ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଦିଲ୍ଲୀ ମେଟ୍ରୋର ତିନୋଟି ନୂଆ କରିଡରକୁ ଅନୁମୋଦନ କରିଛି। 16.076 କିଲୋମିଟର ବ୍ୟାପୀ ପଞ୍ଚମ ପର୍ଯ୍ୟାୟ (କ) ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ଅଂଶବିଶେଷ ସ୍ୱରୂପ (1) ଆର.କେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ (9.913 କିଲୋମିଟର), (2) ଏରୋସିଟିରୁ ଆଇଜିଡି ବିମାନ ବନ୍ଦର ଟର୍ମିନାଲ-1 (2.263 କିଲୋମିଟର), (3). ତୁଗଲକାବାଦରୁ କାଳିନ୍ଦୀକୁଞ୍ଜ (3.9 କିଲୋମିଟର) ପର୍ଯ୍ୟନ୍ତ ମେଟ୍ରୋ ରେଳ ସୁବିଧା ବିସ୍ତାର କରାଯିବ। ଏହା ଜାତୀୟ ରାଜଧାନୀରେ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବ। ଦିଲ୍ଲୀ ମେଟ୍ରୋର ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପ ନିର୍ମାଣ କରିବା ଲାଗି 12014.91 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଭାରତ ସରକାର, ଦିଲ୍ଲୀ ସରକାର ଏବଂ ଅନ୍ତର୍ଜାତୀୟ ପାଣ୍ଠି ଯୋଗାଣ ସଂସ୍ଥାଗୁଡ଼ିକ ଏଥିପାଇଁ ପାଣ୍ଠି ଯୋଗାଇଦେବେ।
ଏହି ସେଣ୍ଟ୍ରାଲ ଭିଷ୍ଟା କରିଡର ସବୁ କାର୍ତ୍ତବ୍ୟ ଭବନକୁ ସଂଯୋଗ ପ୍ରଦାନ କରିବ । ଫଳରେ ଏହି ଅଞ୍ଚଳର ଅଫିସ୍ ଯାଉଥିବା କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ ଘର ପାଖରେ ସୁବିଧା ମିଳିପାରିବ। ଏହି ସଂଯୋଗୀକରଣ ଦ୍ୱାରା ଦୈନିକ ପ୍ରାୟ 60,000 ଅଫିସ୍ କର୍ମଚାରୀ ଏବଂ 2 ଲକ୍ଷ ଯାତ୍ରୀ ଉପକୃତ ହେବେ। ତିନୋଟି ନୂଆ କରିଡର ପ୍ରଦୂଷଣ ଏବଂ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଆହୁରି କମାଇବ ଯାହା ସହଜ ଜୀବନଧାରଣରେ ଉନ୍ନତି ଆଣିବ।
ବିବରଣୀ:
ବଟାନିକାଲ୍ ଗାର୍ଡେନ୍ – ଆରକେ ଆଶ୍ରମ ମାର୍ଗ କରିଡରର ଏକ ସମ୍ପ୍ରସାରଣ ରୂପେ ଆରକେ ଆଶ୍ରମ ମାର୍ଗ – ଇନ୍ଦ୍ରପ୍ରସ୍ଥ ସେକ୍ସନ ନିର୍ମାଣ କରାଯିବ। ଏହା ବର୍ତ୍ତମାନ ପୁନଃବିକଶିତ ହେଉଥିବା ସେଣ୍ଟ୍ରାଲ୍ ଭିଷ୍ଟା ଅଞ୍ଚଳକୁ ମେଟ୍ରୋ ସଂଯୋଗ ପ୍ରଦାନ କରିବ । ସେହିପରି ଏରୋସିଟି-ତୁଗଲକାବାଦ କରିଡରକୁ ସମ୍ପ୍ରସାରଣ କରାଯାଇ ଏରୋସିଟି – ଆଇଜିଡି ବିମାନବନ୍ଦର ଟର୍ମିନାଲ 1 ଏବଂ ତୁଗଲକାବାଦ – କାଳିନ୍ଦୀ କୁଞ୍ଜ ସେକ୍ସନ ନିର୍ମାଣ କରାଯିବ। ଏହି କରିଡର ତୁଗଲକାବାଦ, ସାକେତ, କାଳିନ୍ଦୀକୁଞ୍ଜ ଇତ୍ୟାଦି ଅଞ୍ଚଳରେ ଜାତୀୟ ରାଜଧାନୀର ଦକ୍ଷିଣ ଭାଗ ସହିତ ବିମାନବନ୍ଦରକୁ ଯୋଗାଯୋଗରେ ସୁଧାର ଆଣିବ। ଏହି ସମ୍ପ୍ରସାରିତ କରିଡରଗୁଡ଼ିକରେ ମୋଟ୍ 13ଟି ଷ୍ଟେସନ ରହିଛି । ଏଥିମଧ୍ୟରୁ 10ଟି ଷ୍ଟେସନ ଭୂତଳ ଏବଂ 3ଟି ଷ୍ଟେସନ ଉପରେ ନିର୍ମାଣ କରାଯିବ।
ସମ୍ପୂର୍ଣ୍ଣ ହେବା ପରେ, ଆରକେ ଆଶ୍ରମ ମାର୍ଗରୁ ଇନ୍ଦ୍ରପ୍ରସ୍ଥ (9.913 କିଲୋମିଟର) କରିଡର-1 ପଶ୍ଚିମ, ଉତ୍ତର ଏବଂ ପୁରୁଣା ଦିଲ୍ଲୀର କେନ୍ଦ୍ରୀୟ ଦିଲ୍ଲୀ ସହିତ ଯୋଗାଯୋଗରେ ସୁଧାର ଆଣିବ। ଅନ୍ୟ ଦୁଇଟି କରିଡର ଯଥା ଏରୋସିଟିରୁ ଆଇଜିଡି ବିମାନବନ୍ଦର ଟି-1 (2.263 କିଲୋମିଟର) ଏବଂ ତୁଗଲକାବାଦରୁ କାଳିନ୍ଦୀ କୁଞ୍ଜ (3.9 କିଲୋମିଟର) ଦକ୍ଷିଣ ଦିଲ୍ଲୀକୁ ସାକେତ, ଛତରପୁର ଇତ୍ୟାଦି ଦେଇ ଘରୋଇ ବିମାନବନ୍ଦର ଟର୍ମିନାଲ-1 ସହିତ ସଂଯୋଗ କରିବ ଯାହା ଜାତୀୟ ରାଜଧାନୀ ମଧ୍ୟରେ ଯୋଗାଯୋଗରେ ବ୍ୟାପକ ସୁଧାର ଆଣିବ।
ପଞ୍ଚମ ପର୍ଯ୍ୟାୟ (କ) ପ୍ରକଳ୍ପର ଏହି ମେଟ୍ରୋ ସମ୍ପ୍ରସାରଣ କେନ୍ଦ୍ରୀୟ ଦିଲ୍ଲୀ ଏବଂ ଘରୋଇ ବିମାନବନ୍ଦରରେ ଦିଲ୍ଲୀ ମେଟ୍ରୋ ନେଟୱର୍କର ପହଞ୍ଚକୁ ବିସ୍ତାର କରିବ। ଏହାମଧ୍ୟ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ। ମାଜେଣ୍ଟା ଲାଇନ ଏବଂ ଗୋଲଡେନ ଲାଇନର ଏହି ଏକ୍ସଟେନସନ ରାସ୍ତାରେ ଭିଡ଼ ହ୍ରାସ କରିବା ସହିତ ମୋଟର ଯାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବାରେ ସାହାଯ୍ୟ କରିବ।
ଆର.କେ. ଆଶ୍ରମ ମାର୍ଗ – ଇନ୍ଦ୍ରପ୍ରସ୍ଥ ସେକ୍ସନରେ ଯେଉଁ ଷ୍ଟେସନଗୁଡ଼ିକ ନିର୍ମାଣ ହେବ ସେଗୁଡ଼ିକ ହେଉଛି: ଆର.କେ. ଆଶ୍ରମ ମାର୍ଗ, ଶିବାଜୀ ଷ୍ଟାଡିୟମ, କେନ୍ଦ୍ରୀୟ ସଚିବାଳୟ, କର୍ତ୍ତବ୍ୟ ଭବନ, ଇଣ୍ଡିଆ ଗେଟ୍, ଯୁଦ୍ଧ ସ୍ମାରକୀ – ହାଇକୋର୍ଟ, ବରୋଦା ହାଉସ୍, ଭାରତ ମଣ୍ଡପମ୍ ଏବଂ ଇନ୍ଦ୍ରପ୍ରସ୍ଥ।
