ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶ ଭାରତର ଆଧ୍ୟାତ୍ମିକ ପରମ୍ପରାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଅନୁଭବ କରୁଛି । ଏହା ସହିତ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ପାଳନର ପବିତ୍ରତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲା । ସେ କହିଥିଲେ ଯେ, ପୂଜ୍ୟ ଆଚାର୍ଯ୍ୟଙ୍କ ଅମର ପ୍ରେରଣାରେ ପରିପୂର୍ଣ୍ଣ ଏହି କାର୍ଯ୍ୟକ୍ରମ ଏକ ଅସାଧାରଣ ଏବଂ ଉତ୍କୃଷ୍ଟ ପରିବେଶ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସୁଯୋଗ ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ ।
ଆଜିର ଦିନଟି ଅନ୍ୟ ଏକ କାରଣ ପାଇଁ ବିଶେଷ ଗୁରୁତ୍ୱ ରଖେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସ୍ମରଣ କରାଇ ଥିଲେ ଯେ, ୨୮ ଜୁନ୍ ୧୯୮୭ ରେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଆନୁଷ୍ଠାନିକ ଭାବରେ ‘ଆଚାର୍ଯ୍ୟ‘ ଉପାଧିରେ ସମ୍ମାନିତ କରାଯାଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହା କେବଳ ଏକ ଉପାଧି ନୁହେଁ, ବରଂ ଏକ ପବିତ୍ର ଧାରା ଆରମ୍ଭ ଥିଲା ଯାହା ଜୈନ ପରମ୍ପରାକୁ ଚେତନା, ଶୃଙ୍ଖଳା ଏବଂ କରୁଣା ସହିତ ସଂଯକ୍ତ କରିଥିଲା । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଦେଶ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ପାଳନ କରୁଥିବାବେଳେ, ଏହି ତାରିଖ ସେହି ଐତିହାସିକ ମୁହୂର୍ତ୍ତର ସ୍ମୃତିପଟ ଭାବରେ କାର୍ଯ୍ୟ କରେ । ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ଶ୍ରୀ ମୋଦୀ କାମନା କରିଥିଲେ ଯେ, ସମସ୍ତେ ଆଚାର୍ଯ୍ୟଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ, “ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ପାଳନ ଏକ ସାଧାରଣ ଘଟଣା ନୁହେଁ, ଏହା ଏକ ଯୁଗର ସ୍ମୃତି ବହନ କରେ ଏବଂ ଜଣେ ମହାନ ତପସ୍ୱୀଙ୍କ ଜୀବନକୁ ପ୍ରତିଫଳିତ କରେ” । ଏହି ଐତିହାସିକ ଅବସରକୁ ସ୍ମରଣ କରିବା ପାଇଁ, ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ପ୍ରଚଳନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗର ଜୀଙ୍କୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବରେ ସ୍ୱୀକାର କରି ପ୍ରଣାମ ଜଣାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ମାର୍ଗଦର୍ଶନରେ, ଲକ୍ଷ ଲକ୍ଷ ଅନୁଗାମୀ ପୂଜ୍ୟ ଗୁରୁଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଅଗ୍ରସର ହେଉଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଏହି ଅବସରରେ, ତାଙ୍କୁ ‘ଧର୍ମ ଚକ୍ରବର୍ତ୍ତୀ‘ ଉପାଧିରେ ସମ୍ମାନିତ କରାଯାଇଛି । ଏଥିସହିତ ବିନମ୍ରତାର ସହିତ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ସନ୍ଥମାନଙ୍କଠାରୁ ଯାହା କିଛି ପ୍ରାପ୍ତ ହୁଏ ଭାରତୀୟ ପରମ୍ପରା ତାହାକୁ ଆଶୀର୍ବାଦ ଭାବରେ ଗ୍ରହଣ କରିବାକୁ ଶିକ୍ଷା ଦିଏ । ତେଣୁ ସେ ଏହି ଉପାଧିକୁ ନମ୍ରତାର ସହିତ ଗ୍ରହଣ କରିଥିଲେ ଏବଂ ଭାରତ ମାତାଙ୍କ ଚରଣରେ ଉତ୍ସର୍ଗ କରିଥିଲେ ।
