ପିଏମଇଣ୍ଡିଆ
ମହାମହିମ, ଇଥିଓପିଆ ପ୍ରଧାନମନ୍ତ୍ରୀ,
ସଂସଦର ଉଭୟ ଗୃହର ମାନନୀୟ ବାଚସ୍ପତିଗଣ,
ମାନନୀୟ ସଦସ୍ୟଗଣ,
ମହାମହିମ ବର୍ଗ,
ଏବଂ ଇଥିଓପିଆର ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଆଜି ଆପଣମାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ମୁହୂର୍ତ୍ତ। ସିଂହମାନଙ୍କର ଭୂମି ଇଥିଓପିଆକୁ ଆସିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ମୋତେ ଏଠାରେ ନିଜ ଘରେ ଥିବା ପରି ଅନୁଭବ ହେଉଛି। କାରଣ ଭାରତରେ ମୋ ଗୃହ ରାଜ୍ୟ ଗୁଜରାଟ ମଧ୍ୟ ସିଂହମାନଙ୍କ ଆଶ୍ରୟସ୍ଥଳ।
ପ୍ରାଚୀନ ଜ୍ଞାନ ଓ ଆଧୁନିକ ଆକାଂକ୍ଷାର ସମନ୍ୱୟ ଥିବା ଏକ ଜାତିର ହୃଦୟସ୍ଥଳ ତଥା ଗଣତନ୍ତ୍ରର ଏହି ମନ୍ଦିରକୁ ଆସିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେକରୁଛି। ଆପଣମାନଙ୍କ ସଂସଦ, ଆପଣମାନଙ୍କ ଜନତା ଏବଂ ଆପଣମାନଙ୍କ ଗଣତାନ୍ତ୍ରିକ ଯାତ୍ରା ପ୍ରତି ଗଭୀର ସମ୍ମାନର ସହିତ ମୁଁ ଏଠାକୁ ଆସିଛି।
ଭାରତର ୧.୪ ବିଲିୟନ୍ ଜନତାଙ୍କ ପକ୍ଷରୁ, ମୁଁ ବନ୍ଧୁତା, ସଦ୍ଭାବନା ଓ ଭାଇଚାରାର ଅଭିନନ୍ଦନ ନେଇ ଆସିଛି।
ତେନା ଇସ୍ତିଲିନ
ନମସ୍କାର
ମାନ୍ୟନୀୟ ସଦସ୍ୟବୃନ୍ଦ,
ଏହି ମହାନ ଭବନରେ, ଆପଣଙ୍କ ଆଇନଗୁଡ଼ିକ ଗଢ଼ାଯାଏ। ଏଠାରେ ଜନତାଙ୍କ ଇଚ୍ଛା ରାଷ୍ଟ୍ରର ଇଚ୍ଛାରେ ପରିଣତ ହୁଏ। ଯେତେବେଳେ ରାଜ୍ୟର ଇଚ୍ଛା ଲୋକଙ୍କ ଇଚ୍ଛା ସହିତ ସମନ୍ୱୟ ରକ୍ଷା କରେ, ସେତେବେଳେ ଆଶା ଓ ଲକ୍ଷ୍ୟ ସହିତ ପ୍ରଗତିର ଚକ୍ର ଆଗକୁ ବଢ଼ିଥାଏ।
ଆପଣଙ୍କ ମାଧ୍ୟମରେ, ମୁଁ କ୍ଷେତରେ କାମ କରୁଥିବା ଆପଣଙ୍କ ଚାଷୀମାନଙ୍କ ସହିତ, ନୂତନ ଚିନ୍ତାଧାରା ସୃଷ୍ଟି କରୁଥିବା ଉଦ୍ୟୋଗପତିମାନଙ୍କ ସହିତ, ସମ୍ପ୍ରଦାୟ ଏବଂ ସଂସ୍ଥାଗୁଡ଼ିକର ନେତୃତ୍ୱ ନେଉଥିବା ଗର୍ବିତ ମହିଳାମାନଙ୍କ ସହିତ ଏବଂ ଭବିଷ୍ୟତକୁ ଆକାର ଦେଉଥିବା ଇଥିଓପିଆର ଯୁବପିଢିଙ୍କ ସହିତ ମଧ୍ୟ କଥା ହେଉଛି। ଏହି ଅପାର ସୌଭାଗ୍ୟ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
ଗତକାଲି, ମୁଁ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦଙ୍କଠାରୁ ଇଥିଓପିଆର ସର୍ବୋଚ୍ଚ ସମ୍ମାନ ‘ନିଶାନ’ ଗ୍ରହଣ କରି ସମ୍ମାନିତ ହୋଇଥିଲି। ମୁଁ ଭାରତର ଲୋକଙ୍କ ପକ୍ଷରୁ ହାତ ଯୋଡି, ବିନମ୍ରତାର ସହିତ ଏହି ପୁରସ୍କାର ଗ୍ରହଣ କରୁଛି।
ଆମ ସଗ୍ନାଲୋ (ଧନ୍ୟବାଦ)
ମାନନୀୟ ସଦସ୍ୟଗଣ,
ଇଥିଓପିଆ ମାନବ ଇତିହାସର ସବୁଠୁ ପୁରୁଣା ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏ। ଏଠାରେ ପର୍ବତମାଳାରେ, ଉପତ୍ୟକାଗୁଡ଼ିକରେ ଓ ଇଥିଓପିଆର ଲୋକଙ୍କ ହୃଦୟରେ ଇତିହାସ ଆଜିବି ଜୀବନ୍ତ। ଆଜି ଇଥିଓପିଆ ମୁଣ୍ଡ ଟେକି ଛିଡାହୋଇଛି କାରଣ ଏହାର ଚେର ଗଭୀର। ଇଥିଓପିଆରେ ଦଣ୍ଡାୟମାନ ହେବାର ଅର୍ଥ ହେଉଛି-ଯେଉଁଠି ଅତୀତକୁ ସମ୍ମାନ ଦିଆଯାଏ, ବର୍ତ୍ତମାନ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ଓ ଭବିଷ୍ୟତକୁ ଖୋଲା ହୃଦୟରେ ସ୍ୱାଗତ କରାଯାଏ।
