Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’’ କାର୍ଯ୍ୟକ୍ରମର 38ତମ ସଂସ୍କରଣ(26.11.2017)


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । କିଛିଦିନ ପୂର୍ବରୁ ମୋତେ କର୍ଣ୍ଣାଟକର ଶିଶୁସାଥିମାନଙ୍କ ସହିତ ପରୋକ୍ଷ ବାର୍ତ୍ତାଳାପର ସୁଯୋଗ ମିଳିଲା । Times Groupର “ବିଜୟ କର୍ଣ୍ଣାଟକା” ସମ୍ବାଦପତ୍ର ତରଫରୁ ଶିଶୁଦିବସ ଅବସରରେ ପ୍ରଥମ କରି ଏକ ପଦକ୍ଷେପ ନିଆଯାଇଥିଲା, ଯେଉଁଥିରେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପାଇଁ ଅନୁରୋଧ କରିଥିଲେ । ପରେ ସେମାନେ ସେଥିରୁ କିଛି ବଛା ବଛା ଚିଠି ଛାପିଥିଲେ । ମୁଁ ସେ ଚିଠିଗୁଡ଼ିକ ପଢ଼ିଲି, ମୋତେ ବହୁତ ଭଲ ଲାଗିଲା । ଏଇ ଛୋଟ-ଛୋଟ ପିଲାମାନେ ବି ଦେଶର ସମସ୍ୟାଗୁଡ଼ିକ ସହିତ ପରିଚିତ । ଦେଶରେ ଚାଲିଥିବା ଆଲୋଚନାମାନ ସହ ମଧ୍ୟ ପରିଚିତ । ଏହି ପିଲାମାନେ ଅନେକ ବିଷୟ ଉପରେ ଲେଖିଲେ । ଉତ୍ତର କର୍ଣ୍ଣାଟକର କିର୍ତ୍ତୀ ହେଗଡ଼େ Digital India Smart City  ଯୋଜନାର ପ୍ରଶଂସା କରି ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ପ୍ରସ୍ତାବ ଦେଲେ । ସେ ଆହୁରି ମଧ୍ୟ କହିଲେ ଯେ, ଆଜିକାଲି ପିଲାମାନେ ଶ୍ରେଣୀ ପାଠକୁ ପସନ୍ଦ କରୁନାହାନ୍ତି, ପ୍ରକୃତି ସମ୍ପର୍କରେ ଜାଣିବା ସେମାନଙ୍କୁ ଭଲ ଲାଗୁଛି । ଆଉ ଯଦି, ଆମେ ପିଲାମାନଙ୍କୁ ପ୍ରକୃତି ସମ୍ପର୍କରେ ସୂଚନା ଦେବା ତେବେ ଭବିଷ୍ୟତରେ ହୁଏତ ସେମାନେ ପରିବେଶ ସୁରକ୍ଷା ଦିଗରେ କାମରେ ଲାଗିପାରନ୍ତି ।

ଲକ୍ଷ୍ମେଶ୍ୱରାରୁ ରୀଡା ନଦାଫ, ସେ ପିଲାଟି ଲେଖିଛି ଯେ, ସେ ଜଣେ ସୈନିକର ଝିଅ ଏବଂ ଏକଥାକୁ ନେଇ ସେ ଗର୍ବିତ । କେଉଁ ଭାରତୀୟ ଥିବ ଯିଏ ସୈନିକଙ୍କ ଉପରେ ଗର୍ବିତ ହୋଇନଥିବ । ଆଉ ପୁଣି ଆପଣ ତ ସୈନିକଙ୍କ ଝିଅ, ତେଣୁ ଆପଣ ଗର୍ବିତ ହେବା ଖୁବ୍ ସ୍ୱାଭାବିକ । କଲବୁର୍ଗୀରୁ ଇର୍ଫାନା ବେଗମ୍ – ସେ ଲେଖିଛନ୍ତି ଯେ, ତାଙ୍କ ସ୍କୁଲ ତାଙ୍କ ଗାଁଠାରୁ 5 କିଲୋମିଟର ଦୂର, ଯେଉଁଥି ପାଇଁ ତାଙ୍କୁ ଘରୁ ଶୀଘ୍ର ବାହାରିବାକୁ ପଡ଼ୁଛି ଆଉ ଘରକୁ ଫେରିବାରେ ମଧ୍ୟ ବହୁତ ରାତି ହୋଇଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇ ପାରୁନି । ସେ ପ୍ରସ୍ତାବ ଦେଇଛନ୍ତି ଯେ, ପାଖରେ ଗୋଟିଏ ସ୍କୁଲ ହେବା ଦରକାର । କିନ୍ତୁ ଦେଶବାସୀଗଣ, ମୋତେ ଭଲ ଲାଗିଲା ଯେ, ଗୋଟିଏ ସମ୍ବାଦପତ୍ର ପଦକ୍ଷେପ ଗ୍ରହଣ କଲା, ଆଉ ମୋ ପର୍ଯ୍ୟନ୍ତ ଏହି ଚିଠିଗୁଡ଼ିକ ପହଂଚିଲା ଏବଂ ମୋତେ ଏହି ଚିଠିଗୁଡ଼ିକ ପଢ଼ିବାକୁ ସୁଯୋଗ ମିଳିଲା । ଏହା ମୋ ପାଇଁ ଗୋଟିଏ ଭଲ ଅନୁଭୂତି ଥିଲା ।

ମୋର ପ୍ରିୟ ଦେଶବାସୀଗଣ, ଆଜି ନଭେମ୍ବର 26 ତାରିଖ । ନଭେମ୍ବର 26 ହେଉଛି ଆମର ସମ୍ବିଧାନ ଦିବସ । 1949 ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ସ୍ୱୀକୃତି ପ୍ରଦାନ କରିଥିଲା । 1950 ମସିହା ଜାନୁୟାରୀ 26 ତାରିଖ ଦିନ ସମ୍ବିଧାନ କାର୍ଯ୍ୟକାରୀ ହେଲା । ସେଥିପାଇଁ ତ ଆମେ ସେ ଦିନଟିକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରୁଛୁ । ଭାରତର ସମ୍ବିଧାନ ଆମ ଗଣତନ୍ତ୍ରର ଆତ୍ମା । ଆଜିର ଦିନଟି ସମ୍ବିଧାନ ସଭାର ସଭ୍ୟମାନଙ୍କୁ ସ୍ମରଣ କରିବାର ଦିନ । ସେମାନେ ଭାରତର ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ପ୍ରାୟ ତିନିବର୍ଷ ପରିଶ୍ରମ କଲେ । ଯେ କେହି ବି ସେ ବିତର୍କକୁ ପଢ଼ିବ ସେ ରାଷ୍ଟ୍ର ପାଇଁ ସମର୍ପିତ ଜୀବନର ଚିନ୍ତାଧାରାକୁ ନେଇ ଗର୍ବ ଅନୁଭବ କରିବ । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶର ସମ୍ବିଧାନ ନିର୍ମାଣ କରିବା ପାଇଁ ସେମାନେ କେତେ କଠୋର ପରିଶ୍ରମ କରିଥିବେ, ତାହା ଆପଣ କଳ୍ପନା କରିପାରୁଛନ୍ତି କି? କେତେ ଉତ୍ତମ ଚିନ୍ତାଧାରା ଓ ଦୂରଦର୍ଶିତା ପ୍ରଦର୍ଶନ କରାଇଥିବେ ଆଉ ତାହା ପୁଣି ଏଭଳି ସମୟରେ ଯେତେବେଳେ ଦେଶ ଦାସତ୍ୱର ଶୃଙ୍ଖଳରୁ ମୁକ୍ତ ହେଉଥିଲା । ଏହି ସମ୍ବିଧାନର ଛାୟାରେ, ସମ୍ବିଧାନ ନିର୍ମାତା – ସେହି ମହାପୁରୁଷମାନଙ୍କ ଚିନ୍ତାଧାରା ଅନୁସାରେ ନୂତନ ଭାରତ ନିର୍ମାଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଆମ ସମ୍ବିଧାନ ବଡ଼ ବ୍ୟାପକ । ହୁଏତ ଜୀବନର ଏଭଳି କୌଣସି କ୍ଷେତ୍ର ନାହିଁ, ପ୍ରକୃତିର ଏଭଳି କୌଣସି ବିଷୟ ନାହିଁ ଯାହାକୁ ଆମ ସମ୍ବିଧାନ ସ୍ପର୍ଶ କରିନାହିଁ ।

