Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ(25 ମାର୍ଚ୍ଚ 2018)


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପବିତ୍ର ରାମନବମୀ । ରାମନବମୀର ଏହି ପବିତ୍ର ପର୍ବରେ ଦେଶବାସୀଙ୍କୁ ମୋର ଅନେକ ଅନେକ ଶୁଭକାମନା । ପୂଜ୍ୟ ବାପୁଙ୍କ ଜୀବନରେ “ରାମ ନାମ”ର ଶକ୍ତି କେତେ ଥିଲା, ତାହା ତାଙ୍କ ଜୀବନର ପ୍ରତି ମୁହୂର୍ତ୍ତରେ ଆମେ ଦେଖିଛୁ । ଗତ ଜାନୁଆରୀ 26 ତାରିଖ ଦିନ ଯେତେବେଳେ ଆସିଆନ୍ ଦେଶର ସମସ୍ତ ମହାନୁଭବ ଏଠାରେ ଉପସ୍ଥିତ ଥିଲେ ସେତେବେଳେ ସେମାନେ ନିଜ ସହ ସେମାନଙ୍କ ସାଂସ୍କୃତିକ ଦଳଗୁଡ଼ିକୁ ସାଙ୍ଗରେ ଆଣିଥିଲେ ଏବଂ ଏହା ବଡ଼ ଗର୍ବର କଥା ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶ ରାମାୟଣକୁ ହିଁ ଆମ ଆଗରେ ଉପସ୍ଥାପନ କରିଥିଲେ । ଅର୍ଥାତ ରାମ ଓ ରାମାୟଣ କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଏହି ଭୂଖଣ୍ଡରେ ଆସିଆନ୍ ଦେଶମାନଙ୍କରେ ଆଜି ମଧ୍ୟ ସେତିକି ପ୍ରେରଣା ଏବଂ ପ୍ରଭାବ ସୃଷ୍ଟି କରୁଛି । ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଶ୍ରୀରାମନବମୀ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ପ୍ରତିଥର ପରି ଏଥର ମଧ୍ୟ ମୋତେ ବହୁସଂଖ୍ୟାରେ ଆପଣମାନଙ୍କର ଚିଠି, ଇ-ମେଲ, ଫୋନକଲ ଏବଂ ମତାମତ ମିଳିଛି । MyGov ରେ କୋମଲ ଠକ୍କରଜୀ – ଆପଣ ସଂସ୍କୃତର ଅନଲାଇନ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯାହା ଲେଖିଛନ୍ତି, ତାହା ମୁଁ ପଢ଼ିଲି । ଜଣେ IT ପେଶାଦାର ହେବା ସହିତ ସଂସ୍କୃତକୁ ଆପଣଙ୍କ ଭଲ ପାଇବା ଦେଖି ଖୁବ୍ ଭଲ ଲାଗିଲା । ଏ ଦିଗରେ ଚାଲିଥିବା ପ୍ରଚେଷ୍ଟା ସମ୍ପର୍କରେ ଆପଣଙ୍କୁ ସୂଚନା ପ୍ରଦାନ କରିବା ପାଇଁ ମୁଁ ସମ୍ପୃକ୍ତ ବିଭାଗକୁ କହିଛି । “ମନ୍ କି ବାତ୍”ର ଶ୍ରୋତା ଯେଉଁମାନେ ସଂସ୍କୃତ ସହ ଜଡ଼ିତ ସେମାନେ କୋମଲଜୀଙ୍କ ପ୍ରସ୍ତାବକୁ କିଭଳି ଆଗକୁ ନେଇହେବ ସେ ସମ୍ପର୍କରେ ଚିନ୍ତା କରିବା ପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି ।

ଶ୍ରୀଯୁକ୍ତ ଘନଶ୍ୟାମ କୁମାର ମହାଶୟ, ଗ୍ରାମ-ବରାକର୍, ଜିଲ୍ଲା-ନାଳନ୍ଦା ବିହାର । Narendra Modi Appରେ ଆପଣ ଲେଖିଥିବା ମତାମତ ପଢ଼ିଲି । ଭୂତଳ ଜଳସ୍ତର ହ୍ରାସ ସମ୍ପର୍କରେ ଆପଣ ଯେଉଁ ଉଦ୍ବେଗ ପ୍ରକାଶ କରିଛନ୍ତି ତାହା ନିଶ୍ଚିତ ରୂପେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

କର୍ଣ୍ଣାଟକରୁ ଶ୍ରୀଯୁକ୍ତ ଶକଲ୍ ଶାସ୍ତ୍ରୀ ମହୋଦୟ, ଆପଣ ଖୁବ୍ ସୁନ୍ଦର ଶବ୍ଦ ସଂଯୋଜନା ମାଧ୍ୟମରେ ଲେଖିଛନ୍ତି ଯେ, “ଆୟୁଷ୍ମାନ ଭାରତ” ସେତେବେଳେ ସମ୍ଭବ ହେବ ଯେତେବେଳେ “ଆୟୂଷ୍ମାନ ଭୂମି” ହେବ ଏବଂ ଆୟୂଷ୍ମାନ ଭୂମି ସେତେବେଳେ ହେବ ଯେତେବେଳେ ଆମେ ଭୂମି ଉପରେ ରହୁଥିବା ସବୁ ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା । ଖରାଦିନେ ପଶୁପକ୍ଷୀମାନଙ୍କ ପାଇଁ ପାଣି ରଖିବା ପାଇଁ ଆପଣ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଶକଲ୍ ଜୀ ଆପଣଙ୍କ ଭାବନାକୁ ମୁଁ ସମସ୍ତ ଶ୍ରୋତାଙ୍କ ନିକଟକୁ ପହଂଚାଇ ଦେଇଛି ।

ଶ୍ରୀଯୁକ୍ତ ଯୋଗେଶ ଭଦ୍ରେଶା ମହାଶୟ – ଏଥର ଯୁବବର୍ଗଙ୍କ ସହ ମୁଁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କଥା ହେବାପାଇଁ ସେ କହିଛନ୍ତି । ଏସୀୟ ଦେଶମାନଙ୍କରେ ତୁଳନାତ୍ମକ ଭାବେ ଆମ ଯୁବବର୍ଗ ଶାରୀରିକ ରୂପେ ଦୁର୍ବଳ ବୋଲି ସେ ଅନୁଭବ କରନ୍ତି । ଯୋଗେଶଜୀ, ଏଥର ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କ ସହ ବିସ୍ତୃତ ଭାବେ କଥାହେବାପାଇଁ – Fit India କଥା କହିବା ପାଇଁ ମୁଁ ଚିନ୍ତା କରିଛି । ଆପଣ ଯୁବଗୋଷ୍ଠୀ ମିଶି Fit India ଆନ୍ଦୋଳନ ମଧ୍ୟ ଚଳାଇପାରିବେ ।

ବିଗତ ଦିନରେ ଫ୍ରାନ୍ସର ରାଷ୍ଟ୍ରପତି କାଶୀ ଗସ୍ତରେ ଯାଇଥିଲେ । ବାରାଣସୀର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଲେଖିଛନ୍ତି ଯେ, ସେହି ଗସ୍ତ ସମୟର ସମସ୍ତ ଦୃଶ୍ୟ ମନଛୁଆଁ ଏବଂ ପ୍ରଭାବ ସୃଷ୍ଟିକାରୀ ଥିଲା । ସେ ସମସ୍ତ ଫଟୋଚିତ୍ର, ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କରାଯିବା ଉଚିତ । ପ୍ରଶାନ୍ତ ଜୀ, ଭାରତ ସରକାର ସେହିଦିନ ହିଁ ଫଟୋଗୁଡ଼ିକୁ ସାମାଜିକ ଗଣମାଧ୍ୟମ ଏବଂ Narendra Modi App ରେ ପ୍ରସାର କରିଦେଇଥିଲେ । ଏବେ ଆପଣ ସେଗୁଡ଼ିକୁ Like କରନ୍ତୁ ଏବଂ Re-Tweet କରି ନିଜର ସାଙ୍ଗସାଥୀମାନଙ୍କୁ ପଠାନ୍ତୁ ।

