେ ରହିଛନ୍ତି ତା’ଠାରୁ ମଧ୍ୟ ଅଧିକ ଭାରତରେ ରହିଥିବେ । ଯେତେବେଳେ ଫ୍ରାନ୍ସ ବିଶ୍ୱକପ୍ ଫୁଟବଲ ଜିତିଥିଲା, ତ ତାହାର ଉତ୍ସବ ଭାରତରେ ମଧ୍ୟ ବଡ଼ ଧୂମଧାମରେ ପାଳନ କରାଯାଇଥିଲା ।

ସାଥୀଗଣ, ଏହିଭଳି ଭାବେ ଆମେ ଦୁଃଖର ମୁହୂର୍ତ୍ତରେ ସେତିକି ହିଁ ଘନିଷ୍ଠତାର ସହିତ ଜଣେ ଅନ୍ୟ ଜଣଙ୍କ ପାଖରେ ଠିଆ ହୋଇଛୁ । ଏହାର ଉଦାହରଣ ଫ୍ରାନ୍ସରେ ହୋଇଥିବା ଏୟାର ଇଣ୍ଡିଆର ଦୁଇଟି ବିମାନ ଦୁର୍ଘଟଣାର ଏହି ସ୍ମାରକ ସ୍ଥଳ  । ଏହି ଦୁର୍ଘଟଣାରେ ବହୁ ଭାରତୀୟଙ୍କର ପ୍ରାଣହାନୀ ମଧ୍ୟ ହୋଇଥିଲା । ସେମାନଙ୍କ ମଧ୍ୟରେ ଭାରତର ମହାନ ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ଡକ୍ଟର ହୋମି ଜାହାଙ୍ଗୀର ଭାବା ମଧ୍ୟ ଥିଲେ । ଭାରତର ସେହି ମହାନ ସୁପୁତ୍ରଙ୍କୁ ଏବଂ ଅନ୍ୟ ଭାରତୀୟମାନଙ୍କୁ ଯେଉଁମାନେ ଏହି ଦୁର୍ଘଟଣାରେ ନିଜର ପ୍ରାଣ ହରାଇଥିଲେ ସେମାନଙ୍କୁ ମଧ୍ୟ ଆଜି ମୁଁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀଗଣ, ଏହି ସ୍ମାରକର ପ୍ରତ୍ୟେକ ପ୍ରସ୍ଥର ଆମ ନାଗରିକମାନଙ୍କର ଜଣଙ୍କର ଅନ୍ୟଜଣଙ୍କ ପ୍ରତି ରହିଥିବା ସମ୍ବେଦନଶୀଳତାର ହେଉଛି ଏକ ଜ୍ୱଳନ୍ତ ପ୍ରମାଣ । ଆମେ ପ୍ରଣାମ କରୁଛୁ ଜରୱେର ସେହି ଗାଇଡ଼୍ ମାନଙ୍କୁ ଯେଉଁମାନେ ଦୁର୍ଘଟଣା ପରେ ବିମାନର ଭଗ୍ନାବଶେଷ ଖୋଜିବା ପାଇଁ ଦିନ ରାତି କାମ କଲେ । ପ୍ରତିକୂଳ ପରିସ୍ଥିତିରେ କାମ କଲେ । ଆଜି ସେହି ଗାଇଡମାନଙ୍କର ପରିବାରର ଲୋକମାନଙ୍କ ସହିତ ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହେବାର ସୁଯୋଗ ମିଳିଲା । ମୁଁ ସେହି ଗାଇଡମାନଙ୍କୁ ଏବଂ ତାଙ୍କର ଆତ୍ମୀୟ ସ୍ୱଜନଙ୍କୁ ମଧ୍ୟ ଭାରତ ତରଫରୁ ଆଦରର ସହିତ କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଜରୱେର ମେୟରଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ଜ୍ଞାପନ କରୁଛି । ଯିଏ ଏହି ସ୍ମାରକକୁ ନିର୍ମାଣ କରିବାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ମୁଁ ଫ୍ରାନ୍ସ ସରକାର, ରାଷ୍ଟ୍ରପତି ମାକ୍ରନ ଏବଂ ଫ୍ରାନ୍ସର ଜନତାଙ୍କୁ ମୋତେ ନିମନ୍ତ୍ରଣ କରିଥିବା ଯୋଗୁଁ ଆପଣମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଦେଇଥିବା ଲାଗି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ।