ସମସ୍ତଙ୍କ ପାଇଁ ସମାନତା ଓ ସମସ୍ତଙ୍କ ପ୍ରତି ସମ୍ବେଦନଶୀଳତା – ଆମ ସମ୍ବିଧାନର ପରିଚୟ । ଏହା ପ୍ରତ୍ୟେକ ନାଗରିକ ଗରିବ ହେଉ ବା ଦଳିତ, ପଛୁଆ ହେଉ କି ବଂଚିତ, ଆଦିବାସୀ, ମହିଳା ସମସ୍ତଙ୍କ ମୌଳିକ ଅଧିକାରର ସୁରକ୍ଷା କରୁଛି ଏବଂ ସେମାନଙ୍କ ହିତକୁ ସୁରକ୍ଷିତ କରୁଛି । ଆମ ସମ୍ବିଧାନକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମର କର୍ତ୍ତବ୍ୟ । ନାଗରିକ ହୁଅନ୍ତୁ କି ପ୍ରଶାସକ, ସମ୍ବିଧାନର ଭାବନାକୁ ନେଇ ଆଗକୁ ବଢ଼ନ୍ତୁ । କାହାରିକୁ କୌଣସି ପ୍ରକାର କ୍ଷତି ନ ହେଉ – ଏହାହିଁ ତ ସମ୍ବିଧାନର ବାର୍ତ୍ତା । ଆଜି ସମ୍ବିଧାନ ଦିବସ ଅବସରରେ ଡା. ବାବାସାହେବ ଆମ୍ବେଦକରଙ୍କ କଥା ମନେପଡ଼ିବା ତ ଖୁବ୍ ସ୍ୱାଭାବିକ । ଏହି ସମ୍ବିଧାନ ସଭାରେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ 17ଟି ଭିନ୍ନ ଭିନ୍ନ ସମିତି ଗଠିତ ହୋଇଥିଲା । ଏହି ସମିତିଗୁଡ଼ିକ ମଧ୍ୟରେ ଯେଉଁଗୁଡ଼ିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ସେଥିମଧ୍ୟରୁ Drafting Committee ଅଧ୍ୟକ୍ଷ ଥିଲେ ଡା. ବାବାସାହେବ ଆମ୍ବେଦକର । ସେ ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଆଜି ଆମେ ଭାରତର ଯେଉଁ ସମ୍ବିଧାନକୁ ନେଇ ଗୌରବ ଅନୁଭବ କରୁଛୁ ତାହାର ନିର୍ମାଣରେ ବାବାସାହେବ ଆମ୍ବେଦକରଙ୍କ କୁଶଳ ନେତୃତ୍ୱର ଅଲିଭା ଛାପ ରହିଛି । ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ହେଉ ଏହା ସେ ସୁନିଶ୍ଚିତ କରିଥିଲେ । ଡିସେମ୍ବର 6 ତାରିଖ ତାଙ୍କର ମହାପରିନିର୍ବାଣ ଦିବସ ଅବସରରେ ଆମେ ପ୍ରତିଥର ପରି ତାଙ୍କୁ ସ୍ମରଣ ଓ ପ୍ରଣାମ କରୁଛୁ । ଦେଶକୁ ସମୃଦ୍ଧ ଏବଂ ଶକ୍ତିଶାଳୀ କରିବାରେ ବାବାସାହେବଙ୍କ ଯୋଗଦାନ ଅବିସ୍ମରଣୀୟ । ଡିସେମ୍ବର 15 ତାରିଖ ହେଉଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥି । ଚାଷୀପୁଅରୁ ଲୌହମାନବ ପାଲଟିଥିବା ସର୍ଦ୍ଦାର ପଟେଲ ଦେଶକୁ ଏକ ସୂତ୍ରରେ ବାନ୍ଧିବାର ଅସାଧାରଣ କାର୍ଯ୍ୟ କରିଥିଲେ । ସର୍ଦ୍ଦାର ସାହେବ ମଧ୍ୟ ସମ୍ବିଧାନ ସଭାର ସଭ୍ୟ ଥିଲେ । ସେ ମୌଳିକ ଅଧିକାର, ସଂଖ୍ୟାଲଘୁ ଓ ଆଦିବାସୀଙ୍କ ପାଇଁ ଗଠିତ ପରାମର୍ଶଦାତା ସମିତିର ଅଧ୍ୟକ୍ଷ ମଧ୍ୟ ଥିଲେ ।

ନଭେମ୍ବର 26 ଆମର ସମ୍ବିଧାନ ଦିବସ । କିନ୍ତୁ ଦେଶବାସୀ ଏକଥା କେମିତି ଭୁଲିପାରିବେ ଯେ, 9 ବର୍ଷ ପୂର୍ବେ ନଭେମ୍ବର 26 ତାରିଖ ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କରିଦେଇଥିଲେ । ଦେଶ ସେହି ବୀର ନାଗରିକ, ପୁଲିସକର୍ମୀ, ସୁରକ୍ଷାକର୍ମୀ, ସେ ସମସ୍ତଙ୍କୁ ସ୍ମରଣ କରୁଛି, ସେମାନଙ୍କୁ ପ୍ରଣାମ କରୁଛି ଯେଉଁମାନେ ଏଥିରେ ପ୍ରାଣ ହରାଇଲେ । ଏ ଦେଶ ସେମାନଙ୍କ ବଳିଦାନକୁ କେବେହେଲେ ଭୁଲିପାରିବ ନାହିଁ । ଆତଙ୍କବାଦ ଆଜି ବିଶ୍ୱର ପ୍ରତ୍ୟେକ ଭୂଭାଗରେ ଏକ ପ୍ରକାର ନିତିଦିନିଆ ଘଟଣାର ଗୋଟିଏ ଅତି ଭୟଙ୍କର ରୂପ ଧାରଣ କରିଛି । ଭାରତରେ ଆମେ ଗତ 40 ବର୍ଷ ଧରି ଆତଙ୍କବାଦ ଯୋଗୁଁ ବହୁତ କିଛି ସହିଆସୁଛୁ । ଆମର ହଜାର ହଜାର ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ କିଛି ବର୍ଷ ପୂର୍ବେ ଭାରତ ଯେତେବେଳେ ବିଶ୍ୱ ଆଗରେ ଆତଙ୍କବାଦ ଜନିତ ଭୟଙ୍କର ସଙ୍କଟର ଚର୍ଚ୍ଚା କରୁଥିଲା, ସେତେବେଳେ ବିଶ୍ୱର ଅନେକ ଲୋକ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । କିନ୍ତୁ ଆଜି ଯେତେବେଳେ ଆତଙ୍କବାଦ ତାଙ୍କଦ୍ୱାରରେ କରାଘାତ କରୁଛି ସେତେବେଳେ ବିଶ୍ୱର ପ୍ରତ୍ୟେକ ସରକାର, ମାନବବାଦରେ ବିଶ୍ୱାସ କରୁଥିବା, ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ସରକାରମାନେ ଆତଙ୍କବାଦକୁ ଗୋଟିଏ ବହୁତ ବଡ଼ ଆହ୍ୱାନ ରୂପରେ ଦେଖୁଛନ୍ତି । ଆତଙ୍କବାଦ ବିଶ୍ୱର ମାନବତାକୁ ଆହ୍ୱାନ ଦେଇଛି । ଏହା ମାନବୀୟ ଶକ୍ତିକୁ ନଷ୍ଟ କରିବାକୁ ବସିଛି । ତେଣୁ କେବଳ ଭାରତ ନୁହେଁ ବିଶ୍ୱର ସମସ୍ତ ମାନବବାଦୀ ଶକ୍ତି ଏକଜୁଟ ହୋଇ ଆତଙ୍କବାଦକୁ ପରାସ୍ତ କରିବାକୁ ହିଁ ପଡ଼ିବ । ଭଗବାନ ବୁଦ୍ଧ, ଭଗବାନ ମହାବୀର, ଗୁରୁ ନାନକ, ମହାତ୍ମାଗାନ୍ଧୀ, ଏଇ ତ ସେହି ମାଟି ଯିଏ ସାରା ବିଶ୍ୱକୁ ଅହିଂସା ଏବଂ ପ୍ରେମର ବାର୍ତ୍ତା ଦେଲା ।

