ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅର୍ଥ ଉପରେ ଗଠିତ ସ୍ଥାୟୀ ସମିତି (ଏସସିଏଫ)ର ସୁପାରିସ ଆଧାରରେ ଅନିୟନ୍ତ୍ରିତ ଜମା ଯୋଜନା ଉପରେ ଅଙ୍କୁଶ ଲଗାଇବା ସଂକ୍ରାନ୍ତ ବିଲ, 2018ରେ ସଂଶୋଧନ ଆଣିବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । ଅନିୟନ୍ତ୍ରିତ ଜମା ଯୋଜନା ଅଂକୁଶ ଲଗାଇବା ସଂକ୍ରାନ୍ତ ବିଲ 2018କୁ 18 ଜୁଲାଇ, 2018ରେ ସଂସଦରେ ଉପସ୍ଥାପନ କରାଯାଇଥିଲା ଏବଂ ଏହାକୁ ଏସସିଏଫକୁ ପଠାଇ ଦିଆଯାଇଥିଲା । ଏହାପରେ ଏସସିଏଫ ଏହି ବିଲ ଉପରେ ନିଜର 17ତମ ରିପୋର୍ଟ 3 ଜାନୁଆରୀ, 2019ରେ ସଂସଦରେ ଉପସ୍ଥାପନ କରିଥିଲେ । ଅଧିକୃତ ସଂଶୋଧନ ଦ୍ୱାରା ଏହି ବିଲ ଦେଶରେ ଅବୈଧ ଭାବେ ଜମା ରାଶି ସଂଗ୍ରହ ବିପଦର ପ୍ରଭାବୀ ଢଙ୍ଗରେ ମୁକାବିଲା କରିବ । ସେହିପରି ବିଭିନ୍ନ ଯୋଜନା ଜରିଆରେ ଗରିବ ଏବଂ ସାଧାରଣ ଲୋକମାନଙ୍କ ମୋଟା ଅଙ୍କର ଆୟ ହଡ଼ପ ଉପରେ ଅଙ୍କୁଶ ଲଗାଇବା ସୁଦୃଢ଼ ହୋଇପାରିବ ।
ପ୍ରମୁଖ ବିଶେଷତ୍ୱ :
ଏହି ବିଲରେ ଅଂକୁଶ ଲଗାଇବାର ଏକ ବ୍ୟାପକ ଅନୁଚ୍ଛେଦ ରହିଛି, ଯାହା ଜମା ରାଶି ସଂଗ୍ରହ କରୁଥିବା କୌଣସି ଅନିୟନ୍ତ୍ରିତ ଜମା ଯୋଜନାର ପ୍ରଚାରପ୍ରସାର କରିବା, ପରିଚାଳନା କରିବା, ବିଜ୍ଞାପନ ଜାରି କରିବା କିମ୍ବା ଜମା ରାଶି ସଂଗ୍ରହ ଉପରେ ଅଂକୁଶ ଲଗାଇଥାଏ । ଉଦ୍ଦେଶ୍ୟ ହେଉଛି, ଏହି ବିଲ ଅନିୟନ୍ତ୍ରିତ ଜମା ସଂଗ୍ରହ ସହ ଜଡ଼ିତ ଗତିବିଧି ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବ । ଏହାର ଅନ୍ତର୍ଗତ ଏପରି ଗତିବିଧିକୁ ଅପରାଧ ଭାବେ ବିବେଚନା କରାଯିବ । ବର୍ତ୍ତମାନର ବିଲ ସହ ନିୟାମକ ଫ୍ରେମୱାର୍କ କେବଳ ବ୍ୟାପକ ସମୟ ଅନ୍ତରାଳ ପରେ ମଧ୍ୟ ଯଥାର୍ଥ ଏବଂ ପିଛିଲା ଭାବେ ଲାଗୁ ହେବ ।
ବିଲରେ ଅପରାଧର ତିନୋଟି ପ୍ରକାର ନିର୍ଦ୍ଧାରଣ କରାଯାଇଛି, ଯେଉଁଥିରେ ଅନିୟନ୍ତ୍ରିତ ଜମା ଯୋଜନା ଚଳାଇବା, ନିୟମିତ ଜମା ଯୋଜନାରେ ଠକେଇ ଉଦ୍ଦେଶ୍ୟରେ ଡିଫଲ୍ଟ କରିବା ଏବଂ ଅନିୟନ୍ତ୍ରିତ ଜମା ଯୋଜନା ସମ୍ପର୍କରେ ମନ୍ଦ ଉଦ୍ଦେଶ୍ୟରେ ପ୍ରଲୋଭନ ଦେବା ସାମିଲ ରହିଛି ।
