ପିଏମଇଣ୍ଡିଆ
ନମସ୍କାର ।
ଶୁଭ ସନ୍ଧ୍ୟା ।
ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମର ଏହି ସଂସ୍କରଣରେ ଯୋଗ ଦେଇ, ଏତେ ପରିଚିତ ମୁହଁ ଦେଖିବା ଏକ ଆନନ୍ଦର ବିଷୟ। ମୁଁ ନିଶ୍ଚିତ ଯେ, ବିଶେଷକରି ଏପରି ଏକ ସମୟରେ ଯେତେବେଳେ ସମଗ୍ର ବିଶ୍ୱ ଭାରତ ଉପରେ ଆସ୍ଥା ରଖିଛି, ସେତେବେଳେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ଏଠାରେ ଉତ୍କୃଷ୍ଟ ଆଲୋଚନା ହୋଇଛି।
ବନ୍ଧୁଗଣ,
ଭାରତ ଆଜି ଏକ ଅନନ୍ୟ ସଫଳତାର କାହାଣୀ ପ୍ରସ୍ତୁତ କରୁଛି। ଆମର ସଂସ୍କାରର ପ୍ରଭାବ ଆମ ଅର୍ଥନୀତିର ଦୃଶ୍ୟପଟ୍ଟରେ ସୁସ୍ପଷ୍ଟ। ପ୍ରକୃତରେ, ଭାରତ ପ୍ରାୟତଃ ପୂର୍ବାନୁମାନ ଓ ସମକକ୍ଷ ଦେଶଗୁଡିକୁ ଅତିକ୍ରମ କରି ପଛରେ ପକାଇଛି। ଉଦାହରଣ ସ୍ୱରୂପ, ଗତ ଦଶ ବର୍ଷରେ, ବିଶ୍ୱ ଅର୍ଥନୀତି ୩୫ ପ୍ରତିଶତ ଅଭିବୃଦ୍ଧି ପାଇଛି। ତଥାପି, ସେହି ସମୟ ମଧ୍ୟରେ, ଆମର ଅର୍ଥନୀତି ପ୍ରାୟ ୯୦ ପ୍ରତିଶତ ବିସ୍ତାରିତ ହୋଇଛି । ଏହା ହେଉଛି ଆମେ ହାସଲ କରିଥିବା ନିରନ୍ତର ଅଭିବୃଦ୍ଧି, ଆମେ ପ୍ରତିଶ୍ରୁତି ଦେଉଥିବା ନିରନ୍ତର ଅଭିବୃଦ୍ଧି ଏବଂ ଭବିଷ୍ୟତରେ ମଧ୍ୟ ଏହି ନିରନ୍ତର ଅଭିବୃଦ୍ଧି ଜାରି ରହିବ ।
ବନ୍ଧୁଗଣ,
ବିଗତ ବର୍ଷଗୁଡ଼ିକରେ, ଆମେ କୋଟି କୋଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛୁ। ଆମର ସରକାର ଅଗଣିତ ନାଗରିକଙ୍କ ଜୀବନକୁ ସ୍ପର୍ଶ କରିପାରିଛି। ଆମେ ଏହି ଦେଶର ଲୋକମାନଙ୍କୁ ସୁଶାସନ ପ୍ରଦାନ କରିବାକୁ ପ୍ରତିବଦ୍ଧ। ସଂସ୍କାର, କାର୍ଯ୍ୟଦକ୍ଷତା, ରୂପାନ୍ତର ଆମର ମନ୍ତ୍ର ହୋଇଛି, ଏବଂ ଆମକୁ ପରିଚାଳିତ କରୁଥିବା ସେବାର ଭାବନାକୁ ଭାରତର ଲୋକମାନେ ସ୍ୱୀକୃତି ଦେଇଛନ୍ତି। ସେମାନେ ଗତ ଦଶନ୍ଧିରେ ଦେଶର ସଫଳତା ଦେଖିଛନ୍ତି, ଯାହା ଫଳରେ ଆଜି ଭାରତର ଲୋକମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସରେ ଭରିରହିଛି। ନିଜ ଉପରେ, ଦେଶର ପ୍ରଗତିରେ, ଆମର ନୀତିରେ, ଆମର ନିଷ୍ପତ୍ତିରେ ଏବଂ ଆମର ଉଦ୍ଦେଶ୍ୟ ଉପରେ ବିଶ୍ୱାସ ରହିଛି। ଯେତେବେଳେ ଆମେ ବିଶ୍ୱସ୍ତରୀୟ ପରିପ୍ରେକ୍ଷୀକୁ ବିଚାର କରୁ, ଯେଉଁଠାରେ ବହୁ ପ୍ରମୁଖ ଦେଶ ଏହି ବର୍ଷ ନିର୍ବାଚନ କରିଛନ୍ତି ଏବଂ ପରିବର୍ତ୍ତନ ଆଡ଼କୁ ଧାରା ରହିଛି, ସରକାରଗୁଡ଼ିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି, ଭାରତ ସମ୍ପୂର୍ଣ୍ଣ ବିପରୀତ ପଥ ଗ୍ରହଣ କରିଛି। ଭାରତର ନାଗରିକମାନେ ଏହି ଧାରା ବିରୋଧରେ ଏକ ଜନାଦେଶ ପ୍ରଦାନ କରିଛନ୍ତି। ୬୦ ବର୍ଷରେ ପ୍ରଥମ ଥର ପାଇଁ, ଭାରତୀୟ ଭୋଟରମାନେ ଏକ ସରକାରଙ୍କୁ ଲଗାତାର ତୃତୀୟ ଥର ପାଇଁ ସୁରକ୍ଷିତ କରିବାରେ ସକ୍ଷମ କରିଛନ୍ତି। ଭାରତର ଆକାଂକ୍ଷୀ ଯୁବପିଢ଼ି ଏବଂ ମହିଳାମାନେ ନିରନ୍ତରତା, ରାଜନୈତିକ ସ୍ଥିରତା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଭୋଟ ଦେଇଛନ୍ତି। ଏଥିପାଇଁ ଭାରତବାସୀଙ୍କୁ ଧନ୍ୟବାଦ ଦେବା ନିମନ୍ତେ କୌଣସି କୃତଜ୍ଞତାର ଶବ୍ଦ ଯଥେଷ୍ଟ ହେବ ନାହିଁ।
ବନ୍ଧୁଗଣ,
