Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀର “ମନ୍ କି ବାତ୍” କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (29.04.2018)


 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ନିକଟ ଅତୀତରେ ଏପ୍ରିଲ 4 ତାରିଖରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ହୋଇଥିଲା । ଭାରତ ସମେତ ବିଶ୍ୱର 71ଟି ଦେଶ ଏଥିରେ ଅଂଶଗ୍ରହଣ କଲେ । ଯେଉଁଠି ଏତେ ବଡ଼ ଆୟୋଜନ ହୋଇଥିବ, ସମଗ୍ର ବିଶ୍ୱରୁ ହଜାର ହଜାର ଖେଳାଳି ଆସି ଏଥିରେ ଅଂଶଗ୍ରହଣ କରୁଥିବେ, ସେଠାରେ କିଭଳି ବାତାବରଣ ହୋଇଥିବ ତାହା ଆପଣ କଳ୍ପନା କରିପାରୁଥିବେ । ଉତ୍ସାହ, ଉଦ୍ଦୀପନା, ଆଶା, ଆକାଂକ୍ଷା କିଛି କରି ଦେଖାଇବାର ସଂକଳ୍ପ – ପରିସ୍ଥିତି ଏଭଳି ଥିଲେ କିଏ ବା ନିଜକୁ ସାମିଲ ନ କରି ରହିପାରିବ? ସେ ଗୋଟିଏ ଏଭଳି ସମୟ ଥିଲା ଯେତେବେଳେ ଦେଶସାରା ଲୋକେ ପ୍ରତିଦିନ ଚିନ୍ତା କରୁଥିଲେ ଯେ, ଆଜି କେଉଁ କେଉଁ ଖେଳାଳି ପ୍ରଦର୍ଶନ କରିବେ । ଭାରତର ପ୍ରଦର୍ଶନ କିଭଳି ରହିବ, ଆମେ କେତେ ପଦକ ଜିଣିପାରିବା । ଏହା ଅତି ସ୍ୱାଭାବିକ । ଆମ ଖେଳାଳିମାନେ ମଧ୍ୟ ଦେଶବାସୀଙ୍କ ଆଶା ପୂରଣ କରି ସୁନ୍ଦର ପ୍ରଦର୍ଶନ କଲେ ଏବଂ ଗୋଟିଏ ପରେ ଗୋଟିଏ ପଦକ ଜିତି ଚାଲିଲେ । ବନ୍ଧୁକ ଚାଳନା ହେଉ, କୁସ୍ତି ହେଉ, ଭାରୋତ୍ତଳନ ହେଉ, ଟେବୁଲ ଟେନିସ୍ ହେଉ, କିମ୍ବା ବ୍ୟାଡମିଣ୍ଟନ, ଭାରତ ରେକର୍ଡ ପ୍ରଦର୍ଶନ କଲା । 26ଟି ସ୍ୱର୍ଣ୍ଣ, 20ଟି ରୌପ୍ୟ ଓ 20ଟି ବ୍ରୋଞ୍ଜ – ଭାରତ ମୋଟ 66ଟି ପଦକ ଜିତିଲା । ଏହି ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରୁଛି । ପଦକ ବିଜେତା ଖେଳାଳିମାନଙ୍କ ପାଇଁ ତ ଗର୍ବ ଏବଂ ଖୁସିର କଥା ହୋଇଥାଏ । ତା’ସହିତ ଏହା ସାରା ଦେଶ ପାଇଁ ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର ଅବସର ହୋଇଥାଏ । ପ୍ରତିଯୋଗୀତା ସରିବା ପରେ ଯେତେବେଳେ ପଦକ ସହ ଭାରତର ପ୍ରତିନିଧିତ୍ୱ କରି ଖେଳାଳି ସେଠାରେ ତ୍ରିରଙ୍ଗା ପତାକାରେ ଆବୃତ ହୋଇ ସେଠାରେ ଠିଆ ହୁଅନ୍ତି ଜାତୀୟ ସଙ୍ଗୀତର ବାଦ୍ୟଧ୍ୱନି – ବାଜିଉଠେ । ସେତେବେଳେ ସନ୍ତୁଷ୍ଟି, ଖୁସି, ଗୌରବ ଓ ସମ୍ମାନର ଯେଉଁ ଭାବନା ସୃଷ୍ଟିହୁଏ ତାହା ଅନନ୍ୟ ହୋଇଥାଏ । ଦେହ-ମନରେ ଶିହରଣ ସୃଷ୍ଟି କରିଥାଏ । ଉତ୍ସାହ ଓ ଉଦ୍ଦୀପନା ଭରା ହୋଇଥାଏ । ଆମ ସମସ୍ତଙ୍କ ମନରେ ସେହି ଗୋଟିଏ ଭାବନା ଭରିଯାଏ । ହୁଏତ ସେହି ଭାବନାକୁ ପ୍ରକାଶ କରିବାରେ ମୋ ପାଖରେ ଭାଷାର ଅଭାବ ହୋଇପାରେ । ହେଲେ, ମୁଁ ଏ ଖେଳାଳିମାନଙ୍କଠାରୁ ଯାହା ଶୁଣିଲି, ତାହା ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି । ମୁଁ ତ ଗର୍ବ ଅନୁଭବ କରୁଛି ଆପଣ ମଧ୍ୟ ଗର୍ବ ଅନୁଭବ କରିବେ ।

“ମୁଁ ମନିକା ବାତ୍ରା, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 4ଟି ପଦକ ହାସଲ କରିଛି । ଦୁଇଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ । ମନ୍ କି ବାତ୍ କାର୍ଯ୍ୟକ୍ରମର ଶ୍ରୋତାମାନଙ୍କୁ ମୁଁ କହିବାକୁ ଚାହେଁ ଯେ, ମୁଁ ବହୁତ ଖୁସି, କାରଣ ପ୍ରଥମ ଥର ଭାରତରେ ଟେବୁଲ ଟେନିସ ଏତେ ଲୋକପ୍ରିୟ ହେଉଛି । ହଁ, ଟେବୁଲ ଟେନିସରେ ମୁଁ ମୋର ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବି । ଏହାପୂର୍ବରୁ କରିଥିବା ଅଭ୍ୟାସ ସମ୍ପର୍କରେ କହିବାକୁ ଚାହୁଁଛି ଯେ, ମୁଁ ମୋ କୋଚ୍ ସନ୍ଦୀପ ସାର୍ ଙ୍କ ସହ ବହୁତ ଅଭ୍ୟାସ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ପର୍ତ୍ତୁଗାଲରେ ଆମର କ୍ୟାମ୍ପ ଥିଲା ଏବଂ ଆନ୍ତର୍ଜାତିକ ସ୍ତରରେ ଆମକୁ ଏତେଗୁଡ଼ିଏ ସୁଯୋଗ ଦେଇଥିବାରୁ ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି । ଯୁବପିଢ଼ିକୁ କେବଳ ଗୋଟିଏ ବାର୍ତ୍ତା ଦେବାକୁ ଚାହୁଁଛି – କେବେହେଲେ ହାର ମାନନାହିଁ । ନିଜକୁ ନିଜେ ଅନ୍ୱେଷଣ କର ।”

“ମୁଁ ପି. ଗୁରୁରାଜ ମନ୍ କି ବାତ୍ କାର୍ଯ୍ୟକ୍ରମର ଶ୍ରୋତାମାନଙ୍କୁ ଜଣାଇବାକୁ ଚାହେଁ ଯେ, 2018 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବା ମୋର ସ୍ୱପ୍ନ ଥିଲା । ପ୍ରଥମ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପଦକ ଆଣି ମୁଁ ବହୁତ ଖୁସି । ଏହି ପଦକକୁ ମୁଁ ମୋର ଗାଁ କୁନ୍ଦାପୁରା, ମୋ ରାଜ୍ୟ କର୍ଣ୍ଣାଟକ ଏବଂ ମୋ ଦେଶକୁ ଉତ୍ସର୍ଗ କରୁଛି ।”

ମୀରା ବାଇ ଚାନୁ କହନ୍ତି: “ମୁଁ ଏକବିଂଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିଲି । ସେଥିରେ ମୋତେ ବହୁତ ଖୁସି ଲାଗିଲା । ଭାରତ ଏବଂ ମଣିପୁର ପାଇଁ ଗୋଟିଏ ଭଲ ଖେଳାଳି ହେବା ମୋର ସ୍ୱପ୍ନ ଥିଲା । ମୁଁ ଅନେକ ଚଳଚ୍ଚିତ୍ରରେ ଦେଖିଥିଲି । ଯେମିତିକି ମଣିପୁରର ମୋ ଦିଦି ଏବଂ ସେସବୁ ଦେଖିବା ପରେ ମଣିପୁରର ଜଣେ ଭଲ କ୍ରୀଡ଼ାବିତ୍ ହେବାପାଇଁ ଚାହୁଁଥିଲି । ମୋର ଶୃଙ୍ଖଳା, ନିଷ୍ଠା, ସମର୍ପଣ ଭାବ ଏବଂ କଠିନ ପରିଶ୍ରମ ମୋ ସଫଳତାର କାରଣ ।”