ପୁରୁଣା ଏବଂ ନୂତନର ଏହି ମିଶ୍ରଣ… ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ମହତ୍ତ୍ୱାକାଂକ୍ଷା ମଧ୍ୟରେ ଏହି ସନ୍ତୁଳନ… ଏହା ହେଉଛି ଇଥିଓପିଆର ପ୍ରକୃତ ଶକ୍ତି।
ଭାରତରେ ଏହି ‘ମେଡେମର’ ଭାବନା, କିମ୍ବା ସମନ୍ୱୟର ଭାବନା ଆମ ପାଇଁ ବହୁତ ପରିଚିତ। ଲାଲିବେଲାର ଏକକ ଗୀର୍ଜା ପରି, ଭାରତର ତାମିଲନାଡୁର ପ୍ରାଚୀନ ପଥର ମନ୍ଦିରଗୁଡ଼ିକ ମଧ୍ୟ ପଥରରେ ସ୍ଥାପିତ ପ୍ରାର୍ଥନା। ଆମେ ମଧ୍ୟ ଗୋଟିଏ ପ୍ରାଚୀନ ସଭ୍ୟତା, ଯିଏ ନିଶ୍ଚିନ୍ତ ଓ ଆତ୍ମବିଶ୍ୱାସ ସହିତ ଭବିଷ୍ୟତ ପଥରେ ଅଗ୍ରସର ହେଉଛୁ।
“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ଆହ୍ୱାନ ସହିତ। ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶ ପାଇଁ, ସମସ୍ତଙ୍କର ବିଶ୍ୱାସ ଓ ପ୍ରୟାସ ସହିତ। ଆମ ମାତୃଭୂମି ପ୍ରତି ଆମର ଭାବନା ମଧ୍ୟ ଆମର ସହଭାଗୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।
ଭାରତର ଜାତୀୟ ଗୀତ “ବନ୍ଦେ ମାତରମ୍” ଏବଂ ଇଥିଓପିଆନ୍ ଜାତୀୟ ସଙ୍ଗୀତ, ଉଭୟ ଆମ ଭୂମିକୁ “ମାତା” ବୋଲି ଉଲ୍ଲେଖ କରେ। ସେମାନେ ଆମକୁ ଐତିହ୍ୟ, ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଗର୍ବ କରିବାକୁ ଏବଂ ମାତୃଭୂମିକୁ ସୁରକ୍ଷା ଦେବାକୁ ପ୍ରେରଣା ଦିଅନ୍ତି।
ମାନନୀୟ ସଦସ୍ୟଗଣ,
ବିଜ୍ଞାନ ଇଥିଓପିଆରେ ଆମ ପ୍ରଜାତିଗୁଡ଼ିକର କିଛି ପ୍ରାରମ୍ଭିକ ପାଦଚିହ୍ନ ଚିହ୍ନଟ କରିଛି। ଯେତେବେଳେ ସମ୍ପୃକ୍ତ ବିଶ୍ୱ ‘ଲୁସି’ କିମ୍ବା ‘ଦିଙ୍କିନେଶ’ ବିଷୟରେ କଥାହୁଏ, ସେମାନେ କେବଳ ଏକ ଜୀବାଶ୍ମ ବିଷୟରେ କଥା ହେଉନାହାନ୍ତି। ସେମାନେ ଏକ ଆରମ୍ଭ ବିଷୟରେ କହୁଛନ୍ତି-ଏକ ଆରମ୍ଭ ଯାହା ଆମ ସମସ୍ତଙ୍କର, ଆମେ ‘ଆଦିସ ଆବାବା’ରେ ରହୁ କି ଅଯୋଧ୍ୟାରେ ରହୁ।
ଭାରତରେ, ଆମେ କହିଥାଉ ଯେ, “ବସୁଧୈବ କୁଟୁମ୍ବକମ୍”, ବିଶ୍ୱ ହେଉଛି ଏକ ପରିବାର। ଏହା ଆମକୁ ମନେ ପକାଇ ଦିଏ ଯେ, ରାଜନୀତି ବାହାରେ, ସୀମା ବାହାରେ, ପାର୍ଥକ୍ୟ ବାହାରେ, ଆମେ ଏକ ସାଧାରଣ ଉତ୍ପତ୍ତି ଭାଗ କରୁ। ଯଦି ଆମର ଆରମ୍ଭ ଭାଗିଦାରୀ ଥିଲା, ତେବେ ଆମର ଭବିଷ୍ୟତ ମଧ୍ୟ ଭାଗିଦାରୀ ହେବା ଉଚିତ।
ମାନନୀୟ ସଦସ୍ୟଗଣ,
ଭାରତ ଏବଂ ଇଥିଓପିଆ କେବଳ ଜଳବାୟୁରେ ନୁହେଁ ଆତ୍ମାରେ ମଧ୍ୟ ଉଷ୍ମତା ବାଣ୍ଟିଥାନ୍ତି। ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ, ଆମର ପୂର୍ବପୁରୁଷମାନେ ବିଶାଳ ସାଗରକୁ ଅତିକ୍ରମ କରି ସଂଯୋଗ ସ୍ଥାପନ କରିଥିଲେ। ଭାରତ ମହାସାଗର ପାର ହୋଇ, ବ୍ୟବସାୟୀମାନେ ମସଲା, କପା, କଫି ଏବଂ ସୁନା ନେଇ ନୌଯାତ୍ରା କରୁଥିଲେ। ସେମାନେ କେବଳ ସାମଗ୍ରୀର ବ୍ୟବସାୟ କରୁ ନଥିଲେ ବରଂ ତା’ଠାରୁ ଅଧିକ ସେମାନେ ଚିନ୍ତାଧାରା, କାହାଣୀ ଏବଂ ଜୀବନଶୈଳୀର ଆଦାନପ୍ରଦାନ କରୁଥିଲେ। ଅଦୁଲିସ ଏବଂ ଧୋଲେରା ଭଳି ବନ୍ଦର କେବଳ ବାଣିଜ୍ୟ କେନ୍ଦ୍ର ନଥିଲେ। ସେମାନେ ସଭ୍ୟତା ମଧ୍ୟରେ ସେତୁ ଥିଲେ।
ଆଧୁନିକ ସମୟରେ, ଆମର ସମ୍ପର୍କ ଏକ ନୂତନ ଯୁଗରେ ପ୍ରବେଶ କରିଥିଲା। ଭାରତୀୟ ସୈନିକମାନେ ୧୯୪୧ ମସିହାରେ ଇଥିଓପିଆ ମୁକ୍ତି ପାଇଁ ଇଥିଓପିଆବାସୀଙ୍କ ସହିତ ମିଶି ଯୁଦ୍ଧ କରିଥିଲେ। ଭାରତ ସ୍ୱାଧୀନ ହେବା ପରେ ଆମର ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା।
