Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତଃ-ରାଜ୍ୟ ପରିଷଦର ଏକାଦଶ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ

ଆନ୍ତଃ-ରାଜ୍ୟ ପରିଷଦର ଏକାଦଶ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଭାଷଣ


• ଚଳିତବର୍ଷ ଶେଷ ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ

• ରାଜ୍ୟମାନଙ୍କୁ ଆଗାମୀ ବର୍ଷଗୁଡ଼ିକରେ ମିଳିବ 3.35 ଲକ୍ଷ କୋଟି ଟଙ୍କାର କୋଇଲା ରାଜସ୍ୱ

• କିରୋସିନି ସବସିଡି ବାବଦ ସଂଚୟର 75 ପ୍ରତିଶତ ଅନୁଦାନ ଆକାରରେ ମିଳିବ – ପ୍ରଧାନମନ୍ତ୍ରୀ

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳ ଓ ମନ୍ତ୍ରୀ ପରିଷଦରେ ମୋର ସହଯୋଗୀମାନେ,

ଆନ୍ତଃ ରାଜ୍ୟ ପରିଷଦର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି ।

ଏଭଳି ଅବସର ଖୁବ୍ କମ୍ ଆସିଥାଏ ଯେତେବେଳେ କେନ୍ଦ୍ର ଓ ରାଜ୍ୟର ନେତୃତ୍ୱଗଣ ଏକାଠି ଗୋଟିଏ ସ୍ଥାନରେ ଉପସ୍ଥିତ ହୋଇଥାନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ, ସେମାନଙ୍କ ସମସ୍ୟାର ସମାଧାନ କରିବା ଏବଂ ଏକାଠି ମିଳିମିଶି ଠୋସ୍ ନିଷ୍ପତ୍ତି ନେବା ପାଇଁ ସଂଘୀୟ ସହଭାଗିତାର ଏହି ମଞ୍ଚ, ସବୁଠୁ ଭଲ ଉଦାହରଣ । ଏହା ଆମର ସମ୍ବିଧାନ ନିର୍ମାତାଙ୍କ ଦୂରଦୃଷ୍ଟିକୁ ମଧ୍ୟ ଦର୍ଶାଉଛି ।

ମୁଁ ପ୍ରାୟ 16 ବର୍ଷ ପୂର୍ବରୁ ଏହି ମଞ୍ଚରେ କୁହାଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମର ଶ୍ରଦ୍ଧେୟ ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀଙ୍କ କଥାରୁ ଆରମ୍ଭ କରିବି, ବାଜପେୟୀଜୀ କହିଥିଲେ…..

“ଭାରତ ଭଳି ବୃହତ୍ ଓ ବିବିଧତାପୂର୍ଣ୍ଣ ଗଣତନ୍ତ୍ରରେ ଡିବେଟ ଅର୍ଥାତ୍ ବିତର୍କ, ଡେଲିବେରେସନ ଅର୍ଥାତ୍ ବିଚାର ବିମର୍ଶ ଓ ଡିସ୍କସନ ଅର୍ଥାତ୍ ଆଲୋଚନା ଦ୍ୱାରା ଏଭଳି ନୀତି ପ୍ରଣୟନ କରିହେବ ଯାହା ତୃଣମୂଳସ୍ତରର ବାସ୍ତବତାକୁ ଦୃଷ୍ଟିରେ ରଖି ହୋଇପାରିବ । ଏହି ତିନିଟି କଥା, ନୀତିଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବାରେ ବି ସହାୟତା କରିଥାଏ । ଆନ୍ତଃ-ରାଜ୍ୟ ପରିଷଦ ଏକ ଏଭଳି ମଞ୍ଚ ଯାହାର ଉପଯୋଗ ନୀତିଗୁଡ଼ିକୁ ପ୍ରସ୍ତୁତ କରିବା ଓ ସେସବୁକୁ ଲାଗୁ କରିବା ପାଇଁ, କରାଯାଇ ପାରିବ । ତେଣୁ ଗଣତନ୍ତ୍ର, ସମାଜ ଓ ଆମ ରାଜ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ଏହି ମଞ୍ଚର ପ୍ରଭାବଶାଳୀ ଉପଯୋଗ କରାଯିବା ଉଚିତ”।