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଖୁବ ଭଲ ଥିଲା ଆଉ ମଧ୍ୟ କିଛି ଉଲ୍ଲେଖନୀୟ ଥିଲା । ଉଲ୍ଲେଖନୀୟ ଏଥିପାଇଁ କାରଣ ଅନେକ କଥା ଏଥର ପ୍ରଥମ ଥର ପାଇଁ ହୋଇଥିଲା । ଆପଣ ଜାଣନ୍ତି କି? ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ପ୍ରତିଯୋଗିତାରେ ଭାରତରୁ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି । ମନିକା ବାତ୍ରା ମଧ୍ୟ ଯେତେ ବିଭାଗ/ଶ୍ରେଣୀରେ ଭାଗନେଲେ ସବୁଥିରେ ପଦକ ଜିତିଲେ । ବ୍ୟକ୍ତିଗତ ଟେବୁଲ ଟେନିସରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା । ଭାରତକୁ ସବୁଠାରୁ ଅଧିକ ପଦକ ବନ୍ଧୁକଚାଳନା ପ୍ରତିଯୋଗିତାରେ ମିଳିଲା । 15 ବର୍ଷ ବୟସର ଭାରତୀୟ ବନ୍ଧୁକଚାଳକ ଅନିଶ ଭାନୱାଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପକ୍ଷରୁ ସ୍ୱର୍ଣ୍ଣପଦକ ଜିତିଥିବା ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କଲେ । ସଚିନ ଚୌଧୁରୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଏକମାତ୍ର ଭାରତୀୟ Para Power-lifter । ଏଥରର ଖେଳରେ ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ଏଥିରେ ଅଧିକାଂଶ ପଦକ ବିଜେତା ହେଉଛନ୍ତି ମହିଳା କ୍ରୀଡ଼ାବିତ । Squash ହେଉ, ମୁଷ୍ଟିଯୁଦ୍ଧ ହେଉ, ଭାରୋତ୍ତଳନ ହେଉ, ବନ୍ଧୁକଚାଳନା ହେଉ – ମହିଳା ଖେଳାଳିମାନେ ଚମତ୍କାର କ୍ରୀଡ଼ା ପ୍ରଦର୍ଶନ କରି ଦେଖାଇଲେ । ବ୍ୟାଡମିଣ୍ଟନର ଫାଇନାଲ ମୁକାବିଲା ତ ଭାରତର ହିଁ ଦୁଇ ପ୍ରତିଯୋଗୀ ସାଇନା ନେହୱାଲ ଏବଂ ପି.ଭି. ସିନ୍ଧୁଙ୍କ ମଧ୍ୟରେ ହେଲା । ଯଦିଓ ଗୋଟିଏ ମୁକାବିଲା କିନ୍ତୁ ଉଭୟ ପଦକ ଭାରତ ହିଁ ପାଇବ – ଏକଥାକୁ ନେଇ ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳିଲା । ଏହାଦେଖି ମୋତେ ମଧ୍ୟ ଖୁବ୍ ଭଲ ଲାଗିଲା । ଏହି କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତମାନେ ଦେଶର ବିଭିନ୍ନ ଅଂଶରୁ ଛୋଟ ଛୋଟ ସହରରୁ ଆସିଥିଲେ । ଅନେକ ବାଧାବିଘ୍ନ, ଅସୁବିଧାଗୁଡ଼ିକୁ ପାରକରି ସେମାନେ ଏପର୍ଯ୍ୟନ୍ତ ପହଂଚିଛନ୍ତି । ଆଜି ସେମାନେ ଯେଉଁ ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି – ତାଙ୍କର ସେହି ଜୀବନଯାତ୍ରାରେ ତାଙ୍କର ପିତାମାତା, ତାଙ୍କର ଅଭିଭାବକ, ତାଙ୍କର କୋଚ୍, ସହାୟକ କର୍ମଚାରୀ, ବିଦ୍ୟାଳୟ, ଶିକ୍ଷକ, ବିଦ୍ୟାଳୟର ବାତାବରଣ – ଏସବୁ କିଛିର ଅବଦାନ ରହିଛି । ସେମାନଙ୍କ ବନ୍ଧୁମାନଙ୍କର ମଧ୍ୟ ଅବଦାନ ରହିଛି, ଯେଉଁମାନେ ସବୁ ପରିସ୍ଥିତିରେ ସେମାନଙ୍କୁ ପ୍ରୋତ୍ସାହିତ କଲେ । ଖେଳାଳିମାନଙ୍କ ସହିତ ମୁଁ ସେ ସମସ୍ତଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି, ଶୁଭେଚ୍ଛା ଜଣାଉଛି ।

ଗତ ମାସରେ ମନ୍ କି ବାତ୍ ମାଧ୍ୟମରେ ମୁଁ ଦେଶବାସୀଙ୍କୁ ବିଶେଷକରି ଆମର ଯୁବକମାନଙ୍କୁ ଫିଟ୍ ଇଣ୍ଡିଆ ପାଇଁ ଆହ୍ୱାନ ଜଣାଇଥିଲି ଏବଂ ପ୍ରତ୍ୟେକଙ୍କୁ ନିମନ୍ତ୍ରଣ କରିଥିଲି – ଆସନ୍ତୁ, ଫିଟ୍ ଇଣ୍ଡିଆ ସହିତ ଜଡ଼ିତ ହୁଅନ୍ତୁ, ଫିଟ୍ ଇଣ୍ଡିଆର ନେତୃତ୍ୱ ନିଅନ୍ତୁ । ମୋତେ ବହୁତ ଖୁସି ଲାଗୁଛି ଯେ, ଲୋକେ ବହୁତ ଉତ୍ସାହର ସହିତ ଏହା ସହିତ ଜଡ଼ିତ ହେଉଛନ୍ତି । ଅନେକ ଲୋକ ଏହାକୁ ସମର୍ଥନ କରି ମୋତେ ଚିଠି ବି ଲେଖିଛନ୍ତି, ସାମାଜିକ ଗଣମାଧ୍ୟମରେ ନିଜର ଫିଟନେସ ମନ୍ତ୍ର, ଫିଟ୍ ଇଣ୍ଡିଆର ସଫଳ କାହାଣୀ ବାଂଟୁଛନ୍ତି ।

ଜଣେ ଭଦ୍ରବ୍ୟକ୍ତି ଶ୍ରୀଯୁକ୍ତ ଶଶିକାନ୍ତ ଭୋଁସଲେ ସନ୍ତରଣାଗାରର ନିଜର ଗୋଟିଏ ଛବିକୁ ବାଣ୍ଟି ଲେଖିଛନ୍ତି :- “My weapon is my body, my element is water, my world is swimming.”

ରୁମା ଦେବନାଥ ଲେଖିଛନ୍ତି : “ପ୍ରାତଃ ଭ୍ରମଣ ଯୋଗୁଁ ମୁଁ ନିଜକୁ ଖୁସି ଏବଂ ସୁସ୍ଥ ଅନୁଭବ କରୁଛି ।” ସେ ଆଗକୁ ଲେଖିଛନ୍ତି “For me fitness comes with a smile and we should smile, when we are happy.”

ଦେବନାଥ ଜୀ – ଖୁସୀ ହିଁ ଫିଟନେସ । ଏଥିରେ କୌଣସି ସନ୍ଦେହ ନାହିଁ ।

ଧୱଲ ପ୍ରଜାପତି ନିଜର ପର୍ବତାରୋହଣର ଛବିକୁ ଶେୟାର କରି ଲେଖିଛନ୍ତି – “ମୋ ପାଇଁ ପରିଭ୍ରମଣ ଆଉ ପର୍ବତାରୋହଣ ହିଁ ହେଉଛି ଫିଟ୍ ଇଣ୍ଡିଆ” । ଅନେକ ଖ୍ୟାତନାମା ବ୍ୟକ୍ତି ମଧ୍ୟ ରୁଚିପୂର୍ଣ୍ଣ ଢଙ୍ଗରେ ଆମର ଯୁବକମାନଙ୍କୁ ଫିଟ୍ ଇଣ୍ଡିଆ ପାଇଁ ପ୍ରେରିତ କରୁଥିବା ଦେଖି ଖୁବ୍ ଭଲ ଲାଗିଲା । ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ଗୋଟିଏ ଭିଡିଓ ଛାଡିଛନ୍ତି । ମୁଁ ବି ତାହା ଦେଖିଛି ଓ ଆପଣମାନେ ମଧ୍ୟ ନିଶ୍ଚୟ ଦେଖନ୍ତୁ ।

