Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ଉତ୍ତର ପ୍ରଦେଶର 81ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଶୁଭାରମ୍ଭ ଉତ୍ସବରେ ସେ ଯୋଗଦାନ କରିଛନ୍ତି । ଏହିସବୁ ପ୍ରକଳ୍ପରେ ମୋଟ 60,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ ।

ଏହିସବୁ ପ୍ରକଳ୍ପ ମାତ୍ର କେଇ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ଉତ୍ତର ପ୍ରଦେଶରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାପରେ ସେସବୁ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । 2018 ଫେବୃୟାରୀ ମାସରେ ରାଜ୍ୟରେ ନିବେଶକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉତ୍ତର ପ୍ରଦେଶକୁ ଦେଶ ବିଦେଶର ନିବେଶକମାନଙ୍କୁ ଶିଳ୍ପସଂସ୍ଥା ସ୍ଥାପନ ସକାଶେ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ପରିକଳ୍ପନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ଉଲ୍ଲେଖ କରିଥିଲେ । ସେ କହିଲେ ଯେ କେନ୍ଦ୍ର ସରକାର ସବୁପ୍ରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟକରି ସମସ୍ତ ପ୍ରଭାବିତ ଲୋକଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ଲୋକମାନଙ୍କ ପ୍ରତି ସଦାସର୍ବଦା ଯତ୍ନଶୀଳ  ଏବଂ ଯେଉଁ ଲୋକମାନେ ସମସ୍ୟା ମଧ୍ୟରେ ରହିଛନ୍ତି ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସରକାରଙ୍କ ଉଦ୍ଦେଶ୍ୟ । ଆଜିର ଏହି ସମାବେଶ ଉତ୍ତର ପ୍ରଦେଶ ରାଜ୍ୟରେ ଉନ୍ନତି ଘଟାଇବା ଲାଗି ଉଦ୍ଦିଷ୍ଟଯେଉଁଭଳି ଭାବେ ଅତିଶୀଘ୍ର ମାତ୍ର ପାଞ୍ଚମାସ ମଧ୍ୟରେ ଏହିସବୁ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାନ୍ୱୟନ କରାଯାଇଛି (ପ୍ରସ୍ତାବ ଆଗତ ହେବା ଠାରୁ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ)  ତାହା ଅତୀବ ପ୍ରଶଂସନୀୟ ।

ଏଭଳି ସାଫଲ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ ପ୍ରକଳ୍ପଗୁଡ଼ିକ କେବଳ ରାଜ୍ୟର କେତେକ କ୍ଷେତ୍ର ମଧ୍ୟରେ ସୀମିତ ନୁହେଁ ।  ବରଂ ଏହା ରାଜ୍ୟର ସମସ୍ତ କ୍ଷେତ୍ରରେ ସମତୁଲ ବିକାଶ ଘଟାଇବା ସକାଶେ ଉଦ୍ଦିଷ୍ଟ ।

ରାଜ୍ୟ ସରକାରରେ ଯେଉଁ ନୂତନ କର୍ମ ସଂସ୍କୃତିର ବିକାଶ ଘଟିଛି ତାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଲେ ଯେ ରାଜ୍ୟରେ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ନିବେଶ ବାତାବରଣ ନିଯୁକ୍ତି, ବାଣିଜ୍ୟ, ଉତ୍ତମ ସଡ଼କ, ପର୍ଯ୍ୟାପ୍ତ ବିଜୁଳିଶକ୍ତି ଯୋଗାଣ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଣିଛି । ଏହିସବୁ ପ୍ରକଳ୍ପ ଅନେକ ନୂଆ ନୂଆ ନିଯୁକ୍ତି ସୁଯୋଗ ଯୋଗାଇବ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଏହାଦ୍ୱାରା ଉପକୃତ ହୋଇପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ ଡ଼ିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଏହିସବୁ ପ୍ରକଳ୍ପ ମାଧ୍ୟମରେ ବିପୁଳ ପ୍ରୋତ୍ସାହନ ପାଇପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ରାଜ୍ୟର ଗ୍ରାମାଞ୍ଚଳରେ ତିନି ଲକ୍ଷ ସାଧାରଣ ସେବାକେନ୍ଦ୍ର ପ୍ରସାରିତ ହୋଇରହିଛି । ସେସବୁ କେନ୍ଦ୍ର ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଜନତାଙ୍କ ଜୀବନଧାରଣ ମାନରେ ବୈପ୍ଳବିକ ପରିବର୍ତ୍ତନ ଘଟାଇବ । ସେମାନଙ୍କୁ ଉନ୍ନତ , ସକ୍ରିୟ ତଥା ସ୍ୱଚ୍ଛ ସେବା ଯୋଗାଇବ ।

କେନ୍ଦ୍ର ସରକାର ଅଧୁନା ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦିଗରେ ଥିବା ସକଳ ପ୍ରକାର ଅନ୍ତରାୟକୁ ଦୂର କରୁଛନ୍ତି । ଏହା ପରିବର୍ତ୍ତେ ସରକାର ସବୁ ସମସ୍ୟାର ସମାଧାନ ଏବଂ ସେଥିରେ ଉତ୍ତମ ବୁଝାମଣା ଓ ସଂପର୍କ ସ୍ଥାପନର ବ୍ୟବସ୍ଥା କରୁଛନ୍ତି । ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଉତ୍ତର ପ୍ରଦେଶ ଏଭଳି ମୋବାଇଲ ଫୋନ୍‌ ଉତ୍ପାଦନ କ୍ଷେତ୍ରରେ ଘଟିଥିବା ବିପ୍ଳବର ନେତୃତ୍ୱ ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ ହେଉଛି, ସେତେବେଳେ ଭାରତରେ ବ୍ୟବସାୟ ବାଣିଜ୍ୟ କରିବା ଆହୁରି ସହଜସାଧ୍ୟ ହୋଇପାରିବ । ସେତେବେଳେ ଲଜିଷ୍ଟିକ୍ସ ପାଇଁ କରାଯାଉଥିବା ବ୍ୟୟ ହାର ଆପେ ଆପେ ହ୍ରାସ ପାଇବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗୀ ତଥା ବାଣିଜ୍ୟ କାରବାରକାରୀଙ୍କୁ ଡ଼ିଜିଟାଲ ବ୍ୟବସ୍ଥା ମାଧ୍ୟମରେ କାରବାର କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଜୁଳିଶକ୍ତି ଯୋଗାଣ ବ୍ୟବସ୍ଥାକୁ କିଭଳି ଭାବେ ଉନ୍ନତ କରାଯାଇଛି ସେ ସଂପର୍କରେ ଲୋକମାନଙ୍କୁ ସୂଚୀତ କରିଥିଲେ । ସେ କହିଲେ ଯେ ଦେଶ ଏବେ ପାରମ୍ପରିକ ଶକ୍ତି ବ୍ୟବସ୍ଥାରୁ ସବୁଜ ଶକ୍ତି ଆଡ଼କୁ ଅଗ୍ରସର ହେଉଛି ଏବଂ ସେହି ଦୃଷ୍ଟିରୁ ଉତ୍ତର ପ୍ରଦେଶ ସାରା ଦେଶରେ ସୌରଶକ୍ତି କ୍ଷେତ୍ରରେ ପ୍ରାଣକେନ୍ଦ୍ର ପାଲଟିବ । ଭାରତର ଶକ୍ତି ନିଅଣ୍ଟ ପରିମାଣ 2013-14 ରେ 4.2 ପ୍ରତିଶତରୁ ଅଧୁନା ଏକ ପ୍ରତିଶତରୁ କମ୍‌ ସ୍ତରକୁ ହ୍ରାସ ପାଇଛି ବୋଲି ସେ ସୂଚୀତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଭାରତ ଗଠନ ସକାଶେ ଏକ ମାର୍ଗସୂଚୀ ପ୍ରସ୍ତୁତ କରିବା ହେଉଛି ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ସାକାର କରିବା ସଙ୍ଗେ ସମାନ । ଜନ ଭାଗିଦାରୀ ମାଧ୍ୟମରେ ଏହା ସାକାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

 

****************