Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ, 25.06.2017


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଋତୁ ବଦଳୁଛି  । ଏଥର ଗରମ ବି ଖୁବ୍ ପଡ଼ିଲା  । କିନ୍ତୁ ଭଲ କଥା ଯେ, ବର୍ଷାଋତୁ ଠିକ୍ ସମୟରେ ନିଜ ପାଦ ଚିହ୍ନ ପକାଇ ଆଗେଇ ଚାଲିଛି  । ଦେଶର ଅନେକ ଅଂଚଳରେ ଭଲ ବର୍ଷା ହୋଇଥିବା ଯୋଗୁଁ ପାଗ ବେଶ୍ ଭଲ ରହିଛି  । ଗତି କିଛି ଦିନ ଧରି ବର୍ଷା ପରେ ବହୁଥିବା ଥଣ୍ଡା ପବନ ଯୋଗୁ ଆରାମ ଲାଗୁଛି  । ଆମେ ସମସ୍ତେ ଜାଣିଛୁ ଯେ, ଜୀବନରେ ଯେତେ କର୍ମ ଚଞ୍ଚଳତା ଥାଉ, ଯେତେ ମାନସିକ ଚାପ ଥାଉ, ତାହା ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ଜୀବନରେ ହେଉ, ବର୍ଷାର ଆଗମନ ମନର ସ୍ଥିତିକୁ ବଦଳାଇ ଦିଏ  ।

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶର ଅନେକ ଅଂଚଳରେ ଖୁବ୍ ଭକ୍ତି ଏବଂ ଉତ୍ସାହର ସହିତ ଦେଶବାସୀ ପାଳନ କରନ୍ତି  । ଏବେ ତ ବିଶ୍ୱର ଅନେକ ଅଂଚଳରେ ମଧ୍ୟ ଭଗବାନ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉତ୍ସବ ପାଳନ କରାଯାଉଛି  । ଭଗବାନ ଶ୍ରୀଜଗନ୍ନାଥଙ୍କ ସହିତ ଦେଶର ଗରିବ ଯୋଡ଼ି ହୋଇ ରହିଛନ୍ତି  । ଯେଉଁମାନେ ଡା. ବାବା ସାହେବ ଆମ୍ବେଦକରଙ୍କ ଜୀବନ ସଂପର୍କରେ ଅଧ୍ୟୟନ କରିଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ଏବଂ ଏହାର ପରମ୍ପରାଗୁଡ଼ିକୁ ଖୁବ୍ ପ୍ରଶଂସା କରୁଥିଲେ, କାରଣ ସେଠାରେ ସାମାଜିକ ନ୍ୟାୟ, ସାମାଜିକ ସମାନତା ଅନ୍ତର୍ନିହିତ  । ଭଗବାନ ଶ୍ରୀଜଗନ୍ନାଥ ଗରିବମାନଙ୍କ ଠାକୁର  । ଖୁବ୍ କମ ଲୋକ ଜାଣିଥିବେ ଯେ, ଇଂରାଜୀରେ ଗୋଟିଏ ଶବ୍ଦ ରହିଛି, Juggernaut ଯାହାର ଅର୍ଥ ହେଉଛି ଏଭଳି ବିଶାଳ ରଥ ଯାହାକୁ କେହି ଅଟକାଇ ପାରିବେ ନାହିଁ  । ଶବ୍ଦକୋଷ ଦେଖିଲେ ଏହି Juggernaut ଶବ୍ଦର ଉତ୍ପତ୍ତି ଜଗନ୍ନାଥଙ୍କ ରଥରୁ ହିଁ ହୋଇଛି  । ଏଥିରୁ ଆମେ ବୁଝିପାରିବା ଯେ ସାରା ବିଶ୍ୱ ନିଜ ନିଜ ଢଙ୍ଗରେ ଜଗନ୍ନାଥଙ୍କ ଏହି ଯାତ୍ରାର ମାହାତ୍ମ୍ୟକୁ ସ୍ୱୀକାର କରିଛି  । ଭଗବାନ ଜଗନ୍ନାଥଙ୍କ ଏହି ଯାତ୍ରା ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଣାମ ମଧ୍ୟ କରୁଛି  ।

ଭାରତର ବିବିଧତା ଏହାର ବିଶେଷତ୍ୱ  । ଭାରତର ବିବିଧତା, ଏହା ମଧ୍ୟ ଭାରତର ଶକ୍ତି  । ରମଜାନର ପବିତ୍ର ମାସ ସମସ୍ତେ ପ୍ରାର୍ଥନା ଏବଂ ପବିତ୍ର ଭାବନା ସହ ପାଳନ କରିଛନ୍ତି  । ଆଉ ଏବେ ଇଦ ପର୍ବ  । ଇଦ-ଉଲ୍-ଫିତର ଅବସରରେ ମୋ ତରଫରୁ ସମସ୍ତଙ୍କୁ ଇଦ୍ ର ଅନେକ ଅନେକ ଶୁଭେଚ୍ଛା  । ରମଜାନ ମାସ ଦାନ ଇତ୍ୟାଦି କରିବାର ମାସ, ଖୁସି ବାଣ୍ଟିବାର ମାସ, ଆଉ ଖୁସି ଯେତେ ବାଣ୍ଟିଲେ ସେତେ ବଢ଼େ  । ଆସନ୍ତୁ, ଆମେ ସମସ୍ତେ ମିଶି ଏହି ପବିତ୍ର ଉତ୍ସବରୁ ପ୍ରେରଣା ଲାଭକରି ଖୁସିର ଭଣ୍ଡାରକୁ ବାଣ୍ଟି ଚାଲିବା, ଦେଶକୁ ଆଗକୁ ବଢ଼ାଇ ଚାଲିବା ।