ଗୋଟିଏ କଥା ଦେଇଥିଲି, ଆପଣମାନଙ୍କର ମନେଅଛି କି ନାହିଁ, ସେକଥା ମୋତେ ଜଣା ନାହିଁ… ମୋର କିନ୍ତୁ ମନେ ଅଛି ଆଉ ସାଧାରଣ ଭାବେ ରାଜନେତାମାନଙ୍କୁ କଥା ଦେଇ କଥା ଭୁଲି ଯିବାରେ ଖୁବ୍ ଆନନ୍ଦ ମିଳିଥାଏ । କିନ୍ତୁ ମୁଁ ସେହି ଗୋଷ୍ଠୀର ନୁହେଁ, ତେଣୁ ମୁଁ ନିଜେ ଦେଇଥିବା କଥାକୁ ମନେରଖେ । ମୁଁ କହିଥିଲି କି ଭାରତ ଆଶା ଏବଂ ଆକାଂକ୍ଷାର ନୂତନ ଯାତ୍ରାରେ ଅଗ୍ରସର ହେବାକୁ ଯାଉଛି ଆଉ ଆଜି ଯେତେବେଳେ ଆପଣମାନଙ୍କ ଗହଣକୁ ଆସିଛି ତ ନମ୍ରତାର ସହିତ, ବଡ଼ ବିଶ୍ୱାସର ସହ କହିପାରିବି କି ଆମେ ନା କେବଳ ସେହି ପଥରେ ଚାଲିବାକୁ ଲାଗିଛୁ ବରଂ 130 କୋଟି ଭାରତବାସୀଙ୍କ ସାମୂହିକ ପ୍ରୟାସ ଫଳରେ ଭାରତ ଦ୍ରୁତ ଗତିରେ ବିକାଶ ପଥରେ ଆଗକୁ ବଢ଼ୁଛି । ଏହା ହେଉଛି କାରଣ କି ଏଥର ପୁଣିଥରେ ଦେଶବାସୀମାନେ ଆଗ ଅପେକ୍ଷା ମଧ୍ୟ ଅଧିକ ପ୍ରଚଣ୍ଡ ଲୋକମତ ଦେଇ ଆମ ସରକାରଙ୍କୁ ସମର୍ଥନ ଦେଇଛନ୍ତି । ଆଉ ଥରେ ପୁଣି ଆମକୁ ଦେଶସେବା କରିବାର ସୁଯୋଗ ପ୍ରଦାନ କରିଛନ୍ତି । ଏହି ଜନାଦେଶ କେବଳ ଗୋଟିଏ ସରକାର ଚଲାଇବା ପାଇଁ ନୁହେଁ ବରଂ ନୂତନ ଭାରତ ନିର୍ମାଣ କରିବା ପାଇଁ । ଏଭଳି ଏକ ନୂତନ ଭାରତ ଯାହାର ସମୃଦ୍ଧ, ସଭ୍ୟତା ଏବଂ ସଂସ୍କୃତି ଉପରେ ସମଗ୍ର ବିଶ୍ୱକୁ ଗର୍ବ ହେଉ ଆଉ ଯିଏ ଏକବିଂଶ ଶତାବ୍ଦୀର ଆଧୁନିକତାକୁ ମଧ୍ୟ ନେତୃତ୍ୱ ପ୍ରଦାନ କରୁ । ଏଭଳି ଏକ ନୂତନ ଭାରତ ଯାହାର କେନ୍ଦ୍ରବିନ୍ଦୁ ବ୍ୟବସାୟ ସୁଗମତା ଉପରେ ମଧ୍ୟ ରହୁ ଏବଂ ଯିଏ ସହଜରେ ସହାବସ୍ଥାନକୁ ମଧ୍ୟ ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁ ।

ସାଥୀଗଣ, ଭାରତରେ ବିଗତ ପାଞ୍ଚବର୍ଷ ମଧ୍ୟରେ ବହୁତ କିଛି ସକରାତ୍ମକ ପରିବର୍ତ୍ତନ ଘଟିଛି । ଏହି ପରିବର୍ତ୍ତନର କେନ୍ଦ୍ରରେ ଭାରତର ଯୁବଶକ୍ତି, ଭାରତର ଗାଁ, ଗରିବ, କୃଷକ, ନାରୀଶକ୍ତି ଏସବୁ ଏହାର କେନ୍ଦ୍ରବିନ୍ଦୁରେ ରହି ଆସିଛି । ମୁଁ ଫୁଟବଲ୍ ପ୍ରେମୀଙ୍କ ଦେଶକୁ ଆସିଛି ଆଉ ଯେତେବେଳେ ଫୁଟବଲ୍ ପ୍ରେମୀଙ୍କ ଗହଣକୁ ଆସିଛି ତ ଆପଣମାନେ ଭଲ ଭାବେ ଜାଣିଛନ୍ତି କି ଗୋଲର ମହତ୍ୱ କ’ଣ ହୋଇଥାଏ । ଆମେ ବିଗତ ପାଞ୍ଚବର୍ଷ ମଧ୍ୟରେ କିଛି ଏଭଳି ଗୋଲ ବା ଲକ୍ଷ୍ୟ ରଖିଛୁ ଯାହା ପୂର୍ବରୁ ଅସମ୍ଭବ ବୋଲି ଚିନ୍ତା କରାଯାଉଥିଲା । କିନ୍ତୁ ଦଳଗତ ମନୋବୃତ୍ତି ଭାବନା ଦ୍ୱାରା ଆମେ ସେହି ଲୋକମାନଙ୍କୁ, ସେହି ଲକ୍ଷ୍ୟଗୁଡ଼ିକୁ ସାକାର କରି ଦେଖାଇଛୁ ।