ଆତଙ୍କବାଦ ଏବଂ ଉଗ୍ରବାଦ ଆମ ସାମାଜିକ ଢାଂଚାକୁ ଦୁର୍ବଳ କରି, ଏହାକୁ ନଷ୍ଟ-ବିନଷ୍ଟ କରିବାର ହୀନ ଚେଷ୍ଟା କରୁଛନ୍ତି । ତେଣୁ ମାନବବାଦୀ ଶକ୍ତିଗୁଡ଼ିକ ଅଧିକ ସଚେତନ ହେବାର ସମୟ ଆସିଛି ।

ମୋର ପ୍ରିୟ ଦେଶବାସୀଗଣ, ଡିସେମ୍ବର 4 ତାରିଖ ଦିନ ଆମେ ସମସ୍ତେ Navy Day ବା ନୌସେନା ଦିବସ ପାଳନ କରିବାକୁ ଯାଉଛୁ । ଭାରତୀୟ ନୌବାହିନୀ ଆମର ସମୁଦ୍ରକୂଳକୁ ସୁରକ୍ଷା ପ୍ରଦାନ କରୁଛି । ମୁଁ ନୌସେନା ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ, ଆମ ସଭ୍ୟତାର ବିକାଶ ନଦୀତଟଗୁଡ଼ିକରେ ହେଇଥିଲା । ସିନ୍ଧୁ ହେଉ, ଗଙ୍ଗା ହେଉ, ଯମୁନା ହେଉ, ସରସ୍ୱତୀ ହେଉ, ଆମର ନଦୀ ଓ ସମୁଦ୍ର, ଆର୍ଥିକ ଓ ସାମରିକ, ଉଭୟ ଉଦ୍ଦେଶ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ସମଗ୍ର ବିଶ୍ୱ ପାଇଁ ଆମର ପ୍ରବେଶଦ୍ଵାର ପାଲଟିଛି, ଆମର ଏହି ଭୂମିର ମହାସାଗରଗୁଡ଼ିକ ସହ ଘନିଷ୍ଠ ସମ୍ପର୍କ ରହିଆସିଛି । ଆମେ ଯେତେବେଳେ ଇତିହାସ ଉପରେ ଦୃଷ୍ଟିନିକ୍ଷେପ କରୁ, ସେତେବେଳେ ଦେଖୁ ଯେ 800-900 ବର୍ଷ ପୂର୍ବେ ଚୋଳବଂଶର ଶାସନ କାଳରେ ଚୋଳ ନୌବାହିନୀକୁ ସବୁଠାରୁ ଶକ୍ତିଶାଳୀ ନୌବାହିନୀ ମଧ୍ୟରୁ ଗୋଟିଏ ବୋଲି ଗ୍ରହଣ କରାଯାଉଥିଲା । ଚୋଳ ସାମ୍ରାଜ୍ୟ ବିସ୍ତାରରେ, ସେହି ସାମ୍ରାଜ୍ୟକୁ ସେହି ସମୟର ବୃହତ ଆର୍ଥିକ ଶକ୍ତି କରିବାରେ ତାଙ୍କର ନୌବାହିନୀର ବହୁତ ବଡ଼ ଅବଦାନ ଥିଲା । ଚୋଳ ନୌବାହିନୀର ଅଭିଯାନ, ସନ୍ଧାନ ଯାତ୍ରାର ଅନେକ ଉଦାହରଣ, ସଙ୍ଗମ ସାହିତ୍ୟରେ ଆଜି ମଧ୍ୟ ଉପଲବ୍ଧ । ଖୁବ୍ କମ୍ ଲୋକ ଜାଣିଥିବେ ଯେ, ବିଶ୍ୱର ଅଧିକାଂଶ ନୌବାହିନୀ ବହୁ ବିଳମ୍ବରେ ଯୁଦ୍ଧପୋତରେ ମହିଳାମାନଙ୍କୁ ଅନୁମତି ଦେଇଥିଲେ । କିନ୍ତୁ ଚୋଳ ନୌବାହିନୀରେ ତାହା ପୁଣି 800-900 ବର୍ଷ ପୂର୍ବେ ବହୁ ସଂଖ୍ୟାରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏପରିକି ମହିଳାମାନେ ଯୁଦ୍ଧରେ ମଧ୍ୟ ସାମିଲ ହେଉଥିଲେ । ଚୋଳ ଶାସକଙ୍କର ଜଳଜାହାଜ ନିର୍ମାଣ ସମ୍ପର୍କରେ ସମୃଦ୍ଧ ଜ୍ଞାନ ଥିଲା । ଆମେ ଯେତେବେଳେ ନୌବାହିନୀ କଥା କହୁଁ ସେତେବେଳେ ଛତ୍ରପତି ଶିବାଜୀ ମହାରାଜ ଏବଂ ତାଙ୍କର ନୌବାହିନୀର ସାମର୍ଥ୍ୟକୁ କିଏ ବା ଭୁଲିପାରିବ? କୋଙ୍କଣ ସମୁଦ୍ରତଟ, ଯେଉଁଠାରେ ସମୁଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଶିବାଜୀ ମହାରାଜଙ୍କ ରାଜ୍ୟ ଅନ୍ତର୍ଗତ ଥିଲା । ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଅନେକ ଦୁର୍ଗ, ଯେମିତିକ ସିନ୍ଧୁ  ଦୁର୍ଗ, ମୁରୁଡ ଜଞ୍ଜିରା, ସ୍ୱର୍ଣ୍ଣଦୁର୍ଗ ଆଦି ସମୁଦ୍ରତଟରେ ଥିଲା କିମ୍ବା ସମୁଦ୍ର ଘେରରେ ଥିଲା । ଏହି ଦୁର୍ଗଗୁଡ଼ିକର ସୁରକ୍ଷା ଦାୟିତ୍ୱ ମରହଟ୍ଟା ନୌବାହିନୀ କରୁଥିଲା । ମରହଟ୍ଟା ନୌବାହିନୀ ବଡ଼ ବଡ଼ ଜଳଜାହାଜ ଏବଂ ଛୋଟ ଛୋଟ ନୌକାର ସମନ୍ୱୟ ଥିଲା । ତାଙ୍କର ନୌସୈନିକ ଯେକୌଣସି ଶତୃପକ୍ଷ ଉପରେ ଆକ୍ରମଣ କରିବା ଓ ସେମାନଙ୍କଠାରୁ ସୁରକ୍ଷିତ ରହିବାରେ ପାରଙ୍ଗମ ଥିଲେ । ଯଦି ଆମେ ମରହଟ୍ଟା ନୌବାହିନୀର ଚର୍ଚ୍ଚାକରି କାହ୍ନୋଜୀ ଆଙ୍ଗ୍ରେଙ୍କୁ ସ୍ମରଣ ନ କରିବା, ତାହା କେମିତି ସମ୍ଭବ ହେବ? ସେ ମରହଟ୍ଟା ନୌବାହିନୀକୁ ଗୋଟିଏ ନୂତନ ସ୍ତରକୁ ପହଂଚାଇଥିଲେ ଏବଂ ଅନେକ ସ୍ଥାନରେ ମରହଟ୍ଟା ନୌସୈନିକଙ୍କ କେନ୍ଦ୍ର ସ୍ଥାପିତ କରିଥିଲେ । ସ୍ୱାଧୀନତା ପରେ ଆମ ଭାରତୀୟ ନୌସେନା ବିଭିନ୍ନ ସମୟରେ ନିଜର ପରାକ୍ରମ ପ୍ରଦର୍ଶିତ କଲା; ତାହା ଗୋଆର ମୁକ୍ତି ସଂଗ୍ରାମ ହେଉ କି 1971 ମସିହାର ଭାରତ-ପାକିସ୍ଥାନ ଯୁଦ୍ଧ ହେଉ । ଯେତେବେଳେ ଆମେମାନେ ନୌସେନାର ଚର୍ଚ୍ଚା କରୁ, ସେତେବେଳେ ଆମ ଦୃଷ୍ଟିକୁ କେବଳ ଯୁଦ୍ଧ କଥା ଆସେ; କିନ୍ତୁ ଭାରତୀୟ ନୌସେନା ମାନବତାର ସେବାରେ ମଧ୍ୟ ନିଜର ପରାକାଷ୍ଠା ପ୍ରଦର୍ଶିତ କରିଛି । ଏ ବର୍ଷ ଜୁନ୍ ମାସରେ ବାଂଲାଦେଶ ଓ ମିଆଁମାରରେ ‘ମୋରା’ ନାମକ ବାତ୍ୟାର ପ୍ରକୋପ ଦେଖାଦେଇଥିଲା । ସେତେବେଳେ ଆମର ନୌସେନା ଜାହାଜ, ଆଇଏନଏସ ସୁମିତ୍ରା ତତକ୍ଷଣାତ୍ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲା ତଥା କେତେକ ମତ୍ସ୍ୟଜୀବୀଙ୍କୁ ଜଳରୁ ଉଦ୍ଧାର କରି ବାଂଲାଦେଶକୁ ପ୍ରଦାନ କରିଥିଲା ।