ରମଜାନର ଏହି ପବିତ୍ର ମାସରେ ଉତ୍ତରପ୍ରଦେଶର ବିଜନୌରର ମୁବାରକପୁର ଗାଁର ଗୋଟିଏ ଖୁବ୍ ପ୍ରେରଣାଦାୟକ ଘଟଣା ମୋ ଦୃଷ୍ଟିକୁ ଆସିଛି  । ସେହି ଛୋଟ ଗାଁରେ ଆମ ମୁସଲମାନ ଭାଇ-ଭଉଣୀଙ୍କର ପ୍ରାୟ ସାଢ଼େ ତିନିହଜାର ପରିବାର ବସବାସ କରନ୍ତି  । କହିବାକୁ ଗଲେ ଅଧିକ ଜନସଂଖ୍ୟା ଆମର ମୁସଲମାନ ଭାଇ ଭଉଣୀଙ୍କର  । ଏହି ରମଜାନରେ ଗ୍ରାମବାସୀ ମିଶି ଶୌଚାଳୟ ତିଆରି କରିବାର ନିଷ୍ପତ୍ତି ନେଲେ  । ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ ପାଇଁ ତ ସରକାରଙ୍କ ତରଫରୁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି, ତେଣୁ ସେମାନଙ୍କୁ ପ୍ରାୟ 17 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଗଲା  । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ ଏବଂ ଖୁସି ମଧ୍ୟ ଲାଗିବ – ରମଜାନ୍ ର ଏହି ପବିତ୍ର ମାସରେ ସେଠାକାର ଆମର ସମସ୍ତ ମୁସଲମାନ ଭାଇ-ଭଉଣୀ ସେହି 17 ଲକ୍ଷ ଟଙ୍କା ସରକାରଙ୍କୁ ଫେରାଇ ଦେଲେ ଏବଂ କହିଲେ ଯେ ଆମେ ଆମ ଶୌଚାଳୟ ଆମ ପରିଶ୍ରମରେ, ଆମ ଟଙ୍କାରେ ତିଆରି କରିବୁ  । ଏହି 17 ଲକ୍ଷ ଟଙ୍କା ଆପଣ ଗାଁର ଅନ୍ୟାନ୍ୟ ସୁବିଧା ପାଇଁ ଖର୍ଚ୍ଚ କରନ୍ତୁ  । ରମଜାନର ଏହି ପବିତ୍ର ଅବସରକୁ ସମାଜ ମଙ୍ଗଳର ସୁଜୋଗ ଭାବେ ପରିଣତ କରିଦେଇଥିବାରୁ ମୁଁ ମୁବାରକପୁରର ସମସ୍ତ ଗ୍ରାମବାସୀଙ୍କୁ ଅଭିନନ୍ଦନ ଜଣାଉଛି  । ସେମାନଙ୍କ ପ୍ରତ୍ୟେକ କଥା ଖୁବ୍ ପ୍ରେରଣାଦାୟକ  । ସବୁଠାରୁ ବଡ଼ କଥା ହେଲା ଯେ ସେମାନେ ମୁବାରକପୁରକୁ ଖୋଲା ଶୌଚମୁକ୍ତ କରିଦେଲେ । ଆମେ ଜାଣିଛୁ ଯେ, ଆମ ଦେଶର ତିନୋଟି ରାଜ୍ୟ ସିକ୍କିମ୍, ହିମାଚଳ ପ୍ରଦେଶ ଏବଂ କେରଳ ଆଗରୁ ଖୋଲା ଶୌଚମୁକ୍ତ ଘୋଷିତ ହୋଇସାରିଛନ୍ତି । ଚଳିତ ସପ୍ତାହରେ ଉତ୍ତରାଖଣ୍ଡ ଏବଂ ହରିୟାଣା ମଧ୍ୟ ODF ଘୋଷିତ ହେଲେ  । ଏହି କାର୍ଯ୍ୟ ପରିପୂର୍ଣ୍ଣ କରିଥିବାରୁ ମୁଁ ଏହି ପାଂଚଟି ରାଜ୍ୟର ପ୍ରଶାସନ, ଶାସନ ଏବଂ ଜନତା-ଜନାର୍ଦ୍ଦନଙ୍କ ପ୍ରତି ବିଶେଷ ଭାବରେ କୃତଜ୍ଞତା ପ୍ରକାଶ କରୁଛି  ।

ଆମେ ଭଲ ଭାବେ ଜାଣୁ ଯେ, ବ୍ୟକ୍ତିର ଜୀବନରେ, ସମାଜର ଜୀବନରେ କିଛି ଭଲ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ  । ଯଦି ଆମ ହାତଲେଖା ଖରାପ, ତା’ହେଲେ ତାକୁ ସୁଧାରିବା ପାଇଁ ଦୀର୍ଘ ଦିନ ଧରି ଖୁବ୍ ସତର୍କତାର ସହିତ ଚେଷ୍ଟା କରିବାକୁ ପଡ଼େ  । ପରିଶ୍ରମ ଦ୍ୱାରା ହିଁ ଶରୀର ଏବଂ ମନର ଅଭ୍ୟାସରେ ପରିବର୍ତ୍ତନ ହୁଏ  । ସ୍ୱଚ୍ଛତାର ବିଷୟ ମଧ୍ୟ ଏହିଭଳି  । ଏଭଳି ବଦଭ୍ୟାସ ଆମର ସ୍ୱଭାବର ଅଂଶ ପାଲଟିଯାଇଛି  । ଆମର ଅଭ୍ୟାସରେ ପରିଣତ ହୋଇଯାଇଛି  । ଏଥିରୁ ମୁକ୍ତ ହେବାପାଇଁ ଆମକୁ ଅନବରତ ଭାବେ ଚେଷ୍ଟା କରିବାକୁ ପଡ଼ିବ  । ପ୍ରତ୍ୟେକଙ୍କ ଧ୍ୟାନ ଆକର୍ଷିତ କରିବାକୁ ପଡ଼ିବ  । ଭଲ ପ୍ରେରଣାଦାୟୀ ଘଟଣାଗୁଡ଼ିକୁ ବାରମ୍ବାର ମନେ ପକାଇବାକୁ ପଡ଼ିବ  । ମୋତେ ଖୁସି ଲାଗୁଛି ଯେ ସ୍ୱଚ୍ଛତା ଆଜି କେବଳ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ  । ଏହା ସମାଜର, ଜନସାଧାରଣଙ୍କର ଗୋଟିଏ ଆନ୍ଦୋଳନ ହୋଇଚାଲିଛି  । ପ୍ରଶାସନରେ ବସିଥିବା ଲୋକେ ଯେତେବେଳେ ଜନ ସହଯୋଗ ଦ୍ୱାରା ଏହି କାର୍ଯ୍ୟକୁ ଆଗେଇ ନେଉଛନ୍ତି, ସେତେବେଳେ ଏହାର ଶକ୍ତି କେତେ କ’ଣ ବୃଦ୍ଧି ପାଉଛି  ।

ବିଗତ ଦିନରେ ଗୋଟିଏ ଖୁବ୍ ଉତ୍ତମ ଘଟଣା ମୋ ଦୃଷ୍ଟିକୁ ଆସିଲା, ଯାହା ମୁଁ ଆପଣମାନଙ୍କ ଆଗରେ ନିଶ୍ଚୟ କହିବାକୁ ଚାହିଁବି  । ଏହା ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଜିଲ୍ଲାର ଘଟଣା  । ସେଠାକାର ପ୍ରଶାସନ ଜନ ସହଯୋଗରେ ଗୋଟିଏ ଖୁବ୍ ବଡ଼ କାମ ହାତକୁ ନେଲେ  । ମାର୍ଚ୍ଚ 10 ତାରିଖ ସକାଳ 6ଟାରୁ ମାର୍ଚ୍ଚ 14 ତାରିଖ ସକାଳ 10ଟା ପର୍ଯ୍ୟନ୍ତ 100 ଘଣ୍ଟାର ନିରବଚ୍ଛିନ୍ନ ଅଭିଯାନ  । ହେଲେ ଲକ୍ଷ୍ୟ କ’ଣ ଥିଲା ? ଶହେ ଘଣ୍ଟାରେ 71ଟି ଗ୍ରାମ ପଞ୍ଚାୟତରେ ଦଶ ହଜାର ବ୍ୟକ୍ତିଗତ ଶୌଚାଳୟର ନିର୍ମାଣ  । ମୋର ପ୍ରିୟ ଦେଶବାସୀଗଣ ! ଆପଣମାନେ ଜାଣି ଖୁସି ହୋଇଯିବେ ଯେ, ଜନତା-ଜନାର୍ଦ୍ଦନ ଏବଂ ପ୍ରଶାସନ ମିଶି ଶହେ ଘଣ୍ଟାରେ 10,000ଶୌଚାଳୟ ନିର୍ମାଣ କାମ ସଫଳତାର ସହ ଶେଷ କରିଦେଲେ  । 71 ଟି ଗାଁ ODF (Open Defecation Free) ହୋଇଗଲା  । ମୁଁ ଶାସନରେ ଥିବା ଲୋକଙ୍କୁ, ସରକାରୀ ଅଧିକାରୀମାନଙ୍କୁ ଏବଂ ବିଜୟନଗରମ୍ ଜିଲ୍ଲାର ସେହି ଗ୍ରାମଗୁଡ଼ିକର ନାଗରିକମାନଙ୍କୁ ନିଜ ପରିଶ୍ରମର ପରାକାଷ୍ଠା ପ୍ରଦର୍ଶନ କରି ଗୋଟିଏ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଥିବାରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି  ।