ନିଶ୍ଚିତ ଭାବେ ଆନ୍ତଃ-ରାଜ୍ୟ ପରିଷଦ, କେନ୍ଦ୍ର-ରାଜ୍ୟ ଓ ଆନ୍ତଃ ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବାର ସବୁଠୁ ବଡ଼ ମଞ୍ଚ । ଅବଶ୍ୟ 2006 ମସିହା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ବୈଠକ ହୋଇପାରିନଥିଲା, କିନ୍ତୁ ମୁଁ ଖୁସି ଯେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଜୀ ଏହି ପ୍ରକ୍ରିୟାକୁ ପୁଣି ଥରେ ଆରମ୍ଭ କରିବାର ପ୍ରୟାସ କରିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଦେଶବ୍ୟାପୀ 5 ଟି ଆଂଚଳିକ ପରିଷଦ ବୈଠକ ଡକାଯାଇ ସାରିଛି । ଏହି ଅବସରରେ ବାର୍ତ୍ତା ବିନିମୟ ଓ ସମ୍ପର୍କର ପ୍ରକ୍ରିୟା ବୃଦ୍ଧି ପାଇବାର ଫଳ ହେଉଛି ଆଜି ଆମେ ସମସ୍ତେ ଏଠି ଏକଜୁଟ ହୋଇଛେ ।

କେନ୍ଦ୍ର ଓ ରାଜ୍ୟ ସରକାର କାନ୍ଧରେ କାନ୍ଧ ମିଶାଇ ଚାଲିଲେ ଦେଶର ବିକାଶ ସମ୍ଭବପର ହୋଇପାରିବ । ନିଜ ସାମର୍ଥ୍ୟରେ କୌଣସି ଯୋଜନାକୁ ସଫଳ କରାଇବା ଯେକୌଣସି ସରକାର ପାଇଁ କଷ୍ଟକର ହେବ । ତେଣୁ ଦାୟିତ୍ୱ ସହ ଆର୍ଥିକ ସମ୍ବଳର ବି ନିଜସ୍ୱ ଗୁରୁତ୍ୱ ରହିଛି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସକୁ ସ୍ୱୀକୃତି ସହ କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗିଦାରୀ 32 ପ୍ରତିଶତରୁ 42 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥାତ ଏବେ ରାଜ୍ୟଗୁଡ଼ିକ ପାଖରେ ଅଧିକ ରାଶି ଆସୁଛି, ଯାହାର ଉପଯୋଗ ସେମାନେ ନିଜସ୍ୱ ଆବଶ୍ୟକତା ହିସାବରେ କରିପାରିବେ । ମୁଁ ଖୁସିର ସହ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଗତବର୍ଷ 2015-16 ମସିହାରେ ରାଜ୍ୟଗୁଡ଼ିକୁ କେନ୍ଦ୍ରରୁ ଯେଉଁ ଅର୍ଥ ମିଳିଥିଲା, ତାହା 2014-15 ମସିହା ତୁଳନାରେ 21 ପ୍ରତିଶତ ଅଧିକ । ସେହିପରି ପଞ୍ଚାୟତ ଓ ସ୍ଥାନୀୟ ସ୍ୱାୟତ୍ତ ପରିଷଦଗୁଡ଼ିକୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଅବଧିରେ 2.87 ଲକ୍ଷ କୋଟି ଟଙ୍କା ମିଳିବ, ଯାହା ଗତଥର ତୁଳନାରେ ଢ଼େର ଅଧିକ ।

