Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇରାନର ସର୍ବୋଚ୍ଚ ନେତା ଏବଂ ରାଷ୍ଟ୍ରପତି ରୁହାନୀଙ୍କୁ ବିରଳ ଉପହାର ଦେଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେହେରାନଠାରେ ଆଜି (୨୩.୦୫.୨୦୧୬) ଇରାନର ସର୍ବୋଚ୍ଚ ନେତା ତଥା ମହାନୁଭବ ଆୟତୋଲ୍ଲା ସୟିଦ ଅଲ୍ଲୀ ହୁସେନି ଖାମେନିଙ୍କୁ ସାକ୍ଷାତକରି ସପ୍ତମ ଶତାବ୍ଦୀର ପବିତ୍ର କୋରାନ ସମ୍ପର୍କିତ ଏକ ପାଣ୍ଡୁଲିପି ଉପହାର ଦେଇଛନ୍ତି । ଚତୁର୍ଥ ଖଲିଫା ହଜରତ ଅଲ୍ଲୀଙ୍କ ଦ୍ୱାରା କୁଫିକ୍ ଭାଷାରେ ଲିଖିତ କୋରାନ ପାଣ୍ଡୁଲିପିରୁ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ରାମପୁର ରାଜା ଲାଇବ୍ରେରୀର ଏହା ଏକ ଦୁର୍ଲଭ ଦସ୍ତାବିଜ ମଧ୍ୟରେ ଅନ୍ୟତମ ।

ପ୍ରଧାନମନ୍ତ୍ରୀ ଇରାନ ଗସ୍ତ କାଳରେ ସେଠାକାର ରାଷ୍ଟ୍ରପତି ଡଃ ହାସାନ ରୁହାନୀଙ୍କୁ ସାକ୍ଷାତ କରି ତାଙ୍କୁ ମିର୍ଜା ଆସାଦୁଲ୍ଲା ଖାନ୍ ଘାଲିବଙ୍କ ଦ୍ୱାରା ଲିଖିତ ପର୍ସିୟାନ କବିତା ସଙ୍କଳନ – “କୁଲିୟାତ – ଇ – ଫାର୍ସି – ଇ – ଘାଲିବ”ର ଏକ ପ୍ରତିରୂପ ପୁସ୍ତକ ଉପହାର ଆକାରରେ ପ୍ରଦାନ କରିଛନ୍ତି । ଏହାଛଡା ସୁମେର ଚାନ୍ଦଙ୍କ ଦ୍ୱାରା ପର୍ସିୟାନ ଭାଷାରେ ଅନୁଦିତ ରାମାୟଣ ଗ୍ରନ୍ଥକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେଠାକାର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ।

୧୮୬୩ ମସିହାରେ ପ୍ରଥମକରି ପ୍ରକାଶିତ “କୁଲିୟାତ – ଇ – ଫାର୍ସି – ଇ – ଘାଲିବ” କବିତା ସଙ୍କଳନରେ ଘାଲିବଙ୍କ ୧୧ ହଜାର କବିତା ସ୍ଥାନିତ ହୋଇଛି । ୧୮୬୭ ମସିହାରେ ପ୍ରକାଶିତ “କୁଲିୟାତ – ଇ – ଫାର୍ସି – ଇ – ଘାଲିବ”ର ସଂସ୍କରଣରୁ ନବ ପ୍ରତିରୂପ ଗ୍ରନ୍ଥ ପ୍ରସ୍ତୁତ କରାଯାଇଛି । ଏଥିରେ ହଜିଯାଇଥିବା କେତେକ ପୃଷ୍ଠାକୁ ୧୮୭୨ ମସିହାର ଏକ ସଂସ୍କରଣରୁ ଉଦ୍ଧାର କରାଯାଇଛି ଯାହାକି ମୌଲାନା ଆଜାଦ ବ୍ୟକ୍ତିଗତ ଭାବେ ସଂଗ୍ରହ କରିଥିଲେ । ମୌଲାନା ଆଜାଦଙ୍କ ଏହି ସଂଗ୍ରହକୁ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ନୂଆଦିଲ୍ଲୀସ୍ଥିତ ପାଠାଗାରରେ ସଂରକ୍ଷିତ କରାଯାଇଥିଲା ।

ପ୍ରଥମେ ୧୭୧୫ ମସିହାରେ ପର୍ସିୟାନ ଭାଷାକୁ ଅନୁଦିତ ଏବଂ ୧୮୨୬ ମସିହାରେ ପୁନଃ ସଙ୍କଳିତ ସୁମେର ଚାନ୍ଦଙ୍କ ରାମାୟଣ ଗ୍ରନ୍ଥ ପାଣ୍ଡୁଲିପି ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ରାମପୁର ରାଜା ଲାଇବ୍ରେରୀରୁ ସଂଗୃହୀତ ହୋଇଛି । ଏହି ପାଣ୍ଡୁଲିପିରେ ୨୬୦ ରୁ ଅଧିକ ଛବିଳ ରାମାୟଣ ବର୍ଣ୍ଣନା ରହିଛି, ଯାହାକି ଏକ ସର୍ବବୃହତ ହସ୍ତଲିଖିତ ରାମାୟଣ ପାଣ୍ଡୁଲିପି ଭାବେ ପରିଗଣିତ ।