ପିଏମଇଣ୍ଡିଆ
ସ୍ପେନର ମାଦ୍ରିଦ ଠାରେ 2ରୁ 13 ସେପ୍ଟେମ୍ବର 2019 ପର୍ଯ୍ୟନ୍ତ ଚିଲି ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମିଳନୀ । ଏହାର 25ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି)ରେ ଭାରତର ଆଲୋଚନା ଆଭିମୁଖ୍ୟକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ । ସିଓପି 25 ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଯେଉଁଥିରେ କ୍ୟୋଟୋ ପ୍ରୋଟୋକଲ ଅନ୍ତର୍ଗତ 2020 ପୂର୍ବ ଅବଧିରୁ ବାହାରି ପ୍ୟାରିସ ଚୁକ୍ତି ଅନ୍ତର୍ଗତ 2020ର ପରବର୍ତୀ ଅବଧିରେ ପ୍ରବେଶ ଲାଗି ଦେଶଗୁଡ଼ିକ ପ୍ରସ୍ତୁତି କରୁଛନ୍ତି । ଭାରତର ଆଭିମୁଖ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମିଳନୀ-ୟୁଏନଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସିଦ୍ଧାନ୍ତ ଏବଂ ବ୍ୟବସ୍ଥା ବିଶେଷ କରି ସ୍ୱଭାବିକ ନ୍ୟାୟର ସିଦ୍ଧାନ୍ତ ଓ ସାମଗ୍ରିକ କିନ୍ତୁ ପୃଥକ ଦାୟିତ୍ୱ ଓ ସମ୍ବନ୍ଧୀୟ କ୍ଷମତା (ସିବିଡିଆର-ଆରସି) ଦ୍ୱାରା ପରିଚାଳିତ ହେବ ।
ଜଳବାୟୁ ପରିବର୍ତ୍ତନ ଉପରେ ଭାରତର ନେତୃତ୍ୱ ସର୍ବଦା ସ୍ପଷ୍ଟ ରହିଆସିଛି ଏବଂ ସାରା ବିଶ୍ୱରେ ଏହାର ଆଲୋଚନା ହୋଇଛି । ଭାରତ ସରକାର ଜଳବାୟୁ ପରିବର୍ତ୍ତନର ସମସ୍ୟା ସହ ମୁକାବିଲା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଏସବୁ ପଦକ୍ଷେପ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପ୍ରତି ଭାରତର ପ୍ରତିବଦ୍ଧତା ଓ ମହତ୍ୱକାଂକ୍ଷାକୁ ଦର୍ଶାଉଛି । ମିଳିତ ଜାତିସଂଘ ମହାସଚିବଙ୍କ ଦ୍ୱାରା ନିକଟରେ ଆୟୋଜିତ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅକ୍ଷୟ ଶକ୍ତି ଲକ୍ଷ୍ୟକୁ 450 ଜିଗାୱାଟ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଭାରତର ପ୍ରସ୍ତାବ ବିଷୟରେ ଘୋଷଣା କରିଥିଲେ । ଏଥିସହିତ ସେ ସବୁ ରାଷ୍ଟ୍ରକୁ ସ୍ୱାଭାବିକ ନ୍ୟାୟ ଏବଂ ସିବିଡିଆରସିର ସିଦ୍ଧାନ୍ତ ଉପରେ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆହ୍ୱାନ କରିଥିଲେ । ଭାରତ ଅନ୍ତର୍ଜାତୀୟ ସୌର ମେଣ୍ଟ(ଆଇଏସଏ) ଜରିଆରେ ସୌର ଶକ୍ତି କ୍ଷମତା ବୃଦ୍ଧି କରିବାର ପ୍ରୟାସରେ ସାରା ବିଶ୍ୱରେ ଅଗ୍ରଣୀ ହୋଇପାରିଛି ।
ଆଇଏସଏ ବ୍ୟତୀତ ଭାରତ ଜଳବାୟୁ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ବିଶ୍ୱକୁ ଅନୁପ୍ରାଣିତ କରିବା ଲାଗି ନିଜର ପ୍ରୟାସ ଅନ୍ତର୍ଗତ ଦୁଇଟି ନୂଆ ଦିଗ ଆରମ୍ଭ କରିଛି । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଅନୁକୂଳ ଭିତିଭୂମି ମେଣ୍ଟ ସାମିଲ ଅଛି ଯାହା ଜଳବାୟୁ ବିଭିନ୍ନ ଦିଗରେ ସୂଚନା ସଂଗ୍ରହ କରିବା ଓ ବାଂଟିବା ଲାଗି ଏକ ମଂଚ ପ୍ରଦାନ କରିବ । ଭାରତ ଏବଂ ସ୍ୱିଡେନ ଦ୍ୱାରା ମିଳିତ ଭାବେ ‘ଶିଳ୍ପ ସଂକ୍ରମଣ ଉପରେ ନେତୃତ୍ୱ ସମୂହ’ ଆରମ୍ଭ କରାଯାଇଛି । ଏହା କାର୍ବନ ନିର୍ଗମନ ହ୍ରାସ ଏବଂ ପ୍ରଯୁକ୍ତି ନବୋନ୍ମେଷ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ ଦେଶର ସରକାର ଓ ଘରୋଇ କ୍ଷେତ୍ର ପାଇଁ ମଂଚ ଉପଲବ୍ଧ କରାଇବ ।
ଭାରତ ନିଜ କାର୍ଯ୍ୟାନୁଷ୍ଠାନକୁ ନେଇ ଯଥେଷ୍ଟ ମହତ୍ୱାକାଂକ୍ଷୀ ହୋଇ ରହିଛି ଏବଂ ଏଥିପ୍ରତି ଜୋର ଦେଇଛି ଯେ ବିକଶିତ ଦେଶ ମହତ୍ୱାକାଂକ୍ଷୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିବା ଉଚିତ । 2020 ସୁଦ୍ଧା ବାର୍ଷିକ 100 ଆମେରିକୀୟ ଡଲାରର ଜଳବାୟୁ ଆର୍ଥିକ ପ୍ରତିବଦ୍ଧତାକୁ ପୂରଣ କରିବା ଉଚିତ । ଭାରତ ବିକଶିତ ଦେଶଗୁଡ଼ିକ ଉପରେ 2020 ପୂର୍ବର ଆବଶ୍ୟକତା ପୂରଣ କରିବା ଉପରେ ଜୋର ଦେବ ଏବଂ 2020 ପରବର୍ତ୍ତୀ ଅବଧିରେ ବିକାଶଶୀଳ ଦେଶ ଉପରେ ଯେପରି ଅତିରିକ୍ତ ବୋଝ ନପଡ଼ିବ ତାହା ସୁନିଶ୍ଚିତ କରିବା ଲାଗି ପ୍ରୟାସ କରିବ ।
ସାମଗ୍ରିକ ଭାବେ ଭାରତ ଗଠନମୂଳକ ଏବଂ ସକାରାତ୍ମକ ଦୃଷ୍ଟିକୋଣ ସହିତ ଦୀର୍ଘ ଅବଧିର ବିକାଶ ହିତକୁ ସୁରକ୍ଷା ଦେଇ ଆଗକୁ ମିଳିମିଶି କାମ କରିବା ଲାଗି ଆଶା ବ୍ୟକ୍ତ କରିଛି ।
**********