Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆଇଆଇଏମ କୋଝିକୋଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ମାନ୍ୟଗଣ୍ୟ ଅତିଥିଗଣ, ଭାଇ ଓ ଭଉଣୀମାନେ, ବନ୍ଧୁଗଣ, ଆଜି ମୁଁ ଆଇଆଇଏମ କୋଝିକୋଡ଼ ଭଳି ଏକ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ “ଭାରତୀୟ ଚିନ୍ତନର ବୈଶ୍ୱିକରଣ” ଶୀର୍ଷକ ସମ୍ମିଳନୀ ଅବସରରେ ଆପଣମାନଙ୍କୁ ସମ୍ବୋଧିତ କରୁଥିବା ଯୋଗୁ ବେଶ୍‌ ଆନନ୍ଦ ଅନୁଭବ କରୁଛି । ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଦେଶର ସୁପରିଚିତ ଶିକ୍ଷାକେନ୍ଦ୍ରମାନ ଏଭଳି ପ୍ରସଙ୍ଗ ପ୍ରତି ସେମାନଙ୍କର ଆଗ୍ରହ ପ୍ରକଟ କରୁଛନ୍ତି । ଏହା କୌଣସି କାକତାଳୀୟ ଘଟଣା ନୁହେଁ ଯେ ଆମେମାନେ ଯେଉଁ ସମୟରେ ଭାରତୀୟ ଚିନ୍ତନର ବୈଶ୍ୱିକରଣ କଥା ଚିନ୍ତା କରୁଛେ, ସେତେବେଳେ ଏହି କ୍ୟାମ୍ପସ ଭିତରେ ସ୍ୱାମୀ ବିବେକାନନ୍ଦଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଛି । ଭାରତୀୟ ଚିନ୍ତନକୁ ସାରା ବିଶ୍ୱରେ ପ୍ରଚାର ଓ ପ୍ରସାର କରିବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନକୁ କିଏ ଅବା ଭୁଲି ପାରିବ ? ଆଜକୁ ବହୁ ବର୍ଷ ପୂର୍ବେ, 1893 ମସିହା ସେପ୍ଟେମ୍ବର 11 ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଭାରତୀୟ ଚିନ୍ତନର ମୂଳସାରକୁ ତାଙ୍କର ଚିକାଗୋ ବକ୍ତୃତାରେ ହିଁ ବ୍ୟକ୍ତ କରିଥିଲେ । ଆମେମାନେ ସଭିଏଁ ଭଲ ଭାବେ ଜାଣୁ ଯେ ଯେଉଁ ମୁହୂର୍ତ୍ତରେ ସେ ସେଠାରେ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ ଏବଂ “ଆମେରିକାର ଭଉଣୀ ଓ ଭାଇମାନେ”, ତାଙ୍କର ଏହି ସମ୍ବୋଧନରେ ସେତେବେଳେ ସାରା ପ୍ରେକ୍ଷାଳୟ କରତାଳି ମାଡ଼ରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହା ସତେ ଯେପରି ତାଙ୍କର ଯାଦୁକରୀ ଶକ୍ତି ଥିଲା ! ସେଥିରେ ସ୍ୱାମୀଜୀ ଯାହା ବ୍ୟକ୍ତ କରିବାକୁ ଚାହିଁଥିଲେ ତାହା ଥିଲା ବିଶ୍ୱ ଭ୍ରାତୃତ୍ୱ ପାଇଁ ଭାରତର ଦୃଢ଼ ଇଚ୍ଛାଶକ୍ତି ଏବଂ ପ୍ରତିବଦ୍ଧତା ।

ବନ୍ଧୁଗଣ, ଭାରତୀୟ ଚିନ୍ତନ ସଦା ସ୍ପନ୍ଦିତ ଏବଂ ବିବିଧ । ଏହା ସ୍ଥିର ଏବଂ ଚିର ପ୍ରବର୍ତ୍ତନମାନ । ପୁଣି ଏହା ବିଶାଳ, ଯାହାକୁ ଏକ ଭାଷଣ ମାଧ୍ୟମରେ କଦାପି ବ୍ୟକ୍ତ କରାଯାଇପାରିବ ନାହିଁ କିମ୍ବା ଏକ ସମ୍ପାନ ଅବା ପୁସ୍ତକରେ ମଧ୍ୟ ପରିପ୍ରକାଶ କରାଯାଇ ପାରିବନାହିଁ । କିନ୍ତୁ, ମୁଖ୍ୟତଃ, ଏପରି କେତେକ ଆଦର୍ଶ ରହିଛି ଯାହା ଭାରତୀୟ ମୂଲ୍ୟବୋଧର ପ୍ରାଣଶକ୍ତି ଭାବେ ଚିରନ୍ତନ ରହିଆସିଛି । ସେଗୁଡ଼ିକ ହେଲା – ଅନୁକମ୍ପା, ସୌହାର୍ଦ୍ଦ୍ୟ, ନ୍ୟାୟ, ସେବା ଏବଂ ମୁକ୍ତ ହୃଦୟ ।