ଚଳିତ ବର୍ଷ ମେ-ଜୁନରେ ଯେତେବେଳେ ଶ୍ରୀଲଙ୍କାରେ ଭୟଙ୍କର ବନ୍ୟାର ସଙ୍କଟ ଦେଖାଦେଇଥିଲା, ସେତେବେଳେ ଆମ ନୌସେନାର ତିନିଗୋଟି ଜାହାଜ ତତକ୍ଷଣାତ୍ ସେଠାରେ ପହଂଚି ସେଠାକାର ସରକାର ଏବଂ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିଲା । ବାଂଲାଦେଶରେ ସେପ୍ଟେମ୍ବର ମାସରେ ରୋହିଙ୍ଗ୍ୟା ପ୍ରସଙ୍ଗରେ ଆମ ନୌସେନାର ଜାହାଜ ତଥା ଆଇଏନଏସ ଘଡିଆଳ ମାନବୀୟ ସହାୟତା କରିଥିଲା । ଜୁନ୍ ମାସରେ ପାପୁଆ ନିଉଗିନିର ସରକାର ସଂକଟରେ ପଡ଼ିଥିବା ନିଜର ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲା ତଥା ଆମ ନୌସେନା ସେ ଦିଗରେ ତତ୍କାଳ ସହଯୋଗ କରିଥିଲା । ନଭେମ୍ବର 21ରେ ପଶ୍ଚିମ ଉପସାଗରୀୟ ଅଂଚଳରେ ଏକ ବାଣିଜ୍ୟ ପୋତ ଉପରେ ହୋଇଥିବା ସମୁଦ୍ର ଡକାୟତି ଘଟଣାରେ ମଧ୍ୟ ଆମ ନୌସେନା ଆଇଏନଏସ ତ୍ରିକନ୍ଦ ସହାୟତା କରିବା ପାଇଁ ସେଠାରେ ପହଂଚିଥିଲା । ଫିଜିକୁ ଆରୋଗ୍ୟ ସେବା ପ୍ରଦାନ କାର୍ଯ୍ୟ ହେଉ କି ତତ୍କାଳ ରିଲିଫ ସାମଗ୍ରୀ ପହଂଚାଇବା କାର୍ଯ୍ୟ ହେଉ କିମ୍ବା ପଡ଼ୋଶୀ ରାଷ୍ଟ୍ରକୁ ସଂକଟ ସମୟରେ ମାନବୀୟ ସହାୟତା ପ୍ରଦାନ କରିବା ହେଉ; ଆମ ନୌସେନା ସର୍ବଦା ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସିଛି । ଆମେ ଭାରତବାସୀ ଆମର ସୁରକ୍ଷା ବାହିନୀଙ୍କ ପ୍ରତି ସବୁବେଳେ ସମ୍ମାନ ଓ ଗୌରବପୂର୍ଣ୍ଣ ମନୋଭାବ ରଖିଥାଉ – ସେ ପଦାତିକ ବାହିନୀ ହେଉ, ନୌବାହିନୀ ହେଉ କିମ୍ବା ବାୟୁସେନା, ଆମ ସୈନ୍ୟମାନଙ୍କର ସାହସ, ବୀରତ୍ୱ, ଶୌର୍ଯ୍ୟ, ପରାକ୍ରମ ଏବଂ ବଳିଦାନ ପାଇଁ ପ୍ରତ୍ୟେକ ଦେଶବାସୀ ସେମାନଙ୍କୁ ସଲାମ କରିଥାଏ । ଶହେ ପଚିଶ କୋଟି ଦେଶବାସୀ ସୁଖ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ଉପଭୋଗ କରନ୍ତୁ, ଏଥିପାଇଁ ସେମାନେ ନିଜର ଯୌବନ ଦେଶ ପାଇଁ ଉତ୍ସର୍ଗ କରିଦିଅନ୍ତି ।