କିନ୍ତୁ ଦୂତାବାସ ପ୍ରତିଷ୍ଠା ହେବା ପୂର୍ବରୁ, ଆମର ଲୋକମାନେ ଏକାଠି ଏକ ନୂତନ ଅଧ୍ୟାୟ ଲେଖିବା ଆରମ୍ଭ କରିସାରିଥିଲେ। ହଜାର ହଜାର ଭାରତୀୟ ଶିକ୍ଷକ ଇଥିଓପିଆକୁ ଆସିଥିଲେ। ସେମାନେ ‘ଆଡିସ ଆବାବା’, ‘ଦିରେ ଦାୱା’, ‘ବାହିର ଦାର’ ରୁ ‘ମେକେଲେ’ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ସେମାନେ ଇଥିଓପିଆ ସ୍କୁଲରେ ପହଞ୍ଚିଥିଲେ ଏବଂ ଇଥିଓପିଆଙ୍କ ହୃଦୟରେ ପ୍ରବେଶ କରିଥିଲେ। ଆଜି ମଧ୍ୟ, ଅନେକ ଇଥିଓପିଆନ୍ ଅଭିଭାବକ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ଗଢ଼ିଥିବା ଭାରତୀୟ ଶିକ୍ଷକମାନଙ୍କ ବିଷୟରେ ସମ୍ମାନର ସହିତ କଥା ହୁଅନ୍ତି।
ଯେପରି ଭାରତୀୟ ଶିକ୍ଷକମାନେ ଏଠାକୁ ଆସିଥିଲେ, ସେହିପରି ଇଥିଓପିଆନ୍ ଛାତ୍ରମାନେ ମଧ୍ୟ ଜ୍ଞାନ ଏବଂ ବନ୍ଧୁତା ଅନ୍ୱେଷଣରେ ଭାରତ ଯାତ୍ରା କରିଥିଲେ। ସେମାନେ ଛାତ୍ର ଭାବରେ ଭାରତ ଯାଇଥିଲେ ଏବଂ ଆଧୁନିକ ଇଥିଓପିଆନ୍ର ନିର୍ମାତା ଭାବରେ ଘରକୁ ଫେରିଥିଲେ। ମୋତେ କୁହାଯାଇଛି ଯେ, ସେମାନଙ୍କ ମଧ୍ୟରୁ କେତେକ ବର୍ତ୍ତମାନ ଏହି ସଂସଦରେ ଉପସ୍ଥିତ ଅଛନ୍ତି! ମାନ୍ୟବର ବାଚସ୍ପତିଙ୍କ ସମେତ ତାଗେସେ ଚାଫୋ।
ସେମାନେ ଆମ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ିବାରେ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛନ୍ତି। କାରଣ ସେମାନେ ଭାରତରେ ଇଥିଓପିଆନ୍ ଖାଦ୍ୟର ପରିଚୟ କରାଇଥିଲେ। ଭାରତରେ, ଆମେ ରାଗି ଏବଂ ବାଜରା ଭଳି ‘ଶ୍ରୀ ଅନ୍ନ’ ବାଜରା ଖାଇବାକୁ ମଧ୍ୟ ପସନ୍ଦ କରୁ। ସେହିପରି, ଇଥିଓପିଆନ୍ ‘ଟେଫ’ ର ସ୍ୱାଦ ଆମ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ। ଯେହେତୁ ଆମେ ଭାରତୀୟ ‘ଥାଳି’ ଖାଇବାର ଆନନ୍ଦ ଉଠାଉଛୁ, ତେଣୁ ଇଥିଓପିଆନ୍ ‘ବେୟା-ନୈତୁ’ ମଧ୍ୟ ଆମକୁ ବହୁତ ପରିଚିତ ମନେ ହୁଏ।
ମାନନୀୟ ସଦସ୍ୟଗଣ,
ଆଜି, ଭାରତୀୟ କମ୍ପାନୀଗୁଡ଼ିକ ଇଥିଓପିଆରେ ସବୁଠାରୁ ବଡ଼ ବିଦେଶୀ ନିବେଶକଙ୍କ ମଧ୍ୟରେ ଅନ୍ୟତମ। ସେମାନେ ବୟନଶିଳ୍ପ, ଉତ୍ପାଦନ, କୃଷି, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ପାଞ୍ଚ ବିଲିୟନ ଡଲାରରୁ ଅଧିକ ନିବେଶ କରିଛନ୍ତି। ଏଥିସହିତ ସେମାନେ ପଞ୍ଚସ୍ତରି ହଜାରରୁ ଅଧିକ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିଛନ୍ତି।
କିନ୍ତୁ, ମୁଁ ନିଶ୍ଚିତ ଯେ, ଆମେ ସମସ୍ତେ ଏକମତ ହୋଇପାରିବା, ଆମର ସହଭାଗୀତାରେ ବହୁତ ଅଧିକ ସମ୍ଭାବନା ଅଛି। ସେଥିପାଇଁ, ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଏବଂ ମୁଁ ଗତକାଲି ଏକ ବଡ଼ ପଦକ୍ଷେପ ନେଇଛୁ। ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନତ କରିବାକୁ ନିଷ୍ପତ୍ତି ନେଇଛୁ।
