ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ପେଟେଣ୍ଟ, ଡିଜାଇନ ଏବଂ ଟ୍ରେଡ ମାର୍କ ମହାନିୟନ୍ତ୍ରକ (ସିଜିପିଡିଟିଏଏମ) ଅଧୀନସ୍ଥ ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟ ଦ୍ୱାରା ବିଭିନ୍ନ ଦେଶ ବା କ୍ଷେତ୍ରର ପେଟେଣ୍ଟ କାର୍ଯ୍ୟାଳୟ ସହିତ ପେଟେଣ୍ଟ ପ୍ରଦାନକୁ ଦ୍ରୁତ ଏବଂ ସୁଦକ୍ଷ କରିବା ପାଇଁ ପେଟେଣ୍ଟ ପ୍ରସିକ୍ୟୁସନ ହାଇୱେ-ପିପିଏଚ କାର୍ଯ୍ୟକ୍ରମକୁ ଗ୍ରହଣ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଉପରୋକ୍ତ କାର୍ଯ୍ୟକ୍ରମ ପ୍ରଯୁକ୍ତି ଆଧାରରେ କେବଳ ତିନି ବର୍ଷ ପାଇଁ ସର୍ବପ୍ରଥମେ ଜାପାନ ପେଟେଣ୍ଟ ଅଫିସ (ଜେପିଓ) ଏବଂ ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟ ମଧ୍ୟରେ ଆରମ୍ଭ ହେବ । ଏହି ପ୍ରଯୁକ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟ ବିଦ୍ୟୁତ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ବିଜ୍ଞାନ, ସୂଚନା ପ୍ରଯୁକ୍ତି, ସିଭିଲ, ଯାନ୍ତ୍ରିକ, ବସ୍ତ୍ର, ମୋଟରଯାନ ଏବଂ ଧାତୁ ବିଜ୍ଞାନ ପରି ବୈଷୟିକ କ୍ଷେତ୍ରରେ ପେଟେଣ୍ଟ ଆବେଦନ ପ୍ରାପ୍ତ କରିବ, ଯେତେବେଳେ ଜିପିଓ ପ୍ରଯୁକ୍ତିର ସମସ୍ତ କ୍ଷେତ୍ରରେ ଆବେଦନ ପ୍ରାପ୍ତ କରିବ ।
ପିପିଏଚ କାର୍ଯ୍ୟକ୍ରମ ଦ୍ୱାରା ଭାରତୀୟ ପେଟେଣ୍ଟ କାର୍ଯ୍ୟାଳୟକୁ ନିମ୍ନଲିଖିତ ଲାଭ ମିଳିବ:
1) ପେଟେଣ୍ଟ ଆବେଦନର ସମାଧାନରେ ଲାଗୁଥିବା ସମୟରେ ହ୍ରାସ ।
2) ପେଟେଣ୍ଟ ଆବେଦନର ସମୟରେ ହ୍ରାସ ।
3) ପେଟେଣ୍ଟ ଆବେଦନ ଯାଞ୍ଚ ପ୍ରକ୍ରିୟାରେ ସୁଧାର ।
4) ଭାରତର ଷ୍ଟାର୍ଟ-ଅପ ଓ ଏମଏସଏମଇ ସମେତ ଭାରତୀୟ ନିବେଶକଙ୍କୁ ଜାପାନରେ ସେମାନଙ୍କର ପେଟେଣ୍ଟ ଆବେଦନ ଯାଞ୍ଚ କରିବା ପ୍ରକ୍ରିୟାକୁ ଦ୍ରୁତ କରିବାର ଅବସର ।
ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀଙ୍କ ନିର୍ଣ୍ଣୟ ଅନୁଯାୟୀ ଭବିଷ୍ୟତ କାର୍ଯ୍ୟକ୍ରମର ସମୟ ବୃଦ୍ଧି କରାଯାଇ ପାରେ । କାର୍ଯ୍ୟକ୍ରମର କ୍ରିୟାନ୍ୱୟନ ପାଇଁ ପେଟେଣ୍ଟ କାର୍ଯ୍ୟାଳୟ ସ୍ୱୟଂ ଏହାର କାର୍ଯ୍ୟପନ୍ଥାର ରୂପରେଖ ପ୍ରସ୍ତୁତ କରିବ ।
**********