ଜୀବନବ୍ୟାପୀ ଯାହାଙ୍କ ବାଣୀ ମାର୍ଗଦର୍ଶୀ ନୀତି ଭାବରେ କାର୍ଯ୍ୟ କରିଛି, ସେହି ଦିବ୍ୟ ଆତ୍ମାଙ୍କ ସହିତ ଗଭୀର ଭାବପ୍ରବଣ ସମ୍ପର୍କ ଉପରେ ପ୍ରଭାବିତ ହୋଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏପରି ଜଣେ ପୂଜ୍ୟ ବ୍ୟକ୍ତିତ୍ୱଙ୍କ ବିଷୟରେ କହିବା ସ୍ୱାଭାବିକ ଭାବରେ ଗଭୀର ଭାବପ୍ରବଣତାକୁ ଜାଗ୍ରତ କରିଥାଏ । ସେ ପ୍ରକାଶ କରିଛନ୍ତି ଯେ, ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ବିଷୟରେ କହିବା ଅପେକ୍ଷା, ସେମାନଙ୍କୁ ପୁଣି ଥରେ ତାଙ୍କଠାରୁ କିଛି ଶୁଣିବାର ସୌଭାଗ୍ୟ ମିଳିପାରିଥିଲେ ଭଲ ହୋଇଥାନ୍ତା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏପରି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଯାତ୍ରାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ କାମ ନୁହେଁ । ସେ କହିଥିଲେ ଯେ, ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମୁନିରାଜ ୨୨ ଏପ୍ରିଲ ୧୯୨୫ ରେ କର୍ଣ୍ଣାଟକର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କୁ ‘ବିଦ୍ୟାନନ୍ଦ‘ ଭଳି ଏକ ଆଧ୍ୟାତ୍ମିକ ନାମ ଦିଆଯାଇଥିଲା । ସେ ଆଲୋକପାତ କରିଥିଲେ ଯେ, ଆଚାର୍ଯ୍ୟଙ୍କ ଜୀବନ ଜ୍ଞାନ ଓ ଆନନ୍ଦର ଏକ ଅନନ୍ୟ ସଙ୍ଗମ ଥିଲା । ତାଙ୍କ ଭାଷଣରେ ଗଭୀର ଜ୍ଞାନ ଥିଲା, ତଥାପି ତାଙ୍କ ବାଣୀ ଏତେ ସରଳ ଥିଲା ଯେ, ଯେକୌଣସି ବ୍ୟକ୍ତି ସେଗୁଡ଼ିକୁ ବୁଝିପାରିବେ । ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ୧୫୦ ରୁ ଅଧିକ ଗ୍ରନ୍ଥ ରଚନା କରିଥିଲେ, ହଜାର ହଜାର କିଲୋମିଟର ଖାଲି ପାଦରେ ଯାତ୍ରା କରିଥିଲେ ଏବଂ ତାଙ୍କ ଅକ୍ଳାନ୍ତ ପ୍ରୟାସ ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଙ୍କୁ ଶୃଙ୍ଖଳା ଏବଂ ସାଂସ୍କୃତିକ ମୂଲ୍ୟବୋଧ ସହିତ ଯୋଡ଼ିପାରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କୁ ‘ଯୁଗର ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ‘ ଭାବରେ ବର୍ଣ୍ଣନା କରିଥିଲେ । ସେ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଆଭାକୁ ବ୍ୟକ୍ତିଗତ ଭାବରେ ଅନୁଭବ କରିବା ଏବଂ ସମୟ ସହିତ ତାଙ୍କର ମାର୍ଗଦର୍ଶନ ତଥା ଆଶୀର୍ବାଦ ପାଇବାର ସୁଯୋଗ ପାଇଥିବା ଯୋଗୁଁ ନିଜକୁ ସୌଭାଗ୍ୟଶାଳୀ ବୋଲି ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ଶତାବ୍ଦୀ ସମାରୋହରେ, ସେ ଏବେ ବି ପୂଜ୍ୟ ଆଚାର୍ଯ୍ୟଙ୍କଠାରୁ ସମାନ ସ୍ନେହ ଏବଂ ନିବିଡତା ଅନୁଭବ କରିପାରିବେ ।
ଶ୍ରୀ ମୋଦୀ କହିଥିଲେ, “ଭାରତ ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସଭ୍ୟତା। ଆମ ଦେଶ ହଜାର ହଜାର ବର୍ଷ ଧରି ବଞ୍ଚି ରହିଛି କାରଣ ଏହାର ଚିନ୍ତାଧାରା, ଦର୍ଶନ ଏବଂ ବିଶ୍ୱଦୃଷ୍ଟି ଅମର।” ସେ କହିଥିଲେ ଯେ, ଏହି ଅମର ଦୃଷ୍ଟିକୋଣ ଋଷି, ମୁନି, ସନ୍ଥ ଏବଂ ଆଚାର୍ଯ୍ୟଙ୍କ ଜ୍ଞାନର ମୂଳ । ସେ ଆଲୋକପାତ କରିଥିଲେ ଯେ, ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଏହି କାଳଜୟୀ ପରମ୍ପରାର ଆଧୁନିକ ଆଲୋକପଥ ଭାବରେ ଠିଆ ହୋଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଚାର୍ଯ୍ୟଙ୍କର ଅନେକ ବିଷୟରେ ଗଭୀର ଜ୍ଞାନ ଥିଲା ଏବଂ ସେ ଅନେକ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିଲେ। ସେ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଗଭୀରତା, ବିପୁଳ ଜ୍ଞାନ ଏବଂ କନ୍ନଡ, ମରାଠୀ, ସଂସ୍କୃତ ଏବଂ ପ୍ରାକୃତ ଭଳି ଭାଷା ଉପରେ ପାଣ୍ଡିତ୍ୟକୁ ପ୍ରଶଂସା କରିଥିଲେ। ସାହିତ୍ୟ ଏବଂ ଧର୍ମ ପ୍ରତି ଆଚାର୍ଯ୍ୟଙ୍କ ଅବଦାନ, ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ସମର୍ପଣ ଭାବ ଏବଂ ଜାତୀୟ ସେବା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜୀବନର ଏପରି କୌଣସି ଦିଗ ନାହିଁ ଯେଉଁଥିରେ ଆଚାର୍ଯ୍ୟ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରି ନାହାଁନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ କେବଳ ଜଣେ ମହାନ ସଂଗୀତଜ୍ଞ ନଥିଲେ ବରଂ ଜଣେ ପ୍ରଗାଢ଼ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ ଏବଂ ଏକ ଦୃଢ଼ ଦିଗମ୍ବର ମୁନି ଥିଲେ ଯିଏ ସମ୍ପୂର୍ଣ୍ଣ ତ୍ୟାଗର ପ୍ରତିମୂର୍ତ୍ତି ଥିଲେ। ସେ ତାଙ୍କୁ ଜ୍ଞାନର ଭଣ୍ଡାର ଏବଂ ଆଧ୍ୟାତ୍ମିକ ଆନନ୍ଦର ଉତ୍ସ ଭାବରେ ବର୍ଣ୍ଣନା କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ସୁରେନ୍ଦ୍ର ଉପାଧ୍ୟାୟଙ୍କଠାରୁ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ପର୍ଯ୍ୟନ୍ତ ଯାତ୍ରା ଜଣେ ସାଧାରଣ ମଣିଷରୁ ଦିବ୍ୟ ଆତ୍ମାରେ ପରିବର୍ତ୍ତନକୁ ପ୍ରତିଫଳିତ କରେ। ସେ ଏହାକୁ ଏକ ପ୍ରେରଣା ବୋଲି ଦର୍ଶାଇ କହିଥିଲେ ଯେ, ଭବିଷ୍ୟତ ବର୍ତ୍ତମାନ ଜୀବନର ସୀମାବଦ୍ଧତା ଦ୍ୱାରା ଆବଦ୍ଧ ନୁହେଁ, ବରଂ ଏହା ବ୍ୟକ୍ତିର ଦିଗ, ଉଦ୍ଦେଶ୍ୟ ଏବଂ ସଂକଳ୍ପ ଦ୍ୱାରା ଗଢ଼ି ଉଠିଥାଏ ।
ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ କେବଳ ଆଧ୍ୟାତ୍ମିକ ସାଧନା ପର୍ଯ୍ୟନ୍ତ ତାଙ୍କ ଜୀବନକୁ ସୀମିତ ରଖି ନଥିଲେ ବରଂ ସାମାଜିକ ଏବଂ ସାଂସ୍କୃତିକ ପୁନଃର୍ଗଠନ ପାଇଁ ତାଙ୍କ ଜୀବନକୁ ଏକ ମାଧ୍ୟମ ଭାବରେ ରୂପାନ୍ତରିତ କରିଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରାକୃତ ଭବନ ଏବଂ ଅନେକ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରି ଆଚାର୍ଯ୍ୟ ନୂତନ ପିଢ଼ି ପର୍ଯ୍ୟନ୍ତ ଜ୍ଞାନର ଆଲୋକକୁ ପହଞ୍ଚାଇଥିଲେ। ସେ କହିଥିଲେ ଯେ, ଆଚାର୍ଯ୍ୟ ଜୈନ ଇତିହାସକୁ ମଧ୍ୟ ପ୍ରକୃତ ସ୍ୱୀକୃତି