ଏହା ପ୍ରଯୁକ୍ତିବିଦ୍ୟା, ନବସୃଜନ, ଖଣି, ସ୍ଥାୟୀତ୍ୱ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ମାଧ୍ୟମରେ ଆମର ଅର୍ଥନୀତିର ସମ୍ଭାବନାକୁ ଉନ୍ମୁକ୍ତ କରିବ। ଏହା ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଦକ୍ଷତା ନିର୍ମାଣରେ ସହଯୋଗ ମାଧ୍ୟମରେ ଆମର ଲୋକଙ୍କ ପାଇଁ ଭବିଷ୍ୟତକୁ ସୁରକ୍ଷିତ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହା ସହିତ, ଆମେ ଆମର ବାଣିଜ୍ୟ ଏବଂ ନିବେଶ ସହଯୋଗକୁ ବୃଦ୍ଧି କରିବୁ, ସହିତ ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ।
ମାନନୀୟ ସଦସ୍ୟଗଣ,
ବିକଶିତ ଦେଶ ଭାବରେ, ଆମଠାରୁ ପରସ୍ପରକୁ ଶିଖିବା ଏବଂ ଆଦାନ ପ୍ରଦାନ କରିବା ପାଇଁ ବହୁତ କିଛି ଅଛି। କୃଷି ଆମ ଦୁଇ ରାଷ୍ଟ୍ରର ମେରୁଦଣ୍ଡ ଗଠନ କରେ। ଏହା ଆମର ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ। ଏହା ଆମର ଚାଷୀମାନଙ୍କୁ ପ୍ରତିପାଳନ କରେ। ଏହା ପରମ୍ପରାକୁ ନବସୃଜନ ସହିତ ସଂଯୋଗ କରେ। ଆମେ ଉତ୍ତମ ବିହନ, ଜଳସେଚନ ବ୍ୟବସ୍ଥା ଏବଂ ମୃତ୍ତିକା-ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଏକାଠି କାମ କରିପାରିବା।
ଜଳବାୟୁ ପରିବର୍ତ୍ତନ ବର୍ଷା ଏବଂ ଫସଲ ଚକ୍ରକୁ ପ୍ରଭାବିତ କରୁଥିବାରୁ, ଆମେ ଜଳବାୟୁ-ସହିଷ୍ଣୁ କୃଷିରେ ଜ୍ଞାନ ବାଣ୍ଟିପାରିବା। ଦୁଗ୍ଧ ଚାଷ ଠାରୁ କୃଷି ଯାନ୍ତ୍ରିକୀକରଣ, ମିଲେଟ୍ ଗବେଷଣା ଠାରୁ ଖାଦ୍ୟ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ, ଏକାଠି, ଆମେ ଆମର ଚାଷୀମାନଙ୍କୁ ସମୃଦ୍ଧ କରିବାରେ ସାହାଯ୍ୟ କରିପାରିବା।
ମାନନୀୟ ସଦସ୍ୟଗଣ,
ଭାରତରେ, ଆମେ ଏକ ଦୃଢ଼ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର) ନିର୍ମାଣ କରିଛୁ। ଏହା ଆମେ ସେବା ପ୍ରଦାନ କରିବାର ପଥ ଏବଂ ଲୋକମାନେ କିପରି ସେଗୁଡ଼ିକୁ ଗ୍ରହଣ କରିବେ ସେଥିରେ ପରିବର୍ତ୍ତନ ଆଣିଛି। ଆଜି, ଭାରତର ପ୍ରତ୍ୟେକ ନାଗରିକ ପେମେଣ୍ଟ, ପରିଚୟ ଓ ସରକାରୀ ସେବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ। ବିଶ୍ୱରେ ହେଉଥିବା ଅଧାରୁ ଅଧିକ ବାସ୍ତବ-ସମୟ ଡିଜିଟାଲ୍ ପେମେଣ୍ଟ ଏବେ ଭାରତରେ ଦୃଷ୍ଟିଗୋଚର ହେଉଛି।
୫୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କଲ୍ୟାଣକାରୀ ଲାଭ ନେଇଥିବା ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଖରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚିଛି, ବିନା କୌଣସି ଲିକେଜ୍ କିମ୍ବା ଦୁର୍ନୀତିରେ। ପ୍ରତିବର୍ଷ ତିନିଥର, ପ୍ରାୟ ୧୦ କୋଟି ଚାଷୀ ଗୋଟିଏ ବଟନ୍ କ୍ଲିକ୍ କରି ଆର୍ଥିକ ସହାୟତା ପାଇ ପାରୁଛନ୍ତି।
ଯେତେବେଳେ ଆପଣ ଡିଜିଟାଲ୍ ଇଥିଓପିଆ ୨୦୨୫ ରଣନୀତି ପ୍ରଣୟନ କରୁଛନ୍ତି, ଆମେ ଇଥିଓପିଆ ସହିତ ଆମର ବିଶେଷଜ୍ଞତା ଏବଂ ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ। ଏଥିସହିତ ଆମେ ଗୌରବାନ୍ୱିତ ଯେ, ଆପଣ ଆପଣଙ୍କ ବୈଦେଶିକ ମନ୍ତ୍ରଣାଳୟ ଲାଗି ଡାଟା ସେଣ୍ଟର ବିକଶିତ କରିବା ପାଇଁ ଭାରତକୁ ବିଶ୍ୱସ୍ତ ସହଯୋଗୀ ଭାବରେ ବାଛିଛନ୍ତି।
ମାନନୀୟ ସଦସ୍ୟଗଣ,