ଏଥରର ସେ wooden beads ସହ ବ୍ୟାୟାମ କରୁଥିବା ଦୃଶ୍ୟମାନ ହେଉଛନ୍ତି । ସେ କହିଛନ୍ତି ଯେ, ଏହି ବ୍ୟାୟାମ ପିଠି ଏବଂ ପେଟର ମାଂସପେଶୀ ପାଇଁ ଖୁବ ଲାଭଦାୟକ । ତାଙ୍କର ଆଉ ଗୋଟିଏ ଭିଡ଼ିଓ ମଧ୍ୟ ଖୁବ୍ ଚାଲିଛି । ଯେଉଁଥିରେ ସେ ଲୋକମାନଙ୍କ ସାଙ୍ଗରେ ଭଲିବଲ୍ ଖେଳୁଛନ୍ତି । ଆହୁରି ଅନେକ ଯୁବକ ମଧ୍ୟ ଫିଟ୍ ଇଣ୍ଡିଆ ପ୍ରୟାସ ସହ ଜଡ଼ିତ ହୋଇ ନିଜ ନିଜର ଅନୁଭୂତିଗୁଡ଼ିକୁ ବାଣ୍ଟୁଛନ୍ତି । ମୋ ମତରେ ଏ ପ୍ରକାର ଆନ୍ଦୋଳନ ଆମ ସମସ୍ତଙ୍କ ପାଇଁ, ସାରା ଦେଶ ପାଇଁ ବହୁତ ଲାଭପ୍ରଦ । ଆଉ ଗୋଟିଏ କଥା ମୁଁ ନିଶ୍ଚୟ କହିବି, ବିନା ଖର୍ଚ୍ଚରେ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଆଉ ଏକ ନାମ ହେଉଛି ଯୋଗ । ଫିଟ୍ ଇଣ୍ଡିଆ ଅଭିଯାନରେ ଯୋଗର ବିଶେଷ ମହିମା ରହିଛି । ଆପଣମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିବେ । ଜୁନ୍ 21 ତାରିଖ – ଆନ୍ତର୍ଜାତିକ ଯୋଗ ଦିବସର ମହାତ୍ମ୍ୟ ତ ଏବେ ସମଗ୍ର ବିଶ୍ୱ ସ୍ୱୀକାର କରିଛି । ଆପଣ ମଧ୍ୟ ଏବେଠାରୁ ପ୍ରସ୍ତୁତି କରନ୍ତୁ । ଏକାକୀ ନୁହେଁ – ଆପଣଙ୍କ ସହର, ଆପଣଙ୍କ ଗାଁ, ଆପଣଙ୍କ ଅଂଚଳ, ଆପଣଙ୍କ ସ୍କୁଲ, ଆପଣଙ୍କ କଲେଜ – ପ୍ରତ୍ୟେକେ, ଯେକୌଣସି ବୟସର ହୋଇଥାଆନ୍ତୁ ନା କାହିଁକି – ପୁରୁଷ ହୁଅନ୍ତୁ, ମହିଳା ହୁଅନ୍ତୁ, ଯୋଗ ସହ ଜଡ଼ିତ ହେବାର ପ୍ରୟାସ କରିବା ଉଚିତ । ସମ୍ପୂର୍ଣ୍ଣ ଶାରୀରିକ ବିକାଶ ପାଇଁ, ମାନସିକ ବିକାଶ ପାଇଁ, ମାନସିକ ସନ୍ତୁଳନ ପାଇଁ ଯୋଗର ବ୍ୟବହାର କ’ଣ, ତାହା ଏବେ ଭାରତରେ କିମ୍ବା ବିଶ୍ୱରେ କହିବାକୁ ପଡୁନି । ଏବେ ବହୁ ପ୍ରଚଳିତ ଗୋଟିଏ Animated Video ଆପଣମାନେ ଦେଖିଥିବେ, ଯେଉଁଥିରେ ମୋତେ ଦର୍ଶାଯାଇଛି । Animation ପ୍ରସ୍ତୁତ କରିଥିବା ଲୋକମାନଙ୍କୁ ମୁଁ ଏଥିପାଇଁ ଶୁଭେଚ୍ଛା ଜଣାଉଛି, କାରଣ ସେମାନେ ଅତି ସୂକ୍ଷ୍ମ ଭାବରେ ଅନୁଧ୍ୟାନ କରିଛନ୍ତି, ଯେଉଁ କାମ ଜଣେ ଯୋଗଶିକ୍ଷକ କରିପାରିବେ ତାହା Animation ଦ୍ୱାରା ହେଉଛି । ଆପଣ ମଧ୍ୟ ଏହାଦ୍ୱାରା ଲାଭାନ୍ୱିତ ହେବେ ।

ମୋର ଯୁବବନ୍ଧୁଗଣ, ଆପଣମାନେ ଏବେ ପରୀକ୍ଷା ଚକ୍କରରୁ ବାହାରି ଛୁଟି ଚିନ୍ତାରେ ବ୍ୟସ୍ତ ଥିବେ । ଛୁଟି କେମିତି କାଟିବେ, କେଉଁଠିକୁ ଯିବେ ଏକଥା ଭାବୁଥିବେ । ମୁଁ ଆଜି ଆପଣମାନଙ୍କୁ ଗୋଟିଏ ନୂଆ କାମ ପାଇଁ ନିମନ୍ତ୍ରଣ କରିବାକୁ ଚାହୁଁଛି । ମୁଁ ଲକ୍ଷ୍ୟ କରିଛି ଯେ, ଆଜିକାଲି ଅନେକ ଯୁବକ କିଛି ନା କିଛି ନୂଆ ଶିଖିବାରେ ନିଜର ସମୟ ବିତାଉଛନ୍ତି । ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ ର ଗୁରୁତ୍ୱ ବଢ଼ି ବଢ଼ି ଚାଲିଛି ଏବଂ ଯୁବକମାନେ ମଧ୍ୟ ଏହାର ଅନୁସନ୍ଧାନରେ ରହୁଛନ୍ତି । ଆଉ ପୁଣି ଇଣ୍ଟର୍ଣ୍ଣସିପ ଗୋଟିଏ ନୂତନ ଅନୁଭୂତି ପ୍ରଦାନ କରିଥାଏ । ଚାରିକାନ୍ଥ ବାହାରେ, କାଗଜ-କଲମ, କମ୍ପ୍ୟୁଟରଠାରୁ ଦୂରରେ ଜୀବନକୁ ଗୋଟିଏ ନୂଆ ଢଙ୍ଗରେ ଜୀଇଁବାର, ଅନୁଭବ କରିବାର ସୁଯୋଗ ମିଳେ । ମୋର ଯୁବବନ୍ଧୁଗଣ, ଗୋଟିଏ ବିଶେଷ ଇଣ୍ଟର୍ଣ୍ଣସିପ ପାଇଁ ମୁଁ ଆଜି ଆପଣମାନଙ୍କୁ ଅନୁରୋଧ କରୁଛି । ଭାରତ ସରକାରଙ୍କ ତିନି ଚାରୋଟି ମନ୍ତ୍ରଣାଳୟ କ୍ରୀଡ଼ା ମନ୍ତ୍ରଣାଳୟ ହେଉ, ମାନବ ସମ୍ବଳ ବିକାଶ ହେଉ, ପାନୀୟ ଜଳ ବିଭାଗ ହେଉ – ସରକାରଙ୍କ ତିନି-ଚାରି ମନ୍ତ୍ରଣାଳୟ ମିଶି “ସ୍ଵଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ, 2018” ଆରମ୍ଭ କରିଛନ୍ତି ।

କଲେଜର ଛାତ୍ରଛାତ୍ରୀ, ଏନସିସିର ଯୁବବନ୍ଧୁ, ଏନ୍ଏସ୍ଏସର ଯୁବସାଥୀ, ନେହେରୁ ଯୁବକେନ୍ଦ୍ରର ନବଯୁବକମାନେ – ଯେଉଁମାନେ କିଛି କରିବାକୁ ଚାହୁଁଛନ୍ତି, ଦେଶ ଓ ସମାଜର ହିତରେ କିଛି ଶିଖିବାକୁ ଚାହୁଁଛନ୍ତି, ସମାଜର ପରିବର୍ତ୍ତନ କାର୍ଯ୍ୟରେ ଯେଉଁମାନେ ସାମିଲ ହେବାକୁ ଚାହୁଁଛନ୍ତି, ଏକ ସକାରାତ୍ମକ ଉତ୍ସାହ ନେଇ ଯେଉଁମାନଙ୍କର ସମାଜ ପାଇଁ କିଛି ନା କିଛି କରିବାର ଅଭିଳାଷ ଅଛି ସେ ସମସ୍ତଙ୍କ ପାଇଁ ସୁଯୋଗ ଅଛି ଆଉ ତା’ଦ୍ୱାରା ସ୍ୱଚ୍ଛତା ବଢ଼ିବ । ଅକ୍ଟୋବର 2 ତାରିଖରେ ଆମେ ଯେତେବେଳେ ମହାତ୍ମାଗାନ୍ଧୀଙ୍କର 150ତମ ଜୟନ୍ତୀ ପାଳନ କରିବା ତା’ପୂର୍ବରୁ ଆମେ କିଛି କରିପାରିଛୁ ବୋଲି ଆତ୍ମସନ୍ତୋଷ ମିଳିବ । ମୁଁ ଏକଥା ମଧ୍ୟ କହି ରଖିବାକୁ ଚାହେଁ ଯେ – ଯେଉଁମାନେ ସବୁଠୁଁ ଭଲ Intern ହେବେ, ଯେଉଁମାନେ କଲେଜରେ ଭଲ କାମ କରିଥିବେ, ବିଶ୍ୱବିଦ୍ୟାଳୟରେ ଭଲ କାମ କରିଥିବେ, ଏଭଳି ସମସ୍ତଙ୍କୁ ଜାତୀୟ ସ୍ତରରେ ପୁରସ୍କୃତ କରାଯିବ । ଏହି ଇଣ୍ଟର୍ଣ୍ଣସିପକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିଥିବା Intern ଛାତ୍ର/ଛାତ୍ରୀଙ୍କୁ ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ଗୋଟିଏ ପ୍ରମାଣପତ୍ର ପ୍ରଦାନ କରାଯିବ । ଖାଲି ସେତିକି ନୁହେଁ ଯେଉଁ Intern ଏହାକୁ ଭଲଭାବରେ ସମ୍ପୂର୍ଣ୍ଣ କରିବେ UGC ତାଙ୍କୁ ଦୁଇଟି Credit Point ମଧ୍ୟ ଦେବ । ମୁଁ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ପୁଣିଥରେ ଏହି ଇଣ୍ଟର୍ଣ୍ଣସିପ ପାଇଁ ନିମନ୍ତ୍ରଣ ଜଣାଉଛି । ଆପଣମାନେ MyGovକୁ ଯାଇ “ସ୍ୱଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ” ପାଇଁ ପଞ୍ଜୀକରଣ କରିପାରିବେ । ମୁଁ ଆଶା କରୁଛି – ଆମର ଯୁବବର୍ଗ ଏହି ଆନ୍ଦୋଳନକୁ ଆହୁରି ଆଗକୁ ବଢ଼ାଇବେ । ଆପଣଙ୍କ ପ୍ରୟାସ ବିଷୟରେ ଜାଣିବାକୁ ମୁଁ ଖୁବ୍ ଇଚ୍ଛୁକ । ଆପଣଙ୍କ କାର୍ଯ୍ୟ ସମ୍ପର୍କୀୟ ସୂଚନାଗୁଡ଼ିକ ନିଶ୍ଚିତ ଭାବରେ ପଠାନ୍ତୁ । କାହାଣୀ ପଠାନ୍ତୁ, ଫଟୋ ପଠାନ୍ତୁ,  ଭିଡିଓ ପଠାନ୍ତୁ – ଆସନ୍ତୁ ଏକ ନୂତନ ଅନୁଭୂତି ପାଇଁ ଆମେ ଛୁଟିକୁ ଏକ ସୁଯୋଗରେ ପରିଣତ କରିଦେବା ।

