Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର-ପୂର୍ବାଂଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଉତ୍ତର-ପୂର୍ବାଂଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଉତ୍ତର-ପୂର୍ବାଂଚଳ ପରିଷଦର ପୂର୍ଣ୍ଣାଙ୍ଗ ବୈଠକରେ ଉପସ୍ଥିତ ହୋଇ ମୁଁ ଖୁବ୍ ଖୁସି ଅନୁଭବ କରୁଛି । ଏହି ଅବସରରେ ମୁଁ ଆପଣମାନଙ୍କୁ ଏହି ବୈଠକକୁ ସ୍ୱାଗତ ଜଣାଉଛି । ମୋର ଆଶା ଯେ ଗତକାଲିଠାରୁ ଏହି ବୈଠକରେ ହୋଇଥିବା ବିଭିନ୍ନ ଆଲୋଚନା ଏବଂ ଆଜି ହେବାକୁ ଥିବା ଆଲୋଚନା ଏହି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବା ଦିଗରେ ସହାୟକ ହେବ ।

ମୁଁ ଆହୁରି ମଧ୍ୟ ଖୁସି ଯେ ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ବିକାଶ ଦିଗରେ ଉତ୍ତର-ପୂର୍ବାଂଚଳ ପରିଷଦ ସଦାସର୍ବଦା ସହଯୋଗ ଯୋଗାଇ ଆସିଛି । ଅନେକଗୁଡ଼ିଏ ଅନୁଷ୍ଠାନର ସ୍ଥାପନା ପାଇଁ ତଥା ଏ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପର ସ୍ଥାପନା ପଛରେ ଏହି ପରିଷଦର ବିଶେଷ ଭୂମିକା ରହିଛି ।

ଉତ୍ତର-ପୂର୍ବାଂଚଳ ପରିଷଦ ୧୯୭୨ ମସିହାରେ ସ୍ଥାପନା ହୋଇଥିଲା । ସେହିଦିନଠାରୁ ଏହା ଏହି କ୍ଷେତ୍ରର ବିକାଶ ଦିଗରେ ତାର ଅବଦାନ ପ୍ରମାଣ କରିଆସୁଛି । ଏହି କ୍ଷେତ୍ରର ଲୋକମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଆଶା ଆକାଂକ୍ଷା ପୂରଣ ସକାଶେ ଉତ୍ତର-ପୂର୍ବାଂଚଳ ପରିଷଦ ସଦାସର୍ବଦା ଗୁରୁତ୍ୱର ସହ ଆଲୋଚନା, ପର୍ଯ୍ୟାଲୋଚନା ଏବଂ ଆକଳନ କରିବା ଅତୀବ ଗୁରୁତ୍ୱପୂର୍ଣ୍ଣ । ଯଦ୍ୱାରା ସେହିସବୁ ଉଦ୍ଦେଶ୍ୟମାନ ପୂରଣ କରିବା ସହଜସାଧ୍ୟ ହୋଇପାରିଛି । ସମ୍ଭବତଃ ଉତ୍ତର-ପୂର୍ବାଂଚଳ ପରିଷଦର ପୁନର୍ବିନ୍ୟାସ ଏବଂ ଏହାର ପରିସର ବୃଦ୍ଧି ଆବଶ୍ୟକ ହୋଇପଡ଼ିଛି । ଆପଣମାନେ ଏହାକୁ ବିଚାର କରିପାରନ୍ତି ଯେ ଉତ୍ତର-ପୂର୍ବାଂଚଳ ପରିଷଦକୁ ଏକ ଅତ୍ୟାଧୁନିକ ସାଧନ କେନ୍ଦ୍ର ଭାବେ ବିକାଶ କରାଯିବାର ଆବଶ୍ୟକତା ରହିଛି । ଯଦ୍ୱାରା ଏହି କ୍ଷେତ୍ରର ବିଭିନ୍ନ ରାଜ୍ୟରେ ରହିଥିବା ସମ୍ପଦ, ଜ୍ଞାନ ଏବଂ କୌଶଳର ବିନିଯୋଗ କରାଯାଇ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ । ଏହି ସାଧନ କେନ୍ଦ୍ର ରାଜ୍ୟ ତଥା ପ୍ରବର୍ତ୍ତନ ଏଜେନ୍ସୀଗୁଡ଼ିକୁ ସେମାନଙ୍କ ଯୋଜନା ପ୍ରଣୟନ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିବ । ଏହାଛଡ଼ା ଗବେଷଣା ଓ ଅଭିନବତ୍ୱର ବିକାଶ ଘଟାଇ ଏହି କ୍ଷେତ୍ରକୁ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେବ ।