ଭାରତ ବିଶ୍ୱର ଔଷଧାଳୟ ଭାବରେ ବେଶ୍ ଜଣାଶୁଣା। କୋଭିଡ୍ ମହାମାରୀ ସମୟରେ, ସମଗ୍ର ବିଶ୍ୱ ଚିନ୍ତାଗ୍ରସ୍ତ ଥିଲା। ଏହା ଏକ ବହୁତ କଷ୍ଟକର ସମୟ ଥିଲା। ସୀମିତ ସମ୍ବଳ ସତ୍ତ୍ୱେ, ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା ମାନବତା ପ୍ରତି ଆମର ପବିତ୍ର କର୍ତ୍ତବ୍ୟ ବୋଲି ବିବେଚନା କରିଥିଲୁ।
ଭାରତ ୧୫୦ ରୁ ଅଧିକ ଦେଶକୁ ଔଷଧ ଏବଂ ଟିକା ପଠାଇଥିଲା। ଇଥିଓପିଆକୁ ୪ ନିୟୁତରୁ ଅଧିକ ଡୋଜ୍ ଟିକା ଯୋଗାଇବା ଭାରତ ପାଇଁ ଗର୍ବର ବିଷୟ ଥିଲା। ଭାରତରେ ତୁଳସୀ ଭାଇ ଭାବରେ ଜଣାଶୁଣା ଇଥିଓପିଆର ସୁପୁତ୍ର ଡକ୍ଟର ଟେଡରୋସଙ୍କ ନେତୃତ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ସହଭାଗୀତାରେ ଏହା କରିପାରିଥିବାରୁ ଆମେ ନିଜକୁ ସୌଭାଗ୍ୟଶାଳୀ ମନେକରୁଛୁ।
ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଆମର ସ୍ୱାସ୍ଥ୍ୟସେବା ସହଯୋଗ ଔଷଧ ଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ଏବଂ ପାରମ୍ପରିକ ଔଷଧ ଠାରୁ ଟେଲିମେଡିସିନ ପର୍ଯ୍ୟନ୍ତ ବୃଦ୍ଧି ପାଉଛି। ହସ୍ପିଟାଲରେ ନୂତନ ଉପକରଣ ଯୋଗାଣ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଦକ୍ଷତା ନିର୍ମାଣ ପର୍ଯ୍ୟନ୍ତ – ଆମେ ଆମର ସ୍ୱାସ୍ଥ୍ୟ ସୁରକ୍ଷା ସହଯୋଗକୁ ଆହୁରି ମଜଭୁତ କରିବାକୁ ପ୍ରତିଶ୍ରୁତିବଦ୍ଧ।
ମାନନୀୟ ସଦସ୍ୟଗଣ,
ଇଥିଓପିଆ ଆଫ୍ରିକାର ଏକ ସନ୍ଧିସ୍ଥଳରେ ଅବସ୍ଥିତ। ଭାରତ ଭାରତ ମହାସାଗରର ହୃଦୟରେ ଅବସ୍ଥିତ। ଆମେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସଂଯୋଗୀକରଣରେ ସ୍ୱାଭାବିକ ଅଂଶୀଦାର।
ଏହି ବର୍ଷ ଆରମ୍ଭରେ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ପାରସ୍ପରିକ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା ଆହୁରି ଦୃଢ଼ ହୋଇଗଲା। ଏହି ଚୁକ୍ତିନାମା ଘନିଷ୍ଠ ସାମରିକ ସହଯୋଗ ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି। ଏଥିରେ ସାଇବର ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ମିଳିତ ଗବେଷଣା ଏବଂ ଦକ୍ଷତା ଅଭିବୃଦ୍ଧିରେ ସହଯୋଗ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ।
ଏହି ସୁଯୋଗରେ, ଏପ୍ରିଲ୍ ମାସରେ ପହଲଗାମରେ ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆପଣମାନଙ୍କର ଏକାତ୍ମତା ପାଇଁ ମୁଁ ଇଥିଓପିଆକୁ ଧନ୍ୟବାଦ ଜଣାଉଛି। ଆମର ସର୍ବଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀକୁ ଏତେ ଉଦାରତାର ସହ ଗ୍ରହଣ କରିବା ଏବଂ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
ମାନନୀୟ ସଦସ୍ୟଗଣ,
ଜୀବନ୍ତ ଏବଂ ବିବିଧ ଗଣତନ୍ତ୍ର ଭାବରେ, ଆମେ ଉଭୟ ବୁଝିପାରୁଛୁ ଯେ, ଗଣତନ୍ତ୍ର କେବଳ ଏକ ଜୀବନଶୈଳୀ ନୁହେଁ, ଏହା ଏକ ଯାତ୍ରା। କେବେ କେବେ ଏହା ଆଲୋଚନାରେ, କେବେ କେବେ ମତଭେଦରେ ଗଢ଼ାଯାଏ, କିନ୍ତୁ ସଦାସର୍ବଦା ଆଇନର ଶାସନ ଓ ଲୋକଙ୍କ ଇଚ୍ଛାରେ ବିଶ୍ୱାସ ଦ୍ୱାରା ଗଢ଼ି ଉଠିଥାଏ।