ସାଥୀଗଣ, ସମଗ୍ର ଦୁନିଆରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁଠାରୁ ଅଧିକ ବ୍ୟାଙ୍କ ଖାତା ଯଦି କୌଣସି ଦେଶରେ ଖୋଲା ଯାଇଛି ତ ତାହା ଭାରତରେ ଖୋଲା ଯାଇଛି । ସମଗ୍ର ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା କୌଣସି ଦେଶରେ ଚାଲୁ ରହିଛି ତ ସେହି ଦେଶର ନାମ ହେଉଛି ଭାରତ । ଏହି ଯୋଜନାରେ ରହିଥିବା ହିତାଧିକାରୀଙ୍କ ସଂଖ୍ୟା ହେଉଛି କେତେ ଅଧିକ ତାହା ଆଜିର ଏହି କଥାରୁ ଆପଣ ଅନୁମାନ ଲଗାଇ ପାରିବେ କି ଆମେରିକା, କାନାଡ଼ା, ମେକ୍ସିକୋ ଏହାର ମୋଟ ଜନସଂଖ୍ୟା ହେଉଛି ଯେତିକି ତାକୁ ଯଦି ଆମେ ମିଶାଇ ଦେବା ତ ତା’ଠାରୁ ମଧ୍ୟ ଅଧିକ ଲୋକ ହେଉଛନ୍ତି ଭାରତରେ ଥିବା ଏହି ଯୋଜନାର ହିତାଧିକାରୀ ।

ସାଥୀଗଣ, ସମଗ୍ର ଦୁନିଆରେ ଟିବିକୁ ସମାପ୍ତ କରିବାର ଲକ୍ଷ୍ୟ ବର୍ଷ 2030 ପର୍ଯ୍ୟନ୍ତ ରଖା ଯାଇଛି । ସମଗ୍ର ବିଶ୍ୱ ଏହି କାର୍ଯ୍ୟକୁ 2030 ଭିତରେ ସମାପ୍ତ କରିବାର ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି । କିନ୍ତୁ ଏହା ହେଉଛି ନୂତନ ହିନ୍ଦୁସ୍ଥାନ, ଆପଣମାନଙ୍କୁ ଗର୍ବ ଅନୂଭବ ହେବ କି ଯେଉଁ ଗତିରେ ଆମେ ଏହା ଉପରେ କାର୍ଯ୍ୟ କରୁଛୁ ତାହା ଫଳରେ ଭାରତ ଏହି ଲକ୍ଷ୍ୟକୁ ପାଞ୍ଚ ବର୍ଷ ପୂର୍ବରୁ ଅର୍ଥାତ 2025ରେ ସଂପୂର୍ଣ୍ଣ କରିଦେବ । ଏହିଭଳି ଭାବେ ସିଓପି-2021ରେ ଜଳବାୟୁ ପରିବର୍ତ୍ତନର ଯେଉଁ ଲକ୍ଷ୍ୟ 2030 ପାଇଁ ନିର୍ଦ୍ଧାରିତ କରାଯାଇଥିଲା, ସେଥିମଧ୍ୟରୁ ଅଧିକାଂଶ ଲକ୍ଷ୍ୟଗୁଡ଼ିକୁ ଭାରତ ଆଗାମୀ ବର୍ଷେ-ଦେଢ଼ ବର୍ଷ ଭିତରେ ପ୍ରାପ୍ତ କରି ପାରିବ ।

ଦେଖନ୍ତୁ, ହିନ୍ଦୁସ୍ଥାନ ସେଇଆ ରହିଛି, ଗାନ୍ଧି ମଧ୍ୟ ସେଇଠି ରହିଛନ୍ତି, ଆପଣ ମଧ୍ୟ ସେଇଆ ରହିଛନ୍ତି, ଗାନ୍ଧିଙ୍କର ଶତାବ୍ଦୀ ମଧ୍ୟ ପାଳନ କରାଗଲା, ଗାନ୍ଧିଙ୍କର ଶହେ ପଚିଶ ବର୍ଷ ପୂର୍ତ୍ତି ମଧ୍ୟ ପାଳନ କରାଗଲା । ଏହିଥର ଗାନ୍ଧିଙ୍କର 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଉ ଏ ପର୍ଯ୍ୟନ୍ତ ଦୁନିଆର 124ଟି ଦେଶର ସର୍ବଶ୍ରେଷ୍ଠ ଗାୟକ, ସଂଗୀତଜ୍ଞମାନେ ବୈଷ୍ଣବ-ଜନ ତୋ ତେନେ କହିୟେ… ଏହାକୁ ଗାଇଛନ୍ତି ।

ସାଥୀଗଣ, ଆଜି ଅନେକ ଅଧ୍ୟୟନ ରିପୋର୍ଟ ଆସୁଛି ଯେଉଁଥିରେ କୁହାଯାଉଛି କି ଭାରତ ନିଜର ଦାରିଦ୍ର୍ୟକୁ ବହୁତ ଦ୍ରୁତ ଗତିରେ ଦୂର କରୁଛି, ଆମେ ଦାରିଦ୍ର୍ୟ ଅବସ୍ଥାରୁ ବାହାରି ଆସୁଛୁ, ଏହା ମଧ୍ୟ ଆମର ଏକ ଲକ୍ଷ୍ୟ ଥିଲା ଯାହାକୁ ଆମେ ଦ୍ରୁତ ଗତିରେ ଦୂର କରିବାର ପ୍ରୟାସ କରୁଛୁ । ଆଜି ଭାରତ ନୂତନ ଉର୍ଜ୍ଜାରେ ଭରି ରହିଛି ଆଉ ତାହାର ପ୍ରତୀକ ହେଉଛି କି ଭାରତ ଆଜି ଷ୍ଟାର୍ଟ-ଅପ୍ ଦୁନିଆରେ ବହୁତ ଆଗରେ ରହିଛି । ଛୋଟ ଛୋଟ ସହରର ପ୍ରତିଭାବାନ ଯୁବକ ଗୋଟିଏରୁ ବଳି ଆଉ ଏକ ନବସୃଜନ ପ୍ରସ୍ତୁତ କରୁଛନ୍ତି ।