ବନ୍ଧୁଗଣ, ପ୍ରଥମେ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଭାରତର ଏଭଳି କ’ଣ ଅଛି ଯାହା ସାରା ବିଶ୍ୱକୁ ଭାରତ ପ୍ରତି ଆକର୍ଷିତ କରୁଛି । ସେଥିରୁ ପ୍ରଥମ ଓ ପ୍ରଧାନ କାରଣଟି ହେଲା ଏବଂ ଯାହା ପ୍ରଥମେ ମୋ ମନକୁ ଆସେ, ତାହା ହେଲା, ଶାନ୍ତି, ଏକତା ଓ ଭ୍ରାତୃତ୍ୱର ମୂଲ୍ୟବୋଧ । ଅନେକ ରାଜ୍ୟ ସେମାନଙ୍କର ନିଜ ନିଜର ପୃଥକ୍‌ ପୃଥକ୍‌ ଭାଷାରେ, ଭିନ୍ନ ଭିନ୍ନ ଆସ୍ଥାରେ, ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତି ମାଧ୍ୟମରେ, ଅନେକ ପ୍ରକାର ଖାଦ୍ୟ ରୁଚିରେ, ଜୀବନଶୈଳୀରେ, ବେଶପୋଷାକରେ ତାହା ବ୍ୟକ୍ତ କରିଆସିଛନ୍ତି । ତଥାପି, ଶହ ଶହ ବର୍ଷ ଧରି ଆମେ ଶାନ୍ତିର ସହ ବସବାସ କରିଆସିଛୁ । ଶହ ଶହ ବର୍ଷ ଧରି ଆମେ ଆମ ଭୂମିକୁ ସମଗ୍ର ବିଶ୍ୱକୁ ଆମନ୍ତ୍ରଣ କରିଆସିଛୁ । ଆମର ସଭ୍ୟତା ସେତେବେଳ ଠାରୁ ବିକଶିତ, ଯେତେବେଳେ ଅନେକ ସଭ୍ୟତାର ନାମଗନ୍ଧ ସୁଦ୍ଧା ନଥିଲା । କାହିଁକି ? କାରଣ, ଏଠାରେ ପ୍ରତ୍ୟେକ ବ୍ୟକ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ହିଁ ପାଇଥାନ୍ତି ।

ବନ୍ଧୁଗଣ, ଏହା ଆମର ସାମର୍ଥ୍ୟ ଯେ ଆମର ଚିନ୍ତନ ଜୀବନ୍ତ ପରମ୍ପରାରେ ପରିଣତ ହୋଇସାରିଛି ଯାହାକି ସରଳୀକୃତ ଏବଂ ନିର୍ଭରଯୋଗ୍ୟ କାର୍ଯ୍ୟାନ୍ୱୟନରେ ତାହା ରୂପାନ୍ତରିତ ହୋଇଛି । ସେହିସବୁ କାର୍ଯ୍ୟାନ୍ୱୟନ ଜଟିଳ ନୁହେଁ . . . ଅବା ଏକଦିଗଦର୍ଶୀ ନୁହେଁ । ଏହାର ସବୁଠାରୁ ସୁନ୍ଦର କଥାଟି ହେଲା ଏଇଆ ଯେ ସେସବୁ ଭିନ୍ନ ଭିନ୍ନ ଭାବେ ଅଭ୍ୟାସ କରାଯାଇପାରିବ ।

ବନ୍ଧୁଗଣ, ଆମର ଏହି ଦେଶ ଏଭଳି ଏକ ଭୂମି ଯାହା ବିଶ୍ୱକୁ ହିନ୍ଦୁଧର୍ମ, ବୌଦ୍ଧଧର୍ମ, ଜୈନଧର୍ମ ଓ ଶିଖଧର୍ମ ଭଳି ଚଳଚଞ୍ଚଳ ଆସ୍ଥାକୁ ଜନ୍ମ ଦେଇଛି । ଏହି ଭୂମିରେ ସୁଫି ପରମ୍ପରାର ବିକାଶ ଓ ପ୍ରସାର ଘଟିଛି । ଅହିଂସା ଏହିସବୁ ଧର୍ମ ଓ ଆସ୍ଥାର ମୂଳ ଆଧାର ହୋଇ ରହି ଆସିଛି । ବିଂଶ ଶତାବ୍ଦୀରେ, ମହାତ୍ମା ଗାନ୍ଧୀ ଏହିସବୁ ଆଦର୍ଶକୁ ନିଜେ କାର୍ଯ୍ୟରେ ପରିଣତ କରିବାରେ ନେତୃତ୍ୱ ନେଇଛନ୍ତି ଏବଂ ତାହା ହିଁ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ମାର୍ଗ ଉନ୍ମୋଚନ କରିଥିଲା । ତାହା ହିଁ ଭାରତ ବାହାରେ ନିୟୁତ ନିୟୁତ ଲୋକମାନଙ୍କୁ ଆତ୍ମବିଶ୍ୱାସ ଓ ସାମର୍ଥ୍ୟ ଯୋଗାଇଥିଲା । ସେ ଡକ୍ଟର ମାର୍ଟିନ ଲୁଥର କିଙ୍ଗ୍‌ ଜୁନିଅର ହୋଇଥାନ୍ତୁ ଅବା ନେଲସନ ମାଣ୍ଡେଲା ଅବା ଅନେକ ଆଫ୍ରିକୀୟ ରାଷ୍ଟ୍ରର ଅଗଣିତ ସ୍ୱାଧୀନତା ସଂଗ୍ରାମୀ । ସେମାନେ ସଭିଏଁ ଗାନ୍ଧୀଜୀଙ୍କ ଠାରୁ ହିଁ ସେମାନଙ୍କର ପ୍ରେରଣା ଲାଭ କରିଥିଲେ । ଅନେକ ଭାରତୀୟ ସୈନିକ ଦୁଇ ଦୁଇଟି ବିଶ୍ୱ ଯୁଦ୍ଧରେ ସେମାନଙ୍କର ଆତ୍ମବଳି ଦେଇଥିଲେ । ସେମାନେ ସେତେବେଳେ ବିଶ୍ୱର ଅନେକ ସ୍ଥାନରେ ଯୁଦ୍ଧ ଲଢ଼ିଥିଲେ ଯଦିଚ ସେତେବେଳକୁ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ମୁଣ୍ଡ ଟେକି ନଥିଲା କିମ୍ବା ସେହିସବୁ ଯୁଦ୍ଧରେ ଭାରତର କୌଣସି ନେଣଦେଣ ନଥିଲା । ଆମେ କଦାପି କାହାର ଭୂମି ଅଧିକାର କରିବାକୁ ଚାହିଁନାହୁଁ ଅଥବା ସେମାନଙ୍କର ସମ୍ପଦକୁ ନିଜର କରିବାକୁ ଚେଷ୍ଟା କରିନାହୁଁ । କିନ୍ତୁ ଆମର ସୈନିକମାନେ ଶାନ୍ତି ପାଇଁ ସେହି ଯୁଦ୍ଧ ଲଢ଼ିଥିଲେ । ଦଶନ୍ଧି ଦଶନ୍ଧି ଧରି, ଭାରତ ମିଳିତ ଜାତିସଂଘ ଶାନ୍ତିସେନା ପାଇଁ ବିଶ୍ୱବ୍ୟାପୀ ସବୁଠାରୁ ବଡ଼ ସାମର୍ଥ୍ୟ ଭାବେ କାର୍ଯ୍ୟ କରିଆସିଛି ଓ ରହିଆସିଛି ।