ଆଜି, ଭାରତର ପ୍ରଗତି ବିଶ୍ୱସ୍ତରୀୟ ଶିରୋନାମାରେ ସ୍ଥାନ ପାଇଛି। ପରିସଂଖ୍ୟାନ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ, ପରିବର୍ତ୍ତନ ହେଉଥିବା ଜୀବନକୁ ବିଚାର କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଏହି ପରିବର୍ତ୍ତନରେ ଭାରତର ଭବିଷ୍ୟତର ଚାବିକାଠି ନିହିତ ଅଛି। ଗତ ଦଶନ୍ଧି ମଧ୍ୟରେ, ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏହି ବ୍ୟକ୍ତିମାନେ କେବଳ ଦାରିଦ୍ର୍ୟରୁ ବାହାରି ଆସି ନାହାନ୍ତି, ବରଂ ସେମାନେ ଏକ ନୂତନ-ମଧ୍ୟମ ଶ୍ରେଣୀ ମଧ୍ୟ ଗଠନ କରିଛନ୍ତି। ଏହି ପରିବର୍ତ୍ତନର ଗତି ଏବଂ ପରିମାଣ ବିଶ୍ୱର ଯେକୌଣସି ଗଣତାନ୍ତ୍ରିକ ସମାଜରେ ଅଭୂତପୂର୍ବ। ଏହା ଭାରତରେ ସମ୍ଭବ ହୋଇପାରିଥିଲା କାରଣ ଆମେ ଗରିବଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ପରିବର୍ତ୍ତନ କରିଥିଲୁ। ଗରିବମାନଙ୍କର ଆକାଂକ୍ଷା ଏବଂ ସ୍ଥିରତା ଥିଲା, ପ୍ରାୟତଃ ଆମ ଅପେକ୍ଷା ଅଧିକ, କିନ୍ତୁ ସେମାନଙ୍କ ରାସ୍ତାରେ ଅନେକ ପ୍ରତିବନ୍ଧକ ଉଭା ହୋଇଥିଲା। ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ମୌଳିକ ସୁବିଧା ଉପଲବ୍ଧ ନଥିଲା। ପ୍ରତିକ୍ରିୟାରେ, ଆମେ ଗରିବମାନଙ୍କୁ ସଶକ୍ତ କରିବାର ପଥ ବାଛିଲୁ। ଆମେ ସେମାନଙ୍କ ରାସ୍ତାରୁ ପ୍ରତିବନ୍ଧକ ଗୁଡ଼ିକୁ ଦୂର କରି ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଥିଲୁ। ଏବେ ପରିବର୍ତ୍ତନକୁ ଦେଖନ୍ତୁ: ଯେଉଁମାନଙ୍କର ଦଶନ୍ଧି ଧରି ବ୍ୟାଙ୍କ ଆକାଉଣ୍ଟ ନଥିଲା ସେମାନେ ଏବେ ସେମାନଙ୍କ ଆକାଉଣ୍ଟରୁ ଡିଜିଟାଲ କାରବାର କରୁଛନ୍ତି। ଯେଉଁମାନେ ଥରେ ବ୍ୟାଙ୍କିଂ ବ୍ୟବସ୍ଥାରୁ ବାଦ ପଡ଼ିଥିଲେ, ସେମାନେ ଏବେ ବିନା ବନ୍ଧକ ଗ୍ୟାରେଣ୍ଟିରେ ବ୍ୟାଙ୍କ ଋଣ ପାଉଛନ୍ତି ଏବଂ ଉଦ୍ୟୋଗୀ ହେଉଛନ୍ତି। ଯେଉଁମାନେ ବିଶ୍ୱରେ ଘଟୁଥିବା ପରିବର୍ତ୍ତନ ବିଷୟରେ ଅଜ୍ଞ ଥିଲେ, ସେମାନଙ୍କ ପାଖରେ ଏବେ ଡିଭାଇସ୍ ଏବଂ ସଂଯୋଗ ଅଛି, ଯାହା ସେମାନଙ୍କୁ ଉତ୍ତମ ସୂଚନାପ୍ରାପ୍ତ ନାଗରିକ କରିଥାଏ।
ଯେଉଁମାନେ ଦାରିଦ୍ର୍ୟର ସଂଘର୍ଷରୁ ବାହାରି ଆସିଛନ୍ତି ସେମାନେ ପ୍ରଗତି ପାଇଁ ଏକ ଭୋକ ଦ୍ୱାରା ପରିଚାଳିତ। ସେମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବାକୁ ଚାହାଁନ୍ତି। ସେମାନଙ୍କର ଆକାଂକ୍ଷା ନୂତନ ଭିତ୍ତିଭୂମି ସୃଷ୍ଟିକୁ ଇନ୍ଧନ ଦେଉଛି, ସେମାନଙ୍କର ସୃଜନଶୀଳତା ନବସୃଜନକୁ ଚାଳିତ କରୁଛି, ସେମାନଙ୍କର ଦକ୍ଷତା ଶିଳ୍ପ ଦିଗକୁ ଆକାର ଦେଉଛି, ସେମାନଙ୍କର ଆବଶ୍ୟକତା ବଜାର ଧାରା ନିର୍ଣ୍ଣୟ କରୁଛି, ଏବଂ ସେମାନଙ୍କର ବର୍ଦ୍ଧିତ ଆୟ ବଜାର ଚାହିଦାକୁ ପ୍ରୋତ୍ସାହିତ କରୁଛି। ଭାରତର ଏହି ନବ-ମଧ୍ୟମବର୍ଗ ଦେଶକୁ ଆଗକୁ ବଢାଇବା ଦିଗରେ ସର୍ବୋତ୍ତମ ଶକ୍ତି ଭାବରେ ପ୍ରମାଣିତ ହେଉଛି ।
ବନ୍ଧୁଗଣ,
ଯେତେବେଳେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା, ମୁଁ କହିଥିଲି ଯେ, ଆମର ତୃତୀୟ କାର୍ଯ୍ୟକାଳରେ, ସରକାର ତିନି ଗୁଣ ଗତିରେ କାମ କରି। ମୁଁ ଆପଣଙ୍କୁ ଆଶ୍ୱସ୍ତି ଦେଉଛି, ଆମର ସଂକଳ୍ପ ଆହୁରି ଦୃଢ଼ ହୋଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ପରି, ସରକାର ଆଶା ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଏହି ତୃତୀୟ କାର୍ଯ୍ୟକାଳ ସରକାର ଗଠନ ହେବାର ୧୦୦ ଦିନ ମଧ୍ୟ ହୋଇନାହିଁ, ତଥାପି ଆମେ ଭୌତିକ ଭିତ୍ତିଭୂମିର ଆଧୁନିକୀକରଣ, ସାମାଜିକ ଭିତ୍ତିଭୂମିର ବିସ୍ତାର ଏବଂ ସ୍ଥାୟୀ ସଂସ୍କାରକୁ ଆଗକୁ ବଢ଼ାଇବାରେ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ। ଗତ ତିନି ମାସ ମଧ୍ୟରେ, ଆମେ ଗରିବ, ଚାଷୀ, ଯୁବବର୍ଗ ଏବଂ ମହିଳାଙ୍କ ଲାଭ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଆମେ ଗରିବଙ୍କ ପାଇଁ ତିନି କୋଟି ନୂତନ ଘର ମଞ୍ଜୁର କରିଛୁ, ଏକୀକୃତ ପେନସନ ଯୋଜନା ଘୋଷଣା କରିଛୁ, କୃଷି ଭିତ୍ତିଭୂମି ପାଣ୍ଠିକୁ ୧ ଲକ୍ଷ କୋଟି ଟଙ୍କାକୁ ବିସ୍ତାର କରିଛୁ, ୧୦୦ ରୁ ଅଧିକ ପ୍ରକାରର ଉନ୍ନତ ବିହନ ଜାରି କରିଛୁ, ଏବଂ ୨ ଲକ୍ଷ କୋଟି ଟଙ୍କାର ଏକ ପ୍ରଧାନମନ୍ତ୍ରୀ ପ୍ୟାକେଜ ଆରମ୍ଭ କରିଛୁ, ଯାହା ୪ କୋଟିରୁ ଅଧିକ ଯୁବକଙ୍କୁ ସିଧାସଳଖ ଲାଭ ପହଞ୍ଚାଇଛି। ଏହା ସହିତ, ମାତ୍ର ୧୦୦ ଦିନ ମଧ୍ୟରେ, ସାଧାରଣ ପରିବାରର ୧୧ ଲକ୍ଷ ଗ୍ରାମୀଣ ମହିଳା ‘ଲକ୍ଷପତି‘ ହୋଇଛନ୍ତି – ମହିଳାଙ୍କ ଆର୍ଥିକ ସଶକ୍ତୀକରଣକୁ ଆଗକୁ ବଢ଼ାଇବାରେ ଏକ ଉଲ୍ଲେଖନୀୟ ସଫଳତା।
ବନ୍ଧୁଗଣ,
ଗତକାଲି ମୁଁ ମହାରାଷ୍ଟ୍ରର ପାଲଘରରେ ଥିଲି, ଯେଉଁଠାରେ ଆମେ ୭୫,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ବଧବନ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲୁ। ମାତ୍ର ତିନି ଦିନ ପୂର୍ବରୁ, ଆମେ ୩୦,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ ୧୨ଟି ନୂତନ ଶିଳ୍ପ ସହର ନିର୍ମାଣକୁ ମଞ୍ଜୁରୀ ଦେଇଥିଲୁ। ଏହା ବ୍ୟତୀତ, ୫୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆଠଟି ହାଇ-ସ୍ପିଡ୍ କରିଡରକୁ ମଞ୍ଜୁରୀ ଦିଆଯାଇଛି। ଆମେ ୩୦,୦୦୦ କୋଟି ଟଙ୍କା ସହିତ ପୁଣେ, ଥାଣେ ଏବଂ ବାଙ୍ଗାଲୋର ମେଟ୍ରୋ ସିଷ୍ଟମର ସମ୍ପ୍ରସାରଣକୁ ମଧ୍ୟ ଅନୁମୋଦନ କରିଛୁ। ଏହି ସମୟରେ, ଲଦାଖରେ ବିଶ୍ୱର ସର୍ବୋଚ୍ଚ ସୁଡ଼ଙ୍ଗ ମଧ୍ୟରୁ ଗୋଟିଏ ଉପରେ କାମ ଆରମ୍ଭ ହୋଇଛି।
ବନ୍ଧୁଗଣ,
ଆମ ପାଇଁ, ଭିତ୍ତିଭୂମି କେବଳ ଲମ୍ବ, ପ୍ରସ୍ଥ ଏବଂ ଉଚ୍ଚତା ବୃଦ୍ଧି ବୃଦ୍ଧି କରିବାରେ ସୀମିତ ନୁହେଁ- ଏହା ଭାରତୀୟ ନାଗରିକଙ୍କ ପାଇଁ ସୁବିଧା ଏବଂ ଜୀବନଧାରଣର ଗୁଣବତ୍ତା ଉନ୍ନତ କରିବାର ଏକ ମାଧ୍ୟମ। ପୂର୍ବରୁ, ରେଳ କୋଚ୍ ତିଆରି କରାଯାଉଥିଲା,କିନ୍ତୁ ଏବେ ଆମେ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ପ୍ରଚଳନ କରିଛୁ, ଯାହା ଗତି ସହିତ ଆରାମ ଉଭୟ ପ୍ରଦାନ କରୁଛି। ଆଜି ସକାଳେ, ମୁଁ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ୍ କୁ ପତାକା ଦେଖାଇ ଶୁଭାରମ୍ଭ କଲି। ସଡ଼କ ପୂର୍ବରୁ ମଧ୍ୟ ନିର୍ମାଣ ହେଉଥିଲା, କିନ୍ତୁ ଆଜି ଆମେ ଆଧୁନିକ ଏକ୍ସପ୍ରେସୱେର ଏକ ନେଟୱାର୍କ ବିକଶିତ କରୁଛୁ। ପୂର୍ବରୁ ବିମାନବନ୍ଦର ମଧ୍ୟ ଥିଲା, କିନ୍ତୁ ଆମେ ଏବେ ଭାରତର ଦ୍ୱିତୀୟ ଏବଂ ତୃତୀୟସ୍ତରୀୟ ସହରଗୁଡ଼ିକୁ ବିମାନ ସଂଯୋଗ ମାଧ୍ୟମରେ ଯୋଡିପାରିଛୁ। ଆମେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ପ୍ରଚଳନ କରିଛୁ, ଯାହାର ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ସରକାର ଏବଂ ସରକାରୀ ବିଭାଗଗୁଡ଼ିକୁ ସାଇଲୋସରେ କାମ କରିବାର ପ୍ରଥାରୁ ମୁକ୍ତ କରିବା। ଏହି ପ୍ରୟାସଗୁଡ଼ିକ ବିପୁଳ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରୁଛି, ଯାହା ଆମର ଅର୍ଥନୀତି ଏବଂ ଶିଳ୍ପଗୁଡ଼ିକୁ ବହୁଳ ଭାବରେ ଲାଭ ପହଞ୍ଚାଉଛି।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀର ତୃତୀୟ ଦଶକ ଭାରତ ପାଇଁ ଏକ “ଲିଫ୍ଟ-ଅଫ୍(ଉତ୍ଥାନ)” ଦଶକକୁ ପ୍ରତିନିଧିତ୍ୱ କରୁଛି। ଏହା କିପରି ହେବ? କାହାକୁ ଲାଭ ହେବ? ଆମେ ହିଁ ଏହାକୁ ସାର୍ଥକ କରୁଛୁ, ଏବଂ ଏହାର ଲାଭ ସମସ୍ତଙ୍କୁ—ସମଗ୍ର ଦେଶକୁ—ମିଳିବ। ଆପଣମାନଙ୍କ ସମସ୍ତଙ୍କ ସହିତ, ଭାରତୀୟ ଅର୍ଥନୀତିର ଅଂଶୀଦାର ଏବଂ ଘରୋଇ କ୍ଷେତ୍ରର ବନ୍ଧୁମାନେ, ଏଠାରେ ଉପସ୍ଥିତ ଆଜି, ମୁଁ ସେହି ସ୍ତମ୍ଭଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ଚାହୁଁଛି ଯାହା ଏକ ବିକଶିତ ଭାରତ ନିର୍ମାଣକୁ ତ୍ୱରାନ୍ୱିତ କରିବ। ଏହି ସ୍ତମ୍ଭଗୁଡ଼ିକ କେବଳ ଭାରତର ସମୃଦ୍ଧି ନୁହେଁ, ବରଂ ବିଶ୍ୱ ସମୃଦ୍ଧିକୁ ମଧ୍ୟ ପ୍ରତିନିଧିତ୍ୱ କରନ୍ତି। ଆଜି, ଭାରତ ଭିତରେ ପ୍ରତ୍ୟେକ ଦିଗରେ ସୁଯୋଗ ବିସ୍ତାର ହେଉଛି, ଏବଂ ସରକାର ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରୁଛି। ଆମେ ଏକ ବିରାଟ ଲମ୍ଫ ନେବାକୁ ପ୍ରସ୍ତୁତ ଅଛୁ, ଏବଂ ଏହା କରିବା ପାଇଁ, ଆମେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ କାମ କରୁଛୁ।
ବନ୍ଧୁଗଣ,
ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷା ହେଉଛି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବେ ଦେଖିବା ଏବଂ ଏହା ସାରା ବିଶ୍ୱର ଆମଠାରୁ ଆଶା ମଧ୍ୟ। ଆଜି ଆପଣମାନେ ସାରା ଦେଶରେ ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ଘଟୁଥିବା ଏକ ବିପ୍ଳବକୁ ଦେଖିପାରିବେ। ଆମର ଏମ୍ଏସ୍ଏମ୍ଇ (ମାଇକ୍ରୋ, ସ୍ମଲ୍ ଏଣ୍ଡ ମିଡିୟମ୍ ଏଣ୍ଟରପ୍ରାଇଜେସ୍)ଗୁଡ଼ିକୁ ଏକ ଅଭୂତପୂର୍ବ ସ୍ତରର ସମର୍ଥନ ମିଳୁଛି। ସହରଗୁଡ଼ିକରେ ପ୍ଲଗ୍-ଏଣ୍ଡ-ପ୍ଲେ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯାଉଛି, ଏବଂ ଅର୍ଥନୈତିକ କରିଡର ବିକଶିତ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଉତ୍ପାଦନକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରାଯାଉଛି। ଭାରତର ପ୍ରୋଡକ୍ସନ୍-ଲିଙ୍କଡ୍ ଇନସେଣ୍ଟିଭ୍ (PLI) ଯୋଜନାର ସଫଳତା ନିଶ୍ଚୟ ଉଲ୍ଲେଖନୀୟ।
ବନ୍ଧୁଗଣ,
