Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସର୍ବଭାରତୀୟ ବାଘ ଗଣନା-2018ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


 

 

•  ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ 2967ରେ ପହଁଚିଲା

•  ପ୍ରଧାନମନ୍ତ୍ରୀ ଏହାକୁ ଏକ ଐତିହାସିକ ସଫଳତା ଭାବେ ଅଭିହିତ କଲେ

•  ବାଘଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀ ପାଲଟିଛି ଭାରତ – ପ୍ରଧାନମନ୍ତ୍ରୀ

ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-2018ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି ।

ଏହି ସର୍ଭେକ୍ଷଣ ଅନୁଯାୟୀ 2018ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି ପାଇ 2967ରେ ପହଁଚିଛି ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଏହାକୁ ଭାରତର ଏକ ଐତିହାସିକ ମୁହୂର୍ତ ଭାବେ ଅଭିହିତ କରିଥିଲେ ଏବଂ ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ଭାରତର ସଂକଳ୍ପବଦ୍ଧତାକୁ ଦୋହରାଇଥିଲେ । ଏହାକୁ ହାସଲ କରିବା ନେଇ ବିଭିନ୍ନ ଅଂଶୀଦାରମାନଙ୍କ ଦ୍ରୁତ ଓ ଉତ୍ସର୍ଗୀକୃତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସଂକଳ୍ପରୁ ସିଦ୍ଧିର ଏହା ଏକ ପ୍ରକୃଷ୍ଟ ଉଦାହରଣ । ଭାରତର ଜନସାଧାରଣ ଯଦି କିଛି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି ତେବେ ଉପଯୁକ୍ତ ଫଳାଫଳ ପାଇବା ନେଇ ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ସେ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାୟତଃ 3000 ବାଘଙ୍କ ସହିତ, ଭାରତ ଏବେ ସେମାନଙ୍କ ପାଇଁ ସର୍ବବୃହତ୍ ଓ ସର୍ବାଧିକ ସୁରକ୍ଷିତ ବାସସ୍ଥଳୀରେ ପରିଣତ ହୋଇଛି ।

ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ଯେ ଆଗାମୀ ଦିନର ମାର୍ଗ ଚୟନାତ୍ମକ ନୁହେଁ ବରଂ ସାମଗ୍ରୀକ । ସେ କହିଲେ ଯେ ପରିବେଶ ସଂରକ୍ଷଣ ଲାଗି ଏକ ବ୍ୟାପକ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ଜରୁରି । ସେ କହିଲେ ଯେ ବିକାଶ ଓ ପରିବେଶ ମଧ୍ୟରେ ଏକ ଉତମ ସନ୍ତୁଳନ ରକ୍ଷା କରିବା ସମ୍ଭବ ଆମ ନୀତିରେ, ଆମ ଅର୍ଥନୀତିରେ ଆମକୁ ସଂରକ୍ଷଣ ସମ୍ବନ୍ଧୀୟ ଆଲୋଚନାକୁ ପରିବର୍ତ୍ତନ କରିବାକୁ ପଡିବ,” ବୋଲି ସେ କହିଥିଲେ ।

ଭାରତ ଆମ ନାଗରିକମାନଙ୍କ ପାଇଁ ଅଧିକ ଗୃହ ନିର୍ମାଣ କରିବ ଏବଂ ଏହି ସମୟରେ ଜୀବଜନ୍ତୁମାନଙ୍କ ପାଇଁ ଗୁଣାତ୍ମକ ବାସସ୍ଥାନ ମଧ୍ୟ ସୃଷ୍ଟି କରିବ । ଭାରତର ଏକ ଜୀବନ୍ତ ସାମୁଦ୍ରିକ ଅର୍ଥନୀତି ଏବଂ ସୁସ୍ଥ ସାମୁଦ୍ରିକ ପରିବେଶ ରହିବ । ଏହି ସନ୍ତୁଳନ ହିଁ ଏକ ଶକ୍ତିଶାଳୀ ତଥା ସମାବେଶୀ ଭାରତ ନିର୍ମାଣରେ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ସେ ଆତ୍ମବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଭାରତ ଉଭୟ ଆର୍ଥିକ ଓ ପରିବେଶ ଦୃଷ୍ଟିରୁ ସମୃଦ୍ଧ ହେବ; ଭାରତ ଅଧିକ ସଡ଼କ ନିର୍ମାଣ କରିବ ଏବଂ ଭାରତରେ ନଦୀଗୁଡ଼ିକ ସ୍ୱଚ୍ଛ ହେବେ; ଭାରତରେ ରେଳ ସଂଯୋଗ ଉନ୍ନତ ହେବ ଏବଂ ଭାରତରେ ବୃକ୍ଷ ସଂଖ୍ୟାରେ ବୃଦ୍ଧି ଘଟିବ ।

ସେ କହିଲେ ଯେ ଗତ 5 ବର୍ଷ ମଧ୍ୟରେ ଆଗାମୀ ପିଢ଼ୀ ପାଇଁ ଭିତ୍ତିଭୂମି ନିର୍ମାଣ ଦ୍ରୁତ ଗତିରେ ହୋଇଥିବା ବେଳେ ଦେଶରେ ଜଙ୍ଗଲର ଘନତ୍ୱ ମଧ୍ୟ ବୃଦ୍ଧି ପାଇଛି । ସଂରକ୍ଷିତ କ୍ଷେତ୍ର ମଧ୍ୟ ବୃଦ୍ଧି ପାଇଛି । 2014ରେ 692ଟି ସଂରକ୍ଷିତ ଅଂଚଳ ଥିଲାବେଳେ 2019ରେ ଏହା ବୃଦ୍ଧି ପାଇ 860ରୁ ଅଧିକ ହୋଇଛି । ଗୋଷ୍ଠୀ ସଂରକ୍ଷିତ କ୍ଷେତ୍ରମଧ୍ୟ ବୃଦ୍ଧି ପାଇଛି । 2014ରେ ଏହା 43 ଥିଲାବେଳେ ଏବେ ଏହାର ସଂଖ୍ୟାରେ ବୃଦ୍ଧି ଘଟି 100ରୁ ଅଧିକ ହୋଇଛି ।

ଭାରତ ଏହାର ଅର୍ଥବ୍ୟବସ୍ଥାକୁ ସ୍ୱଚ୍ଛ-ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଆଧାରିତ କରିବା ପାଇଁ ନିୟମିତ ଭାବେ ପ୍ରୟାସ କରୁଥିବାର ସେ କହିଥିଲେ । ସେ କହିଲେ ଯେ ବର୍ଜ୍ୟବସ୍ତୁ ଏବଂ ଜୈବ ଇନ୍ଧନକୁ ଭାରତର ଶକ୍ତି ସୁରକ୍ଷାର ବୃହତ ଅଂଶବିଶେଷ କରାଯାଉଛି । ଏଲପିଜି ସଂଯୋଗ ଏବଂ ଏଲଇଡି ବଲ୍ବ ପାଇଁ ଯଥାକ୍ରମେ ଉଜ୍ଜ୍ୱଳାଉଜାଲାଆଦି ଯୋଜନାରେ ହେଉଥିବା ଅଗ୍ରଗତି ସମ୍ବନ୍ଧରେ ସେ ପ୍ରକାଶ କରିଥିଲେ ।

ଶେଷରେ ବ୍ୟାଘ୍ର ସଂରକ୍ଷଣ ପାଇଁ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ଏବଂ ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଶ୍ରୀ ସିକେ ମିଶ୍ରା ଏହି ଅବସରରେ ଉପସ୍ଥିତ ଥିଲେ ।

 

**********