ସାଥୀଗଣ, ଏହା ମଧ୍ୟ ହେଉଛି ସତ୍ୟ ଯେ ବିଗତ ପାଞ୍ଚ ବର୍ଷରେ ଆମେ ଦେଶରୁ ଅନେକ କୁପ୍ରଥାକୁ ଲାଲ କାର୍ଡ ମଧ୍ୟ ପ୍ରଦାନ କରିଛୁ ବା ଦୂର କରି ଦେଇଛୁ । ଆଜି ନୂତନ ଭାରତରେ ଭ୍ରଷ୍ଟାଚାର, ଭାଇ-ଭଣଜାର ପରମ୍ପରା, ପରିବାରବାଦ, ଜନତାଙ୍କ ଅର୍ଥ ଲୁଟ, ଆତଙ୍କବାଦ, ଉପରେ ଯେଉଁଭଳି ଭାବେ ଅଙ୍କୁଶ ଲଗାଯାଉଛି, ତାହା ପୂର୍ବରୁ କେବେ ହୋଇ ନଥିଲା ।

ସାଥୀଗଣ, ନୂତନ ଭାରତରେ ଥକିଯିବା-ଅଟକିଯିବାର ପ୍ରଶ୍ନ ଉଠୁନାହିଁ । ନୂଆ ସରକାର ଗଠନ ହେବାର ଅଧିକ ଦିନ ହୋଇନାହିଁ । ଏବେ କେବଳ 75 ଦିନ ହୋଇଛି ଶହେ ଦିନ ହେବା ପାଇଁ ବାକି ଅଛି । ଆଉ ଏହି ଦିନ ସବୁ କେଉଁମାନଙ୍କ ପାଇଁ ହୋଇଥାଏ, ସରକାର ଗଠନ ହେବା ପରେ ସ୍ୱାଗତ ସମାରୋହ ହୋଇଥାଏ, ଫୁଲମାଳ ପିନ୍ଧିବାରେ ସମୟ ଯାଇଥାଏ, ଜୟ ଜୟକାର ଚାଲିଥାଏ, ଆମେ ସେସବୁ ଧନ୍ଦାରେ ମାତିଲୁ ନାହିଁ । କେବଳ 75 ଦିନ ପୂରଣ ହୋଇଛି କିନ୍ତୁ ସ୍ପଷ୍ଟ ନୀତି ଆଉ ସଠିକ ଦିଗରେ ଚାଲିବାର ମନ୍ତ୍ରରେ ପ୍ରେରିତ ହୋଇ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନିଆଯାଇଛି । ନୂତନ ସରକାର ଗଠନ ହେବା ପରେ ହିଁ ଜଳଶକ୍ତି ପାଇଁ ଏକ ନୂତନ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଛି, ଯାହା ଜଳ ସମ୍ବନ୍ଧୀୟ ସମସ୍ତ ବିଷୟକୁ ସାମଗ୍ରିକ ଭାବେ ଦେଖିବ । ଗରିବ କୃଷକ ଏବଂ ବ୍ୟବସାୟୀମାନଙ୍କୁ ପେନସନ୍ର ସୁବିଧା ମିଳୁ, ଏଥିପାଇଁ ମଧ୍ୟ ନିଷ୍ପତ୍ତି ନିଆ ଯାଇଛି । ତିନି-ତଲାକ୍ ଏକ ଅମାନବୀୟ କୃତ୍ତି, ନାରୀର ସମ୍ମାନ ଏବଂ ତା’ଜୀବନ ସାରା ତିନି-ତଲାକର ଖଡ୍ଗ ଲଟକି ରହୁ, ଆମେ ଏହାକୁ ଅନ୍ତ କରିଦେଲୁ । କେହି ମାନନ୍ତୁ ଅବା ନ ମାନନ୍ତୁ, କେହି ଲେଖନ୍ତୁ ଅବା ନ ଲେଖନ୍ତୁ, କେହି କୁହନ୍ତୁ ଅବା ନ କୁହନ୍ତୁ, କେହି କହି ପାରନ୍ତୁ ଅବା ନ କହି ପାରନ୍ତୁ କିନ୍ତୁ ଏହି କୋଟି କୋଟି ଝିଅମାନଙ୍କର ଆଶୀର୍ବାଦ ଆଗାମୀ ଶତାବ୍ଦୀ ଶତାବ୍ଦୀ ଧରି ଭାରତର ମଙ୍ଗଳ କରିବାକୁ ଯାଉଛି ।