ଉପନିବେଶିକ ଶାସନ ପୂର୍ବରୁ, ଭାରତର ସମୃଦ୍ଧିର ପ୍ରମୁଖ ଭିତ୍ତିଭୂମି ମଧ୍ୟରୁ ଗୋଟିଏ ଥିଲା ଆମର ସମୃଦ୍ଧ ଜ୍ଞାନ, ପରମ୍ପରା ଏବଂ ବ୍ୟବସ୍ଥା। ଏହା ଏକ ବିକଶିତ ଭାରତର ଏକ ଅତ୍ୟାବଶ୍ୟକ ସ୍ତମ୍ଭ ହୋଇ ରହିଛି। ଆମ ମଧ୍ୟରୁ କିଏ ଚାହେଁ ନାହିଁ ଯେ, ଭାରତ ଦକ୍ଷତା, ଜ୍ଞାନ, ଗବେଷଣା ଏବଂ ନବସୃଜନର କେନ୍ଦ୍ର ହେଉ? ଏହାକୁ ହାସଲ କରିବା ପାଇଁ, ସରକାର ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗୀତାକୁ ପ୍ରୋତ୍ସାହିତ କରୁଛନ୍ତି, ଯାହା ଏହି ବର୍ଷର ବଜେଟରେ ଦୃଢ଼ ଭାବରେ ପ୍ରତିଫଳିତ ହୋଇଛି। ଏହା ହେଉଛି ୧ ଲକ୍ଷ କୋଟି ଟଙ୍କାର ଏକ ଗବେଷଣା ପାଣ୍ଠି ପ୍ରତିଷ୍ଠା ପଛରେ ଯୁକ୍ତି। ଦେଶ ଭାରତରେ ଶ୍ରେଷ୍ଠ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକର କ୍ୟାମ୍ପସ ଖୋଲିବାକୁ ମଧ୍ୟ ଚେଷ୍ଟା କରୁଛି, ଯାହା ଆମର ମଧ୍ୟବିତ୍ତ ଶ୍ରେଣୀର ପିଲାମାନଙ୍କୁ, ଯେଉଁମାନେ ବିଦେଶରେ ଶିକ୍ଷା ପାଇଁ ଯଥେଷ୍ଟ ପରିମାଣରେ ଖର୍ଚ୍ଚ କରନ୍ତି, ସେହି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ କରିବ। ଉଦାହରଣ ସ୍ୱରୂପ, ସ୍ୱାଧୀନତାର ପରବର୍ତ୍ତୀ ସାତ ଦଶନ୍ଧିରେ, ଭାରତରେ ଏମ୍ବିବିଏସ୍ ଏବଂ ଏମ୍ଡି ସିଟ୍ ସଂଖ୍ୟା ପ୍ରାୟ ୮୦,୦୦୦ ରହିଥିଲା, ଯାହା ଆମର ଅନେକ ଛାତ୍ରଙ୍କୁ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯିବାକୁ ବାଧ୍ୟ କରିଥିଲା। ତଥାପି, ଗତ ଦଶ ବର୍ଷରେ, ଆମେ ସାରା ଦେଶରେ ପ୍ରାୟ ଏକ ଲକ୍ଷ ନୂତନ ଏମ୍ବିବିଏସ୍ ଏବଂ ଏମ୍ଡି ସିଟ୍ ଯୋଡିଛୁ। ଆଜି ଭାରତରେ ଏକ ଲକ୍ଷ ଅଶୀ ହଜାରରୁ ଅଧିକ ଏମ୍ବିବିଏସ୍ ଏବଂ ଏମ୍ଡି ସିଟ୍ ଅଛି। ଏହି ବର୍ଷ ଅଗଷ୍ଟ ୧୫ ତାରିଖରେ, ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଘୋଷଣା କରିଥିଲି ଯେ, ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଚିକିତ୍ସା କ୍ଷେତ୍ରରେ ୭୫,୦୦୦ ନୂତନ ସିଟ୍ ଯୋଡାଯିବ। ସେହି ଦିନ ଦୂରରେ ନାହିଁ ଯେତେବେଳେ ଭାରତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ କେନ୍ଦ୍ର ହୋଇଯିବ।
ବନ୍ଧୁଗଣ,
ଭାରତ ବିଶ୍ୱର ଗ୍ଲୋବାଲ୍ ଫୁଡ୍ ବାସ୍କେଟ୍ ହେବାର ଆଉ ଏକ ମହାନ ମହତ୍ତ୍ୱାକାଂକ୍ଷା ରଖିଛି। ଆମର ଜାତୀୟ ସଙ୍କଳ୍ପ ହେଉଛି—‘ମେଡ୍ ଇନ୍ ଭାରତ’ ଖାଦ୍ୟ ପଦାର୍ଥ ପୃଥିବୀର ପ୍ରତ୍ୟେକ ଭୋଜନ ଟେବୁଲରେ ରହିବା ଉଚିତ। ଏହି ଦୃଷ୍ଟିକୋଣ ପୂରଣ ପାଇଁ ଆମେ ଏକା ସମୟରେ ଅନେକ ପଦକ୍ଷେପ ଗ୍ରହଣ କରୁଛୁ। ଆଜି, ଜୈବିକ ଏବଂ ପ୍ରାକୃତିକ କୃଷି ଉପରେ ପ୍ରବଳ ଗୁରୁତ୍ୱ ଦିଆଯାଉଛି। ଆମର ଦୁଗ୍ଧଜାତ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟର ଗୁଣବତ୍ତା ଉନ୍ନତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଆପଣମାନେ ମନେ ରଖିଥିବେ ଯେ ଗତ ବର୍ଷ ସମଗ୍ର ବିଶ୍ୱ ଭାରତ ଦ୍ୱାରା ପରିଚାଳିତ ଏକ ପ୍ରୟାସ – ଅନ୍ତର୍ଜାତୀୟ ବାଜରା ବର୍ଷ ପାଳନ କରିଥିଲା। ଭାରତ ବିଶ୍ୱସ୍ତରରେ ବାଜରା ଉତ୍ପାଦନର ସର୍ବବୃହତ ଦେଶ, ଏବଂ ଏହି ସୁପରଫୁଡ୍ – ପ୍ରକୃତି ଏବଂ ମାନବ ପ୍ରଗତି ଉଭୟ ପାଇଁ ଲାଭଦାୟକ। ମୁଁ ଏହା ଦେଖି ଖୁସି ଯେ, ଭାରତ ଏବେ ବିଶ୍ୱର ଶୀର୍ଷ ଖାଦ୍ୟ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ନିଜ ସ୍ଥାନ ସୁନିଶ୍ଚିତ କରୁଛି।
ବନ୍ଧୁଗଣ,