ଦେଇଥିଲେ। ‘ଜୈନ ଦର୍ଶନ‘ ଏବଂ ‘ଅନେକାନ୍ତବାଦ‘ ଭଳି ପ୍ରମୁଖ ଗ୍ରନ୍ଥ ଲେଖି ସେ ଦାର୍ଶନିକ ଚିନ୍ତାଧାରା ଏବଂ ଅନ୍ତର୍ଭୁକ୍ତୀକରଣ ଏବଂ ବୁଝାମଣାର ପ୍ରସାରକୁ ପ୍ରୋତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମନ୍ଦିର ପୁନରୁଦ୍ଧାରଠାରୁ ଆରମ୍ଭ କରି ଅବହେଳିତ ପିଲାମାନଙ୍କ ଶିକ୍ଷା ଏବଂ ବ୍ୟାପକ ସାମାଜିକ କଲ୍ୟାଣ ପର୍ଯ୍ୟନ୍ତ, ଆଚାର୍ଯ୍ୟଙ୍କ ପ୍ରତ୍ୟେକ ପ୍ରୟାସ ଆତ୍ମ-ସାକ୍ଷାତ ଏବଂ ଜନ କଲ୍ୟାଣର ସମନ୍ୱୟକୁ ପ୍ରତିଫଳିତ କରେ।
ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜ ଥରେ କହିଥିଲେ ଯେ, ଜୀବନ ପ୍ରକୃତରେ ଆଧ୍ୟାତ୍ମିକ ହୋଇଯାଏ ଯେତେବେଳେ ଏହା ନିଃସ୍ୱାର୍ଥପର ସେବାର ମାଧ୍ୟମ ହୋଇଯାଏ । ସେହି କଥା ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ଏହି ଚିନ୍ତାଧାରା ଜୈନ ଦର୍ଶନର ସାରାଂଶରେ ଗଭୀର ଭାବରେ ନିହିତ ଏବଂ ଭାରତର ଆତ୍ମା ସହିତ ଅନ୍ତର୍ନିହିତ ଭାବରେ ଜଡିତ। “ଭାରତ ସେବା ଦ୍ୱାରା ପରିଭାଷିତ ଏବଂ ମାନବତା ଦ୍ୱାରା ପରିଚାଳିତ ଏକ ରାଷ୍ଟ୍ର”, ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ, ବିଶ୍ୱ ଶତାବ୍ଦୀ ଶତାବ୍ଦୀ ଧରି ହିଂସା ଦ୍ୱାରା ହିଂସାକୁ ଦମନ କରିବାକୁ ଚେଷ୍ଟା କରିଥିବାବେଳେ, ଭାରତ ବିଶ୍ୱକୁ ଅହିଂସାର ଶକ୍ତି ସହିତ ପରିଚିତ କରାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତୀୟ ନୀତି ସର୍ବଦା ମାନବତାର ସେବା ଭାବନାକୁ ସର୍ବୋପରି ପ୍ରାଥମିକତା ଦେଇଆସିଛି ।
ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ, “ଭାରତର ସେବା ଭାବନା ନିରନ୍ତର – ସ୍ୱାର୍ଥଠାରୁ ଅଧିକ ଏବଂ ନିଃସ୍ୱାର୍ଥପରତା ଦ୍ୱାରା ଅନୁପ୍ରାଣିତ” । ଏହି ନୀତି ଆଜି ଦେଶର ଶାସନକୁ ମାର୍ଗଦର୍ଶନ କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ ଯୋଜନା ଏବଂ ଅବହେଳିତଙ୍କ ପାଇଁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ଭଳି ପଦକ୍ଷେପଗୁଡ଼ିକୁ ଏହି ନୀତିର ପ୍ରତିଫଳନ ଭାବରେ ଉଲ୍ଲେଖ କରିଥିଲେ, ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ସମାଜର ଶେଷ ସୋପାନରେ ଥିବା ଲୋକଙ୍କର ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେ ଆଲୋକପାତ କରିଥିଲେ ଯେ. ସରକାର ସମସ୍ତ ଯୋଜନାରେ ସିଦ୍ଧତା ହାସଲ କରିବା ପାଇଁ ପ୍ରତିବଦ୍ଧ, ଏହା ସୁନିଶ୍ଚିତ କରୁଛି ଯେ, କେହି ପଛରେ ରହିଯିବେ ନାହିଁ ଏବଂ ପ୍ରଗତି ବାସ୍ତବରେ ସମାବେଶୀ ହେବ। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହି ସଂକଳ୍ପ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ଏବଂ ଏକ ସହଭାଗୀ ଜାତୀୟ ପ୍ରତିବଦ୍ଧତା।
ପ୍ରଧାନମନ୍ତ୍ରୀ କହିଥିଲେ, “ତୀର୍ଥଙ୍କର, ସାଧୁ ଓ ଆଚାର୍ଯ୍ୟଙ୍କ ଶିକ୍ଷା ଓ ବାଣୀ ପ୍ରତ୍ୟେକ ଯୁଗ ପାଇଁ କାଳଜୟୀ ଏବଂ ପ୍ରାସଙ୍ଗିକ।