ଉତ୍ତର-ପୂର୍ବାଂଚଳ ପରିଷଦ ନିଜକୁ ନିଜେ ଏକ ସ୍ୱତନ୍ତ୍ର ଅନୁଷ୍ଠାନରେ ପରିଣତ କରିପାରିବ ଅଥବା କୌଣସି ଏଜେନ୍ସୀ ମଡେଲ ମାଧ୍ୟମରେ ରାଜ୍ୟମାନଙ୍କୁ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ସେମାନଙ୍କର ବିକାଶ ଯୋଜନା ପ୍ରବର୍ତ୍ତନ ଦିଗରେ ଭୂମିକା ନିର୍ବାହ କରିପାରିବ । ତଦ୍ୱାରା ଏ କ୍ଷେତ୍ରର ବହୁ ସମସ୍ୟା ସମାଧାନ ହୋଇପାରିବ । ଏହାଫଳରେ ଏହି କ୍ଷେତ୍ରରେ ସୁଶାସନ ଏବଂ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନର ଏକ ପରିବେଶ ସୃଷ୍ଟି ହେବ । ଉତ୍ତର-ପୂର୍ବାଂଚଳ ପରିଷଦ ମଧ୍ୟ ବିଚାର କରିବା ଉଚିତ୍ ଯେ ଜୀବନ ଜୀବିକା, ଉଦ୍ୟୋଗ, ଭେଞ୍ଚର ପାଣ୍ଠି, ଷ୍ଟାର୍ଟ ଅପ ଏବଂ କୌଶଳ ବିକାଶ କ୍ଷେତ୍ରରେ ଯେଉଁ ନୂଆ ନୂଆ ପ୍ରସଙ୍ଗମାନ ମୁଣ୍ଡ ଟେକୁଛି ତା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ୍ । ଏସବୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ।

ସରକାର ଉତ୍ତର-ପୂର୍ବାଂଚଳ କ୍ଷେତ୍ରକୁ ଏକ ସକାରାତ୍ମକ ‘ପ୍ରାଚ୍ୟମୁଖୀ ନୀତି’ (Act East Policy) ମାଧ୍ୟମରେ ବିକାଶ ଘଟାଇବାକୁ ଶତତ ଚେଷ୍ଟିତ ଅଛନ୍ତି । ଏହି ନୀତିର ଅଂଶବିଶେଷ ସ୍ୱରୂପ ଆମେ ଏହି କ୍ଷେତ୍ରର ସାମଗ୍ରିକ ସଂଯୋଗୀକରଣ ଯଥା- ସଡ଼କ, ରେଳ, ଟେଲିକମ୍, ଶକ୍ତି, ଜଳପଥ ଆଦି ସେକ୍ଟର ମାଧ୍ୟମରେ ସଂଯୋଗ କରି ଏହାକୁ ମୁଖ୍ୟ ସ୍ରୋତ ସହ ସଂଯୁକ୍ତ କରି ରଖିବାକୁ ଚାହୁଁ ।