ମୋର ପ୍ରିୟ ଦେଶବାସୀଗଣ, ମୋତେ ଯେତେବେଳେ ବି ସମୟ ମିଳେ ମୁଁ ଦୂରଦର୍ଶନରେ Good News India କାର୍ଯ୍ୟକ୍ରମ ନିଶ୍ଚୟ ଦେଖେ । ମୁଁ ମୋର ଦେଶବାସୀମାନଙ୍କୁ ମଧ୍ୟ ନିବେଦନ କରୁଛି ଯେ Good News India ଦେଖନ୍ତୁ । ଦେଶର କେଉଁ କେଉଁ କୋଣରେ କେଉଁ କେଉଁ ବ୍ୟକ୍ତିମାନେ କି କି ଭଲ କାମ, କ’ଣ ଭଲକଥା ଘଟୁଛି, କରୁଛନ୍ତି ଏହି କାର୍ଯ୍ୟକ୍ରମରେ ଆପଣ ଦେଖିପାରିବେ ।

କିଛିଦିନ ତଳେ ମୁଁ ଦିଲ୍ଲୀର ଏଭଳି ଯୁବକମାନଙ୍କର କଥା ଦେଖିଲି ଯେଉଁମାନେ ଗରିବ ପିଲାଙ୍କୁ ପଢ଼ାଇବା ପାଇଁ ଏକତ୍ରିତ ହୋଇଛନ୍ତି । ଏହି ଯୁବକମାନେ ଦିଲ୍ଲୀର ବସ୍ତିରେ, ରାସ୍ତାକଡ଼ରେ ରହୁଥିବା ପିଲାମାନଙ୍କର ଶିକ୍ଷା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ରାସ୍ତାକଡ଼ରେ ଭିକ ମାଗୁଥିବା ବା ଛୋଟ ଛୋଟ କାମ କରୁଥିବା ପିଲାମାନଙ୍କର ଅବସ୍ଥା ସେମାନଙ୍କ ହୃଦୟକୁ ଆଘାତ ଦେଇଥିଲା ଯାହାଫଳରେ ସେମାନେ ଏହି ଗଠନମୂଳକ କାର୍ଯ୍ୟ କରିବା ଆରମ୍ଭ କଲେ ଏବଂ ଏହି କାମରେ ନିଜକୁ ହଜେଇ ଦେଇଛନ୍ତି । ଦିଲ୍ଲୀର ଗୀତା କଲୋନୀ ପାଖରେ ଥିବା ବସ୍ତିରେ 15ଟି ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କାମ ଆଜି ରାଜଧାନୀର ବାରଟି ସ୍ଥାନକୁ ବ୍ୟାପିଯାଇଛି ଏବଂ ପ୍ରାୟ 2000 ପିଲା ଏହି କାର୍ଯ୍ୟକ୍ରମରେ ଶିକ୍ଷାଲାଭ କରୁଛନ୍ତି । ଏହି ଅଭିଯାନ ସହିତ ଜଡ଼ିତ ଯୁବକ, ଶିକ୍ଷକମାନେ ନିଜର ବ୍ୟସ୍ତତାବହୁଳ ଦିନଚର୍ଯ୍ୟା ଭିତରୁ 2 ଘଂଟା ସମୟ ବାହାର କରି ସାମାଜିକ ପରିବର୍ତ୍ତନର ଏହି ଭଗୀରଥ ପ୍ରୟାସ ଜାରି ରଖିଛନ୍ତି ।