ମୁସଲମାନ ଭଉଣୀ, ଝିଅମାନଙ୍କ ସହିତ ଏଭଳି ଅନ୍ୟାୟକୁ ନୂତନ ହିନ୍ଦୁସ୍ଥାନ କିଭଳି ସ୍ୱୀକାର କରି ପାରିବ? ସେହିଭଳି ଶିଶୁ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସରକାର ଅନେକଗୁଡ଼ିଏ ବୈପ୍ଳବିକ ପଦକ୍ଷେପ ଉଠାଇଛନ୍ତି । ଆଜି ଏହି କଥାକୁ ନେଇ ବହୁତ ଚର୍ଚ୍ଚା ହେଉଛି.. ଚଳିତ ଥର ଆମ ସଂସଦ ଅଧିବେଶନ ବିଗତ ଛଅ ଦଶକଠାରୁ ଅଧିକ ଫଳପ୍ରଦ ରହିଲା । ଅର୍ଥାତ ବିଗତ ଷାଠିଏ ବର୍ଷରେ ଯେତେଗୁଡ଼ିଏ ମଧ୍ୟ ସଂସଦର ଅଧିବେଶନ ହୋଇଛି, ସେଥିରେ ଯେତିକ କାର୍ଯ୍ୟ ହୋଇଥିଲା, ଏହି ଗୋଟିଏ ଅଧିବେଶନରେ ତା’ଠାରୁ ଅଧିକ କାର୍ଯ୍ୟ ଚଳିତ ଥର ହୋଇଛି । ଏହା କାହିଁକି ହେଲା… କିପରି ହେଲା ? … ଆଜ୍ଞା ମୋଦୀ ଅଛନ୍ତି ତ ସବୁ ସମ୍ଭବ..ଏଥିପାଇଁ ହେଲା ନାହିଁ । ଏହା ଏଇଥିପାଇଁ ହେଲା କି ଦେଶର ଜନତା ଯେଉଁ ମୋହର ମାରିଛନ୍ତି ଏହା ହେଉଛି ଶହେ ପଚିଶ କୋଟି ଦେଶବାସୀଙ୍କର ଶକ୍ତି । ଏହା ହେଉଛି ଗଣତନ୍ତ୍ରର ଶକ୍ତି । ଆଉ ତାହାର ଚାପ ହେଉଛି ଯାହା ଦେଶ ହିତ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକଙ୍କୁ ମଧ୍ୟ ପ୍ରେରଣା ଦେଉଛି, ବାଧ୍ୟ ମଧ୍ୟ କରୁଛି ।

ଆପଣମାନେ ସମସ୍ତେ ଜାଣନ୍ତି କି ଡିସେମ୍ବର 7ରେ ଆମ ସମସ୍ତଙ୍କର ଚନ୍ଦ୍ରଯାନ ଚନ୍ଦ୍ରରେ ଓହ୍ଲାଇବାକୁ ଯାଉଛି । ଏହି ଉପଲବ୍ଧି ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାବାଲା ଭାରତ ବିଶ୍ୱର ଚତୁର୍ଥ ଦେଶ ପାଲଟିଯିବ ।

ଭାଇ ଓ ଭଉଣୀମାନେ, ଭାରତରେ ହେଉଥିବା ଏହି ପ୍ରଗତି ମଧ୍ୟରେ ଫ୍ରାନ୍ସ ସହିତ ଆମର ଶତାବ୍ଦୀ ଶତାବ୍ଦୀ ଧରି ପୁରୁଣା ସମ୍ବନ୍ଧ ଦିନକୁ ଦିନ ଆହୁରି ସୁଦୃଢ଼ ହେଉଛି । ଜଣେ ଅନ୍ୟଜଣଙ୍କର ଆବଶ୍ୟକତାକୁ ଧ୍ୟାନ ରଖିବା, ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ସମ୍ବେଦନଶୀଳତା, ଜଣଙ୍କର ଅନ୍ୟଜଣଙ୍କ ପ୍ରତି ବିଶ୍ୱାସକୁ ନେଇ ଆମେ ଆଗକୁ ବଢ଼ୁଛୁ । ଭାରତ ଏବଂ ଫ୍ରାନ୍ସ ଜଣେ ଅନ୍ୟଜଣଙ୍କ ପାଇଁ ଲଢ଼ିଛନ୍ତି ଏବଂ ବିଜୟୀ ମଧ୍ୟ ହୋଇଛନ୍ତି । ଦୁଇ ଦେଶ କାନ୍ଧକୁ କାନ୍ଧ ମିଶାଇ ଶତ୍ରୁର ମୁକାବିଲା କରିଛନ୍ତି । ଏହା ହେଉଛି ସେହି ମାଟି ଯେଉଁଠି ପ୍ରଥମ ବିଶ୍ୱଯୁଦ୍ଧରେ 9 ହଜାର ଭାରତୀୟ ସୈନିକ ଫ୍ରାନ୍ସର ସୈନିକଙ୍କ ସହିତ ମାନବତା ସପକ୍ଷରେ ଲଢ଼େଇ କରି ନିଜ ଜୀବନର ଆହୁତି ଦେଇଥିଲେ । ଆଉ ଏଠାରେ ରହୁଥିବା ପ୍ରତ୍ୟେକ ଭାରତୀୟ କେବେ ମଧ୍ୟ 9 ହଜାର ସଂଖ୍ୟା ଭୁଲିବା ଉଚିତ ନୁହେଁ ।