ପ୍ରାକୃତିକ ସମ୍ବଳରେ ହେବାକୁ ଥିବା ଉପାର୍ଜନରେ ବି ରାଜ୍ୟଗୁଡ଼ିକର ଅଧିକାରକୁ ଦୃଷ୍ଟିରେ ରଖାଯାଇଛି । କୋଇଲା ଖଣିର ନିଲାମରେ ରାଜ୍ୟଗୁଡ଼ିକୁ ଆଗାମୀ ବର୍ଷଗୁଡ଼ିକରେ 3.35 ଲକ୍ଷ କୋଟି ଟଙ୍କାର ଅର୍ଥରାଶି ମିଳିବ । କୋଇଲା ବ୍ୟତୀତ ଅନ୍ୟ ଖନନରେ ରାଜ୍ୟଗୁଡ଼ିକୁ 18 ହଜାର କୋଟି ଟଙ୍କାର ଅର୍ଥ ମିଳିବ । ସେହିପରି କାମ୍ପା ଆଇନରେ ପରିବର୍ତ୍ତନ ମାଧ୍ୟମରେ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ 40 ହଜାର କୋଟି ଟଙ୍କାକୁ ବି ରାଜ୍ୟଗୁଡ଼ିକୁ ଦେବାକୁ ପ୍ରୟାସ କରାଯାଉଛି ।

ବ୍ୟବସ୍ଥାରେ ପାରଦର୍ଶିତା ବୃଦ୍ଧି ଯୋଗୁ ଯେଉଁ ଅର୍ଥ ବଳକା ରହିବ, ତାକୁ ବି କେନ୍ଦ୍ର ସରକାର ଆପଣଙ୍କ ସହ ଭାଗିଦାର କରିବାକୁ ଚାହୁଁଛି। ଏକ ଉଦାହରଣ କିରୋସିନିର । ଗାଁଗୁଡ଼ିକରେ ବିଦ୍ୟୁତ ସଂଯୋଗ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ 3 ବର୍ଷ ମଧ୍ୟରେ ସରକାର 5 କୋଟି ନୂଆ ଗ୍ୟାସ ସଂଯୋଗ ଦେବାକୁ ଯାଉଛନ୍ତି । ଏଲପିଜି ଯୋଗାଣ ବି ଅଧିକ ବଢ଼ିବ । ଏହି ପ୍ରୟାସର ସିଧା ପ୍ରଭାବ କିରୋସିନି ଖର୍ଚ୍ଚ ଉପରେ ପଡ଼ିବ । ନିକଟରେ ଚଣ୍ଡିଗଡ଼ ପ୍ରଶାସନ ନିଜର ସହରକୁ କିରୋସିନି ମୁକ୍ତ ଅଂଚଳ ଘୋଷଣା କରିଛନ୍ତି । ଏବେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଛନ୍ତି ଯାହା ଆଧାରରେ କିରୋସିନିର ଖର୍ଚ୍ଚ ହ୍ରାସ କରିବା, କେନ୍ଦ୍ର ସବସିଡି ଭାବେ ଯେଉଁ ଅର୍ଥ ଖର୍ଚ୍ଚ କରୁଥିଲା, ତା’ର 75 ପ୍ରତିଶତ ରାଜ୍ୟଗୁଡ଼ିକୁ ଅନୁଦାନ ଭାବେ ଦିଆଯିବ । କର୍ଣ୍ଣାଟକ ସରକାର ଏହି ପଦକ୍ଷେପରେ ତତ୍ପରତା ଦେଖାଇ ନିଜର ପ୍ରସ୍ତାବ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ପଠାଇଥିଲେ, ଯାହାକୁ ସ୍ୱୀକାର କରିବା ପରେ ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନ କରାଯାଇଛି । ଯଦି ସମସ୍ତ ରାଜ୍ୟ କିରୋସିନି ଖର୍ଚ୍ଚକୁ 25 ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେବେ ଓ ଏହାକୁ କାର୍ଯ୍ୟକାରୀ କରି ଦେଖାଇବେ, ତା’ହେଲେ ଚଳିତବର୍ଷ ସେମାନଙ୍କୁ ପ୍ରାୟ 1600 କୋଟି ଟଙ୍କାର ଅନୁଦାନ ଲାଭ ମିଳିପାରିବ ।