ତୁଗଲକାବାଦ – କାଳିନ୍ଦୀ କୁଞ୍ଜ ସେକ୍ସନରେ ସରିତା ବିହାର ଡିପୋ, ମଦନପୁର ଖାଦର ଏବଂ କାଳିନ୍ଦୀ କୁଞ୍ଜ ଷ୍ଟେସନ ରହିବ। ଅନ୍ୟପଟେ ଏରୋସିଟି ଷ୍ଟେସନକୁ ଆଇଜିଡି ଟି-1 ଷ୍ଟେସନ ସହିତ ସଂଯୁକ୍ତ କରାଯିବ।
ବର୍ତ୍ତମାନ 111 କିଲୋମିଟର ଏବଂ 83 ଷ୍ଟେସନ ବିଶିଷ୍ଟ ପର୍ଯ୍ୟାୟ-4ର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଆଜି ସୁଦ୍ଧା, ପର୍ଯ୍ୟାୟ-4 (3 ପ୍ରାଥମିକତା) କରିଡରର ପ୍ରାୟ 80.43% ସିଭିଲ୍ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ପର୍ଯ୍ୟାୟ-4 (3 ପ୍ରାଥମିକତା) କରିଡର ଡିସେମ୍ବର 2026 ସୁଦ୍ଧା ପର୍ଯ୍ୟାୟକ୍ରମେ ସମାପ୍ତ ହେବାର ସମ୍ଭାବନା ଅଛି।
ସମ୍ପ୍ରତି ଦିଲ୍ଲୀ ମେଟ୍ରୋରେ ପ୍ରତିଦିନ ହାରାହାରି 65 ଲକ୍ଷ ଯାତ୍ରୀ ଯାତ୍ରା କରୁଛନ୍ତି। 8 ଅଗଷ୍ଟ, 2025ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ 81.87 ଲକ୍ଷ ଯାତ୍ରୀ ଯାତ୍ରା ରେକର୍ଡ କରାଯାଇଛି । ଦିଲ୍ଲୀ ମେଟ୍ରୋ ଏମଆରଟିଏସର ମୁଖ୍ୟ ମାନଦଣ୍ଡ ହେଉଛି ସମୟାନୁବର୍ତ୍ତିତା, ନିର୍ଭରଯୋଗ୍ୟତା ଏବଂ ସୁରକ୍ଷା ଉତ୍କର୍ଷତା। ଏହା ଉଲ୍ଲେଖନୀୟ ସେବା ସହିତ ସହରର ଜୀବନରେଖା ପାଲଟିଛି।
ବର୍ତ୍ତମାନ ଦିଲ୍ଲୀ ଏବଂ ଏନସିଆରରେ ଡିଏମଆରସି ଦ୍ୱାରା 289 ଷ୍ଟେସନ ସହିତ ପ୍ରାୟ 395 କିଲୋମିଟରର ମୋଟ 12 ମେଟ୍ରୋ ଲାଇନ ପରିଚାଳିତ ହେଉଛି। ଦିଲ୍ଲୀ ମେଟ୍ରୋ ଭାରତର ସବୁଠାରୁ ବଡ଼ ମେଟ୍ରୋ ନେଟୱର୍କ ଏବଂ ଏହା ବିଶ୍ୱର ସର୍ବବୃହତ ମେଟ୍ରୋ ମଧ୍ୟରୁ ଅନ୍ୟତମ।
******
PS
Delhi's infrastructure gets a major boost!
— Narendra Modi (@narendramodi) December 24, 2025
Cabinet's approval for three new corridors as part of Delhi Metro's Phase V(A) Project will expand our capital's metro network, thus boosting 'Ease of Living' and reducing congestion.https://t.co/PiWd4e31oP