ଭାଇ ଓ ଭଉଣୀମାନେ, ସେହିଭଳି ଉତ୍ତରାଖଣ୍ଡର ପାର୍ବତ୍ୟ ଅଂଚଳର କିଛି କୃଷକ ଆଜି ସାରା ଦେଶର କୃଷକମାନଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛନ୍ତି । ସଂଗଠିତ ପ୍ରୟାସ ଦ୍ୱାରା ସେମାନେ ନିଜର ତଥା ନିଜ ଅଂଚଳର ଭାଗ୍ୟ ବଦଳେଇ ଦେଇପାରିଛନ୍ତି । ଉତ୍ତରାଖଣ୍ଡର ବାଗେଶ୍ୱର ଅଂଚଳରେ ମୁଖ୍ୟରୂପରେ ମାଣ୍ଡିଆ, ମକା, ଯଅ ଓ ଚୌଲାଇ ଶାଗ ଇତ୍ୟାଦି ଫସଲ ହୋଇଥାଏ । ପାହାଡ଼ିଆ ଅଂଚଳ ହୋଇଥିବାରୁ କୃଷକମାନଙ୍କୁ ଏହି ଫସଲର ଉପଯୁକ୍ତ ମୂଲ୍ୟ ମିଳିପାରୁନଥିଲା । କିନ୍ତୁ କପକୋଟ୍ ତହସିଲର କୃଷକମାନେ ଏହି ଫସଲକୁ ସିଧା ବଜାରରେ ବିକ୍ରିକରି କ୍ଷତି ସହିବା ଅପେକ୍ଷା ମୂଲ୍ୟଯୁକ୍ତ କରିବାର ରାସ୍ତା ଆପଣାଇଲେ । ସେମାନେ କ୍ଷେତରୁ ଆମଦାନୀ ହେଉଥିବା ଏହି ପଦାର୍ଥଗୁଡ଼ିକରୁ ବିସ୍କୁଟ ତିଆରି କରିବା ଆରମ୍ଭ କଲେ ଏବଂ ତାକୁ ବିକ୍ରି କରିବା ଆରମ୍ଭ କଲେ । ଏ ଅଂଚଳର ଫସଲ Iron Rich ବା ଲୌହସାରଯୁକ୍ତ ବୋଲି ମାନ୍ୟତା ଅଛି । ଲୌହସାର ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହି କୃଷକମାନେ ମୁନାର ଗ୍ରାମରେ ଗୋଟିଏ ସମବାୟ ସଂସ୍ଥା ଗଠନ କଲେ ଏବଂ ସେଠାରେ ବିସ୍କୁଟ ତିଆରି କରିବା ପାଇଁ ଗୋଟିଏ କାରଖାନା ବସାଇଲେ । କୃଷକମାନଙ୍କର ସାହାସ ଦେଖି ସରକାର ମଧ୍ୟ ତାକୁ ରାଷ୍ଟ୍ରୀୟ ଜୀବିକା ମିଶନ ସହିତ ଯୋଡ଼ିଦେଲେ । ଏହି ବିସ୍କୁଟ ଆଜି କେବଳ ବାଗେଶ୍ୱର ଜିଲ୍ଲାର ପଚାଶ ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ ବରଂ ଆଲମୋଡ଼ା ଓ କୌସାନୀ ପର୍ଯ୍ୟନ୍ତ ମଧ୍ୟ ଯୋଗାଇ ଦିଆଯାଉଛି । କୃଷକମାନଙ୍କ ପରିଶ୍ରମ ଫଳରେ ସଂସ୍ଥାର ବାର୍ଷିକ ବ୍ୟବସାୟ କାରବାର 10 ଲକ୍ଷରୁ 15 ଲକ୍ଷ ପର୍ଯ୍ୟନ୍ତ ପହଂଚିଯାଇଛି । ଖାଲି ସେତିକି ନୁହେଁ – ପ୍ରାୟ 900 ରୁ ଅଧିକ ପରିବାରକୁ ରୋଜଗାର ସୁଯୋଗ ମିଳିବା ଦ୍ୱାରା ଏ ଅଂଚଳରୁ ପଳାୟନ ମଧ୍ୟ କମିବା ଆରମ୍ଭ ହେଲାଣି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ଶୁଣୁଛେ ଯେ ପୃଥିବୀରେ ଭବିଷ୍ୟତରେ ପାଣିକୁ ନେଇ ଯୁଦ୍ଧ ହେବାର ସମ୍ଭାବନା ଅଛି । ସମସ୍ତେ ଏକଥା କହୁଛନ୍ତି । କିନ୍ତୁ ଏ ବିଷୟରେ ଆମର ବି କିଛି ଦାୟିତ୍ୱ ଅଛି କି ନାହିଁ? ଜଳ ସଂରକ୍ଷଣ ଏକ ସାମାଜିକ ଦାୟିତ୍ୱ । ଆମେ ଏକଥା ଅନୁଭବ କରିବା ଉଚିତ ନୁହେଁ କି? ଏହା ପ୍ରତ୍ୟେକ ଲୋକର ଦାୟିତ୍ୱ ହେବା ଉଚିତ । ବର୍ଷାଜଳର ପ୍ରତିଟି ବିନ୍ଦୁକୁ ଆମକୁ ସଂଚୟ କରିବାକୁ ପଡ଼ିବ । ସମସ୍ତେ ଜାଣନ୍ତି ଆମେ ଭାରତୀୟମାନଙ୍କ ପାଇଁ ଜଳ ସଂରକ୍ଷଣ ଗୋଟିଏ ନୂଆ କଥା ନୁହେଁ । ଶତାବ୍ଦୀ ଶତାବ୍ଦୀ ଧରି ଆମର ପୂର୍ବଜମାନେ ଏ କାମ କରି ଦେଖାଇଛନ୍ତି । ପାଣିର ପ୍ରତିଟି ବିନ୍ଦୁର ମହାତ୍ମ୍ୟକୁ ସେମାନେ ପ୍ରାଧାନ୍ୟ ଦେଇଛନ୍ତି । ପାଣିର ପ୍ରତିଟି ବିନ୍ଦୁକୁ କେମିତି ସଂରକ୍ଷିତ କରାଯାଇପାରିବ ସେ ଦିଗରେ ନୂଆ ନୂଆ ଉପାୟ ଖୋଜି ବାହାର କରିଥିଲେ । ଆପଣମାନଙ୍କ ମଧ୍ୟରୁ କେହି କେହି ତାମିଲନାଡୁ ଯାଇଥିବେ । ତାମିଲନାଡୁରେ ଏମିତି କେତେକ ମନ୍ଦିର ଅଛି ଯେଉଁଠି ଶିଳାଲେଖମାନଙ୍କରେ ଜଳସେଚନ ବ୍ୟବସ୍ଥା, ଜଳସଂରକ୍ଷଣ, ମରୁଡ଼ି ପରିଚାଳନା ଇତ୍ୟାଦି ବିଷୟରେ ଲେଖାଯାଇଥିବାର ଦେଖିବାକୁ ମିଳେ । ମନାର କୋୟିଲ, ଟରାନ୍ ମହାଦେବୀ, କୋଭିଲପଟ୍ଟି, ପୁଦୁକୋଟ୍ଟୈ ଆଦି ମନ୍ଦିରମାନଙ୍କର ବଡ଼ ବଡ଼ ଶିଳାଲେଖ ମାନ ରହିଛି । ଆଜି ମଧ୍ୟ ପାହାଚ ଥିବା ବଡ଼ ବଡ଼ କୂଅମାନ ପର୍ଯ୍ୟଟନସ୍ଥଳ ଭାବରେ ପରିଚିତ । କିନ୍ତୁ ଏହି କୂଅଗୁଡ଼ିକ ଯେ ଆମ ପୂର୍ବଜମାନଙ୍କର ଜଳ ସଂରକ୍ଷଣ ପଦ୍ଧତିର ଜୀବନ୍ତ ଉଦାହରଣ ଏକଥା ଭୁଲିବା ଉଚିତ ନୁହେଁ । ଗୁଜରାଟର ‘ଅଜାଡଲ୍’ ଏବଂ ‘ପାଟନ କି ରାନୀ’ ନାମକ ସୋପାନ-କୂପ ବା ପାହାଚ ଥିବା କୂଅକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ଭାବରେ ଘୋଷଣା କରାଯାଇଛି । ଏହାର ଭବ୍ୟତା ଅତ୍ୟନ୍ତ ମନୋରମ । ଏହି ଜଳାଶୟଗୁଡ଼ିକୁ ଜଳର ମନ୍ଦିର ହିଁ କୁହାଯାଇପାରେ । ଯଦି ଆପଣ କେବେ ରାଜସ୍ଥାନ ଯାଆନ୍ତି ତେବେ ଯୋଧପୁରର ‘ଚାନ୍ଦ ବାୱଡ଼ି’ ନିଶ୍ଚୟ ଯିବେ । ଏହା ଭାରତର ଅତି ସୁନ୍ଦର ଜଳାଶୟମାନଙ୍କ ମଧ୍ୟରେ ଗୋଟିଏ । ଆଉ ଧ୍ୟାନ ଦେବାର ବିଷୟ ହେଲା ଏହି ଜଳାଶୟଟି ସେହି ସ୍ଥାନରେ ଅଛି ଯେଉଁଠି ଉତ୍କଟ ଜଳାଭାବ ଲାଗିରହିଥାଏ । ଅପ୍ରେଲ, ମେ, ଜୁନ୍, ଜୁଲାଇ – ଏଇ ସମୟଟି ଜଳକୁ ସଂରକ୍ଷଣ କରିବାର ଉତ୍ତମ ସମୟ । ଏଥିପାଇଁ ଯଦି ଆମେ ପୂର୍ବରୁ ପ୍ରସ୍ତୁତ ହୋଇ ରହିବା ତେବେ ଅଧିକ ଲାଭ ପାଇବା । ଗତ ତିନିବର୍ଷ ମଧ୍ୟରେ ଜଳସଂରକ୍ଷଣ ଏବଂ ଜଳ ପରିଚାଳନା କ୍ଷେତ୍ରରେ ପ୍ରତ୍ୟେକ ନିଜ ନିଜ ହିସାବରେ ପ୍ରଚେଷ୍ଟା କରିଛନ୍ତି । ପ୍ରତିବର୍ଷ ମନରେଗା ବଜେଟରୁ ବହିର୍ଭୂତ ଜଳ ସଂରକ୍ଷଣ ଏବଂ ଜଳ ପରିଚାଳନା ଦିଗରେ ହାରାହାରି 32 ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯଦି 2017-18 ବର୍ଷର କଥା କହିବା ତେବେ ମୋଟ ବ୍ୟୟ 64 ହଜାର କୋଟି ଟଙ୍କାର ଶତକଡ଼ା 55 ଭାଗ ଅର୍ଥାତ୍ ପ୍ରାୟ 35 ହଜାର କୋଟି ଟଙ୍କାର ଜଳ ସଂରକ୍ଷଣ ପାଇଁ ଖର୍ଚ୍ଚ କରାଯାଇଛି । ଗତ ତିନିବର୍ଷ ମଧ୍ୟରେ ଏହିଭଳି ଜଳ ପରିଚାଳନା ଦ୍ୱାରା ପ୍ରାୟ 150 ଲକ୍ଷ ହେକ୍ଟର ଜମିକୁ ଅଧିକ ମାତ୍ରାରେ ଲାଭ ମିଳିଛି । ଜଳ ସଂରକ୍ଷଣ ଓ ଜଳ ପରିଚାଳନା ପାଇଁ ଭାରତ ସରକାର ମନରେଗା ମାଧ୍ୟମରେ ଯେଉଁ ଧନରାଶି ଦେଉଛନ୍ତି କିଛି ଲୋକ ତା’ଦ୍ୱାରା ଅନେକ ଲାଭଜନକ କାମ କରିପାରିଛନ୍ତି । କେରଳରେ ‘କୁଟୁମ୍ପେରୁର୍’ ନାମରେ ନଦୀଟିଏ ଅଛି । ମନରେଗା ଯୋଜନା ଅନ୍ତର୍ଗତ କାମ କରୁଥିବା ସାତ ହଜାର ଲୋକ ସତୁରୀ ଦିନ କାମକରି ଏହି ନଦୀଟିକୁ ପୁନର୍ଜୀବିତ କରିଦେଲେ । ଗଙ୍ଗା ଓ ଯମୁନା ପାଣିରେ ଭର୍ତିହୋଇ ରହିଥିବା ନଦୀ । କିନ୍ତୁ ଉତ୍ତରପ୍ରଦେଶରେ ଅନ୍ୟ କିଛି ଅଂଚଳ ଅଛି ଯେମିତିକି ପତେପୁରୁ ଜିଲାର ଶସୁର ଓ ଖଦେରୀ ନାମକ ଛୋଟ ନଦୀ ଦୁଇଟି ଶୁଖିଗଲାଣି । ମନରେଗା ଯୋଜନାରେ ଜିଲ୍ଲା ପ୍ରଶାସନ ବହୁତ ଅଧିକ ସଂଖ୍ୟାରେ ମାଟିକାମ ଓ ଜଳ ସଂରକ୍ଷଣ କାମ କରିବାର ପ୍ରୟାସ କଲେ । ପ୍ରାୟ 40-45 ଟି ଗାଁର ଲୋକଙ୍କ ସାହାଯ୍ୟରେ ଶୁଖିଯାଇଥିବା ଏହି ଶସୁର ଖଦେରୀ ନଦୀକୁ ପନୁର୍ଜୀବିତ କଲେ । ପଶୁ ହେଉ, ପକ୍ଷୀ ହେଉ, କୃଷକ ହେଉ, ଗାଁ ହେଉ ସମସ୍ତଙ୍କ ପାଇଁ ଏହି ସଫଳତା ଏକ ଆଶୀର୍ବାଦ ସଦୃଶ । ମୁଁ କହିବାକୁ ଚାହେଁ ଯେ ପୁଣି ଅପ୍ରେଲ, ମେ, ଜୁନ, ଜୁଲାଇ ଆସିଗଲାଣି । ଜଳସଂଚୟ ଓ ଜଳସଂରକ୍ଷଣ ପାଇଁ ଆମେ ବି କିଛି ଦାୟିତ୍ୱ ବହନ କରିବା ଉଚିତ । ଆମେ ବି କିଛି ଯୋଜନା ଦ୍ୱାରା କିଛି କାମ କରି ଦେଖାଇବା ଉଚିତ ।

