Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ନେଇ ପ୍ରଧାନମନ୍ତ୍ରୀଙ୍କ ଉତ୍ତର


 

ଆମେ ସବକା ସାଥ, ସବକା ବିକାଶମନ୍ତ୍ର ସହ ଆମର କାର୍ଯ୍ୟ ଆରମ୍ଭ କରିଛୁ; କିନ୍ତୁ ପାଞ୍ଚବର୍ଷର ନିରବଚ୍ଛିନ୍ନ ସମର୍ପିତ ଦାୟିତ୍ୱ ସଂପାଦନ ସହ, ଦେଶର ଜନସାଧାରଣ ଏଥିସହ ଏକ ଚମତ୍କାର ଶବ୍ଦ ସଂଯୋଗ କରିଛନ୍ତି- ତାହା ହେଲା, ‘ସବକା ବିକାଶ’- ନରେନ୍ଦ୍ର ମୋଦୀ

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏକ ନୂତନ ଜନାଦେଶ ପରେଆଜି ପ୍ରଥମ ଥର ପାଇଁ ମୁଁ ରାଜ୍ୟସଭାର ମାନ୍ୟବର ସଦସ୍ୟଙ୍କ ନିକଟରେ ମୋର ମତ ଉପସ୍ଥାପନ କରିବାର ସୁଯୋଗ ପାଇଛି । ଦେଶର ନାଗରିକମାନଙ୍କ ଦ୍ୱାରା ଯେଉଁମାନେ କି ଆମ ଉପରେ ବିରାଟ ଆସ୍ଥା ସ୍ଥାପନ ପୂର୍ବକ ପୁଣି ଥରେ ଦେଶସେବା କରିବାର ସୁଯୋଗ ପ୍ରଦାନ କରିଛନ୍ତି । ସେଥିପାଇଁ ମୁଁ ସେମାନଙ୍କ ସମସ୍ତଙ୍କ ନିକଟରେ ଋଣୀ । କିନ୍ତୁ, ଏହି ଦ୍ୱିତୀୟ ପାଳିର ପ୍ରାରମ୍ଭରେ, ମଦନ ଲାଲ ଜୀ, ଯିଏ କି ଏହି ଗୃହର ଜଣେ ମାନ୍ୟବର ସଦସ୍ୟ, ସେ ଆଜି ଆମମାନଙ୍କ ଗହଣରେ ନାହାନ୍ତି । ମୁଁ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ଅନେକ ମାନ୍ୟଗଣ୍ୟ ସଦସ୍ୟ ସଦନରେ ନିଜ ନିଜ ଢଙ୍ଗରେ ଚିନ୍ତନ ବ୍ୟକ୍ତ କରିଛନ୍ତି । ସେମାନେ ସଭିଏଁ ସେମାନଙ୍କର ଭାବାବେଗକୁ ବ୍ୟକ୍ତ କରିଛନ୍ତି । ସେଥିରେ ମନ ଊଣା ରହିଛି, ତିକ୍ତତା ରହିଛି, ଶ୍ଲେଷ ରହିଛି, କ୍ରୋଧ ରହିଛି, ରଚନାତ୍ମକ ଉପଦେଶ ରହିଛି ତଥା ଲୋକମାନଙ୍କ ତରଫରୁ ପ୍ରଶଂସା ମଧ୍ୟ ରହିଛି ।

ରାଜ୍ୟସଭାର ପ୍ରତ୍ୟେକ ଅଧିବେଶନ କାଳରେ, ଅରୁଣ ଜୀଙ୍କ ବାଗ୍ମିତା… ଗୃହର ପ୍ରତ୍ୟେକ ସଦସ୍ୟ ତାଙ୍କୁ ଆଗ୍ରହର ସହ ଶୁଣିଛନ୍ତି । କିନ୍ତୁ ଏବେ ସେ ତାଙ୍କ ଅସୁସ୍ଥତାରୁ ଆରୋଗ୍ୟ ଲାଭ କରୁଛନ୍ତି ଏବଂ ମୁଁ ଦୃଢ଼ ନିଶ୍ଚିତ ଯେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ ପୁଣି ଥରେ ଖୁବ୍‌ ଶୀଘ୍ର ଏହି ଗୃହକୁ ଫେରିବେ । ଜଣେ ଜନନେତା ଭାବେ, ଶ୍ରୀ ଥାୱର ଚନ୍ଦ ଜୀ, ଏହି ମହାନ ଗୃହରେ ଆମମାନଙ୍କୁ ସକଳ ପ୍ରକାର କାର୍ଯ୍ୟରେ ମାର୍ଗ ପ୍ରଦର୍ଶନ କରିବେ । ମୁଁ ତାଙ୍କୁ ମଧ୍ୟ ସ୍ୱାଗତ କରୁଛି । ବିଗତ ଦୁଇ ଦିନ ଧରି ଏହି ଗୃହରେ ଯେଉଁ ଆଲୋଚନା ଜାରି ରହିଛି, ଶ୍ରୀ ଗୁଲାମ ନବୀ ଆଜାଦଜୀ, ଶ୍ରୀ ଦିଗବିଜୟ ସିଂହଜୀ, ଆମର ବନ୍ଧୁ ଶ୍ରୀ ଡ଼ି ରାଜା, ଶ୍ରୀ ଦିରେକ ଓବ୍ରାଏନଜୀ, ଶ୍ରୀ ରାମଗୋପାଳ ଯାଦବ, ଶ୍ରୀ ମଜିଦ୍‌ ମେମୋନ ଜୀ, ଶ୍ରୀ ରାମଦାସ ଅଠାୱାଲେ, ଶ୍ରୀ ଟି କେ ରଙ୍ଗରାଜନ, ଶ୍ରୀ ଜେ ପି ନଡ୍ଡା ଜୀ, ସ୍ୱପନ ଦାସଗୁପ୍ତାଜୀ ସେମାନଙ୍କର ଅଭିଭାଷଣ ଦ୍ୱାରା ଆଲୋଚନାକୁ ପରିପୂର୍ଣ କରିଛନ୍ତି ।

ପ୍ରତ୍ୟେକ ସଦସ୍ୟ ନିଜ ନିଜ ଢ଼ଙ୍ଗରେ ସେମାନଙ୍କର ମତ ମନ୍ତବ୍ୟ ପ୍ରକଟ କରିଛନ୍ତି- ସେଥିରେ ଏକ ପ୍ରକାର କ୍ଷୋଭ ରହିଛି, ଧାର ରହିଛି, ସେଥିରେ ମଧ୍ୟ ଶ୍ଳେଷ ରହିଛି, ଅସନ୍ତୋଷ ରହିଛି, ପୁଣି ଗଠନମୂଳକ ପରାମର୍ଶ ବି ରହିଛି ଏବଂ ଜନସାଧାରଣଙ୍କ ପକ୍ଷରୁ କିଛି ଅଭିନନ୍ଦନ ରହିଛି । ଏଠାରେ ପ୍ରତ୍ୟେକ ପ୍ରକାର ମନୋଭାବ ପ୍ରକାଶ ପାଇଛି ଏବଂ ଏପରି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ସେମାନଙ୍କର ଭାବ ବ୍ୟକ୍ତ କରିବାର ସୁଯୋଗ ପାଇପାରିନାହାନ୍ତି । ତେଣୁ ସେମାନେ ଯେଉଁ କ୍ରୋଧ ଏଠାରେ ପ୍ରକଟ କରିବା କଥା ସେମାନେ ତାହା କରିପାରିନାହାନ୍ତି । ତାହା ମଧ୍ୟ ପରିଲକ୍ଷିତ ହୋଇଛି ।

ଅନେକ ଦୃଷ୍ଟିରୁ ସଦ୍ୟ ଅନୁଷ୍ଠିତ ସାଧାରଣ ନିର୍ବାଚନ ବାସ୍ତବିକ ସ୍ୱତନ୍ତ୍ର ଥିଲା । ଅନେକ ଦଶନ୍ଧି ପରେ, ପୁଣି ଥରେ ନିରଂକୁଶ ସଂଖ୍ୟାଗରିଷ୍ଠତା ସହ ଏକ ସରକାର ଏକାଦିକ୍ରମେ ଦୁଇଥର କ୍ଷମତାକୁ ଆସିଛି । ଏହା ରାଜନୈତିକ ସ୍ଥିରତାର ଗୁରୁତ୍ୱକୁ ପ୍ରତିପାଦିତ କରୁଛି । ଏହା କେବଳ ଏହି ନିର୍ବାଚନରେ ଘଟିନାହିଁ । ବିଗତ କିଛି ମାସ ମଧ୍ୟରେ ଅନୁଷ୍ଠିତ ସମସ୍ତ ନିର୍ବାଚନରେ ଏହା ଦେଖାଯାଇଛିଯେ ଯେଉଁ ଦଳ କ୍ଷମତାକୁ ଆସିଥାଉ ନା କାହିଁକି, ମତଦାତାମାନେ ରାଜନୈତିକ ସ୍ଥିରତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହା ଏକ ସୁଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂକେତ ।

ମୁଁ ମୋର ସଂଗଠନ ପାଇଁ କାର୍ଯ୍ୟ କରୁଥିବା ବେଳେ, ଅତୀତରେ ମୁଁ ଅନେକ ନିର୍ବାଚନ ଦେଖିଛି ଏବଂ ଅନେକ ନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛି । ରାଜନୀତିରେ ପ୍ରବେଶ କରିବା ପରେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ସୁଯୋଗ ପାଇଲି ଏବଂ ଅନ୍ୟମାନଙ୍କୁ ନିର୍ବାଚନରେ ଲଢ଼ିବାରେ ସାହାଯ୍ୟ ମଧ୍ୟ କଲି । କିନ୍ତୁ କ୍ୱଚିତ ନିର୍ବାଚନରେ ମୁଁ ଦେଖିଛି  ଯେଉଁଥିରେ ଲୋକମାନେ ନିଜେ ନିର୍ବାଚନ ଲଢ଼ିବା । 2019 ସାଧାରଣ ନିର୍ବାଚନ ଗୋଟିଏ ଦୃଷ୍ଟିରୁ ସେଇଭଳି ଏକ ନିର୍ବାଚନ ଥିଲା ଯେଉଁଥିରେ ରାଜନୈତିକ ଦଳ ପରିବର୍ତ୍ତେ ଜନତା ହିଁ ନିର୍ବାଚନ ଲଢ଼ିଥିଲେ । ଦେଶର ଜନସାଧାରଣ ହିଁ ନିଜେ ନିଜେ ସରକାର କରିଥିବା ଭଲ କାର୍ଯ୍ୟର ବାର୍ତ୍ତା ଅନ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଉଥିଲେ । ଯେଉଁମାନେ ଏଥିରୁ ଲାଭବାନ ହୋଇପାରିନଥିଲେ ସେମାନେ ମଧ୍ୟ ବିଶ୍ୱାସ କରୁଥିଲେ ଯେ ଯଦି ଅନ୍ୟ ବ୍ୟକ୍ତିଟି ଏଥିରୁ ଲାଭବାନ ହୋଇପାରିଛନ୍ତି, ତେବେ ସେ ମଧ୍ୟ ଏଥିରୁ ଉପକୃତ ହେବେ । ଏହି ଆସ୍ଥା ହିଁ ଏ ନିର୍ବାଚନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ମୁଁ ଭାଗ୍ୟବାନ ଯେ ଦେଶର ପ୍ରତ୍ୟେକ କୋଣରୁ ମତଦାତାମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବାର ସୁଯୋଗ ମୋତେ ମିଳିପାରିଛି ।

ଅଧ୍ୟକ୍ଷ ମହୋଦୟ,

ଗଣତାନ୍ତ୍ରିକ ବିଶ୍ୱ ପାଇଁ ନିର୍ବାଚନ ପ୍ରକ୍ରିୟା ହିଁ ଏକ ଅତ୍ୟନ୍ତ ଜଟିଳ କାର୍ଯ୍ୟ । ଏହାର ଏକ ବୈଶ୍ୱିକ ମୂଲ୍ୟବୋଧ ରହିଛି । ଏକଥା ମୁଁ ମତଦାତାମାନଙ୍କର ବିପୁଳ ସମସର୍ଥନକୁ ଲକ୍ଷ୍ୟ କରି ବିଶ୍ୱାସ କରିଛି- ଆପଣମାନେ ନିର୍ବାଚନରେ ବିଜୟୀ ହୋଇଛନ୍ତି କିନ୍ତୁ ରାଷ୍ଟ୍ର ନିର୍ବାଚନରେ ହାରିଛି, ଏହାର କାରଣ ହେଲା ସଂକୀର୍ଣ୍ଣ ଚିନ୍ତାଧାରା ଓ କିଛି ଚିନ୍ତନକୁ ବିକୃତ କରାଯାଇଥିବା ନେଇ,ଏହା ଭାରତର ଜନସାଧାରଣଙ୍କ ପ୍ରତି ଘୋର ଅପମାନ ବୋଲି ମୋର ବିଶ୍ୱାସ ।

ଏହା କିଛି ଗୋଟିଏ ଛୋଟିଆ ବିବୃତ୍ତି ନୁହେଁ । ବରଂ ଏଭଳି କଥା ଲୋକମାନଙ୍କୁ ଗଭୀର ଭାବେ ଚିନ୍ତା କରିବା ସକାଶେ ବାଧ୍ୟ କରିବ । ଯେତେବେଳେ ଏଭଳି ବିବୃତ୍ତି- ଗଣତନ୍ତ୍ର ବିଫଳ ହୋଇଛି ଓ ଦେଶ ନିର୍ବାଚନ ହାରିଛିଦିଆଯାଏ, ମୁଁ କେବଳ ପଚାରିବାକୁ ଚାହେଁ- ୱାୟାନାଡ଼ରେ କଣ ଭାରତ ହାରିଛି? ରାଏବରେଲୀରେ କଣ ହାରିଛି? ବ୍ରହ୍ମପୁର, ଥିରୁଭନନ୍ତପୁରମ ଓ ଆମେଥିରେ କଣ ଭାରତ ହାରିଛି? ଏହା କିପରି ଏକ ଯୁକ୍ତି ଯେ ଭାରତ ପରାସ୍ତ ହୋଇଛି କାରଣ କଂଗ୍ରେସ ନିର୍ବାଚନ ହାରିଛି? ଏ ରାଷ୍ଟ୍ର କହିଲେ କଣ କଂଗ୍ରେସକୁ ବୁଝାଏ? ଅହଂକାରର ଗୋଟିଏ ସୀମା ଅଛି । ଏଭଳି ଅହଂକାରର କୌଣସି ଅର୍ଥ ନାହିଁ । ପ୍ରଶ୍ନ ପଚାରିବାର କୌଣସି ସୀମା ନାହିଁ । ମୁଁ ଜାଣିବାକୁ ଚାହୁଁଛି ଯେ 55- 60 ବର୍ଷ ଧରି ଏ ଦେଶକୁ ଶାସନ କରି ଆସିଥିବା ଏକ ଦଳ 17ଟି ରାଜ୍ୟରେ ଗୋଟିଏ ହେଲେ ଆସନରେ ବିଜୟୀ ହୋଇପାରିଲାନାହିଁ କାହିଁକି? ଆମେ କେବଳ ସହଜରେ କହିଦେବା ଯେ ରାଷ୍ଟ୍ର ହାରିଛି?

ମୋର ବିଶ୍ୱାସ ଯେ ଏଭଳି ଭାଷା ବ୍ୟବହାର କରି ଆମେ ମତଦାତାମାନଙ୍କ ବିବେକ ଓ ସିଦ୍ଧାନ୍ତ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛେ । ଆମର ଏଭଳି ସମାଲୋଚନଚୁ ମୁଁ ବୁଝିପାରୁଛି ଏବଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସଦାବେଳେ ଗ୍ରହଣୀୟ ହୋଇଥାଏ । କିନ୍ତୁ ଦେଶର ମତଦାତାମାନଙ୍କୁ ଏଭଳି ଭାବେ ଅପମାନିତ କରାଯିବା ବାସ୍ତବିକ ଅତ୍ୟନ୍ତ ପୀଡ଼ାଦାୟକ ।

ଆମେମାନେ ଏଭଳି କଥା 40- 45 ଡ଼ିଗ୍ରୀ ସେଲସିୟସ ତାପମାତ୍ରାରେ ଦେଖିଛେ, ଲୋକମାନେ ବୁଥ୍ ଆଗରେ ଧାଡ଼ିବାନ୍ଧି ଠିଆହୋଇ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ସକାଶେ ଧୈର୍ଯ୍ୟ ପ୍ରଦର୍ଶନ କରିଛନ୍ତି । 80-90 ବର୍ଷର ବୃଦ୍ଧ ମତଦାତାମାନେ ମଧ୍ୟ ଭୋଟ ଦେବାକୁ ଆସିଛନ୍ତି । ଏଭଳି ଅନେକ ନିର୍ବାଚନ ଅଧିକାରୀ ଅଛନ୍ତି ଯେଉଁମାନେ ନିକଟରେ ସେମାନଙ୍କର ମାଙ୍କର ଦେହାନ୍ତ ଘଟିବା ସତ୍ତ୍ୱେ ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ଆସିଛନ୍ତି । ଅସଂଖ୍ୟ ଲୋକଙ୍କ କଠିନ ଶ୍ରମ ସ୍ୱୀକାର ଦ୍ୱାରା ହିଁ ଏଭଳି ନିର୍ବାଚନ ପ୍ରକ୍ରିୟା ସଂପାଦିତ ହୋଇଥାଏ ଏବଂ ସେପରି ସ୍ଥଳେ ଆମେମାନେ ଆମର ମତଦାତାମାନଙ୍କୁ ଏଭଳି ଭାବେ ଅପମାନିତ କରିବା?

