ପିଏମଇଣ୍ଡିଆ
ମହାକାଶ ଗବେଷଣା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ କାନାଡା ରାଜି ହୋଇଛନ୍ତି । ଏଥିଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ କାନାଡା ମହାକାଶ ସଂସ୍ଥା (ସି.ଏସ୍.ଏ) ମଧ୍ୟରେ ଏକ ବୁଝାମଣା ପତ୍ର 15 ଏପ୍ରିଲ 2015ରେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ସମ୍ପର୍କରେ ବୁଧବାର କେନ୍ଦ୍ର କ୍ୟାବିନେଟକୁ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଳୀଠାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।
ବୁଝାମଣା ଅନୁସାରେ ଭାରତ ଓ କାନାଡାର ମହାକାଶ ଗବେଷଣା ସଂସ୍ଥାରୁ ବୈଜ୍ଞାନିକମାନଙ୍କୁ ନେଇ ଏକ ମିଳିତ ଟିମ ଗଠନ କରାଯିବ । ପ୍ରସ୍ତାବିତ ଟିମ କେଉଁ କେଉଁ ଅନ୍ତରୀକ୍ଷ ଅନୁସନ୍ଧାନ ପ୍ରକଳ୍ପ ଲାଗି ମିଳିତ ଭାବେ କାର୍ଯ୍ୟକରିବେ ଏବଂ ଏହାର ସମୟ ସୀମା କ’ଣ ହେବ ସେ ସଂପର୍କରେ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବେ । ମହାକାଶ ଜ୍ଞାନକୌଶଳର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ବହୁବିଧ ଗବେଷଣା ଲାଗି ଏହି ବୁଝାମଣା, ଦ୍ୱାର ଉନ୍ମୁକ୍ତ କରିବ ।