ପ୍ରତିବର୍ଷ ଡିସେମ୍ବର 7ରେ ସଶସ୍ତ୍ର ବାହିନୀ ‘ପତାକା ଦିବସ’ ପାଳନ କରିଥାଏ । ଏହା ସଶସ୍ତ୍ର ବାହିନୀ ପ୍ରତି ଗର୍ବ ଓ ସମ୍ମାନ ପ୍ରଦର୍ଶନ କରିବାର ଦିବସ ଅଟେ । ମୁଁ ଆନନ୍ଦିତ ଯେ ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଡିସେମ୍ବର 1ରୁ 7 ତାରିଖ ପର୍ଯ୍ୟନ୍ତ ଦେଶର ନାଗରିକମାନଙ୍କ ନିକଟକୁ ଯାଇ ସଶସ୍ତ୍ରବାହିନୀ ସମ୍ପର୍କରେ ସେମାନଙ୍କୁ ସୂଚନା ପ୍ରଦାନ କରିବା ତଥା ସଚେତନ କରାଇବାର ଅଭିଯାନ ପାଇଁ ନିଷ୍ପତ୍ତି ନେଇଛି । ସାତଦିନ ପର୍ଯ୍ୟନ୍ତ ପିଲାମାନଙ୍କଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପତାକା ବ୍ୟବହାର କରନ୍ତୁ । ସମଗ୍ର ଦେଶରେ ସେନାବାହିନୀ ପ୍ରତି ଏକ ସମ୍ମାନଜନକ ଆନ୍ଦୋଳନ ଆରମ୍ଭ ହେଉ । ଏହି ଅବସରରେ ଆମେମାନେ ସଶସ୍ତ୍ର ବାହିନୀର ପତାକା ବିତରଣ କରିପାରନ୍ତି । ନିଜ ଆଖପାଖରେ, ନିଜ ଜଣାଶୁଣାରେ ଯେଉଁମାନେ ସଶସ୍ତ୍ର ବାହିନୀ ସହ ସମ୍ପୃକ୍ତ, ସେମାନଙ୍କର ଅନୁଭୂତିଗୁଡ଼ିକୁ, ସେମାନଙ୍କର ସାହସିକ କାର୍ଯ୍ୟାବଳୀକୁ ତଥା ସେମାନଙ୍କର ଭିଡ଼ିଓ ଓ ଫଟୋ ସବୁକୁ #armedforcesflagday କୁ ପ୍ରେରଣ କରିପାରନ୍ତି । ସ୍କୁଲ ଓ କଲେଜମାନଙ୍କରେ ସେନାବାହିନୀର ଲୋକମାନଙ୍କୁ ଆମନ୍ତ୍ରିତ କରି ସେମାନଙ୍କଠାରୁ ସେନାବାହିନୀ ସମ୍ପର୍କରେ ସୂଚନା ଗ୍ରହଣ କରିପାରନ୍ତି । ଆମର ନୂତନ ବଂଶଧରମାନଙ୍କୁ ସେନାବାହିନୀ ସମ୍ପର୍କରେ ଜ୍ଞାନଲାଭ କରିବାର ଏହା ଏକ ଭଲ ସୁଯୋଗ ହୋଇପାରେ । ଏହା ଆମର ସଶସ୍ତ୍ର ବାହିନୀର ସମସ୍ତ ସୈନ୍ୟମାନଙ୍କର ହିତସାଧନ ନିମନ୍ତେ ଧନରାଶି ସଂଗ୍ରହ କରିବାର ସୁଯୋଗ ଅଟେ । ଏହି ଧନରାଶି ‘ସୈନିକ କଲ୍ୟାଣ ବୋର୍ଡ’ ମାଧ୍ୟମରେ ଯୁଦ୍ଧରେ ଶହୀଦ ହୋଇଥିବା ସୈନ୍ୟମାନଙ୍କର ପରିବାର ସଦସ୍ୟମାନଙ୍କ ପାଇଁ ତଥା ଆହତ ହୋଇଥିବା ସୈନ୍ୟମାନଙ୍କର ହିତ ସାଧନ ପାଇଁ ଓ ସେମାନଙ୍କର ଥଇଥାନ ପାଇଁ ବ୍ୟୟ ହୋଇଥାଏ । ଆର୍ଥିକ ସହଯୋଗ କରିବା ପାଇଁ ଆପଣମାନେ ବିଭିନ୍ନ ପ୍ରକାରର ନେଣଦେଣର ସୂଚନା ksb.gov.inରୁ ପାଇପାରନ୍ତି । ଏଥିପାଇଁ ଆପଣମାନେ ବେନଗଦୀ ପଇଠ ମଧ୍ୟ କରିପାରନ୍ତି । ଆସନ୍ତୁ, ଏହି ସୁଯୋଗରେ ଆମେମାନେ ମଧ୍ୟ ଏପରି କିଛି କାର୍ଯ୍ୟ କରିବା, ଯାହାଦ୍ୱାରା ଆମର ସଶସ୍ତ୍ରବାହିନୀର ମନୋବଳ ବୃଦ୍ଧି ହୋଇପାରିବ । ଆମେମାନେ ମଧ୍ୟ ସେମାନଙ୍କ ହିତ ସାଧନ ନିମନ୍ତେ ନିଜର ଯୋଗଦାନ ପ୍ରଦାନ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଡିସେମ୍ବର 5 ତାରିଖ ‘ବିଶ୍ୱ ମୃତ୍ତିକା ଦିବସ’ ଅଟେ । ମୁଁ ମୋର କୃଷକ ଭାଇ-ଭଉଣୀମାନଙ୍କ ସହିତ କିଛି କଥା ହେବାକୁ ଚାହୁଁଛି । ପୃଥିବୀର ଗୋଟିଏ ମହତ୍ୱପୂର୍ଣ୍ଣ ଉପାଦାନ ହେଉଛି ମାଟି । ଆମେମାନେ ଯାହାକିଛି ଖାଉଛନ୍ତି, ତାହା ଏହି ମାଟିରୁ ସୃଷ୍ଟ । ଏପରିକି ସମ୍ପୂର୍ଣ୍ଣ ଖାଦ୍ୟଶୃଙ୍ଖଳ ମଧ୍ୟ ମାଟି ସହ ସମ୍ପୃକ୍ତ । ଆପଣମାନେ ଭାବନ୍ତୁ ତ, ଯଦି ଏହି ପୃଥିବୀରେ କେଉଁଠାରେ ବି ଉତ୍ପାଦନକ୍ଷମ ମାଟି ନ ଥାନ୍ତା, ତା’ହେଲେ ପରିସ୍ଥିତି କ’ଣ ହୁଅନ୍ତା? ଚିନ୍ତା କଲାବେଳକୁ ଡର ଲାଗୁଛି । ଯଦି ମାଟି ନ ଥିବ, ବୃକ୍ଷଲତା ନ ଥିବ, ତାହେଲେ ମାନବ ଜୀବନ ସମ୍ଭବ ହେବ କେମିତି? ଜୀବଜନ୍ତୁଙ୍କର ଜୀବନଧାରଣ କିପରି ସମ୍ଭବ ହେବ? ଏ ସମ୍ପର୍କରେ ବହୁ ପୂର୍ବରୁ ଆମ ସଂସ୍କୃତିରେ ଚିନ୍ତା କରାଯାଇଛି, ଯାହାଫଳରେ ଆମେମାନେ ପ୍ରାଚୀନ କାଳରୁ ମାଟିର ମହତ୍ୱ ପ୍ରତି ସଚେତନ ଅଛନ୍ତି । ଆମ ସଂସ୍କୃତିରେ ଗୋଟିଏ ଦୃଷ୍ଟିରୁ ଚାଷଜମି ପ୍ରତି ଓ ମାଟି ପ୍ରତି ଲୋକମାନଙ୍କ ମଧ୍ୟରେ ଭକ୍ତି ଓ ଆଦର ଭାବ ରହୁ, ତଥା ଅନ୍ୟ ଦୃଷ୍ଟିରୁ ବୈଜ୍ଞାନିକ ପ୍ରଣାଳୀଗୁଡ଼ିକ ଆମ ଜୀବନର ଅଙ୍ଗ ହୋଇ ମାଟିର ପୋଷଣ କରିବାରେ ସହାୟକ ହେଉ । ଏ ଦେଶର କୃଷକମାନଙ୍କ ଜୀବନରେ ଦୁଇଗୋଟି କଥାର ମହତ୍ୱ ରହିଛି – ନିଜ ମାଟି ପ୍ରତି ଭକ୍ତିଭାବ ଓ ତତସହିତ ବୈଜ୍ଞାନିକ ଦୃଷ୍ଟିକୋଣରୁ ମାଟିକୁ ଆପଣେଇବା ତଥା ସମୃଦ୍ଧ କରିବା । ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଆମ ଦେଶର କୃଷକମାନେ ନିଜ ପରମ୍ପରା ସହ ସମ୍ପୃକ୍ତ ରହିବା ସଙ୍ଗେ ସଙ୍ଗେ ଆଧୁନିକ ବିଜ୍ଞାନ ପ୍ରତି ମଧ୍ୟ ଆଗ୍ରହ ରଖନ୍ତି, ଚେଷ୍ଟା ଓ ସଂକଳ୍ପ କରନ୍ତି ।