ଆଜି ଯଦି ବିଶ୍ୱର ସବୁଠାରୁ ବିବଦମାନ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରିଛି ଏବଂ ସେଠାକାର ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିପାରୁଛନ୍ତି, ସେଥିରେ ଆମର, ଭାରତର ସୈନିକମାନଙ୍କର ଏକ ଭୂମିକା ରହିଛି ଏବଂ ସେମାନେ ତାହା ନିଷ୍ଠାର ସହ ନିର୍ବାହ କରିଛନ୍ତି । ଯେତେବେଳେ ବିଶ୍ୱ ଚିନ୍ତାହୀନ ଘୃଣା, ହିଂସା, ବିବାଦ ଓ ଆତଙ୍କବାଦ କବଳରୁ ନିଜକୁ ମୁକ୍ତ କରିବା ସକାଶେ ପ୍ରୟାସରତ, ଭାରତୀୟ ଚିନ୍ତନ ସେତେବେଳେ ଏ ଦିଗରେ ଆଶାର ଏକ ଆଲୋକ ରେଖା ସଦୃଶ କାର୍ଯ୍ୟ କରୁଛି । କୌଣସି ବିବାଦ ସମାଧାନ ସକାଶେ ନିର୍ଦ୍ଦୟ ଭାବେ ଶକ୍ତି ପ୍ରୟୋଗ କରିବା ଭାରତୀୟ କାର୍ଯ୍ୟଧାରା ନୁହେଁ, ବରଂ ସମୁଚିତ ଆଲୋଚନା ହେଉଛି ଭାରତୀୟ ଭାବଧାରା।

ବନ୍ଧୁଗଣ, ଯେତେବେଳେ ଭାରତ ଶାନ୍ତି ଓ ସୌହାର୍ଦ୍ଦ୍ୟରେ ବିଶ୍ୱାସ କରେ ବୋଲି ମୁଁ କହୁଛି, ସେଥିରେ ପ୍ରକୃତି ମାତା ସହିତ ଏବଂ ଆମର ପରିବେଶ ସହିତ ଉପଯୁକ୍ତ ସୌହାର୍ଦ୍ଦ୍ୟ ରକ୍ଷା ଆବଶ୍ୟକ ବୋଲି ସୂଚୀତ ହୁଏ ।

ବେଦ କହେ, ୟାଂ ରକ୍ଷନ୍ତ୍ୟସ୍ୱପ୍ନା ବିଶ୍ୱଦାନୀଂ ଦେବା ଭୂମିଂ ପୃଥିବୀମପ୍ରମାଦମ୍‌ ।

ପ୍ରକୃତି ମାତା, ଯେଉଁଠାରେ ମୁନିଋଷିମାନଙ୍କ ତପସ୍ୟାକୁ ସକଳ ଆବଶ୍ୟକତାର ପୂରଣକାରୀ ବୋଲି ହେତୁ କରାଯାଇଥାଏ ଏବଂ ତାଙ୍କରି ଉପରେ ହିଁ ସକଳ ପ୍ରକାର ଜୀବନ ନିର୍ଭରଶୀଳ ।