ମୋର ପ୍ରିୟ ଦେଶବାସୀଗଣ! ଯେତେବେଳେ ନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୁଏ, ମୋ ନିକଟକୁ ଚାରିଆଡ଼ୁ ସନ୍ଦେଶ ଆସି ପହଂଚେ, ଚିଠି ଓ ଫୋନକଲ୍ ଆସେ । ପଶ୍ଚିମବଙ୍ଗର ଉତ୍ତର 24-ପ୍ରଗଣା ଜିଲ୍ଲାର ଦେବୀତୋଲା ଗାଁର ଆୟନ୍ କୁମାର ବାନାର୍ଜୀ MyGov ରେ ନିଜର ମତାମତ ଲେଖି ପଠାଇଛନ୍ତି – “ଆମେମାନେ ପ୍ରତିବର୍ଷ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ଉତ୍ସବ ପାଳନ କରିଥାଉଁ, କିନ୍ତୁ କିଛି ଲୋକ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁରଙ୍କ ଶାନ୍ତିପୂର୍ଣ୍ଣ, ସୌନ୍ଦର୍ଯ୍ୟପୂର୍ଣ୍ଣ ତଥା ସ୍ୱାଭିମାନ ସହ ବଂଚିବାର ଦର୍ଶନ ସମ୍ପର୍କରେ ଜାଣନ୍ତି ନାହିଁ । ଦୟାକରି ନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ବିଷୟରେ ଚର୍ଚ୍ଚା କରନ୍ତୁ, ଯଦ୍ଦ୍ୱାରା ଲୋକମାନେ ତାଙ୍କ ସମ୍ପର୍କରେ ଜ୍ଞାନଲାଭ କରିପାରିବେ ।

ମୁଁ ଆୟନ୍ ମହୋଦୟଙ୍କୁ ଧନ୍ୟବାଦ ଜଣାଉଛି ଯେ ସେ ମନ୍ କି ବାତ୍ର ସମସ୍ତ ବନ୍ଧୁମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଲେ । ଗୁରୁଦେବ ଠାକୁର ଜ୍ଞାନ ଓ ବିବେକସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ଯାହାଙ୍କର ଲେଖନୀ ସମସ୍ତଙ୍କୁ ପ୍ରଭାବିତ କରିପାରିଛି । ରବୀନ୍ଦ୍ରନାଥ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଯାହାଙ୍କ ଭିତରେ ଆମେମାନେ ଜଣେ ଶିକ୍ଷକଙ୍କୁ ପ୍ରତି କ୍ଷଣ ଅନୁଭବ କରିପାରିବା । ସେ ‘ଗୀତାଞ୍ଜଳି’ରେ ଲେଖିଛନ୍ତି – “He, who has the knowledge has the responsibility to impart it to the students.” ଅର୍ଥାତ୍ ଯାହାଙ୍କ ପାଖରେ ଜ୍ଞାନ ଅଛି, ତାଙ୍କର ଏହା କର୍ତ୍ତବ୍ୟ ଯେ ସେ ତାଙ୍କୁ ଜିଜ୍ଞାସୁମାନଙ୍କ ମଧ୍ୟରେ ବିତରଣ କରନ୍ତୁ ।

ମୁଁ ବଙ୍ଗଳା ଭାଷା ତ ଜାଣିନାହିଁ, କିନ୍ତୁ ମୁଁ ଯେତେବେଳେ ପିଲା ଥିଲି, ସକାଳେ ଶୀଘ୍ର ଉଠିବାର ମୋର ଅଭ୍ୟାସ ଥିଲା । ପୂର୍ବ ହିନ୍ଦୁସ୍ତାନରେ ରେଡ଼ିଓ କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ ହୁଏ କିନ୍ତୁ ପଶ୍ଚିମ ହିନ୍ଦୁସ୍ତାନରେ ବିଳମ୍ବରେ । ପ୍ରାୟଃ 5.30 ମିନିଟ୍ ସମୟରେ ରେଡ଼ିଓରେ ରବୀନ୍ଦ୍ର ସଙ୍ଗୀତ ଆରମ୍ଭ ହେଉଥିଲା ଯାହାକୁ ଶୁଣିବାର ଅଭ୍ୟାସ ମୋର ଥିଲା । ଭାଷା ତ ବୁଝିପାରୁନଥିଲି, କିନ୍ତୁ ସକାଳୁ ଶୀଘ୍ର ଉଠି ରେଡ଼ିଓରେ ପ୍ରସାରିତ ହେଉଥିବା ରବୀନ୍ଦ୍ର ସଂଗୀତ ଶୁଣିବାର ଅଭ୍ୟାସ ମୋର ହୋଇଯାଇଥିଲା । ଯେତେବେଳେ ‘ଆନନ୍ଦଲୋକେ’ ଓ ‘ଆଗୁନେର’, ‘ପୋରୋଶମନୀ’ – ଏ କବିତାଗୁଡ଼ିକୁ ଶୁଣିବାର ସୁଯୋଗ ମିଳୁଥିଲା, ମୋ ମନକୁ ବହୁତ ଶାନ୍ତିପ୍ରାପ୍ତ ହେଉଥିଲା । ଆପଣମାନଙ୍କୁ ମଧ୍ୟ ରବୀନ୍ଦ୍ର ସଂଗୀତ ଓ ତାଙ୍କ କବିତାଗୁଡ଼ିକ ନିଶ୍ଚିତ ଭାବରେ ପ୍ରଭାବିତ କରିଥିବ । ମୁଁ ରବୀନ୍ଦ୍ରନାଥ ଠାକୁରଙ୍କୁ ସମ୍ମାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ମୋ ପ୍ରିୟ ଦେଶବାସୀଗଣ! ଆଗାମୀ କିଛିଦିନ ମଧ୍ୟରେ ରମଜାନ୍ର ପବିତ୍ର ମାସ ଆରମ୍ଭ ହେବାକୁ ଯାଉଅଛି । ସମଗ୍ର ପୃଥିବୀରେ ରମଜାନ୍ ମାସ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ସମ୍ମାନ ସହ ପାଳିତ ହୁଏ । ରୋଜାର ସାମୂହିକ ବିଶେଷତ୍ୱ ଏହା ଯେ ଯେତେବେଳେ ମଣିଷ ନିଜେ ଭୋକ ଉପବାସରେ ରହେ, ସେ ଅନ୍ୟମାନଙ୍କର କ୍ଷୁଧାଜନିତ କଷ୍ଟ ଅନୁଭବ କରିପାରେ । ନିଜେ ତୃଷାର୍ତ୍ତ ରହିଲେ ଅନ୍ୟର ତୃଷା ନେଇ ଅନୁଭୂତି ମିଳେ । ଦେବଦୂତ ମହମ୍ମଦଙ୍କର ଶିକ୍ଷା ଓ ସନ୍ଦେଶକୁ ସ୍ମରଣ କରିବାର ସୁଯୋଗ ଅଟେ । ତାଙ୍କ ଜୀବନରୁ ସମାନତା ଓ ଭ୍ରାତୃତ୍ୱ ମାର୍ଗରେ ଅନୁଗମନ କରିବାର ଜ୍ଞାନଲାଭ କରିବା ଆମର କର୍ତ୍ତବ୍ୟ । ଦିନେ ଜଣେ ବ୍ୟକ୍ତି ପୈଗମ୍ବର ମହମ୍ମଦଙ୍କୁ ପ୍ରଶ୍ନ କଲା – ‘ଇସଲାମରେ କେଉଁ କାମଟି ସର୍ବଶ୍ରେଷ୍ଠ?’ ପୈଗମ୍ବର ମହମ୍ମଦ ଉତ୍ତର ଦେଲେ – ‘କୌଣସି ଗରିବ ଓ ଅଭାବୀ ବ୍ୟକ୍ତିକୁ ଖୁଆଇବା ଏବଂ ସମସ୍ତଙ୍କ ସହ ସଦ୍ଭାବପୂର୍ଣ୍ଣ ବ୍ୟବହାର ପ୍ରଦର୍ଶିତ କରିବା, ଯଦିବା ଆପଣ ତାଙ୍କୁ ଜାଣନ୍ତୁ ବା ନ ଜାଣନ୍ତୁ, ପୈଗମ୍ବର ମହମ୍ମଦ ଜ୍ଞାନ ଓ କରୁଣାରେ ବିଶ୍ୱାସ କରୁଥିଲେ । ତାଙ୍କଠାରେ କୌଣସି କଥାର ଅହଙ୍କାର ନ ଥିଲା । ସେ କହୁଥିଲେ – ଅହଙ୍କାର ହିଁ ଜ୍ଞାନକୁ ପ୍ରତିହତ କରିଥାଏ । ପୈଗମ୍ବର ମହମ୍ମଦଙ୍କର କହିବାର କଥା ଥିଲା ଯେ ଯଦି ଆପଣଙ୍କ ନିକଟରେ କୌଣସି ଜିନିଷ ଆବଶ୍ୟକତାଠାରୁ ଅଧିକ ଅଛି, ତା’ହେଲେ ଆପଣ ତାକୁ କୌଣସି ଅଭାବୀ ବ୍ୟକ୍ତିକୁ ଦେଇଦିଅନ୍ତୁ । ଏଥିପାଇଁ ରମଜାନ୍ ବେଳେ ଦାନର ବିଶେଷ ମହତ୍ୱ ରହିଛି । ଏହି ପବିତ୍ର ମାସରେ ଲୋକମାନେ ଅଭାବୀ ଲୋକମାନଙ୍କୁ ଦାନ ଦେଇଥାନ୍ତି । ପୈଗମ୍ବର ମହମ୍ମଦଙ୍କର ଏହା କଥନ ଯେ – କୌଣସି ବ୍ୟକ୍ତି ନିଜର ପବିତ୍ର ଆତ୍ମା ଦ୍ୱାରା ହିଁ ଧନୀ ହୋଇଥାଏ, ଧନ-ଦୌଲତ ଦ୍ୱାରା ନୁହେଁ । ମୁଁ ସମସ୍ତ ଦେଶବାସୀମାନଙ୍କୁ ଆଗାମୀ ପବିତ୍ର ରମଜାନ୍ ମାସ ଉପଲକ୍ଷେ ଶୁଭେଚ୍ଛା ଜ୍ଞାପନ କରୁଅଛି ଏବଂ ମୋର ଆଶା ଯେ ଏହି ପର୍ବ ଲୋକମାନଙ୍କୁ ଶାନ୍ତି ଓ ସଦ୍ଭାବନାର ସନ୍ଦେଶକୁ ଅନୁପାଳନ କରିବାର ପ୍ରେରଣା ପ୍ରଦାନ କରିବ ।