ଆମର ଉଭୟ ସମ୍ବିଧାନ ମଧ୍ୟ ଏହି ଭାବନାକୁ ପ୍ରତିଫଳିତ କରେ। ଭାରତର ସମ୍ବିଧାନ ଏହି ଶବ୍ଦଗୁଡ଼ିକ ସହିତ ଆରମ୍ଭ ହୁଏ: “ଆମେ, ଭାରତର ଲୋକମାନେ।” ଇଥିଓପିଆର ସମ୍ବିଧାନ ଏହି ଶବ୍ଦଗୁଡ଼ିକ ସହିତ ଆରମ୍ଭ ହୁଏ: “ଆମେ, ରାଷ୍ଟ୍ର, ଜାତୀୟତା ଏବଂ ଇଥିଓପିଆର ଲୋକମାନେ।” ସେମାନଙ୍କର ବାର୍ତ୍ତା ସମାନ: ଆମର ଭାଗ୍ୟ ଆମ ହାତରେ।
ଆଜି ସକାଳେ, ମୁଁ ଆଡ୍ଓ୍ୱା ବିଜୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବାର ଗୌରବ ପାଇଲି। ଏହି ସ୍ମାରକୀ ହେଉଛି ଇଥିଓପିଆର ବିଜୟ କିପରି ସମଗ୍ର ଉପନିବେଶିତ ବିଶ୍ୱକୁ ମର୍ଯ୍ୟାଦା ଏବଂ ସ୍ୱାଧୀନତା ପାଇଁ ଅନୁପ୍ରାଣିତ କରିଥିଲା ତାହାର ଏକ ଚିରସ୍ଥାୟୀ ସ୍ମାରକ। ଏହି ସଂଘର୍ଷ ଏବଂ ଅନିଶ୍ଚିତତାର ସମୟରେ, ଏହା ଏକ ସ୍ମାରକ ଯେ, ଗ୍ଲୋବାଲ୍ ସାଉଥ୍ ର ଲୋକମାନେ ନିଜ ପାଇଁ ଠିଆ ହୋଇପାରିବେ।
ମାନନୀୟ ସଦସ୍ୟଗଣ,
ମହାତ୍ମା ଗାନ୍ଧୀ ଆମକୁ ଟ୍ରଷ୍ଟିସିପ୍ ର ଧାରଣା ଦେଇଥିଲେ। ଆମେ ଏହି ସୁନ୍ଦର ଗ୍ରହ ଏବଂ ଏହାର ସମ୍ପଦର ମାଲିକ ନୁହଁନ୍ତି। ବରଂ, ଆମେ ଟ୍ରଷ୍ଟି ଯେଉଁମାନେ ସେମାନଙ୍କର ଯତ୍ନ ନେବାକୁ ଏବଂ ଆମ ପିଲାମାନଙ୍କୁ ହସ୍ତାନ୍ତର କରିବାକୁ ପଡିବ। ଭାରତର ‘ଏକ୍ ପେଡ୍ ମା’ କେ ନାମ୍’ – “ମା’ ପାଇଁ ଗଛଟିଏ” ପ୍ରୟାସକୁ ମାର୍ଗଦର୍ଶନ କରୁଥିବା ଟ୍ରଷ୍ଟିସିପ୍ ର ଭାବନା ଇଥିଓପିଆର ସବୁଜ ଲିଗାସି ପ୍ରୟାସରେ ମଧ୍ୟ ପ୍ରତିଫଳିତ ହୋଇଛି।
ଆମର ଉଭୟ ରାଷ୍ଟ୍ର ପୃଥିବୀ ମାତାର ଯତ୍ନରେ ବିଶ୍ୱାସ କରନ୍ତି। ଉଭୟ ପ୍ରକୃତିକୁ ଫେରାଇ ଦେବାରେ ବିଶ୍ୱାସ କରନ୍ତି। ଏକାଠି, ଆସନ୍ତୁ ନବୀକରଣୀୟ ଶକ୍ତି ଏବଂ ସବୁଜ ସେବା ଉପରେ କାମ କରିବା। ଆସନ୍ତୁ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ଏବଂ ଜୈବ ଇନ୍ଧନ ଉପରେ କାମ କରିବା। ଆସନ୍ତୁ ଜଳବାୟୁ ନ୍ୟାୟ ପାଇଁ ଏକ ଦୃଢ଼ ସ୍ୱର ଉଠାଇବା। ଭାରତ ୨୦୨୭ ରେ ସିଓପି-୩୨ ରେ ଗ୍ଲୋବାଲ୍ ସାଉଥ୍ କୁ ଏକ ଶକ୍ତିଶାଳୀ ସହଯୋଗ ଦେବା ପାଇଁ ଇଥିଓପିଆର ପ୍ରୟାସକୁ ସମର୍ଥନ କରିବାରେ ଖୁସି ଅନୁଭବ କରିବ।
ମାନନୀୟ ସଦସ୍ୟଗଣ,
ମୋତେ କୁହାଯାଇଛି ଯେ, ଇଥିଓପିଆରେ ଏକ କଥା ଅଛି, “ଯେତେବେଳେ ମକଡି ଜାଲ ଏକତ୍ର ହୁଏ, ସେମାନେ ଏକ ସିଂହକୁ ବାନ୍ଧି ପାରନ୍ତି (When spider webs unite, they can tie up a lion)।” ଆମେ ମଧ୍ୟ ଭାରତରେ ବିଶ୍ୱାସ କରୁ, ଯେ ‘ମନ ମିଲେଂ ତୋ ପର୍ବତ ଭି ରାସ୍ତା ଦେ ଦେତେ ହେଁ’ – ଯେତେବେଳେ ହୃଦୟ ଏକ ହୋଇଯାଏ, ପର୍ବତ ମଧ୍ୟ ରାସ୍ତା ଦେଇ ଦିଏ।
ପ୍ରକୃତରେ, ସମ୍ମିଳନ ହେଉଛି ଶକ୍ତି, ଏବଂ ସହଯୋଗ ହେଉଛି ପ୍ରଭାବ। ଆଜି, ଗ୍ଲୋବାଲ ସାଉଥ୍ର ରାଷ୍ଟ୍ର ଭାବରେ, ପ୍ରାଚୀନ ସଭ୍ୟତା ଭାବରେ, ବନ୍ଧୁ ଭାବରେ, ଭାରତ ଏବଂ ଇଥିଓପିଆ ଏକାଠି ଠିଆ ହୋଇଛନ୍ତି। ଆମେ ଗୋଟିଏ ପରିବାରର ସଦସ୍ୟ ଭାବରେ ଏକାଠି ଠିଆ ହୋଇଛୁ। ଆମେ ଏପରି ଏକ ବିଶ୍ୱ ପାଇଁ କାମ କରୁ ଯାହା ଅଧିକ ନ୍ୟାୟସଙ୍ଗତ, ଅଧିକ ସମାନତାପୂର୍ଣ୍ଣ ଏବଂ ଅଧିକ ଶାନ୍ତିପୂର୍ଣ୍ଣ।
ଏଠାରେ, ଆଦିସ ଆବାବାରେ, ଆଫ୍ରିକୀୟ ଏକତାର ସ୍ୱପ୍ନକୁ ଏକ ଘର ମିଳିଥିଲା। ମୋତେ କୁହାଯାଇଛି ଯେ ଏହି ସୁନ୍ଦର ସହରର ଅନେକ ରାସ୍ତା ଆଫ୍ରିକୀୟ ଦେଶମାନଙ୍କ ନାମରେ ନାମିତ ହୋଇଛି!
