ପିଏମଇଣ୍ଡିଆ
ଆତଙ୍କବାଦୀ/ସାମ୍ପ୍ରଦାୟିକ ଦଙ୍ଗା/ବାମପନ୍ଥୀ ଉଗ୍ରବାଦ ହିଂସା ଓ ସୀମାପାର ଗୁଳିକାଣ୍ଡ ଓ ମାଇନ/IED ବିସ୍ଫୋରଣରେ ପ୍ରାଣ ହରାଉଥିବା ସାଧାରଣ ଜନତାଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରସ୍ତାବିତ ଯୋଜନାକୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଭଳି ଅପ୍ରତ୍ୟାଶିତ ଘଟଣା ପାଇଁ କ୍ଷତିପୂରଣ ରାଶିକୁ 3 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସକାଶେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ଯୋଜନାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା : –
୧. ପ୍ରଥମ ଥର ପାଇଁ ଭାରତ ପାକିସ୍ତାନ ସୀମାରେ ଗୁଳିଗୋଳା ବିନିମୟରେ ପ୍ରାଣ ହରାଇଥିବା ସାଧାରଣ ଲୋକଙ୍କୁ 5 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ଆତଙ୍କବାଦୀ/ବାମପନ୍ଥୀ ଉଗ୍ରବାଦରେ ପ୍ରାଣ ହରାଇଥିବା ଲୋକଙ୍କୁ ମିଳିୁଥିବା କ୍ଷତିପୂରଣ ଭଳି ଏହା ପ୍ରଦାନ କରାଯିବ ।
୨. ସୀମାନ୍ତରେ ଗୁଳିଗୋଳା ବିନିମୟରେ ପ୍ରାଣ ହରାଉଥିବା ସାଧାରଣ ଲୋକଙ୍କୁ ମିଳୁଥିବା କ୍ଷତିପୂରଣ ରାଶିକୁ 3 ରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
୩. ଏବେଠାରୁ ଦେଶ ଭିତରେ ଆତଙ୍କବାଦୀ ଆକ୍ରମଣ, ମାଓବାଦୀ ହିଂସା, ସୀମା ଆରପଟୁ ଗୁଳିଚାଳନା, ସେଲ ବା IED ବିସ୍ଫୋରଣରେ ପ୍ରାଣ ହରାଉଥିବା ବ୍ୟକ୍ତି ବିଶେଷଙ୍କୁ ସମାନ ଭାବେ 5 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ । ଏହି କ୍ଷତିପୂରଣ ରାଶି ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ ।
୪. ଅନୁରୂପ କାରଣରୁ ଯେଉଁ ବ୍ୟକ୍ତି ବିଶେଷଙ୍କର 50 ପ୍ରତିଶତ ବା ତଦୁର୍ଦ୍ଧ ଶାରୀରିକ ଅକ୍ଷମତା ଘଟିବ ସେମାନଙ୍କୁ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
୫. ଯଦି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚାକିରି ଯୋଗାଯାଇନଥିବ ତେବେ ସେମାନଙ୍କୁ ଏଭଳି କ୍ଷତିପୂରଣ ରାଶି ମିଳିବ । 2008 ମସିହାର ଏହି ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ଆଜି ସୁଦ୍ଧା ସରକାର ମୋଟ 35.89 କୋଟି ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି ।