ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି (ଶୁକ୍ରବାର) ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ 140 ରୁ ଅଧିକ ଆଖୁଚାଷୀ ସାମୁହିକ ଭାବେ ସାକ୍ଷାତ କରି ଆଲୋଚନା କରିଥିଲେ ।
ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଚାଷୀମାନେ ଏହି ଦଳରେ ଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଖରିଫ ଋତୁ 2018-19 ପାଇଁ ଅଧିସୂଚୀତ ଫସଲ ସକାଶେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଆଗାମୀ ବୈଠକରେ ଇନପୁଟ କଷ୍ଟ ବା ଉତ୍ପାଦନ ଖର୍ଚ୍ଚର ସର୍ବନିମ୍ନ ସମର୍ଥନ ମୂଲ୍ୟର କାର୍ଯ୍ୟାନ୍ୱୟନକୁ ମଂଜୁର କରିବେ । ଏହାଦ୍ୱାରା ଚାଷୀମାନଙ୍କ ରୋଜଗାର ବୃଦ୍ଧି ହେବ ।
ସେ କହିଥିଲେ ଯେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ 2018-19ର ଆଖୁ ଚାଷ ପାଇଁ ଉଚିତ ଏବଂ ଲାଭକାରୀ ମୂଲ୍ୟ (ଏଫଆରପି) ର ମଧ୍ୟ ଘୋଷଣା କରାଯିବ । ସେ କହିଥିଲେ ଯେ ଏହା 2017-18ମୂଲ୍ୟଠାରୁ ମଧ୍ୟ ଅଧିକ ହେବ । ଆଖୁ ଚାଷରୁ 9.5 ପ୍ରତିଶତରୁ ଅଧିକ ଅର୍ଥ ପ୍ରାପ୍ତ କରୁଥିବା ଚାଷୀମାନଙ୍କ ପାଇଁ ମଧ୍ୟ ଏହା ପ୍ରୋତ୍ସାହନ ପ୍ରଦାନ କରିବ ।
ଆଖୁ ଚାଷୀମାନଙ୍କ ବାକୀ ଥିବା ଋଣ ଅର୍ଥକୁ ସମାପ୍ତ କରିବା ପାଇଁ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଅବଗତ କରାଇଥିଲେ । ବିଗତ ସାତ ରୁ ଦଶ ଦିନ ମଧ୍ୟରେ ଚାଷୀମାନଙ୍କୁ ନୂତନ ନୀତିଗତ ଉପାୟ ଜରିଆରେ 4 ହଜାର କୋଟିରୁ ଅଧିକ ଅର୍ଥର ବାକୀ ପରିଶୋଧ କରାଯାଇପାରିଛି । ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଖୁ ପାଇଁ ବକେୟା ଋଣ ଅର୍ଥ ପରିଶୋଧ କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ପ୍ରଭାବୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ସ୍ପ୍ରିଙ୍କଲର ଏବଂ ଡ୍ରିପ ଜଳ ସେଚନ, ନୂତନ କୃଷି କୌଶଳ ଏବଂ ସୌର ପମ୍ପର ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କୁ ତାଙ୍କ ଜମିରେ ଶକ୍ତି ସ୍ରୋତ ଏବଂ ଅଧିକ ଆୟ ପାଇଁ ସୋଲାର ପାନେଲ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଥିଲେ । ଫସଲର ମାନରେ ସଂସ୍କାର ଆଣିବା ଉପରେ ସେ ଜୋର ଦେଇଥିଲେ । ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ 2022 ମଧ୍ୟରେ ରାସାୟନିକ ସାର ବ୍ୟବହାରରେ 10 ପ୍ରତିଶତ ହ୍ରାସ କରିବା ପାଇଁ କହିଥିଲେ ।
ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଗତ କିଛି ଦିନ ପୂର୍ବେ ଉଦ୍ୟୋଗପତିମାନଙ୍କ ସହିତ ହୋଇଥିବା ଆଲୋଚନା ବିଷୟରେ ଅବଗତ କରିଥିଲେ । ଏହି ଆଲୋଚନାରେ ଚାଷୀମାନଙ୍କ ଆୟ ବୃଦ୍ଧି ପାଇଁ ଫସଲର ଉର୍ବରକତା ବୃଦ୍ଧି, ଗୋଦାମ, ଭଣ୍ଡାର ଗୃହ ସୁବିଧା, ଉତ୍ତମ ମାନର ବିହନ ଏବଂ ବଜାର ସହିତ ସଂଯୋଗ କ୍ଷେତ୍ରରେ ନିବେଶ କରିବା ପାଇଁ ଉଦ୍ୟୋଗପତିମାନଙ୍କୁ ସେ କହିଥିଲେ ବୋଲି ଚାଷୀମାନଙ୍କୁ ଅବଗତ କରାଇଥିଲେ ।
ଚାଷୀମାନଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ 21ହଜାର କୋଟି ଟଙ୍କାର ବକେୟା ଋଣ ପରିଶୋଧ ପାଇଁ ସଂଘର୍ଷ କରୁଥିବା ଆଖୁ ଚାଷୀମାନଙ୍କ ବୋଝ କମ କରିବା ପାଇଁ 2014-15ଏବଂ 2015-16ରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ବିଷୟରେ ଅବଗତ କରାଇଥିଲେ । ଏହି ପରିଶୋଧ ଚିନି ମିଲଗୁଡିକ ଜରିଆରେ ଚାଷୀମାନଙ୍କ ପାଇଁ କରାଯିବାକୁ ସୁନିଶ୍ଚିତ କରାଯାଇଥିଲା ।
ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ନିକଟରେ କେନ୍ଦ୍ର ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକର ପ୍ରଶଂସା କରିଥିଲେ । ଏହି ପଦକ୍ଷେପଗୁଡିକ ମଧ୍ୟରେ ଚିନି ଉପରେ ଅମଦାନୀ ଶୁଳ୍କ ରେ 50 ପ୍ରତିଶତରୁ 100 ପ୍ରତିଶତ ବୃଦ୍ଧି ଏବଂ ଚାଷୀମାନଙ୍କର ଋଣ ପରିଶୋଧ ପାଇଁ ଚିନି ମିଲଗୁଡିକର ପ୍ରଦର୍ଶନ ଆଧାରୀତ ଅନୁଦାନ ଭାବେ ପ୍ରତି କ୍ୱିଣ୍ଟାଲ 5.50 ଟଙ୍କା ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି । ଏଥିରେ 1540 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି 30 ଲକ୍ଷ ଟନ ବଫର ଷ୍ଟକ ପାଇଁ କେନ୍ଦ୍ର ସରକାର ଦେଇଥିବା 1175 କୋଟି ଟଙ୍କାର ସୁଧ ସହାୟତା ବିଷୟରେ ମଧ୍ୟ ଆଖୁଚାଷୀଙ୍କୁ ଅବଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଚିନି ଉଦ୍ୟୋଗରେ ସ୍ଥିରତା ଆଣିବା ପାଇଁ ଦୀର୍ଘକାଳୀନ ସମାଧାନ ସ୍ୱରୂପ ପେଟ୍ରୋଲରେ 10 ପ୍ରତିଶତ ଇଥାନଲ ମିଶ୍ରଣ ଦିଗରେ ସରକାରଙ୍କ ଦୃଷ୍ଟିକୋଣକୁ ବିସ୍ତୃତ ଭାବେ ବୁଝାଇଥିଲେ ।
**********