ଆମେମାନେ ଏଭଳି ଅପମାନିତ କରିବାର ରାଜନୀତିରେ ଏତେ ତଳକୁ ଖସିଯାଇଛେ ଯେ ଆମେମାନେ ଦେଶର କୃଷକମାନଙ୍କୁ ମଧ୍ୟ ଅପମାନିତ କରିଛୁ । ସେମାନେ ଏକଥା ମଧ୍ୟ କହିଛନ୍ତି ଯେ କୃଷକମାନଙ୍କୁ ଲାଞ୍ଚ ଦିଆଯାଇଥିଲା । ସେମାନେ ଅଭିଯୋଗ କରିଥିଲେ ଯେ କୃଷକମାନଙ୍କ ଭୋଟକୁ 2000 ଟଙ୍କାରେ କିଣାଯାଇଛି । ମୋର ବିଶ୍ୱାସ ଯେ ଦେଶର କୃଷକମାନଙ୍କୁ ଏଭଳି ଭାବେ ଅପମାନିତ କରାଯିବା ଅନୁଚିତ । ଏ ଦେଶର କୃଷକମାନଙ୍କୁ ଲାଞ୍ଚ ଦେଇ କିଣାଯାଇ ପାରିବ ନାହିଁ । ଆମର କୃଷକମାନେ ଏଭଳି ନାଗରିକ ଯେଉଁମାନେ ସେମାନଙ୍କର କଠିନ ଶ୍ରମ ଏବଂ ନିଷ୍ଠା ବଳରେ ଖାଦ୍ୟଶସ୍ୟ ଉପୁଜାଇଥାନ୍ତି । କୃଷକଟିଏ କେବେ ଚିନ୍ତା କରିନଥାଏ ଯେ ସେ ଉପୁଜାଉଥିବା ଖାଦ୍ୟଶସ୍ୟ କିଏ ଖାଇବ- ଧନୀ ଖାଇବ ନା ଗରିବ ଖାଇବ । ସେମାନଙ୍କ ସଂପର୍କରେ ଏପରି ଭାଷା ପ୍ରୟୋଗ କରିବା ଅର୍ଥ ଦେଶର 15 କୋଟି କୃଷକଙ୍କୁ ଅପମାନିତ କରିବା ସଙ୍ଗେ ସମାନ ।

ମୁଁ ତ ଆଶ୍ଚର୍ଯ୍ୟ  ହେଉଛି ଯେ ଗଣମାଧ୍ୟମକୁ ମଧ୍ୟ ଅପମାନିତ କରାଗଲା । ଆମେ କେଉଁଠି ଥିଲେ । ଗଣମାଧ୍ୟମ ଯୋଗୁ କଣ ନିର୍ବାଚନ ଜିତାଗଲା? ଗଣମାଧ୍ୟମକୁ କଣ ଲାଞ୍ଚ ଦିଆଯାଇଥିଲା? ସେପରି ହୋଇଥିଲେ, ସେ ନିୟମ ବି ତାମିଲନାଡ଼ୁ ଓ କେରଳ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଗୃହରେ ପ୍ରକାଶ କରାଯାଉଥିବା ମତ ବିଶେଷ ମହତ୍ତ୍ୱ ବହନ କରେ । ଆମେ ଯାହାକିଛି କହିବା ତାହା ହୁଏତ ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିପାରେ କିନ୍ତୁ ଆମକୁ ଭାରତୀୟ ଗଣତନ୍ତ୍ରର ଗରିମା କଥା ମଧ୍ୟ ମନେ ରଖିବାକୁ ହେବ  । ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତର ଗୌରବ ବୃଦ୍ଧି କରିବାର ଏକ ଅବସର, ଆମେ ଏହାକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବା ଉଚିତ ନୁହେଁ ।

ଆପଣମାନେ ଏହିସବୁ ନିର୍ବାଚନ କଥା ଚିନ୍ତା କରନ୍ତୁ, 10 ଲକ୍ଷ ମତଦାନ କେନ୍ଦ୍ର, 40 ଲକ୍ଷ ଇଭିଏମ ମେସିନ, 650ଟି ରାଜନୈତିକ ଦଳ ଏବଂ 8000ରୁ ଅଧିକ ପ୍ରାର୍ଥୀ! ଆମେମାନେ ଯଦି ବିଶ୍ୱ ସମ୍ମୁଖରେ ଏଭଳି ତଥ୍ୟ ରଖିବା, ତେବେ ବିଶ୍ୱବାସୀ ଆଶ୍ଚର୍ଯ୍ୟାନ୍ୱିତ ହେବେ! ଏହି ନିର୍ବାଚନରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ନଜରକୁ ଆସି ଛି । ଆମର ଭଉଣୀ ଓ ମାମାନେ ଏକ ପ୍ରଶଂସନୀୟ କାର୍ଯ୍ୟ ଏହି ନିର୍ବାଚନରେ କରି ଦେଖାଇଛନ୍ତି! ସାଧାରଣତଃ ନିର୍ବାଚନରେ ମହିଳାମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ମତଦାନ କରିବା ଦେଖାଯାଇଥାଏ । ପ୍ରଥମ ଥର ପାଇଁ ଏହି ତାରତମ୍ୟ ଶୂନରେ ପହଞ୍ଚିଛିଭାରତୀୟ ଗଣତନ୍ତ୍ରର ଏହି ହେଉଛି ବିଶେଷତା । ଏହା ଅତି ଖୁସିର କଥା ଯେ ପ୍ରାୟ 78ଜଣ ମହିଳା ସାଂସଦ ଚଳିତ ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଛନ୍ତି ।

କେବଳ ଏତିକି ନୁହେଁ, ଭାରତୀୟ ଜନତା ପାର୍ଟି ଏବଂ ଏନଡ଼ିଏ ଏହି ନିର୍ବାଚନରେ ବିଜୟ ଲାଭ କରିଛି… ଏହି ନିର୍ବାଚନର ବିଶେଷତା ହେଲା ଏଇଆ ଯେ ଉତ୍ତରରେ ହେଉ  ଅବା ଦକ୍ଷିଣରେ, ପୂର୍ବରେ ହେଉ କିମ୍ବା ପଶ୍ଚିମରେ, ବିଜେପି ଏବଂ ଏନଡ଼ିଏ ସର୍ବତ୍ର ସଂଖ୍ୟାଗରିଷ୍ଠତା ଲାଭ କରି ଆସିଛି । ଏହା ନୁହେଁ ଯେ ଆମେ ଗୋଟିଏ କୋଣରୁ ଜିଣି ଆସିଛୁ… ସର୍ବତ୍ର ଆମେ ଜନସ୍ୱୀକୃତି ଲାଭ କରି ଜିଣିଛୁ ।

ଯେଉଁମାନଙ୍କର ସ୍ୱପ୍ନ ଧୂଳିସାତ ହୋଇଛି, ଯେଉଁମାନଙ୍କର ସ୍ୱପ୍ନ ଚୁରମାର ହୋଇଛି, ସେମାନଙ୍କର ଅହଂକାର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଛି । ସେମାନେ ଦେଶର ମତଦାତାମାନଙ୍କୁ ସ୍ୱାଗତ କରିନଥାଇ ପାରନ୍ତି । କିନ୍ତୁ… ମୁଁ ଦେଶର ସମସ୍ତ ମତଦାତାମାନଙ୍କ ଆଗରେ ମଥା ନତ କରି ସେମାନଙ୍କୁ ସ୍ୱାଗତ କରୁଛି, ସେମାନଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ତଥା ନିର୍ବାଚନ ଆୟୋଗଙ୍କୁ ଅଭିନନ୍ଦନ ଜଣାଉଛି ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏଠାରେ ଇଭିଏମକୁ ନେଇ ଢ଼େର୍‌ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି । ଏବେ ଏକ ନୂଆ ଧାରା ଆରମ୍ଭ ହୋଇଛି । ଇଭିଏମର ନିରପେକ୍ଷତାକୁ ନେଇ ପ୍ରଶ୍ନ କରାଯାଉଛି । ଏପରି ଏକ ସମୟ ଥିଲା ଯେତେବେଳେ ଆମ ଦଳର ମାତ୍ର ଦୁଇଜଣ ସଦସ୍ୟ ଏହି ସଦନରେ ଥିଲେ । ଆମମାନଙ୍କୁ ସେତେବେଳେ ଉପହାସ କରାଯାଉଥିଲା । ଆମକୁ ଢ଼େର୍‌ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଛି କିନ୍ତୁ ଆମର ଦଳୀୟ କର୍ମକର୍ତ୍ତାମାନଙ୍କ ଉପରେ ଆମର ଗଭୀର ଆସ୍ଥା ଥିଲା । ସେମାନଙ୍କର ଉଦ୍ଦେଶ୍ୟ ଉପରେ ବି ଆମର ବିଶ୍ୱାସ ଥିଲା । ଦେଶର ଜନତାଙ୍କ ଉପରେ ବି ଆମମାନଙ୍କର ଗଭୀର ବିଶ୍ୱାସ ଥିଲା । ଆମକୁ ବେଶ୍‌ କଠିନ ଶ୍ରମ ସ୍ୱୀକାର ପୂର୍ବକ ପ୍ରସ୍ତୁତ ହେବାକୁ ପଡ଼ିଥିଲା । ସେଥିପାଇଁ ଆମକୁ ଖୁବ୍‌ ତ୍ୟାଗ ସ୍ୱୀକାର ମଧ୍ୟ କରିବାକୁ ପଡ଼ିଛି । ସେଭଳି ହତୋତ୍ସାହିତ ପରିସ୍ଥିତିରୁ ଆମେ ପୁଣି ଥରେ ଆମ ଦଳକୁ ନୂତନ ଆତ୍ମବିଶ୍ୱାସର ସହ ଗଢ଼ି ତୋଳିଛୁ । ଆଗାମୀ ପିଢ଼ିର ଲୋକମାନେ ଆମ ସହ କାର୍ଯ୍ୟ କରିଛନ୍ତି ଏବଂ ସେମାନେ ତାହା କରି ଦେଖାଛଛନ୍ତି ଏବଂ ତାହା ହିଁ ହେଲା ନେତୃତ୍ୱର ଅସଲ ପରୀକ୍ଷା ।

ପୁଲିଂ ବୁଥ୍‌ କ୍ୟାମ୍ପରେ ଏହା ଘଟିଛି । ସେତେବେଳେ,ଏକଥା ମାମୁଲି ଥିଲା, ସେତେବେଳେ ଏକଥା କୁହାଯାଉନଥିଲା । ଆମେ ହାରିଥିଲୁ । ସେତେବେଳେ ଏକଥା ଗଳାଫଟାଇ ଆମେ ଚିତ୍କାର କରିନଥିଲୁ… ଆମେ ହାରିଥିଲୁ, ପୁଣି ଥରେ ନିର୍ବାଚନ ଲଢ଼ିବୁ ବୋଲି ମନ ଦୃଢ଼ କରିଥିଲୁଆମେ ପୁଣିଥରେ କାର୍ଯ୍ୟରେ ଲାଗି ପଡ଼ିଥିଲୁ ଏବଂ ଆମେ ଏବେ ସଫଳତାର ସହ ଆସି ଏଠାରେ ପହଞ୍ଚିଛୁଆମେ କେବେ ପୁଲିଂ ବୁଥକୁ ନେଇ ବିଳାପ କରିନଥିଲୁ । ଲୋକମାନେ ସଦାବେଳେ କିଛି ନା କିଛି ବାହାନା ଖୋଜିଥାନ୍ତି ଏବଂ ତାହା ଘଟିଥାଏ ଯେତେବେଳେ ସେମାନେ ଆତ୍ମବିଶ୍ୱାସ ହରାଇଥାନ୍ତି । ଇଭିଏମକୁ ଏବେ ଦୋଷ ଦିଆଯାଉଛି କାରଣ ନିଜକୁ ପ୍ରବୋଧନା ଦେବାକୁ ପଡ଼ିବ ଏବଂ ନିଜ ସହକର୍ମୀମାନଙ୍କୁ ବୁଝାଇବାକୁ ପଡ଼ିବ ଯେ ଇଭିଏମ ତ୍ରୁଟି ଲାଗି ଆମେ ନିର୍ବାଚନ ହାରିଗଲୁ ।

ମୋର ବିଶ୍ୱାସ ଯେ ଆମେମାନେ ଦଳୀୟ କର୍ମୀମାନଙ୍କୁ ଏଭଳି ଉପାୟରେ କଦାପି ସାହାଯ୍ୟ କରିପାରିବାନାହିଁ । ବରଂ ଏହା ସେମାନଙ୍କୁ ଅଧିକ ହତୋତ୍ସାହିତ କରିବ । ଯଦି ଆପଣଙ୍କର ସାହସ ଅଛି, ତେବେ ଆଗକୁ ଆସନ୍ତୁ । ନିଜ ଦଳୀୟ କର୍ମୀମାନଙ୍କୁ ପ୍ରସ୍ତୁତ କରନ୍ତୁ ଏବଂ ଆଗାମୀ ନିର୍ବାଚନରେ ଲଢ଼ିବା ଲାଗି ଆଗଭର ହୁଅନ୍ତୁ ।

ଅଧ୍ୟକ୍ଷ ମହୋଦୟ,

ନିର୍ବାଚନ ପ୍ରକ୍ରିୟାରେ ଅସଂଖ୍ୟ ପରିବର୍ତ୍ତନ ଘଟାଯାଇ ସାରିଛି । 1952 ମସିହାରେ ନିର୍ବାଚନ ପ୍ରକ୍ରିୟା ମାସ ମାସ ଧରି ଚାଲିଥିଲା । ନିର୍ବାଚନ ଅଧିକାରୀମାନେ ପ୍ରତ୍ୟେକ ଗାଁକୁ ଭୋଟବାକ୍ସ ଧରି ଯାଉଥିଲେ । ସେହି ପଦ୍ଧତିକୁ ପରିବର୍ତ୍ତନ କରି କରି ଆମେମାନେ ଆଜି ଆସି ଏଠାରେ ପହଞ୍ଚିଛୁଏହା ଏକ କ୍ରମିକ ଧାରା । ପୂର୍ବରୁ ନିର୍ବାଚନ ପରେ, ସମ୍ବାଦପତ୍ରମାନେ ହେଡ଼ଲାଇନମାନ ଛାପୁଥିଲେ- ଏତେ ସଂଖ୍ୟକ ଲୋକ ନିର୍ବାଚନରେ ପ୍ରାଣ ହରାଇଲେ, ଏତେ ମାତ୍ରାରେ ହିଂସା ହେଲା, ଏତେ ସଂଖ୍ୟକ ବୁଥ ଜବରଦଖଲ ହେଲା । ଆଜି ଇଭିଏମ ସକାଶେ, କେବଳ କେତେ ଶତକଡ଼ା ଭୋଟଦାନ ହେଲା ଏବଂ ଭୋଟିଂରେ କେତେ ବୃଦ୍ଧି ଘଟିଲା ତାହା କେବଳ ଛପାଯାଉଛି । ଏହା ଏକ ଗୁରୁତ୍ୱୂପୂର୍ଣ୍ଣ ପ୍ରସଙ୍ଗ । ପୂର୍ବରୁ ବୁଥ୍‌ ଜବରଦଖଲ ଏବଂ ଲୁଟ୍‌ ସାଧାରଣ କଥା ଥିଲା । କେବଳ ଗଣ୍ଡଗୋଳକାରୀଙ୍କ ହାତରେ ସେ କ୍ଷମତା ଥିଲା । ଯେତେବେଳେ ନିର୍ବାଚନ ପ୍ରକ୍ରିୟା ଅଧିକ ଗଣତାନ୍ତ୍ରିକ ପଦ୍ଧତିରେ ସମ୍ପାଦନ କରାଗଲା, କିଛିଲୋକ ହାରିବା ଆରମ୍ଭ କଲେ । ସେଇଥିପାଇଁ ସେମାନେ ପୁଣି ଥରେ ବାଲଟ ପେପର ଯୁଗକୁ ଫେରିଯିବାକୁ ଚାହାନ୍ତି । କିନ୍ତୁ ଦେଶ ସେମାନଙ୍କୁ ଗଣତନ୍ତ୍ରକୁ ଏଭଳି ଭାବେ ସେମାନଙ୍କ ହାତମୁଠାରେ ଜାବୁଡ଼ି ଧରି ରଖିବା ସକାଶେ କଦାପି ସହାୟକ ହୋଇପାରିବ ନାହିଁ ।

ଅଧ୍ୟକ୍ଷ ମହୋଦୟ,

ଆଜି ଏହି ପବିତ୍ର ଗୃହରୁ ମୁଁ ଦେଶବାସୀଙ୍କୁ କହିବାକୁ ଚାହେଁ ଯେ 1977 ମସିହା ପରେ ପ୍ରଥମ ଥର ପାଇଁ ଇଭିଏମ ସଂପର୍କରେ ଆଲୋଚନା ଆରମ୍ଭ ହୋଇଛି । ସେତେବେଳେ ଆମେ ରାଜନୀତିରେ କେଉଁଠି ହେଲେ ନଥିଲୁ । 1982 ମସିହାରେ ପ୍ରଥମ ଥର ପାଇଁ ଇଭିଏମ ମେସିନ ନିର୍ବାଚନରେ ବ୍ୟବହୃତ ହୋଇଥିଲା । 1988 ବେଳେ ବି ଆମେ କେଉଁଠି ନଥିଲୁ । ସେତେବେଳେ ଏହି ଗୃହର ସଦସ୍ୟଗଣ ଏହାକୁ ଆଇନ ସମ୍ମତ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ । ସେମାନେ ଏଥିପାଇଁ ଆଇନ ପ୍ରଣୟନ କରିଥିଲେ । ଅଧିକନ୍ତୁ, 1992 ମସିହାରେ କଂଗ୍ରେସ ନେତୃତ୍ୱରେ ହିଁ ଇଭିଏମ ସଂପର୍କୀତ ସମସ୍ତ ପ୍ରକାର ଆଇନକାନୁନ ପ୍ରଣୟନ କରାଯାଇଥିଲା । ସେମାନେ ଯେମିତି ସଦାବେଳେ କହନ୍ତି- ଆମେ ଏକଥା କରିଥିଲୁ, ଆମେ ସେକଥା କରିଥିଲୁ…ଆପଣମାନେ ଏ ବ୍ୟବସ୍ଥା ବି କରିଥିଲେ । ଏବେ ଆପଣମାନେ ନିର୍ବାଚନ ହାରିଛନ୍ତି । ସେଇଥିପାଇଁ ଆପଣମାନେ ଏବେ ରୋଦନ କରୁଛନ୍ତି ।

ଏପର୍ଯ୍ୟନ୍ତ ଦେଶରେ ପ୍ରାୟ 113ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏବଂ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ରାଜନୈତିକ ଦଳ ନିର୍ବାଚନରେ ଜିଣି କ୍ଷମତାକୁ ଆସିବାର ସୁଯୋଗ ପାଇଛନ୍ତି ଏବଂ ତାହା ସମ୍ଭବପର ହୋଇଛି ସେହି ଇଭିଏମ ଦ୍ୱାରା । ଲୋକସଭା ପାଇଁ ମଧ୍ୟ ଚାରିଟି ସାଧାରଣ ନିର୍ବାଚନ ଅନୁଷ୍ଠି ହୋଇସାରିଛି । ଏପରିକି ସେହିସବୁ ସାଧାରଣ ନିର୍ବାଚନରେ ଜନସାଧାରଣଙ୍କ ଦ୍ୱାରା ରାଜନୈତିକ ଦଳମାନେ କ୍ଷମତା କୁର୍ସିରେ ପରିବର୍ତ୍ତିତ ହୋଇଥିଲେ ଓ ଭିନ୍ନ ଭିନ୍ନ ଦଳ ଓ ବ୍ୟକ୍ତି କ୍ଷମତାକୁ ଆସିଥିଲେ । କିନ୍ତୁ ଆଜି ଯେତେବେଳେ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା ସେତେବେଳେ ଇଭିଏମ ଉପରେ ଦୋଷ ଲଦି ଦିଆଗଲା । 2001 ମସିହା ପରେ ଇଭିଏମ ବ୍ୟବହାର ପ୍ରସଙ୍ଗକୁ ନେଇ ବିଭିନ୍ନ ହାଇକୋର୍ଟରେ ଏବଂ ସୁପ୍ରିମ କୋର୍ଟରେ ଅନେକ ମାମଲା ଲଢ଼ାଯାଇଛି । ସେହିସବୁ ଅଭିଯୋଗ ଜନିତ ମାମଲାର ତର୍ଜମା କରାଯାଇସାରିବା ପରେ ସମସ୍ତ ରାଷ୍ଟ୍ରର ନ୍ୟାୟପାଳିକା ଇଭିଏମ ସପକ୍ଷରେ ହିଁ ସେମାନଙ୍କର ରାୟ ଶୁଣାଇଛନ୍ତି ।

