Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡିଆ ଆକ୍ସନ ପ୍ଲାନ – 2020 ଶିଖର ସମ୍ମିଳନୀରେ ଉଦଘାଟନୀ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ


 

ଗତ ଆଠ ମାସ ମଧ୍ୟରେ ସରକାର ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ଶତକ ପୂରଣ କରିଛନ୍ତି : ପ୍ରଧାନମନ୍ତ୍ରୀ

•  ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାକୁ ଜନସାଧାରଣଙ୍କ ଉପଯୋଗୀ ଟିକସ ବ୍ୟବସ୍ଥାରେ ପରିଣତ କରାଯାଇଛି

•  ନୂତନ ଭାରତ ଗଠନରେ ଗଣମାଧ୍ୟମ ଗଠନମୂଳକ ଭୂମିକା ଗ୍ରହଣ କରୁ : ଶ୍ରୀ ମୋଦୀ

•  ଦେଶକୁ ଶୀର୍ଷରେ ପହଁଚାଇବାକୁ ହେଲେ ପ୍ରତ୍ୟେକ ନାଗରିକଙ୍କୁ ନିଜର କର୍ତ୍ତବ୍ୟ ତୁଲାଇବାକୁ ହେବ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଟାଇମ୍ସ ନାଓ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ ଇଣ୍ଡିଆ ଆକ୍ସନ ପ୍ଲାନ 2020ରେ ଉଦଘାଟନୀ ଅଭିଭାଷଣ ରଖିଛନ୍ତି ।

ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ଭାବେ ଭାରତ ନୂଆ ଦଶନ୍ଧି ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି ଏବଂ ଏ ଦିଗରେ ଖୁବ ଦ୍ରୁତ ଗତିରେ ଆଗେଇବା ଲାଗି ପ୍ରସ୍ତୁତ ଅଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ମଧ୍ୟ ଏପରି ଭାବନା ନେଇ କାର୍ଯ୍ୟ କରିବା ସହିତ ଗତ 8 ମାସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଶତକ ପୂରଣ କରିଛନ୍ତି ।

ସେ ମଧ୍ୟ କହିଥିଲେ ଯେ ଏସବୁ ପରିବର୍ତ୍ତନ ସମାଜରେ ନୂଆ ଉତ୍ସାହ ଭରିଛି, ସମସ୍ତଙ୍କୁ ଆତ୍ମବିଶ୍ୱାସ ଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶର ଗରିବ ମନରେ ଆତ୍ମବିଶ୍ୱାସ ରହିଛି ଯେ ସେ ନିଜ ଜୀବନଧାରଣ ମାନରେ ସୁଧାର ଆଣିପାରିବ ଓ ଦାରିଦ୍ର୍ୟ ଦୂର କରି ପାରିବ । ଚାଷୀ କୃଷି କାର୍ଯ୍ୟରେ ଆୟ ବୃଦ୍ଧି କରିପାରିବ ବୋଲି ଆତ୍ମବିଶ୍ୱାସୀ ରହିଛି ।

5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥା-ଛୋଟ ସହର ଓ ନଗର ଉପରେ ଗୁରୁତ୍ୱ

ଆସନ୍ତା 5 ବର୍ଷ ମଧ୍ୟରେ ଭାରତ ଏହାର ଅର୍ଥବ୍ୟବସ୍ଥାର ଆକାରକୁ 5 ଲକ୍ଷ କୋଟି ଡଲାରରେ ପହଁଚାଇବା ଲାଗି ଲକ୍ଷ୍ୟ ରଖିଛି । ଲକ୍ଷ୍ୟ ଧାର୍ଯ୍ୟ କରି ସେ ଦିଗରେ ଆଗେଇବା ଭଲ କଥା । ଲକ୍ଷ୍ୟ ସହଜ ନୁହେଁ କିନ୍ତୁ ଅସମ୍ଭବ ମଧ୍ୟ ନୁହେଁ”, ସେ କହିଥିଲେ ।

ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ ଲାଗି ଦେଶରେ ବିନିର୍ମାଣ କ୍ଷେତ୍ର ସୁଦୃଢ଼ ହେବା ଏବଂ ରପ୍ତାନୀ ବୃଦ୍ଧି ପାଇବା ଜରୁରି । ଭାରତ ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରୟାସ ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥାର ଉତଥାନ ଓ ପତନ ସହିତ ଭାରତ ଏକ ଉଦୀୟମାନ ଅର୍ଥବ୍ୟବସ୍ଥା ଭାବେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି ।

ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଥମ ଥର ଲାଗି ସରକାର କ୍ଷୁଦ୍ର ସହରର ଅର୍ଥନୈତିକ ଅଭିବୃଦ୍ଧି ଏବଂ ସେଗୁଡ଼ିକୁ ନୂଆ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବା ଉପରେ ଜୋର ଦେଉଛନ୍ତି ।

ଟିକସ ବ୍ୟବସ୍ଥାରେ ସୁଧାର :

ପ୍ରଧାନମନ୍ତ୍ରୀ କହିଥିଲେ, “ପ୍ରତ୍ୟେକ ସରକାର ଟିକସ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି କୁଣ୍ଠାବୋଧ କରିଥାନ୍ତି । ଏହି କାରଣ ପାଇଁ ବହୁବର୍ଷ ଧରି ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ବର୍ତ୍ତମାନ ଆମେ ଏକ ପ୍ରକ୍ରିୟା ଆଧାରିତ ଟିକସ ବ୍ୟବସ୍ଥାରୁ ନାଗରିକ କୈନ୍ଦ୍ରିକ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ । ଭାରତ ସେହି ହାତଗଣତି ରାଷ୍ଟ୍ର ମଧ୍ୟରେ ସାମିଲ ହେବ ଯେଉଁଠି ଟିକସଦାତା ଚାର୍ଟର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବ । ଏହି ଚାର୍ଟରରେ ଟିକସଦାତାଙ୍କ ଅଧିକାର ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହେବ

ଟିକସ ଚୋରି ଏବଂ ସଚ୍ଚୋଟ ଟିକସଦାତାଙ୍କ ଉପରେ ଏହାର ଦ୍ୱିଗୁଣିତ କୁପ୍ରଭାବ ସମ୍ପର୍କରେ ଚିନ୍ତା କରିବା ଲାଗି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କୁ ଅନୁରୋଧ କରିଥିଲେ । ସେ ସମସ୍ତ ନାଗରିକମାନଙ୍କୁ ଉତ୍ତରଦାୟୀ ନାଗରିକ ହେବା ଏବଂ ନିଜର ଟିକସ ପଇଠ କରିବା ଲାଗି ଆହ୍ୱାନ କରିଥିଲେ ।

ଏକ ସମୃଦ୍ଧ ଭାରତ ନିର୍ମାଣ ଲାଗି ଗଠନମୂଳକ ଭୂମିକା ତୁଲାଇବାକୁ ସେ ଗଣମାଧ୍ୟମକୁ ଆହ୍ୱାନ କରିଥିଲେ ।

ସେ କହିଥିଲେ, “ପ୍ରତ୍ୟେକ ଲୋକ ନିଜର କର୍ତ୍ତବ୍ୟ ପାଳନ କଲେ କୌଣସି ସମସ୍ୟା ସମାଧାନ ନହୋଇ ରହିପାରିବ ନାହିଁ । ଫଳରେ ଦେଶ ନୂଆ ଶକ୍ତି, ନୂଆ ଉତ୍ସାହ ପାଇବ । ଏହା ଚଳିତ ଦଶନ୍ଧିରେ ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ ।

 

**********