ଆଜିକାଲି “ମନ୍ କି ବାତ୍ ପାଇଁ ଜନତା ଜନାର୍ଦ୍ଦନଙ୍କ ତରଫରୁ ନିରନ୍ତର ଭାବେ ମୋ ପାଖକୁ ପ୍ରସ୍ତାବମାନ ଆସୁଛି  । NarendraModiApp ରେ ଆସୁଛି  । MyGov.in ରେ ଆସୁଛି  । ଚିଠିରେ ଆସୁଛି  । ଆକାଶବାଣୀ ମାଧ୍ୟମରେ ଆସୁଛି  ।

ଶ୍ରୀଯୁକ୍ତ ପ୍ରକାଶ ତ୍ରିପାଠୀ Emergency ବା ଜରୁରୀକାଳିନ ପରିସ୍ଥିତିକୁ ମନେ ପକାଇ ଲେଖିଛନ୍ତି ଯେ, ଜୁନ୍ 25 ତାରିଖ ଗଣତନ୍ତ୍ରର ଇତିହାସରେ ଗୋଟିଏ କଳା ଦିନ  । ଶ୍ରୀମାନ ପ୍ରକାଶ ତ୍ରିପାଠୀଙ୍କ ଗଣତନ୍ତ୍ର ପ୍ରତି ଏହି ସଚେତନତା ପ୍ରଶଂସନୀୟ  । ଗଣତନ୍ତ୍ର କେବଳ ଗୋଟିଏ ବ୍ୟବସ୍ଥା ନୁହେଁ, ଏହା ଗୋଟିଏ ସଂସ୍କାର  । “Internal Vigilance is Price of Liberty”  । ଗଣତନ୍ତ୍ର ପ୍ରତି ନିତ୍ୟ ସଚେତନତା ଜରୁରୀ  । ତେଣୁ ଗଣତନ୍ତ୍ରକୁ ଆଘାତ କରୁଥିବା କଥାଗୁଡ଼ିକୁ ମଧ୍ୟ ମନେ ପକାଇ ଗଣତନ୍ତ୍ରର ଭଲ ଦିଗ ପ୍ରତି ଅଗ୍ରସର ହେବାକୁ ହୋଇଥାଏ  । 1975 ମସିହା ଜୁନ୍ 25 ତାରିଖ ଏଭଳି ଏକ କାଳରାତ୍ରୀ ଥିଲା, ଯାହାକୁ କୌଣସି ଗଣତନ୍ତ୍ରପ୍ରେମୀ ଭୁଲି ପାରିବେନି  । କୌଣସି ଭାରତବାସୀ ଭୁଲି ପାରିବେନି  । ଦେଶକୁ ଏକ ପ୍ରକାର ପାଇଖାନାରେ ପରିବର୍ତ୍ତିତ କରିଦିଆଯାଇଥିଲା  । ବିରୋଧୀ ସ୍ୱରକୁ ଦମନ କରି ଦିଆଯାଇଥିଲା  । ଜୟପ୍ରକାଶ ନାରାୟଣଙ୍କ ସମେତ ଦେଶର ଗଣ୍ୟମାନ୍ୟ ନେତାମାନଙ୍କୁ ଜେଲ୍ ରେ ବନ୍ଦୀ କରି ଦିଆଯାଇଥିଲା  । ନ୍ୟାୟ ବ୍ୟବସ୍ଥା ମଧ୍ୟ ସେହି ଜରୁରୀକାଳୀନ ପରିସ୍ଥିତିର ଭୟଙ୍କର ରୂପର ଛାୟାରୁ ରକ୍ଷା ପାଇପାରି ନଥିଲା  । ସମ୍ବାଦପତ୍ର ଗୁଡ଼ିକ ତ ସମ୍ପୂର୍ଣ୍ଣ ରୂପେ ବେକାର କରି ଦିଆଯାଇଥିଲା  । ଆଜିର ଗଣମାଧ୍ୟମର ଛାତ୍ରଛାତ୍ରୀ, ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ଲୋକ, ସେହି କଳା ସମୟକୁ ବାରମ୍ବାର ମନେ ପକାଇ ଗଣତନ୍ତ୍ର ପ୍ରତି ସଚେତନତା ବୃଦ୍ଧି କରିବାକୁ ଅନବରତ ଭାବରେ ଚେଷ୍ଟା ଚଳାଇ ଆସିଛନ୍ତି ଏବଂ ଆଗକୁ କରିଚାଲିବା ଉଚିତ  ।

ସେତେବେଳେ ଅଟଳ ବିହାରୀ ବାଜପେୟୀ ଜୀ ମଧ୍ୟ ଜେଲ୍ ରେ ଥିଲେ  । ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ଏକ ବର୍ଷ ପୁର୍ତ୍ତି ବେଳେ ଅଟଳଜୀ ଗୋଟିଏ କବିତା ଲେଖିଥିଲେ ଏବଂ ନିଜର ସେହି କବିତାରେ ସେ ସମୟର ମନର ସ୍ଥିତିକୁ ବର୍ଣ୍ଣନା କରିଛନ୍ତି  ।

“ଦେହ ଜାଳିଦିଏ ଜ୍ୟେଷ୍ଠ ମାସ

ଶରତର ଜହ୍ନ ଦିଶେ ହତାଶ

ଦେହ ଜାଳିଦିଏ ଜ୍ୟେଷ୍ଠ ମାସ

ଶରତର ଜହ୍ନ ଦିଶେ ହତାଶ

କୋହଭରା ଶ୍ରାବଣର

ଅନ୍ତର୍ମନ ଭିଜିଗଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା ।

ସଂସାର ତେଣେ ବନ୍ଦୀ କାରାଗାରେ

ବିହଙ୍ଗ ପ୍ରାଣ ବିକଳେ ଝୁରେ

ସଂସାର ତେଣେ ବନ୍ଦୀ କାରାଗାରେ

ବିହଙ୍ଗ ପ୍ରାଣ ବିକଳେ ଝୁରେ

ଧରା ପୃଷ୍ଠରୁ ଗଗନକୁ

ମୁକ୍ତିଗୀତ ଗୁଞ୍ଜରିତ ହେଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା ।

ବାଟ ଚାହିଁ ରହିଥିବା ନୟନ

ଗଣୁଥାନ୍ତି ବାକି ଦିନ-କ୍ଷଣ

ବାଟ ଚାହିଁ ରହିଥିବା ନୟନ

ଗଣୁଥାନ୍ତି ବାକି ଦିନ-କ୍ଷଣ

ଚାହିଁ ରହିଥାନ୍ତି ଫେରିବା ବାଟକୁ

ମନର ମଣିଷ ଯିଏ ଗଲା

ଗୋଟିଏ ବରଷ ବିତିଗଲା

ଗୋଟିଏ ବରଷ ବିତିଗଲା

ଗଣିତନ୍ତ୍ରପ୍ରେମୀମାନେ ବହୁତ ସଂଗ୍ରାମ କଲେ  । ଭାରତ ଭଳି ଦେଶ, ଏତେ ବିଶାଳ ଦେଶ, ଯେତେବେଳେ ବି ସୁଯୋଗ ମିଳିଲା, ସେତେବେଳେ ଭାରତର ଜନ ଜନଙ୍କ ଶିରା ପ୍ରଶିରାରେ ଗଣତନ୍ତ୍ର କିଭଳି ପରିବ୍ୟାପ୍ତ, ନିର୍ବାଚନ ମାଧ୍ୟମରେ ସେମାନେ ସେହି ଶକ୍ତିକୁ ପ୍ରଦର୍ଶନ କରିଛନ୍ତି  । ଜନ ଜନଙ୍କ ଶିରା ପ୍ରଶିରାରେ ପରିବ୍ୟାପ୍ତ ଗଣତନ୍ତ୍ରର ଏହି ଭାବନା ଆମର ପରମ୍ପରା  । ଏହି ପରମ୍ପରାକୁ ଆହୁରି ସଶକ୍ତ କରିବାକୁ ହେବ  ଆମକୁ ।