2017 ମସିହାରେ, ଇଭିଏମକୁ ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ସେତେବେଳେ ନିର୍ବାଚନ ଆୟୋଗ ଆଗକୁ ଆଗେଇ ଆସିଥିଲେ ଓ ଅଭିଯୋଗକାରୀଙ୍କୁ ଚାଲେଞ୍ଜ କରିଥିଲେ ଯେ ଯେଉଁମାନେ ଏହାର ନିରପେକ୍ଷତାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି ସେମାନେ ଏହାକୁ ଭୁଲ ବୋଲି ସର୍ବସମକ୍ଷରେ ପ୍ରମାଣିତ କରିଦେଖାନ୍ତୁ । ଯେଉଁ ରାଜନୈତିକ ଦଳମାନେ ଏହା ବିରୋଧରେ ଏତେ ଚିତ୍କାର କରୁଥିଲେ ସେମାନଙ୍କ ଭିତରୁ କୌଣସି ଗୋଟିଏ ହେଲେ ଦଳ ନିର୍ବାଚନ ଆୟୋଗର ସାମ୍ନା କରିନଥିଲେ । ଏନସିପି ଏବଂ ସିପିଆଇ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ ସତ କିନ୍ତୁ ସେମାନେ ଇଭିଏମର ନିରପେକ୍ଷତାକୁ ନେଇ ପ୍ରଶ୍ନ କରିନଥିଲେ । ସେମାନେ କେବଳ ଜାଣିବାକୁ ଚାହିଁଥିଲେ ଇଭିଏମ କିଭଳି କାର୍ଯ୍ୟକରୁଛି । ଅନ୍ତତଃପକ୍ଷେ ଏନସିପି ଓ ସିପିଆଇ ତ ନିର୍ବାଚନ ଆୟୋଗଙ୍କ ପାଖକୁ ଯାଇଥିଲେ । ଅନ୍ୟ ଯେଉଁମାନେ ଏଥିନେଇ ସନ୍ଦେହ ପ୍ରକଟ କରୁଥିଲେ ସେମାନେ ନିର୍ବାଚନ ଆୟୋଗଙ୍କ ଆମନ୍ତ୍ରଣ ପରେ ସୁଦ୍ଧା ତାଙ୍କ ନିକଟକୁ ଯାଇନଥିଲେ ।

ଯେତେବେଳେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଇଭିଏମ ସଂପର୍କରେ ହୋହଲ୍ଲା ଆରମ୍ଭ କରିଥିଲେ, ସେତେବେଳେ ଆମର କିଛି ଲୋକ ମଧ୍ୟ ଏହାକୁ ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ ଇଭିଏମକୁ ନେଇ କିଛି ଗୋଟିଏ ପ୍ରସଙ୍ଗ ରହିଛି । ଏପରିକି ଆମ ଦଳର କିଛି ଲୋକ ବି ଏହାକୁ ନେଇ ପ୍ରଶ୍ନ କରିଥିଲେ । କିନ୍ତୁ ଆମେ ଏହା ପଛର ସତ୍ୟକୁ ଜାଣିବାକୁ ଚାହିଁଥିଲୁ । ଆମେ ବି ଏହା ପଛର ପ୍ରଯୁକ୍ତିକୁ ବୁଝିବାକୁ ଚାହିଁଥିଲୁ ଓ ସତ୍ୟ ପଥରେ ଆଗକୁ ଅଗ୍ରସର ହୋଇଥିଲୁ ।

ଅଧ୍ୟକ୍ଷ ମହୋଦୟ,

ତାପରେ ଭିଭିପାଟ ବ୍ୟବସ୍ଥା ଆରମ୍ଭ ହେଲା । କିଛି ଲୋକ ଏହା ବିରୋଧରେ ବି ବାରମ୍ବାର ସୁପ୍ରିମକୋର୍ଟ ଗଲେ ଓ ନିର୍ବାଚନ ବ୍ୟବସ୍ଥାକୁ ବାଟବଣା କରିବାକୁ ଚେଷ୍ଟା କଲେ । ପ୍ରତିଦିନ ସନ୍ଧ୍ୟାରେ ସେମାନେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବାକୁ ଆରମ୍ଭ କଲେ । ଗଳା ଫଟାଇ ଚିତ୍କାର କଲେ ଓ ଗଣମାଧ୍ୟମରେ ସେମାନଙ୍କୁ କିଛି ହେଡ଼ଲାଇନ ମିଳିଲା । ଭୋଟରମାନଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ । ଭିଭିପାଟର କଣ ହେଲା? ଏତେ ପ୍ରକାର ଦୁଶ୍ଚିନ୍ତା ପରେ , ଭିଭିପାଟ ପୁଣି ଥରେ ଇଭିଏମର ବଳକୁ ବୃଦ୍ଧିକଲା ଏବଂ ଫଳାଫଳ ଆଜି ଆପଣମାନଙ୍କ ସାମ୍ନାରେ ରହିଛି ।

କଂଗ୍ରେସ ଦଳର ରବୟା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ତେଣୁ ମୋତେ ଆଜି କହିବାକୁ ପଡ଼ୁଛି ଯେ ଆପଣମାନେ ଏତେ ବର୍ଷ ଧରି ଶାସନ କରି ଆସୁଥିଲେ । ଦେଶର ମୁଖ୍ୟ ରାଜନୈତିକ ଦଳ ଭାବେ ଆପଣମାନେ ଏତେ ଦୀର୍ଘ ବର୍ଷ ଧରି ରହି ଆସିଥିଲେ । ଆଜି ଅଭିଜ୍ଞତାରୁ ମୁଁ କହୁଛି ଯେ ଆପଣମାନଙ୍କ ଭିତରେ କିଛି ସମସ୍ୟା ରହିଛି ଯେଉଁଥିରେ ଆପଣମାନେ ବିଜୟକୁ ସୁଦ୍ଧା ଗ୍ରହଣ କରିପାରୁନାହାନ୍ତି । ସ୍ୱାଧୀନତା ପରେ ଆପଣମାନେ ଏତେ ଏତେ ନିର୍ବାଚନରେ ବିଜୟୀ ହୋଇଛନ୍ତି ଏବଂ 2014 ଠାରୁ, ମୁଁ ନିରବଚ୍ଛିନ୍ନ ଭାବେ ଲକ୍ଷ୍ୟ କରିଆସୁଛି ଯେ ଆପଣମାନେ ପରାଜୟକୁ ମଧ୍ୟ ଗ୍ରହଣ କରିପାରୁନାହାନ୍ତି । ମୁଁ ଭାବୁନାହିଁ ଯେ ଏହା ଏକ ସୁସ୍ଥ ବିକାଶ ମାନସିକତା । ଗଣତାନ୍ତ୍ରିକ ବ୍ୟବସ୍ଥାରେ, ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ସ୍ଥିତି ରହିଛି, ପ୍ରାଧାନ୍ୟ ରହିଛି ଏବଂ ମର୍ଯ୍ୟାଦା ରହିଛି । କିନ୍ତୁ ଆମେ ଆମର ପରାଜୟକୁ ଗ୍ରହଣ କରିପାରୁନାହୁଁ କିମ୍ବା ବିଜୟକୁ ମଧ୍ୟ ଆପଣାଇ ପାରୁନାହୁଁ । 1952 ମସିହା ଠାରୁ ନିର୍ବାଚନ ପ୍ରକ୍ରିୟାରେ ନିରବଚ୍ଛିନ୍ନ ଭାବେ ସଂସ୍କାର ଘଟିଚାଲିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ଭଳି ଭାବେ ଏଥିରେ ସଂସ୍କାର ଜାରି ରହିବ ।

ମୋର ବିଶ୍ୱାସ ଯେ ଏ ସଂପର୍କରେ ଆଲୋଚନା ଜାରି ରହିବା ଦରକାର ଏବଂ ଖୋଲା ମନୋଭାବ ନେଇ ଏଥିନେଇ ଆଲୋଚନା କରାଯିବା ଉଚିତ । ଏଥିପାଇଁ ମନକୁ ରୁଦ୍ଧଦ୍ୱାର କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ  ଗୋଟିଏ ରାଷ୍ଟ୍ରକୁ, ଗୋଟିଏ ନିର୍ବାଚନକୁ ଆମେ ଠିକ୍‌ ବୋଲି ପସନ୍ଦ କରୁନାହୁଁ ବୋଲି କହିବା ପୂର୍ବରୁ ଭାଇମାନେ, ପ୍ରଥମେ ତାହା ଉପରେ ଆଲୋଚନା ତ କର । ମୁଁ ବ୍ୟକ୍ତିଗତ ଭାବେ ଅନେକ ସାଂସଦଙ୍କୁ ଭେଟିଛି ଏବଂ ସେମାନେ ସମସ୍ତେ କହିଛନ୍ତି ଏଭଳି ଋଗୁଣ ମାନସିକତାର ଅନ୍ତ ଘଟାଇବାକୁ ଚାହାନ୍ତି । ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହେବା ଉଚିତ । ନିର୍ବାଚନ ମହୋତ୍ସବ ଦୁଇମାସ ଧରି ଚାଲୁଛି ଏବଂ ଏଥିରେ ସମସ୍ତେ ସ୍ୱାଭାବିକ ଭାବେ ନିୟୋଜିତ ରହୁଛନ୍ତି । ସମସ୍ତେ ସେହି କଥା କହୁଛନ୍ତି । ହୁଏତ ସର୍ବ ସମକ୍ଷରେ ଏହି ପରିପ୍ରେକ୍ଷୀରେ କୋଣସି ଗୋଟିଏ ମତ ପୋଷଣ କରିବା କଠିନ କାର୍ଯ୍ୟ ହୋଇପାରେ । ଏହା କଣ ସମୟର ଆବଶ୍ୟକତା ନୁହେଁ ଯେ ଦେଶରେ ଗୋଟିଏ ମାତ୍ର ଭୋଟର ତାଲିକା କରାଯିବା ଉଚିତ? ଦୁର୍ଭାଗ୍ୟର କଥା ଯେ ଆଜି ଦେଶରେ ନା ନା ପ୍ରକାର ଭୋଟର ତାଲିକା ରହିଛି ଯେମିତିକି ଅନେକ ନିର୍ବାଚନ । ସେଥିରେ ଦେଶବାସୀଙ୍କର ପ୍ରଚୁର ଟଙ୍କା  ଓ ସମୟ ବ୍ୟୟ ହେଉଛି ।

ରାଜ୍ୟମାନେ ଓ କେନ୍ଦ୍ର ଉଭୟ ମିଶି ଏଭଳି ଏକ ଆଇନ ପ୍ରଣୟନ କରିବା ଦରକାର ଯଦ୍ୱାରା କେବଳ ଗୋଟିଏ ଭୋଟର ତାଲିକା ରହିବ ଯାହା ସବୁ ନିର୍ବାଚନ ପାଇଁ ପ୍ରଯୁଜ୍ୟ ହେବ । ତାହା ପଞ୍ଚାୟତ ସ୍ତରରୁ ପ୍ରସ୍ତୁତ କରାଯିବ ଯାହା ଫଳରେ କୌଣସି ଜଣେ ହେଲେ ମତଦାତା ସେଥିରୁ ବାଦ୍‌ ପଡ଼ିବେନାହିଁ ।  କାରଣ ପ୍ରତ୍ୟେକ ଭୋଟ୍‌ର ନିଜସ୍ୱ ମୂଲ୍ୟ ରହିଛି । ହୁଏତ ମାତ୍ର 30 କି 40ଟି ଭୋଟରେ ଜଣେ ପ୍ରାର୍ଥୀ ନିର୍ବାଚନ ଜିଣି ପାରନ୍ତି କିମ୍ବା ହାରି ପାରନ୍ତି ।  ସେହିଭଳି ମତଦାନ କେନ୍ଦ୍ରରେ ଭୋଟରମାନଙ୍କୁ ଚିହ୍ନଟ କରାଯିବ ଯଦ୍ୱାରା ତାଙ୍କୁ ଭୋଟଗ୍ରହଣ ଦିନ ଆଉ ନିଜ ନାମକୁ ଭୋଟର ତାଲିକାରେ ଖୋଜିବାକୁ ପଡ଼ିବନାହିଁ । ତେଣୁ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଘଟାଯିବା ବାଧ୍ୟତାମୂଳକ । ଏଭଳି ସଂସ୍କାର ପ୍ରକ୍ରିୟା ଜାରି ରହିବ ।

ପୂର୍ବରୁ ଆମ ଦେଶରେ ଗୋଟିଏ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ବ୍ୟବସ୍ଥା ଥିଲା ଏବଂ ସେଥିରୁ ଆପଣମାନେ ସଭିଏଁ ଉପକାର ପାଇଛନ୍ତି । କିଛି ଲୋକ ଯୁକ୍ତି ଦର୍ଶାନ୍ତି ଯେଉଁଥିରେ କୌଣସି ତର୍କସିଦ୍ଧତା ହିଁ ନାହିଁ । ସେମାନେ କହନ୍ତି ମତଦାତାମାନେ କେମିତି ଏକାଠି ମତଦାନ ନିଷ୍ପତ୍ତି ଗ୍ରହଣ କରିବେ? ଓଡ଼ିଶା ଏହାର ସବୁଠାରୁ ବଡ଼ ଉଦାହରଣ । ଓଡ଼ିଶାରେ ସବୁଠାରୁ ଅଧିକ ଗ୍ରାମାଞ୍ଚଳ ରହିଛି । ଓଡ଼ିଶା ବି ସେମିତି ଉନ୍ନତ ରାଜ୍ୟ ନୁହେଁ । ଏହା ଏପରି ଏକ ରାଜ୍ୟ ଯାହାକୁ ଅନ୍ୟ ରାଜ୍ୟମାନଙ୍କ ସହ ମିଶି ବିକାଶ ପ୍ରକ୍ରିୟାରେ ଆଗକୁ ଆଗେଇବା ଲାଗି କଠିନ କାର୍ଯ୍ୟ କରିବାର ଅଛି । ସେଠାରେ କିନ୍ତୁ ମତଦାତାମାନେ ଏକାସଙ୍ଗେ ଦୁଇଟି ଭିନ୍ନ ଭିନ୍ନ ଭୋଟଦାନ କରିଛନ୍ତି- ଗୋଟିଏ ଲୋକସଭା ପାଇଁ ଏବଂ ଅନ୍ୟଟି ବିଧାନସଭା ପାଇଁ । ଏହାର ଅର୍ଥ ଆମର ମତଦାତାମାନେ ଏକା ସଙ୍ଗେ ଦୁଇଟି ନିର୍ବାଚନ ପାଇଁ ମତଦାନ କରିବା ପାଇଁ ସକ୍ଷମ । ସେମାନଙ୍କର ନିଜସ୍ୱ ବିଚାରବୋଧ ଓ ବିବେକ ରହିଛି । ସେଠାରେ ଏପରି କିଛି କ୍ଷେତ୍ର ରହିଛି ଯେଉଁଠି ସବୁ ବିଧାନସଭା ଆସନ ବିଜେଡ଼ି ସପକ୍ଷରେ ଯାଇଛି ଏବଂ ସେମାନେ ଲୋକସଭା ଆସନ ପାଇଁ ବିଜେପିକୁ ଭୋଟ ଦେଇଛନ୍ତି । ଆମ ମତଦାତାମାନଙ୍କର ସେପରି ପରିପକ୍ୱତା ଅଛି । ସେପରି ନକରି ଆମେ ସେମାନଙ୍କୁ ଅପମାନିତ କରୁଛେ ।

ଅପବାଦ ସୃଷ୍ଟି କରାଯାଉଛି ଯେ ଯଦି ଏକାସଙ୍ଗେ ନିର୍ବାଚନ କରାଯାଏ ତେବେ ଆଞ୍ଚଳିକ ଦଳମାନେ ମୂଳପୋଛ ହୋଇଯିବେ । ଯେଉଁଠାରେ ବି ଏକାସଙ୍ଗେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି ସେହି ସମସ୍ତ କ୍ଷେତ୍ରରେ କ୍ଷେତ୍ରୀୟ ଦଳମାନେ ହିଁ କ୍ଷମତାକୁ ଆସିଛନ୍ତି । ଆପଣମାନେ ଇତିହାସ ପୃଷ୍ଠା ଓଲଟାଇ ତାହା ପରଖି ପାରନ୍ତି । କ୍ଷେତ୍ରୀୟ ଦଳ ଆନ୍ଧ୍ର ପ୍ରଦେଶରେ କ୍ଷମତାକୁ ଆସିଛି ଏବଂ ଓଡ଼ିଶାରେ ତାହା ହିଁ ହୋଇଛି । ଦେଶର ମତଦାତାଙ୍କ ଜ୍ଞାନ ଉପରେ କେହି ସନ୍ଦେହ ପ୍ରକଟ କରନ୍ତୁ ନାହିଁ । ପ୍ରତ୍ୟେକ ପ୍ରୟାସକୁ ସ୍ୱାଗତ କରାଯିବା ଉଚିତ । ଆମେ ଆମର ପ୍ରତ୍ୟେକ ପ୍ରୟାସରେ ନିଜ ନିଜର ଭୂମିକା ଗ୍ରହଣ କରିବାର ଅଛି । କିନ୍ତୁ ଆମେ ଯଦି ପ୍ରାରମ୍ଭରୁ ଆମର ଦ୍ୱାରକୁ ବନ୍ଦ୍‌ କରିଦେବା, ତାହେଲେ ଆମେ ପରିବର୍ତ୍ତନ ଆଣିବା କିପରି? ମୋ ମତରେ ଆମେ ମତଦାତାମାନଙ୍କ ବିବେକ ଉପରେ ସନ୍ଦେହ କରିବା ଅନୁଚିତ ।