ଯଦି ଦେଶର ପଶ୍ଚିମାଂଚଳ ବିକାଶ କରିପାରିବ, ଯଦି ଦେଶର ଅନ୍ୟାନ୍ୟ କ୍ଷେତ୍ର ବିକାଶ କରିପାରିବ ତେବେ ଦେଶର ଉତ୍ତର-ପୂର୍ବାଂଚଳ କ୍ଷେତ୍ର ବିକାଶ କରିନପାରିବାର କୌଣସି କାରଣ ନାହିଁ । ମୋର ବିଶ୍ୱାସ ଯେ ଭାରତ ଆଗକୁ ସେତିକିବେଳେ ଆଗେଇ ପାରିବ, ଯେତେବେଳେ ଉତ୍ତର-ପୂର୍ବାଂଚଳ କ୍ଷେତ୍ରସହ ଦେଶର ସମଗ୍ର ଅଂଚଳ ସମାନଭାବେ ପ୍ରଗତି ହାସଲ କରିବ । ଉତ୍ତର-ପୂର୍ବାଂଚଳ କ୍ଷେତ୍ର ଆମର ପ୍ରତିରକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମୋର ବିଶ୍ୱାସ ଯେ ଆମେ ଏହି କ୍ଷେତ୍ରକୁ ଦେଶର ଅନ୍ୟାନ୍ୟ ଅଂଚଳର ବିକାଶ ସହ ସମତୁଲ କରାଇପାରିବା ।

ଚଳିତ ବଜେଟ୍ ରେ ଉତ୍ତର-ପୂର୍ବାଂଚଳ କ୍ଷେତ୍ରପାଇଁ ୩୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ତେଣୁ ଆମର ଉଦ୍ୟମ ହେବା ଉଚିତ୍ ଯେ ଏହି କ୍ଷେତ୍ରର ବିକାଶ ପାଇଁ ଯେଭଳି ସେହି ଅର୍ଥ ନିର୍ଦ୍ଦିଷ୍ଟଭାବେ ବ୍ୟୟ କରାଯିବ ତାହା ସୁନିଶ୍ଚିତ କରିବା ।

ଆମେ ସହଯୋଗୀ ଏବଂ ପ୍ରତିଯୋଗୀ ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ ରଖୁ । ଯେଉଁ ରାଜ୍ୟମାନେ ଦୃଢ ଏବଂ ଅଧିକ ଆଗେଇବାକୁ ଚାହାନ୍ତି ସେମାନଙ୍କୁ ଯଥେଷ୍ଟ କ୍ଷମତା ଓ ସମ୍ପଦ ଯୋଗାଇ ଦିଆଯିବ ଏବଂ ଯେଉଁ ରାଜ୍ୟମାନେ ସୁଦୃଢ ନୁହନ୍ତି, ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀମାନଙ୍କ କମିଟି ଦ୍ୱାରା ପ୍ରଦତ୍ତ ରିପୋର୍ଟ ଆଧାରରେ ଆମେ ୯୦ : ୧୦ ଅନୁପାତରେ ସମସ୍ତ ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ସହାୟତା ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛୁ ଏବଂ ଉତ୍ତର-ପୂର୍ବାଂଚଳର ଅନ୍ୟାନ୍ୟ ଯୋଜନା ଲାଗି ୮୦:୨୦ ଅନୁପାତରେ ସହାୟତା ଦିଆଯାଇପାରିବ ।

ନିକଟ ଅତୀତରେ ଆସାମରେ ଆମେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସ୍ଥାପନ କରିଛୁ । ତାହା ହେଲା- ବ୍ରହ୍ମପୁତ୍ର କ୍ରାକର ଏବଂ ପଲିମର ଲିମିଟେଡ୍ ଏବଂ ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ୱାର୍କ୍ସ ୟୁନିଟ୍ । ଏହି ଦୁଇଟିଯାକ ବୃହତ୍ତ ପ୍ରକଳ୍ପ ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କିନ୍ତୁ ଏହି ପ୍ରକଳ୍ପ ଦୁଇଟି ପୂର୍ଣ୍ଣାଙ୍ଗ ହେବାକୁ ଆମକୁ ଅନେକ ବର୍ଷ ଲାଗିଯିବ । ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ପ୍ରକଳ୍ପଗୁଡ଼ିକ ଯେଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ ହୁଏ ଏବଂ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ପଡ଼େ । କେବଳ ତାହାରି ଦ୍ୱାରା ହିଁ ଏହି ପ୍ରକଳ୍ପରୁ ଆମେମାନେ ବାସ୍ତବ ଫାଇଦା ହାସଲ କରିପାରିବା ।