ସାଥୀଗଣ, ଆମେ ଫାସୀବାଦ ଏବଂ ବିଚ୍ଛିନ୍ନତାବାଦର ମୁକାବିଲା ଭାରତରେ ହିଁ ନୁହେଁ, ବରଂ ଫ୍ରାନ୍ସର ମାଟିରେ ମଧ୍ୟ କରିଛୁ । ଆମର ବନ୍ଧୁତ୍ୱ ନୀତିଗତ ଆଦର୍ଶକୁ ନେଇ ଗଠିତ । ଦୁଇ ଦେଶର ଚରିତ୍ରର ନିର୍ମାଣ ‘ସ୍ୱତନ୍ତ୍ରତା, ସମାନତା ଓ ଭାତୃତ୍ୱ’ ଭଳି ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ । ଆଜି ଯଦି ଭାରତ ଏବଂ ଫ୍ରାନ୍ସ ବିଶ୍ୱର ବଡ଼ ବିପଦ ସହିତ ଲଢ଼େଇ କରିବା ପାଇଁ ପାରସ୍ପରିକ ସହଯୋଗ କରୁଛନ୍ତି ତ ତା’ର କାରଣ ମଧ୍ୟ ହେଉଛି ଏହି ଦ୍ୱିପାକ୍ଷିକ ମୂଲ୍ୟବୋଧ । ସେ ଆତଙ୍କବାଦ ହେଉ ଅବା ପୁଣି ଜଳବାୟୁ ପରିବର୍ତ୍ତନ, ଗଣତାନ୍ତ୍ରିକ ମୂଲ୍ୟ ହିଁ ଏହି ବିପଦରୁ ବଞ୍ଚାଇବା ପାଇଁ ଆମର ସାମଗ୍ରିକ ଦାୟିତ୍ୱବୋଧକୁ ଆମେ ଭଲ ଭାବେ ସ୍ୱୀକାର କରିଛୁ । ଭାରତ ଏବଂ ଫ୍ରାନ୍ସ ସମ୍ପର୍କର ଦ୍ୱିତୀୟ ବିଶେଷତ୍ୱ ହେଉଛି କି ଆମେ ଆହ୍ୱାନ ଗୁଡ଼ିକର ମୁକାବିଲା କେବଳ କଥାରେ ନୁହେଁ, ଉଚିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା କରିଥାଉ । ବିଶ୍ୱରେ ଜଳବାୟୁ ପରିବର୍ତ୍ତନର କଥା ତ ବହୁତ ଆଲୋଚନା ହେଉଛି କିନ୍ତୁ ତା’ଉପରେ କାର୍ଯ୍ୟାନ୍ୱୟନ ହେବା ବହୁତ କମ୍ ଦେଖିବାକୁ ମିଳୁଛି । ଆମେ ଫ୍ରାନ୍ସ ସହିତ ମିଶି ଆନ୍ତର୍ଜାତିକ ସୌର ମେଣ୍ଟ ଆରମ୍ଭ କଲୁ, ଆଜି ଏଥିରେ ପ୍ରାୟ ବିଶ୍ୱର 75ଟି ଦେଶ ସକ୍ରିୟ ଭାବେ ଯୋଡ଼ି ହୋଇଛନ୍ତି । ଆଉ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ବିରୁଦ୍ଧରେ ଆଇଏସ୍ଏ ତୃଣମୂଳ ସ୍ତରରେ ସଠିକ୍ ରୂପେ ଆଣୁଅଛି ।

ଭାଇ ଓ ଭଉଣୀମାନେ, ଆଜିକାଲି ଆମେ ଏକବିଂଶ ଶତାବ୍ଦୀରେ ଇନ୍ଫ୍ରା ବିଷୟରେ କଥା ହେଉଛେ, ଯେ କେହି ଆଗାମୀ ପିଢ଼ୀର ଇନ୍ଫ୍ରା, ଆଗାମୀ ପିଢ଼ୀର ଇନ୍ଫ୍ରା ବିଷୟରେ କହୁଛନ୍ତି । କିନ୍ତୁ ଏଠାରେ ମୋର ଇନ୍ଫ୍ରାର ଅର୍ଥ ହେଉଛି ଅନ୍ୟକିଛି । ମୁଁ ଆଜି ଯେତେବେଳେ ଆପଣଙ୍କ ଗହଣକୁ ଆସିଛି ଫ୍ରାନ୍ସର ମାଟିକୁ ଆସିଛି, ସେତେବେଳେ ମୋର ଇନ୍ଫ୍ରାର ଅର୍ଥ ହେଉଛି ଆଇଏନ୍-ଇଣ୍ଡିଆ ପାଇଁ, ଫ୍ରା-ଫ୍ରାନ୍ସ ପାଇଁ । ଆଇଏନ୍ + ଫ୍ରା ଅର୍ଥାତ ଇଣ୍ଡିଆ ଏବଂ ଫ୍ରାନ୍ସର ତାଳମେଳ ସମତୁଲ ମେଣ୍ଟ ଇନ୍ଫ୍ରା… । ସୌର ଇନ୍ଫ୍ରା ଠାରୁ ନେଇ ସାମାଜିକ ଇନ୍ଫ୍ରା ପର୍ଯ୍ୟନ୍ତ ବୈଷୟିକ ଇନ୍ଫ୍ରାରୁ ନେଇ ମହାକାଶ ଇନ୍ଫ୍ରା ପର୍ଯ୍ୟନ୍ତ ଡିଜିଟାଲ ଇନ୍ଫ୍ରାରୁ ନେଇ ପ୍ରତିରକ୍ଷା ଇନ୍ଫ୍ରା ପର୍ଯ୍ୟନ୍ତ… ଭାରତ ଏବଂ ଫ୍ରାନ୍ସର ମେଣ୍ଟ ଦୃଢ଼ତାର ସହିତ ଆଗକୁ ବଢ଼ୁଛି ।