ମୋର ପ୍ରିୟ ଦେଶବାସୀଗଣ ! ପ୍ରତ୍ୟେକ ଭାରତୀୟ ଆଜି ବିଶ୍ୱରେ ମୁଣ୍ଡ ଟେକି ଗର୍ବ ଅନୁଭବ କରୁଛି  । 21 ଜୁନ୍ 2017 ସଂପୂର୍ଣ୍ଣ ବିଶ୍ୱ ଯୋଗମୟ ହୋଇଗଲା  । ପାଣିରୁ ପର୍ବତଯାଏ ଲୋକେ ସକାଳେ ସକାଳେ ସୂର୍ଯ୍ୟ କିରଣର ସ୍ୱାଗତ ଯୋଗ ମାଧ୍ୟମରେ କରିଥିଲେ  । କେଉଁ ଭାରତୀୟ ବା ଏଥିରେ ଗର୍ବିତ ନ ହେବ  । ଏକଥା ନୁହେଁ ଯେ, ଆଗରୁ ଯୋଗ ହେଉ ନଥିଲା, କିନ୍ତୁ ଆଜି ଯେତେବେଳେ ଯୋଗସୂତ୍ରରେ ବନ୍ଧା ହୋଇଯାଇଛୁ, ଯୋଗ ବିଶ୍ୱକୁ ଯୋଡ଼ିବାର କାରଣ ପାଲଟିଯାଇଛି  । ପ୍ରାୟତଃ ବିଶ୍ୱର ସମସ୍ତ ଦେଶ ଯୋଗର ଏହି ଅବସରକୁ ନିଜର ଅବସରରେ ପରିଣତ କରିଦେଲେ  । ଚୀନର The Great Wall ଉପରେ ଲୋକେ ଯୋଗାଭ୍ୟାସ କଲେ ତ ପେରୁରେ ବିଶ୍ଵ ଐତିହ୍ୟ ସ୍ଥଳୀ “ମାଚୁ ପିଚ୍ଚୁ”ରେ ସମୁଦ୍ର ପତନର 2400 ମିଟର ଉର୍ଦ୍ଧ୍ଵରେ ଲୋକେ ଯୋଗାଭ୍ୟାସ କଲେ  । ଫ୍ରାନ୍ସର ଆଇଫେଲ୍ ଟାୱାର ପାଦଦେଶରେ ଲୋକେ ଯୋଗାଭ୍ୟାସ କଲେ  । ସଂଯୁକ୍ତ ଆରବ ଅମିରତନ୍ତ୍ରର ଆବୁଧାବୀଠାରେ 4000 ରୁ ଅଧିକ ଲୋକ ମିଳିତ ଭାବରେ ଯୋଗାଭ୍ୟାସ କଲେ  । ଆଫଗାନିସ୍ଥାନର ହେରାତ୍ ଠାରେ ଭାରତ-ଆଫଗାନ ମୈତ୍ରୀ ଡେମ – ସଲମା ବନ୍ଧ ଉପରେ ଯୋଗାଭ୍ୟାସ କରି ଭାରତର ବନ୍ଧୁତ୍ୱକୁ ଗୋଟିଏ ନୂଆ ରୂପ ପ୍ରଦାନ କଲେ  । ସିଙ୍ଗାପୁର ଭଳି ଛୋଟ ସ୍ଥାନରେ 70ଟି ଜାଗାରେ କାର୍ଯ୍ୟକ୍ରମ ଆୟୋଜିତ ହେଲା ଏବଂ ସେମାନେ ଗୋଟିଏ ସପ୍ତାହବ୍ୟାପୀ ଅଭିଯାନ ଚଳାଇଛନ୍ତି  । ମିଳିତ ଜାତିସଂଘ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ 10ଟି ଡାକଟିକଟ ଜାରି କରିଛନ୍ତି  । ମିଳିତ ଜାତିସଂଘର ମୁଖ୍ୟାଳୟରେ Yoga Session with Yoga Masters ର ଆୟୋଜନ କରାଗଲା  । ମିଳିତ ଜାତିସଂଘର କର୍ମଚାରୀମାନେ, ବିଶ୍ୱର କୂଟନୀତିଜ୍ଞ ପ୍ରତ୍ୟେକେ ଏଥିରେ ସାମିଲ ହେଲେ  ।

ଏଥର ପୁଣିଥରେ ଯୋଗ ବିଶ୍ୱରେକର୍ଡ଼ ସୃଷ୍ଟି କରିବାରେ ସହାୟକ ହୋଇଛି  । ଗୁଜରାଟର ଅହମ୍ମଦାବାଦରେ ପ୍ରାୟ 55,000 ଲୋକ ଏକ ସଙ୍ଗେ ଯୋଗ କରି ବିଶ୍ୱରେକର୍ଡ଼ ସୃଷ୍ଟି କରିଛନ୍ତି  । ମୋତେ ମଧ୍ୟ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା  । କିନ୍ତୁ ପ୍ରଥମଥର ମୋତେ ବର୍ଷାରେ ଯୋଗ କରିବାର ସୌଭାଗ୍ୟ ମିଳିଲା  । ଆମର ସୈନିକମାନେ, ଯେଉଁଠି ତାପମାତ୍ରା ବିଯୁକ୍ତ (minus) 20, 25, 40, ଡିଗ୍ରୀ ସେଲସିଅସ ହୋଇଥାଏ, ସେହି ସିଆଚିନରେ ମଧ୍ୟ ଯୋଗାଭ୍ୟାସ କଲେ । ଆମର ସେନା ବାହିନୀ ହୁଅନ୍ତୁ, BSF ହୁଅନ୍ତୁ, ITBP ହୁଅନ୍ତୁ, CRPF ହୁଅନ୍ତୁ, CISF ହୁଅନ୍ତୁ, ପ୍ରତ୍ୟେକେ ନିଜର ଡ୍ୟୁଟି ସହ ଯୋଗକୁ ନିଜର ଏକ ଅଂଶ କରି ଦେଇଛନ୍ତି  । ଏହି ଯୋଗ ଦିବସ ଉପଲକ୍ଷେ ମୁଁ କହିଥିଲି ଯେ, ତିନି ପିଢ଼ି କାରଣ ଏହା ତୃତୀୟ ଆନ୍ତର୍ଜାତିକ ଯୋଗ ଦିବସ ଥିଲା  । ସେଥିପାଇଁ ମୁଁ କହିଥିଲି ଯେ ପରିବାରର ତିନି ପିଢ଼ି ଏକାଠି ଯୋଗ କରୁଥିବା ଫଟୋ Share କରନ୍ତୁ  । କିଛି ଟି.ଭି. ଚ୍ୟାନେଲ ମଧ୍ୟ ଏ କଥାକୁ ଆଗକୁ ବଢ଼ାଇଥିଲେ  । ଏଥିରେ ମୋତେ ଅନେକ ଫଟୋ ମିଳିଲା  । ସେଥିରୁ କିଛି ବଛା ବଛା ଫଟୋ NarendraModiApp ରେ ସଂକଳିତ କରି ରଖାଯାଇଛି  । ସମଗ୍ର ବିଶ୍ୱରେ ଯୋଗ ବିଷୟରେ ଯେମିତି ଆଲୋଚନା, ସେଥିରୁ କିଛି ଭଲ କଥା ଆଗକୁ ଆସୁଛି ଯେ, ଯୋଗ ଦ୍ୱାରା ଆଜିର ସ୍ୱାସ୍ଥ୍ୟ ସଚେତନଶୀଳ ସମାଜ, ଏବେ Fitness ରୁ Wellness ଦିଗକୁ ପାଦ ବଢ଼ାଉଛି, Fitness ର ଗୁରୁତ୍ୱ ତ ନିଶ୍ଚୟ ରହିଛି, କିନ୍ତୁ Wellness ପାଇଁ ଯୋଗ ଉତ୍ତମ ମାର୍ଗ  ।