ଉତ୍ତର-ପୂର୍ବ କ୍ଷେତ୍ର ହେଲା ଦକ୍ଷିଣ-ପୂର୍ବ ଏସିଆର ଦ୍ୱାର ଏବଂ ଆମେ ଏଥିରୁ ଫାଇଦା ହାସଲ କରିବା ଉଚିତ୍ । ଆମେ ଆମର ପ୍ରତିବେଶୀ ରାଷ୍ଟ୍ରଙ୍କ ସହ ଉଭୟ ସଡ଼କ ଓ ରେଳପଥ ସଞ୍ଜୁକ୍ତ କରୁଛୁ । ଏହାଦ୍ୱାରା ଏହି କ୍ଷେତ୍ରର ଆର୍ଥିକ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ।

ଉତ୍ତର-ପୂର୍ବାଂଚଳ କ୍ଷେତ୍ରପାଇଁ ‘ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ’ ନାମରେ ଆମେ ଏକ ସ୍ୱତନ୍ତ୍ର ରାଜପଥ ନିର୍ମାଣ ଏଜେନ୍ସୀ ସୃଷ୍ଟି କରିଛୁ । ୨୦୧୪ ମସିହା ଜୁଲାଇ ୧୮ ତାରିଖ ଦିନ ତାହା ପ୍ରତିଷ୍ଠା କରାଯାଇଛି । ସେହିଦିନଠାରୁ ଏହି ନିଗମ ଉତ୍ତର-ପୂର୍ବାଂଚଳର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଶାଖା କାର୍ଯ୍ୟାଳୟ ଖୋଲିଛି । ଆଜିସୁଦ୍ଧା ଏହି କ୍ଷେତ୍ରର ୩୪ଟି ପ୍ରକଳ୍ପ ଜରିଆରେ ୧,୦୦୧ କିଲୋମିଟର ସଡ଼କ ନିର୍ମାଣ କରିଛି, ଯେଉଁଥିପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି ।

ସଡ଼କ କ୍ଷେତ୍ରରେ ଆମକୁ ସ୍ମରଣ ରଖିବାକୁ ହେବ ଯେ ଏହି କ୍ଷେତ୍ରର ଭୂଇଁ ଏବଂ ପାଣିପାଗ ପରିସ୍ଥିତି ସ୍ୱତନ୍ତ୍ର । ଉତ୍ତର-ପୂର୍ବାଂଚଳର ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହୋଇଥାଏ ଏବଂ ଏହି କ୍ଷେତ୍ର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଭୂସ୍ଖଳନକ୍ଷମ । ତେଣୁ ଆମକୁ ଏହି କ୍ଷେତ୍ରରେ ସଡ଼କ ନିର୍ମାଣ କଲାବେଳେ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଏଥିପ୍ରତି ସତର୍କ ରହିବା ଜରୁରୀ । ଆମେ ନିକଟରେ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ପାଇଁ ବାଂଲାଦେଶ ସହଯୋଗିତାରେ ଏକ ଉନ୍ନତ ଇଣ୍ଟରନେଟ୍ ସଂଯୋଗ ପ୍ରକଳ୍ପ କାର୍ଯ୍ୟକାରୀ କରିଛୁ । ତାହା ଏ କ୍ଷେତ୍ରପାଇଁ ନିରବଚ୍ଛିନ୍ନ ଭାବେ ୧୦ ଜିବିର ବିକଳ୍ପ ବ୍ୟାଣ୍ଡୱିଥ୍ ର ସେବା ଉପଲବ୍ଧ କରାଇବ । ଉତ୍ତର-ପୂର୍ବାଂଚଳକୁ ଏଭଳି ସମନ୍ୱୟ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦେବ ।

ସରକାର ଉତ୍ତର-ପୂର୍ବାଂଚଳର ୮ଟି ଯାକ ରାଜ୍ୟରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଶକ୍ତି ସରବରାହ ପ୍ରକଳ୍ପ ପାଇଁ ପ୍ରଚୁର ନିବେଶ କାର୍ଯ୍ୟକାରୀ କରୁଛନ୍ତି । ଏହାଦ୍ୱାରା ଅଧିକ ଅଂଚଳକୁ ଶକ୍ତି ଯୋଗାଣ ସୁନିଶ୍ଚିତ ହୋଇପାରିବ ।