ଭାରତରେ ସ୍ମାର୍ଟ ସହର ବ୍ୟବସ୍ଥାଗୁଡ଼ିକ ନିର୍ମାଣ ଏବଂ ବୌଧିକତା ପରିବହନରେ ଭାଗିଦାରୀ ସହିତ ମଧ୍ୟ ଦୁଇ ଦେଶକୁ ଲାଭ ମିଳୁଛି । ଭାଇ ଓ ଭଉଣୀମାନେ ଫ୍ରାନ୍ସରେ ଭାରତୀୟ ବୈଜ୍ଞାନିକ ଏବଂ ଭାରତରେ ଫ୍ରାନ୍ସ ଟେକ୍ନୋଲୋଜିର ବଡ଼ ସମ୍ମାନ ରହିଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଫ୍ରାନ୍ସରେ ବୈଜ୍ଞାନିକ ପ୍ରତିଭାକୁ ପ୍ରତିନିଧିତ୍ୱ କରୁଛନ୍ତି, ଶୈକ୍ଷିକ ଶକ୍ତି, ମହାକାଶ ବୈଷୟିକଜ୍ଞାନ, ଏବଂ ଅନ୍ୟାନ୍ୟ ହାଇଟେକ୍ କ୍ଷେତ୍ରରେ ଉଭୟ ଦେଶର ପ୍ରମୁଖ ପ୍ରକଳ୍ପ ଜଡ଼ିତ ହୋଇଛନ୍ତି । ଫ୍ରାନ୍ସରେ ବିଶ୍ୱର ଏକମାତ୍ର ଫ୍ୟୁଜନ ରିଆକ୍ଟର ପ୍ରସ୍ତୁତ କରିବାରେ ମଧ୍ୟ ଭାରତୀୟ ପ୍ରତିଭା ସହଯୋଗୀ ଅଟନ୍ତି । ଏହା ହେଉଛି ଚଳିତ ଶତାବ୍ଦୀର ବହୁତ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ପ୍ରକଳ୍ପ । ଯେତେବେଳେ ଏହି ଟେକ୍ନୋଲୋଜି ଭବିଷ୍ୟତ ପିଢ଼ୀକୁ ଅମାପ ଉର୍ଜ୍ଜା ଉପଲବ୍ଧ କରାଇବ ତ ସେଥିରେ ଆପଣଙ୍କର ମଧ୍ୟ ଯୋଗଦାନ ରହିବ । ଚିନ୍ତା କରନ୍ତୁ ସେତିକି ଗର୍ବ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ହେବ ।

ସାଥୀଗଣ, ଭାରତ ସହିତ ଆପଣଙ୍କର ସମ୍ପର୍କ ହେଉଛି ମାଟି ସହିତ ଜଡ଼ିତ ହେବା ଭଳି ସମ୍ପର୍କ । ଭାରତ ସହିତ ଆପଣଙ୍କର ସମ୍ପର୍କ ହେଉଛି ମାଟି ସହିତ ଜଡ଼ିତ ହେଲା ଭଳି ତ ଫ୍ରାନ୍ସ ସହିତ ହେଉଛି ପରିଶ୍ରମର ସମ୍ପର୍କ । ଆପଣଙ୍କ ସଫଳତାଗୁଡ଼ିକ ଫ୍ରାନ୍ସ ପାଇଁ ତ ହେଉଛି ଗୌରବର ବିଷୟ ତ ଏହା ସହିତ ଭାରତକୁ ମଧ୍ୟ ଗୌରବାନ୍ୱିତ କରୁଛି । ଭାରତରେ ଜନ୍ମିତ ଲୋକମାନେ ଫ୍ରାନ୍ସର ଜନ ଜୀବନରେ ମଧ୍ୟ ଉନ୍ନତମାନର ପ୍ରଦର୍ଶନ କରିଛନ୍ତି । ଅନେକ ବ୍ୟକ୍ତି ଫ୍ରାନ୍ସ ସଂସଦର ସଦସ୍ୟ ଅଛନ୍ତି । ଯେତେବେଳେ ଭାରତୀୟ ପ୍ରତିଭାମାନଙ୍କୁ ଫ୍ରାନ୍ସରୁ ସମ୍ମାନ ପ୍ରାପ୍ତ ହୋଇଥାଏ, ତ ଆମର ମଧ୍ୟ ମୁଣ୍ଡ ଗର୍ବରେ ଉପରକୁ ଉଠି ଯାଇଥାଏ । ମୁଁ ମଧ୍ୟ ଏହିକଥା ପାଇଁ ଖୁସି ଯେ ଆପଣମାନେ ଫ୍ରାନ୍ସର ଚାଲିଚଳଣୀ ଏବଂ ଆଇନକୁ ଆପଣେଇବା ସହିତ ନିଜର ବିଶିଷ୍ଟ ଭାରତୀୟତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।