(ଡଃ ଅନିଲ ସୋନାରାଙ୍କ ସ୍ଵର)

“Respected Prime Minister Sir, ଅହମ୍ମଦାବାଦ, ଗୁଜରାଟରୁ ମୁଁ ଡଃ ଅନୀଲ ସୋନାରା କହୁଛି ସାର୍ ମୋର ଗୋଟିଏ ପ୍ରଶ୍ନ ଅଛି । ନିକଟରେ କେରଳରେ ଆପଣ କହିଥିଲେ ଯେ ବିଭିନ୍ନ ସ୍ଥାନରେ ଉପହାର ସ୍ୱରୂପ ଆମେ ଯେଉଁ ଫୁଲତୋଡ଼ା ଦେଉଛୁ, ତା ବଦଳରେ ଆମେ ଭଲ ବହିଟିଏ ଦେଲେ ଠିକ୍ ହୁଅନ୍ତା ଆପଣ ଗୁଜୁରାଟରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ସାର୍, ଆଜିକାଲି ଆଉ ସେମିତି ଦେଖିବାକୁ ମିଳୁନି । ଆମେ କଣ ଏ ଦିଗରେ କିଛି କରିପାରିବାନି – ଯାହାଫଳରେ ସାରାଦେଶରେ ଏହାର ପ୍ରଚଳନ ହୋଇପାରନ୍ତା ?”

କିଛିଦିନ ତଳେ ମୋତେ ମୋର ଏକ ଅତି ପ୍ରିୟ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଲା  । କେରଳରେ ଗତ କିଛିବର୍ଷ ହେଲା ଗୋଟିଏ ଭଲ କାର୍ଯ୍ୟକ୍ରମ ଚାଲିଛି  । ସେଠାରେ ଏହି କାର୍ଯ୍ୟକ୍ରମ P.N. Panicker Foundation ପ୍ରତିଷ୍ଠାନ ଦ୍ୱାରା ଚାଲିଛି  । ଲୋକମାନଙ୍କ ମଧ୍ୟରେ ବହି ପଢ଼ିବାର ଅଭ୍ୟାସ ବଢ଼ାଇବା ତଥା ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ reading day, reading month celebration (ପଠନ ଦିବସ, ପଠନ ମାସ) ପାଳନ କରାଯାଉଛି  । ମୋତେ ତାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯିବାକୁ ସୁଯୋଗ ମିଳିଥିଲା  । ଆଉ ମତେ ସେଠି କୁହାଗଲା ଯେ ଆମେ ଫୁଲତୋଡ଼ା ନୁହେଁ, ପୁସ୍ତକ ଦେଉଛୁ  । ମୋତେ ଭଲ ଲାଗିଲା  । ଏ ଯେଉଁ କଥା ମୋ ମନରୁ ଉଭେଇ ଯାଇଥିଲା, ଏବେ ମୋର ପୁଣି ମନେ ପଡ଼ିଗଲା  । କାରଣ ଯେତେବେଳେ ମୁଁ ଗୁଜରାଟରେ ଥିଲି, ସେତେବେଳେ ଆମେ ଗୋଟିଏ ପରମ୍ପରା ସୃଷ୍ଟି କରିଥିଲୁ ଯେ ଆମେ ଫୁଲତୋଡ଼ା ବଦଳରେ ବହିଟିଏ କିମ୍ବା ରୁମାଲଟିଏ ଦେଇ ସ୍ୱାଗତ କରିବା  । ସେ ମଧ୍ୟ ଖଦିର ରୁମାଲ ହୋଇଥିବ, ଯାହାଦ୍ୱାରା ଖଦି ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ  । ଯେ ପର୍ଯ୍ୟନ୍ତ ମୁଁ ଗୁଜରାଟରେ ଥିଲି ସେ ପର୍ଯ୍ୟନ୍ତ ଏହା ଆମମାନଙ୍କର ଅଭ୍ୟାସ ହୋଇଯାଇଥିଲା  । କିନ୍ତୁ ଏଠିକି ଆସିବା ପରେ ମୋର ସେ ଅଭ୍ୟାସ ଛାଡ଼ିଯାଇଥିଲା  । କିନ୍ତୁ କେରଳ ଗଲାପରେ ସେ ଅଭ୍ୟାସ ପୁଣିଥରେ ଜାଗ୍ରତ ହୋଇଗଲା  । ଆଉ ଏବେ ତ ମୁଁ ପୁଣି ସରକାରୀ ସ୍ତରରେ ସୂଚନା ଦେବା ଆରମ୍ଭ କରିଛି  । ଆମେ ବି ଧିରେ ଧିରେ ଅଭ୍ୟାସ କରିପାରିବା  । ଫୁଲତୋଡ଼ାର ଆୟୁଷ ବହୁତ କମ୍  । ଥରେ ହାତରେ ନେଲେ ଆଉ ପୁଣି ତାକୁ ସେଇଠି ପକେଇଦେଲେ  । କିନ୍ତୁ ଯଦି ବହିଟିଏ ଦିଆଯାଏ, ତେବେ ସେ ଘରର ବା ପରିବାରର ଅଙ୍ଗ ହୋଇ ରହିଯାଏ  । ଖଦିର ରୁମାଲଟିଏ ଦେଇ ଯଦି ସ୍ୱାଗତ କରାଯାଏ, ତେବେ ପ୍ରକାରାନ୍ତରେ କେତେ ଗରିବ ଲୋକ/ବୁଣାକାରଙ୍କୁ ମଧ୍ୟ ସାହାଯ୍ୟ ମିଳିବ  । ଖର୍ଚ୍ଚ ବି କମ୍ ହେବ ଆଉ ଜିନିଷର ପ୍ରକୃତ ଉପଯୋଗ ବି ହୋଇପାରିବ  । ମୁଁ ଯେତେବେଳେ ଏକଥା କହୁଛି ତ ଏହି ଜିନିଷର ଏକ ଐତିହାସିକ ମହତ୍ୱ ଆସିଯାଉଛି  । ମୁଁ ଗତବର୍ଷ ଯେତେବେଳେ ବ୍ରିଟେନ ଯାଇଥିଲି, ବ୍ରିଟେନର ରାଣୀ ଏଲିଜାବେଥ ମୋତେ ଭୋଜନ ପାଇଁ ଆମନ୍ତ୍ରିତ କରିଥିଲେ  । ଗୋଟିଏ ମାତୃସୁଲଭ ବାତାବରଣ ଥିଲା  । ଅତି ଆଦରର ସହିତ ସେ ଭୋଜନ କରେଇଲେ  । ତାପରେ ସେ ଅତ୍ୟନ୍ତ ଭାବପ୍ରବଣ ସ୍ୱରରେ ଏବଂ ଅତି ଆଦର ଭାବରେ ଖଦିରେ ବୁଣା ହୋଇଥିବା ଗୋଟିଏ ଛୋଟ ରୁମାଲ ମତେ ଦେଖେଇଲେ  । ତାଙ୍କ ଆଖିରେ ଚମକ ଥିଲା  । ରୁମାଲଟି ଦେଖାଇ ସେ ମୋତେ କହିଲେ ଯେ, “ଯେତେବେଳେ ତାଙ୍କର ବିଭାଘର ହୋଇଥିଲା, ମହାତ୍ମାଗାନ୍ଧୀ ବିବାହର ଶୁଭ କାମନା ସହ ତାଙ୍କୁ ଏହି ଖଦି ରୁମାଲଟି ଉପହାର ଦେଇଥିଲେ  । କେତେବର୍ଷ ହୋଇଗଲାଣି  । କିନ୍ତୁ ମହାରାଣୀ ଏଲିଜାବେଥ୍, ଗାନ୍ଧୀଙ୍କ ଠାରୁ ପାଇଥିବା ସେଇ ରୁମାଲଟିକୁ ସାଇତି ରଖିଛନ୍ତି  । ଆଉ ମୁଁ ଯେତେବେଳେ ଗଲି ବଡ଼ ଆନନ୍ଦର ସହିତ ମୋତେ ସେ ଦେଖାଇଲେ  । ମୁଁ ଯେତେବେଳେ ତାକୁ ଦେଖୁଥିଲି, ସେ ମତେ ରୁମାଲଟିକୁ ଛୁଇଁକରି ଦେଖିବାର ଆଗ୍ରହ ପ୍ରକାଶ କଲେ  । ମହାତ୍ମା ଗାନ୍ଧୀଙ୍କର ଏଇ ଛୋଟିଆ ଉପହାରଟି ତାଙ୍କ ଜୀବନର ଗୋଟିଏ ଅଙ୍ଗ ହୋଇଗଲା, ତାଙ୍କ ଜୀବନ ଇତିହାସରେ ସ୍ମୃତି ଏକ ଖିଅ ହୋଇ ରହିଗଲା  । ମୁଁ ଜାଣେ ଯେ ପ୍ରଚଳିତ ଅଭ୍ୟାସ ରାତାରାତି ବଦଳି ପାରିବନି – ଆଉ ଯେତେବେଳେ ପରମ୍ପରାଟିଏ ବଦଳାଇବାର କଥା ହୁଏ, ସେତେବେଳେ ସମାଲୋଚନାର ଶିକାର ହେବାକୁ ପଡ଼େ  । ଏବେ ମୁଁ ତ ଏକଥା କହିପାରିବିନି ଯେ ମୁଁ ଯେଉଁଠିକି ଯିବି ଯଦି କେହି ଫୁଲତୋଡ଼ାଟିଏ ଦେଲା ମୁଁ ତାକୁ ଗ୍ରହଣ କରିବିନି ବୋଲି  । ଫୁଲତୋଡ଼ା ନେବାକୁ ତାକୁ ମନା କରିଦେବି – ଏକଥା ତ ମୁଁ କରିପାରିବିନି  । କିନ୍ତୁ ସମାଲୋଚନା ହେଲେ ମଧ୍ୟ ଏ ବିଷୟରେ ଚର୍ଚ୍ଚା ଜାରି ରଖିଲେ ଧିରେ ଧିରେ ପରିବର୍ତ୍ତନ ବି ହେବ  ।