ନିକଟରେ କାର୍ଯ୍ୟକାରୀ ହୋଇଥିବା ବିଶ୍ୱନାଥ-ଚରିଆଲୀ-ଆଗ୍ରା ବିଜୁଳି ସରବରାହ ଲାଇନ୍ ଏହି କ୍ଷେତ୍ରକୁ ୫୦୦ ମେଗାୱାଟ ଅତିରିକ୍ତ କ୍ଷମତାର ବିଜୁଳି ଉପଲବ୍ଧ କରାଇ ପାରିଛି ।

ରେଳବାଇ ପ୍ରାୟ ୧୦ ହଜାର କୋଟି ଟଙ୍କା ବିନିଯୋଗ କରି ଏ କ୍ଷେତ୍ରର ରେଳସେବାରେ ବ୍ୟାପକ ସଂପ୍ରସାରଣ କାର୍ଯ୍ୟ ହାତକୁ ନେଇଛି । ୨୦୧୪ ନଭେମ୍ବର ମାସରେ ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟ ରେଳ ମାନଚିତ୍ରରେ ସ୍ଥାନ ପାଇଛି । ସେହିଭଳି ତ୍ରିପୁରାର ଅଗରତାଲାକୁ ବ୍ରଡଗେଜ୍ ଲାଇନ୍ ସଂଯୋଗ କରାଯାଇଛି । ଖୁବଶୀଘ୍ର ଏ କ୍ଷେତ୍ରର ସମସ୍ତ ରାଜ୍ୟକୁ ରେଳ ସଂଯୋଗ ସୁନିଶ୍ଚତ କରାଇବାକୁ ଆମେ କାର୍ଯ୍ୟ କରୁଛୁ ।

ଉତ୍ତର-ପୂର୍ବାଂଚଳରେ ଭାରତୀୟ ରେଳବାଇ ପ୍ରାୟ ୯ଶହ କିଲୋମିଟର ବ୍ରଡଗେଜ୍ ଲାଇନ୍ ଆସନ୍ତା ୨ ବର୍ଷ ମଧ୍ୟରେ ବିଛାଇବ । ୨୦୧୬-୧୭ରେ ମିଟରଗେଜ୍ ଲାଇନରେ ପରିଣତ କରିବାକୁ ଆଉ ମାତ୍ର ୫୦ କିଲୋମିଟରର ମିଟର ଗେଜ୍ ରହିଛି । ଏହାବ୍ୟତୀତ ଉତ୍ତର-ପୂର୍ବାଂଚଳ (New Maynaguri – Jogighopa) ମଧ୍ୟରେ ତୃତୀୟ ବିକଳ୍ପ ସଂଯୋଗ ପଥର ୧୩୨ କିଲୋମିଟର ନିର୍ମାଣ ସରିଛି ।

ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ଅନେକଗୁଡ଼ିଏ ସାମର୍ଥ୍ୟ ରହିଛି, ଯାହାର ଉପଯୋଗ କରାଯାଇ ଏହି ଅଂଚଳର ବିକାଶ ଘଟାଯିବା ଦରକାର । ଏ କ୍ଷେତ୍ରର ସମସ୍ତ ରାଜ୍ୟର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟରେ ଭରପୁର । ପୁଣି ଏହାର ସ୍ୱତନ୍ତ୍ର ଐତିହାସିକ, ସାଂସ୍କୃତିକ ଓ ନିଜସ୍ୱ ଐତିହ୍ୟ ରହିଛି । ଏହିସବୁ ସାମର୍ଥ୍ୟ ଏ କ୍ଷେତ୍ରରେ ପର୍ଯ୍ୟଟନର ବିକାଶ ଘଟାଇବାର ପର୍ଯ୍ୟାପ୍ତ ମାନ୍ୟତା ରହିଛି । ସେହିଭଳି ପର୍ବତାରୋହଣ, ଟ୍ରେକିଂ ଏବଂ ଦୁଃସାହସିକ ପର୍ଯ୍ୟଟନର ବିକାଶ ପାଇଁ ଏହି କ୍ଷେତ୍ର ବେଶ୍ ପ୍ରଶସ୍ତ । ଯଦି ଏହାର ବିକାଶ ଓ ପ୍ରସାର ଘଟାଯାଏ, ତେବେ ଏ କ୍ଷେତ୍ରପାଇଁ ଏହା ସବୁଠାରୁ ଅଧିକ ନିଯୁକ୍ତିର ସୁଯୋଗ ଆଣିଦେବ । ଏଥିସହ ବିକାଶ ଓ ଉପାର୍ଜନ ମଧ୍ୟ ବୃଦ୍ଧି ପାଇବ ।