ମୋତେ ଅବଗତ କରାଯାଇଛି କି ଗଣପତି ମହୋତ୍ସବ ପ୍ୟାରିସର ସାଂସ୍କୃତିକ କ୍ୟାଲେଣ୍ଡରର ପ୍ରମୁଖ ବିଶେଷତ୍ୱ ପାଲଟି ଯାଇଛି । ଗଣେଶ ଚତୁର୍ଥୀ ଦିନ ଏକ ପ୍ରକାରରେ ପ୍ୟାରିସ ଲଘୁ ଭାରତ ପାଲଟି ଯାଇଥାଏ ଅର୍ଥାତ ଏବେଠାରୁ କିଛି ଦିନ ପରେ ଏଠାରେ ଗଣପତି ବାପା ମୋରିୟା…ର ସ୍ୱର ମଧ୍ୟ ଶୁଣିବାକୁ ମିଳିବ । ମୋର ଶୁଭକାମନା ଆପଣମାନଙ୍କ ସହିତ ରହିଛି ଆଉ କାଲି ମଧ୍ୟ ହେଉଛି ଜନ୍ମାଷ୍ଟମୀର ପବିତ୍ର ପର୍ବ । ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ସାଥୀଗଣ, ଚଳିତ ବର୍ଷ ଆମେ ସମସ୍ତେ ମହାତ୍ମା ଗାନ୍ଧୀଙ୍କର 150 ତମ ଜୟନ୍ତୀ ଏବଂ ଗୁରୁ ନାନକ ଦେବଜୀଙ୍କର 550ତମ ପ୍ରକାଶ ପର୍ବ ମଧ୍ୟ ପାଳନ କରିବାକୁ ଯାଉଛେ । ମୁଁ ଆଶା କରୁଛି କି ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଗାନ୍ଧି କୁଇଜରେ ମଧ୍ୟ ଭାଗ ନେଇଥିବେ ଯଦି ରହି ଯାଇଥିବେ ତ ଏବେ ମଧ୍ୟ ସୁଯୋଗ ଅଛି ।

ଭାଇ ଓ ଭଉଣୀମାନେ, ଦେଶର ବିକାଶ ପାଇଁ ଆପଣମାନଙ୍କର ଯୋଗଦାନ ଭାରତ ନିମନ୍ତେ ହେଉଛି ବହୁତ ବଡ଼ ଶକ୍ତି । ଭାରତ ଏବଂ ଫ୍ରାନ୍ସର ସମ୍ପର୍କକୁ ସୁଦୃଢ଼ କରିବାରେ କେବଳ ସରକାର ନୁହଁନ୍ତି ବରଂ ଆପଣମାନଙ୍କ ଭଳି ଯେଉଁ ନାଗରିକ ମାନେ ଅଛନ୍ତି, ଆପଣମାନେ ହିଁ ଫ୍ରାନ୍ସରେ ହେଉଛନ୍ତି ଭାରତର ପ୍ରତିନିଧି, ଆପଣମାନେ ହିଁ ହେଉଛନ୍ତି ଭାରତର ସ୍ୱର, ଆପଣମାନେ ହିଁ ହେଉଛନ୍ତି ଭାରତର ପରିଚୟ ।

ମୋର ବିଶ୍ୱାସ ଯେ, ଭାରତର ଏହି ସ୍ୱରକୁ ଆପଣମାନେ ସଦା ସର୍ବଦା ଉଚ୍ଚ କରି ଚାଲିବେ ଆଉ ମୁଁ ସଦା ସର୍ବଦା ଏଥିପାଇଁ କହୁଛି କି ଏବେ ହିନ୍ଦୁସ୍ଥାନରେ ସାମୟିକ ଭାବେ କୌଣସି ବ୍ୟବସ୍ଥା ନାହିଁ । ଆପଣମାନେ ଦେଖିଥିବେ, ଭାରତ ହେଉଛି ଶହେ ପଚିଶ କୋଟିର ଦେଶ, ଗାନ୍ଧୀ ଏବଂ ବୁଦ୍ଧଙ୍କ ମାଟି, ହେଉଛି ରାମ ଓ କୃଷ୍ଣଙ୍କ ଭୂମି, ସାମୟିକକୁ ବିଦା କରୁ-କରୁ 70 ବର୍ଷ ଲାଗିଗଲା । ସାମୟିକକୁ ବାହାର କରୁ-କରୁ 70 ବର୍ଷ ଲାଗିଗଲା.. ମୋତେ ତ ବୁଝା ପଡ଼ୁନାହିଁ.. ହସିବି କି କାନ୍ଦିବି ।

ସାଥୀଗଣ, ସଂସ୍କାର, ପ୍ରଦର୍ଶନ, ପରିବର୍ତ୍ତନ ଏବଂ ସ୍ଥାୟୀ ବ୍ୟବସ୍ଥାଗୁଡ଼ିକ ସହିତ ସୁଦୃଢ଼ ଆଧାର ସହିତ ଦେଶ ଆଗେଇ ଚାଲିଛି, ଚାଲିଥିବ, ଉଦ୍ଦେଶ୍ୟକୁ ମଧ୍ୟ ପୂରଣ କରିବ, ଲକ୍ଷ୍ୟକୁ ମଧ୍ୟ ହାସଲ କରିବ… ଏହି ସମସ୍ତ ବିଶ୍ୱାସ ସହିତ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ…..

ଭାରତମାତା କୀ ଜୟ…..

ଭାରତମାତା କୀ ଜୟ…..

ଭାରତମାତା କୀ ଜୟ…..

*************