ମୋ ପ୍ରିୟ ଦେଶବାସୀଗଣ! ବୁଦ୍ଧ ପୂର୍ଣ୍ଣିମା ପ୍ରତ୍ୟେକ ଭାରତୀୟ ପାଇଁ ବିଶେଷ ଦିବସ । ଏହା ଆମର ଗର୍ବ ଯେ ଭାରତ କରୁଣା, ସେବା ଓ ତ୍ୟାଗର ମହତ୍ୱ ପ୍ରତିପାଦିତ କରିଥିବା ମହାପୁରୁଷ ଭଗବାନ ବୁଦ୍ଧଙ୍କର ଜନ୍ମଭୂମି, ଯିଏକି ସମଗ୍ର ସଂସାରରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଏହି ବୁଦ୍ଧ ପୂର୍ଣ୍ଣିମା ଭଗବାନ ବୁଦ୍ଧଙ୍କୁ ସ୍ମରଣ କରିବା ସହିତ ତାଙ୍କଦ୍ୱାରା ପରିଚାଳିତ ମାର୍ଗରେ ଅନୁଗମନ କରିବା ପାଇଁ ସଂକଳ୍ପବଦ୍ଧ ହେବାପାଇଁ ତଥା ନିଜ ନିଜର ଦାୟିତ୍ୱକୁ ନିର୍ବାହ କରିବା ପାଇଁ ପୁନର୍ବାର ସ୍ମରଣ କରାଇଦିଏ । ଭଗବାନ ବୁଦ୍ଧ ସମାନତା, ଶାନ୍ତି, ସଦ୍ଭାବ ଏବଂ ଭ୍ରାତୃତ୍ୱର ପ୍ରେରଣାଦାୟୀ ଶକ୍ତି । ଏହା ଏପରି ମାନବୀୟ ମୂଲ୍ୟବୋଧ ଅଟେ, ଯାହାର ଆବଶ୍ୟକତା ସାମ୍ପ୍ରତିକ ବିଶ୍ୱରେ ସର୍ବାଧିକ । ବାବାସାହେବ ଡ. ଆମ୍ବେଦକର ଏହାର ମହତ୍ୱ ପ୍ରତିପ୍ରଦାନ କରି କହନ୍ତି ଯେ ତାଙ୍କ ସାମାଜିକ ଦର୍ଶନରେ ଭଗବାନ ବୁଦ୍ଧଙ୍କର ମହାନ ପ୍ରେରଣା ରହିଛି । ସେ କହିଥିଲେ – “My Social Philosophy may be said to be enshrined in three words; Liberty, equality and fraternity. My philosophy has roots in religion and not in political science. I have derived, them from the teaching of my master The Buddha.”