ବେଳେବେଳେ ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ସେମାନେ କେବଳ ଇଭିଏମକୁ ବିରୋଧ କରୁଥିଲେ କି? ନା । ମୁଁ ଭାବୁଛି ଆମେ କାୟ ମନୋବାକ୍ୟରେ ବିରୋଧୀ ଦଳଶବ୍ଦକୁ ଗ୍ରହଣ କରିଛେ । ବିରୋଧୀ ଦଳର କାର୍ଯ୍ୟ ହେଲା ବିରୋଧ କରିବା । ମୋର ମନେଅଛି ମୁଁ ଏହି ଗୃହରେ ବସିଥିଲି ଏବଂ ବିଜ୍ଞବ୍ୟକ୍ତିମାନେ ସେମାନଙ୍କର ଅଭିଭାଷଣ ଦେଇ ଚାଲିଥିଲେ । ସେମାନେ ସମସ୍ତେ ବଡ଼ ବଡ଼ ଚିନ୍ତାଶୀଳ ବ୍ୟକ୍ତି । କାରଣ ଯେତେବେଳେ ଭଗବାନ ଜ୍ଞାନ ବିତରଣ କରିବାକୁ ଲାଗିଲେ, ସେତେବେଳେ ସେମାନେ ଆଗ ଧାଡ଼ିରେ ଠିଆ ହୋଇଥିଲେ । ସେହିଭଳି ବ୍ୟକ୍ତିମାନେ ଏଠାରେ ଉପବେଶନ କରିଛନ୍ତି । ଗୃହର ସେହିଭଳି ବିଜ୍ଞ ସଦସ୍ୟମାନେ କହୁଥିଲେ ଯେ ଏ ଦେଶରେ ଡ଼ିଜିଟାଲ କାରବାର ଏ ଦେଶରେ ସମ୍ଭବପର ହୋଇପାରିବ ନାହିଁ । ଗରିବ ଲୋକମାନେ କିଭଳି ଡ଼ିଜିଟାଲ କାରବାର କରିପାରିବେ?  ସେମାନେ ମୋବାଇଲ ଫୋନ୍‌ କେମତି ଧରିପାରିବେ? ଏହିଭଳି ସେମାନେ ଅନେକ ଅନେକ ଭାଷଣ ଦେଇଥିଲେ । ମୁଁ ସେମାନଙ୍କ ଭାଷଣ ଶୁଣି  ଆଶ୍ଚର୍ଯ୍ୟ ହେଉଥିଲି । ଆମେ ସେମାନଙ୍କୁ ବିରୋଧ କରିଥିଲୁ ।

କିଛି ସଦସ୍ୟ ଆଧାରକୁ ବି ବିରୋଧ କରୁଥିଲେ । ଯେତେବେଳେ ଆପଣମାନେ କ୍ଷମତାରେ ଥିଲେ, ସେତେବେଳେ ଆଧାର ବ୍ୟବସ୍ଥା ଭଲ ଥିଲା । ଆମେ ଯେତେବେଳେ ଆଧାର ମାଧ୍ୟମରେ ଦୁର୍ନୀତିକୁ କମ୍‌ କରିବାକୁ ଚେଷ୍ଟାକଲୁ, ସେତେବେଳେ ଏହା ଏକ ସମସ୍ୟାରେ ପରିଣତ ହୋଇଗଲା ।  ସେମାନେ ସୁପ୍ରିମ କୋର୍ଟକୁ ଯାଇ ଆଧାରକୁ ବନ୍ଦ୍‌ କରିବାକୁ ଚାହିଁଲେ  ଆମକୁ ଯଦି ଏକ ଆଧୁନିକ ଭାରତ ଗଠନ କରିବାର ଅଛିଏକ ନୂତନ ଭାରତ ନିର୍ମାଣ କରିବାର ଅଛି, ତେବେ ଆମେ କଣ ପ୍ରଯୁକ୍ତି ଠାରୁ ଦୂରେଇ ରହିପାରିବା? ନିରାପତ୍ତା ହିଁ ହେଉଛି ପ୍ରଯୁକ୍ତିର ଆବଶ୍ୟକତା । ତେଣୁ ସେପରି ସାଧନ ଠାରୁ କଣ ଆମେ ଦୂରେଇ ରହିପାରିବା?

ଜିଏସଟି, ଇଭିଏମ, ଡ଼ିଜିଟାଲ ଭି-ମ୍ୟାପ୍‌, ସବୁ କଥାକୁ ବିରୋଧ କରାଗଲା । ସବୁକଥାରେ ନକାରାତ୍ମକ ମନୋଭାବ! ବିଗତ ପାଞ୍ଚ ବର୍ଷ ଭିତରେ ରାଜ୍ୟସଭାରେ ଯେଉଁସବୁ ଦଳମାନେ ସରକାରଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି, ସେମାନଙ୍କୁ ଦେଶର ମତଦାତାମାନେ ଦଣ୍ଡିତ କରିଛନ୍ତି । ଆଜି ରାଜ୍ୟ ସଭାର ସମସ୍ତ କାର୍ଯ୍ୟକୁ ମତଦାତାମାନେ ଭଲଭାବେ ପରଖିଛନ୍ତି ଏବଂ ଯେତେବେଳେ ସେମାନେ ମତଦାନ କରିଛନ୍ତି ସେମାନେ ଲୋକସଭା ଓ ରାଜ୍ୟସଭାରେ ସବୁ ରାଜନୈତିକ ଦଳର କାର୍ଯ୍ୟକୁ ବିଚାର କରି ମଦତାନ କରିଛନ୍ତି । ଏହି ନିର୍ବାଚନରେ ସେ କଥା ଭଲଭାବେ ଲକ୍ଷ୍ୟ କରାଯାଇଛି । ଆଗାମୀ ପାଞ୍ଚବର୍ଷ ପାଇଁ ଏହି ମହାନ ଶିକ୍ଷା ଆମକୁ ଶିଖିବାକୁ ପଡ଼ିବ । ଆମକୁ ସମସ୍ତଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ ଏବଂ ରାଜ୍ୟସଭାରେ ନିର୍ବାଚିତ ସରକାରଙ୍କୁ କେଉଁଠାରେ ଆମେ ବିରୋଧ କରୁଛୁ ତାହା ଚିନ୍ତା କରିବାକୁ ପଡ଼ିବ ।

ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ନୂତନ ଭାରତକୁ ବିରୋଧ କରାଯାଉଛି । ଏହାର କାରଣ କଣ ହୋଇପାରେ? ଆପଣମାନେ କହିଲେ ଯେ ଆପଣମାନଙ୍କର ପାଞ୍ଚଟି ପଏଣ୍ଟ ଠିକ୍‌ ଏବଂ ଅବଶିଷ୍ଟ ଭୁଲ୍‌ । କେହି କେହି କହିପାରନ୍ତି ଯେ ନୂତନ ଭାରତର ପରିକଳ୍ପନା ହେଉଛି ଭାରତକୁ ବିକଶିତ କରିବା । କିନ୍ତୁ ଆମେରିକା ତ ଏପରି କରିନାହିଁ କିମ୍ବା ଅନ୍ୟ କୌଣସି ରାଷ୍ଟ୍ର ଏପରି କରିନାହାନ୍ତି? ତେଣୁ ଆମେ ଏପରି କରିବା ଉଚିତ ନୁହେଁ । ଅନ୍ୟମାନେ କଣ କରୁଛନ୍ତି ସେକଥା ଛାଡ଼ । ଆମ ଦେଶର ଇତିହାସ ହେଲଳ 5000 ବର୍ଷର ପୁରୁଣା । ଆମର ଏକ ମହାନ ପରମ୍ପରା ଓ ମୂଲ୍ୟବୋଧ ରହିଛି । ତେଣୁ ଅନ୍ୟ କିଏ କଣ କଲା ନକଲା ସେକଥାକୁ ଆମକୁ ପରିତ୍ୟାଗ କରିବାକୁ ପଡ଼ିବ । ଆମକୁ ଦୁନିଆ ସାମ୍ନାରେ ଏକ ଉଦାହରଣ ରଖିବାକୁ ହେବ ।

ଦେଶର 125 କୋଟି ଜନତା କାହିଁକି ବିରାଟ ସ୍ୱପ୍ନ ଦେଖିବେ ନାହିଁ? ଆମେ କହିପାରିବା ଯେ ଦଶଟି ପଏଣ୍ଟ ଠିକ୍‌ ନୁହେଁ, କିନ୍ତୁ ଅନ୍ତତଃ ପାଞ୍ଚଟି ପଏଣ୍ଟ ତ ଠିକ୍‌ ଅଛି । ତେଣୁ ଆମକୁ ସେଇ ପାଞ୍ଚଟି ପଏଣ୍ଟ ଲାଗି ପ୍ରୟାସ କରିବାକୁ ପଡ଼ିବ । ଦେଶର ଜନତାଙ୍କୁ  ଦଣ୍ଡିତ କରିବା ଭଳି ପାପ କରାନଯାଉ । ସେଥିରେ ପରିବର୍ତ୍ତନ ଘଟାଯାଉ । କିନ୍ତୁ ଆମକୁ କଣ ପୁରାପୁରି ପ୍ରାଚୀନ ଭାରତ ଦରକାର ବୋଲି କହିବା ଆବଶ୍ୟକଆମକୁ କଣ ସେହି ପ୍ରାଚୀନ ଭାରତ ଦରକାର କ୍ୟାବିନେଟ ନିଷ୍ପତ୍ତିକୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଭିତରେ ସୀମିତ ରଖିବା ଦରକାର? ଆମକୁ କଣ ସେହି ପୁରୁଣା ଭାରତ ଦରକାର ଯେଉଁଠି ଭାରତୀୟ ନୌସେନା କେବଳ ଟୁର କରିବ? ଆମକୁ କଣ ସେଇ ପୁରୁଣା ଭାରତ ଦରକାର ଯେଉଁଠି ଆମେ ନୌସେନା, ସ୍ଥଳସେନା, ବାୟୁସେନାରେ ଦୁର୍ନୀତି ହୋଇଥିବା କଥା ଶୁଣି ଶୁଣି ହାଲିଆ ଲାଗିବ କିମ୍ବା  ସେଇ ଛୋଟ ଛୋଟ ଗ୍ୟାଙ୍ଗକୁ ସମର୍ଥନ କରୁଥିବା କଥା ଆମେ ଶୁଣି ଚାଲିଥିବା? ଆମର ସେଭଳି ଭାରତ ଦରକାର କି?

ଆମକୁ କଣ ସେଭଳି ଏକ ପୁରୁଣା ଭାରତ ଦରକାର ଯେଉଁଠି ଆମକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆହୋଇ ରେଳ ଟିକଟ ରିଜର୍ଭ କରିବାକୁ କିମ୍ବା ମିଡ଼ଲମ୍ୟାନଙ୍କ ବ୍ୟତୀତ ଟିକଟ ରିଜର୍ଭ ହୋଇପାରିବ ନାହିଁ? ଆମେ ସେଇ ପୁରୁଣା ଭାରତକୁ ଆଶା କରିବା ଯେଉଁଠି ଆମକୁ ସାଂସଦମାନଙ୍କ ଘର ଆଗରେ ଗ୍ୟାସ ସଂଯୋଗ ପାଇଁ ଧାଡ଼ିବାନ୍ଧି ଠିଆ ହେବାକୁ ପଡ଼ୁଥିଲା କିମ୍ବା ପାସପୋର୍ଟ ଲାଗି ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା? ଆମର ସେଭଳି ପୁରୁଣା ଭାରତ ଦରକାର କି ଯେଉଁଠି ଇନ୍ସପେକ୍ଟର ରାଜ ଚାଲିଥିଲା କିମ୍ବା ସେଇ ଭାରତ ଯେଉଁଠି ପିଅନ, ଡ଼୍ରାଇଭର, ୱାଚମ୍ୟାନମାନଙ୍କ ସକାଶେ ସାକ୍ଷାତକାର ଦେବାକୁ ପଡ଼ୁଥିଲା ଓ ସାକ୍ଷାତକାର ନାଁରେ ଦୁର୍ନୀତି ଚାଲୁଥିଲା? ମୁଁ ଆଶ୍ଚର୍ଯ୍ୟ ହେଉଛି  । ଏ ଦେଶର ନାଗରିକମାନେ କଦାପି ସେହି ପ୍ରାଚୀନ ଭାରତକୁ ଲେଉଟି ଯିବାକୁ ଚାହାନ୍ତିନାହିଁ । ସେମାନେ ସେମାନଙ୍କର ସେହି ସ୍ୱପ୍ନର ନୂତନ ଭାରତ ପାଇଁ ଅପେକ୍ଷାରତ । ଦେଶର ପ୍ରତ୍ୟେକ ନାଗରିକଙ୍କ ସେହି ସ୍ୱପ୍ନକୁ ସାକାର କରିବା ସକାଶେ ଆମକୁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ପଡ଼ିବ । ସେପରି କରିବା ସକାଶେ ମୁଁ ସଂପୂର୍ଣ୍ଣ ଆସ୍ଥାବାନ ।  ଏ ଦିଗରେ ଆମେ ପ୍ରୟାସ ଆରମ୍ଭ କରିବା ଉଚିତ ।

ପୂର୍ବରୁ ପ୍ରଦୀପ ପ୍ରଜ୍ୱଳନ, ଫିତା କଟା ଓ ଯୋଜନାମାନ ଘୋଷଣା କରାଯିବାକୁ ସରକାରଙ୍କ କାର୍ଯ୍ୟ ବୋଲି ଧରାଯାଉଥିଲା । ଶେଷତମ ଲକ୍ଷ୍ୟସ୍ଥଳରେ ଯୋଜନାର ସୁଫଳ ପହଞ୍ଚାଇବା, ସରକାରଙ୍କ ଦାୟିତ୍ୱ ବୋଲି ଚିନ୍ତା କରାଯାଉନଥିଲା । ସେଭଳି ସଂସ୍କୃତିକୁ ଆମେ ବଦଳାଇ ଦେଇଛୁ । ଆମେ ଏ ଦିଗରେ ନୀତିରେ ମଧ୍ୟ ପରିବର୍ତ୍ତନ ଘଟାଇଛୁ । ଆମେ ଆମ କାର୍ଯ୍ୟଯୋଜନାରେ ମଧ୍ୟ ପରିବର୍ତ୍ତନ ଆଣିଛୁ । ଆମେ କାର୍ଯ୍ୟସଂସ୍କୃତିର ମାନସିକତା ଓ ଚିନ୍ତାଧାରାକୁ ବଦଳାଇଛୁ । ଫଳ ହେଲା ଯେ… ଏବେ ଏଠାରେ ଆମେ ଯାହା କହିଲୁ, ଆମେ କରି ଦେଖାଇଲୁ, ପୂର୍ବରୁ ମଧ୍ୟ ଗରିବ ଲୋକମାନଙ୍କ ସକାଶେ ବାସଗୃହ ନିର୍ମାଣ କରାଯାଇଥିଲା- ୟୁପିଏ ସରକାରଙ୍କ ଅମଳରେ ତାହା କରାଯାଇ ନଥିଲା କି? ସେଭଳି ବାସଗୃହ ନିର୍ମାଣ କରାଯାଇଥିଲା । ଆପଣମାନେ ପଚାରି ପାରନ୍ତି ଆମେ ଏଥିରେ କଣ ନୂଆ କଥା କଲୁ? ନୂଆ କଥାଟି ହେଲା ଏଇଆ ଯେ- ଆପଣମାନେ 5 ବର୍ଷରେ 25 ଲକ୍ଷ ବାସଗୃହ ନିର୍ମାଣ କରିଥିଲେ ଯଦ୍ୟପି ଆମେ 5 ବର୍ଷ ଭିତରେ 1.5 କୋଟି ବାସଗୃହ ନିର୍ମାଣ କରିଛୁ, ଏଇ ହେଲା ପରିବର୍ତ୍ତନ ।

ସେଇଥିପାଇଁ ମୁଁ ଭାବୁଛି ଯେ ଆମେ ଏକ ନୂତନ ବାତାବରଣ ସୃଷ୍ଟି କରିପାରିଛୁ । ସରକାରୀକରଣ ବାହାରକୁ ଯାଇ ଆମେ ସରଳୀକରଣ ଉପରେ ପ୍ରାଧାନ୍ୟ ଆରୋପ କରିଛୁ । ଆମେ ଦେଖିଛୁ ଯେ ଅଭାବ, ପ୍ରଭାବ ଓ ଚାପ ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ କିଭଳି ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ଏପରିକି ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ସୁଦ୍ଧା । ପୂର୍ବର ସରକାର ଏଭଳି କିଛି କାର୍ଯ୍ୟ କରିଥିଲେ ଯଦ୍ୱାରା କିଛି ଲୋକଙ୍କ ଅଭାବ ଭିତରେ ଜୀବନ ବିତାଇବାକୁ ପଡ଼ୁଥିଲା, କିଛି ଲୋକ ପ୍ରଭାବ ଯୋଗୁ ହତୋତ୍ସାହିତ ଅନୁଭବ କରୁଥିଲେ ଏବଂ କିଛି ଲୋକଙ୍କୁ ଚାପଗ୍ରସ୍ତ ହୋଇ ରହିବା ଓ ଚାଲିବାକୁ ହେଉଥିଲା ।

ଦେଶର ସୁସ୍ଥ ବିକାଶ ସକାଶେ ସରକାରଙ୍କ ନିଶ୍ଚିତ ଭାବେ ଚିନ୍ତା କରିବା ଦରକାର ଏବଂ ଏ ଦିଗରେ ଥିବା ଅଭାବ ଅସୁବିଧାକୁ ଦୂର କରିବା ଲାଗି ସରକାର ପ୍ରୟାସ କରିବା ଉଚିତ । ସାଧାରଣ ଜନତାଙ୍କୁ ପ୍ରଭାବ କି ଚାପ ଦ୍ୱାରା ପେଶିହୋଇ ଜୀବନ ଅତିବାହିତ କରିବାକୁ ଯେପରି ନପଡ଼େ ତାହା ସୁନିଶ୍ଚିତ କରିବାକୁ ପଡ଼ିବ । ଆମେ ଏଭଳି କାର୍ଯ୍ୟପନ୍ଥା ଅବଲମ୍ବନ କରିଛୁ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛୁ । ଆଜକୁ ପାଞ୍ଚବର୍ଷ ପୂର୍ବେ ଦେଶର କୋଟି କୋଟି ପରିବାରଙ୍କ ନିକଟରେ ବିଜୁଳିଶକ୍ତି ପହଞ୍ଚି ପାରିନଥିଲା । ସେମାନଙ୍କ ନିକଟରେ ଶୌଚାଳୟ ନଥିଲା କି ଗ୍ୟାସ ସଂଯୋଗ ନଥିଲା । ସେମାନେ ବଡ଼ ବଡ଼ ସଂସ୍କାର କଥା କହୁଥିଲେ । କିନ୍ତୁ ଦେଶ ଛୋଟ ଛୋଟ ସଂସ୍କାର ଦ୍ୱାରା ହିଁ ଆଗକୁ ବଢ଼ିଥାଏ । ଛୋଟ ଛୋଟ କଥା ଲାଗି ଆମକୁ ଲଜ୍ଜିତ ହେବାର କୌଣସି କାରଣ ନାହିଁ । ଆମକୁ ଏତେ ବାହାଦୁରୀ ଦେଖାଇବା କି ମହତ୍ତ୍ୱାକାଂକ୍ଷି ବୋଲି ଦାବି କରିବାର କୌଣସି କାରଣ ନାହିଁ । ସାଧାରଣ ଲୋକମାନଙ୍କ ଭିତରୁ ଛୋଟ ଛୋଟ ସ୍ଥାନରୁ ଆମେ ଆସିଛୁ । ତେଣୁ ସେହି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିପାରିଲେ ବିରାଟ ପରିବର୍ତ୍ତନ ଘଟାଯାଇ ପାରିବ । ସେଇଥିପାଇଁ ଆମେ ସେ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଛୁ ।

ଆଗାମୀ 5 ବର୍ଷ ଭିତରେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ:

