ପିଏମଇଣ୍ଡିଆ
ଆନ୍ତର୍ଜାତିକ ଇନ୍ଧନ ଏଜେନ୍ସୀ (ଆଇଆଇଏ) ଅନ୍ତର୍ଗତ ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ (ଏଏମଏଫ ଟିସିପି)ର ସଦସ୍ୟ ଭାବେ ଭାରତ ଯୋଗ ଦେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା । ଭାରତ 9 ମେ, 2018ରେ ଏହି କାର୍ଯ୍ୟକ୍ରମର ସଦସ୍ୟ ଭାବେ ଯୋଡ଼ି ହୋଇଥିଲା । ଆନ୍ତର୍ଜାତିକ ଇନ୍ଧନ ଏଜେନ୍ସୀର ରୂପରେଖ ଅନ୍ତର୍ଗତ ଏଏମଏଫ ଟିସିପି କାର୍ଯ୍ୟ କରିଥାଏ, ଯେଉଁଥିରେ ଭାରତର “ସମ୍ପର୍କଯୋଗ୍ୟ’ ସ୍ଥିତି 30 ମାର୍ଚ୍ଚ, 2017ରୁ ରହିଆସିଛି ।
ବିବରଣୀ :
ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏଏମଏଫ ଟିସିପି ସହ ଯୋଡ଼ିହେବାର ପ୍ରମୁଖ ଲକ୍ଷ୍ୟ ହେଉଛି ଉନ୍ନତ ମୋଟର ଇନ୍ଧନ/ବିକଳ୍ପ ଇନ୍ଧନକୁ ବଜାରକୁ ଛାଡ଼ିବାକୁ ସୁବିଧାଜନକ କରିବା, ଯାହାଦ୍ୱାରା ନିର୍ଗମନ କମ ହୋଇପାରିବ ଏବଂ ଏହାସହିତ ପରିବହନ କ୍ଷେତ୍ରରେ ଉଚ୍ଚ ଇନ୍ଧନ ଦକ୍ଷତା ହାସଲ କରାଯିବା । ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ ଦ୍ୱାରା ଇନ୍ଧନର ବିଶ୍ଳେଷଣ କରିବା, ପରିବହନ କ୍ଷେତ୍ରରେ ଉପଯୋଗ ଲାଗି ନୂତନ/ବିକଳ୍ପ ଇନ୍ଧନ ଚିହ୍ନଟ କରିବା ଏବଂ ଇନ୍ଧନର ଗଭୀର କ୍ଷେତ୍ରରେ ନିର୍ଗମନ ହ୍ରାସ କରିବା ସଂକ୍ରାନ୍ତ ଗବେଷଣା ଏବଂ ବିକାଶ ଗତିବିଧିକୁ ଜାଣିବାର ସୁଯୋଗ ମଧ୍ୟ ମିଳିବ ।
ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ ସହ ଜଡ଼ିତ ଗବେଷଣା ଏବଂ ବିକାଶ କାର୍ଯ୍ୟକୁ “ଅନୁଲଗ୍ନକ’ (ଆନେକ୍ସ) ନାମକ ବ୍ୟକ୍ତିଗତ ପ୍ରକଳ୍ପ ଅଧୀନରେ କରାଯାଇଥାଏ । ବିଗତ ବର୍ଷଗୁଡ଼ିକରେ ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ ଅନ୍ତର୍ଗତ 50ରୁ ଅଧିକ ଅନୁଲଗ୍ନକଗୁଡ଼ିକର ଆରମ୍ଭ କରାଯାଇଛି ଏବଂ ପୂର୍ବବର୍ତ୍ତୀ ଅନୁଲଗ୍ନକରେ ଅନେକ ଇନ୍ଧନ ଯେପରିକି ପୁନଃନିରୂପିତ ଇନ୍ଧନ (ଗ୍ୟାସୋଲିନ ଏବଂ ଡିଜେଲ), ଜୈବ ଇନ୍ଧନ (ଇଥାନଲ, ବାୟୋ ଡିଜେଲ ଆଦି), କୃତ୍ରିମ ଇନ୍ଧନ (ମିଥାନଲ, ଫିଶର-ଟ୍ରପ୍ଚ, ଡିଏମଇ ଆଦି) ଏବଂ ଗ୍ୟାସୀୟ ଇନ୍ଧନଗୁଡ଼ିକ କଭର କରାଯାଇଛି । ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକର ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ ଏବଂ ବାହନ ପରୀକ୍ଷଣ ଏଜେନ୍ସୀ ଯଥା ଏଆରଏଆଇ, ସିଆଇଆରଟି, ଆଇସିଏଟି, ଆଦି ନିକଟରେ ଅତ୍ୟାଧୁନିକ ସୁବିଧା ରହିଛି ଏବଂ ଏହା ସହିତ ସମ୍ବଳ ମଧ୍ୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସହଭାଗୀତା ଥିବା ଅନୁଲଗ୍ନକରେ ଯୋଗଦାନ ଦେବେ ।
ପ୍ରଧାନମନ୍ତ୍ରୀ “ଇନ୍ଧନ ସଂଗମ, 2015’ରେ ନିର୍ଦ୍ଦେଶ ଦେଇଥିଲେ ଯେ 2022 ସୁଦ୍ଧା ଇନ୍ଧନ କ୍ଷେତ୍ରରେ ହେଉଥିବା ଆମଦାନୀ ଅତିକମରେ 10 ପ୍ରତିଶତ କମ କରାଯାଉ । ଏହା ପରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଛନ୍ତି ଯେଉଁଥିରେ ଜୈବ ଇନ୍ଧନ ଏବଂ ଉନ୍ନତ /ବିକଳ୍ପ ଇନ୍ଧନ ସହିତ ଇନ୍ଧନ ଦକ୍ଷତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ ସହ ଯୋଡ଼ିହେବା ଦ୍ୱାରା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ପରିବହନ କ୍ଷେତ୍ର ଲାଗି ଉଚ୍ଚ କ୍ଷମତା ଏବଂ କମ ନିର୍ଗମନ ବିଶିଷ୍ଟ ଉପଯୁକ୍ତ ଇନ୍ଧନର ଚିହ୍ନ ଏବଂ ଉପଯୋଗରେ ସହାୟତା ମିଳିପାରିବ ।
ଭାରତ ସରକାର ନିକଟରେ ଜାତୀୟ ଜୈବ ଇନ୍ଧନ ନୀତି-2018କୁ ଅଧିସୂଚିତ କରିଛନ୍ତି ଯେଉଁଥିରେ ଉନ୍ନତ ଜୈବ ଇନ୍ଧନ ଯେପରିକି ଦ୍ଵିତୀୟ ପିଢି ଇଥାନଲ, ଜୈବ-ଜିଏନଜି, ଜୈବମିଥାନଲ, ଡ୍ରପ-ଇନ ଇନ୍ଧନ, ଡିଏମଇ, ଆଦି କ୍ଷେତ୍ରରେ ଗବେଷଣା ଏବଂ ବିକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରିବା ଲାଗି ଦୃଷ୍ଟିପାତ କରାଯାଉଛି । ଏହି ଉନ୍ନତ ଇନ୍ଧନଗୁଡ଼ିକୁ ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁ ଯେପରିକି ଫସଲର ଅବଶେଷ, ନଗର ନିଗମର କଠିନ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ, ବର୍ଜ୍ୟବସ୍ତୁରୁ ବାହାରୁଥିବା ଗ୍ୟାସ, ଖାଦ୍ୟ ଅପଶିଷ୍ଟ, ପ୍ଲାଷ୍ଟିକ ଆଦିରୁ ପ୍ରସ୍ତୁତ କରାଯାଉଛି, କିନ୍ତୁ ଭାରତ ଏବେ ମଧ୍ୟ ପରିବହନ କ୍ଷେତ୍ରରେ ଏଗୁଡ଼ିକର