ଚେନ୍ନାଇରୁ ଅନଘା, ଜୟେଶ ଏବଂ ଆହୁରି ଅନେକ ପିଲା Exam Warrior ବହି ପଛରେ ଦିଆଯାଇଥିବା କୃତଜ୍ଞତା କାର୍ଡ ସମ୍ପର୍କରେ ସେମାନଙ୍କର ମନକଥା ମୋତେ ଲେଖି ପଠାଇଛନ୍ତି । ଅନଘା, ଜୟେଶ, ମୁଁ ଆପଣ ସମସ୍ତ ପିଲାମାନଙ୍କୁ କହିବାକୁ ଚାହୁଁଛି ଯେ, ଆପଣମାନଙ୍କର ଏହି ଚିଠିଗୁଡ଼ିକ ଦ୍ୱାରା ମୋର ଦିନଯାକର କ୍ଳାନ୍ତି କୁଆଡ଼େ ଉଭେଇଯାଏ । ଏତେଗୁଡ଼ିଏ ଚିଠି, ଏତେ ଫୋନକଲ୍, ମତାମତ – ଏଥିରୁ ଯାହାକିଛି ମୁଁ ପଢ଼ିପାରିଲି, ଯାହାକିଛି ଶୁଣିପାରିଲି, ସେଥିରୁ ଅନେକ କଥା ମୋ ମନକୁ ଛୁଇଁପାରିଲା । ଖାଲି ସେତିକିର କଥା କହିଲେ ବି ହୁଏତ ମାସ ମାସ ଧରି ନିରନ୍ତର ଭାବେ ମୋତେ କିଛି ନା କିଛି କହିବାକୁ ପଡ଼ିବ ।

ଏଥର ଅଧିକାଂଶ ଚିଠି ପିଲାମାନଙ୍କ ତରଫରୁ ଆସିଛି ଯେଉଁମାନେ ପରୀକ୍ଷା ସମ୍ପର୍କରେ ଲେଖିଛନ୍ତି । ଗ୍ରୀଷ୍ମଛୁଟିର ନିଜର ଯୋଜନାଗୁଡ଼ିକ Share କରିଛନ୍ତି । ଖରାଦିନେ ପଶୁପକ୍ଷୀମାନଙ୍କ ପାଇଁ ପାଣି କଥା ଚିନ୍ତା କରିଛନ୍ତି । ଚାଷୀମେଳା ଏବଂ ଚାଷକାର୍ଯ୍ୟକୁ ନେଇ ସାରା ଦେଶରେ ଯେଉଁ ଗତିବିଧି ଚାଲିଛି ସେ ସମ୍ପର୍କରେ ଚାଷୀ ଭାଇ ଭଉଣୀମାନଙ୍କର ଚିଠି ଆସିଛି । ଜଳ ସଂରକ୍ଷଣ ସମ୍ପର୍କରେ କିଛି ସକ୍ରିୟ ନାଗରିକ ପରାମର୍ଶ ଦେଇଛନ୍ତି । ଯେବେଠାରୁ ଆମେ ରେଡ଼ିଓ ମାଧ୍ୟମରେ ନିଜର ମନର କଥାକୁ ଆଦାନ ପ୍ରଦାନ କରୁଛୁ ସେବେଠାରୁ ମୁଁ ଗୋଟିଏ କଥା ଲକ୍ଷ୍ୟ କରିଛି ଯେ, ଖରାଦିନେ ଅଧିକାଂଶ ଚିଠି ଗ୍ରୀଷ୍ମ ସମ୍ପର୍କରେ ଆସିଥାଏ । ପରୀକ୍ଷା ପୂର୍ବରୁ ବିଦ୍ୟାର୍ଥୀ ବନ୍ଧୁମାନଙ୍କ ମାନସିକ ଚାପ ସମ୍ପର୍କରେ ଚିଠି ଆସେ । ପାର୍ବଣ ଋତୁରେ ଆମର ପର୍ବପର୍ବାଣୀ, ଆମ ସଂସ୍କୃତି, ଆମର ପରମ୍ପରାକୁ ନେଇ ଚିଠିପତ୍ର ଆସେ । ଏହାର ଅର୍ଥ, ମନର କଥା ଋତୁକୁ ନେଇ ବଦଳିଥାଏ ଏବଂ ହୁଏତ ଏ କଥା ମଧ୍ୟ ସତ ଯେ, ଆମ ମନର କଥା କେଉଁଠି କାହା ଜୀବନରେ ମଧ୍ୟ ପରିବର୍ତ୍ତନ ଆଣିଦେଇପାରିଥାଏ । ଆଉ ପରିବର୍ତ୍ତନ ମଧ୍ୟ କାହିଁକି ଯେ ନ ହେବ? ଆପଣଙ୍କର ଏହି କଥାଗୁଡ଼ିକରେ, ଆପଣଙ୍କ ଅନୁଭୂତିରେ, ଆପଣଙ୍କ ଉଦାହରଣଗୁଡ଼ିକରେ ଏତେ ପ୍ରେରଣା, ଏତେ ଶକ୍ତି, ଏତେ ଆତ୍ମୀୟତା ଏବଂ ଦେଶ ପାଇଁ କିଛି କରିବାର ଉତ୍ସାହ ଯେ ରହୁଛି । ଏଥିରେ ତ ସାରା ଦେଶକୁ ବଦଳାଇବାର ଶକ୍ତି ରହିଛି । ଯେତେବେଳେ ଆପଣଙ୍କ ପତ୍ରରେ ମୋତେ ପଢ଼ିବାକୁ ମିଳେ ଯେ, ଆସାମର କରିମଗଞ୍ଜର ଜଣେ ରିକ୍ସାଚାଳକ ଅହମଦ୍ ଅଲି ନିଜର ଇଚ୍ଛାଶକ୍ତି ବଳରେ କିଭଳି ଗରିବ ପିଲାମାନଙ୍କ ପାଇଁ 9ଟି ସ୍କୁଲ ତିଆରି କରିଛନ୍ତି – ସେତେବେଳେ ଏହି ଦେଶର ଅଦମ୍ୟ ଇଚ୍ଛାଶକ୍ତିର ନିଦର୍ଶନ ମିଳେ । ଯେତେବେଳେ ମୁଁ କାନପୁରର ଡାକ୍ତର ଅଜିତ ମୋହନ ଚୌଧୁରୀଙ୍କ କଥା ଶୁଣିଲି ଯେ ସେ ଫୁଟପାଥକୁ ଯାଇ ଗରିବ ଲୋକଙ୍କ ଚିକିତ୍ସା କରୁଛନ୍ତି ଏବଂ ସେମାନଙ୍କୁ ମାଗଣା ଔଷଧ ମଧ୍ୟ ଦେଉଛନ୍ତି ସେତେବେଳେ ଏହି ଦେଶର ଭ୍ରାତୃତ୍ୱଭାବକୁ ଅନୁଭବ କରିବାର ସୁଯୋଗ ମିଳିଲା । 13 ବର୍ଷ ପୂର୍ବେ ଠିକ୍ ସମୟରେ ଚିକିତ୍ସା ସୁବିଧା ନ ମିଳିବାରୁ କୋଲକାତାର କ୍ୟାବ୍-ଚାଳକ ସୈଦୁଲ ଲସ୍କରଙ୍କ ଭଉଣୀର ମୃତ୍ୟୁ ହୋଇଗଲା । ଚିକିତ୍ସା ଅଭାବରେ କୌଣସି ଗରିବର ମୃତ୍ୟୁ ନ ହେଉ ସେଥିପାଇଁ ସେ ଡାକ୍ତରଖାନା ପ୍ରତିଷ୍ଠା କରିବା ପାଇଁ ସଂକଳ୍ପ ଗ୍ରହଣ କଲେ । ଏହି ଅଭିଯାନରେ ସୈଦୁଲ ନିଜ ଘରର ଗହଣା ବିକ୍ରି କରିଦେଲେ । ଦାନସୂତ୍ରରେ ଟଙ୍କା ସଂଗ୍ରହ କଲେ । ତାଙ୍କ କ୍ୟାବ୍ ରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ବଦାନ୍ୟତା ସହ ଦାନ ଦେଲେ । ଜଣେ ଇଞ୍ଜିନିୟର ଝିଅ ତ ନିଜର ପ୍ରଥମ ଦରମା ହିଁ ଦେଇଦେଲେ । ଏହିପରି 12 ବର୍ଷ କାଳ ଟଙ୍କା ସଂଗ୍ରହ କରିବା ପରେ ଶେଷରେ ତାଙ୍କ ଭଗୀରଥ ପ୍ରୟାସ ସଫଳତା ଲାଭକଲା ଏବଂ ଆଜି ତାଙ୍କରି ସେହି କଠିନ ପରିଶ୍ରମ ଫଳରେ ତାଙ୍କରି ସଂକଳ୍ପ ଯୋଗୁଁ କୋଲକାତା ନିକଟ ପୁନ୍ରୀ ଗାଁରେ ପ୍ରାୟ 30 ଶଯ୍ୟାବିଶିଷ୍ଟ ଡାକ୍ତରଖାନା ତିଆରି ହୋଇସାରିଛି । ଏହାହିଁ ହେଉଛି New Indiaର ଶକ୍ତି । ଯେତେବେଳେ ଉତ୍ତରପ୍ରଦେଶର ଜଣେ ମହିଳା ଅନେକ ସଂଘର୍ଷ ସତ୍ତ୍ୱେ 125ଟି ଶୌଚାଳୟର ନିର୍ମାଣ କରୁଛି ଏବଂ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପାଇଁ ପ୍ରେରଣା ଯୋଗାଉଛି ସେତେବେଳେ ମାତୃଶକ୍ତିର ପରିଚୟ ମିଳୁଛି । ଏଭଳି ଅନେକ ପ୍ରେରଣା ସ୍ରୋତ ଆମ ଦେଶର ପରିଚୟ ପ୍ରଦାନ କରନ୍ତି । ଆଜି ସମଗ୍ର ବିଶ୍ୱର ଭାରତ ପ୍ରତି ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହୋଇଛି । ଆଜି ଯେତେବେଳେ ଭାରତର ନାମ ସମ୍ମାନର ସହ କୁହାଯାଉଛି, ସେତେବେଳେ ଏହାପଛରେ ଭାରତମାତାର ଏହି ସୁଯୋଗ୍ୟ ସନ୍ତାନମାନଙ୍କ ପରିଶ୍ରମ ଲୁଚି ରହିଛି । ଆଜି ସାରା ଦେଶରେ ଯୁବଗୋଷ୍ଠୀରେ ମହିଳାମାନଙ୍କ ମଧ୍ୟରେ, ପଛୁଆବର୍ଗରେ, ଗରିବମାନଙ୍କ ମଧ୍ୟରେ, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ମଧ୍ୟରେ ପ୍ରତ୍ୟେକ ବର୍ଗର ଲୋକଙ୍କ ମନରେ ଏହି ବିଶ୍ୱାସ ଜାଗ୍ରତ ହୋଇଛି ଯେ, – ହଁ, ଆମେ ଆଗକୁ ବଢ଼ିପାରିବା, ଆମ ଦେଶ ଆଗକୁ ବଢ଼ିପାରିବ । ଆଶା-ଆକାଂକ୍ଷାରେ ଭରା ଗୋଟିଏ ଆତ୍ମବିଶ୍ୱାସ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଛି । ଏହି ଆତ୍ମବିଶ୍ୱାସ, ଏହି ସକାରାତ୍ମକତା, New India ର ଆମର ସଂକଳ୍ପକୁ ସାକାର କରିବ । ସ୍ୱପ୍ନକୁ ସିଦ୍ଧି କରିବ ।

