ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (23.06.2018) ମଧ୍ୟପ୍ରଦେଶ ଗସ୍ତରେ ଯାଉଛନ୍ତି ।
ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଇନ୍ଦୋରଠାରେ ଆୟୋଜିତ ହେବାକୁଥିବା ମଧ୍ୟପ୍ରଦେଶ ସହରୀ ବିକାଶ ମହୋତ୍ସବରେ ଯୋଗଦେବେ । ରାଜ୍ୟର ବିଭିନ୍ନ ଅଞ୍ଚଳ ଲାଗି 4000 କୋଟିରୁ ଅଧିକ ଟଙ୍କା ବ୍ୟୟରେ ସଂପୂର୍ଣ୍ଣ ହୋଇଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ପ୍ରଧାନମନ୍ତ୍ରୀ ରିମୋଟ ଜରିଆରେ ଉଦ୍ଘାଟନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଯୋଜନା, ସହରାଞ୍ଚଳ କଠିନ ବର୍ଜ୍ୟ ପରିଚାଳନା, ସହରାଞ୍ଚଳ ପରିମଳ, ସହରାଞ୍ଚଳ ପରିବହନ ଏବଂ ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ ।
ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସ୍ଵଚ୍ଛ ସର୍ବେକ୍ଷଣ – 2018 ପୁରସ୍କାର ପ୍ରଦାନ କରିବା ସହିତ ସ୍ଵଚ୍ଛ ସର୍ବେକ୍ଷଣ – 2018ର ଫଳାଫଳ (କମ୍ପ୍ୟୁଟର) ଡ଼େସବୋର୍ଡକୁ ଉନ୍ମୋଚନ କରିବେ । ସବୁଠାରୁ ସ୍ଵଚ୍ଛ ସହର ଏବଂ ଉତ୍ତମ ପ୍ରଦର୍ଶନ କରିଥିବା ରାଜ୍ୟମାନେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ । ସେହିପରି ଗୋଟିଏ ଲେଖାଏଁ ସ୍ଵଚ୍ଛ ନବସୃଜନ, ସ୍ଵଚ୍ଛ କାର୍ଯ୍ୟ ପଦ୍ଧତି ଏବଂ ସ୍ଵଚ୍ଛ ଉଦ୍ୟୋଗୀ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ।
ଏଥିପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘରଠାରେ ମୋହନପୁରା ପ୍ରକଳ୍ପ ରାଷ୍ଟ୍ରକୁ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପ ରାଜଘର ଜିଲ୍ଲାର କୃଷି ଜମିକୁ ଜଳସେଚନରେ ସହାୟକ ହେବ । ଏହା ମଧ୍ୟ ସେହି ଅଞ୍ଚଳର ଗ୍ରାମଗୁଡିକୁ ପାନୀୟ ଜଳ ଯୋଗାଇ ପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପାନୀୟ ଜଳ ଯୋଗାଣ ଯୋଜନାର ଶିଳାନ୍ୟାସ ମଧ୍ୟ କରିବେ ।
**********