ବାବାସାହେବ ସମ୍ବିଧାନ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରୁ ବଂଚିତ ଦଳିତ, ପୀଡ଼ିତ, ଶୋଷିତ କୋଟି କୋଟି ଲୋକମାନଙ୍କୁ ସକ୍ଷମ କରାଇପାରିଲେ । କରୁଣାର ଏହାଠାରୁ ବଡ଼ ଦୃଷ୍ଟାନ୍ତ ବିରଳ । ଲୋକମାନଙ୍କର କଷ୍ଟ ନିବାରଣ ନିମନ୍ତେ ଏହି କରୁଣା ଭଗବାନ ବୁଦ୍ଧଙ୍କର ସବୁଠାରୁ ମହାନ ଗୁଣଗୁଡ଼ିକ ମଧ୍ୟରୁ ଗୋଟିଏ । କୁହାଯାଏ ଯେ ବୌଦ୍ଧଭିକ୍ଷୁମାନେ ବିଭିନ୍ନ ଦେଶଗୁଡ଼ିକୁ ପରିଭ୍ରମଣ କରୁଥିଲେ । ସେମାନେ ନିଜ ସଙ୍ଗେ ଭଗବାନ ବୁଦ୍ଧଙ୍କର ସମୃଦ୍ଧ ବିଚାରଧାରାକୁ ନେଇ ସେଠାକାର ଲୋକମାନଙ୍କ ମଧ୍ୟରେ ପ୍ରଚାର-ପ୍ରସାର କରୁଥିଲେ । ଏହା ସବୁ ସମୟରେ ହୋଇଆସୁଛି । ସମଗ୍ର ଏସିଆ ମହାଦେଶରେ ଭଗବାନ ବୁଦ୍ଧଙ୍କର ଶିକ୍ଷା ଆମମାନଙ୍କୁ ନିଜ ଐତିହ୍ୟରୁ ପ୍ରାପ୍ତ ହୋଇଛି । ଏହା ଆମମାନଙ୍କୁ ଅନେକ ଏସିଆ ମହାଦେଶର ରାଷ୍ଟ୍ର ଯଥା-ଚୀନ, ଜାପାନ, କୋରିଆ, ଥାଇଲାଣ୍ଡ, କାମ୍ବୋଡ଼ିଆ, ମିଆଁମାର ଆଦି ବୁଦ୍ଧଙ୍କର ଭକ୍ତ ପରମ୍ପରା ଓ ଶିକ୍ଷାଦୀକ୍ଷା ସହ ସଂଶ୍ଲିଷ୍ଟ ଏବଂ ଏଇଥିପାଇଁ ଆମେ ବୌଦ୍ଧଧର୍ମଭିତ୍ତିକ ପର୍ଯ୍ୟଟନ ନିମନ୍ତେ ଭିତ୍ତିଭୂମିର ବିକାଶ କରୁଛନ୍ତି ଯାହା ଦକ୍ଷିଣ-ପୂର୍ବ ଏସିଆର ମହତ୍ୱପୂର୍ଣ୍ଣ ସ୍ଥଳଗୁଡ଼ିକୁ, ଭାରତର ସ୍ଥଳଗୁଡ଼ିକ ସହିତ ସଂଯୋଗ ସ୍ଥାପନ କରୁଅଛି । ଏହା ମୋ’ପାଇଁ ଅତ୍ୟନ୍ତ ଖୁସିର କଥା ଯେ ଭାରତ ସରକାର ଅନେକ ବୌଦ୍ଧ ମନ୍ଦିରଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ କରୁଅଛନ୍ତି । ଏହା ମଧ୍ୟରେ ମିଆଁମାରର ବାଗାନରେ ଅବସ୍ଥିତ କେତେ ଶତାବ୍ଦୀର ପୁରାତନ ବୈଭବଶାଳୀ ଆନନ୍ଦ ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ । ଆଜି ସମଗ୍ର ବିଶ୍ୱରେ ସବୁଆଡ଼େ ସଂଘର୍ଷ ଓ ମାନବୀୟ ବେଦନା ପରିଲକ୍ଷିତ । ଭଗବାନ ବୁଦ୍ଧଙ୍କର ଉପଦେଶ ଘୃଣାକୁ ଦୟା ଦ୍ୱାରା ସମାପ୍ତ କରିବାର ମାର୍ଗ ପ୍ରଦର୍ଶିତ କରେ । ମୁଁ ସମଗ୍ର ବିଶ୍ୱରେ ଭଗବାନ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶିତ କରୁଥିବା ଓ ତାଙ୍କ କରୁଣା ସିଦ୍ଧାନ୍ତରେ ଆସ୍ଥା ରଖୁଥିବା ଲୋକମାନଙ୍କୁ ବୁଦ୍ଧ ପୂର୍ଣ୍ଣିମାର ମଙ୍ଗଳମୟୀ ଶୁଭେଚ୍ଛା ଜ୍ଞାପନ କରୁଅଛି । ମୁଁ ଭଗବାନ ବୁଦ୍ଧଙ୍କଠାରୁ ସମଗ୍ର ବିଶ୍ୱ ପାଇଁ ଆଶୀର୍ବାଦ କାମନା କରୁଅଛି ଯଦ୍ୱାରା କି ଆମେ ତାଙ୍କ ଉପଦେଶ ଉପରେ ଆଧାରିତ ଏକ ଶାନ୍ତିପୂର୍ଣ୍ଣ ଓ କରୁଣାପୂର୍ଣ୍ଣ ବିଶ୍ୱର ନିର୍ମାଣ କରିବାରେ ନିଜର ଦାୟିତ୍ୱ ନିର୍ବାହ କରିପାରିବା । ଆଜି ଯେତେବେଳେ ଆମେମାନେ ଭଗବାନ ବୁଦ୍ଧଙ୍କୁ ସ୍ମରଣ କରୁଛୁ , ଆପଣମାନେ ହସୁଥିବା ବୁଦ୍ଧ(Laughing Budha)ଙ୍କର ମୂର୍ତ୍ତି ସମ୍ପର୍କରେ ଶୁଣିଥିବେ, ଯାହା ସମ୍ପର୍କରେ କୁହାଯାଏ ଯେ ହସମୁଖ ବୁଦ୍ଧ(Smiling Budha) ସୌଭାଗ୍ୟ ଆଣନ୍ତି । କିନ୍ତୁ ବହୁତ କମ୍ ଲୋକ ଏହା ଜାଣନ୍ତି ଯେ ହସମୁଖ ବୁଦ୍ଧ ଭାରତର ସୁରକ୍ଷା ଇତିହାସର ଏହି ମହତ୍ୱପୂର୍ଣ୍ଣ ଘଟଣା ସହ ସଂଶ୍ଲିଷ୍ଟ । ଏବେ ଆପଣମାନେ ଚିନ୍ତା କରୁଥିବେ ଯେ ହସମୁଖ ବୁଦ୍ଧ ବା Smiling Budha ଏବଂ ଭାରତର ସୈନ୍ୟଶକ୍ତି ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ଆପଣମାନଙ୍କର ମନେଥିବ ଆଜିକୁ 20 ବର୍ଷ ପୂର୍ବେ 11 ମେ, 1998 ସନ୍ଧ୍ୟାରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳବିହାରୀ ବାଜପେୟୀ ରାଷ୍ଟ୍ରକୁ ସମ୍ବୋଧିତ କରି କହିଥିଲେ ଏବଂ ତାଙ୍କର କଥାଗୁଡ଼ିକ ସମଗ୍ର ରାଷ୍ଟ୍ରକୁ ଗୌରବ, ପରାକ୍ରମ ଓ ଆନନ୍ଦର ମୁହୂର୍ତ୍ତରେ ଭରିଦେଇଥିଲା । ସମଗ୍ର ବିଶ୍ୱରେ ବାସ କରୁଥିବା ଭାରତୀୟ ସମୁଦାୟ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ଉତ୍ପନ୍ନ ହୋଇଥିଲା । ସେହିଦିନ ବୁଦ୍ଧପୂର୍ଣ୍ଣିମା ଥିଲା, 11 ମେ, 1998 ଭାରତର ପଶ୍ଚିମ ସୀମାରେ ଅବସ୍ଥିତ ରାଜସ୍ଥାନର ପୋଖରାନଠାରେ ପରମାଣୁ ପରୀକ୍ଷଣ କରାଯାଇଥିଲା । ସେହି ଘଟଣାକୁ 20ବର୍ଷ ହେଉଛି ଏବଂ ଏହି ପରୀକ୍ଷଣ ଭଗବାନ ବୁଦ୍ଧଙ୍କର ଆଶୀର୍ବାଦରୁ ବୁଦ୍ଧ ପୂର୍ଣ୍ଣିମା ଦିନ ହିଁ କରାଯାଇଥିଲା । ଭାରତର ଏହି ପରୀକ୍ଷଣ ସଫଳ ରହିଥିଲା ଏବଂ ଏହା କୁହାଯାଇପାରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ମୁଁ ଏହା କହିପାରେ ଯେ ସେହିଦିନଟି ଭାରତୀୟ ଇତିହାସରେ ନିଜର ସୈନ୍ୟଶକ୍ତି ପ୍ରଦର୍ଶନ ଭାବରେ ଅଙ୍କିତ । ଭଗବାନ ବୁଦ୍ଧ ସମଗ୍ର ସଂସାରକୁ ଉପଦେଶ ଦେଇଛନ୍ତି ଯେ ଅନ୍ତର୍ନିହିତ ଶକ୍ତି ଅନ୍ତର୍ମନର ଶକ୍ତି ଓ ଶାନ୍ତି ନିମନ୍ତେ ଆବଶ୍ୟକ । ଏହିପରି ଭାବେ ଯେତେବେଳେ ଆପଣମାନେ ଗୋଟିଏ ରାଷ୍ଟ୍ର ଭାବରେ ଶକ୍ତିଶାଳୀ ହେବେ, ସେତେବେଳେ ଆପଣମାନେ ସମସ୍ତଙ୍କ ସହ ଶାନ୍ତିପୂର୍ଣ୍ଣ ଭାବରେ ରହିପାରିବେ । 1998 ମେ’ ମାସ ରାଷ୍ଟ୍ର ପାଇଁ କେବଳ ଏଥିପାଇଁ ମହତ୍ୱପୂର୍ଣ୍ଣ ନୁହେଁ ଯେ ଏହି ମାସରେ ପରମାଣୁ ପରୀକ୍ଷଣ ହୋଇଥିଲା, କିନ୍ତୁ ଯେଉଁପରି ଭାବରେ ଏହା ସମ୍ଭବ ହୋଇଥିଲା, ତାହା ମହତ୍ୱପୂର୍ଣ୍ଣ । ଏହି ଘଟଣା ସମଗ୍ର ବିଶ୍ୱକୁ ଜଣାଇଦେଲା ଯେ ଭାରତର ମାଟି ମହାନ୍ ବୈଜ୍ଞାନିକମାନଙ୍କର ମାଟି ଏବଂ ଏକ ଶକ୍ତିଶାଳୀ ନେତୃତ୍ୱ ସହ ଭାରତ ପ୍ରତିଦିନ ନୂତନ ଲକ୍ଷ୍ୟ ଓ ଗୌରବକୁ ପ୍ରାପ୍ତ କରିପାରେ । ଆମର ପ୍ରିୟ ଅଟଳବିହାରୀ ବାଜପେୟୀ ମହୋଦୟ ଏହି ମନ୍ତ୍ର ଶୁଣାଇଥିଲେ – ଜୟ ଯବାନ୍, ଜୟ କିଷାନ୍, ଜୟ ବିଜ୍ଞାନ । ଆଜି ଯେତେବେଳେ ଆମେମାନେ 11 ମେ, 1998 ର ବିଂଶତମ ବର୍ଷ ପାଳନ କରିବାକୁ ଯାଉଛୁ, ସେତେବେଳେ ଭାରତର ଶକ୍ତି ନିମନ୍ତେ ଅଟଳଜୀ ‘ଜୟ ବିଜ୍ଞାନ’ର ଯେଉଁ ମନ୍ତ୍ର ପ୍ରଦାନ କରିଛନ୍ତି, ତାକୁ ଆତ୍ମସ୍ଥ କରି ଆଧୁନିକ ଭାରତ, ଶକ୍ତିଶାଳୀ ଭାରତ ଓ ସକ୍ଷମ ଭାରତ ନିର୍ମାଣ ନିମନ୍ତେ ପ୍ରତ୍ୟେକ ଯୁବକ ନିଜର ଯୋଗଦାନ ଦେବାପାଇଁ ପ୍ରତିଜ୍ଞା ଏବଂ ସଂକଳ୍ପ କରନ୍ତୁ । ନିଜର ଶକ୍ତିକୁ ଭାରତର ଶକ୍ତିର ଅଂଶ ଭାବରେ ପ୍ରତିପାଦିତ କରନ୍ତୁ । ଦେଖୁ ଦେଖୁ ଯେଉଁ ଯାତ୍ରାକୁ ଅଟଳଜୀ ଆରମ୍ଭ କରିଥିଲେ, ତାକୁ ଆଗକୁ ଆଗକୁ ନେବାର ଏକ ନୂଆ ଆନନ୍ଦ ଓ ନୂଆ ସନ୍ତୋଷ ଆମେମାନେ ବି ପ୍ରାପ୍ତ କରିପାରିବା ।

ମୋ ପ୍ରିୟ ଦେଶବାସୀଗଣ, ପୁନର୍ବାର ମନ୍ କି ବାତ୍ରେ ଦେଖାହେବ ଏବଂ ଅନ୍ୟ ବିଷୟରେ ଚର୍ଚ୍ଚା କରିବା ।

ବହୁତ ବହୁତ ଧନ୍ୟବାଦ ।

 

**********