ଏକଥା ସୁନିଶ୍ଚିତ ଯେ ବିଗତ ପାଞ୍ଚବର୍ଷ ଭିତରେ ଆମେ ଦେଶର ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ ସକାଶେ କଠିନ ପ୍ରଚେଷ୍ଟା କରିଛୁ । ଏହାର ଫଳାଫଳ ବିଶେଷ ଭାବେ ପରିଦୃଶ୍ୟ ହେଉଛି । କିନ୍ତୁ ଏବେ ରାଷ୍ଟ୍ରର ଆବଶ୍ୟକତା ହେଉଛି ସେପରି ଆଶା ଆକାଂକ୍ଷାକୁ ଅତିକ୍ରମ କରି ଆହୁରି କିଛି ବଡ଼ ଆବଶ୍ୟକତା ପୂରଣ କରିବା । ମୋର ବିଶ୍ୱାସ ଯେ ଆମେ ସେ ଦୃଷ୍ଟିରୁ ବେଶ୍‌ ଭାଗ୍ୟବାନ । ଆମେ ଭାଗ୍ୟବାନ ଯେ ଦେଶର ପ୍ରତ୍ୟେକ ନାଗରିକ କିଛି ନା କିଛି ଆଶା ଆକାଂକ୍ଷାର ସହ ଜୀବନ ବଞ୍ଚୁଛନ୍ତି । ତାହା ରାଜନୈତିକ ଆଶା ହୋଇଥାଉ, ସାମାଜିକ କି ବ୍ୟବସାୟିକ ଅଥବା ଶିକ୍ଷା ଆକାଂକ୍ଷା ହୋଇଥାଉ । ଯେତେବେଳେ ମଣିଷ କିଛି ଆଶା ଆକାଂକ୍ଷା ପୋଷଣ କରିଥାଏ ସେତେବେଳେ ତାହାକୁ ପୂରଣ କରିବା ସକାଶେ ପ୍ରୟାସ ପ୍ରଖରିତ ହୋଇଥାଏ । ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ । ଏହା ଗୋଟିଏ ଗୋଟିଏ ସୌଭାଗ୍ୟର ମୁହୂର୍ତ୍ତ । ତେଣୁ, ଆମ ସମସ୍ତଙ୍କର ଏହା ଦାୟିତ୍ୱ ଯେ ସାଧାରଣ ଲୋକଙ୍କର ସେହି ଆକାଂକ୍ଷାକୁ ପୂରଣ କରିବା ଦିଗରେ ଆମେ ସଭିଏଁ ନିଷ୍ପତ୍ତି ଗ୍ରହଣ କରିବା ବାଂଛନୀୟ ।

ମୁଁ ବିସ୍ମିତ ଯେ ନକାରାତ୍ମକ ମନୋଭାବ ଏବଂ ବିରୋଧାଭାଷ ପ୍ରକଟ ଏପରି ପର୍ଯ୍ୟାୟରେ ପହଞ୍ଚିଛି ଯେ ଶୌଚାଳୟ ନିର୍ମାଣ ଓ ପରିମଳ, ଜନଧନ ଜମାଖାତା, ଏପରିକି ମେକ୍‌ ଇନ୍‌ ଇଣ୍ଡିଆ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଉପହାସ କରାଯାଉଛି । ବିଦେଶକୁ ଯିବା ଭଳି କାର୍ଯ୍ୟ ସକାଶେ ଆମକୁ ଅନୁରୋଧ କରିବାକୁ ପଡ଼ୁଛି । ସେମାନଙ୍କ ମତରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ କେବଳ ନକାରାତ୍ମକତା ହିଁ ଦେଖିଛି । ଆମେ କଣ ପରସ୍ପରକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ ନୁହେଁ କି?

ଆମେ ଜାଣିଛୁ ଯେ ରାଜ୍ୟସଭାରେ ଆମର ସଂଖ୍ୟା ଗରିଷ୍ଠତା ନାହିଁ । ତେଣୁ, ଭାରତର ଜନତାଧାରଣ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଆମେ କଦାପି ଅସମ୍ମାନ କରିବା ଅନୁଚିତ ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆମେ ନିରବଚ୍ଛିନ୍ନ ଭାବେ 5 ବର୍ଷ ଧରି ଏହାକୁ ସହ୍ୟ କରିଆସିଛୁ । ତେଣୁ , ଅଧ୍ୟକ୍ଷ ମହୋଦୟ, ଆମେ ସୁରକ୍ଷା ଚାହୁଏ କାରଣ ଭାରତର ଜନତା ଆମ ଉପରେ ସେମାନଙ୍କର ଆଶା ଆକାଂକ୍ଷାପୂରଣର ଦାୟିତ୍ୱ ସମର୍ପିଛନ୍ତି ଏବଂ ସେଥିପାଇଁ ଆମକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପ୍ରଦାନ କରିଛନ୍ତି । ଏପରିକି ରାଜ୍ୟସଭାର ସଂଘୀୟ ଢ଼ାଂଚା ସୂଚାଏ ଯେ ଆମକୁ ସହଯୋଗ କରିବା ଆବଶ୍ୟକ । ତେଣୁ ଏହା ମୋର ବିନମ୍ର ଅନୁରୋଧ ଯେ ଆପଣ ଏ ଦିଗରେ ଆମକୁ ଉଚିତ ନ୍ୟାୟ ପ୍ରଦାନ କରିବେ ।

ଦେଶକୁ ପାଞ୍ଚ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବାର ଆଶା ନେଇ, ଆମେ ଆଗକୁ ଅଗ୍ରସର ହେଉଛୁ ଯାହା ଫଳରେ ନୂତନ ଭାରତର ସ୍ୱପ୍ନ ସାକାର ହୋଇପାରିବ । ଆପଣଙ୍କୁ ସୂଚୀତ କରାଯାଇଛି କି 2014 ସୁଦ୍ଧା ଭାରତ 2 ଟ୍ରିଲିୟନ ଅର୍ଥନୀତି ହିଁ ରହିଥିଲା? ଆଜି ଏହା 2.80 ଟ୍ରିଲିୟନ ଅର୍ଥନୀତିରେ ପରିଣତ ହୋଇଛି । ଅର୍ଥାତ୍‌, ସ୍ୱାଧୀନତାର ଏତେ ବର୍ଷ ପରେ, ଏହା 2 ଟ୍ରିଲିୟନ ଅର୍ଥନୀତି ହୋଇରହିଥିଲା ଏବଂ ମାତ୍ର 5 ବର୍ଷ ଭିତରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଛି । ଯଦି ଏହା ଆଗାମୀ 5 ବର୍ଷ ମଧ୍ୟରେ ଅର୍ଦ୍ଧେକ ବୃଦ୍ଧିପାଏ , ତେବେ  ଆଗାମୀ ପାଞ୍ଚ ବର୍ଷରେ ଏହା ଆହୁରି ବୃଦ୍ଧି ପାଇବ । ଦ୍ୱିତୀୟତଃ, ଆମେ ଏ ପ୍ରଶ୍ନ ପଚାରିବା ଉଚିତ ନୁହେଁ ଯେ ଆମେ ଦେଶର ଅର୍ଥନୀତି ପାଇଁ 5 ଟ୍ରିଲିୟନ ଅର୍ଥନୀତିର ଲକ୍ଷ୍ୟ କାହିଁକି ଧାର୍ଯ୍ୟ କରୁଛୁ । ବରଂ 5 ଟ୍ରିଲିୟନ ଅର୍ଥନୀତିକୁ ବାସ୍ତବତାରେ ପରିଣତ କରିବା ଦିଗରେ କାହିଁକି କାର୍ଯ୍ୟ କରୁନାହୁଁଯେଉଁଠି ଯେଉଁଠି ରାଜ୍ୟରେ ଆମ ସରକାର ଅଛନ୍ତି, ସେଠାରେ ଆମକୁ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବା ଉଚିତ । ଆପଣମାନଙ୍କ ଦଳ ଯେଉଁଠି ଯେଉଁଠି ରାଜ୍ୟରେ ସରକାରରେ ଅଛନ୍ତି ଆପଣମାନେ ମଧ୍ୟ ସେ ଦିଗରେ କାର୍ଯ୍ୟ କରନ୍ତୁ । ଆମର କଠିନ ପ୍ରଚେଷ୍ଟା ଦ୍ୱାରା, ଭାରତ  ଖୁବ୍‌ ଶୀଘ୍ର 5 ଟ୍ରିଲିୟନ ଅର୍ଥନୀତି କ୍ଲବରେ ସାମିଲ ହୋଇପାରିବ । ଏଥିରେ ସଭିଏଁ ଖୁସି ହେବେ । ତେଣୁ ଆମମାନଙ୍କ ମନରେ ସକାରାତ୍ମକ ଭାବନା ଜାଗରିତ କରିବାକୁ ପଡ଼ିବ । ଆମେ ଆପଣମାନଙ୍କୁ ଶୁଣିବାକୁ ଓ ଆପଣମାନଙ୍କ ଚିନ୍ତାଧାର ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ । ଆମେ ଆପଣମାନଙ୍କ ଠାରୁ ଶିଖିବାକୁ ପ୍ରସ୍ତୁତ ଅଛୁ କାରଣ ଆମକୁ ଦେଶକୁ ଚଳାଇବାକୁ ଅଛି ଏବଂ ଦେଶବାସୀଙ୍କ କଲ୍ୟାଣ ସକାଶେ କାର୍ଯ୍ୟ କରିବାର ଅଛି । ତେଣୁ, ମୁଁ ଚାହେଁ ଯେ ଏହିଭଳି ଚିନ୍ତାଧାରାର ସହ ଆମକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ ।

ଏଠାରେ ଅନ୍ୟ କେତେଗୋଟି ପ୍ରସଙ୍ଗ ଉପରେ ସୂଚନା ଦେବାର ଆବଶ୍ୟକତା ରହିଛି । ଗୃହରେ ଏକଥା ସୂଚୀତ କରାଯାଇଛି ଯେ ଝାଡ଼ଖଣ୍ଡ ଏବେ ମବ୍‌ ଲିଞ୍ଚଂ ଓ ଗଣ ହିଂସାକାଣ୍ଡର ପେଣ୍ଠସ୍ଥଳ ପାଲଟିଛି  ।  ଅଧ୍ୟକ୍ଷ ମହୋଦୟଜୀ, ଜଣେ ଯୁବକଙ୍କର ସେଠାରେ ସଂଘବଦ୍ଧ ଆକ୍ରମଣରେ ମୃତ୍ୟୁ ଘଟିଥିବା ଘଟଣାରେ ଆମେ ସଭିଏଁ ଗଭୀର ଭାବେ ବ୍ୟଥିତ । ଏଭଳି କାଣ୍ଡ ଘଟାଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଶାସ୍ତିବିଧାନ କରାଯିବା ଉଚିତ । କିନ୍ତୁ ଏଥିପାଇଁ କେବଳ କଣ ଝାଡ଼ଖଣ୍ଡ ସରକାରଙ୍କୁ ଦୋଷ ଦେବା ଉଚିତ ହେବ କି? ତାହେଲେ ସେଠାରେ କେହି କୌଣସି ଭଲ କାମ କରିଥିବା ଆମ ଆଖିକୁ ଦେଖାଯିବ ନାହିଁ । ଅପରାଧୀମାନଙ୍କୁ ନିଶ୍ଚିତ ଭାବେ ଅଲଗା କରାଯିବା ଉଚିତ ଏବଂ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଆମେ ସମସ୍ତଙ୍କ ବିରୋଧରେ  ଆକ୍ଷେପ କରି ରାଜନୀତିର ଖେଳ ଖେଳିପାରିବା କିନ୍ତୁ ସେଥିରେ ପରିସ୍ଥିତିର କୌଣସି ପରିବର୍ତ୍ତନ ହେବନାହିଁ । ତେଣୁଝାଡ଼ଖଣ୍ଡକୁ ସଂପୂର୍ଣ୍ଣ ରୂପେ ଅସ୍ୱୀକାର କରିବାର ଅଧିକାର ଆମର କାହାରି ନାହିଁ । ସେମାନେ ମଧ୍ୟ ଏ ଦେଶର ନାଗରିକ । ଏଥିପାଇଁ କେବଳ ମହୋଦୟ, ଶାସ୍ତିବିଧାନର ବ୍ୟବସ୍ଥା ରହିଛି । ଏବଂ ତେଣୁ, ଯଦି କୌଣସି ଅପରାଧ ଘଟିଛି, ସମ୍ବିଧାନ, ଆଇନ ଏବଂ ଶୃଙ୍ଖଳା ନିୟମ ଓ ନ୍ୟାୟପାଳିକା ମାଧ୍ୟମରେ ଏହାକୁ ମୁକାବିଲା କରିବାକୁ ସଂପୂର୍ଣ୍ଣ ସକ୍ଷମ ଏବଂ ଏହାର ପ୍ରତିକାର ବ୍ୟବସ୍ଥା ହେଲା ଆଇନଗତ କାର୍ଯ୍ୟାନୁଷ୍ଠାନ, ନ୍ୟାୟ ବ୍ୟବସ୍ଥା ଏବଂ ସେଥିପାଇଁ ଆମକୁ ଯାହାକିଛି କରିବାକୁ ପଡ଼ିବ ତାହା ଆମେ କରିବା ଉଚିତ, ପଛଘୁଞ୍ଚା ଦେବା ନାହିଁ ।

ଏ ପୃଥିବୀରେ ଆତଙ୍କବାଦ କରିଥିବା ସବୁଠାରୁ ବଡ଼ କ୍ଷତିଟି ହେଲା ଯେ ଭଲ ଆତଙ୍କବାଦୀ ଓ ଖରାପ ଆତଙ୍କବାଦୀ, ମୋ ଆତଙ୍କବାଦୀ ଓ ତୁମର ଆତଙ୍କବାଦୀ । ସେ ଯାହାହେଉ, ଆମେ ମଧ୍ୟ ଏଭଳି ହିଂସାର ସଫଳ ମୁକାବିଲା କରିଛୁ- ସେଭଳି ଘଟଣା ଝାଡ଼ଖଣ୍ଡରେ ଘଟିଥାଉ କିମ୍ବା ପଶ୍ଚିମ ବଙ୍ଗରେ, ତାହା କେରଳରେ ଘଟିଥାଉ କି ଅନ୍ୟତ୍ର- ଆମେ ସମାନ ନୀତି ଗ୍ରହଣ କରିବୁ । ତାହେଲେ ଯାଇ ଆମେ ହିଂସାକୁ ରୋକି ପାରିବୁ । ତାହା ହେଲେ ଯେଉଁମାନେ ଯେଉଁମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି ସେମାନେ ଉଚିତ ଶିକ୍ଷା ଲାଭ କରିପାରିବେ ଯେ ଏ ଦେଶର ଆତଙ୍କବାଦ ପ୍ରସଙ୍ଗରେ ଆଭିମୁଖ୍ୟ ଏକ । ସମସ୍ତେ ରାଜନୈତିକ ଦଳ, ସମସ୍ତେ ଏ ବିଷୟରେ ଚିନ୍ତା କରୁଛନ୍ତି, ତେଣୁ ଏ ଦେଶରେ ହିଂସାକାଣ୍ଡ କଦାପି ତିଷ୍ଠି ରହିପାରିବ ନାହିଁ ଏବଂ ମୁଁ ସ୍ୱୀକାର କରୁଛି, ଏବେ ଆମେ ଏହି ଦାୟିତ୍ୱ ସଂପୂର୍ଣ୍ଣ କରିବା ।

ଏହିଭଳି ଅନେକ କ୍ଷେତ୍ର ରହିଛି ଯାହା ରାଜନୈତିକ ସମାନ ଚିନ୍ତାଧାରାର ପ୍ରସଙ୍ଗର ରୂପ ଧାରଣ କରୁଛି । ଆମେ ସେଗୁଡ଼ିକୁ ଉପଯୋଗ କରିପାରିବା । ମୋର ବିଶ୍ୱାସ ଯେ ଏହା ଆମମାନଙ୍କର ସାମ୍ବିଧାନିକ ଦାୟିତ୍ୱ ଯେ ଆମେ ଆମର ନାଗରିକମାନଙ୍କୁ ସୁରକ୍ଷାର ଗ୍ୟାରେଣ୍ଟି ପ୍ରଦାନ କରିପାରିବା । ସେହିଭଳି ଏହା ମାନବ ସମାଜ ପ୍ରତି ମଧ୍ୟ ଆମର ପରମ ଦାୟିତ୍ୱ ବୋଲି ଆମେ ହେତୁ କରିବା ଉଚିତ । ଏହାକୁ ଆମେମାନେ କଦାପି ଅସ୍ୱୀକାର କରିପାରିବା ନାହିଁ । ତେଣୁ ଆସନ୍ତୁ ଆଗକୁ ସେହି ଭାବନା ନେଇ ଅଗ୍ରସର ହେବା । ଆମେ ସବକା ସାଥ, ସବକା ବିକାଶମନ୍ତ୍ର ନେଇ ଆମର ଯାତ୍ରା ଆରମ୍ଭ କରିଥିଲେ; କିନ୍ତୁ ପାଞ୍ଚବର୍ଷର ନିରବଚ୍ଛିନ୍ନ ସମର୍ପଣ ପରେ, ଜନସାଧାରଣ ଆଉ ଗୋଟିଏ ଶବ୍ଦ ଯୋଡ଼ିଛନ୍ତି- ତାହା ହେଉଛି ସବକା ବିଶ୍ୱାସ ।

କିନ୍ତୁ ଆମ ଆଜାଦ ସାବ୍‌ ଏକଥା ସ୍ପଷ୍ଟ ଭାବେ ଦେଖିପାରୁ ନାହାନ୍ତି । ଯେତେବେ ପର୍ଯ୍ୟନ୍ତ ରାଜନୀତିର ଚଷମା କାଚ ଦେଇ ଦେଖାଯିବ ସେତେବେଳ ପର୍ଯ୍ୟନ୍ତ ସବୁକଥା ଅସ୍ପଷ୍ଟ ଦିଶୁଥିବ । ତେଣୁ ମୋର ବିଶ୍ୱାସ ଯେ ସେଭଳି ରାଜନୀତିର ଚଷମାକୁ କାଢ଼ି ଆମେ ସବୁ କଥାକୁ ଦେଖିବା ଆରମ୍ଭ କରିବା ଆବଶ୍ୟକ । ସେତେବେଳେ ଯାଇ ଆମକୁ ଉଜ୍ଜ୍ୱଳ ଭବିଷ୍ୟତ ଜଳଜଳ ହୋଇ ଦିଶିବ ।