ବିଲରେ କଠୋର ଦଣ୍ଡ ଦେବା ଏବଂ ଅଧିକ ଜୋରିମାନା ଲାଗୁ କରିବାର ବ୍ୟବସ୍ଥା କରାଯାଇଛି, ଯଦ୍ଵାରା ଲୋକମାନେ ଏପରି ଗତିବିଧିରୁ ଦୂରେଇ ରହିବେ ।
ଅବୈଧ ଢଙ୍ଗରେ ଜମା ରାଶି ଯୋଗାଡ଼ କରିବାରେ ସଫଳ ହୋଇଥିବା ମାମଲାରେ ଜମା ରାଶି ଫେରାଇ ଆଣିବା ଏବଂ ପୁନଃପରିଶୋଧ କରିବାର ଯଥେଷ୍ଟ ବ୍ୟବସ୍ଥା ଏହି ବିଲରେ କରାଯାଇଛି । ସମ୍ପତ୍ତିକୁ ଜବତ କରିବା ଏବଂ ଜମାକାରୀଙ୍କୁ ଅର୍ଥରାଶି ଫେରସ୍ତ କରିବା ଲାଗି ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି ।
ବିଲରେ ଏକ ଅନଲାଇନ କେନ୍ଦ୍ରୀୟ ଡାଟାବେସ ତିଆରି କରିବାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ସାରା ଦେଶରେ ଜମା ରାଶି ସଂଗ୍ରହର ଗତିବିଧି ସହ ଜଡ଼ିତ ସୂଚନା ସଂଗ୍ରହ କରିବାର ସହିତ ସେଗୁଡ଼ିକୁ ପ୍ରଦାନ କରାଯାଇପାରିବ ।
ବିଲରେ ‘ଜମା ରାଶି ସଂଗ୍ରହକାରୀ’ ଏବଂ ‘ଜମା ରାଶି କିମ୍ବା ଡିପୋଜିଟ’କୁ ବ୍ୟାପକ ଭାବେ ପରିଭାଷିତ କରାଯାଇଛି ।
‘ଜମା ରାଶି ସଂଗ୍ରହକାରୀ’ଙ୍କ ମଧ୍ୟରେ ଜମାରାଶି ସଂଗ୍ରହ କରୁଥିବା ସମ୍ଭାବ୍ୟ ସଂସ୍ଥା ଏବଂ ବ୍ୟକ୍ତିବିଶେଷ ରହିଛନ୍ତି । ଏମାନଙ୍କ ମଧ୍ୟରେ ସେପରି ଜଣାଶୁଣା ସଂସ୍ଥା ସାମିଲ ନାହାନ୍ତି, ଯେଉଁମାନଙ୍କର ଆଇନ ଅନୁଯାୟୀ ଗଠନ କରାଯାଇଛି ।
‘ଜମା ରାଶି କିମ୍ବା ଡିପୋଜିଟ’କୁ ଏପରି ଢଙ୍ଗରେ ପରିଭାଷିତ କରାଯାଇଛି ଯେ ଜମା ରାଶି ସଂଗ୍ରହକାରୀଙ୍କୁ ପ୍ରାପ୍ତି ରୂପରେ ଜନସାଧାରଣଙ୍କ ଠାରୁ ଛଳନାପୂର୍ବକ ଆଦାୟ କରାଯାଉଥିବା ଅର୍ଥରାଶି ଉପରେ ଅଙ୍କୁଶ ଲଗାଯାଇପାରିବ । ଏଥିସହିତ କୌଣସି ପ୍ରତିଷ୍ଠାନ ଦ୍ୱାରା ନିଜ ବ୍ୟବସାୟ ଅନ୍ତର୍ଗତ ସାଧାରଣ ଢଙ୍ଗରେ ଧନରାଶି ସଂଗ୍ରହ କରିବା ଉପରେ କୌଣସି ଅଙ୍କୁଶ ଲଗାଯାଇନାହିଁ କିମ୍ବା ଏଥିରେ ବାଧା ସୃଷ୍ଟି କରିବାର ବ୍ୟବସ୍ଥା କରାଯାଇନାହିଁ ।
ବିସ୍ତୃତ କେନ୍ଦ୍ରୀୟ ଆଇନ ହୋଇଥିବା ଦୃଷ୍ଟିରୁ ଏହି ବିଲରେ ସରକାରୀ ଆଇନରୁ ସର୍ବୋତମ ପ୍ରଚଳନକୁ ସାମିଲ କରାଯାଇଛି । ଏଥିସହିତ ବିଲର ବ୍ୟବସ୍ଥା ଲାଗୁ କରିବାର ମୁଖ୍ୟ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଅର୍ପଣ କରାଯାଇଛି ।