ମୋର ପ୍ରିୟ ଦେଶବାସୀଗଣ ! ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋର ଅନେକ କାମ ଥାଏ  । ଫାଇଲ ଗଦା ଭିତରେ ବୁଡ଼ି ରହିବାକୁ ପଡ଼େ  । କିନ୍ତୁ ମୁଁ ଗୋଟିଏ ଅଭ୍ୟାସ ସୃଷ୍ଟି କରିଛି, ମୋ ପାଖକୁ ଯେତେ ଚିଠି ଆସେ, ତା ଭିତରୁ ପ୍ରତିଦିନ କିଛି ଚିଠି ମୁଁ ପଢ଼େ  । ଫଳସ୍ୱରୂପ ମୋତେ ସାଧାରଣ ଜନତାଙ୍କ ସହ ସଂପୃକ୍ତ ହେବାର ଅବସର ମିଳେ  । ବିଭିନ୍ନ ପ୍ରକାରର ଚିଠି ଆସେ  । ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ଚିଠି ଲେଖନ୍ତି  । ଏଇ କେତେଦିନ ତଳେ ମୋତେ ଏଭଳି ଏକ ଚିଠି ମିଳିଲା – ମୁଁ ଭାବୁଛି ମୋର ସେଇଟା ଆପଣମାନଙ୍କୁ ଜଣାଇଦେବା ଉଚିତ  । ସୁଦୂର ଦକ୍ଷିଣରେ ତାମିଲନାଡ଼ୁ ରାଜ୍ୟ ମଦୁରାଇର ଜଣେ ଗୃହିଣୀ ଅରୁଲମୋଝି ଶରବଣନ୍ – ସେ ମୋତେ ଗୋଟିଏ ଚିଠି ଲେଖିଲେ  । ଚିଠିଟି କ’ଣ ଥିଲା – ସେ ମତେ ଲେଖିଲେ ଯେ ମୁଁ ପରିବାରରେ ପିଲାମାନଙ୍କ ପାଠପଢ଼ା ପ୍ରତି ଧ୍ୟାନ ଦେବା ସଂଗେ ସଂଗେ କିଛି ନା କିଛି ଆର୍ଥିକ ଦୃଷ୍ଟିରୁ ଲାଭପ୍ରଦ କରିବାକୁ ଭାବିଲି ଯାହାଫଳର ପରିବାରକୁ କିଛି କିଛି ଆର୍ଥିକ ସାହାଯ୍ୟ ହୋଇପାରିବ  । ମୁଁ ମୁଦ୍ରା ଯୋଜନାରେ ବ୍ୟାଙ୍କରୁ କିଛି ଟଙ୍କା ନେଲି ଏବଂ ବଜାରରୁ କିଛି ଜିନିଷ କିଣି ସପ୍ଲାଇ ଦିଗରେ କାମ ଆରମ୍ଭ କଲି  । ଏଇ ଭିତରେ ମୁଁ ଜାଣିଲି ଯେ ଭାରତ ସରକାର Government E-Marketplace ନାମରେ ଯୋଜନାଟିଏ ଆରମ୍ଭ କରିଛନ୍ତି  । ଏଇଟା କ’ଣ ଜାଣିବାକୁ ମୁଁ ଚେଷ୍ଟା କଲି, କିଛି ଲୋକଙ୍କୁ ବି ପଚାରିଲି  । ତା’ପରେ ମୁଁ ନିଜକୁ ସେଥିରେ ପଂଜୀକୃତ କରିନେଲି  । ମୁଁ ଦେଶବାସୀମାନଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କୁ ଯଦି ସୁବିଧା ମିଳେ, ତେବେ ଆପଣ ଇଣ୍ଟରନେଟ ରେ E-GEM ଦେଖନ୍ତୁ  । ଗୋଟେ ନୂଆ ପ୍ରକାରର ବ୍ୟବସ୍ଥା  । ଯିଏ ବି ସରକାରଙ୍କୁ କୌଣସି ଜିନିଷ ସପ୍ଲାଇ କରିବାକୁ ଚାହାଁନ୍ତି – ବିଜୁଳି ବଲ୍ବ ବିକିବାକୁ ଚାହାଁନ୍ତି, ଡଷ୍ଟବିନ୍ ପଠାଇବାକୁ ଚାହାଁନ୍ତି, ଝାଡ଼ୁ, ଚେୟାର, ଟେବୁଲ ଆଦି ସପ୍ଲାଇ କରିବାକୁ ଚାହାଁନ୍ତି, ସେ ସେଥିରେ ନିଜ ନାମ ପଂଜୀକୃତ କରିପାରନ୍ତି  । କେଉଁ କ୍ୱାଲିଟିର ମାଲ ସେ କେତେ ଦାମ୍ ରେ ଦେଇପାରିବେ, ସେଗୁଡ଼ିକ ସେଥିରେ ସେ ଉଲ୍ଲେଖ କରି ରଖିବେ  । ସରକାରୀ ବିଭାଗଗୁଡ଼ିକ ପାଇଁ ଏଇ ସାଇଟ୍ E-GEM ଦେଖିବା ବାଧ୍ୟତାମୂଳକ ଅଟେ  । ସେମାନେ ଦେଖିବେ ଯେ ଗୁଣବତ୍ତା ଠିକ୍ ଥାଇ କେଉଁ ସପ୍ଲାଏର କେଉଁ ଜିନିଷ ଶସ୍ତାରେ ଦେଇପାରୁଛି  । ତାକୁ ସପ୍ଲାଇ ପାଇଁ ଅର୍ଡ଼ର ଦେବାକୁ ହେବ  । ଏଥିଯୋଗୁଁ ଦଲାଲି ଶେଷ ହୋଇଯିବ, ଆଉ ପାରଦର୍ଶିତା ଆସିଯିବ  । ତେଣୁ E-GEM ରେ ଯେଉଁମାନେ ପଂଜୀକୃତ ହୁଅନ୍ତି, ସମସ୍ତ ସରକାରୀ ବିଭାଗ ତାକୁ ଦେଖୁଥାନ୍ତି  । ମଝିରେ ଦଲାଲ ନ ହେବା ଯୋଗୁଁ ଜିନିଷ ବହୁ ଶସ୍ତାରେ ମିଳେ  । ଅରୁଲମୋଝି ମାଡ଼ାମ ସରକାରଙ୍କ ଏହି ସାଇଟ୍ ରେ ଯାହା ଯାହା ଦେଇପାରିବେ, ସେସବୁ ପଞ୍ଜିକରଣ କରିଦେଲେ  । କିନ୍ତୁ ମଜାର କଥା ହେଲା, ସେ ମୋତେ ଯେଉଁ ଚିଠି ଲେଖିଛନ୍ତି, ସେଇଟା ବଡ଼ ଆଗ୍ରହପ୍ରଦ  । ସେ ଲେଖିଛନ୍ତି – ଏକ ପକ୍ଷରେ ମୋତେ ମୁଦ୍ରା ଯୋଜନାରେ ପଇସା ମିଳିଗଲା, ମୋର କାରବାର ଆରମ୍ଭ ହୋଇଗଲା – E-GEM ରେ ମୁଁ କ’ଣ ଦେଇପାରିବି, ତା’ର ସୂଚୀ ଦେଇଦେଲି ଏବଂ ମୋତେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅର୍ଡର ମିଳିଗଲା PMO ରୁ  । ମୋ ପାଇଁ ଇଏ ଗୋଟିଏ ନୂଆ ଖବର ଥିଲା, PMO ମୋ ଠାରୁ କ’ଣ ମଗେଇଥିବ – ସେ ଲେଖିଛନ୍ତି ଯେ PMO ତାଙ୍କ ଠାରୁ ଦୁଇଟି ଥର୍ମୋସ୍ କିଣିଲା, ଆଉ ତା’ର ଦାମ୍ 1600 ଟଙ୍କା । ମୋତେ ଦେୟ ମଧ୍ୟ ମିଳିଗଲା  । ଇଏ ହେଉଛି ସଶକ୍ତିକରଣ  । ଇଏ ହେଉଛି ଉଦଯୋଗକୁ ପ୍ରୋତ୍ସାହିତ କରିବାର ଅବସର  । ଯଦି ଅରୁଲ-ମୋଝି ମାଡ଼ାମ୍ ମୋତେ ଚିଠି ଲେଖିନଥାନ୍ତେ, ହୁଏତ ମୁଁ ବି ଜାଣିପାରି ନଥାନ୍ତି ଯେ E-GEM ବ୍ୟବସ୍ଥାରେ ଦୂରଦୂରାନ୍ତର ଗୃହିଣୀ ଛୋଟିଆ କାମଟିଏ କରିପାରୁଛି ଆଉ ତାଙ୍କ ମାଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବି କିଣିପାରୁଛି  । ଏହାହିଁ ହେଉଛି ଦେଶର ଶକ୍ତି  । ଏଥିରେ ସ୍ଵଚ୍ଛତା ଅଛି, ଏଥିରେ ସଶକ୍ତିକରଣ ବି ଅଛି ଆଉ ଏଥିରେ ଉଦଯୋଗ ବି ଅଛି  । Minimum Government and Maximum Governance । ମୁଁ ନିଶ୍ଚିତ ଭାବରେ ଚାହିଁବି ଯେ ଯେଉଁମାନେ ସରକାରଙ୍କୁ ନିଜର ମାଲ୍ ବିକିବାକୁ ଚାହାଁନ୍ତି, ସେମାନେ ଏହା ସହିତ ଅଧିକରୁ ଅଧିକ ସଂଯୁକ୍ତ ହୁଅନ୍ତୁ  । ମୋ ମତରେ ୟାର ଲକ୍ଷ୍ୟ ହେଉଛି ସର୍ବନିମ୍ନ ମୂଲ୍ୟ ଓ ସର୍ବାଧିକ ସୁବିଧାର ଏହାହିଁ ପ୍ରକୃଷ୍ଟ ଉଦାହରଣ  । ତା ସହିତ ପାରଦର୍ଶିତା ଓ ସ୍ଵଚ୍ଛତା ମଧ୍ୟ ଯୋଡି ହୋଇ ରହିଛି ।