ଏଠାରେ ଅନେକ ଭାଷଣ ଦିଆ ଯାଇସାରିଛି । କେତେକ ସମ୍ବାଦପତ୍ର ସେସବୁ କଥା ପ୍ରକାଶ କରିଛନ୍ତି । କିନ୍ତୁ, ମଙ୍ଗଳବାର ଦିନ ବୈଠକବେଳେ ଯେତେବେଳେ ମୁଁ ସର୍ବସାଧାରଣରେ ଏ ଘଟଣା ଦେଖିଲି, ମୁଁ ମୋର କ୍ଷୋଭ ବ୍ୟକ୍ତ କରିଥିଲି । ମୁଁ ଏଭଳି ସ୍ଥିତିରେ ଉନ୍ନତି ଘଟିବାକୁ ଚାହେଁ । ଆମେ ଅନେକ ପ୍ରତିବାଦ ଓ ଅପବାଦ ପାଇଛୁ ଯେ ଜଣେ ସ୍ୱାଧୀନ ପ୍ରାର୍ଥୀ ଆମର ପ୍ରାର୍ଥୀ ହୋଇଥିଲେ ଏବଂ ଆମର ବିଜୟରେ ସହାୟକ ହୋଇଥିଲେ । ଏ କଥା ତ କେତେକ ରାଜନୈତିକ ଦଳର ଇତିହାସ । ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଠିଆ କରାଯାଇଥାଏ ଯେ ସେ କିଭଳି ହାରନ୍ତୁ ଏହା ହେଉଛି ବ୍ୟକ୍ତିଗତ ରାଜନୀତି ।  ସେମାନେ ବାବା ସାହେବ ଆମ୍ବେଦକରଙ୍କୁ ହରାଇବାକୁ ଚାହିଁଥିଲେ । ତେଣୁ ସେମାନେ ଏଭଳି ଭାଷଣ ଦେବା ପୂର୍ବରୁ ନିଜ ଅନ୍ତରାତ୍ମାକୁ ଟିକେ ନିରୀକ୍ଷଣ କରିବା ଉଚିତ ଥିଲା ।

ଯେତେବେଳେ ଶିଖମାନଙ୍କୁ ଦିଲ୍ଲୀର ରାଜରାସ୍ତାରେ ଚାରିଆଡ଼ୁ ତାର ଗୁଡ଼ାଇ ଜୀଅନ୍ତା ଜାଳି ମାରି ଦିଆଯାଇଥିଲା, ଏବଂ ଏଭଳି ଘଟଣାରେ ଯେଉଁମାନଙ୍କ ନାମ ସ୍ପଷ୍ଟ ସ୍ୱରରେ ଶୁଣାଯାଉଥିଲା, ସେମାନଙ୍କ କଥା ସବୁଆଡ଼େ ଆଲୋଚନା ଚାଲିଥିଲା, ସେମାନେ ଏବେସୁଦ୍ଧା ସେହି ଦଳରେ ଅଛନ୍ତି ଏବଂ ସମ୍ମାନଜନକ ପଦପଦବୀରେ, ସାମ୍ବିଧାନିକ ପଦପଦବୀରେ ଅବସ୍ଥାପିତ ଅଛନ୍ତି । ଯଦି ଆପଣମାନଙ୍କ ଆଦର୍ଶ ଆପଣମାନଙ୍କ ନୀତି ଏଇଆ ହୋଇଥାଏ, ତାହେଲେ ଏତେ ନୀତିବାଣୀ ଶୁଣାଇବା ପୂର୍ବରୁ ନିଜେ ନିଜ ଗୋଷ୍ଠୀ ଆଡ଼େ ନିରୀକ୍ଷଣ କରିବା ଉଚିତ । ଆପଣମାନେ ତାହେଲେ ଅତୀତର ସବୁକଥା ଭୁଲି ଯାଇଛନ୍ତି, ସବୁ କଥା ପାଶୋରି ପକାଇଛନ୍ତି… ଏବଂ ଏଭଳି ଅନେକ ଉଦାହରଣ ରହିଛି । ଯେତେବେଳେ କୌଣସି ପ୍ରକାର ରାଜନୈତିକ ଉଦ୍ଦୀପନାର ସଂକଟ ଆସେ- ଆପଣମାନେ ସେମାନଙ୍କୁ ଦଶଦିନ ପାଇଁ ବହିଷ୍କାର କରିଦିଅନ୍ତି ଓ ପରେ ପୁଣି ସେଇ ନେତାମାନଙ୍କୁ କୋଳାଇ ନିଅନ୍ତି । ଏଭଳି ଅନେକ ଉଦାହରଣ ରହିଛି । ଏଭଳି ଅନେକ ମହାନ ନେତାଙ୍କ ନାମ ରହିଛି  । ତେଣୁ ଦୟାକରି  ଏଭଳି ପ୍ରବଚନ ଦେବା ପୂର୍ବରୁ ଟିକେ ନିଜେ ଚିନ୍ତାକରିବା ଉଚିତ ।

ଆମେମାନେ ଜନଜୀବନରେ ଏତେଟା ମହାନ ନୋହୁ ଯେ ଆମେ କେବଳ ସବୁ କଥା ଉପରେ କହିବା ଲାଗି ଲାଇସେନ୍ସ ପାଇଛୁ । ମୁଁ ମୋ ଦଳର ସଦସ୍ୟମାନଙ୍କୁ ମଧ୍ୟ ସେଇକଥା କହିଥାଏ । ଆମର କୌଣସି ବ୍ୟକ୍ତିଙ୍କୁ କିଛି ଅଭିଯୋଗ କରିବାର କୌଣସି ଅଧିକାର ନାହିଁ । ଆମେମାନେ ଆମର ସୀମା ଭିତରେ ରହିବା ଉଚିତ ଏବଂ ଜନଜୀବନର ନୀତି ନିୟମକୁ ମାନିବା ଆବଶ୍ୟକ । ସେମାନେ ଯେଉଁ ଦଳର ହୋଇ ଥାଆନ୍ତୁ ନା କାହିଁକି । ବିଶେଷ କରି ମୁଁ ମୋ ଦଳର ସଦସ୍ୟମାନଙ୍କୁ କହିବାକୁ ଚାହେଁ ଯେ ଏଭଳି କରିବା କଦାପି ଉଚିତ ନୁହେଁ । ଏକଥା ମୁଁ ସର୍ବସାଧାରଣରେ ସୁଦ୍ଧା କହିଛି କିନ୍ତୁ ଯଦି ଆମେ ପ୍ରୟାସ କରିବା, ତେବେ କେବେ ସୁଦ୍ଧା ଆମେ ନିଜକୁ ଉନ୍ନତ କରିପାରିବା ଏବଂ ଆମେ ସେଥିପାଇଁ ଆମର ପ୍ରୟାସ ଜାରି ରଖିବା ଉଚିତ ।

ଏଠାରେ କେବଳ ଗୋଟିଏ ଉଦ୍‌ବେଗର କାରଣ ହେଲା ବିଶ୍ୱସନୀୟତା, ଏହା ବେଶ୍‌ ଗରୁ । ଆମେ ଆପଣମାନଙ୍କୁ ସବୁ ଶ୍ରେୟ ଦେଇଛୁ । ସେଇଥିପାଇଁ ଆମେ ଜିଣିକରି ଆସିଛୁ । ଆପଣମାନଙ୍କ ସାହସ, ଯାହା କି ଆମମାନଙ୍କୁ ବିଜୟୀ କରାଇଛି । ଅନ୍ୟଥା,କିଏ ଏତେ କଥା ଜାଣିଥିଲା? କିନ୍ତୁ ମୁଁ ପଚାରିବାକୁ ଚାହେଁ, ଏନଆରସି କଥା ଏଠାରେ ଆଲୋଚନା କରାଯାଇଛି । ଆପଣମାନେ କଣ ଏହାର ଶ୍ରେୟ ନେବାକୁ ଚାହିଁବେନାହିଁ? କାହିଁକି ପଛଘୁଞ୍ଚା ଦେଉଛନ୍ତି ଭାଇମାନେସେଥିପାଇଁ ମଧ୍ୟ ଆପଣମାନେ  ନିଜର ଶ୍ରେୟ ନିଅନ୍ତୁ

ଆସାମ ରାଜିନାମାରେ ଏନଆରସିକୁ ରାଜୀବ ଗାନ୍ଧୀ ସରକାର ଗ୍ରହଣ କରିଥିଲେ । ପରେ ସୁପ୍ରିମ କୋର୍ଟ ଏହି ଘଟଣାରେ ଆଗେଇ ଆସିଲେ ଏବଂ ଆମେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛୁ ଓ ତାହା ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଶାନୁସାରେ । ସେହି ରାଜିନାମା ପାଇଁ ଆପଣମାନେ ଆପଣଙ୍କର ଶ୍ରେୟ ନେଇଯାଆନ୍ତୁ! ଆପଣମାନେ ଭୋଟ ଗୋଟାନ୍ତୁ ଓ ଶ୍ରେୟ ନିଅନ୍ତୁ । ସେତେବେଳେ ଆପଣମାନେ ଅନ୍ୟମାନଙ୍କୁ କେବଳ ଅର୍ଦ୍ଧସତ୍ୟ କହିବେ । ଏହା ହୋଇ ନଥିଲା । କେତେଗୁଡ଼ିଏ କଥା ଆପଣମାନେ ଅତି ସ୍ପଷ୍ଟ ଭାବେ ସ୍ୱୀକାର କରିବା ଉଚିତ । ସେତେବେଳେ ଏନଆରସି ସଂପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ହିଁ ଆମେ ଏବେ ପ୍ରବର୍ତ୍ତନ କରୁଛୁ । ଆମପାଇଁ ଏହା ଭୋଟବ୍ୟାଙ୍କ ରାଜନୀତି ନୁହେଁ ।  ଏହା ହେଉଛି ଦେଶର ଏକତା, ଅଖଣ୍ଡତା ଏବଂ ଉଜ୍ଜ୍ୱଳ ଭବିଷ୍ୟତର କଥା । ଏବଂ ଆମେ ତାହା କାର୍ଯ୍ୟକାରୀ କରିବୁ!

ଏଠାରେ ସର୍ଦ୍ଦାର ସାହେବଙ୍କ କଥା ସୂଚୀତ କରାଯାଇଛି । ମୁଁ ବେଶ୍‌ ଖୁସି ଅନୁଭବ କରୁଛି । ସମ୍ଭବତଃ କଂଗ୍ରେସ ଦଳର ଲୋକମାନେ ଏକଥାରେ ସହମତ ହେବେନାହିଁ  କିନ୍ତୁ ଆମେ ତଥାପି ବିଶ୍ୱାସ କରୁ ଯେ ସର୍ଦ୍ଦାର ସାହେବ ଯଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତାହେଲେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗ କଦାପି ମୁଣ୍ଡ ଟେକିନଥାନ୍ତା । ଆମେ ତଥାପି ବିଶ୍ୱାସ କରୁଛୁ ଯେ ଯଦି ସର୍ଦ୍ଦାର ସାହେବଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା, ତାହେଲେ ଆଜି ଦେଶର କୌଣସି ଗ୍ରାମ କିଛି ହେଲେ ସମସ୍ୟାର ସମ୍ମୁଖୀନ ହୋଇନଥାନ୍ତେ । ଦେଶର ଆଉ ଏକ ଭିନ୍ନ ଛବି ସୃଷ୍ଟି ହୋଇଥାନ୍ତା । ଏହା ଆମମାନଙ୍କ ଧାରଣା । ଏହା ଭୁଲ୍‌ ହୋଇଥାଇପାରେ । କିନ୍ତୁ ଏଥିରେ ଦ୍ୱିମତ ଥାଇନପାରେ ଯେ କଂଗ୍ରେସ ଦ୍ୱାରା ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବା ସର୍ଦ୍ଦାର ସାହେବ ଦେଶର 500ରୁ ଅଧିକ ଦେଶୀୟ ରାଜ୍ୟକୁ ସଫଳତାର ସହ ସମ୍ମିଶ୍ରିତ କରିପାରିଥିଲେ । ସେ ସାରା ଜୀବନ କଂଗ୍ରେସ ପାଇଁ ବଞ୍ଚିଥିଲେ ଓ ସଂଗ୍ରାମ କରିଥିଲେ । କଂଗ୍ରେସ ପାଇଁ ମଧ୍ୟ ସେ ଜୀବନ ଦାନ କରିଥିଲେ ।

ଗୁଜରାଟ ନିର୍ବାଚନ ବେଳେ, ସର୍ଦ୍ଦାର ପଟେଲଙ୍କ ଛବିକୁ ପୋଷ୍ଟରରେ ଦେଖିବାକୁ ମିଳୁଛି କିନ୍ତୁ କୌଣସି ଜାତୀୟ ନିର୍ବାଚନରେ ତାଙ୍କ ଛବି କୌଣସିଠାରେ ଦେଖିବାକୁ ମିଳୁନାହିଁ । ସେ ତ ଆପଣମାନଙ୍କ ଦଳର । ତାଙ୍କ ସହ ଆପଣମାନଙ୍କର କି ପ୍ରକାର ବିବାଦ ରହିଛି? କିନ୍ତୁ ଆଜି ମୁଁ କଂଗ୍ରେସର ବରିଷ୍ଠ ନେତୃବର୍ଗଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ ସେମାନେ ଅନ୍ତତଃ ପକ୍ଷେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ,ଷ୍ଟାଚୁ ଅଫ୍‌ ୟୁନିଟି ନିକଟକୁ ଯାଆନ୍ତୁ ଏବଂ ସେଠାରେ ସର୍ଦ୍ଦାର ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରନ୍ତୁ । ମୁଁ ଚାହୁଁଛି ଯେ ଗୁଲାମ ନବୀ ଜୀ, ଗୁଜରାଟ ଯାଇ କିଛି ଦିନ ଅବସ୍ଥାନ କରନ୍ତୁ ।

ପୁରୁଣା ନିୟମ କେମିତି ଭାବେ ଚାଲିଛି ତାର ଏକ ଅତି ଚମକ୍ରାର ଉଦାହରଣ ମୁଁ ଏଠାରେ ରଖିବାକୁ ଚାହେଁ । ଯଦି କୌଣସି ବିମାନ ବନ୍ଦର କି ବନ୍ଧ ନିର୍ମାଣ ହେଲା, ସେଠାରେ ଗୋଟିଏ ବୋର୍ଡ଼ ମରାଯାଇଥିବ ଓ ସେଥିରେ ଲେଖାଯାଇଥିବ ଫଟୋ ଉଠାଇବା ନିଷେଧଆଜି ଆମମାନଙ୍କ ନିକଟରେ ଏ ପ୍ରକାର ପ୍ରଯୁକ୍ତି ଉପଲବ୍ଧ ଯେ ମହାକାଶରୁ ସୁଦ୍ଧା ଆପଣମାନଙ୍କ ଘର ଆଗରେ ଥୁଆଯାଇଥିବା ଗୋଟିଏ ଦୁଇଚକିଆ ଯାନର ନମ୍ବର ପ୍ଲେଟର ସ୍ପଷ୍ଟ ଫଟୋଚିତ୍ର ସୁଦ୍ଧା ଅତି ସହଜରେ ଉତ୍ତୋଳନ କରାଯାଇପାରିବ । ଯେତେବେଳେ ସର୍ଦ୍ଦାର ସରୋବର ଡ଼୍ୟାମରୁ ପାଣି ଉଛୁଳୁଥିଲା, ସେତେବେ ଦିଗବିଜୟ ସିଂହଜୀଙ୍କ ସରକାର କ୍ଷମତାରେ ଥିଲେ । ସେମାନେ ସେଠାକୁ ଯିବାକୁ ଲୋକମାନଙ୍କୁ ଅନୁମତି ଦେଇନଥିଲେ । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି, ମୁଁ ସେମାନଙ୍କୁ ଏହି ନିୟମକୁ ବଦଳାଇବାକୁ କହିଲି । ଲୋକମାନେ ସେଠାକୁ ଯାଆନ୍ତୁ ଓ ଫଟୋ ଉଠାନ୍ତୁ । ତାପରେ ମୁଁ ନିଷ୍ପତ୍ତି କଲି ଯେ ସେଥିପାଇଁ ଏଣ୍ଟ୍ରି ଫିରହିବ ଯାହା ଫଳରେ ସେଠାରେ ଲୋକମାନଙ୍କ ପାଇଁ ଏକ ସୁନ୍ଦର ପାର୍କି ସ୍ଥାନ ନିର୍ମାଣ କରାଯାଇପାରିବ । ଏହାପରେ 5ଲକ୍ଷତମ ପର୍ଯ୍ୟଟକଙ୍କୁ ସମ୍ମାନିତ କରାଯାଇଥିଲା । ମୁଁ ଖୁସିର ସହ କହିବାକୁ ଚାହେଁ ଯେ ସେହି 5ଲକ୍ଷତମ ପର୍ଯ୍ୟଟକ ଥିଲେ ବାରାମୁଳାର ଏକ ନବବିବାହିତ ଦମ୍ପତ୍ତି ଏବଂ ଆମେ ସେମାନଙ୍କୁ ସମ୍ମାନିତ କଲୁ । ଆପଣମାନେ ଦେଖନ୍ତୁ, କିପରି ଭାବେ ଘଟଣାକୁ ବଦଳାଯାଇପାରିବ । ସେଇଥିପାଇଁ ମୁଁ କହିବାକୁ ଚାହେଁ ଯେ ଆପଣମାନେ ଷ୍ଟାଚୁ ଅଫ୍‌ ୟୁନିଟି ପାଖରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ଗୋଟିଏ ବୈଠକ ଅନୁଷ୍ଠିତ କରାନ୍ତୁ । ଆପଣମାନଙ୍କୁ ଭଲ ଲାଗିବ । ଆମେମାନେ ଜାତୀୟ ବୀରମାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇପାରିବା ଓ ଆମେମାନେ ଏଭଳି କାର୍ଯ୍ୟ ଜାରି ରଖିପାରିବା ।

ପ୍ରଚାର ବନାମ ସଚେତନତା ଅଭିଯାନ

ଆଜାଦଜୀ, ଆପଣ ତ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ବେଳେବେଳେ ଆମେ ପ୍ରଚାର ଓ ଜନସଚେତନତା ଅଭିଯାନ ଭିତରେ ଥିବା ପାର୍ଥକ୍ୟ ଜାଣିବା ଦରକାର । ଯେଉଁ ବିଜ୍ଞାପନରେ ଆଚରଣଗତ ପରିବର୍ତ୍ତନ କଥା କୁହାଯାଇଛି ତାହାକୁ ସରକାରୀ ବିଜ୍ଞାପନ ବୋଲି ବିବେଚନା କରାଯିବା ଅନୁଚିତ । ଆପଣମାନେ ଯଦି ପିଲାମାନଙ୍କୁ କହିବାକୁ ଚାହାନ୍ତି ଯେ ଖାଇବା ପୂର୍ବରୁ ହାତ ଧୋଇବା ଉଚିତ, ସେଥିପାଇଁ ଆପଣମାନଙ୍କୁ ଗୋଟିଏ ଅଭିଯାନ ଆରମ୍ଭ କରିବା ଦରକାର । ଯଦିଚ ଏହାର ଖର୍ଚ୍ଚ ସରକାରୀ ତହବିଲରୁ ଖର୍ଚ୍ଚ କରାଯିବ କିନ୍ତୁ ତାହାକୁ ସରକାରୀ ବିଜ୍ଞାପନ ବୋଲି ଧରାଯିବ ନାହିଁ । ଯେତେବେଳେ ଆପଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ଏକ ମହାମାରୀ ବ୍ୟାପିଥିଲା, ଆପଣ ମଧ୍ୟ ଏକ ବିଜ୍ଞାପନ ଦେଇଥିଲେ ଓ ମହାମାରି ବେଳେ ଲୋକମାନେ ପାଣିକୁ ପିଇବା ପୂର୍ବରୁ ଫୁଟାଇବାକୁ ସେଥିରେ ପରାମର୍ଶ ଦିଆଯାଇଥିଲା । ତେଣୁ, ‘ବେଟୀ ବଚାଓ, ବେଟୀ ପଢ଼ାଓକୁ ଏକ ବିଜ୍ଞାପନ ବୋଲି କହିବା ଆପଣଙ୍କ ମୁହଁରେ ଶୋଭା ପାଉନାହିଁ ।

କିନ୍ତୁ ଏହା ବାସ୍ତବିକ ଯନ୍ତ୍ରଣାଦାୟକ ଯେତେବେଳେ ଆମେ ଦେଖୁଛୁ ଯେ ମନରେଗା ନାମରେ ଲୋକମାନେ ଗୋଟିଏ ସ୍ଥାନରୁ ମାଟିଖୋଳି ଅନ୍ୟ ଗୋଟିଏ ସ୍ଥାନରେ ଜମା କରୁଛନ୍ତି । ଦୀର୍ଘ ତିନି ବର୍ଷ ଧରି ଦେଶରେ ବିଜ୍ଞାପନ ଦିଆଗଲା, ଯଦିଚ ମନରେଗା କୌଣସି ଆଚରଣଗତ ପରିବର୍ତ୍ତନ ଅଭିଯାନ ନଥିଲା । ତଥାପି ସରକାରୀ ଖର୍ଚ୍ଚରେ ଏଭଳି ବିଜ୍ଞାପନ ଜାରି କରାଯାଇଥିଲା ଓ ତାହା କରାଯାଇଥିଲା ମାତ୍ର ଜଣେ ନେତାଙ୍କୁ ପ୍ରତିଷ୍ଠିତ କରିବା ସକାଶେ । ଦେଶ କଦାପି ଏକଥାକୁ ଭୁଲି ପାରିବନାହିଁ । ଲୋକମାନଙ୍କୁ ଖାଇବା ପୂର୍ବରୁ ହାତ ଧୋଇବାକୁ ପରାମର୍ଶ ଦେବା ଆଚରଣଗତ ପରିବର୍ତ୍ତନ ବିଜ୍ଞାପନ । ଅନ୍ୟଥା ଦେଶରେ ପରିବର୍ତ୍ତନ ଆସିବ କିପରି?