ମୁଁ ହିମାଚଳ ପ୍ରଦେଶର ହମୀରପୁର ଜିଲ୍ଲାର ଟୋହୁ ଗ୍ରାମ, ଭୋରଞ୍ଜ ବ୍ଲକ୍ ଏବଂ ସେଠାକାର କୃଷକମାନଙ୍କ ସମ୍ପର୍କରେ ଶୁଣିଥିଲି । ଏଠାରେ କୃଷକମାନେ ପୂର୍ବେ ଅବ୍ୟବସ୍ଥିତ ଭାବରେ ରାସାୟନିକ ସାର ପ୍ରୟୋଗ କରିଆସୁଥିଲେ ଯାହାଫଳରେ ପୃଥିବୀର ସ୍ୱାସ୍ଥ୍ୟହାନି ହେବାରେ ଲାଗିଥିଲା । କ୍ରମଶଃ ଉତ୍ପାଦନ କମ୍ ହେବାରେ ଲାଗିଲା ଏବଂ ଉତ୍ପାଦନ କମ୍ ହେବାରୁ ଆୟ ମଧ୍ୟ କମ୍ ହେଲା । ମାଟିର ଉତ୍ପାଦନ କ୍ଷମତା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଲା । ସେ ଗ୍ରାମର କିଛି ସଚେତନଶୀଳ କୃଷକ ଏହି ଗମ୍ଭୀର ସଂକଟକୁ ବୁଝିଲେ ଏବଂ ତା’ପରେ ନିଜ ନିଜ ମାଟିର ପରୀକ୍ଷା କରାଇଲେ । ଯେତେବେଳେ ସବୁ ସାର, ଅଣୁ ପୋଷକତତ୍ୱ ଏବଂ ଜୈବିକ ସାର ପ୍ରୟୋଗ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଗଲା, ସେମାନେ ସେ ପରାମର୍ଶକୁ ଗ୍ରହଣ କଲେ । ଆପଣମାନେ ଏହାର ପରିଣାମ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମୃତ୍ତିକା ସ୍ୱାସ୍ଥ୍ୟ ଦ୍ୱାରା କୃଷକମାନଙ୍କୁ ଯେଉଁ ସୂଚନା ମିଳିଲା ତଥା ଯେଉଁସବୁ ପରାମର୍ଶ ଦିଆଗଲା, ତା’ର ଉପଯୋଗର ପରିଣାମ କ’ଣ ହେଲା? 2016-17 ରବିଋତୁରେ ଗହମର ଉତ୍ପାଦନ ଏକର ପିଛା ତିନିରୁ ଚାରି ଗୁଣା ବୃଦ୍ଧି ହେଲା ଏବଂ ଆୟରେ ମଧ୍ୟ ଏକର ପିଛା ଚାରି ହଜାରରୁ ଛଅ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଲା । ଏଥିସହିତ ମାଟିର ଗୁଣରେ ମଧ୍ୟ ଉନ୍ନତି ଘଟିଲା । ସାରର ପ୍ରୟୋଗ କମ୍ ହେବା ଫଳରେ ଅର୍ଥ ସଂଚୟ ମଧ୍ୟ ବଢ଼ିବାରେ ଲାଗିଲା । ଏହାଦେଖି ମୁଁ ବିଶେଷ ଆନନ୍ଦିତ ଯେ ମୋର କୃଷକଭାଇମାନେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡରେ ଦିଆଯାଇଥିବା ପରାମର୍ଶକୁ ଗ୍ରହଣ କରିବାକୁ ଆଗ୍ରହୀ ହୋଇଛନ୍ତି ତଥା ଏହାର ସୁପରିଣାମ ଦେଖି ସେମାନଙ୍କର ଉତ୍ସାହ ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ କୃଷକମାନେ ଭାବୁଛନ୍ତି ଯେ ଯଦି ଫସଲର କଥା ଚିନ୍ତା କରିବା, ତେବେ ପ୍ରଥମେ ଧରିତ୍ରୀ-ମାଆର ଯତ୍ନ ନେବାକୁ ହେବ; ଆଉ ଯଦି ଆମେ ଧରିତ୍ରୀ-ମାଆର ଯତ୍ନ ନେବା, ତା’ହେଲେ ଧରିତ୍ରୀ-ମାଆ ମଧ୍ୟ ଆମ ସମସ୍ତଙ୍କର ଯତ୍ନ ନେବ ।

ସମଗ୍ର ଦେଶରେ ଆମ କୃଷକ ଭାଇମାନେ ଦଶ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କରିସାରିଛନ୍ତି ଯଦ୍ୱାରା ସେମାନେ ନିଜର ମାଟିକୁ ଉତ୍ତମ ଭାବରେ ବୁଝିପାରିବେ ଏବଂ ସେହି ଅନୁସାରେ ଫସଲ ମଧ୍ୟ ଉତ୍ପାଦିତ କରିବେ ।

ଆମେମାନେ ଧରିତ୍ରୀ ମାଆର ଭକ୍ତି କରୁଛୁ କିନ୍ତୁ ୟୁରିଆ ଭଳି ରାସାୟନିକ ସାର ପ୍ରୟୋଗ ଦ୍ୱାରା କେତେ ମାତ୍ରାରେ ଧରିତ୍ରୀ ମାଆର କ୍ଷତି ହେଉଛି, କେବେ ଚିନ୍ତା କରିଛୁ? ପ୍ରତିଟି ବୈଜ୍ଞାନିକ ପ୍ରଣାଳୀ ଦ୍ୱାରା ଏହା ପ୍ରମାଣିତ ହୋଇସାରିଛି ଯେ ଆବଶ୍ୟକତାଠାରୁ ଅଧିକ ୟୁରିଆର ଉପଯୋଗ କରିବା ଦ୍ୱାରା ଧରିତ୍ରୀ ମାଆର ଭୀଷଣ କ୍ଷତି ହେଉଅଛି । କୃଷକ ତ ଧରିତ୍ରୀର ସନ୍ତାନ, ଏଥିପାଇଁ ସେ ଧରିତ୍ରୀ ମାଆକୁ ରୋଗଗ୍ରସ୍ତ ଭାବରେ କିପରି ଦେଖିପାରିବ? ଏହି ମାଆ-ପୁଅର ସଂପର୍କକୁ ପୁନର୍ବାର ଉଜ୍ଜିବୀତ କରିବା ଆଜିର ସମୟର ଆବଶ୍ୟକତା । ଆମର କୃଷକ ଭାଇ, ଆମ ଧରିତ୍ରୀମାଆର ପୁଅ, ଆମ ଧରିତ୍ରୀର ସନ୍ତାନ କ’ଣ ଏ ସଂକଳ୍ପ ନେଇପାରିବେ ଯେ ସେମାନେ ଆଜି ନିଜ ଚାଷଜମିରେ ଯେତିକି ୟୁରିଆ ବ୍ୟବହାର କରୁଛନ୍ତି, 2022 ବେଳକୁ ଯେତେବେଳେ କି ଆମ ସ୍ୱାଧୀନତାର 75 ବର୍ଷ ପୂରଣ ହେବ, ୟୁରିଆର ଅଧା ବ୍ୟବହାର ବନ୍ଦ କରିପାରିବେ? ଯଦି ଥରଟିଏ ଧରିତ୍ରୀ ମା’ର ପୁଅ, ମୋର କୃଷକ ଭାଇ, ଏଇ ସଂକଳ୍ପ କରନ୍ତି ତାହେଲେ ଆପଣମାନେ ଦେଖିବେ, ଧରିତ୍ରୀ ମାଆର ସ୍ୱାସ୍ଥ୍ୟରେ ଉନ୍ନତି ଆସିଯିବ ଏବଂ ଉତ୍ପାଦନ ମଧ୍ୟ ବଢ଼ିଯିବ, କୃଷକମାନଙ୍କ ଜୀବନରେ ପରିବର୍ତ୍ତନ ଆସିବା ମଧ୍ୟ ଆରମ୍ଭ ହୋଇଯିବ ।