ଆନ୍ତଃ ରାଜ୍ୟ ପରିଷଦ କେନ୍ଦ୍ର-ରାଜ୍ୟ ସମ୍ପର୍କ ସହ ଉକ୍ତ ବିଷୟ ଉପରେ ବି ଚର୍ଚ୍ଚାର ମଞ୍ଚ ଯାହା ଦେଶର ବୃହତ୍ ଜନସଂଖ୍ୟା ସହ ଜଡ଼ିତ । କିଭଳି ନୀତି ନିର୍ଦ୍ଧାରଣର ସ୍ତରରେ ଏହି ପ୍ରସଙ୍ଗକୁ ସମାଧାନ ପାଇଁ ସହମତି କରାଯାଇପାରିବ, ପରସ୍ପର ସହ ଜଡ଼ିତ ବିଷୟକୁ କିଭଳି ସମାଧାନ କରାଯାଇପାରିବ ।

ତେଣୁ ଏଥର ଆନ୍ତଃ ରାଜ୍ୟ ପରିଷଦରେ ପୁଞ୍ଛି କମିଶନଙ୍କ ରିପୋର୍ଟ ସମେତ ଆଉ 3 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଜେଣ୍ଡାରେ ରଖାଯାଇଛି ।

ପ୍ରଥମ ହେଉଛି- ‘ଆଧାର’ । ସଂସଦରେ ‘ଆଧାର’ ଆଇନ-2016 ଗୃହୀତ ହୋଇସାରିଛି । ଏହି ଆଇନ ଗୃହୀତ ହେବା ପରେ ଏବେ ଆମକୁ ସବସିଡି ହେଉ ଅବା ପୁଣି ଅନ୍ୟ ସମସ୍ତ ସୁବିଧାକୁ ‘ଡାଇରେକ୍ଟ କେସ୍ ଟ୍ରାନ୍ସଫର’ ପାଇଁ ‘ଆଧାର’ ପ୍ରୟୋଗର ସୁବିଧା ମିଳିଯାଇଛି । 128 କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ ଏପର୍ଯ୍ୟନ୍ତ 102 କୋଟି ଲୋକଙ୍କୁ ଆଧାର କାର୍ଡ ବଣ୍ଟନ କରାଯାଇସାରିଛି । ଅର୍ଥାତ ଏବେ ଦେଶର 79 ପ୍ରତିଶତ ଜନସଂଖ୍ୟା ପାଖରେ ଆଧାର କାର୍ଡ ରହିଛି । ଯଦି ବୟସ୍କଙ୍କ କଥା କହିବା ତା’ହେଲେ ଦେଶର 96 ପ୍ରତିଶତ ନାଗରିକଙ୍କ ପାଖରେ ଆଧାର କାର୍ଡ ଅଛି । ଆପଣମାନଙ୍କ ସମର୍ଥନରେ ଚଳିତବର୍ଷ ଶେଷ ସୁଦ୍ଧା ଆମ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ ସହ ଯୋଡ଼ି ପାରିବୁ ।