ଟୀକାକରଣ ଓ ନିରାପଦ ମାତୃତ୍ୱ ଉପରେ ଗୁରୁତ୍ୱାରୋପ

ଆୟୁଷ୍ମାନ ଭାରତ ଯୋଜନା ବିରୋଧରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଏହି ଗୋଟିଏ ପ୍ରସଙ୍ଗରେ ସବୁ ରାଜନୈତିକ ଦଳର ସାଂସଦମାନେ ମୋତେ ଲୋକସଭା ଓ ରାଜ୍ୟସଭାରେ ଇତି ପୂର୍ବରୁ ଅଭିନନ୍ଦନ ଜଣାଇ ସାରିଛନ୍ତି ।  ସେମାନେ ଯେତେବେଳେ ବି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କ ନିର୍ବାଚନ ମଣ୍ଡଳୀର କୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମୋତେ ଚିଠି ଲେଖିଛନ୍ତି, ମୁଁ ସେମାନଙ୍କୁ କହିଛି ଯେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଆପଣମାନେ କେତେବେଳେ ରୁଲ ବୁକ୍‌ ଆଡ଼େ ଅନାନ୍ତୁନି । ସେମାନଙ୍କୁ ଶତ ପ୍ରତିଶତ ସାହାଯ୍ୟ ଯୋଗାଇ ଦିଆଯିବ ।ଏହି କାରଣ ସକାଶେ ପ୍ରାୟ ସବୁ ରାଜନୈତିକ ଦଳର ସାଂସଦମାନେ ମୋ ନିକଟକୁ ଆସିଥାନ୍ତି ।

ଯେଉଁ ସାଂସଦମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀର କୌଣସି ବ୍ୟକ୍ତିଙ୍କ ଚିକିତ୍ସା ସକାଶେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି ସେମାନେ ସମସ୍ତେ ଆୟୁଷ୍ମାନ ଭାରତ ଯୋଜନାର କ୍ଷମତା ସଂପର୍କରେ ଅବଗତ ଅଛନ୍ତି । ଆଜିକାଲି, କୌଣସି ସାଂସଦ ଆଉ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସେଭଳି ପତ୍ର ଲେଖୁନାହାନ୍ତି; କାରଣ ସେମାନେ ଜାଣିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନାରୁ ସେମାନଙ୍କୁ ସେଭଳି ସୁଫଳ ମିଳିପାରୁଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଏହା ଏକ ବିରାଟ ପରିବର୍ତ୍ତନ । ଏବେସୁଦ୍ଧା 30 ଲକ୍ଷ ଲୋକ ଆୟୁଷ୍ମାନ ଭାରତ ଯୋଜନାରୁ ଉପକୃତ ହୋଇସାରିଛନ୍ତି ।

ଆମେମାନେ ହେଲେ ଜନ ପ୍ରତିନିଧି । ଆମେମାନେ ଜନସାଧାରଣଙ୍କୁ ଭେଟିଥାଏ । ଯଦି ମୁଁ କୌଣସି ନକରାତ୍ମକ କାର୍ଯ୍ୟ କିମ୍ବା କୌଣସି ଦୋଷତ୍ରୁଟି ଦେଖିଥାଏ, ମୁଁ ସଦାବେଳେ ଲୋକମାନଙ୍କୁ କହିଥାଏ ଯେ ସେମାନେ ତାହା ମୋ ନଜରକୁ ଆଣନ୍ତୁ । ଆମେମାନେ ମିଳିମିଶି ତାହାକୁ ସଜାଡ଼ି ଦେବା । ଆମେମାନେ ଯଦି ଆୟୁଷ୍ମାନ ଯୋଜନାକୁ ଶକ୍ତିଶାଳୀ କରିବା, ତାହେଲେ ଦେଶର ଗରିବ ଲୋକମାନଙ୍କୁ ଆମେ ବାସ୍ତବରେ ସାହାଯ୍ୟ କରିପାରିବା । ଯଦି ଜଣେ ଗରିବ ଲୋକ, ଯିଏକି ନବ୍ୟ ମଧ୍ୟମବର୍ଗ ଆଡ଼େ ଅଗ୍ରସର ହେଉଛି, କୌଣସି ଗୋଟିଏ ରୋଗ ତାର 20 ବର୍ଷର ସମସ୍ତ ସଞ୍ଚୟକୁ ତାଠାରୁ ଛଡ଼ାଇନେବ । ଏହା ଏକ ମାନବକଲ୍ୟାଣକାରୀ ଯୋଜନା । ତେଣୁ ଦୟାକରି ଆୟୁଷ୍ମାନ ଭାରତ ଯୋଜନାକୁ ସମାଲୋଚନା କରନ୍ତୁନାହିଁ । ଏହା ଦେଶର ଜନସାଧାରଣଙ୍କ ପାଇଁ ଏକ ମହାନ କାର୍ଯ୍ୟ । ତେଣୁ ଆୟୁଷ୍ମାନ ଭାରତ ଯୋଜନାକୁ ସମାଲୋଚନା କରିବା ପରିର୍ବର୍ତ୍ତେ ଏବଂ ମୋଦୀ ଏଥିରୁ ସବୁ ଶ୍ରେୟ ନେଇଯିବ ବୋଲି ଯାହା କହୁଛନ୍ତି, ଏବେ ତ ନିର୍ବାଚନ ଫଳାଫଳ ଘୋଷଣା ହୋଇ ସାରିଲାଣି, ସେପରି ଅଭିଯୋଗ ବନ୍ଦ୍‌ କରନ୍ତୁ… ଏବେ ଆସନ୍ତୁ ମିଳିମିଶି କାର୍ଯ୍ୟ କରିବା । ଆପଣମାନେ ଆଶଙ୍କା କରନ୍ତୁନାହିଁ ଯେ ମୁଁ 2024 ପାଇଁ ନୂଆ ଯୋଜନା ହାତକୁ ନେଉଛି, ଆପଣମାନଙ୍କ ଠାରୁ ଅଳ୍ପ ସହଯୋଗ ନେଇ ମୁଁ ଏଭଳି ଜନହିତକର କାର୍ଯ୍ୟ କରିବାକୁ ଚାହେଁ ।

ଏଠାରେ ଆମେ ବିହାରର ଏନସେଫାଲାଇଟିସ କଥା ଆଲୋଚନା କରିଛେ ।ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାକର ଓ କ୍ଷୋଭର କଥା । ମୁଁ ମାନୁଛି ଯେ ଏକ ସମାଜ ଭାବେ, ଏକ ସରକାର ଭାବେ ବିଗତ ସାତ ଦଶନ୍ଧି ଧରି ଆମେ ଯେଉଁସବୁ ବିଫଳତା ପାଇଛେ, ସେଥି ମଧ୍ୟରୁ ଏହା ସବୁଠାରୁ ବଡ଼ ବିଫଳତା ମୁଁ ଦେଖିଛି ପୂର୍ବ ଉତ୍ତର ପ୍ରଦେଶରେ ସ୍ଥିତି କିଛିଟା ଉନ୍ନତ, ତଥାପି ମୁଁ ତାହା ଦାବି କରୁନାହିଁ ।

ଗଲା ପାଞ୍ଚବର୍ଷ ଧରି ମୁଁ ସାର୍ବଜନୀନ ଟୀକାକରଣ ଉପରେ ଗୁରୁତ୍ୱ ଆରୋପ କରିଆସୁଛି ଓ ନିରାପଦ ମାତୃତ୍ୱ ଉପରେ ପ୍ରାଧାନ୍ୟ ଦେଇଆସୁଛି । ଏଭଳି ଯନ୍ତ୍ରଣାଦାୟକ ପରିସ୍ଥିତି ସକାଶେ ମୁଁ ରାଜ୍ୟ ସରକାରଙ୍କ ସହ ନିରବଚ୍ଛିନ୍ନ ଭାବେ ଯୋଗସୂତ୍ରରେ ରହିଛି । ମୁଁ ଆମର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସେଠାକୁ ପଠାଇଛି ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିପାରିବେ । ତାହା ପୁଷ୍ଟିସାଧନ ହୋଇଥାଉ, ନିରାପଦ ମାତୃତ୍ୱ ହୋଇଥାଉ, କିମ୍ବା ଆୟୁଷ୍ମାନ ଭାରତ ଯୋଜନାର ସୁଫଳ ହୋଇଥାଉ । ଏହା ସଂପର୍କରେ ଆମେ ଯେତେ ଅଧିକ ଜନସଚେତନତା ବୃଦ୍ଧି କରିବା, ସେଭଳି ସମସ୍ୟାକୁ ଆମେ ସେତିକି ମାତ୍ରାରେ ଏଡ଼ାଇ ପାରିବା । ଆଜି ଗୋଟିଏ ରାଜ୍ୟ ଏଭଳି ମହାମାରୀରେ ଆକ୍ରାନ୍ତ ହୋଇଛି, ହୁଏତ ଆସନ୍ତାକାଲି ତାହା ଆଉ କିଛି ରାଜ୍ୟକୁ ବ୍ୟାପୀପାରେ । ଯଦି ଆମେ ଆଗୁଆ ସତର୍କତା ଅବଲମ୍ବନ କରିବା, ତାହେଲେ ଏଭଳି ସମସ୍ୟାରୁ ଆମେ ଲୋକମାନଙ୍କୁ ରକ୍ଷା କରିପାରିବା ।

ଆକାଂକ୍ଷି ଜିଲ୍ଲାଗୁଡ଼ିକର ବିକାଶ ଉପରେ ଗୁରୁତ୍ୱାରୋପ

ସବକା ସାଥ୍‌, ସବକା ବିକାଶ ଏକ ରାଜନୈତିକ ସ୍ଲୋଗାନ ନୁହେଁ । ଆମ ଦେଶର କିଛି ଅଞ୍ଚଳ ରହିଛି ଯାହା ବିକାଶ ଦୃଷ୍ଟିରୁ ପଛୁଆ । ଆମେ ସେହିଭଳି 112ଟି ଆକାଂକ୍ଷି ଜିଲ୍ଲାକୁ ଚିହ୍ନଟ କରିଛୁ । କିଛି ରାଜ୍ୟ ଏହା ଦେଖି ଛାନିଆ ହୋଇପଡ଼ିଲେ କାରଣ ଏଭଳି ହେବା ସେମାନଙ୍କ ଲାଗି ରାଜନୈତିକ ବାଧ୍ୟବାଧକତା ଥିଲା । ଏକଥା ଦେଖି ମୁଁ ବିସ୍ମିତ ହେଲି । ଏଥିରେ ରାଜନୀତି ଆସିଲା କୁଆଡ଼ୁମୁଁ ଯେତେବେଳେ ଗୁଜରାଟରେ ଥିଲି, ଯଦି ସେତେବେଳେ କାହାର କଚ୍ଛକୁ ବଦଳି ହେଉଥିଲା, ସେ ଗୁଁ ପୁଁ ହେଉଥିଲା ଯେ ତାଙ୍କୁ ସେଠାକୁ ଶାସ୍ତିବିଧାନ ସ୍ୱରୂପ ବଦଳି କରାଯାଇଛି । କୌଣସି ଅଫିସର ସେଠାକୁ ଯିବାକୁ ଚାହୁଁନଥିଲେ । ଏବେ କଚ୍ଛ ରାଜ୍ୟର ଦ୍ରୁତତର ବିକାଶଶୀଳ ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି । ଦେଶର ପ୍ରତ୍ୟେକ ରାଜ୍ୟରେ ସେଭଳି ଗୋଟିଏ ଦୁଇଟି ଲେଖାଏଁ ଜିଲ୍ଲା ରହିଛି । ଏଭଳି ମାନସିକତା ବଦଳାଇବା ସକାଶେ ଆମକୁ ସେଠାରେ ଯୁବ ଅଧିକାରୀମାନଙ୍କୁ ନିଯୁକ୍ତ କରିବାକୁ ପଡ଼ିବ । ମୁଁ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କଲି । ସେଠାରେ ଯୁବ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି ଏବଂ ପ୍ରତିଦିନ ଭିତ୍ତିରେ ସେହି 112ଟି ଯାକ ଜିଲ୍ଲାର ବିକାଶ କାର୍ଯ୍ୟାବଳୀକୁ ମନିଟରିଂ କରାଯାଉଛି । ସେମାନଙ୍କର କିଛି କ୍ଷେତ୍ରରେ ତାହାଦ୍ୱାର ଉନ୍ନତି ଘଟିପାରିଛି । ସବକା ସାଥ, ସବକା ବିକାଶ ଦ୍ୱାରା, ମୋ କହିବାର ତାତ୍ପର୍ଯ୍ୟ ହେଲା, ଯେଉଁ ଜିଲ୍ଲା ବିକାଶ ଧାରାରେ ପଛୁଆ ପଡ଼ିଯାଇଛି ତାକୁ ଆଗକୁ ଆଣିବାକୁ ପଡ଼ିବ । ତାହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧିପାଇବ ଏବଂ ସେମାନେ ଆଗକୁ ଆଗେଇବାକୁ ଚେଷ୍ଟା କରିବେ ।

ଗତ ପାଞ୍ଚ ବର୍ଷ ଭିତରେ ଆମେ ଉତ୍ତର- ପୂର୍ବାଞ୍ଚଳ ଉପରେ ଗୁରୁତ୍ୱ ଆରୋପ କରିଆସିଛୁ । ସେଠାରେ ବିକାଶର ଏକ ଭିନ୍ନ ବାତାବରଣ ସୃଷ୍ଟି କରାଯାଇପାରିଛି । ଏହା ଉପରେ ଆମେ ଆହୁରି ଅଧିକ ଗୁରୁତ୍ୱ ଆରୋପ କରିବାକୁ ଚାହୁଁ । ରାଷ୍ଟ୍ର ତଥା ମୋ ପାଇଁ ଉତ୍ତର ପୂର୍ବାଞ୍ଚଳ ବେଶ୍ ମହତ୍ତ୍ୱ ରଖେ । ତେଣୁ, ବିଗତ ପାଞ୍ଚ ବର୍ଷ ଭିତରେ ସେଠାକୁ ମନ୍ତ୍ରୀମାନଙ୍କୁ ଗସ୍ତ କରିବା ସକାଶେ ବାଧ୍ୟତାମୂଳକ କରାଯାଇଛି । ତାହା ପୁଣି କେବଳ ସେଠାକାର ରାଜ୍ୟମାନଙ୍କ ରାଜଧାନୀକୁ ନୁହେଁ, ବରଂ ସେମାନଙ୍କୁ ଅନ୍ୟକୌଣସି ଜିଲ୍ଲାରେ ଅନ୍ତତଃ ଗୋଟିଏ ରାତି ବିତାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପଛରେ ଥିବା ମୋର ଚିନ୍ତନଟି ହେଲା  ସବକା ସାଥ ସବକା ବିକାଶର ଅର୍ଥକୁ ଦେଶର ସମସ୍ତ ଅଞ୍ଚଳର ଲୋକମାନେ ହୃଦୟଙ୍ଗମ କରିପାରିବେ ଏବଂ ଭୌଗୋଳିକ ଦୃଷ୍ଟିରୁ ସେ କ୍ଷେତ୍ର ବିକଶିତ ହୋଇପାରିବ ।

ଜଳ ବିଦ୍ୟୁତ ଠାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ:

ଆଜିକାଲି ମୁଁ କିଛି ଜଳ ସର୍ଭେ କାର୍ଯ୍ୟ ସଂପାଦନ କରିଛି । ଦେଶର 226ଟି ଜିଲ୍ଲା ଜଳ ସଂପର୍କୀତ କୌଣସି ନା କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି । ସେଥିପାଇଁ ମୁଁ ସମସ୍ତଙ୍କୁ ପ୍ରେରିତ କରିଛି । ଜଳ ସଂରକ୍ଷଣ ବ୍ୟବସ୍ଥାରେ ଘଟାଯାଉଥିବା କାର୍ଯ୍ୟରେ ଆପଣମାନେ ସହଯୋଗର ହାତ ବଢ଼ାଇବାକୁ ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି । ଏମପିଲାଡ଼ ପାଣ୍ଠିରେ ଜଳ ସଂରକ୍ଷଣକୁ କିଭଳି ଗୁରୁତ୍ୱ ପ୍ରଦାନ କରାଯିବ? ସେଭଳି କାର୍ଯ୍ୟ ପାଇଁ କିଭଳି ପାଣ୍ଠି ବ୍ୟବସ୍ଥା କରାଯିବ? ଏହି ସମସ୍ୟାରୁ ଦେଶକୁ ବାହାରକୁ ବାହାର କରାଯିବା ଆବଶ୍ୟକ । ସମାଜକୁ ଜଳ ସଂପର୍କୀତ ସମସ୍ୟାବଳୀ ସଂପର୍କରେ ସଚେତନ କରାଯିବା ଦରକାର ଓ ଭବିଷ୍ୟତ ପିଢ଼ି ପାଇଁ କିଭଳି ଜଳ ସଂରକ୍ଷିତ ରଖାଯାଇପାରିବ ସେ ଦିଗରେ ସେମାନଙ୍କୁ ଅବଗତ କରାଯିବା ଦରକାର । ସେମାନେ ଯେଭଳି ଜଳ ସଂକଟର ସମ୍ମୁଖୀନ ନହେବେ । ତେଣୁ ଜଳଶକ୍ତି ମନ୍ତ୍ରଣାଳୟ ନାମକ ଏକ ନୂତନ ମନ୍ତ୍ରଣାଳୟ ସୃଷ୍ଟି କରାଯାଇଛି ଯାହା ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ ।