ମୁଁ ଜାଣେ ଯେ ପର୍ଯ୍ୟଟନ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଂଚଳ କ୍ଷେତ୍ରପାଇଁ ଏକ ଥେମାଟିକ ସର୍କିଟ ଚିହ୍ନଟ କରିଛି । ମୋର ଆଶା ଯେ ଏହି କ୍ଷେତ୍ରର ରାଜ୍ୟମାନେ ଏହି ଯୋଜନାର ପୁନଃ ଉପଯୋଗ କରି ପର୍ଯ୍ୟଟନ ସର୍କିଟର ବିକାଶ ଘଟାଇବେ ଏବଂ ସାରା ବିଶ୍ୱର ପର୍ଯ୍ୟଟକମାନେ ଏଥିପ୍ରତି ଆକୃଷ୍ଟ ହେବେ । ଏହି କ୍ଷେତ୍ରକୁ ମଧ୍ୟ ପ୍ରତିବେଶୀ ରାଷ୍ଟ୍ରମାନେ ସେମାନେଙ୍କ ପର୍ଯ୍ୟଟନ ସର୍କିଟ ସହ ସଂଯୋଗ କରିବାର ସୁଯୋଗ ରହିଛି । ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ଅତିରିକ୍ତ ସୁଯୋଗ ହୋଇପାରିବ ।

ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ଅଧିକାଂଶ ଯୁବକ ଇଂରାଜୀରେ କଥାବାର୍ତ୍ତା କରିପାରନ୍ତି । ଯେତେବେଳେ ସଂଯୋଗ ବଢିବ ଏବଂ ଭାଷା, ଦକ୍ଷତା ବୃଦ୍ଧି ପାଇବ ସେତେବେଳେ ଆପଣମାନେ ଏଠାରେ ବିପିଓ ଶିଳ୍ପ ସ୍ଥାପନ ପାଇଁ ମଧ୍ୟ ଚିନ୍ତା କରିପାରିବେ ।

ସରକାର ଉତ୍ତର-ପୂର୍ବ ବିପିଓ ପ୍ରୋତ୍ସାହନ ଯୋଜନାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି, ଯାହାକି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ସାମିଲ । ଏହାଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିରୁ ଉତ୍ତର-ପୂର୍ବାଂଚଳ ରାଜ୍ୟମାନେ ଫାଇଦା ହାସଲ କରିବେ ଏବଂ ବିପିଓମାନଙ୍କୁ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରାଇପାରିବେ । ଯାହାକି ବିକାଶ ଓ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନରେ ସହାୟକ ହେବ ।

ଉତ୍ତର-ପୂର୍ବାଂଚଳ କ୍ଷେତ୍ର କେତେକ ବିଶେଷ ଫଳ, ଫୁଲ, ପନିପରିବା, ସୁବାସିତ ବୃକ୍ଷଲତା ଏବଂ ଗୁଳ୍ମ ପାଇଁ ପ୍ରସିଦ୍ଧ । ଏମାନଙ୍କର ଉତ୍ପତି ଜୈବିକ ପ୍ରକ୍ରିୟାରେ । ତେଣୁ ଯଦି ଜୈବିକ କୃଷିକୁ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱ ପ୍ରଦାନ କରାଯାଏ ତେବେ ଏହା ଉତ୍ତର-ପୂର୍ବାଞ୍ଚଳର ବିକାଶ ପ୍ରକ୍ରିୟାରେ ସହଯୋଗ କରିପାରିବ ।

