Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆ ଓ କିରଗିଜ୍ ପ୍ରଜାତନ୍ତ୍ର ସହ ଯୁବବ୍ୟାପାର, କ୍ରୀଡା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ପତ୍ରକୁ କେନ୍ଦ୍ର କ୍ୟାବିନେଟର ସ୍ୱୀକୃତି


ଇଣ୍ଡୋନେସିଆ ଏବଂ କିରଗିଜ୍ ପ୍ରଜାତନ୍ତ୍ର ସହ ଯୁବ ବ୍ୟାପାର ଓ କ୍ରୀଡା କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର ସମ୍ପର୍କରେ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ ଅବଲୋଚନ କରାଯାଇଥିଲା । ଏହି ବୁଝାମଣା ପତ୍ରର ସର୍ତ୍ତାବଳୀ ଅନୁସାରେ – (i) ଯୁବବ୍ୟାପାର ଓ କ୍ରୀଡା କ୍ଷେତ୍ରରେ ଇଣ୍ଡୋନେସିଆ ସହ ସହଯୋଗ ବୃଦ୍ଧି କରାଯିବ । ଏବଂ (ii) ଯୁବ ବ୍ୟାପାର କ୍ଷେତ୍ରରେ କିରଗିଜ ପ୍ରଜାତନ୍ତ୍ର ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ବୃଦ୍ଧି କରାଯିବ ।

ଏହା ବ୍ୟତୀତ ଉଭୟ ଇଣ୍ଡୋନେସିଆ ଓ କିରଗିଜସ୍ତାନ ସହ ଭାରତ ଯୁବ ପ୍ରତିନିଧି ବିନିମୟ କାର୍ଯ୍ୟକ୍ରମରେ ସାମିଲ ହେବ ତଥା ଯୁବ ବ୍ୟାପାର ଓ କ୍ରୀଡା କ୍ଷେତ୍ରରେ ଅନ୍ୟାନ୍ୟ ଘନିଷ୍ଠତା ଦିଗରେ କାର୍ଯ୍ୟକରିବ ।

ଅନ୍ତରାଷ୍ଟ୍ରୀୟ ଯୁବ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଦେଶ ମଧ୍ୟରେ ଏଭଳି ବିନିମୟ ଦ୍ୱାରା ଚିନ୍ତାଧାରା, ମୂଲ୍ୟବୋଧ ଏବଂ ସାଂସ୍କୃତିକ ଭାବ ବିନିମୟ ଘଟିଥାଏ ଏବଂ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଓ ଘନିଷ୍ଠତା ବୃଦ୍ଧି ମନୋଭାବ ସୃଷ୍ଟି ହୋଇଥାଏ । ଏତଦବ୍ୟତୀତ ଏହା ଶାନ୍ତି ସ୍ଥାପନ ଓ ବୁଝାମଣା ତଥା ଦେଶ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧିକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇଥାଏ । ସେହିଭଳି ଦ୍ୱିପାକ୍ଷିକ କ୍ରୀଡା ସହଯୋଗ ବୃଦ୍ଧି କ୍ରୀଡା କୌଶଳ ଓ ବିକାଶକୁ ପ୍ରୋତ୍ସାହନ ଯୋଗାଇଥାଏ ।

ତେଣୁ ଜାତି, ଧର୍ମ, ବର୍ଣ୍ଣ ଅଥବା ଲିଙ୍ଗ ନିର୍ବିଶେଷରେ ଏହି ବିନିମୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସମସ୍ତଙ୍କୁ ସୁଯୋଗ ମିଳିବ ଏବଂ ଏହି ଚୟନ ପ୍ରକ୍ରିୟା ଏକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ କରାଯିବ ।