ଗ୍ରିନ୍ ଏନର୍ଜି କ୍ଷେତ୍ରଟି ଏକ ବିକଶିତ ଭାରତର ଆଉ ଏକ ଦୃଢ଼ ସ୍ତମ୍ଭ ହେବାକୁ ଯାଉଛି। ଆପଣମାନେ G-20 ଶିଖର ସମ୍ମିଳନୀରେ ଭାରତର ସଫଳତା ଦେଖିଛନ୍ତି, ଯେଉଁଠାରେ ଆମର ସବୁଜ ହାଇଡ୍ରୋଜେନ୍ ପଦକ୍ଷେପ ସମସ୍ତ ଅଂଶଗ୍ରହଣକାରୀ ଦେଶମାନଙ୍କର ସମର୍ଥନ ହାସଲ କରିଥିଲା। ଭାରତ ୨୦୩୦ ସୁଦ୍ଧା ୫ ନିୟୁତ ଟନ୍ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କରିବାର କ୍ଷମତା ବିକଶିତ କରିବାକୁ ପ୍ରତିବଦ୍ଧ। ଏହା ସହିତ, ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ନବୀକରଣୀୟ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।
ବନ୍ଧୁଗଣ,
ବିଗତ ବର୍ଷଗୁଡ଼ିକରେ, ପ୍ରଯୁକ୍ତିବିଦ୍ୟା ଆମ ଅଭିବୃଦ୍ଧିର ଏକ ପ୍ରମୁଖ ପରିଚାଳକ ହୋଇଆସିଛି। ଏବେ, ପ୍ରଯୁକ୍ତିବିଦ୍ୟା ସହିତ, ପର୍ଯ୍ୟଟନ ମଧ୍ୟ ଭାରତର ବିକାଶର ଏକ ପ୍ରମୁଖ ସ୍ତମ୍ଭ ହେବ। ଦେଶ ବିଭିନ୍ନ କ୍ଷେତ୍ରରୁ ସାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଏକ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛି। ଆଜି, ଭାରତର ଐତିହାସିକ ଏବଂ ସାଂସ୍କୃତିକ କେନ୍ଦ୍ରଗୁଡ଼ିକୁ ପୁନଃନିର୍ମାଣ କରାଯାଉଛି ଏବଂ ଅଧିକ ଚମତ୍କାର ଏବଂ ଭବ୍ୟ କରାଯାଉଛି। ଆମର ବେଳାଭୂମି ଏବଂ ଛୋଟ ଦ୍ୱୀପପୁଞ୍ଜର ଗୁରୁତ୍ୱପୂର୍ଣ୍ଣ ବିକାଶ ହେଉଛି। ସେହି ସମୟ ମଧ୍ୟରେ, ଦେଶରେ ଏକ ଅନନ୍ୟ ଅଭିଯାନ ଚାଲିଛି – ‘ଦେଖୋ ଅପନା ଦେଶ, ପିପଲସ୍ ଚଏସ୍‘ – ଯେଉଁଠାରେ ନାଗରିକମାନେ ଭାରତର ସବୁଠାରୁ ଜନପ୍ରିୟ ପର୍ଯ୍ୟଟନ ସ୍ଥଳଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ଭୋଟ ଦେଉଛନ୍ତି। ଭାରତର ଲୋକମାନେ ଯେଉଁ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ଭାବରେ ଚିହ୍ନଟ କରିବେ ସେଗୁଡ଼ିକୁ ଏକ ମିଶନ ମୋଡ୍ ରେ ବିକଶିତ କରାଯିବ, ଯାହା ଯଥେଷ୍ଟ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।
ବନ୍ଧୁଗଣ,
ଆମର ଦେଶ ଏବେ ଏହାର ପରିବର୍ତ୍ତନରେ ସମସ୍ତଙ୍କ ସହଭାଗୀତା ଉପରେ ଗୁରୁତ୍ୱ ଦେଉଛି। ଆମର G-20 ରାଷ୍ଟ୍ରପତିତ୍ୱ ସମୟରେ, ଆମେ ଆମର ଆଫ୍ରିକୀୟ ବନ୍ଧୁମାନଙ୍କୁ ସଶକ୍ତ କରିଥିଲୁ ଏବଂ ଗ୍ଲୋବାଲ୍ ସାଉଥର ସ୍ୱରକୁ ଉଚ୍ଚ କରିଥିଲୁ। ଆମେ ଏବେ ଏପରି ଏକ ବିଶ୍ୱ ବ୍ୟବସ୍ଥା ପାଇଁ ଆକାଂକ୍ଷା କରୁଛୁ ଯାହା ସମସ୍ତ ରାଷ୍ଟ୍ରର, ବିଶେଷକରି ଗ୍ଲୋବାଲ୍ ସାଉଥ୍ ର ଲୋକମାନଙ୍କର ସମାବେଶୀ ବିକାଶକୁ ସୁନିଶ୍ଚିତ କରିବ। ଆଗାମୀ ବର୍ଷଗୁଡ଼ିକରେ, ଗ୍ଲୋବାଲ୍ ସାଉଥର ଦେଶଗୁଡ଼ିକ ବିଶ୍ୱରେ ସର୍ବୋତ୍ତମ ସୁଯୋଗ ପ୍ରଦାନ କରିବେ, କାରଣ ମାନବ ଜାତିର ଏକ ବଡ଼ ଅଂଶ ଏହି ଅଂଚଳରେ ବାସ କରନ୍ତି। ‘ବିଶ୍ୱ-ବନ୍ଧୁ‘ ମନୋଭାବରୁ ପ୍ରେରିତ ହୋଇ, ଭାରତ ଏହି ଦେଶମାନଙ୍କର ସ୍ୱର ଭାବେ ଉଭା ହେଉଛି।
ବନ୍ଧୁଗଣ,
ଆଜିର ବିଶ୍ୱ ଗତିଶୀଳ, ତେଣୁ, ଆମ ସରକାରଙ୍କ ନୀତି ଏବଂ ରଣନୀତି ସମାନ ଭାବରେ ଗତିଶୀଳ। ଆମେ ଗତକାଲି ଉପରେ ଆଧାରିତ ନୋହୁଁ, ବରଂ ଆସନ୍ତାକାଲିକୁ ମନରେ ରଖି ଆମର ନୀତିଗୁଡ଼ିକୁ ଆକାର ଦେଇ ବିକଶିତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେଉଛୁ। ଆମର ଧ୍ୟାନ ଭବିଷ୍ୟତ ଉପରେ ଦୃଢ଼ ଭାବରେ ରହିଛି, କାରଣ ଆମେ ଆଜି ଦେଶକୁ ଆସନ୍ତାକାଲିର ସମସ୍ୟା ଏବଂ ସୁଯୋଗ ପାଇଁ ପ୍ରସ୍ତୁତ କରୁଛୁ। ଏହା