ଉପଯୋଗ କରିବାକୁ ଅପେକ୍ଷା କରି ରହିଛି । ଏହି ଉନ୍ନତ ଇନ୍ଧନ ବର୍ତ୍ତମାନ ଆମ ଦେଶରେ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ଏବଂ ଆମର ଇନ୍ଧନ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଇନ୍ଧନଗୁଡ଼ିକୁ ଏକ ଲାଭପ୍ରଦ ବିକଳ୍ପ କରିବା ଲାଗି ବ୍ୟାପକ ଗବେଷଣା ଏବଂ ବିକାଶର ଆବଶ୍ୟକତା ରହିଛି । ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ କାର୍ଯ୍ୟକ୍ରମ ସହ ଯୋଡ଼ି ହେବା ଦ୍ୱାରା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ନିକଟ ଭବିଷ୍ୟତରେ ପରିବହନ କ୍ଷେତ୍ରରେ ଉପଯୋଗ ଲାଗି ଅନୁକୂଳ ବୋଲି ମନେ କରାଯାଉଥିବା ଉନ୍ନତ ଜୈବ ଇନ୍ଧନ ଚିହ୍ନଟ କରିବାରେ ସହାୟତା ମିଳିପାରିବ । ଏପରି ମାମଲାରେ ଉନ୍ନତ ଜୈବ ଇନ୍ଧନର ଉପଯୋଗ କରୁଥିବା ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅଭିଜ୍ଞତା ମଧ୍ୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର କାମରେ ଲାଗିପାରିବ ।
ଏଏମଏଫ ଟିସିପି ସହ ଯୋଡ଼ି ହେବାର ଲାଭଗୁଡ଼ିକରେ ସହଭାଗୀ ବ୍ୟୟ ଏବଂ ଏକତ୍ରିତ ପ୍ରଯୁକ୍ତି ସମ୍ବଳ ସାମିଲ ରହିଛି । ଏହାର ଅନ୍ତର୍ଗତ ପୁନଃପ୍ରୟାସ କରିବାର ଆବଶ୍ୟକତା ପଡ଼ିନଥାଏ ତଥା ଏହାସହିତ ରାଷ୍ଟ୍ରୀୟ ଗବେଷଣା ଏବଂ ବିକାଶ ସମ୍ବନ୍ଧୀୟ କ୍ଷମତା ସୁଦୃଢ଼ ହୋଇଥାଏ । ଏହାବ୍ୟତୀତ, ଗ୍ରହଣ କରାଯାଉଥିବା ସର୍ବୋତ୍ତମ ପ୍ରଚଳନ ସହ ଜଡ଼ିତ ସୂଚନା ଏବଂ ଗବେଷଣକାକାରୀମାନଙ୍କ ନେଟୱାର୍କର ଆଦାନପ୍ରଦାନ ହୋଇଥାଏ । ଏହା ସହିତ ଗବେଷଣାକୁ ବ୍ୟବହାରିକ କାର୍ଯ୍ୟାନ୍ୱୟନ ସହ ଯୋଡ଼ିବା ସମ୍ଭବ ହୋଇପାରିଥାଏ । ଜୀବାଷ୍ମ ଇନ୍ଧନର ଆମଦାନୀର ପ୍ରତିସ୍ଥାପନରେ ଉନ୍ନତ ଜୈବ ଇନ୍ଧନ ଏବଂ ଅନ୍ୟ ବାହନ ଇନ୍ଧନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଧ୍ୟାନରେ ରଖି ଭାରତ ଏହି କାର୍ଯ୍ୟକ୍ରମର ସଦସ୍ୟ ହୋଇଯିବା ପରେ ଏହି ଇନ୍ଧନଗୁଡ଼ିକ ସହ ଜଡ଼ିତ ନିଜସ୍ୱ ରୁଚି ଥିବା ଅନ୍ୟ କ୍ଷେତ୍ରଗୁଡ଼ିକରେ ଗବେଷଣା ଏବଂ ବିକାଶ କାର୍ଯ୍ୟ ଆରମ୍ଭ କରିବ ।