ବିଶ୍ୱ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନକୁ ଆମେମାନେ ସମସ୍ତେ ଅନୁଭବ କଲେଣି । ସମୟ ଥିଲା ଯେତେବେଳେ ଦୀପାବଳୀ ପୂର୍ବରୁ ଶୀତ ଆସିଯାଉଥିଲା । ଏବେ ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି କିନ୍ତୁ ଶୀତ ଧିରେ ଧିରେ ଆରମ୍ଭ ହେଉଛି । କିନ୍ତୁ ଶୀତ ଆରମ୍ଭ ହେଲାମାତ୍ରେ ଏଭଳି ଅନୁଭୂତି ହେଉଛି ଯେ ରେଜେଇରୁ ବାହାରିବାକୁ ଇଚ୍ଛା ହେଉନି । କିନ୍ତୁ ଏଭଳି ଶୀତରେ ମଧ୍ୟ ସଦା ସଚେତନ କିଛି ଲୋକ ଅତି ସକାରାତ୍ମକ ପରିଣାମ ଆଣିଦେଇଛନ୍ତି । ଏଭଳି କିଛି ଉଦାହରଣ ଆମକୁ ପ୍ରେରଣା ଦେଇଥାଏ । ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମଧ୍ୟପ୍ରଦେଶର ଜଣେ ଆଠବର୍ଷର ଦିବ୍ୟାଙ୍ଗ ବାଳକ ନିଜ ଗାଁକୁ ଖୋଲା ଶୌଚରୁ ମୁକ୍ତ କରାଇବା ପାଇଁ ଅଂଟା ଭିଡ଼ିଲା । ଏତେ ବଡ଼ କାମ ଆଉ ଏତେ ଛୋଟ ପିଲାଟିଏ କିନ୍ତୁ ଉତ୍ସାହ ଆଉ ସଂକଳ୍ପ ତା’ଠାରୁ ଢେର ବଡ଼ ଥିଲା । 8 ବର୍ଷର ପିଲାଟି କଥା କହିପାରେ ନାହିଁ । ସେ ସିଟି/ସୁସୁରୀକୁ ନିଜର ଅସ୍ତ୍ର କଲା । ସକାଳ 5ଟାରୁ ଉଠି ଗାଁର ପ୍ରତ୍ୟେକ ଘରକୁ ଯାଇ ସିଟି ବଜାଇ ସୁସୁରୀ ମାରି ଲୋକମାନଙ୍କୁ ଉଠାଇଲା ଏବଂ ହାତରେ ଠାରି ଠାରି ଲୋକମାନଙ୍କୁ ଖୋଲାରେ ଶୌଚ ନ କରିବାକୁ ପ୍ରବର୍ତ୍ତାଇଲା । ପ୍ରତିଦିନ 30-40 ଘରକୁ ଯାଇ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଏହି ବାଳକଟି ଯୋଗୁଁ ‘କମହାରୀ’ ଗାଁ ଖୋଲା ଶୌଚରୁ ମୁକ୍ତ ହୋଇପାରିଲା । ସ୍ୱଚ୍ଛତାକୁ ପ୍ରୋତ୍ସାହନ ଦେବାରେ ଏହି ଛୋଟ ବାଳକ ତୁଷାର ଅତ୍ୟନ୍ତ ପ୍ରେରଣାଦାୟକ କାମ କଲା । ସ୍ୱଚ୍ଛତା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ଆବଶ୍ୟକ ନାହିଁ । ପିଲା ହେଉ ବା ବୟସ୍କ ଲୋକ ହେଉ, ସ୍ତ୍ରୀ ହେଉ ବା ପୁରୁଷ ହେଉ ସ୍ୱଚ୍ଛତା ସମସ୍ତଙ୍କ ପାଇଁ ଆବଶ୍ୟକ ଏବଂ ସ୍ୱଚ୍ଛତା ପାଇଁ ପ୍ରତ୍ୟେକ କିଛି ନା କିଛି କରିବା ଦରକାର । ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ଦୃଢ଼ନିଶ୍ଚୟ, ସାମର୍ଥ୍ୟବାନ୍, ସାହସୀ ଏବଂ ସଂକଳ୍ପବାନ ଅଟନ୍ତି ।

ପ୍ରତି ମୁହୂର୍ତ୍ତରେ ଆମକୁ କିଛି ନା କିଛି ଶିଖିବାକୁ ମିଳୁଛି । ଆଜି ସେମାନେ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । ଖେଳକୁଦ ହେଉ, କିଛି ପ୍ରତିଯୋଗିତା ବା କୌଣସି ସାମାଜିକ ପ୍ରୟାସ ହେଉ ପ୍ରତ୍ୟେକ କ୍ଷେତ୍ରରେ ଆମର ଦିବ୍ୟାଙ୍ଗମାନେ ମଧ୍ୟ ପଛରେ ନାହାଁନ୍ତି । ଆପଣମାନଙ୍କର ମନେଥିବ ଆମର ଦିବ୍ୟାଙ୍ଗ ଖେଳାଳିମାନେ ରିଓ ଅଲମ୍ପିକରେ ସୁନ୍ଦର ପ୍ରଦର୍ଶନ କରି 4ଟି ପଦକ ଜିତିଥିଲେ ଆଉ ଦୃଷ୍ଟିହୀନ T-20 ବିଶ୍ୱକପ୍ କ୍ରିକେଟ ଚମ୍ପିଆନ ହୋଇପାରିଥିଲେ । ଦେଶସାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସବୁ ଆୟୋଜିତ ହେଉଛି । କିଛିଦିନ ପୂର୍ବେ ଉଦୟପୁରରେ ସପ୍ତଦଶ ଜାତୀୟ ପାରା-ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦେଶର ବିଭିନ୍ନ ଭାଗରୁ ଆମର ଯୁବ ଦିବ୍ୟାଙ୍ଗ ଭାଇ ଭଉଣୀମାନେ ଏଥିରେ ଭାଗନେଇ ନିଜର କୌଶଳ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୁଜରାଟର 19 ବର୍ଷ ବୟସ୍କ ଜିଗର ଠକ୍କର । ତାଙ୍କ ଶରୀରରେ ଶତକଡ଼ା ଅଶିଭାଗ ମାଂସପେଶୀ ନାହିଁ କିନ୍ତୁ ସେ 11ଟି ମେଡ଼ାଲ ଜିତିଲେ । ସପ୍ତଦଶ ପାରା-ସନ୍ତରଣ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣପଦକ ବିଜୟୀ ହେଲେ ।

ତାଙ୍କର ଏହି ନିଷ୍ଠା, ଅଧ୍ୟବ୍ୟସାୟ ଓ କୌଶଳର ପରିଣାମ ସ୍ୱରୂପ ଭାରତୀୟ ଖେଳ ପ୍ରାଧିକରଣ ତାଙ୍କୁ 2022ର ପାରା ଅଲମ୍ପିକ ପାଇଁ ଚୟନ କରିଛନ୍ତି । 32 ଜଣ ପାରା ସନ୍ତରଣକାରୀଙ୍କ ମଧ୍ୟରେ ସେ ହେଉଛନ୍ତି ଜଣେ ଯାହାଙ୍କୁ ଗୁଜରାଟର ଗାନ୍ଧିନଗରସ୍ଥିତ ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯିବ । ସେହି ଯୁବକ ଜିଗର ଠକ୍କରଙ୍କ ଉତ୍ସାହକୁ ମୁଁ ସଲାମ କରୁଛି ଏବଂ ତାଙ୍କୁ ଶୁଭକାମନା ଜଣାଉଛି । ଆଜି ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମତା ଓ ସୁଯୋଗ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଆମର ପ୍ରୟାସ-ଦେଶର ପ୍ରତ୍ୟେକ ବ୍ୟକ୍ତି ଶକ୍ତିଶାଳୀ ହେଉ । ସମସ୍ତଙ୍କୁ ସମାବିଷ୍ଟ କରିବା ଭଳି ଗୋଟିଏ ସମାଜ ଗଠନ ହେଉ । ସମ ଏବଂ ମମ ଭାବ ଦ୍ୱାରା ସମାଜରେ ସମରସତା ବଢ଼ୁ ଏବଂ ସମସ୍ତେ ମିଳିମିଶି ଆଗକୁ ଚାଲନ୍ତୁ ।

କିଛିଦିନ ପରେ ‘ଇଦ୍-ଏ-ମିଲାଦ୍-ଉନ୍-ନବୀ’ ପାଳନ କରାଯିବ । ଏହିଦିନ ପୈଗମ୍ବର ହଜରତ ମହମ୍ମଦ ଜନ୍ମଗ୍ରହଣ କରିଥିଲେ । ମୁଁ ସମସ୍ତ ଦେଶବାସୀମାନଙ୍କୁ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି କି ଏହି ପବିତ୍ର ଇଦ୍ ପର୍ବ ସମାଜରେ ଶାନ୍ତି ଏବଂ ସଦ୍ଭାବନା ବଢ଼ାଇବା ପାଇଁ ଆମକୁ ପ୍ରେରଣା ଦେଉ, ନୂତନ ଶକ୍ତି ଦେଉ ତଥା ସଂକଳ୍ପ କରିବାର ସାମର୍ଥ୍ୟ ପ୍ରଦାନ କରୁ ।

(ଫୋନ୍ କଲ୍) –

“ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ କାନପୁରରୁ ନୀରଜା ସିଂହ କହୁଛି । ଆପଣଙ୍କୁ ଗୋଟିଏ ଅନୁରୋଧ କରିବାକୁ ଚାହେଁ ‘ମନର କଥା’ କାର୍ଯ୍ୟକ୍ରମରେ ଆପଣ ଯାହାସବୁ କହିଛନ୍ତି ସେମାନଙ୍କ ମଧ୍ୟରୁ ଦଶଟି ସବୁଠାରୁ ଭଲକଥା ଆପଣ ପୁନର୍ବାର ଆମମାନଙ୍କୁ ବାଣ୍ଟନ୍ତୁ । ଯାହାଫଳରେ ଆମେ ସେହି କଥାଗୁଡ଼ିକୁ ପୁନଃ ସ୍ମରଣ କରିପାରିବୁ ଏବଂ ଆମକୁ କିଛି ଶିଖିବାକୁ ମିଳିବ । ଧନ୍ୟବାଦ ।”