ମୋର ପ୍ରିୟ ଦେଶବାସୀଗଣ, ଆଗାମୀ କିଛିମାସ ଆମ ଚାଷୀ ଭାଇ-ଭଉଣୀମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଥିଯୋଗୁଁ କୃଷିକୁ ନେଇ ଅନେକଗୁଡ଼ିଏ ଚିଠି ଆସିଛି । ଏଥର ମୁଁ ଦୂରଦର୍ଶନର DD Kisan Channelରେ ଚାଷୀମାନଙ୍କ ସହ ହେଉଥିବା ଆଲୋଚନାର ଭିଡ଼ିଓ ମଧ୍ୟ ମଗାଇ ଦେଖିଲି । ମୁଁ ଅନୁଭବ କରୁଛି ଯେ, ପ୍ରତ୍ୟେକ ଚାଷୀ ଦୂରଦର୍ଶନର ଏହି DD Kisan Channel ସହ ଯୋଡି ହେବା ଦରକାର । ସେମାନେ ଏହାକୁ ଦେଖିବା ଦରକାର ଏବଂ ସେହି କଥାଗୁଡ଼ିକୁ ନିଜ କ୍ଷେତ୍ରରେ ପ୍ରୟୋଗ କରିବା ଉଚିତ । ମହାତ୍ମା ଗାନ୍ଧୀଙ୍କ ଠାରୁ ଲାଲବାହାଦୂର ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ, ରାମ ମନୋହର ଲୋହିଆ ହୁଅନ୍ତୁ, ଚୌଧୁରୀ ଚରଣ ସିଂ ହୁଅନ୍ତୁ କିମ୍ବା ଚୌଧୁରୀ ଦେବୀଲାଲ ହୁଅନ୍ତୁ । ସମସ୍ତେ କୃଷି ଓ କୃଷକକୁ ଦେଶର ଅର୍ଥବ୍ୟବସ୍ଥା ଓ ସାଧାରଣ ଜନଜୀବନର ଏକ ପ୍ରମୁଖ ଅଙ୍ଗ ଭାବେ ସ୍ୱୀକାର କରିଛନ୍ତି । ମାଟି, ବିଲବାଡ଼ି ଏବଂ ଚାଷୀ ସହିତ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ କେତେ ନିବିଡ଼ ଥିଲା, ତାହା ତାଙ୍କର ଏହି ଉକ୍ତିରେ ସ୍ପଷ୍ଟ ହେଉଛି । ସେ କହିଥିଲେ – “To forget how to dig the earth and to tend the soil, is to forget ourselves.” ଅର୍ଥାତ ପୃଥିବୀକୁ ଖୋଳିବା ଏବଂ ମାଟିର ଯତ୍ନ ନେବା କଥା ଭୁଲିଯିବା ନିଜକୁ ଭୁଲିଯିବା ସଙ୍ଗେ ସମାନ । ଲାଲ ବାହାଦୂର ଶାସ୍ତ୍ରୀ ବୃକ୍ଷଲତା ଏବଂ ବଣଜଙ୍ଗଲର ସଂରକ୍ଷଣ ତଥା ଉନ୍ନତମାନର କୃଷିପ୍ରଣାଳୀର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ । ଡଃ ରାମ ମନୋହର ଲୋହିଆ ଆମ କୃଷକମାନଙ୍କର ଆୟବୃଦ୍ଧି, ଉନ୍ନତ ଜଳସେଚନର ସୁବିଧା ସୁଯୋଗ ତଥା ସେସବୁକୁ ସୁନିଶ୍ଚିତ କରିବା ପାଇଁ ଶସ୍ୟ ଓ ଦୁଗ୍ଧ ଉତ୍ପାଦନର ବୃଦ୍ଧି ନିମନ୍ତେ ବହୁ ପରିମାଣରେ ଜନଜାଗରଣର କଥା କହିଥିଲେ । 1979ରେ ନିଜ ଭାଷଣରେ ଚୌଧୁରୀ ଚରଣ ସିଂହ ନୂଆ ନୂଆ କାରିଗରୀ ବିଦ୍ୟାର ପ୍ରୟୋଗ ତଥା ନୂତନ ଜ୍ଞାନକୌଶଳ ଆପଣେଇବା ପାଇଁ କୃଷକମାନଙ୍କୁ ନିବେଦନ କରିବା ସହ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମୁଁ କିଛିଦିନ ପୂର୍ବେ ଦିଲ୍ଲୀରେ ଅନୁଷ୍ଠିତ କୃଷି ଉନ୍ନତି ମେଳାକୁ ଯାଇଥିଲି ।

