ପିଏମଇଣ୍ଡିଆ
ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।
ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତ୍ତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ସମସ୍ତ ଆଶା କର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ ।
ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ 3000 ଟଙ୍କା ପାଉଥିଲେ ସେମାନେ ଏବେ 4500 ଟଙ୍କା ପାଇବେ । ସେହିପରି ଯେଉଁମାନେ 2200 ଟଙ୍କା ପାଉଥିଲେ ସେମାନେ 3500 ଟଙ୍କା ପାଇବେ । ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ 1500 ଟଙ୍କାରୁ ବୃଦ୍ଧି ପାଇ 2250 ଟଙ୍କା କରାଯାଇଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ICDS-CAS) ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତ୍ତା ପ୍ରଦାନ କରାଯିବ । ଏହି ଭତ୍ତା 250ରୁ 500 ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତ୍ତିକ ହେବ ।
ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ 3-A ଟିମ – ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ (ସହାୟିକା ନର୍ସ)ମାନଙ୍କ ସହ ମତ ବିନିମୟ କରିଥିଲେ । ଦେଶରେ କୁପୋଷଣ ହ୍ରାସ ଦିଗରେ ପୋଷଣ ଅଭିଯାନ ଲକ୍ଷ୍ୟକୁ ସଫଳ କରିବା ନେଇ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସେବା ପ୍ରଦାନରେ ଉନ୍ନତି ଲାଗି ସେମାନଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ପ୍ରାଦ୍ୟୋଗିକୀର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
**************
आशा व आंगनवाड़ी कर्मियों को सौगात #PMSamvadWithHealthWorkers pic.twitter.com/HS74v5cPV7
— PMO India (@PMOIndia) September 12, 2018
आंगनबाड़ी व आशा कार्यकर्ताओं के मानदेय में डेढ़ गुने की बढ़ोतरी।#PMSamvadWithHealthWorkers pic.twitter.com/APtBgz4fai
— PMO India (@PMOIndia) September 12, 2018