ଭାରତ ମହାସାଗରର ଅନ୍ୟ ପାର୍ଶ୍ୱରେ, ନୂଆଦିଲ୍ଲୀରେ, ଭାରତ ଜି-୨୦ ର ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକୀୟ ସଂଘକୁ ସ୍ୱାଗତ କରି ସମ୍ମାନିତ ହୋଇଥିଲା। ଗତ ବର୍ଷ, ଆମେ ବ୍ରିକ୍ସର ସ୍ଥାୟୀ ସଦସ୍ୟ ଭାବରେ ଇଥିଓପିଆକୁ ଅନ୍ତର୍ଭୁକ୍ତ କରି ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲୁ।
ପ୍ରକୃତରେ, ମୋ ସରକାରର ୧୧ ବର୍ଷ ମଧ୍ୟରେ, ଭାରତ ଏବଂ ଆଫ୍ରିକା ମଧ୍ୟରେ ସମ୍ପର୍କ ବହୁଗୁଣିତ ହୋଇଛି। ଏହି ସମୟ ମଧ୍ୟରେ, ଆମେ ରାଷ୍ଟ୍ର ଏବଂ ସରକାର ମୁଖ୍ୟ ସ୍ତରରେ ୧୦୦ ରୁ ଅଧିକ ଗସ୍ତ ଆଦାନପ୍ରଦାନ କରିଛୁ।
ମାନନୀୟ ସଦସ୍ୟଗଣ,
ଗ୍ଲୋବାଲ୍ ଦକ୍ଷିଣ ନିଜର ଭାଗ୍ୟ ନିଜେ ଲେଖୁଛି। ଭାରତ ଏବଂ ଇଥିଓପିଆ ଏଥିପାଇଁ ଏକ ଦୃଷ୍ଟିକୋଣ ବାଣ୍ଟିଛନ୍ତି। ଆମର ଦୃଷ୍ଟିକୋଣ ହେଉଛି ଏପରି ଏକ ବିଶ୍ୱ ଯେଉଁଠାରେ ଗ୍ଲୋବାଲ୍ ଦକ୍ଷିଣ କାହା ବିରୁଦ୍ଧରେ ନୁହେଁ, ବରଂ ସମସ୍ତଙ୍କ ସ୍ୱାର୍ଥ ପାଇଁ ଠିଆ ହେବ।
ଏକ ଏମିତି ବିଶ୍ୱ, ଯେଉଁଠାରେ ‘ବିକାଶ ନ୍ୟାୟସଙ୍ଗତ’, ‘ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଲଭ’ ଏବଂ ‘ସାର୍ବଭୌମତା’ ପ୍ରତି ସମ୍ମାନ ରହେ। ଏକ ଏମିତି ବିଶ୍ୱ, ଯେଉଁଠାରେ ସମୃଦ୍ଧି ବାଣ୍ଟି ହୁଏ, ଏବଂ ଶାନ୍ତିକୁ ରକ୍ଷା କରାଯାଏ। ଏକ ଏମିତି ବିଶ୍ୱ, ଯେଉଁଠାରେ ‘ନିର୍ଣ୍ଣୟ ନେବା ପ୍ରକ୍ରିୟା ଆଜିର ପରିସ୍ଥିତିକୁ ପ୍ରତିବିମ୍ବିତ କରେ’, ୧୯୪୫ର ବିଶ୍ୱକୁ ନୁହେଁ। କାରଣ ଯଦି ବିଶ୍ୱର ବ୍ୟବସ୍ଥାଗୁଡ଼ିକ ଅତୀତରେ ଆବଦ୍ଧ ହୋଇ ରହିଥାଏ, ତେବେ ବିଶ୍ୱ ଆଗକୁ ବଢ଼ିପାରିବ ନାହିଁ।
ସେଥିପାଇଁ, ଭାରତ ଏକ ବିଶ୍ୱସ୍ତରୀୟ ବିକାଶ ଚୁକ୍ତି ଉପରେ ଗୁରୁତ୍ୱ ଦେଇଛି। ଏହା ସ୍ଥାୟୀ ଅଭିବୃଦ୍ଧି ପାଇଁ ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ସୁଲଭ ଅର୍ଥ, କ୍ଷମତା ନିର୍ମାଣ ଏବଂ ବାଣିଜ୍ୟକୁ ପ୍ରାଥମିକତା ଦେବ। ସେଥିପାଇଁ, ନଭେମ୍ବରରେ ଜି-୨୦ ଶିଖର ସମ୍ମିଳନୀରେ, ମୁଁ ଦଶ ଲକ୍ଷ ପ୍ରଶିକ୍ଷକଙ୍କୁ ତାଲିମ ଦେବା ପାଇଁ “ଆଫ୍ରିକା ଦକ୍ଷତା ଗୁଣାତ୍ମକ ପଦକ୍ଷେପ” ପାଇଁ ଆହ୍ୱାନ କରିଥିଲି। ଏହା ସ୍ଥାନୀୟ ଦକ୍ଷତା ନିର୍ମାଣ କରିବ, ଏବଂ ସମାବେଶୀ ଓ ସ୍ଥାୟୀ ବିକାଶ ପାଇଁ ଆପଣଙ୍କ ପ୍ରୟାସକୁ ସାହାଯ୍ୟ କରିବ।
ମାନନୀୟ ସଦସ୍ୟଗଣ,
ଚା’ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ସର୍ବପରିଚିତ। କିନ୍ତୁ, ଇଥିଓପିଆକୁ ଆସି କଫି ବିଷୟରେ ଉଲ୍ଲେଖ ନ କରିବା ଅସମ୍ଭବ! ଏହା ବିଶ୍ୱକୁ ଆପଣଙ୍କର ସର୍ବୋତ୍ତମ ଉପହାର ମଧ୍ୟରୁ ଗୋଟିଏ!