ସେଠାରେ କୃଷକ ଭାଇ-ଭଉଣୀ ଓ ବୈଜ୍ଞାନିକମାନଙ୍କ ସହ ମୋର କଥାବାର୍ତ୍ତା ଦ୍ୱାରା କୃଷି ସମ୍ପର୍କିତ ଅନେକ ଅନୁଭୂତିକୁ ଜାଣିବା, ବୁଝିବା ତଥା କୃଷି ସମ୍ବନ୍ଧିତ ନୂତନ ଉଦ୍ଭାବନ ବିଷୟରେ ଜାଣିବା ମୋ ପାଇଁ ଗୋଟିଏ ସୁଖକର ଅନୁଭୂତି ଥିଲା । କିନ୍ତୁ ଯେଉଁ ବିଷୟଟି ମୋତେ ବହୁତ ପ୍ରଭାବିତ କରିଥିଲା ତାହାହେଲା ମେଘାଳୟ ଓ ସେଠାକାର କୃଷକମାନଙ୍କର ପରିଶ୍ରମ, କମ୍ କ୍ଷେତ୍ରଫଳ ବିଶିଷ୍ଟ ଏହି ରାଜ୍ୟଟି ମହାନ କାମ କରି ଦେଖାଇଛି । ମେଘାଳୟର ଆମ କୃଷକମାନେ 2015-16 ବର୍ଷ ମଧ୍ୟରେ ବିଗତ ପାଞ୍ଚବର୍ଷ ତୁଳନାରେ ରେକର୍ଡ ଶସ୍ୟ ଉତ୍ପାଦନ କରିଛନ୍ତି । ସେମାନେ ଏହା ଦେଖାଇଛନ୍ତି ଯେ ଯଦି ଲକ୍ଷ୍ୟ ସୁନିଶ୍ଚିତ ଏବଂ ମନରେ ଅସୀମ ଉତ୍ସାହ ତଥା ଦୃଢ଼ସଂକଳ୍ପ ଥାଏ, ତେବେ ଲକ୍ଷ୍ୟ ହାସଲ କରିବା ସମ୍ଭବପର ହୋଇଥାଏ । ଆଜି କୃଷକମାନଙ୍କର ପରିଶ୍ରମକୁ କାରିଗରୀ କୌଶଳର ସହାୟତା ମିଳୁଛି ଯଦ୍ୱାରା କୃଷି ଉତ୍ପାଦନରେ ବୃଦ୍ଧି ଘଟୁଛି । ମୋ ନିକଟକୁ ଯେଉଁସବୁ ଚିଠି ଆସିଛି, ସେଥିରେ ଅନେକ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ଲେଖିଛନ୍ତି ଏବଂ ଏ ବିଷୟରେ ମୋର ସେମାନଙ୍କ ସହ ବିଶଦ ଆଲୋଚନା ପାଇଁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ମୋର ଭାଇ ଓ ଭଉଣୀମାନେ, ଚଳିତ ବର୍ଷର ବଜେଟରେ କୃଷକମାନଙ୍କୁ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ କରିବା ନିମନ୍ତେ ଗୋଟିଏ ବଡ଼ ନିର୍ଣ୍ଣୟ ନିଆଯାଇଅଛି । ଏହା ନିର୍ଦ୍ଧାରିତ କରାଯାଇଛି ଯେ ଅଧିସୂଚିତ ଶସ୍ୟଗୁଡ଼ିକ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ବିନିଯୋଗ ଅର୍ଥରାଶିର ଅତିକମ୍ ରେ ଦେଢ଼ଗୁଣା ବୃଦ୍ଧି କରାଯିବ । ଯଦି ମୁଁ ବିସ୍ତାର ପୂର୍ବକ କହିବି ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଯେଉଁ ମୂଲ୍ୟ ବୃଦ୍ଧି କରାଯିବ, ସେଥିରେ ଅନ୍ୟ ଶ୍ରମିକମାନଙ୍କ ପାରିଶ୍ରମିକ, ନିଜର ପାଳିତ ପଶୁ, ଯନ୍ତ୍ରପାତି କିମ୍ବା ଭଡ଼ାରେ ଅଣାଯାଇଥିବା ପଶୁ ଓ ଯନ୍ତ୍ରପାତିର ଖର୍ଚ୍ଚ, ବିହନର ମୂଲ୍ୟ, ବ୍ୟବହୃତ ହୋଇଥିବା ସମସ୍ତ ପ୍ରକାର ସାରର ମୂଲ୍ୟ, ଜଳସେଚନର ଖର୍ଚ୍ଚ, ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଭୂମିକର, କାର୍ଯ୍ୟକାରୀ ମୂଳଧନ ନିମନ୍ତେ ଦିଆଯାଇଥିବା ସୁଧ, ଯଦି ଜମି ଲିଜ୍ ସୂତ୍ରରେ ଦିଆଯାଇଅଛି ତେବେ ତା’ର ଭଡ଼ା, କେବଳ ଏତିକି ନୁହେଁ, କୃଷକ ନିଜେ ଯେଉଁ ପରିଶ୍ରମ କରେ କିମ୍ବା ତା’ ପରିବାରର ଯଦି ଅନ୍ୟ କେହି ଚାଷକାର୍ଯ୍ୟରେ ଶ୍ରମଦାନ କରୁଥାଏ, ତାହାର ମୂଲ୍ୟ ମଧ୍ୟ ଉତ୍ପାଦନ ମୂଲ୍ୟ ସହିତ ଯୋଡ଼ାଯିବ । ଏହାବ୍ୟତୀତ କୃଷକମାନଙ୍କୁ ଶସ୍ୟର ଉଚିତ ଦାମ୍ ମିଳୁ, ଏଥିପାଇଁ ଦେଶରେ କୃଷି ବିପଣନ ସଂସ୍କାର ଉପରେ ମଧ୍ୟ ବ୍ୟାପକ ଭାବରେ କାମ କରାଯାଉଛି । ଗ୍ରାମ ମଣ୍ଡିଗୁଡ଼ିକୁ ପାଇକାରୀ ବଜାର ଓ ବିଶ୍ୱ ବଜାର ସହ ସଂଶ୍ଳିଷ୍ଟ କରିବା ନିମନ୍ତେ ପ୍ରୟାସ ହେଉଛି । କୃଷକମାନଙ୍କୁ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରିବା ପାଇଁ ବହୁ ଦୂରକୁ ଯିବାକୁ ନ ପଡ଼ୁ, ଏଥିପାଇଁ ଦେଶର 22 ହଜାର ଗ୍ରାମୀଣ ହାଟକୁ ଆବଶ୍ୟକ ଭିତ୍ତିଭୂମି ସହିତ ଉନ୍ନତ କରି ପ୍ରାଥମିକ କୃଷି ସମବାୟ ବିପଣନ ସଂସ୍ଥା ଏବଂ e-NAM ପ୍ଲାଟଫର୍ମ ସହିତ ଯୋଡାଯିବ । ଅର୍ଥାତ୍ ଏକପ୍ରକାରେ କ୍ଷେତକୁ ଦେଶର ଯେକୌଣସି ବଜାର ସହିତ ସଂଯୋଗ ସ୍ଥାପନର ବ୍ୟବସ୍ଥା କରାଯାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏ ବର୍ଷ ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀ ବର୍ଷର ମହୋତ୍ସବ ଆରମ୍ଭ ହେବ । ଏହା ଗୋଟିଏ ଐତିହାସିକ ସୁଯୋଗ । ଦେଶ କିପରି ଏହି ଉତ୍ସବ ପାଳନ କରିବ? ସ୍ୱଚ୍ଛ ଭାରତ ତ ଆମମାନଙ୍କର ସଂକଳ୍ପ; ଏହାବ୍ୟତୀତ ଶହେ ପଚିଶ କୋଟି ଦେଶବାସୀ କାନ୍ଧରେ କାନ୍ଧ ମିଶାଇ କିପରି ଭାବରେ ଗାନ୍ଧୀଙ୍କୁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିପାରିବା? କେଉଁସବୁ ନୂତନ କାର୍ଯ୍ୟକ୍ରମ କରାଯାଇପାରିବ? କେଉଁସବୁ ନୂଆ ନୂଆ ଉପାୟ ଅବଲମ୍ବନ କରାଯାଇପାରିବ? ଆପଣ ସମସ୍ତଙ୍କୁ ମୋର ନିବେଦନ ଯେ ଆପଣମାନେ MyGov ମାଧ୍ୟମରେ ଏସବୁ ବିଷୟ ଉପରେ ନିଜ ନିଜର ମତାମତ ପ୍ରଦାନ କରନ୍ତୁ । ‘ଗାନ୍ଧୀ 150’ର ଲୋଗୋ କ’ଣ ହେବା ଆବଶ୍ୟକ? ସ୍ଲୋଗାନ କିମ୍ବା ମନ୍ତ୍ର କିମ୍ବା ଘୋଷ-ବାକ୍ୟ କ’ଣ ହେବା ଦରକାର? ଏ ସମ୍ପର୍କରେ ଆପଣମାନେ ନିଜର ମତ ପ୍ରଦାନ କରନ୍ତୁ । ଆମ ସମସ୍ତଙ୍କୁ ମିଳିମିଶି ବାପୁଙ୍କୁ ଏକ ସ୍ମରଣୀୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାକୁ ହେବ ଏବଂ ବାପୁଙ୍କୁ ସ୍ମରଣ କରି ତାଙ୍କଠାରୁ ପ୍ରେରଣା ଗ୍ରହଣ କରି ଆମ ଦେଶକୁ ନୂତନ ଶିଖରରେ ପହଂଚାଇବାକୁ ହେବ ।