“ଆଜି, ଜୈନଧର୍ମର ସିଦ୍ଧାନ୍ତଗୁଡ଼ିକ — ପାଞ୍ଚ ମହାବ୍ରତ, ଅନୁବ୍ରତ, ତ୍ରିରତ୍ନ ଓ ଛଅଟି ଆବଶ୍ୟକ ଆଚରଣ — ପୂର୍ବପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ସମୟର ଆବଶ୍ୟକତା ଅନୁଯାୟୀ ସାଧାରଣ ଲୋକଙ୍କ ନିକଟରେ ଚିରନ୍ତନ ଶିକ୍ଷା ପହଞ୍ଚାଇବା ଆବଶ୍ୟକ। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜ ଏହି ଉଦ୍ଦେଶ୍ୟରେ ତାଙ୍କର ଜୀବନ ଏବଂ କାର୍ଯ୍ୟକୁ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦୀ କହିଥିଲେ, “ଆଚାର୍ଯ୍ୟ ଜୀ ଜୈନ ଶାସ୍ତ୍ରଗୁଡ଼ିକୁ କଥିତ ଭାଷାରେ ଉପସ୍ଥାପନ କରିବା ପାଇଁ ‘ବଚନାମୃତ’ ଅଭିଯାନ ଆରମ୍ଭ କରିଥିଲେ, ସେ ସାଧାରଣ ଲୋକଙ୍କ ନିକଟରେ ଆଧ୍ୟାତ୍ମିକ ଚିନ୍ତାଧାରାଗୁଡ଼ିକୁ ସରଳ ଏବଂ ସୁଗମ ଉପାୟରେ ପହଞ୍ଚାଇବା ପାଇଁ ଭକ୍ତି ସଙ୍ଗୀତ ମଧ୍ୟ ବ୍ୟବହାର କରିଥିଲେ।” ଆଚାର୍ଯ୍ୟଙ୍କ ଏକ ସ୍ତୋତ୍ରକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏପରି ରଚନାଗୁଡ଼ିକ ଜ୍ଞାନର ମୁକ୍ତାରେ ନିର୍ମିତ ଆଧ୍ୟାତ୍ମିକ ମାଳା। ସେ କହିଥିଲେ ଯେ, ଅମରତ୍ୱରେ ଏହି ସହଜାତ ବିଶ୍ୱାସ ଏବଂ ଅନନ୍ତ ଆଡକୁ ଦେଖିବାର ସାହସ ଭାରତୀୟ ଆଧ୍ୟାତ୍ମିକତା ଏବଂ ସଂସ୍କୃତିକୁ ପ୍ରକୃତରେ ଅସାଧାରଣ କରିଥାଏ।
ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶତବାର୍ଷିକୀ ବର୍ଷ ନିରନ୍ତର ପ୍ରେରଣାର ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଶିକ୍ଷାକୁ କେବଳ ବ୍ୟକ୍ତିଗତ ଜୀବନରେ ଗ୍ରହଣ କରିବା ନୁହେଁ ବରଂ ସମାଜ ଏବଂ ରାଷ୍ଟ୍ରର କଲ୍ୟାଣ ପାଇଁ ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ତାଙ୍କ ସାହିତ୍ୟିକ କୃତି ଏବଂ ଭକ୍ତି ରଚନା ମାଧ୍ୟମରେ ପ୍ରାଚୀନ ପ୍ରାକୃତ ଭାଷାକୁ ପୁନର୍ଜୀବିତ କରିବାରେ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରାକୃତ ହେଉଛି ଭାରତର ସର୍ବପୁରାତନ ଭାଷା ମଧ୍ୟରୁ ଗୋଟିଏ ଏବଂ ଭଗବାନ ମହାବୀରଙ୍କ ଶିକ୍ଷାର ମୂଳ ମାଧ୍ୟମ, ଯେଉଁଥିରେ ଜୈନ ଆଗମନ ରଚନା କରାଯାଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ, ସାଂସ୍କୃତିକ ଅବହେଳା ଯୋଗୁଁ ଭାଷା ସାଧାରଣ ବ୍ୟବହାରରୁ ଲୁପ୍ତ ହେବା ଆରମ୍ଭ ହୋଇଥିଲା। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀଙ୍କ ପରି ସନ୍ଥଙ୍କ ପ୍ରୟାସ ଏବେ ଜାତୀୟ ପ୍ରୟାସରେ ପରିଣତ ହୋଇଛି। ସେ ମନେ ପକାଇଲେ ଯେ, ଅକ୍ଟୋବର ୨୦୨୪ ରେ ସରକାର ପ୍ରାକୃତକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ। ସେ ଭାରତର ପ୍ରାଚୀନ ପାଣ୍ଡୁଲିପିକୁ ସଂରକ୍ଷଣ କରିବା ପାଇଁ ଆରମ୍ଭ ହୋଇଥିବା ଡିଜିଟାଇଜେସନ୍ ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଆଚାର୍ଯ୍ୟଙ୍କ ସହ ଜଡିତ ବହୁ ସଂଖ୍ୟକ ଜୈନ ଶାସ୍ତ୍ର ଏବଂ ପାଠ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ, ସରକାର ଉଚ୍ଚଶିକ୍ଷାରେ ମାତୃଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି । ଲାଲକିଲ୍ଲାରୁ ତାଙ୍କ ଅଭିଭାଷଣକୁ ଦୃଢନିଶ୍ଚିତ କରି, ସେ ଦେଶକୁ ଉପନିବେଶବାଦର ମାନସିକତାରୁ ମୁକ୍ତ କରିବା ଏବଂ ବିକାଶ ଓ ଐତିହ୍ୟ ଉଭୟକୁ ଏକାଠି ଅନୁସରଣ କରିବା ପାଇଁ ତାଙ୍କର ସଂକଳ୍ପକୁ ପୁନର୍ବାର ଦୋହରାଇଥିଲେ। ଶ୍ରୀ ମୋଦୀ କହିଥିଲେ ଯେ,ଏହି ପ୍ରତିବଦ୍ଧତା ଭାରତର ସାଂସ୍କୃତିକ ଏବଂ ତୀର୍ଥସ୍ଥଳର ବିକାଶକୁ ମାର୍ଗଦର୍ଶନ କରିଥାଏ । ସେ ମନେ ପକାଇଥିଲେ ଯେ, ୨୦୨୪ ମସିହାରେ, ସରକାର ଆଚାର୍ଯ୍ୟ ବିଦ୍ୟାନନ୍ଦଜୀ ମୁନିରାଜଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ଆଚାର୍ଯ୍ୟ ଶ୍ରୀ ପ୍ରଜ୍ଞା ସାଗରଜୀଙ୍କ ପରି ସନ୍ଥଙ୍କ ଆଶୀର୍ବାଦରେ ଭଗବାନ ମହାବୀରଙ୍କ ୨,୫୫୦ତମ ନିର୍ବାଣ ମହୋତ୍ସବ ପାଳନ ପାଇଁ ବଡ଼ ଧରଣର ଉତ୍ସବ ଆୟୋଜନ କରିଥିଲେ। ଆଗାମୀ ସମୟରେ, ଦେଶକୁ ଏହାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ଏପରି ବଡ଼ ଧରଣର ପ୍ରୟାସ କରିବାକୁ ପଡିବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ବର୍ତ୍ତମାନର କାର୍ଯ୍ୟକ୍ରମ ପରି, ଏହିପରି ସମସ୍ତ ପଦକ୍ଷେପ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ ନୀତି ସହିତ ଜନଭାଗୀଦାରୀର ଭାବନା ଦ୍ୱାରା ପରିଚାଳିତ ହେବ ।
ଶ୍ରୀ ମୋଦୀ କହିଥିଲେ ଯେ, ଏହି ଅବସରରେ ତାଙ୍କର ଉପସ୍ଥିତି ତାଙ୍କୁ ସ୍ୱାଭାବିକ ଭାବରେ ନବକାର ମନ୍ତ୍ର ଦିବସର ମନେ ପକାଇଥାଏ, ଯେଉଁ ସମୟରେ ନଅଟି ସଂକଳ୍ପ ମଧ୍ୟ ନିଆଯାଇଥିଲା। ଏହି ପ୍ରତିଜ୍ଞା ପୂରଣ କରିବା ପାଇଁ ବହୁ ସଂଖ୍ୟକ ନାଗରିକ ଆନ୍ତରିକ ପ୍ରୟାସ କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ, ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶିକ୍ଷା ଏହି ପ୍ରତିବଦ୍ଧତାକୁ ଦୃଢ଼ କରେ । ନଅଟି ସଂକଳ୍ପକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଥମ ସଂକଳ୍ପ ଜଳ ସଂରକ୍ଷଣ ସହିତ ଜଡିତ। ସେ ପ୍ରତ୍ୟେକ ବୁନ୍ଦାର ମୂଲ୍ୟକୁ ଚିହ୍ନିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ, ଏହାକୁ ମାତା ପୃଥିବୀ ପ୍ରତି ଉଭୟ ଏକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି କହିଥିଲେ। ଦ୍ୱିତୀୟ ସଂକଳ୍ପ ହେଉଛି, ‘ଏକ ପେଡ୍ ମା’ କେ ନାମ‘, ନିଜ ମାଆଙ୍କ ନାମରେ ଏକ ଗଛ ଲଗାନ୍ତୁ ଏବଂ ମାତା ଆମର ନେଉଥିବା ଯତ୍ନ ପରି ଏହାର ଯତ୍ନ ନିଅନ୍ତୁ, ପ୍ରତ୍ୟେକ ଗଛକୁ ମାତାର ଜୀବନ୍ତ ଆଶୀର୍ବାଦର ପ୍ରତିମୂର୍ତ୍ତିରେ ପରିଣତ କରନ୍ତୁ। ତୃତୀୟ ସଂକଳ୍ପ ଗୁରୁତ୍ୱାରୋପ କରେ ଯେ, ସ୍ୱଚ୍ଛତା ପ୍ରଦର୍ଶନ ପାଇଁ ନୁହେଁ – ଏହା ଆନ୍ତରିକ ଅହିଂସାକୁ ପ୍ରତିଫଳିତ କରେ। ସେ କହିଥିଲେ ଯେ, ପ୍ରତ୍ୟେକ ରାସ୍ତା, ଅଞ୍ଚଳ ଏବଂ ସହରକୁ ସାମୂହିକ ଅଂଶଗ୍ରହଣ ଦ୍ୱାରା ସଫା ରଖିବା ଉଚିତ। ଚତୁର୍ଥ ସଂକଳ୍ପ ହେଉଛି ‘ଭୋକାଲ ଫର୍ ଲୋକାଲ୍‘ ବିଷୟରେ, ଶ୍ରୀ ମୋଦୀ ନାଗରିକମାନଙ୍କୁ ଦେଶବାସୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବା ଏବଂ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲେ, ଯାହା ଦେଶର ମାଟି ଏବଂ ଶ୍ରମରୁ ତିଆରି। ପଞ୍ଚମ ସଂକଳ୍ପ ହେଉଛି ଭାରତକୁ ଜାଣିବା ଏବଂ ବୁଝିବା, ବିଶ୍ୱକୁ ଦେଖିବା ଭଲ, କିନ୍ତୁ ଆମକୁ ଭାରତକୁ ଗଭୀର ଭାବରେ ଜାଣିବା, ବୁଝିବା ଏବଂ ଆଦର କରିବା ମଧ୍ୟ ଉଚିତ। ପ୍ରଧାନମନ୍ତ୍ରୀ ପ୍ରାକୃତିକ କୃଷି ଗ୍ରହଣ କରିବା ପାଇଁ ଷଷ୍ଠ ସଂକଳ୍ପକୁ ଗୁରୁତ୍ୱାରୋପ କରିଥିଲେ ଏବଂ ପୃଥିବୀ ମାତାକୁ କ୍ଷତିକାରକ ରାସାୟନିକ ପଦାର୍ଥରୁ ମୁକ୍ତ କରିବା ଏବଂ ଗାଁରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସପ୍ତମ ସଂକଳ୍ପ ହେଉଛି ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା। ପ୍ରଧାନମନ୍ତ୍ରୀ ସ୍ଥୂଳତା ମୁକାବିଲା ଏବଂ ଜୀବନଶକ୍ତି ବୃଦ୍ଧି ପାଇଁ ସଚେତନ ଭୋଜନ, ପାରମ୍ପରିକ ଭାରତୀୟ ଖାଦ୍ୟରେ ମୋଟା ଶସ୍ୟ ଅନ୍ତର୍ଭୁକ୍ତ କରିବା ଏବଂ ତେଲ ବ୍ୟବହାରକୁ ଅତି କମରେ ଦଶ ପ୍ରତିଶତ ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଷ୍ଟମ ସଂକଳ୍ପ ହେଉଛି ଯୋଗ ଏବଂ କ୍ରୀଡାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା। ନବମ ସଂକଳ୍ପ ହେଉଛି ଗରିବଙ୍କୁ ସାହାଯ୍ୟ କରିବା, ଶ୍ରୀ ମୋଦୀ କହିଛନ୍ତି, ସେବାର ପ୍ରକୃତ ରୂପ ହେଉଛି ଅବହେଳିତଙ୍କ ହାତ ଧରିବା ଏବଂ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିବା। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ, ଏହି ନଅଟି ସଂକଳ୍ପ ଉପରେ କାର୍ଯ୍ୟ କରି ନାଗରିକମାନେ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦ ଜୀ ମୁନିରାଜଙ୍କ ଶିକ୍ଷାକୁ ମଧ୍ୟ ସୁଦୃଢ଼ କରିବେ ।
ଶ୍ରୀ ମୋଦୀ କହିଥିଲେ, “ଅମୃତ କାଳ ପାଇଁ ଭାରତର ଦୃଷ୍ଟିକୋଣ ରାଷ୍ଟ୍ର ଚେତନାରେ ଗଭୀର ଭାବରେ ନିହିତ ଏବଂ ଏହା ସନ୍ଥମାନଙ୍କ ଜ୍ଞାନ ଦ୍ୱାରା ସମୃଦ୍ଧ”। ୧୪୦ କୋଟି ନାଗରିକ ଅମୃତ ସଂକଳ୍ପକୁ ସାକାର କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ସେ କହିଥିଲେ ଯେ, ଏକ ବିକଶିତ ଭାରତର ସ୍ୱପ୍ନ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଦୃଷ୍ଟିକୋଣ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ତାଙ୍କ ପଥ ଅନୁସରଣ କରିବା, ତାଙ୍କ ଶିକ୍ଷାକୁ ଆତ୍ମସାତ କରିବା ଏବଂ ଦେଶ ନିର୍ମାଣକୁ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ କରିବା ଏକ ସାମୂହିକ ଦାୟିତ୍ୱ। ତାଙ୍କ ଅଭିଭାଷଣ ଶେଷ କରି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ ଯେ, ଏହି ଉତ୍ସବର ପବିତ୍ରତା ଏହି ପ୍ରତିବଦ୍ଧତାଗୁଡ଼ିକୁ ଆହୁରି ଦୃଢ଼ କରିବ ଏବଂ ଏଥିସହିତ ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ଶ୍ରୀ ବିଦ୍ୟାନନ୍ଦଜୀ ମୁନିରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ପୂଜ୍ୟ ସନ୍ଥମାନେ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ଶତବାର୍ଷିକୀ ପାଳନ ଏକ ବର୍ଷ ବ୍ୟାପୀ ଜାତୀୟ ଶ୍ରଦ୍ଧାର ଆନୁଷ୍ଠାନିକ ଆରମ୍ଭ, ଯାହା ଭାରତ ସରକାର ଭଗବାନ ମହାବୀର ଅହିଂସା ଭାରତୀ ଟ୍ରଷ୍ଟଙ୍କ ସହଯୋଗରେ, ଜଣେ ସମ୍ମାନିତ ଜୈନ ଆଧ୍ୟାତ୍ମିକ ନେତା ଏବଂ ସମାଜ ସଂସ୍କାରକ ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜଙ୍କ ୧୦୦ତମ ଜନ୍ମବାର୍ଷିକୀକୁ ସମ୍ମାନ ଜଣାଇବା ପାଇଁ ଆୟୋଜନ କରୁଛନ୍ତି । ବର୍ଷବ୍ୟାପୀ ଏହି ଉତ୍ସବରେ ସାରା ଦେଶରେ ସାଂସ୍କୃତିକ, ସାହିତ୍ୟିକ, ଶିକ୍ଷାଗତ ଏବଂ ଆଧ୍ୟାତ୍ମିକ ପଦକ୍ଷେପ ଅନ୍ତର୍ଭୁକ୍ତ ହେବ, ଯାହାର ଲକ୍ଷ୍ୟ ତାଙ୍କ ଜୀବନ ଏବଂ ଐତିହ୍ୟକୁ ପାଳନ କରିବା ଏବଂ ତାଙ୍କ ବାର୍ତ୍ତା ପ୍ରସାର କରିବା।
ଆଚାର୍ଯ୍ୟ ବିଦ୍ୟାନନ୍ଦ ଜୀ ମହାରାଜ ଜୈନ ଦର୍ଶନ ଏବଂ ନୀତିଶାସ୍ତ୍ର ଉପରେ ୫୦ ରୁ ଅଧିକ କୃତି ରଚନା କରିଥିଲେ। ସେ ସାରା ଭାରତରେ ପ୍ରାଚୀନ ଜୈନ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ଏବଂ ପୁନରୁଦ୍ଧାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ବିଶେଷକରି ପ୍ରାକୃତ, ଜୈନ ଦର୍ଶନ ଏବଂ ଶାସ୍ତ୍ରୀୟ ଭାଷାରେ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ ।
MT
Speaking at the Centenary Celebrations of Acharya Vidyanand Ji Maharaj. https://t.co/5GS2qqjdEc
— Narendra Modi (@narendramodi) June 28, 2025
भारत विश्व की सबसे प्राचीन जीवंत सभ्यता है: PM @narendramodi pic.twitter.com/tcQZykqNBO
— PMO India (@PMOIndia) June 28, 2025
भारत सेवा प्रधान देश है।
— PMO India (@PMOIndia) June 28, 2025
भारत मानवता प्रधान देश है: PM @narendramodi pic.twitter.com/LNaNLLfOSW
हमारी सरकार ने प्राकृत को 'शास्त्रीय भाषा' का दर्जा दिया।
— PMO India (@PMOIndia) June 28, 2025
हम भारत की प्राचीन पाण्डुलिपियों को digitize करने का अभियान भी चला रहे हैं: PM @narendramodi pic.twitter.com/BkSYDSn1RI
आचार्य श्री विद्यानंद जी मुनिराज की जीवन यात्रा इसलिए सामान्य मानव से महामानव बनने की यात्रा है… pic.twitter.com/k4k8z2Ua3T
— Narendra Modi (@narendramodi) June 28, 2025
आचार्य श्री विद्यानंद जी मुनिराज के जन्म-शताब्दी वर्ष में हमें यह संकल्प लेना है कि समाज और राष्ट्र के लिए उनके कार्यों को और आगे बढ़ाएंगे। pic.twitter.com/rdi1AGOBTi
— Narendra Modi (@narendramodi) June 28, 2025
जैन समाज के साथ ही समस्त देशवासियों से एक बार फिर इन 9 संकल्पों को साकार करने का मेरा विनम्र आग्रह… pic.twitter.com/yLwTYDTMeQ
— Narendra Modi (@narendramodi) June 28, 2025