ପିଏମଇଣ୍ଡିଆ
ଭାରତ ଓ ସିଙ୍ଗାପୁର ମଧ୍ୟରେ ଔଦ୍ୟୋଗିକ ସମ୍ପତ୍ତି ସହଯୋଗ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି । ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ ଏବଂ ସିଙ୍ଗାପୁରର ଆଇନ ମନ୍ତ୍ରଣାଳୟ ଅଧିନସ୍ଥ ବୌଦ୍ଧିକ ସମ୍ପତ୍ତି କାର୍ଯ୍ୟ।ଳୟ ମଧ୍ୟରେ ଏହି ବୁଝାମଣା ହେବ । 4 ରୁ 7 ଅକ୍ଟୋବର ମଧ୍ୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ କାଳରେ ଏହି ବୁଝାମଣା ସ୍ଵାକ୍ଷରିତ ହେବ ।
ଏହି ବୁଝାମଣା ଦ୍ଵାରା ପେଟେଣ୍ଟଗୁଡିକର ଔଦ୍ୟୋଗିକ ସମ୍ପତ୍ତି ଅଧିକାର, ଟ୍ରେଡମାର୍କ ଏବଂ ଶିଳ୍ପ ଡିଜାଇନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବ । ଏହାଛଡା ଦୁଇ ଦେଶରେ ଉଦ୍ଭାବନ, ନବସୃଜନ, ପ୍ରଯୁକ୍ତି କୌଶଳର ବିକାଶ ଓ ପ୍ରୟୋଗ କ୍ଷେତ୍ରକୁ ଅଧିକ ବଳ ମିଳିବ ।
ଏହି ବୁଝାମଣା ଅଧୀନରେ ଦୁଇ ଦେଶ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ସମ୍ପର୍କିତ ଉତ୍ତମ ବୈଜ୍ଞାନିକ କାର୍ଯ୍ୟ ପଦ୍ଧତି, ଅନୁଭୂତି, ଜ୍ଞାନର ଆଦାନ-ପ୍ରଦାନ ହେବ । ବୌଦ୍ଧିକ ସମ୍ପତ୍ତି କ୍ଷେତ୍ରରେ ସ୍ଵତନ୍ତ୍ର ଜ୍ଞାନଥିବା ବିଶେଷଜ୍ଞମାନଙ୍କ ଆଦାନ-ପ୍ରଦାନ ହେବ । ସ୍ଵୟଂକ୍ରିୟତାର ବିକାଶ ଓ ଆଧୁନିକ ପ୍ରକଳ୍ପର କାର୍ଯ୍ୟ।ନ୍ଵୟନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ । ସ୍ଥାନୀୟ ବାଣିଜ୍ୟିକ ଗୋଷ୍ଠୀକୁ ବୌଦ୍ଧିକ ସମ୍ପତ୍ତି ସଂକ୍ରାନ୍ତ ତାଲିମ ପ୍ରଦାନ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ ।
ଏପ୍ରକାର ବୁଝାମଣା ଦ୍ଵାରା ଉଭୟ ଭାରତ ଓ ସିଙ୍ଗାପୁରର ଉଦ୍ୟୋଗୀ, ପୁଞ୍ଜି ନିବେଶକାରୀ, ବ୍ୟବସାୟ ସଂସ୍ଥାନମାନେ ନବସୃଜନ ତଥା ବୌଦ୍ଧିକ ସମ୍ପତ୍ତି ସଂକ୍ରାନ୍ତ ବ୍ୟବସ୍ଥାଗତ ଅନୁଭୂତିର ଆଦାନ-ପ୍ରଦାନ କରି ପାରସ୍ପରିକ ଉପକାର ଲାଭ କରିପାରିବେ । ବିଶ୍ଵିକ ନବସୃଜନ କ୍ଷେତ୍ରରେ ଏହି ବୁଝାମଣା ଭାରତକୁ ଏକ ପ୍ରମୁଖ ଅଞ୍ଚଳରେ ପରିଣତ କରିବ ।