(ଫୋନ୍) – “ଆଦରଣୀୟ ପ୍ରଧାନମନ୍ତ୍ରୀ ମହୋଦୟ, ନମସ୍କାର । ମୁଁ ପ୍ରୀତି ଚତୁର୍ବେଦୀ, ଗୁରଗାଓଁରୁ କହୁଛି । ପ୍ରଧାନମନ୍ତ୍ରୀ ମହୋଦୟ, ଯେପରି ଆପଣ ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଗୋଟିଏ ସଫଳତା ପୂର୍ଣ୍ଣ ଅଭିଯାନରେ ପରିଣତ କରିଛନ୍ତି, ଏବେ ସମୟ ଆସି ପହଂଚିଛି ଯେ ଆମେ ‘ସୁସ୍ଥ ଭାରତ ଅଭିଯାନ’କୁ ମଧ୍ୟ ସେହିପରି ସଫଳ କରିବା ଏହି ଅଭିଯାନ ପାଇଁ ଆପଣ ଲୋକମାନଙ୍କୁ, ସରକାରମାନଙ୍କୁ, ପ୍ରତିଷ୍ଠାନଗୁଡ଼ିକୁ କିପରି ଭାବରେ ସମନ୍ୱିତ ପ୍ରୟାସରେ ଯୋଡୁଛନ୍ତି, ଏ ସମ୍ପର୍କରେ କିଛି କୁହନ୍ତୁ । ଧନ୍ୟବାଦ …” ।