ମୋର ପ୍ରିୟ ଦେଶବାସୀଗଣ ! ଗୋଟିଏ ପକ୍ଷରେ ଆମେ ଯୋଗକୁ ନେଇ ଗର୍ବ କରୁଛୁ ତ ଅନ୍ୟପକ୍ଷରେ ମହାକାଶ ବିଜ୍ଞାନକୁ ନେଇ ଆମର ଯେଉଁ ଉପଲବ୍ଧି ଅଛି, ତା ପାଇଁ ମଧ୍ୟ ଗର୍ବ କରିପାରିବା  । ଆଉ ଇଏ ହେଉଛି ଭାରତର ବିଶେଷତ୍ୱ  । ଆମର ପାଦ ଯୋଗ ସହିତ ଜଡ଼ିତ ଭୂମି ଉପରେ ଅଛି, ତ ଦୂର ଆକାଶର ସୁଦୂର ଦିଗ୍ବଳୟ ପାର କରିବାର ସ୍ୱପ୍ନ ବି ଆମର ଅଛି  । ଅତୀତରେ ଖେଳରେ ଆଉ ବିଜ୍ଞାନରେ ମଧ୍ୟ ଭାରତ ବହୁତ କିଛି କରି ଦେଖାଇଛି  । ଆଜି ଭାରତ କେବଳ ପୃଥିବୀ ପୃଷ୍ଠରେ ନୁହେଁ, ଦୂର ଅନ୍ତରୀକ୍ଷରେ ବି ନିଜର ବିଜୟ ପତାକା ଉଡ଼ାଇ ଚାଲିଛି  । ଏହି ଦୁଇଦିନ ପୂର୍ବରୁ ଇସ୍ରୋ ଦ୍ୱାରା କାର୍ଟୋସାଟ-2 ଶୃଙ୍ଖଳାର ଉପଗ୍ରହ ସହିତ 30 ଟି ଅତି କ୍ଷୁଦ୍ର ଉପଗ୍ରହ  ପ୍ରକ୍ଷେପଣ କରାଗଲା  । ଆଉ ଏହି ଉପଗ୍ରହଗୁଡ଼ିକ ମଧ୍ୟରେ ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ୍, ଆମେରିକା ଭଳି ପ୍ରାୟ 14ଟି ଦେଶର ସାଟେଲାଇଟ୍ ସାମିଲ ଅଛି  । ଭାରତର ଏହି ନାନୋ ସାଟେଲାଇଟ୍ (କ୍ଷୁଦ୍ର ଉପଗ୍ରହ) ଅଭିଯାନ ଦ୍ୱାରା ଚାଷବାସ କ୍ଷେତ୍ରରେ, କୃଷକଙ୍କ କାମରେ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁତ କିଛି ହିତ ସାଧନ ହେବ  । ଆମର ମନେଅଛି, ଇସ୍ରୋ କିଛିଦିନ ପୂର୍ବେ GSAT-19 ର ସଫଳ ପ୍ରକ୍ଷେପଣ କରିଥିଲା  । ଆଉ ଆଜିଯାଏ ଭାରତ ଯେତେ ଉପଗ୍ରହ ପ୍ରେରଣ କରିଛି, ଇଏ ସବୁଠାରୁ ଓଜନଦାର ଉପଗ୍ରହ ଥିଲା  । ଆମ ଦେଶର ସମ୍ବାଦପତ୍ର ଗୁଡ଼ିକ ଏହାକୁ ହାତୀ ସହିତ ତୁଳନା କରିଛନ୍ତି  । ଏଇଥିରୁ ଅନୁମାନ କରିପାରୁଥିବେ, ମହାକାଶ ବିଜ୍ଞାନ କ୍ଷେତ୍ରରେ ଇଏ ଆମର କେତେବଡ଼ ସଫଳତା – ଯାହା ଆମର ବୈଜ୍ଞାନିକମାନେ କରି ଦେଖାଇଛନ୍ତି  । ଜୁନ୍ 19 ତାରିଖରେ ମଙ୍ଗଳ ଅଭିଯାନ (Mars Mission) ପାଇଁ ଆମେମାନେ ମଙ୍ଗଳ ଗ୍ରହର କକ୍ଷରେ ସ୍ଥାନଟିଏ ଦଖଲ କଲେ, ସେତେବେଳେ ଏହା ଛଅମାସ ପାଇଁ କରାଯାଇଥିଲା ଅର୍ଥାତ୍ ତା’ର ପରମାୟୁ 6 ମାସ ପାଇଁ ଥିଲା  । କିନ୍ତୁ ମୁଁ ଖୁସି ଯେ ଆମ ବୈଜ୍ଞାନିକମାନଙ୍କ ପ୍ରୟାସ ଏତେ ଶକ୍ତିଶାଳୀ ଥିଲା ଯେ – 6 ମାସ ତ ପାରିହୋଇଗଲା – ଆଜି ହଜାର ଦିନ ବିତିଗଲା ପରେ ବି “ମଙ୍ଗଳଯାନ କାମ କରୁଛି, ଫଟୋ ପଠାଉଛି, ସୂଚନା ଦେଉଛି ଏବଂ ବୈଜ୍ଞାନିକ ତଥ୍ୟ ଆସୁଛି  । ଏହା ଧାର୍ଯ୍ୟ ସମୟ ଠାରୁ ବି ଅଧିକ, ନିଜ ପରମାୟୁ ଠାରୁ ବି ଅଧିକ ଦିନ କାମ କରୁଛି । ହଜାର ଦିନ ପୂରଣ ହେବା ଆମ ବୈଜ୍ଞାନିକ ଯାତ୍ରା, ଆମ ଅନ୍ତରୀକ୍ଷ ଯାତ୍ରା ପଥରେ ଏକ ମହତ୍ୱପୂର୍ଣ୍ଣ ଘଟଣା  ।