ବର୍ତ୍ତମାନ ସମୟରେ ସାଧାରଣ ଦେଖାଯାଉଥିବା ଆଧାର କାର୍ଡ, ଲୋକଙ୍କ ସଶକ୍ତିକରଣର ପ୍ରତୀକ ପାଲଟିଯାଇଛି । ସରକାରୀ ସହାୟତା ଅବା ସବସିଡି ଉପରେ ଯେଉଁ ବ୍ୟକ୍ତିର ଅଧିକାର ଅଛି, ଏବେ ସେମାନଙ୍କୁ ହିଁ ଏହାର ଫାଇଦା ମିଳିଛି, ଟଙ୍କା ସିଧାସଳଖ ସେମାନଙ୍କ ଏକାଉଣ୍ଟକୁ ଯାଉଛି । ଏଥିରେ ପାରଦର୍ଶିତା ଆସିବା ସହ ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେଉଛି, ଯାହାକୁ ବିକାଶର କାର୍ଯ୍ୟରେ ଖର୍ଚ୍ଚ କରାଯାଉଛି ।

ବନ୍ଧୁଗଣ, ବାବା ସାହେବ ଆମ୍ବେଦକର ଲେଖିଥିଲେ କି – “ଭାରତ ଭଳି ଦେଶରେ ସାମାଜିକ ସଂସ୍କାର ମାର୍ଗ ସେତିକି କଷ୍ଟକର, ସେତିକି ପ୍ରତିବନ୍ଧକଭରା, ଯେତିକି ସ୍ୱର୍ଗକୁ ଯିବାର ମାର୍ଗ । ଯେତେବେଳେ ଆପଣ ସାମାଜିକ ସୁଧାର କଥା ଚିନ୍ତା କରିବେ, ସେତେବେଳେ ଆପଣଙ୍କୁ ବନ୍ଧୁ କମ୍, ସମାଲୋଚକ ଅଧିକ ମିଳିଥାନ୍ତି”।

ଆଜି ବି ତାଙ୍କର ଲିଖିତ କଥା, ସେତିକି ପ୍ରାସଙ୍ଗିକ ରହିଛି । ତେଣୁ ସମାଲୋଚନାରୁ ଦୂରେଇ ରହି, ଆମେ ପରସ୍ପରର ସହଯୋଗ କରି, ସାମାଜିକ ସୁଧାରର ଯୋଜନାଗୁଡ଼ିକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଏଥିରୁ ଅନେକ ଯୋଜନାର ରୂପରେଖ, ନୀତି ଆୟୋଗର ସହାୟତାରେ ମୁଖ୍ୟମନ୍ତ୍ରୀମାନଙ୍କର ସବ୍-ଗ୍ରୁଫ୍ ହିଁ ପ୍ରସ୍ତୁତ କରିଛି ।

ଆନ୍ତଃ-ରାଜ୍ୟ ପରିଷଦରେ ଆଉ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହେବ, ତାହା ହେଉଛି ଶିକ୍ଷା । ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛନ୍ତି ଆମର ଯୁବବର୍ଗ । 30 କୋଟିରୁ ଅଧିକ ପିଲା ଏବେ ସ୍କୁଲ ଯିବା ବୟସରେ । ତେଣୁ ଆମର ଦେଶରେ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ବିଶ୍ୱକୁ ଦକ୍ଷ ମାନବସମ୍ବଳ ଦେବାର କ୍ଷମତା ରହିଛି । କେନ୍ଦ୍ର ଓ ରାଜ୍ୟଙ୍କୁ ମିଳିତ ଭାବେ ପିଲାଙ୍କୁ ଶିକ୍ଷାର ଏଭଳି ପରିବେଶ ଦେବାକୁ ପଡ଼ିବ ଯେଉଁଥିରେ ସେମାନେ ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିପାରିବେ, ନିଜର ପ୍ରତିଭାର ବିକାଶ କରିପାରିବେ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଶବ୍ଦରେ “ଶିକ୍ଷା ଏକ ନିବେଶ । ଆମେ ଗଛଲତା ଲଗାଇବା ସମୟରେ ସେମାନଙ୍କଠାରୁ କୌଣସି ଫିସ୍ ନେଇ ନଥାଉ । ଆମେ ଜାଣିଥାଉ ଯେ ଏହି ଗଛଲତା ଭବିଷ୍ୟତରେ ଆମକୁ ଅମ୍ଳଜାନ ଦେବେ, ପରିବେଶର ସହାୟତା କରିବେ । ସେହିପରି ଶିକ୍ଷା ବି ଏକ ନିବେଶ ଯାହାର ଲାଭ ସମାଜକୁ ମିଳିଥାଏ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀ ଏହି କଥା 1965 ମସିହାରେ କହିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଆମେ ଶିକ୍ଷା ଦୃଷ୍ଟିରୁ ବହୁତ ଲମ୍ବା ଯାତ୍ରା କରିସାରିଲେଣି । କିନ୍ତୁ ଏବେବି ଶିକ୍ଷାର ସ୍ତରକୁ ନେଇ ଅନେକ କିଛି କରିବା ବାକି ଅଛି । ଆମର ଶିକ୍ଷା ବ୍ୟବସ୍ଥାରେ ପିଲା ବାସ୍ତବରେ କେତେ ଶିକ୍ଷିତ ହେଉଛି, ତାକୁ ବି ଆମର ଆଲୋଚନାରେ ଆଣିବାକୁ ପଡ଼ିବ ।