କିଛିମାସ ପୂର୍ବେ ମୁଁ ସିକିମରେ ଥିଲି ଏବଂ ଏକ ଉତ୍ସବରେ ଅଂଶଗ୍ରହଣ କରିବାବେଳେ ସିକିମ୍ କୁ ଦେଶର ପ୍ରଥମ ଜୈବ ରାଜ୍ୟଭାବେ ଘୋଷଣା କରାଯାଇଥିଲା । ଅନ୍ୟ ରାଜ୍ୟମାନେ ସିକିମ ଠାରୁ ଏହି ଶିକ୍ଷାଲାଭ କରିପାରିବେ ଏବଂ ଉତ୍ତର-ପୂର୍ବାଂଚଳ ପରିସର ଜୈବିକ କୃଷି ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାଦ୍ୱାରା ଉତ୍ତର-ପୂର୍ବାଂଚଳ ଦେଶର ଜୈବ ଖାଦ୍ୟ ବାସ୍କେଟରେ ପରିଣତ ହୋଇପାରିବ । ଜୈବିକ ଖାଦ୍ୟପଦାର୍ଥ ବହୁଳଭାବେ ବ୍ୟବହୃତ ହୋଇପାରିବ ଏବଂ ଯଦି ପରିଷଦ ଉତ୍ତର-ପୂର୍ବାଂଚଳ ରାଜ୍ୟମାନଙ୍କୁ ସହାୟତା ପ୍ରଦାନ କରେ ତେବେ ସେମାନେ ଉପାର୍ଜନ ବୃଦ୍ଧି ସହ ଏ କ୍ଷେତ୍ରର ଉନ୍ନତି ପାଇଁ ଢେର କାର୍ଯ୍ୟ କରପାରିବେ । ଉତ୍ତର-ପୂର୍ବାଂଚଳର ଅଧିକାଂଶ ଲୋକ ଗାଁ ଗଣ୍ଡାରେ ବାସ କରନ୍ତି । ଯଦି ଆମେ କେବଳ ଆସାମ କଥା କହିବା ଏହି ରାଜ୍ୟର ୮୬ ପ୍ରତିଶତ ଲୋକ ଗ୍ରାମାଂଚଳର ଅଧିବାସୀ । ଗ୍ରାମ୍ୟପୁଞ୍ଜ ଢାଞ୍ଚାରେ ଗ୍ରାମାଂଚଳର ଆର୍ଥିକ, ସାମାଜିକ ଓ ମୌଳିକ ବିକାଶ ନିମନ୍ତେ ଆମେ ଶ୍ୟାମାପ୍ରସାଦ ମୁଖାର୍ଜୀ ରୁର୍ବାନ ମିଶନକୁ କାର୍ଯ୍ୟକାରୀ କରିପାରିବା । ତେଣୁ ଏହି କ୍ଷେତ୍ରର ଯେଉଁମାନେ ଏଭଳି ମିଶନରୁ ଫାଇନା ହାସଲ କରି ନିଜ ନିଜ ରାଜ୍ୟର ଗ୍ରାମାଂଚଳ ବିକାଶ ଘଟାଇବା ଦିଗରେ ବ୍ରତୀ ହେବା ଉଚିତ ।

ଶେଷରେ ମୁଁ ଉତ୍ତର-ପୂର୍ବାଂଚଳ ପରିଷଦର ଅଧ୍ୟକ୍ଷ ତଥା ସମସ୍ତ ସଦସ୍ୟଙ୍କୁ ଶିଲଂଠାରେ ଏହାର ପୂର୍ଣ୍ଣାଙ୍ଗ ବୈଠକକୁ ସଫଳତାର ସହ ଆୟୋଜନ କରିଥିବାରୁ ଧନ୍ୟବାଦ ପ୍ରଦାନ କରୁଛି ।

ଏହି ବୈଠକ ଆୟୋଜନ କରିଥିବାରୁ ମୁଁ ମେଘାଳୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଉଛି । ଏହା ନିଶ୍ଚିତ ଯେ ଏ କ୍ଷେତ୍ରର ବିକାଶ ଦିଗରେ ଏଠାରେ ହେଉଥିବା ଆଲୋଚନା ଯଥେଷ୍ଟମାତ୍ରାରେ ସହାୟକ ହେବ ।

ଆପଣମାନଙ୍କୁ ଧନ୍ୟବାଦ ।

**********