ସବୁଜ ହାଇଡ୍ରୋଜେନ ମିଶନ, କ୍ୱାଣ୍ଟମ୍ ମିଶନ, ସେମିକଣ୍ଡକ୍ଟର ମିଶନ, କିମ୍ବା ଡିପ୍ ଓସନ୍ ମିଶନ ହେଉ, ଭାରତ ଏହି ପଦକ୍ଷେପଗୁଡ଼ିକ ଉପରେ ସକ୍ରିୟ ଭାବରେ କାମ କରୁଛି। ନିକଟରେ, ସରକାର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ୧,୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଆଜି, ଭାରତ ପ୍ରକୃତରେ ସୁଯୋଗର ଭୂମି, ଏବଂ ଆମେ ବିଶ୍ୱାସ କରୁ ଯେ ଆମର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେବ।
ବନ୍ଧୁଗଣ,
ଆମେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାକୁ ପ୍ରତିଶ୍ରୁତି ଦେଇଛୁ। ଆମେ ଜାଣୁ ଯେ, ଆପଣମାନେ ମଧ୍ୟ ଏହି ଯାତ୍ରାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଚାହାଁନ୍ତି। ଆମେ ଚାହୁଁଛୁ ଯେ, ଭାରତର ଅଧିକରୁ ଅଧିକ କମ୍ପାନୀ ବିଶ୍ୱସ୍ତରୀୟ ବ୍ରାଣ୍ଡ ହେଉ। ଆମେ ଆକାଂକ୍ଷା କରୁଛୁ ଯେ, ଭାରତ ବିଶ୍ୱସ୍ତରୀୟ ମଞ୍ଚରେ ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେଉ।
ଆପଣଙ୍କ ପ୍ରତି ଆମର ପ୍ରତିଶ୍ରୁତି ହେଉଛି ଯେ, ଆମେ ସୁବିଧା ପ୍ରଦାନ କରିବୁ, ଏବଂ ଆପଣଙ୍କର ପ୍ରତିଶ୍ରୁତି ନବସୃଜନ କରିବା ଉଚିତ। ଆମର ପ୍ରତିଶ୍ରୁତି ହେଉଛି ସଂସ୍କାର କରିବା, ଏବଂ ଆପଣଙ୍କର ପ୍ରତିଶ୍ରୁତି ହେବା ଉଚିତ ଏହାକୁ କାର୍ଯ୍ୟକ୍ଷମ କରିବା। ଆମର ପ୍ରତିଶ୍ରୁତି ହେଉଛି ଏକ ସ୍ଥିର ନୀତି ବ୍ୟବସ୍ଥା ପ୍ରଦାନ କରିବା, ଏବଂ ଆପଣଙ୍କର ପ୍ରତିଶ୍ରୁତି ହେବା ଉଚିତ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟି କରିବା। ଆମର ପ୍ରତିଶ୍ରୁତି ହେଉଛି ଉଚ୍ଚ ଅଭିବୃଦ୍ଧି ଉପରେ ଧ୍ୟାନ ଦେବା, ଏବଂ ଆପଣଙ୍କର ପ୍ରତିଶ୍ରୁତି ହେବା ଉଚିତ ଉଚ୍ଚଗୁଣବତ୍ତା ଉପରେ ଧ୍ୟାନ ଦେବା। ଉଚ୍ଚ ଚିନ୍ତା କରନ୍ତୁ, କାରଣ ଆମ ପାଖରେ ରାଷ୍ଟ୍ର ପାଇଁ ଏକାଠି ଲେଖିବା ପାଇଁ ଅନେକ ସଫଳତାର କାହାଣୀ ଅଛି।
ଆଜିର ଭାରତ ପୃଥିବୀର ସବୁଠୁ ବଡ଼ ସମ୍ଭାବନାର ଭୂମି। ଆଜିର ଭାରତ ଧନ-ସୃଷ୍ଟିକର୍ତ୍ତାଙ୍କୁ ମୂଲ୍ୟ ଦିଏ। ଏକ ଶକ୍ତିଶାଳୀ ଭାରତ ସମସ୍ତ ମାନବଜାତି ପାଇଁ ବିଶାଳ ବିକାଶକୁ ଆଗେଇ ନେଇଯାଇପାରେ। ଏକ ସମୃଦ୍ଧ ଭାରତ ବିଶ୍ୱସ୍ତରୀୟ ସମୃଦ୍ଧି ପାଇଁ ପଥ ପ୍ରଶସ୍ତ କରିପାରିବ। ଆମକୁ ନବସୃଜନ, ସମାବେଶୀ ଏବଂ ଅନ୍ତର୍ଜାତୀୟ ସହଯୋଗର ମନ୍ତ୍ରଗୁଡ଼ିକୁ ସ୍ମରଣ କରିବା ଆବଶ୍ୟକ। ପ୍ରତ୍ୟେକ ଭାରତୀୟଙ୍କୁ, ସେ ଘରେ ହେଉ କି ବିଦେଶରେ, ଏବଂ ଭାରତର ପ୍ରତ୍ୟେକ ସମର୍ଥକଙ୍କୁ, ମୁଁ କହୁଛି, ଆସନ୍ତୁ ଆମେ ଏହି ଯାତ୍ରାରେ ସହଯାତ୍ରୀ ହେବା। ଆସନ୍ତୁ ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା କାରଣ ବିଶ୍ୱର ସମୃଦ୍ଧି ଭାରତର ସମୃଦ୍ଧି ସହିତ ଜଡିତ। ମୁଁ ନିଶ୍ଚିତ ଯେ, ଆମେ ଏହି ଲକ୍ଷ୍ୟ ହାସଲ କରିପାରିବା। ଏହି ବିଶ୍ୱାସ ସହିତ, ମୁଁ ଆପଣ ସମସ୍ତଙ୍କ ପ୍ରତି ମୋର ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି ।
ଧନ୍ୟବାଦ।
ସ୍ୱୀକାରୋକ୍ତି : ଏହା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଆନୁମାନିକ ଅନୁବାଦ। ମୂଳ ଭାଷଣ ହିନ୍ଦୀରେ ଦିଆଯାଇଥିଲା।