ଆମର ପରମ୍ପରା ସୂଚୀତ କରେ ଯେ ପ୍ରକୃତି ହେଉଛି ଆମମାନଙ୍କର ମାତା । ଭାରତର ଆଧ୍ୟାତ୍ମିକତା ଅନେକ ପଶୁପକ୍ଷୀଙ୍କ ସହିତ ଜଡ଼ିତ ହୋଇ ରହିଆସିଛି । କୌଟିଲ୍ୟ ଏ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଯେ ପ୍ରକୃତି ସହ ସମତୁଲ ହୋଇ ଜୀବନ ବଞ୍ଚୁଥିବା ଜୀବଜନ୍ତୁ ଓ ବୃକ୍ଷଲତାକୁ କିଭଳି ଭାବେ ସୁରକ୍ଷିତ ରଖାଯିବା ଆବଶ୍ୟକ । ଆଜି ଭାରତରେ ଗ୍ରହଣ କରାଯାଉଥିବା ଅନେକ ପ୍ରୟାସରେ ଏଭଳି ଚିନ୍ତନର ପ୍ରତିଫଳନ ଘଟିଛି ବୋଲି ଆମେମାନେ ଦେଖିପାରୁଛେ । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯଦ୍ଦ୍ୱାରା ସୌରଶକ୍ତିକୁ ସଂଗ୍ରହ କରାଯାଇପାରିବ ଯାହାକି ମାନବ ସମାଜ ସକାଶେ ଆଗାମୀ କାଲି ପାଇଁ ସ୍ୱଚ୍ଛ ଶକ୍ତି ଯୋଗାଇବାର ଉତ୍ସ ହେବ । ଆମେ ଅକ୍ଷୟ ଶକ୍ତି ବ୍ୟବହାରକୁ ବୃଦ୍ଧି କରିବା ଦିଗରେ ଆମର ପ୍ରୟାସ ଜାରି ରଖିଛୁ ଏବଂ ସେ ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛୁ । ଭାରତରେ ଏଲଇଡ଼ି ବଲବ୍‌ ବ୍ୟବହାର କରିବା କ୍ଷେତ୍ରରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହୋଇଛି ଯାହାକି ଶକ୍ତି ସଂରକ୍ଷଣ ଦିଗରେ ଏକ ଅଦ୍ଭୁତ ଅବଦାନ ଘଟାଇଛି । ଏ ଦିଗରେ 36 କୋଟି ଏଲଇଡ଼ି ବଲବ୍‌ ବଣ୍ଟନ କରାଯାଇସାରିଛି । 1 କୋଟି ରାସ୍ତାକଡ଼ ଲାଇଟ୍‌କୁ ଏଲଇଡ଼ି ବଲବ୍‌ରେ ପରିବର୍ତ୍ତିତ କରାଯାଇଛି । ଏହା କରାଯିବା ଦ୍ୱାରା ପ୍ରାୟ 25 ହଜାର କୋଟି ଟଙ୍କା ବଞ୍ଚାଯାଇ ପାରିଛି । କେବଳ ସେତିକି ନୁହେଁ, ଏଥି ଯୋଗୁ ଚାରି କୋଟି ଟନ୍‌ କାର୍ବନ ଡାଇଅକ୍ସାଇଡ଼୍‌ ନିର୍ଗମନକୁ ମଧ୍ୟ ରୋକାଯାଇପାରିଛି । ପୁଣି ଶକ୍ତି ସଂରକ୍ଷଣ ଦିଗରେ ମଧ୍ୟ ଏହାର ଏକ ବିରାଟ ଅବଦାନ ରହିଛି ।

ମାନ୍ୟବର ଅତିଥିବୃନ୍ଦ, ଭାରତରେ ବାଘ ସଂଖ୍ୟା 2006 ମସିହା ଠାରୁ ଦ୍ୱିଗୁଣିତ ହୋଇଛି । ଆଜି ଭାରତରେ ବାଘ ସଂଖ୍ୟା ଆସି 2970ରେ ପହଞ୍ଚିଛି । ଅର୍ଥାତ୍‌, ବିଶ୍ୱରେ ମୋଟ ଯେତିକି ସଂଖ୍ୟକ ବାଘ ଅଛନ୍ତି, ସେମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ କେବଳ ଭାରତରେ ହିଁ ଅବସ୍ଥାନ କରନ୍ତି । ତେଣୁ ବାଘମାନଙ୍କ ପାଇଁ ଭାରତ ସବୁଠାରୁ ନିରାପଦ ଆବାସସ୍ଥଳୀ ଯୋଗାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । 2010 ମସିହାରେ, ସମଗ୍ର ବିଶ୍ୱ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ସହମତ ହୋଇଥିଲା । ଆମେ କିନ୍ତୁ ତାହା ନିର୍ଦ୍ଧାରିତ ସମୟସୀମାର ଢ଼େର ପୂର୍ବରୁ ହାସଲ କରିସାରିଛୁ !

