Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନ୍ୟାନ୍ୟ ପଛୁଆବର୍ଗ ଉପବର୍ଗୀକରଣ ଅନୁଧ୍ୟାନ ପାଇଁ ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ


ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଗଠନ କରାଯାଇଥିବା କମିଶନଙ୍କ କାର୍ଯ୍ୟକାଳ ଆହୁରି 12 ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କମିଶନ 2 ଏପ୍ରିଲ 2018 ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । କାର୍ଯ୍ୟକାଳ ବଢ଼ାଯିବା ଫଳରେ କମିଶନ ବିଭିନ୍ନ ଭାଗିଦାରମାନଙ୍କ ସହ ପରାମର୍ଶ କରି ଓବିସିଙ୍କ  ଉପବର୍ଗୀକରଣ ପ୍ରସଙ୍ଗରେ ସରକାରଙ୍କ ନିକଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିପାରିବେ ।

ସମ୍ବିଧାନର ଧାରା 340 ଅନୁଯାୟୀ ଏହି କମିଶନ ଗଠନ କରାଯାଇଛି । ଅକ୍ଟୋବର 2, 2017ରେ ଭାରତର ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ । ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର 12 ସପ୍ତାହ ମଧ୍ୟରେ କମିଶନ ଏହାର ରିପୋର୍ଟ ଦାଖଲ କରିବେ ବୋଲି ଧାର୍ଯ୍ୟ ହୋଇଥିଲା ।

ସୂଚନାଯୋଗ୍ୟ ଯେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶ୍ରୀମତୀ ଜି ରୋହିଣୀଙ୍କ ଅଧ୍ୟକ୍ଷତାରେ ଏହି କମିଶନ 11 ଅକ୍ଟୋବର, 2017 ଠାରୁ କାର୍ଯ୍ୟାରମ୍ଭ କରିଥିଲା । ସେବେଠାରୁ କମିଶନ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବା ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ସରକାର ଏବଂ ରାଜ୍ୟ ପଛୁଆ ବର୍ଗ କମିଶନଙ୍କ ସହିତ ଆଲୋଚନା କରିସାରିଛନ୍ତି ।

 

**********