Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବର୍ଷ ଏକ-ଆୟୁଷ୍ମାନ ଅନେକ ଆୟୁଷ୍ମାନ ଭାରତର ୧ ବର୍ଷ ପୂର୍ତି ଉପଲକ୍ଷେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ୧୦.୭୦ କୋଟି ଗରିବ ପରିବାରଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରୁଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ପାଇଁ ଏକ ନୂଆ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି ।

ଆଜି ନୂଆଦିଲ୍ଲୀରେ ଆୟୋଜିତ ଆରୋଗ୍ୟ ମନ୍ଥନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ସଭାପତିତ୍ୱ କରିଥିଲେ ।

ସେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ)ର ବଛା ବଛା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ପିଏମ-ଜେଏୱାଇ ଯୋଜନାର ଏକ ବର୍ଷର ଯାତ୍ରାକୁ ପ୍ରଦର୍ଶୀତ କରୁଥିବା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ସେ ‘ଆୟୁଷ୍ମାନ ଭାରତ ଷ୍ଟାର୍ଟ ଅପ ଗ୍ରାଣ୍ଡ ଚ୍ୟାଲେଞ୍ଜ’ର ମଧ୍ୟ ଶୁଭାରମ୍ଭ କରିଥିଲେ ଏବଂ ଏହି ଅବସରରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆୟୁଷ୍ମାନ ଭାରତର ପ୍ରଥମ ବର୍ଷ ସମାଧାନ, ସମର୍ପଣ ଏବଂ ଆପୋସ ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଥିଲା । ଆମେ ସଫଳତା ପୂର୍ବକ ଭାରତରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା କାର୍ଯ୍ୟକାରୀ କରିଛୁ ।”

ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କ ନିକଟରେ ସହଜରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ସଫଳତା ପଛରେ ଏକ ସମର୍ପଣ ଭାବନା ରହିଛି ଏବଂ ଏହି ସମର୍ପଣର ଶ୍ରେୟ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ରୋଗରୁ ମୁକ୍ତ ହେବା ଲାଗି ଦେଶର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ମନରେ ଆଶା ଜଗାଇବା ଲାଗି ଏହା ଏକ ମହାନ ଉପଲବ୍ଧି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଏକ ବର୍ଷ ମଧ୍ୟରେ ଯଦି ଜଣେ ହେଲେ ବ୍ୟକ୍ତିଙ୍କ ଜମି, ଘର, ଅଳଙ୍କାର କିମ୍ବା ଅନ୍ୟ କୌଣସି ସାମଗ୍ରୀ ଚିକିତ୍ସା ଖର୍ଚ୍ଚ ଉଠାଇବା ଲାଗି ବନ୍ଧା ପଡ଼ିବାରୁ ରକ୍ଷା ପାଇଯାଇଛି, ତାହା ହେଉଛି ଆୟୁଷ୍ମାନ ଭାରତ ପାଇଁ ସବୁଠୁ ବଡ଼ ସଫଳତା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧ ବର୍ଷ ମଧ୍ୟରେ ପାଖାପାଖି ୫୦ ହଜାର ଲୋକ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା ସେମାନଙ୍କ ଜିଲ୍ଲା କିମ୍ବା ରାଜ୍ୟ ବାହାରେ ଅଧିକ ଚିକିତ୍ସା ସୁବିଧା ପାଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆୟୁଷ୍ମାନ ଭାରତ ହେଉଛି ନୁ୍ୟ ଇଣ୍ଡିଆର ଏକ ବୈପ୍ଳବିକ ପଦକ୍ଷେପ । ଏହା ଜଣେ ସାଧାରଣ ମଣିଷର ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ନାହିଁ, ବରଂ ୧୩୦ କୋଟି ଲୋକଙ୍କ ସମର୍ପଣ ଓ ସାମର୍ଥ୍ୟର ପ୍ରତୀକ ସାଜିଛି ।

ସେ ଉଲ୍ଲେଖ କରିଥିଲେ ଯେ ଆୟୁଷ୍ମାନ ଭାରତ ସୁସ୍ଥ ଭାରତ ପାଇଁ ସାମୂହିକ ସମାଧାନ । ଭାରତର ସମସ୍ୟା ଓ ଆହ୍ୱାନର ମୁକାବିଲା କରିବା ଲାଗି ସାମଗ୍ରୀକ ଭାବେ ଚିନ୍ତା କରିବା ଲାଗି ସରକାରଙ୍କ ଦୃଷ୍ଟିକୋଣର ଏହା ଏକ ପ୍ରତୀକ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଆୟୁଷ୍ମାନ ଭାରତ ରୋଗୀଙ୍କ ପାଇଁ ଦେଶର ଯେକୌଣସି ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିପାରିଛି ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଏକ ବର୍ଷ ପୂର୍ତି ଉପଲକ୍ଷେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଦ୍ୱାରା ଦୁଇ ଦିନିଆ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କୁ ଏକତ୍ର କରିବା ଲାଗି ମଂଚ ଯୋଗାଇଦେବା ସହିତ ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ଯୋଜନାର  ଉନ୍ନତିକରଣ ପାଇଁ ମାର୍ଗ ବାହାର କରିବା ଏହାର ଉଦେ୍ଦଶ୍ୟ ।

 

**********