*****
MT
Speaking at the @EconomicTimes World Leaders Forum. #ETWLF https://t.co/D6UEyl46Ps
— Narendra Modi (@narendramodi) August 31, 2024
India has often outperformed both predictions and its peers. pic.twitter.com/S7vOvum5Tb
— PMO India (@PMOIndia) August 31, 2024
बीते वर्षों में भारतीयों के जीवन में हम बड़ा बदलाव लाने में सफल रहे हैं। हमारी सरकार ने भारत के करोड़ों-करोड़ नागरिकों के जीवन को छुआ है: PM @narendramodi pic.twitter.com/Ef4XWeCMeA
— PMO India (@PMOIndia) August 31, 2024
Today, India's progress is making global headlines. pic.twitter.com/ej3J6cNCkY
— PMO India (@PMOIndia) August 31, 2024
In the past decade, 25 crore people have risen out of poverty. This speed and scale are historic. pic.twitter.com/BizgHSrUrw
— PMO India (@PMOIndia) August 31, 2024
हमने गरीबों को Empower करने का रास्ता चुना।
— PMO India (@PMOIndia) August 31, 2024
हमने उनके रास्ते से बाधाएं हटाईं और उनके साथ खड़े हुए: PM @narendramodi pic.twitter.com/nMqrOyt26n
For us, infrastructure is a means to improve the convenience and ease of living for our citizens. pic.twitter.com/XfqrfxiB6o
— PMO India (@PMOIndia) August 31, 2024
21वीं सदी का ये तीसरा दशक, भारत के लिए लिफ्ट-ऑफ Decade जैसा है। pic.twitter.com/WjhEJGiprv
— PMO India (@PMOIndia) August 31, 2024
Making India a global manufacturing hub is an aspiration for every Indian and it is also a global expectation of India. pic.twitter.com/9YvNHaZCYW
— PMO India (@PMOIndia) August 31, 2024
To have at least one Made in India food product on every dining table around the world - this is our resolve. pic.twitter.com/15p4lEoCqw
— PMO India (@PMOIndia) August 31, 2024
We are shaping our policies not based on the past, but with an eye on the future. pic.twitter.com/YBsQzPHWjE
— PMO India (@PMOIndia) August 31, 2024
Today's India is a land of opportunities.
— PMO India (@PMOIndia) August 31, 2024
Today's India honours the wealth creators. pic.twitter.com/gat88IIIPC
A prosperous India can pave the way for global prosperity. pic.twitter.com/cI3Xz9Jw4e
— PMO India (@PMOIndia) August 31, 2024