ଏକ ଇଥିଓପିଆନ୍ କଫି ସମାରୋହରେ, ଲୋକମାନେ ଏକାଠି ବସନ୍ତି, ସମୟ ମନ୍ଥର ବେଗରେ ଗତିକରେ ଏବଂ ବନ୍ଧୁତା ଗଭୀର ହୁଏ। ଭାରତରେ ମଧ୍ୟ, ଏକ କପ୍ ଚା’ର ଅର୍ଥ ହେଉଛି କଥାବାର୍ତ୍ତା, ବାଣ୍ଟିବା, ସଂଯୋଗ ସ୍ଥାପନ ପାଇଁ ଏକ ନିମନ୍ତ୍ରଣ। ଠିକ୍ ଇଥିଓପିଆନ୍ କଫି ଏବଂ ଭାରତୀୟ ଚା’ ପରି, ଆମର ବନ୍ଧୁତା ମଧ୍ୟ ଆହୁରି ସୁଦୃଢ ହେଉଛି!
ଆଜି, ମୁଁ ଆପଣମାନଙ୍କ ସମ୍ମୁଖରେ, ଭାଇ ଓ ଭଉଣୀମାନଙ୍କ ମଧ୍ୟରେ, ଗଭୀର କୃତଜ୍ଞତା ଏବଂ ଭବିଷ୍ୟତ ପାଇଁ ଉଜ୍ଜ୍ୱଳ ଆଶା ସହିତ ଠିଆ ହୋଇଛି। ଭବିଷ୍ୟତ ଆହ୍ୱାନ କରୁଛି। ଭାରତ ଏବଂ ଇଥିଓପିଆ ସେହି ଆହ୍ୱାନ ପ୍ରତିଉତ୍ତର ଦେବାକୁ ପ୍ରସ୍ତୁତ।
ମାନ୍ୟବର ସଦସ୍ୟଗଣ,
ମୋର ବକ୍ତବ୍ୟ ଶେଷ କରିବା ସମୟରେ, ମୁଁ ଆପଣଙ୍କୁ ମୋର ପ୍ରତିଶ୍ରୁତି ଦେଉଛି ଯେ, ଆମେ ସମାନ ଭାବରେ ଏକାଠି ଚାଲିବୁ। ଆମେ ସହଯୋଗୀ ଭାବରେ ଏକାଠି ଗଢ଼ିବୁ, ଏବଂ ଆମେ ବନ୍ଧୁ ଭାବରେ ଏକତ୍ର ସଫଳ ହେବୁ।
ଏହି ସଂସଦକୁ ସମ୍ବୋଧିତ କରିବାର ସମ୍ମାନ ପାଇଁ ଧନ୍ୟବାଦ। ଆପଣଙ୍କ ବନ୍ଧୁତା ପାଇଁ ଧନ୍ୟବାଦ। ଆପଣଙ୍କ ବିଶ୍ୱାସ ପାଇଁ ଧନ୍ୟବାଦ।
ତମ୍ବାରକୁ – ଧନ୍ୟବାଦ
ଦେନା ହୁନ୍ନୁ – ଆବଶ୍ୟକ
ଆମ ସଗ୍ରାଲୋ – ଆମ ସମ୍ପର୍କ
ଧନ୍ୟବାଦ।
*****
MT
Honoured to address the Ethiopian Parliament. Watch my speech. https://t.co/fxEZ7EAnFW
— Narendra Modi (@narendramodi) December 17, 2025
PM @narendramodi expresses gratitude for the ‘Great Honour Nishan of Ethiopia.’ pic.twitter.com/ZEj1t26IuN
— PMO India (@PMOIndia) December 17, 2025
India’s national song, Vande Mataram and the Ethiopian national anthem both refer to our land as the mother. pic.twitter.com/y2zUItwpGG
— PMO India (@PMOIndia) December 17, 2025
India’s Digital Public Infrastructure has transformed the way we deliver services and how people access them. pic.twitter.com/QnXWVSkJIU
— PMO India (@PMOIndia) December 17, 2025
India sent medicines and vaccines to more than 150 countries. pic.twitter.com/Cec94KLC6l
— PMO India (@PMOIndia) December 17, 2025
India and Ethiopia are natural partners in regional peace, security and connectivity. pic.twitter.com/a1hnVfgQjK
— PMO India (@PMOIndia) December 17, 2025
Over the 11 years of my government, the connection between India and Africa has grown manifold. pic.twitter.com/ruzuhHKg8E
— PMO India (@PMOIndia) December 17, 2025
Our vision is of a world where the Global South rises not against anyone, but for everyone. pic.twitter.com/G1AYdpiKH0
— PMO India (@PMOIndia) December 17, 2025
The world cannot move forward if its systems remain locked in the past. pic.twitter.com/dzh5bRgQYJ
— PMO India (@PMOIndia) December 17, 2025
It was a great honour and privilege to address the Ethiopian Parliament this morning. Ethiopia’s rich history, culture and spirit inspire deep respect and admiration. I conveyed India’s commitment to further strengthening our partnership, guided by shared values, mutual trust and… pic.twitter.com/pxvvvrZ083
— Narendra Modi (@narendramodi) December 17, 2025
ዛሬ ጠዋት ለኢትዮጵያ ፓርላማ ንግግር ማድረጌ ትልቅ ክብርና እድል ነበር። የኢትዮጵያ የበለፀገ ታሪክ፣ ባህልና መንፈስ ጥልቅ አክብሮትና አድናቆትን ያነሳሳል። ህንድ በጋራ እሴቶች፣ በጋራ መተማመን እና ለሰላም፣ ለልማትና ለትብብር የጋራ ራዕይ… pic.twitter.com/S4iqBecyeE
— Narendra Modi (@narendramodi) December 17, 2025
Delighted to have interacted with Ministers and MPs of Ethiopia after my address to the Ethiopian Parliament. pic.twitter.com/tWYd3CvM76
— Narendra Modi (@narendramodi) December 17, 2025