ଆଜିକାଲି ଦେଖାଯାଉଛି – ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମ ଯୁବକଯୁବତୀମାନଙ୍କର ରୁଚି ବଢ଼ିଚାଲିଛି  । ଏବେ ଦେଖାଯାଉଛି ଯେ ପାଠପଢ଼ା ସାଥେ ସାଥେ ଖେଳକୁଦ କ୍ଷେତ୍ରରେ ମଧ୍ୟ ଆମର ଯୁବପିଢ଼ି ଭବିଷ୍ୟତ ଦେଖିବା ଆରମ୍ଭ କଲାଣି  । ଆଉ ଆମ ଖେଳାଳିମାନଙ୍କ ଯୋଗୁଁ, ସେମାନଙ୍କ ପୁରୁଷାର୍ଥ ଯୋଗୁଁ ତଥା ତାଙ୍କର ସିଦ୍ଧି ଯୋଗୁଁ ଦେଶର ସୁନାମ ବଢ଼ୁଛି  । ଏହି କେତେଦିନ ତଳେ ବ୍ୟାଡ଼ମିଂଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆ ଓପନ ଜିତି ଦେଶର ସୁନାମ ବଢ଼ାଇଛନ୍ତି  । ଏହି ଉପଲବ୍ଧି ପାଇଁ ମୁଁ ତାଙ୍କୁ ତଥା ତାଙ୍କର କୋଚ୍ ଙ୍କୁ ଅଭିନନ୍ଦନ ଜଣାଉଛି  । ମୋତେ କିଛିଦିନ ପୂର୍ବେ ଆଥଲେଟ୍ ପି.ଟି. ଉଷାଙ୍କର “Usha School of Athletics” ର “Synthetic Track” ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାର ଅବସର ମିଳିଥିଲା  । ଆମେ ଖେଳକୁ ଯେତେ ପ୍ରୋତ୍ସାହିତ କରିବା, ତାହା କ୍ରୀଡା ଆଉ କ୍ରୀଡା ଉତ୍ସାହ ନେଇ ଆସିବ  । ବ୍ୟକ୍ତିତ୍ୱର ବିକାଶରେ ମଧ୍ୟ ବହୁତ ଖେଳର ମହତ୍ୱପୂର୍ଣ୍ଣ ଭୂମିକା ରହିଛି  । ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ମଧ୍ୟ ଖେଳର ମାହାତ୍ମ୍ୟ ରହିଛି  । ଦେଶରେ ପ୍ରତିଭାର ଅଭାବ ନାହିଁ, ଯଦି ଆମ ପରିବାରରେ ପିଲାଙ୍କର ଖେଳପ୍ରତି ଆଗ୍ରହ ଅଛି, ତେବେ ସେମାନଙ୍କୁ ସୁଯୋଗ ଦିଆଯିବା ଉଚିତ  । ସେମାନଙ୍କୁ ଖେଳପଡ଼ିଆରୁ ଉଠାଇ ଆଣି, କୋଠରୀରେ ବନ୍ଦ କରି ପାଠ ପଢ଼ିବାକୁ ବାଧ୍ୟ କରିବା ଉଚିତ ନୁହେଁ  । ସେମାନେ ପଢ଼ନ୍ତୁ, ସେଥିରେ ବି ଉନ୍ନତି କରନ୍ତୁ  । କିନ୍ତୁ ଯଦି ଖେଳରେ ବି ସେମାନଙ୍କ ସାମର୍ଥ୍ୟ ରହିଛି, ଆଗ୍ରହ ରହିଛି, ତେବେ ସ୍କୁଲ, କଲେଜ, ପରିବାର, ଆଖପାଖର ଲୋକ ସମସ୍ତେ ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ  । ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ  । ଆଗାମୀ ଅଲମ୍ପିକ୍ ଖେଳ ପାଇଁ ସମସ୍ତେ ସ୍ୱପ୍ନ ଦେଖିବା ଉଚିତ  ।

ମୋର ପ୍ରିୟ ଦେଶବାସୀଗଣ, ବର୍ଷାଋତୁ, ଲଗାତାର ଉତ୍ସବର ପରିବେଶ, ଏ ସମୟର ଅନୁଭୂତିରେ ଏକ ନୂତନତ୍ୱ ଥାଏ  । ମୁଁ ପୁଣିଥରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି  । ଆଗାମୀ “ମନ୍ କି ବାତ୍ରେ ପୁଣି କିଛି ନୂଆ କଥା କହିବି  । ନମସ୍କାର  ।

 

**********