ତେଣୁ ପିଲାଙ୍କ ମଧ୍ୟରେ ଶିକ୍ଷାର ସ୍ତର ସୁଧାରିବାର ସବୁଠାରୁ ବଡ଼ କୌଶଳ ହେଉଛି ସେମାନଙ୍କୁ ଶିକ୍ଷାର ଉଦ୍ଦେଶ୍ୟ ବି ଅବଗତ କରିବାକୁ ପଡ଼ିବ । କେବଳ ସ୍କୁଲ ଯିବା – ପାଠପଢ଼ା ନୁହେଁ । ପାଠପଢ଼ା ଏଭଳି ହେବା ଉଚିତ୍, ଯାହା ପିଲାଙ୍କୁ ପ୍ରଶ୍ନ କରିବା ଶିଖାଏ, ସେମାନଙ୍କୁ ଜ୍ଞାନ ହାସଲ କରିବା ଓ ଜ୍ଞାନ ବୃଦ୍ଧି କରିବା ଶିଖାଇଥାଏ, ଯାହା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ସେମାନଙ୍କୁ କିଛି ନା କିଛି ଶିଖିବାକୁ ପ୍ରୋତ୍ସାହିତ କରିଥାଏ ।

ସ୍ୱାମୀ ବିବେକାନନ୍ଦ ବି କହିଥିଲେ ଯେ ଶିକ୍ଷାର ଅର୍ଥ କେବଳ ପୁସ୍ତକ ଜ୍ଞାନ ପାଇବା ନୁହେଁ । ଶିକ୍ଷାର ଉଦ୍ଦେଶ୍ୟ ଚରିତ୍ରର ନିର୍ମାଣ, ଶିକ୍ଷାର ଅର୍ଥ ମସ୍ତିଷ୍କୁ ସୁଦୃଢ଼ କରିବା, ନିଜର ବୌଦ୍ଧିକ ଶକ୍ତିର ବିକାଶ, ଯାହାଫଳରେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବା ।

ଏକବିଂଶ ଶତାବ୍ଦୀର ଅର୍ଥବ୍ୟବସ୍ଥାରେ, ଯେଉଁଭଳି କୌଶଳ ଓ ଯୋଗ୍ୟତାର ଆବଶ୍ୟକତା ରହିଛି, ସେଥିରେ ଆମ ସମସ୍ତଙ୍କ ଦାୟିତ୍ୱ ହେଉଛି ଯୁବବର୍ଗଙ୍କ ପାଖରେ କିଛି ନା କିଛି ଦକ୍ଷତା ନିଶ୍ଚିତ ରହୁ । ଆମେ ଯୁବବର୍ଗଙ୍କୁ ଏଭଳି କରିବାକୁ ପଡ଼ିବ କି ସେମାନେ ଯୁକ୍ତିସଙ୍ଗତ ଚିନ୍ତା କରିବେ, “ଆଉଟ୍ ଅଫ୍ ବକ୍ସ” ଚିନ୍ତା କରିବେ ଓ ନିଜର କାମରେ ସୃଜନଶୀଳତା ଦେଖାଇବେ ।