ଅନୁରୂପ ଭାବେ, ଭାରତରେ ସିଂହ ସଂଖ୍ୟାରେ ପ୍ରାୟ ତିରିଶ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ତାହା 2010 ଠାରୁ 2015 ମସିହା ମଧ୍ୟରେ । 2010 ମସିହାରେ ଏହି ସଂଖ୍ୟା ଚାରିଶହ ଏଗାର ଥିଲା। ଏବଂ ମୋତେ ସୂଚୀତ କରାଯାଇଛି ଯେ ଏବେ ସେହି ସଂଖ୍ୟା ଆସି ପାଖାପାଖି ଛଅଶହ ଛୁଇଁଛି ।

ବନ୍ଧୁଗଣ, ଭାରତର ଜଙ୍ଗଲ ମାତ୍ରା କ୍ରମାନ୍ୱୟରେ ବୃଦ୍ଧି ପାଇ ଚାଲିଛି । 2014 ମସିହାରେ ସଂରକ୍ଷିତ ଜଙ୍ଗଲ କ୍ଷେତ୍ର ସଂଖ୍ୟା 692 ଥିଲା । ତାହା 2019 ମସିହାରେ ଆସି 860 ଛୁଇଁଛି । 2014 ମସିହାରେ ଗୋଷ୍ଠୀ ସଂରକ୍ଷିତ ଜଙ୍ଗଲ ସଂଖ୍ୟା 43 ଥିଲା । ଏବେ ତାହା 100କୁ ଟପିସାରିଛି । ଏହା ଭାରତର ଅନେକ ପ୍ରକୃତିପ୍ରେମୀଙ୍କୁ ଏବଂ ବନ୍ୟପ୍ରାଣୀପ୍ରେମୀଙ୍କୁ ଜଙ୍ଗଲ ପ୍ରତି ଆକୃଷ୍ଟ କରିଛି । ଆପଣମାନେ ସମସ୍ତେ ନିଶ୍ଚୟ ମ୍ୟାନ ଭର୍ସେସ୍‌ ୱାଇଲ୍ଡ କାର୍ଯ୍ୟକ୍ରମ ଦେଖିଥିବେ । ଭାରତରେ ଏହା ସର୍ବାଧିକ ଆଗ୍ରହ ସୃଷ୍ଟି କରିଛି ।

ବନ୍ଧୁଗଣ, ସୁଚିନ୍ତିତ ଜୀବନଯାପନ, ସ୍ୱାସ୍ଥ୍ୟ ସଚେତନ ଆହାର, ବିଭିନ୍ନ ପ୍ରକାର ଫିଟନେସ୍‌ ରୁଟିନ୍‌ କାର୍ଯ୍ୟକ୍ରମମାନ ଦେଶରେ ଦିନକୁ ଦିନ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଆପଣମାନେ ଜାଣନ୍ତି କି ଏଭଳି ଅନେକ ସ୍ୱାସ୍ଥ୍ୟ ଅଭ୍ୟାସ ଏବେ ବିଶ୍ୱବ୍ୟାପୀ ଲୋକପ୍ରିୟତା ଲାଭ କରିଛି ଯାହାର ମୂଳ ଉତ୍ସ ଭାରତରେ ହିଁ ନିହିତ ? ଶହ ଶହ ବର୍ଷ ପୂର୍ବେ ଭାରତର ମୁନିଋଷିମାନେ ଯୋଗାଭ୍ୟାସ କରିଆସୁଥିଲେ ଏବଂ ସେମାନେ ବିଶ୍ୱକୁ ଆୟୁର୍ବେଦ ଭଳି ଚିକିତ୍ସା ଓ ସ୍ୱାସ୍ଥ୍ୟରକ୍ଷା ପଦ୍ଧତି ଦେଇ ଯାଇଛନ୍ତି । ଯୋଗ କହିଲେ ଆମେ କେବଳ କେତେଗୋଟି ଶାରୀରିକ ବ୍ୟାୟାମ ବା ଅଭ୍ୟାସକୁ ବୁଝି ନଥାଉ । ଏହା ତା’ ଠାରୁ ଢ଼େର୍‌ ଅଧିକ କିଛି । ଯୋଗ ନିଜ ଶରୀରକୁ ସୁସ୍ଥ ରଖିବା ଏବଂ ନିଜକୁ ନିରାମୟ ରଖିବାର ଏକ ସୁନିଶ୍ଚିତ ଉପାୟ । ଏହା ଶରୀରକୁ ଯେତିକି ସତେଜ ରଖିଥାଏ ମନକୁ ତତୋଧିକ ସକ୍ରିୟ କରିଥାଏ । ଦେଶରେ ଆଇଆଇଏମ ଗୋଷ୍ଠୀ ସବୁଠାରୁ ବଡ଼ ଏବଂ ସର୍ବାଧିକ କାର୍ଯ୍ୟବ୍ୟସ୍ତ ଲୋକ ବୋଲି ବିବେଚିତ ହୋଇଥାନ୍ତି । ଯେତେବେଳେ ସେମାନଙ୍କୁ ଅତି ଉତ୍ତମ କାର୍ଯ୍ୟ ମିଳିବାର ସୁଯୋଗ ମିଳେ ତାହା ସହ ସେମାନଙ୍କୁ ମଧ୍ୟ ଅତି କ୍ଳାନ୍ତିକର ରୁଟିନ କାର୍ଯ୍ୟ ମିଳିଥାଏ । ତେଣୁ ମୁଁ ସେମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି ଯେ ସେମାନେ ନିୟମିତ ଭାବେ କିଛି ସମୟ ଯୋଗାଭ୍ୟାସ କରନ୍ତୁ । ଆପଣମାନେ ନିଶ୍ଚିତ ଭାବେ ତାହାର ସକାରାତ୍ମକ ସୁଫଳକୁ ଲକ୍ଷ୍ୟ କରିପାରିବେ । ତାହା ଅବଶ୍ୟ ଆପଣମାନଙ୍କ ଠାରେ ସକାରାତ୍ମକ ପରିବର୍ତ୍ତନ ଆଣିବ ।