(ଫୋନ୍ କଲ୍ ସମାପ୍ତ)

ଆପଣ ଠିକ୍ କଥା କହୁଛନ୍ତି – 2017 ଶେଷ ହେଉଛି ଆଉ 2018 ଆଗମନର ସୂଚନା ଦେଲାଣି । ଆପଣ ଭଲ ପରାମର୍ଶଟିଏ ଦେଇଛନ୍ତି । ଆପଣଙ୍କ କଥାରୁ ହିଁ ମୋର ସେଥିରେ କିଛି ପରିବର୍ତ୍ତନ କରିବାକୁ ଇଚ୍ଛା ହେଉଛି । ଆମ ଦେଶରେ ଗାଁରେ ଯେଉଁ ବରିଷ୍ଠ ଲୋକମାନେ ଅଛନ୍ତି, ଗାଁର ବୟସ୍କ ଲୋକମାନେ ସବୁବେଳେ କହନ୍ତି ଯେ – ଦୁଃଖକୁ ଭୁଲିଯାଅ କିନ୍ତୁ ସୁଖକୁ ଭୁଲିବାକୁ ଦିଅନାହିଁ । ମୁଁ ଭାବୁଛି ଏହି କଥାକୁ ଆମେମାନେ ପ୍ରଚାରିତ କରିବା ଦରକାର । ଆମେମାନେ ମଧ୍ୟ ଶୁଭକୁ ସ୍ମରଣ କରି ଆଉ ଶୁଭ ସଂକଳ୍ପ କରି 2018ରେ ପ୍ରବେଶ କରିବା ଉଚିତ ।

ଆମେ ଜାଣୁ ଆମ ଦେଶରେ ତଥା ସାରା ବିଶ୍ୱରେ ମଧ୍ୟ ଯେତେବେଳେ ବର୍ଷ ଶେଷହୁଏ ସେତେବେଳେ ବର୍ଷକର କାର୍ଯ୍ୟାବଳୀର ବିଶ୍ଳେଷଣ କରନ୍ତି, ଚିନ୍ତନ-ମନନ କରନ୍ତି ଆଉ ଆଗାମୀ ବର୍ଷ ପାଇଁ ଯୋଜନା ବି କରନ୍ତି । ଆମ ଦେଶରେ ତ ଗଣମାଧ୍ୟମ ଦ୍ୱାରା ବିଦାୟୀ ବର୍ଷର ଅନେକ ରୋଚକ ଘଟଣାଗୁଡ଼ିକୁ ପୁନଃ ସ୍ମରଣ କରାଇବାର ପ୍ରୟାସ କରାଯାଏ । ସେଥିରେ ସକାରାତ୍ମକ ଓ ନକାରାତ୍ମକ ଉଭୟ କଥା ଥାଏ । କିନ୍ତୁ ଆପଣଙ୍କୁ ଲାଗୁନି କି 2018କୁ ଆମେ ଭଲକଥାକୁ ସ୍ମରଣ କରି ପ୍ରବେଶ କରୁ ଆଉ କିଛି ଭଲ କରିବା ପାଇଁ ଚିନ୍ତାକରି ପ୍ରବେଶ କରୁ?

ମୁଁ ଆପଣମାନଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହେଁ ଯେ ଆପଣମାନେ ଶୁଣିଥିବା ପାଞ୍ଚ-ଦଶଟି ସକାରାତ୍ମକ କଥା ଯାହା ଆପଣ ଦେଖିଥିବେ ବା ଅନୁଭବ କରିଥିବେ, ଯାହା ଜାଣିଲେ ଅନ୍ୟ ଲୋକଠାରେ ମଧ୍ୟ ଗୋଟିଏ ଶୁଭଭାବ ଜାଗ୍ରତ ହେବ, ସେଗୁଡ଼ିକ ବାଣ୍ଟନ୍ତୁ । ଆପଣ ଏ କାମରେ ଯୋଗଦାନ କରିପାରିବେ କି? ଆମେମାନେ ଏ ବର୍ଷର ନିଜ ଜୀବନରେ ଅନୁଭବ କରିଥିବା 5ଟି ସକାରାତ୍ମକ ଅନୁଭୂତିକୁ ସାଝା କରିପାରିବା କି? ସେ କାହାଣୀ ରୂପରେ ହେଉ, ଫଟୋ ମାଧ୍ୟମରେ ହେଉ ବା ଛୋଟ ଭିଡିଓ ମାଧ୍ୟମରେ ହେଉ ବାଣ୍ଟନ୍ତୁ । ମୁଁ ଆମନ୍ତ୍ରିତ କରୁଛି ଯେ 2018ର ସ୍ୱାଗତ ଆମେ ଗୋଟିଏ ଶୁଭ ବାତାବରଣ ଭିତରେ କରିବା, ଶୁଭ ସ୍ମୃତିର ସହିତ କରିବା, ସକାରାତ୍ମକ ଭାବନା ସହିତ କରିବା ଏବଂ ସକାରାତ୍ମକ କଥାର ସ୍ମରଣ କରି କରିବା ।

ଆସନ୍ତୁ NarendraModiApp, MyGov କିମ୍ବା ସାମାଜିକ ଗଣମାଧ୍ୟମe #Positive India ମାଧ୍ୟମରେ ସକାରାତ୍ମକ କଥାଗୁଡ଼ିକୁ ବାଣ୍ଟିବା । ଅନ୍ୟମାନଙ୍କୁ ପ୍ରେରଣା ଦେଲାଭଳି କଥାଗୁଡ଼ିକୁ ସ୍ମରଣ କରିବା । ଭଲ କଥାଗୁଡ଼ିକୁ ଆଦାନ-ପ୍ରଦାନ କରିବା ଦ୍ୱାରା ଭଲ କରିବାର ମନୋଭାବ ସୃଷ୍ଟି ହେବ । ଭଲ ଜିନିଷଗୁଡ଼ିକ କିଛି ଭଲ କରିବା ପାଇଁ ଶକ୍ତି ଦିଅନ୍ତି । ଶୁଭ ଭାବ – ଶୁଭ ସଂକଳ୍ପର କାରଣ ହୋଇଥାଏ ଆଉ ଶୁଭ ସଂକଳ୍ପ – ଶୁଭ ଫଳ ଆଡ଼କୁ ଆଗେଇନିଏ ।

ଆସନ୍ତୁ ଏଥର ପ୍ରୟାସ କରିବା #Positive India ଆଉ ଦେଖିବା – ଆମେ ସମସ୍ତେ ମିଶି କେମିତି ସକାରାତ୍ମକ କମ୍ପନ ସୃଷ୍ଟିକରି ନୂଆ ବର୍ଷକୁ ସ୍ୱାଗତ କରିବା । ଏହି ସାମୁହିକ ଗତିର ଶକ୍ତି ଏବଂ ପ୍ରଭାବକୁ ଆମେ ସମସ୍ତେ ମିଶି ଅନୁଭବ କରିବା । ଆଉ ମୁଁ ଆଗାମୀ ‘ମନ୍ କି ବାତ୍’ରେ #Positive India ଆସିଥିବା ଆପଣମାନଙ୍କର କଥାକୁ ଦେଶବାସୀମାନଙ୍କ ନିକଟରେ ପହଂଚାଇବାର ଚେଷ୍ଟା ନିଶ୍ଚୟ କରିବି ।

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସରେ ପରବର୍ତ୍ତୀ ‘ମନ୍ କି ବାତ୍’ନେଇ ଆପଣମାନଙ୍କ ପାଖକୁ ନିଶ୍ଚୟ ଆସିବି । ବହୁତ କିଛି କଥା ହେବାର ସୁଯୋଗ ମିଳିବ ।

ବହୁତ ବହୁତ ଧନ୍ୟବାଦ ।

 

**********