ଆଜିର ଏଜେଣ୍ଡାରେ ଆଉ ଯେଉଁ ଏକ ମହତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ଅଛି, ତାହା ହେଉଛି ଆଭ୍ୟନ୍ତରୀଣ ସୁରକ୍ଷା । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ କିଭଳି ଚାଲେଞ୍ଜ ରହିଛି, ଉକ୍ତ ଚାଲେଞ୍ଜକୁ କିଭଳି ମୁକାବିଲା କରିପାରିବା, କିଭଳି ପରସ୍ପରକୁ ସହଯୋଗ କରିବା, ତାହା ଉପରେ ଆଲୋଚନା ହେବ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସେପର୍ଯ୍ୟନ୍ତ ସୁଦୃଢ଼ କରିପାରିବା ନାହିଁ, ଯେପର୍ଯ୍ୟନ୍ତ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ଉପରେ ଧ୍ୟାନକେନ୍ଦ୍ରିତ ନହୋଇଛି, ଏଜେନ୍ସୀଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ନରହିଛି, ଆମର ପୁଲିସ ଆଧୁନିକ ଚିନ୍ତା ଓ ଜ୍ଞାନକୌଶଳଯୁକ୍ତ ନହୋଇଛି । ଆମେ ଏ କ୍ଷେତ୍ରରେ ଲମ୍ବା ମାର୍ଗ ଅତିକ୍ରମ କରିସାରିଲେଣି କିନ୍ତୁ ଆମକୁ କ୍ରମାଗତ ନିଜର କାର୍ଯ୍ୟ-କୁଶଳତା ଓ କ୍ଷମତାକୁ ବୃଦ୍ଧି କରି ଚାଲିବାକୁ ହେବ । ଆମକୁ ପ୍ରତ୍ୟେକ ସମୟରେ ସତର୍କ ଓ ସତେଜ ରହିବାକୁ ପଡ଼ିବ ।

ଆନ୍ତଃ-ରାଜ୍ୟ ପରିଷଦର ବୈଠକ ଅଧିକ ଉନ୍ମୁକ୍ତ ପରିବେଶରେ, ଅତ୍ୟନ୍ତ ସ୍ପଷ୍ଟ ଭାବେ ପରସ୍ପରର ବିଚାର ଶୁଣିବା ଓ ଆଦାନପ୍ରଦାନ କରିବାର ସୁଯୋଗ ଦେଇଥାଏ । ମୁଁ ଆଶା କରୁଛି ଆପଣମାନେ ଏଜେଣ୍ଡାର ସବୁ ବିଷୟରେ ଖୋଲାଖୋଲି ନିଜର ରାୟ ଦେବେ, ନିଜର ପରାମର୍ଶ ଦେବେ । ଆପଣମାନଙ୍କ ପରାମର୍ଶ ବହୁତ ମୂଲ୍ୟବାନ ହେବ ।

ଯେତିକି ଆମେ ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସହମତ ହେବାରେ ସଫଳ ହେବା, ସେତିକି ସମସ୍ୟାକୁ ଅତିକ୍ରମ କରିବା ସହଜ ହେବ । ଏହି ପ୍ରକ୍ରିୟାରେ ଆମେ ନା କେବଳ ସଂଘୀୟ ଭାଗିଦାରୀର ଭାବନା ଓ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ବରଂ ଦେଶର ନାଗରିକଙ୍କ ଉଜ୍ୱଳ ଭବିଷ୍ୟତକୁ ବି ସୁନିଶ୍ଚିତ କରିବା ।