ବନ୍ଧୁଗଣ, ଏହି ଭୂମିର ଏକ ଉଲ୍ଲେଖନୀୟ ଗୁଣ ହେଲା ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା, ସେମାନଙ୍କର ଗୁରୁତ୍ୱକୁ ସ୍ୱୀକାର କରିବା ଏବଂ ସେମାନଙ୍କ ମର୍ଯ୍ୟାଦା ରକ୍ଷା କରିବା । “ନାରୀ ତୁ ନାରାୟଣୀ”। ମହିଳାମାନେ ହେଲେ ଦିବ୍ୟତାର ଜୀବନ୍ତ ପ୍ରତୀକ । ଭାରତୀୟ ଚିନ୍ତାନାୟକମାନେ ଶତାବ୍ଦୀ ଶତାବ୍ଦୀ ଧରି ମହିଳା ସଶକ୍ତିକରଣ ସକାଶେ ଦୃପ୍ତ ଆହ୍ୱାନ ଦେଇ ଆସିଛନ୍ତି । ଭାରତର ଭକ୍ତି ସନ୍ଥମାନଙ୍କୁ ଅବା କିଏ ଭୁଲି ପାରିବ ? ରାଜା ରାମମୋହନ ରାୟ ଓ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ଭଳି ସମାଜ ସଂସ୍କାରକମାନଙ୍କ ଭୂମିକା ଓ ଅବଦାନକୁ କିଏ ଅବା ଅସ୍ୱୀକାର କରିପାରିବ ? ମହାତ୍ମା ଫୁଲେ ଓ ସାବିତ୍ରୀ ବାଈ ଫୁଲେଙ୍କ ଭଳି ମହାନ ବ୍ୟକ୍ତିଙ୍କ ପ୍ରୟାସ ଓ ଅବଦାନକୁ କିଏ ଅବା ଭୁଲି ପାରିବ ?

ଏପରିକି ଯେତେବେଳେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ମହିଳାମାନଙ୍କୁ ମତଦାନର ଅଧିକାର ପ୍ରଦାନ କରିବା ସକାଶେ ଦଶନ୍ଧି ଦଶନ୍ଧି ଧରି ସମୟ ନେଇଥିଲେ, ଭାରତ ସମ୍ବିଧାନର ପ୍ରଣେତାଗଣ ସ୍ୱାଧୀନତା ପ୍ରାପ୍ତିର ପ୍ରଥମ ଦିନରୁ ହିଁ ମହିଳାମାନଙ୍କୁ ମତଦାନର ଅଧିକାରକୁ ସୁନିଶ୍ଚିତ କରିଥିଲେ ।

ଭାରତରେ ଆଜି ମୁଦ୍ରା ଋଣ ହାସଲକାରୀଙ୍କ ମଧ୍ୟରୁ ସତୁରି ପ୍ରତିଶତରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା । ମହିଳାମାନେ ଏପରିକି ଆମର ସଶସ୍ତ୍ର ସେନାକୁ ମଧ୍ୟ ସେମାନଙ୍କର ସକ୍ରିୟ ଅବଦାନ ଯୋଗାଇ ଚାଲିଛନ୍ତି । ନୌସେନାର ଏକ ମହିଳା ଅଫିସର ଦଳ ସମୁଦ୍ର ବକ୍ଷରେ ସମଗ୍ର ବିଶ୍ୱକୁ ପରିକ୍ରମା କରିଛନ୍ତି । ଏହା ଏକ ଐତିହାସିକ ଉପଲବ୍ଧି ଓ ସାଫଲ୍ୟ ।

ଆଜି ଭାରତରେ ସର୍ବାଧିକ ସଂଖ୍ୟକ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି । 2019 ମସିହା ଲୋକସଭା ନିର୍ବାଚନରେ ମହିଳାମାନଙ୍କ ଭୋଟଦାନର ହାର ସର୍ବାଧିକ ରହିଥିଲା ।

ବନ୍ଧୁଗଣ, ଭାରତ ସଦାସର୍ବଦା ମୁକ୍ତଚିନ୍ତନକୁ ଉତ୍ସବ ରୂପେ ଗ୍ରହଣ କରିଆସିଛି ।

ମହାତ୍ମା ଗାନ୍ଧୀ ଅତି ସୁନ୍ଦର ଭାବେ ଏହା ବ୍ୟକ୍ତ କରି କହିଯାଇଛନ୍ତି:

“ମୁଁ ଚାହେଁନା ଯେ ମୋର ଘର ଚାରିପଟୁ କାନ୍ଥ ଦ୍ୱାରା ଆବଦ୍ଧ ହୋଇରହୁ; ଏବଂ ମୋର ବାତାୟନ ରୁଦ୍ଧ ରହୁ । ମୁଁ ଚାହେଁ ଯେ ସଂସାରର ସମସ୍ତ ଭୂମିର ସଂସ୍କୃତିର ହାୱା ମୋ ଘର ଦେଇ ଯଥାସମ୍ଭବ ଅବାଧରେ ପ୍ରବାହିତ ହେଉ । କିନ୍ତୁ କୌଣସି ଗୋଟିଏ ସଂସ୍କୃତି ଦ୍ୱାରା ମୋ ପାଦ ଟଳମଳ ହେଉ ତାହା ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ନୁହେଁ ।”

ଗାନ୍ଧୀଜୀ ଦର୍ଶାଇ ଯାଇଛନ୍ତି ଯେ ନିଜ ସଂସ୍କୃତିକୁ ନେଇ ମଣିଷ କେତେ ଗର୍ବ ଅନୁଭବ କରିବା ଉଚିତ ଏବଂ ତଥାପି, ଅନ୍ୟ ସଂସ୍କୃତି ପ୍ରତି ମଧ୍ୟ ସେତିକି ମୁକ୍ତ ରହିବା ଏବଂ ସେଗୁଡ଼ିକ ସହ କିଭଳି ସଦ୍ଭାବନାର ସହ ଜୀବନ ବଞ୍ଚିବାକୁ ପଡ଼େ ତାହା କରିବା ଆବଶ୍ୟକ ।

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ତାଙ୍କର ‘ଭାରତ ତୀର୍ଥ’ କାବ୍ୟରେ ଭାରତ ସଂପର୍କରେ କହିଯାଇଛନ୍ତି:

“ସଭିଏଁ ଏ ଭୂଇଁପରେ ହେବେ ଦେବା ନେବା,

ମିଶିଯିବେ, ମିଶାଇବେ ନିଜ ନିଜ ସାଥେ,

କେହି ଫେରି ଯିବନାହିଁ ଭଗ୍ନ ମନୋରଥେ

ଭାରତମାତାର ବିଶାଳ ମାନବତାର ବେଳାଭୂମି ପରୁ । “

ବନ୍ଧୁଗଣ, ଯେଉଁଠାରେ ମୁକ୍ତ ଚିନ୍ତନ ଥାଏ, ଭିନ୍ନ ଭିନ୍ନ ମତ ପ୍ରତି ସମ୍ମାନବୋଧ ଥାଏ, ସେଠାରେ ଅଭିନବତ୍ୱର ପରିପ୍ରକାଶ ସ୍ୱାଭାବିକ । ଏହି ଅଭିନବତ୍ୱର ଭାବନା ହିଁ ସାରା ବିଶ୍ୱକୁ ଭାରତ ପ୍ରତି ଆକୃଷ୍ଟ କରିଆସୁଛି । ଶୂନର ଚିନ୍ତନ ଏହି ଭାରତ ଭୂମିରେ ହିଁ ପ୍ରଥମେ ଆରମ୍ଭ ହୋଇଥିଲା ଯାହାକି ସମ୍ଭବତଃ ସାରା ବିଶ୍ୱରେ ବୈପ୍ଳବିକ ପରିବର୍ତ୍ତନ ଓ ଧାରଣା ସୃଷ୍ଟି କରିଛି । ଏହା ଗଣିତ ଶାସ୍ତ୍ର ଅଧ୍ୟୟନରେ ଆମୂଳଚୂଳ ପରିବର୍ତ୍ତନ ଆଣିଛି । ଆମେ ଏଭଳି ଏକ ଦେଶ ଯେଉଁଠାରେ ଯୁବଶକ୍ତି ଅତି ସକ୍ରିୟ ଓ ସଂଖ୍ୟାଧିକ ମାତ୍ରାରେ ରହିଛନ୍ତି । ଆମର ଜନସାଂଖ୍ୟିକ ସାମର୍ଥ୍ୟ ଆମକୁ ଏ ଦିଗରେ ନିବେଶର ଏକ ଚୁମ୍ବକୀୟ ଶକ୍ତି ପ୍ରଦାନ କରେ । ଆଜି ସମସ୍ତେ ଚାହାନ୍ତି ସେମାନେ ଭାରତକୁ ଆସିବେ । ଦୁଇ ଦଶନ୍ଧି ପୂର୍ବେ ଆମର ସଫ୍ଟୱେର ଇଣ୍ଡଷ୍ଟ୍ରୀ ଏବଂ ଆଜି ଦେଶରେ ସୃଷ୍ଟି ହୋଇଥିବା ଷ୍ଟାର୍ଟ ଅପ୍‌ ଇକୋ ସିଷ୍ଟମ ଭାରତର ଯୁବଶକ୍ତିର ସାମର୍ଥ୍ୟକୁ ପ୍ରତିପାଦିତ କରୁଛି ।

ବନ୍ଧୁଗଣ, ଯେତେବେଳେ ଆମେ ଜଗତୀକରଣ ଏବଂ ଭାରତୀୟ ଚିନ୍ତନ କଥା କହୁଛୁ, ସେତେବେଳେ ଆମକୁ ମଧ୍ୟ ଏହାର ପ୍ରୟୋଗ କଥା ଚିନ୍ତା କରିବାକୁ ପଡ଼ିବ । ଭାରତୀୟ ବ୍ୟବସ୍ଥା ଏବଂ ପରମ୍ପରା ସହ ଜଡ଼ିତ ରହିବା ଯୋଗୁ ସମସ୍ତେ ନିଜକୁ ଗର୍ବ ଅନୁଭବ କରିବା ଉଚିତ । ଭାରତ ଏବେ ବିକାଶ ପଥରେ ସଗର୍ବେ ଆଗକୁ ଅଗ୍ରସର ହୋଇ ଚାଲିଛି । ଆପଣମାନେ ସମସ୍ତେ ତାହା ଲକ୍ଷ୍ୟ କରିପାରୁଥିବେ ଯେ କେଉଁଭଳି ଭାବେ ଭାରତ ଆର୍ଥିକ ସମାଯୋଜନକୁ କାର୍ଯ୍ୟକାରୀ କରିପାରିଛି । ଅଥବା, ଆମେ କିଭଳି ଭାବେ ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ କରିପାରିଛୁ । କିମ୍ବା, କିଭଳି ଭାବେ ଭାରତ ନିୟୁତ ନିୟୁତ ପରିବାରଙ୍କୁ ଧୂମମୁକ୍ତ ରୋଷେଇ ଘର ଯୋଗାଇ ପାରିଛି । ନିୟୁତ ନିୟୁତ ଘରେ, ଦରିଦ୍ରରୁ ଦରିଦ୍ରତମ ପରିବାର ଏହା ଦ୍ୱାରା ଉପକୃତ ହୋଇପାରିଛନ୍ତି ।

ଆମର ନିର୍ବାଚନ ପଦ୍ଧତି କଥା ଚିନ୍ତା କରନ୍ତୁ । ନିୟୁତ ନିୟୁତ ମତଦାତା ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏପରିକି ମାତ୍ର ଜଣେ ଭୋଟର ଥିବା ସ୍ଥାନରେ ମଧ୍ୟ ଗୋଟିଏ ମତଦାନ କେନ୍ଦ୍ର ସ୍ଥାପନ କରାଯାଉଛି, ତାହା ପୁଣି ଅତି ଦୁର୍ଗମ ସ୍ଥାନରେ । ଏକଥା ନିର୍ବିବାଦରେ କୁହାଯାଇପାରେ ଯେ ବିଶ୍ୱ ଶୃଙ୍ଖଳାରେ ଭାରତର ସ୍ଥାନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବନ୍ଧୁଗଣ, ଭାରତୀୟ ଚିନ୍ତନ ବିଶ୍ୱକୁ ଅନେକ କିଛି ଦେଇଛି ଏବଂ ତାହାଠାରୁ ବଳି ଅଧିକ କିଛି ଦେବାର ସାମର୍ଥ୍ୟ ଭାରତର ରହିଛି । ଅଧୁନା ବିଶ୍ୱ ସମ୍ମୁଖୀନ ହେଉଥିବା ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ବାହାର କରିବାର ଶକ୍ତି ମଧ୍ୟ ଭାରତର ରହିଛି ।

ଆମମାନଙ୍କୁ ପିଲାଟି ଦିନରୁ ଏହି ଶିକ୍ଷା ଦିଆଯାଇ ଆସିଛି:

ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍‌ଦୁଃଖଭାଗଭବେତ୍‌ ।

ସଭିଏଁ ସୁଖୀ ହୁଅନ୍ତୁ । ସମସ୍ତେ ନିରାମୟ ରହନ୍ତୁ । ସମସ୍ତଙ୍କୁ ଉତ୍ତମ ଦୃଶ୍ୟ ହେଉ ଏବଂ ସମସ୍ତଙ୍କ ଠାରୁ ଦୁଃଖ ଦୂର ହୋଇଯାଉ ।
ଏଠାରେ ସମସ୍ତେ କହିଲେ କେବଳ ଭାରତ ଅବା ଭାରତୀୟଙ୍କୁ ବୁଝାଏ ନାହିଁ ।

ଏହା ସମଗ୍ର ବିଶ୍ୱକୁ ସୂଚୀତ କରେ ।

ଭାରତ ବିଶ୍ୱାସ କରେ ଯେ ଭାରତ ଯେତେବେଳେ ପ୍ରଗତି କରିବ ବିଶ୍ୱ ସେହିଭଳି ପ୍ରଗତି ପଥରେ ଧାବମାନ ହେବ । ଯେତେବେଳେ ବିଶ୍ୱ ସମୃଦ୍ଧ ହେବ, ଭାରତ ମଧ୍ୟ ସେଥିରୁ ଲାଭାନ୍ୱିତ ହେବ । ମୋର ବିଶ୍ୱାସ ଏଭଳି ସମ୍ପାନ ଭାରତୀୟ ଚିନ୍ତନକୁ ଲୋକମାନଙ୍କ ମଧ୍ୟରେ ପ୍ରଚାରିତ ଓ ପ୍ରସାରିତ କରିବାରେ ଅଧିକ ସହାୟକ ହେବ ।

ଏତିକି କହି, ମୁଁ ମୋର ବକ୍ତବ୍ୟ ଶେଷ କରୁଛି ଏବଂ ଆଇଆଇଏମ କୋଝିକୋଡ଼କୁ ମୋର ଶୁଭେଚ୍ଛା ଜଣାଉଛି ।

ଆପଣମାନଙ୍କୁ ଧନ୍ୟବାଦ !

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ !

************