ଧନ୍ୟବାଦ ଆପଣ ଠିକ୍ କହିଛନ୍ତି । ମୁଁ ମାନୁଛି ଯେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ – ପରସ୍ପର ପରିପୂରକ ଅଟନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଦେଶ ପାରମ୍ପରିକ ଦୃଷ୍ଟିଭଙ୍ଗୀ ଠାରୁ ଆଗକୁ ଯାଇପାରିଛି । ଦେଶରେ ସ୍ୱାସ୍ଥ୍ୟ ସହ ସଂପୃକ୍ତ ପ୍ରତିଟି କାର୍ଯ୍ୟ ଯାହାକି ପୂର୍ବେ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ଥିଲା, ଏବେ ସମସ୍ତ ବିଭାଗ ଓ ମନ୍ତ୍ରଣାଳୟ, ତାହା ସ୍ୱଚ୍ଛତା ମନ୍ତ୍ରଣାଳୟ ହେଉ କି ଆୟୁଷ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ ହେଉ କି ଉପଭୋକ୍ତା ମନ୍ତ୍ରଣାଳୟ, କିମ୍ବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ହେଉ କି ସମସ୍ତ ରାଜ୍ୟ ସରକାର – ସମସ୍ତେ ମିଳିମିଶି ସୁସ୍ଥ ଭାରତ ନିମନ୍ତେ କାମ କରୁଛନ୍ତି ଏବଂ ପ୍ରତିଶେଧକ ସ୍ୱାସ୍ଥ୍ୟ ସହ ସୁଲଭ ସ୍ୱାସ୍ଥ୍ୟ ସୁବିଧା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ସବୁଠାରୁ ଶସ୍ତା ଏବଂ ସହଜ ମଧ୍ୟ । ଆମେମାନେ ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ପାଇଁ ଯେତେ ମାତ୍ରାରେ ସଚେତନ ହେବା, ସେତେ ମାତ୍ରାରେ ବ୍ୟକ୍ତିକୁ, ପରିବାରକୁ ଓ ସମାଜକୁ ଲାଭ ମିଳିବ । ଜୀବନକୁ ସୁସ୍ଥ ରଖିବା ପାଇଁ ସ୍ୱଛତା ହିଁ ପ୍ରମୁଖ ଆବଶ୍ୟକତା । ଆମେସବୁ ଗୋଟିଏ ଦେଶ ଭାବରେ ଦାୟିତ୍ୱ ନିର୍ବାହ କଲେ ଯାହାର ପରିଣାମ ସ୍ୱରୂପ ପ୍ରାୟତଃ ବିଗତ ଚାରିବର୍ଷ ମଧ୍ୟରେ ପରିମଳ Coverage ଦୁଇଗୁଣା ହୋଇ 80 ପ୍ରତିଶତ ପାଖାପାଖି ହୋଇପାରିଛି । ଏହାବ୍ୟତୀତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ବ୍ୟାପକ ଭାବରେ କାମ ହେଉଅଛି । ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗ ନୂତନ ଭାବରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛି । ଯୋଗ ଶାରିରୀକ ସାମର୍ଥ୍ୟ ବା ଫିଟନେସ ଓ ସ୍ୱାସ୍ଥ୍ୟ କଲ୍ୟାଣ – ଉଭୟର ଗ୍ୟାରେଂଟି ପ୍ରଦାନ କରେ । ଏହା ଆମ ସମସ୍ତଙ୍କର ପ୍ରତିବଦ୍ଧତାର ପରିଣାମ ଯେ ଯୋଗ ଏକ ଜନଆନ୍ଦୋଳନରେ ପରିଣତ ହୋଇପାରିଛି, ଘରେ ଘରେ ପହଂଚିପାରିଛି । ଏ ବର୍ଷର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଜୁନ୍-21, ଏହା ମଧ୍ୟରେ ଶହେରୁ ବି କମ୍ ଦିନ ବାକି ଅଛି । ବିଗତ ତିନିଗୋଟି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଦେଶ ଓ ଦୁନିଆର ପ୍ରତିଟି ସ୍ଥାନରେ ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କଲେ । ଏଥର ମଧ୍ୟ ଆମମାନଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ ଆମେ ନିଜେ ଯୋଗ କରିବା ସହିତ ସମଗ୍ର ପରିବାର ଓ ବନ୍ଧୁମାନଙ୍କୁ ଯୋଗ କରିବା ପାଇଁ ଏବେଠାରୁ ପ୍ରେରିତ କରିବା । ନୂତନ ମନୋରଂଜକ ଉପାୟ ଦ୍ୱାରା ଯୋଗକୁ ପିଲାମାନଙ୍କ ମଧ୍ୟରେ, ଯୁବକ ଏବଂ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ, ସବୁ ବୟସ ବର୍ଗରେ, ପୁରୁଷ ହୁଅନ୍ତୁ କି ମହିଳା, ସମସ୍ତଙ୍କଠାରେ ଲୋକପ୍ରିୟ କରିବା ଦରକାର । ଦେଶର ଦୂରଦର୍ଶନ ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ତ ବର୍ଷସାରା ଯୋଗ ସମ୍ପର୍କରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିଥାନ୍ତି କିନ୍ତୁ ଆମେମାନେ ଏବେଠାରୁ ଆରମ୍ଭ କରି ଯୋଗଦିବସ ପର୍ଯ୍ୟନ୍ତ ଗୋଟିଏ ଅଭିଯାନ ଭାବରେ ଯୋଗ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିବା କି?

ମୋର ପ୍ରିୟ ଦେଶବାସୀଗଣ, ମୁଁ ଯୋଗ ଶିକ୍ଷକ ତ ନୁହେଁ । ହଁ ମୁଁ ଯୋଗାଭ୍ୟାସ କରେ । କିନ୍ତୁ କିଛି ଲୋକ ସେମାନଙ୍କ ସୃଜନଶୀଳତା ଦ୍ୱାରା ମତେ ଜଣେ ଯୋଗ ଶିକ୍ଷକରେ ପରିଣତ କରିଦେଇଛନ୍ତି ଏବଂ ମୁଁ ଯୋଗାଭ୍ୟାସ କରୁଥିବା 3D ଆନିମେସନ୍ ଭିଡ଼ିଓ ତିଆରି କରିଛନ୍ତି । ମୁଁ ଆପଣମାନଙ୍କ ସହିତ ଏହି ଭିଡ଼ିଓ ସେୟାର କରିବି, ଯାହାଫଳରେ ଆମେମାନେ ଏକ ସଙ୍ଗେ ଆସନ ପ୍ରାଣାୟାମ ଅଭ୍ୟାସ କରିପାରିବା । ସ୍ୱାସ୍ଥ୍ୟସେବା ସୁଗମ ହେଉ ଏବଂ ଆର୍ଥିକ ଦୃଷ୍ଟିରୁ ସୁହାଇଲା ଭଳି ହେଉ, ସାଧାରଣ ଜନତା ପାଇଁ ଏହା ଶସ୍ତା ଏବଂ ସୁଲଭ ହେଉ – ଏ ଦିଗରେ ଅନେକ ପଦକ୍ଷେପ ନିଆଯାଇଛି । ଏବେ ଦେଶରେ ତିନି ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି, ଯେଉଁଠି 800 ରୁ ଅଧିକ ପ୍ରକାରର ଔଷଧ କମ୍ ଦାମ୍ ରେ ଯୋଗାଇ ଦିଆଯାଉଛି । ଆହୁରି ଅଧିକ ନୂଆ କେନ୍ଦ୍ରମାନ ମଧ୍ୟ ଖୋଲାଯାଉଛି । ‘ମନ୍ କି ବାତ୍’ର ଶ୍ରୋତାମାନଙ୍କୁ ମୋର ଅନୁରୋଧ – ସେମାନେ ଅଭାବୀ ଲୋକମାନଙ୍କୁ ଏହି ଜନଔଷଧି କେନ୍ଦ୍ରର ସୂଚନା ଦିଅନ୍ତୁ । ସେମାନଙ୍କର ଔଷଧ ଖର୍ଚ୍ଚ ବହୁତ କମ୍ ହୋଇଯିବ । ସେମାନଙ୍କର ବହୁତ ଉପକାର ହେବ । ହୃଦରୋଗୀମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଷ୍ଟେଣ୍ଟର ମୂଲ୍ୟ ଶତକଡ଼ା 85 ଭାଗ କମ୍ କରିଦିଆଯାଇଛି । ଆଣ୍ଠୁ ପ୍ରତିରୋପଣ ଚିକିତ୍ସାର ମୂଲ୍ୟକୁ ନିୟନ୍ତ୍ରିତ କରି ଶତକଡ଼ା 50 ଭାଗରୁ 70 ଭାଗ ପର୍ଯ୍ୟନ୍ତ କମ୍ କରି ଦିଆଯାଇଛି । “ଆୟୁଷ୍ମାନ ଭାରତ” ଯୋଜନା ମାଧ୍ୟମରେ ପ୍ରାୟ 10 କୋଟି ପରିବାର ଅର୍ଥାତ୍ ପ୍ରାୟ 50 କୋଟି ନାଗରିକଙ୍କୁ ଚିକିତ୍ସା ଖର୍ଚ୍ଚ ଭାବରେ ଭାରତ ସରକାର ଏବଂ ବୀମା କମ୍ପାନୀ ମିଳିତ ଭାବରେ ବର୍ଷକୁ 5 ଲକ୍ଷ ଟଙ୍କା ଦେବେ । ଦେଶରେ ବର୍ତ୍ତମାନ ଥିବା 479 ମେଡ଼ିକାଲ କଲେଜରେ ଏମବିବିଏସ ସିଟ୍ ସଂଖ୍ୟାକୁ ବଢ଼ାଇ 68 ହଜାର କରିଦିଆଯାଇଛି । ସାରା ଦେଶର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ଏବଂ ଭଲ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ନୂଆ ଏମ୍ସ ହସ୍ପିଟାଲ ବିଭିନ୍ନ ରାଜ୍ୟରେ ଖୋଲାଯାଉଛି । ପ୍ରତି ତିନିଗୋଟି ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ନୂଆ ମେଡ଼ିକାଲ କଲେଜ ଖୋଲାଯିବ । 2025 ମସିହା ସୁଦ୍ଧା ଦେଶକୁ ଯକ୍ଷ୍ମାରୋଗରୁ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି । ଏହା ଏକ ବଡ଼ କାମ । ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଦିଗରେ ଆପଣମାନଙ୍କର ସହଯୋଗ ଲୋଡ଼ା । ଯକ୍ଷ୍ମାରୁ ମୁକ୍ତି ପାଇବା ପାଇଁ ଆମମାନଙ୍କୁ ସାମୁହିକ ପ୍ରୟାସ କରିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଅପ୍ରେଲ 14 ତାରିଖ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ । ବହୁ ବର୍ଷ ପୂର୍ବେ ବାବାସାହେବ ଆମ୍ବେଦକର ଦେଶରେ ଶିଳ୍ପାୟନ କଥା କହିଥିଲେ । ତାଙ୍କ ମତ ଥିଲା, ଶିଳ୍ପ ଏକ ଏଭଳି ପ୍ରଭାବୀ ମାଧ୍ୟମ ଯାହାଦ୍ୱାରା ଦରିଦ୍ରରୁ ଦରିଦ୍ରତମ ଲୋକକୁ ମଧ୍ୟ ରୋଜଗାର ଉପଲବ୍ଧ ହୋଇପାରିବ । ଆଜି ଦେଶରେ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସଫଳତାର ସହିତ ଚାଲିଛି । ବାବାସାହେବ ଆମ୍ବେଦକର ଭାରତକୁ ଶିଳ୍ପ ମହାଶକ୍ତି କରି ଗଢ଼ି ତୋଳିବାର ଯେଉଁ ସ୍ୱପ୍ନ ଦେଖିଥିଲେ – ତାହା ଆଜି ଆମମାନଙ୍କୁ ପ୍ରେରଣା ଯୋଗାଉଛି ।

