ପିଏମଇଣ୍ଡିଆ
ବିଭିନ୍ନ ପ୍ରକାର ଆତଙ୍କବାଦ ଏବଂ ସଂଗଠିତ ଅପରାଧ ନିୟନ୍ତ୍ରଣ ସକାଶେ ଭାରତ ଓ ରୁଷିଆ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିଲାଗି ଦୁଇ ଦେଶ ମଧ୍ୟରେ ଏକ ସହଯୋଗ ରାଜିନାମା ସ୍ୱାକ୍ଷରିତ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ରାଜିନାମାକୁ ଅନୁମୋଦନ କରାଯାଇଛି ।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ଦଳ ଚଳିତ ମାସ ଶେଷ ସପ୍ତାହରେ ରୁଷିଆ ଗସ୍ତରେ ଯିବେ । ନଭେମ୍ବର 27ରୁ 29 ମଧ୍ୟରେ ଭାରତୀୟ ପ୍ରତିନିଧି ଦଳର ଏହି ଗ୍ରସ୍ତ କାଳରେ ରୁଷ ସହିତ ପ୍ରସ୍ତାବିତ ରାଜିନାମା ସ୍ୱାକ୍ଷର ହେବ ।
ଦୁଇ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆର୍ନ୍ତଜାତିକ ମଞ୍ଚରେ ନିବିଡ ଭାବେ ସହଯୋଗ କରିବାର ପରମ୍ପରା ରହିଆସିଛି । ଏବେ ବିଶ୍ୱରେ ବିଭିନ୍ନ ପ୍ରକାର ଆତଙ୍କବାଦ ଏବଂ ସଂଗଠିତ ଅପରାଧ ମୁଣ୍ଡ ଟେକୁଥିବାରୁ ଏହା ବିରୋଧରେ ଦୁଇ ଦେଶ ମିଳିତ ଭାବେ ପଦକ୍ଷେପ ନେବାର ସମୟ ଉପନୀତ ହୋଇଛି । ପ୍ରସ୍ତାବିତ ରାଜିନାମା ଦୁଇ ଦେଶ ମଧ୍ୟରେ ଅପରାଧ ନିୟନ୍ତ୍ରଣ ସଂକ୍ରାନ୍ତ ସହଯୋଗକୁ ଆହୁରି ଦୃଢ଼ୀଭୂତ କରିବା ସହ ଅକ୍ଟୋବର 1993 ରାଜିନାମାର ସ୍ଥାନ ଗ୍ରହଣ କରିବ । ପ୍ରସ୍ତାବିତ ରାଜିନାମା କାର୍ଯ୍ୟକାରୀ ହେଲେ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ଏବଂ ସଂଗଠିତ ଅପରାଧ ନେଇ ଅନେକ ତଥ୍ୟର ଆଦାନପ୍ରଦାନ ହୋଇପାରିବ ।
**********