ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦର ଆଗାମୀ ବଜେଟ ଅଧିବେଶନରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ । 31 ଜାନୁଆରୀ 2020ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉଦବୋଧନ ଦେଇ ସେ ଏହା କହିଛନ୍ତି ।
ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ଉପରେ ଆଗାମୀ ଅଧିବେଶନରେ ଗୁରୁତ୍ୱାରୋପ କରିବା ଲାଗି ଅଧିକାଂଶ ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପ୍ରଧାନମନ୍ତ୍ରୀ ତାଙ୍କ ଉଦଯାପନୀ ବକ୍ତବ୍ୟରେ ସ୍ୱାଗତ କରିଥିଲେ ।
ସେ କହିଥିଲେ, “ଅଧିକାଂଶ ସଦସ୍ୟ ଦେଶର ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା ଲାଗି ପରାମର୍ଶ ଦେଇଛନ୍ତି । ମୁଁ ଏହାକୁ ସ୍ୱାଗତ କରୁଛି ଏବଂ ଆପଣ ସମସ୍ତଙ୍କ ପରାମର୍ଶ ଅନୁଯାୟୀ ଆମେ ଅର୍ଥର୍ନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବୁ ।”
ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତିରେ ଦେଶ କିଭଳି ଭାବେ ପ୍ରଗତି ପଥରେ ଆଗେଇ ପାରିବ ସେଥିପ୍ରତି ଧ୍ୟାନ ଦେବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
ସେ କହିଥିଲେ, “ବୈଶ୍ୱିକ ପରିସ୍ଥିତିକୁ କିଭଳି ଭାବେ ଭାରତ ସପକ୍ଷରେ ଆଣିପାରିବା ସେଥିପ୍ରତି ଆମେ ଧ୍ୟାନ ଦେବା ଉଚିତ” ।
“ଏହି ବଜେଟ ଅଧିବେଶନ ଏବଂ ନୂଆବର୍ଷର ଆରମ୍ଭରୁ ଯଦି ଆମେ ଦେଶର ଅର୍ଥବ୍ୟବସ୍ଥାକୁ ଏକ ଉପଯୁକ୍ତ ମାର୍ଗରେ ନେଇପାରିବା ତା’ହେଲେ ଏହା ଦେଶର ହିତ ପାଇଁ ଶ୍ରେଷ୍ଠ ଯୋଗଦାନ ହେବ,” ବୋଲି ସେ କହିଥିଲେ ।
ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅନ୍ୟ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆପଣମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅନ୍ୟ ପ୍ରସଙ୍ଗରେ ମୁଁ ସହମତ । ମୁଁ ଏଠାରେ କହିବାକୁ ଚାହେଁ ଯେ, ଏ ସମସ୍ତ ପ୍ରସଙ୍ଗ ଉପରେ ଏକ ଖୋଲା ବିତର୍କ ହେବା ଉଚିତ ।”
ସଂସଦ ଅଧିବେଶନକୁ ଅଧିକ ଫଳପ୍ରଦ କରିବା ଲାଗି ଯୋଗଦାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କହିଥିଲେ ।
ପୂର୍ବ ଦୁଇଟି ଅଧିବେଶନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ସଂସଦର ବିଗତ ଦୁଇଟି ଅଧିବେଶନ ଅଧିକ ଫଳପ୍ରଦ ଥିଲା ଏବଂ ଏହା ସପକ୍ଷରେ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କ ପ୍ରତିନିଧି ଭାବେ ସମସ୍ତ ପ୍ରସଙ୍ଗରେ ଖୋଲା ମନରେ ଆଲୋଚନା କରି ସଦନକୁ ଅଧିକ ଫଳପ୍ରଦ କରିବା ଆମ ସମସ୍ତଙ୍କର ଦାୟିତ୍ୱ ।”
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଓ ଶ୍ରୀ ଭି. ମୂରଲୀଧରନଙ୍କ ସମେତ ସବୁଦଳର ସାଂସଦମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
Attended an all party meeting before the start of the budget session in parliament. pic.twitter.com/vwpEzk7L4L
— Narendra Modi (@narendramodi) January 30, 2020