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଭାରତ ଆଜି ଏକ ଉଜ୍ଜ୍ୱଳତମ ସ୍ଥାନ ଭାବରେ ପରିଗଣିତ ହେଉଛି । ସାରା ବିଶ୍ୱରେ ସବୁଠାରୁ ବେଶୀ ପ୍ରତ୍ୟକ୍ଷ ବିଦେଶୀ ନିବେଶ, FDI ଭାରତରେ ହିଁ ହେଉଛି । ସାରା ବିଶ୍ୱ ଭାରତକୁ ପୁଞ୍ଜିନିବେଶ ଏବଂ ବିକାଶର କେନ୍ଦ୍ରସ୍ଥଳ ଭାବରେ ବିଚାର କରୁଛି । ଶିଳ୍ପର ବିକାଶ ସହରମାନଙ୍କରେ ହିଁ ସମ୍ଭବ । ଏହି ବିଚାରଧାରା ନେଇ ବାବାସାହେବ ଆମ୍ବେଦକର ଭାରତର ସହରୀକରଣ ଉପରେ ବଳ ଦେଇଥିଲେ । ତାଙ୍କର ଏହି ଦୃଷ୍ଟିକୋଣକୁ ଧ୍ୟାନରେ ରଖି ଆଜି ସ୍ମାର୍ଟ ସିଟି ମିଶନ ଏବଂ ସହରାଂଚଳ ମିଶନ ଆରମ୍ଭ କରାଯାଇଛି । ଏହାଫଳରେ ଦେଶର ଛୋଟ ସହରଠାରୁ ଆରମ୍ଭ କରି ବଡ଼ ବଡ଼ ନଗର ପର୍ଯ୍ୟନ୍ତ ଭଲ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସୁବିଧା, ଶିକ୍ଷା ତଥା ଡିଜିଟାଲ ସଂଯୋଗ ଆଦି ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ । ବାବା ସାହେବଙ୍କର ସ୍ୱାବଲମ୍ବୀ ଭାବନା, ଆତ୍ମନିର୍ଭରତା ଉପରେ ଦୃଢ଼ବିଶ୍ୱାସ ଥିଲା । ସେ ଚାହୁଁନଥିଲେ ଯେ ଜଣେ ଲୋକ ସବୁବେଳେ ଦାରିଦ୍ର୍ୟ ଭିତରେ ଜୀବନଯାପନ କରୁ । ସେ ଏକଥା ମଧ୍ୟ ମାନୁଥିଲେ ଯେ ଗରିବମାନଙ୍କ ମଧ୍ୟରେ କିଛି ବାଣ୍ଟିଦେଲେ ଗରିବୀ ଦୂର ହେବନାହିଁ । ଆଜିର ମୁଦ୍ରା ଯୋଜନା, ଷ୍ଟାର୍ଟ-ଅପ୍ ଇଣ୍ଡିଆ, ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଆଦି କାର୍ଯ୍ୟକ୍ରମ ନୂତନ ଯୁବ ଉଦ୍ୟମୀମାନଙ୍କୁ ଜନ୍ମ ଦେଉଛି । 1930 ବା 1940 ଦଶକରେ ଯେତେବେଳେ ଖାଲି ରେଳପଥ ଓ ରାଜପଥ ବିଷୟରେ ଚର୍ଚ୍ଚା ହେଉଥିଲା ସେତେବେଳେ ବାବାସାହେବ ଆମ୍ବେଦକର ବନ୍ଦର ଓ ଜଳପଥ ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ବିଭିନ୍ନ ନଦୀ ଉପତ୍ୟକା ପ୍ରାଧିକରଣ, ଜଳ ସହିତ ସମ୍ବନ୍ଧିତ ବିଭିନ୍ନ ଆୟୋଗ ଆଦି ବାବାସାହେବ ଆମ୍ବେଦକରଙ୍କ ଦୂରଦୃଷ୍ଟିର ପରିଣାମ । ଆଜି ଦେଶରେ ଜଳପଥ ଓ ବନ୍ଦରଗୁଡ଼ିକର ବିକାଶ ପାଇଁ ଐତିହାସିକ ପ୍ରୟାସ କରାଯାଉଛି । ଭାରତର ବିଭିନ୍ନ ସମୁଦ୍ର ଉପକୂଳରେ ବନ୍ଦର ନିର୍ମାଣ କରାଯାଉଛି ଏବଂ ପୁରାତନ ବନ୍ଦରମାନଙ୍କର ଭିତ୍ତିଭୂମି ମଜଭୁତ କରାଯାଉଛି ।

ଚାଳିଶ ଦଶକରେ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଶୀତଳ ଯୁଦ୍ଧ ଏବଂ ଦେଶ ବିଭାଜନ ଭଳି ବିଷୟଗୁଡ଼ିକ ଉପରେ ବିଶେଷ ଚର୍ଚ୍ଚା ହେଉଥିଲା – କିନ୍ତୁ ସେହି ସମୟରେ ଡଃ ଆମ୍ବେଦକର Team India ଭାବନାର ଏକ ପ୍ରକାର ଭିତ୍ତି ସ୍ଥାପନ କରିଥିଲେ । ସେ ସଂଘୀୟ ବ୍ୟବସ୍ଥାର ମହତ୍ୱ ଉପରେ ଗୁରୁତ୍ୱ ଦେଲେ ଏବଂ ଦେଶର ଉତ୍ଥାନ ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମିଳିତ ଭାବରେ କାମ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆଜି ଆମେ ଶାସନର ପ୍ରତ୍ୟେକ କ୍ଷେତ୍ରରେ ସହଯୋଗୀ ସଂଘୀୟ ବ୍ୟବସ୍ଥା ତଥା ପ୍ରତିଯୋଗିତାମୂଳକ ସହଯୋଗୀ ସଂଘୀୟ ବ୍ୟବସ୍ଥାର ମନ୍ତ୍ରକୁ ଆପଣେଇ ନେଇଛୁ । ସବୁଠାରୁ ବଡ଼କଥା ହେଲା ବାବାସାହେବ ଆମ୍ବେଦକର ପଛୁଆବର୍ଗ ସହିତ ଜଡ଼ିତ ମୋ’ଭଳି କୋଟି କୋଟି ଲୋକଙ୍କ ପାଇଁ ଏକ ପ୍ରେରଣା ସ୍ରୋତ । ସେ ଆମକୁ ଦେଖାଇ ଦେଇଛନ୍ତି ଯେ – ଆଗକୁ ବଢ଼ିବା ପାଇଁ କୌଣସି ଧନୀ ପରିବାରରେ ଜନ୍ମହେବା ନିହାତି ଜରୁରୀ ନୁହେଁ । ଭାରତର ଗରିବ ପରିବାରରେ ଜନ୍ମ ହୋଇଥିବା ଲୋକ ବି ନିଜର ସ୍ୱପ୍ନ ଦେଖିପାରିବ – ସେ ସ୍ୱପ୍ନକୁ ସାକାର କରିବାର ପ୍ରୟାସ କରିପାରିବ ଏବଂ ସେଥିରେ ସଫଳତା ମଧ୍ୟ ପାଇପାରିବେ । ହଁ, ଏମିତି ବି ହୋଇଥିଲା ସେତେବେଳେ କିଛି ଲୋକ ବାବାସାହେବ ଆମ୍ବେଦକରଙ୍କୁ ପରିହାସ କରିଥିଲେ । ତାଙ୍କୁ ପଛେଇଦେବାର ଚେଷ୍ଟା ମଧ୍ୟ କରିଥିଲେ । ଗରିବ ପରିବାରରୁ ଆସିଥିବା ପଛୁଆବର୍ଗର ବ୍ୟକ୍ତି କିଛି କରିନପାରୁ, କିଛି ବି ହାସଲ କରିନପାରୁ ସେଥିପାଇଁ ଅନେକ ଚେଷ୍ଟା କଲେ । କିନ୍ତୁ New Indiaର ଛବି ସମ୍ପୂର୍ଣ୍ଣ ଅଲଗା ।

ଏଭଳି ଏକ India ଯାହା ଆମ୍ବେଦକରଙ୍କର, ଗରିବମାନଙ୍କର ଆଉ ପଛୁଆବର୍ଗର ହୋଇଥିବ । ଡଃ. ଆମ୍ବେଦକରଙ୍କର ଜୟନ୍ତୀ ଉପଲକ୍ଷେ ଅପ୍ରେଲ 14 ତାରିଖରୁ ମେ 5 ତାରିଖ ପର୍ଯ୍ୟନ୍ତ ‘ଗ୍ରାମ ସ୍ୱରାଜ ଅଭିଯାନ’ ଆୟୋଜିତ ହେଉଛି । ଏହି ସମୟରେ ସାରା ଭାରତରେ ଗ୍ରାମୀଣ ବିକାଶ, ଗରିବ କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଉପରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆପଣମାନଙ୍କୁ ମୋର ଅନୁରୋଧ, ଏହି କାର୍ଯ୍ୟକ୍ରମଗୁଡ଼ିକରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଆଗାମୀ କିଛିଦିନ ପରେ କେତେଗୁଡ଼ିଏ ପର୍ବ ଆସୁଛି । ଭଗବାନ ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ, ଇଷ୍ଟର, ବୈଶାଖୀ ଇତ୍ୟାଦି । ଭଗବାନ ମହାବୀରଙ୍କ ଜୟନ୍ତୀ ଦିବସ ତାଙ୍କର ତ୍ୟାଗ ଓ ତପସ୍ୟାକୁ ସ୍ମରଣ କରିବାର ଦିବସ ।

ଅହିଂସାର ସଂଦେଶବାହକ ଭଗବାନ ମହାବୀରଙ୍କ ଜୀବନ ଦର୍ଶନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ସମସ୍ତ ଦେଶବାସୀଙ୍କୁ ମହାବୀର ଜୟନ୍ତୀର ଶୁଭେଚ୍ଛା । ଇଷ୍ଟର କଥା ଆସିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରେରଣାଦାୟୀ ଉପଦେଶ ମନେପଡ଼େ ଯିଏ ସଦାସର୍ବଦା ମାନବତାକୁ ଶାନ୍ତି, ସଦ୍ଭାବ, ନ୍ୟାୟ, ଦୟା ଓ କରୁଣାର ସନ୍ଦେଶ ପ୍ରଦାନ କରିଛନ୍ତି । ଏପ୍ରିଲ ମାସରେ ପଞ୍ଜାବ ଓ ପଶ୍ଚିମ ଭାରତରେ ବୈଶାଖୀ ଉତ୍ସବ ପାଳିତ ହେବ । ସେହି ସମୟରେ ବିହାରରେ ‘ଜୁଡ଼ଶୀତଲ’ ଓ ‘ସତୁୱାଇନ’, ଅସାମରେ ବିହୂ ତଥା ପଶ୍ଚିମବଂଗରେ ‘ପୋଇଲା ବୈଶାଖ’ର ହର୍ଷୋଲ୍ଲାସ ଦେଖାଦେବ । ଏ ସମସ୍ତ ପର୍ବ କୌଣସି ନା କୌଣସି ଭାବରେ ଆମ କୃଷିକାର୍ଯ୍ୟ ଓ ଅନ୍ନଦାତାଙ୍କ ସହ ସମ୍ପୃକ୍ତ । ଏହି ପର୍ବଗୁଡ଼ିକ ମାଧ୍ୟମରେ ଆମେ ଉତ୍ପାଦନ ରୂପେ ପ୍ରାପ୍ତ ହେଉଥିବା ଅମୂଲ୍ୟ ଉପହାର ନିମନ୍ତେ ପ୍ରକୃତିକୁ ଧନ୍ୟବାଦ ଦେଇଥାଉ । ପୁଣିଥରେ ଆପଣ ସମସ୍ତଙ୍କୁ ଆଗାମୀ ପର୍ବଗୁଡ଼ିକ ନିମନ୍ତେ ବହୁତ ବହୁତ ଶୁଭେଚ୍ଛା । ବହୁତ ବହୁତ ଧନ୍ୟବାଦ ।

**********