ପୂର୍ବର ଯାହା ମୁଁ କହିଛି ସେହି କଥା ଆଜି ମୁଁ ଦୋହରାଉଛି । ଆମକୁ ଦେଶକୁ ଏକ 5 ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବାକୁ ହେବ । ଏଠାରେ ଦେବାଳିଆ ଆଇନ ସଂପର୍କରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇସାରିଛି । ପଳାତକ ଆର୍ଥିକ ଅପରାଧୀ ନିରୋଧ ଆଇନ ଏବଂ ଇନସଲଭେନ୍ସି ଓ ବ୍ୟାଙ୍କରପ୍ସି କୋଡ଼ର ଏତେ ପ୍ରଭାବ ଯେ ଏହି ଦୁଇ ଆଇନ ବଳରେ ବ୍ୟାଙ୍କକୁ ଏବେସୁଦ୍ଧା 3 ଲକ୍ଷ କୋଟି ଟଙ୍କା ଫେରିସାରିଛି । ତେଣୁ ଏଭଳି ବାତାବରଣର ସକାରାତ୍ମକ ଦିଗ ପ୍ରତି ଆମେ ଦୃଷ୍ଟିପାତ କରିବା ଉଚିତ ଏବଂ ସେସବୁ ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେ କଥା ଚିନ୍ତା କରିବା ଆବଶ୍ୟକ । ଏଥିପାଇଁ ଆମମାନଙ୍କୁ ଏକତ୍ର କାର୍ଯ୍ୟ କରିବାକୁ ପଡ଼ିବ ଏବଂ ମୋର ବିଶ୍ୱାସ ଯେ ଏହି ଉଦ୍ୟମରେ ଆମକୁ ଖୁବ୍ ଶୀଘ୍ର ସୁଫଳ ମିଳିବ ଏଠାରେ ସହଭାଗୀ ସଂଘୀୟ ବ୍ୟବସ୍ଥା କଥା ମଧ୍ୟ ଆଲୋଚିତ ହୋଇଛି । ମୋର ବିଶ୍ୱାସ ଯେ ଆମ ସମ୍ବିଧାନର ପ୍ରଣେତାମାନେ ଦୂରଦୃଷ୍ଟିସମ୍ପନ୍ନ ଏଭଳି ଏକ ନଥି  ପ୍ରଦାନ କରିଛନ୍ତି ଯଦ୍ୱାରା ଆମେ ଦେଶକୁ ଏକତ୍ର ରଖିପାରିବା ସହ ଆଗକୁ ଅଗ୍ରସର ହୋଇପାରିବା ।

ସହଭାଗୀ ପ୍ରତିଯୋଗୀ ସଂଘୀୟ ବ୍ୟବସ୍ଥା: ରାଜ୍ୟ ରାଜ୍ୟ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି କରାଯିବା ଏକାନ୍ତ ଜରୁରୀ । ଆମକୁ ନାରାମନ୍ତ୍ରରେ  ଆଗକୁ ଅଗ୍ରସର ହେବାକୁ ପଡ଼ିବ । ନାରା- ଅର୍ଥାତ୍, କ୍ଷେତ୍ରୀୟ ଆକାଂକ୍ଷାସହ ଜାତୀୟ ଲକ୍ଷ୍ୟ ହାସଲ କରିବା । କିନ୍ତୁ ପ୍ରଶ୍ନ ହେଉଛି ଏଭଳି କିଛି କଣ ପ୍ରସଙ୍ଗ ନାହିଁ ଯାହା ଉପରେ ଆମେମାନେ ସହମତ ହୋଇପାରିବା? ଏହା କଣ ଘଟିବା ସମ୍ଭବ ନୁହେଁ? ଆମେମାନେ କଣ ସେଭଳି ପ୍ରସଙ୍ଗକୁ ନେଇ ଏକ କାର୍ଯ୍ୟକ୍ଷମ ବାତାବରଣ ସୃଷ୍ଟି କରିପାରିବା ନାହିଁ ଯେଉଁଥିରେ ଆମେମାନେ ସହମତ ହୋଇପାରିବା ।

ଗାନ୍ଧୀଜୀଙ୍କ 150ତମ ଜୟନୀ ଏବଂ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଏଭଳି ଏକ ସୁଯୋଗ । ଏହିସବୁ  କାର୍ଯ୍ୟକ୍ରମ ସକାଶେ ଆମେ ପରସ୍ପରର ହାତ ଧରାଧରି ହୋଇ ଚାଲିପାରିବା ରାଜ୍ୟସଭା କଣ ଆମ ସଂଘୀୟ ବ୍ୟବସ୍ଥାର ଅଂଶବିଶେଷ ନୁହେଁ କି? ଆମେ କଣ ଏକ ପୃଥକ୍ ୟୁନିଟ୍? ନା! ଆମେ ସେହି ଏକା ବ୍ୟବସ୍ଥାର ଅଂଶବିଶେଷ । ଲୋକସଭାକୁ ଜନସାଧାରଣ ନିର୍ବାଚିତ ପ୍ରତିନିଧିମାନଙ୍କୁ ପଠାଇଛନ୍ତି ।

କିନ୍ତୁ ଆମମାନଙ୍କର ଯେହେତୁ ଏଠାରେ ସଂଖ୍ୟାଗରିଷ୍ଠତା ନାହିଁ ତାହାବୋଲି କଣ ଆପଣମାନେ ହଙ୍ଗାମା ସୃଷ୍ଟି କରିବେଉୁଁ ମୁଁ ବୁଝିପାରୁଛି ଆମକୁ ଅପମାନିତ କରି ଆପଣମାନେ ଖୁସି ହେଉଛନ୍ତି କିନ୍ତୁ ଦେଶ ପାଇଁ ଆପଣମାନେ କଣ କରିବେ? ମୁଁ ଏଠାରେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମାଲୋଚନା କରୁନାହିଁ । ମୁଁ କେବଳ ଏକ ବିଶ୍ଳେଷଣ କରୁଛି ମାତ୍ର ।

ଗତ ପାଞ୍ଚ ବର୍ଷ ମଧ୍ୟରେ, ଆମେ ପ୍ରାୟ ସମାପ୍ତ ହେବାକୁ ଥିବା ଅନେକ କାର୍ଯ୍ୟକୁ ବାତିଲ କରିଛୁ । ଆପଣମାନେ ମୋତେ କୁହନ୍ତି । ଯେଉଁସବୁ ବିଲ୍ ରଦ୍ଦ ହୋଇଯାଇଛି ପୁଣି ଥରେ ତାହା ମୂଳରୁ ଆଗତ ହେବ । କାରଣ ରାଜ୍ୟସଭାରେ ପାରିତ ହୋଇନଥିବାରୁ ତାହାକୁ ପୁଣି ଥରେ ଲୋକସଭାରେ ଆଗତ କରାଯିବ । ପୁଣି ଥରେ, ସେହି ପ୍ରକ୍ରିୟାରେ ଆମକୁ ଅର୍ଥ ବ୍ୟୟ କରିବାକୁ ପଡ଼ିବ । ଏହା ଲୋକମାନେ ଦେଇଥିବା ଟିକସ ଅର୍ଥ ଏବଂ ତାହା ଅଯଥାରେ ବ୍ୟୟ ହେବ । ପାର୍ଲାମେଣ୍ଟର ପୁଣି କିଛି ସମୟ ବରବାଦ ହେବ । ଆମର ରାଜ୍ୟସଭା ସେହିସବୁ ବିଲକୁ ପାରିତ କରିପାରନ୍ତା କାରଣ ଏହା ହେଉଛି ସୁସ୍ଥ ସଂଘୀୟ ବ୍ୟବସ୍ଥାର ଅଂଶବିଶେଷ ଏବଂ ଏହା ମଧ୍ୟ ଏ ଗୃହର ଦାୟିତ୍ୱ ଯେ ଆଗକୁ ଆଗେଇ ସଂଘୀୟ ମନୋଭାବ ଦ୍ୱାର ସେମାନେ ବିଲଗୁଡ଼ିକୁ ପାରିତ କରିବା ଉଚିତ ।

ଆପଣମାନେ ଆମମାନଙ୍କ କଥାରେ ରାଜି ହେବେ କି ନହେବେ ତାହା ଆପଣମାନଙ୍କ ଇଚ୍ଛା କିନ୍ତୁ ଆମେ ସଭିଏଁ  ଆମର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ଦାଙ୍କ ସହ ଏକମତ ହେବା ଆବଶ୍ୟକ ।  ମୁଁ ରାଜିହେବା ଉଚିତ ଏବଂ ଆପଣ ମଧ୍ୟ ରାଜି ହେବା ଦରକାର । ପ୍ରଣବ ଦାଗୋଟିଏ କଥା ଅତି ସ୍ପଷ୍ଟ ସ୍ୱରରେ କହିଥିଲେ । ତାହା ହେଉଛି ସଂଖ୍ୟାଗରିଷ୍ଠ ଦଳ ଶାସନ କରିବାକୁ ଜନସମର୍ଥନ ପାଇଛନ୍ତି ଏବଂ ସଂଖ୍ୟାଲଘୁ ତାହାକୁ ବିରୋଧ କରିବାକୁ ନିର୍ବାଚିତ ହୋଇଛନ୍ତି ।ମୁଁ ଭାବୁଛି ସେଥିରେ ଦ୍ୱିମତ ଥାଇନପାରେ । କିନ୍ତୁ ଆମର ପୂର୍ବତନ ରାଷ୍ଟ୍ରପତି ଏକଥା ମଧ୍ୟ ସେଥିରେ ଯୋଡ଼ି କହିଥିଲେ – କିନ୍ତୁ କେହି କାର୍ଯ୍ୟକୁ ବାଧା ପହଞ୍ଚାଇବା ପାଇଁ ମତାଧିକାର ପାଇନାହାନ୍ତି ।ମୋର ବିଶ୍ୱାସ ଯେ ଆମେମାନେ ସେହି ମନ୍ତ୍ରକୁ ପାଥେୟ କରି ଆଗକୁ ଅଗ୍ରସର ହେବା ଉଚିତ । ତାହେଲେ ଯାଇ ସଂଘୀୟ ଢ଼ାଞ୍ଚା ଏହାର ଅସଲ ମାର୍ଗରେ କାର୍ଯ୍ୟ କରିପାରିବ । ଏବଂ ରାଜ୍ୟସଭା ହେଉଛି ରାଜ୍ୟଗୁଡ଼ିକର ପ୍ରତିନିଧିମାନଙ୍କ ସଭା । ଏଠାରେ ରାଜ୍ୟମାନଙ୍କ ଆକାଂକ୍ଷାପ୍ରତିଫଳିତ ହୋଇଥାଏ । ଆପଣମାନେ ନିଜ ନିଜ ଦଳର ଗଣ୍ଡିର ଉଦ୍ଧ୍ୱର୍କୁ  ଉଠନ୍ତୁ ଏବଂ ରାଜ୍ୟମାନଙ୍କ କଲ୍ୟାଣ ସକାଶେ ସ୍ୱର ଉତ୍ତୋଳନ କରନ୍ତୁ ।

ଏକଥା ସତ ଯେ ଭାରତ ଭଳି ଏକ ରାଷ୍ଟ୍ରରେ ସବୁ ରାଜ୍ୟକୁ ଏକାସଙ୍ଗେ ସବୁକଥା ଦେବା ଅସମ୍ଭବ । କିଛି ରାଜ୍ୟଙ୍କୁ ହୁଏତ ଆଗ କିଛି କଥା ଦିଆଯାଇଥାଇ ପାରେ ଏବଂ ଅନ୍ୟମାନଙ୍କୁ ପଛରେ । ସମ୍ଭବତଃ କିଛି ରାଜ୍ୟ ଏଯାବତ୍ ତାହା ନପାଇଥାଇ ପାରନ୍ତି । ଏପରି ଘଟେ ଏବଂ ପୂର୍ବରୁ ମଧ୍ୟ ଏହା ଘଟିଛି । କିନ୍ତୁ ଏହି କାରଣକୁ ଗଣ୍ଠିକରି କଣ ଗୃହର କାର୍ଯ୍ୟକୁ ଅଚଳ କରିରଖିବା ଉଚିତ ଏବଂ ତାହା ପୁଣି କେବଳ ଆପଣମାନେ ସଂଖ୍ୟାଗରିଷ୍ଠ ହୋଇଥିବାରୁ? ମୁଁ ଜାଣିଛି ଗତଥର ଯେତେବେଳେ ଗୃହ କାର୍ଯ୍ୟ ସମାପ୍ତ ହେଲା, ଉଭୟ ଆନନ୍ଦଜୀ ଏବଂ ଗୁଲାମନବୀ ଆଜାଦ ଜୀ ମୋତେ କହୁଥିଲେ- ଆମମାନଙ୍କୁ କିଛି ଗୋଟିଏ କରିବାକୁ ପଡ଼ିବ । କେତେକ ରାଜ୍ୟର ଗୋଟିଏ ପ୍ରସଙ୍ଗ ରହିଛି କିନ୍ତୁ ଯଦି କିଛି ଅଥବା ଅନ୍ୟ ସାଂସଦମାନେ  ଗୃହର କାର୍ଯ୍ୟକୁ ରୋକି ଚାଲନ୍ତି, ତାହା ଠିକ୍ କଥା ହେବନାହିଁ ।

ମୁଁ ବିଶ୍ୱାସ କରୁଛି ଯେ ଆମେ ସଭିଏଁ ଏକତ୍ର ମିଶି ଗୃହକୁ ଚଳାଇବାକୁ ହେବ ଏବଂ ଦେଶକୁ ଆଗକୁ ଆଗେଇ ନେବାକୁ ପଡ଼ିବ । ମୁଁ ଏକଥାରେ ମଧ୍ୟ ବିଶ୍ୱାସୀ ଯେ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଏବଂ ସ୍ୱାଧୀନତାର 75ତମ ପୂର୍ତ୍ତି ଆମମାନଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ । ଏହା ଏପରି ଏକ ଦିନ ଓ ଅବସର ଯେତେବେଳେ ଆମେ ସଭିଏଁ ନେତୃତ୍ୱ ନେଇପାରିବା ଓ ଜନସାଧାରଣଙ୍କୁ ପଚାରିପାରିବା ଯେ ସେମାନେ କିଛି ନା କିଛି କରନ୍ତୁ । ଆମେ ଆମର ଦାୟିତ୍ୱବୋଧ ଓ କର୍ତ୍ତବ୍ୟର ମନୋଭାବକୁ ଜାଗ୍ରତ କରିପାରିବା ଓ ଲୋକଙ୍କ ମନରେ ତାହା ଉଜ୍ଜୀବିତ କରିପାରିବା ଯେ ସଭିଏଁ କିଛି ନା କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ହୁଅନ୍ତୁ । ଏହା ନିଶ୍ଚିତ ଭାବେ ସମ୍ଭବ ଯେ ଯଦି ଆମେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରେରିତ କରିବା ଯେ ସେମାନେ ଖାଇବା ପୂର୍ବରୁ ନିଶ୍ଚିତ ଭାବେ ହାତ ଧୋଇବା ଆବଶ୍ୟକ । ଆମେ ଏମିତି ନିୟମ କରିବା ଯେ 150ତମ ଗାନ୍ଧୀ ଜୟନ୍ତୀ ଅବସରରେ ଏହା ବାଧ୍ୟତାମୂଳକ କରାଯିବ । ମୁଁ ନିଷ୍ପତ୍ତି ନେବି ଯେ ମୋ ଜୀବନରେ କିଛି ନା କିଛ ନୂଆକଥା କରିବି । ଅନ୍ୟମାନେ ମଧ୍ୟ କିଛି ନା କିଛି ସଂକଳ୍ପ ନେବେ- ଯେପରିକି ମୁଁ ଛୋଟ ବାଳକଟିଏ , ତେଣୁ ମୁଁ ଖାଦ୍ୟ ନଷ୍ଟ କରିବିନାହିଁ ।

ଆମର କୃଷକମାନେ ସିଦ୍ଧାନ୍ତ ନେବେଯେ ସେମାନେ 10% କମ୍ ୟୁରିଆ ବ୍ୟବହାର କରିବେ ଯଦ୍ୱାରା ଧରିତ୍ରୀମାତାର ସ୍ୱାସ୍ଥ୍ୟ ଭଲ ରହିବ । 1942-1947 ବେଳର କଥା ଚିନ୍ତା କରନ୍ତୁ । ଗାନ୍ଧୀଜୀ ଏହିଭଳି ଛୋଟ ଛୋଟ କଥାକୁ ନେଇ ସମସ୍ତ ନାଗରିକଙ୍କୁ ଦାୟିତ୍ୱସମ୍ପନ୍ନ କରିପାରିଥିଲେ । ଆମେ ମଧ୍ୟ କିଛି ନୂଆ କଥା କରି ଦେଖାଇବା । ଗାନ୍ଧୀଜୀଙ୍କ ମଡ଼େଲକୁ ଆଧାର କରି ଆମେ ମଧ୍ୟ ଆଗକୁ ଅଗ୍ରସର ହୋଇପାରିବା । ଦେଶଲାଗି କିଛି କରିବା ଲାଗି ଆମେମାନେ ସଂକଳ୍ପ ନେଇପାରିବା । ଆମେମାନେ ନିଜ ଭିତରେ କର୍ତ୍ତବ୍ୟର ଭାବନା ଜାଗ୍ରତ କରିପାରିବାନୂତନ ଭାରତ ନିର୍ବାଣ କରିବା ସକାଶେ ଆମେମାନେ ଭିନ୍ନ ଭିନ୍ନ ମଡ଼େଲ ଅନୁସରଣ କରିପାରିବା । ସେଇ ପୁରୁଣା ବ୍ୟବସ୍ଥା ଭିତରେ ଆଉ ରହିବାନାହିଁ । ଦେଶର ଯୁବଶକ୍ତି ସେମାନଙ୍କ ସ୍ୱପ୍ନର ନୂତନ ଭାରତ ଗଠନ କରିପାରିବେ ।

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଲୋଚନା ମାଧ୍ୟମରେ ହିଁ ଏଥିରୁ ଶ୍ରେଷ୍ଠ ନିର୍ଯ୍ୟାସ ଉତ୍ପନ୍ନ ହୋଇପାରିବ ଓ ଏହାକୁ ଆମେମାନେ ଉପଯୋଗ କରିପାରିବା । ଦେଶର କଲ୍ୟାଣ ସକାଶେ ଆମେମାନେ କିଛି ପଦକ୍ଷେପ ଗ୍ରହଣ କରିପାରିବା ।

ଯେଉଁମାନେ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି  ପୁଣି ଥରେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ମହାମହୀମ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କର ଅଭିଭାଷଣ ସକାଶେ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ପରିଶେଷରେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ!

 

**********