Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

“ଉଧାର ଗର୍ଭଧାରଣ (ନିୟନ୍ତ୍ରଣ) ବିଲ, 2016”ରେ ବିଧିବଦ୍ଧ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ


“ଉଧାର ଗର୍ଭଧାରଣ(ନିୟନ୍ତ୍ରଣ) ବିଲ, 2016ରେ ବିଧିବଦ୍ଧ ସଂଶୋଧନ ଆଗତ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଉଧାର ଗର୍ଭଧାରଣ(ନିୟନ୍ତ୍ରଣ) ବିଲ, 2016ର ବ୍ୟବସ୍ଥା ଅନୁଯାୟୀ ଭାରତରେ ଉଧାର ଗର୍ଭଧାରଣ ପଦ୍ଧତିରେ ନିୟନ୍ତ୍ରଣ ଲାଗି କେତେକ ପ୍ରସ୍ତାବ ରହିଛି । ପ୍ରସ୍ତାବ ମୁତାବକ ଜାତୀୟସ୍ତରରେ ଉଧାର ଗର୍ଭଧାରଣ ବୋର୍ଡ, ରାଜ୍ୟସ୍ତରରେ ଉଧାର ଗର୍ଭଧାରଣ ବୋର୍ଡ ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳରେ ଉପଯୁକ୍ତ କର୍ତ୍ତୃପକ୍ଷ ଗଠନ କରାଯିବ ।

ପ୍ରସ୍ତାବିତ ଆଇନ ଉଧାର ଗର୍ଭଧାରଣର ଯଥାଯଥ ନିୟନ୍ତ୍ରଣ, ଅନିୟନ୍ତ୍ରିତ ତଥା ଉଧାର ଗର୍ଭଧାରଣର ବ୍ୟବସାୟକରଣକୁ ରୋକିବା ଏବଂ ନିଃସନ୍ତାନ ଭାରତୀୟ ମାତାପିତାଙ୍କୁ ବିକଳ୍ପ ଉଧାର ଗର୍ଭଧାରଣ ପାଇଁ ଅନୁମତି ଦେବାର ବ୍ୟବସ୍ଥା ସୁନିଶ୍ଚିତ କରିବ ।

ଏହି ବିଲ ସଂସଦର ଅନୁମୋଦନ ଲାଭ କରିବା ପରେ ଜାତୀୟ ଉଧାର ଗର୍ଭଧାରଣ ବୋର୍ଡ ଗଠନ କରାଯିବ । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି ହେବାର 3 ମାସ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟ ରାଜ୍ୟ ଉଧାର ଗର୍ଭଧାରଣ ବୋର୍ଡ ଏବଂ ଉପଯୁକ୍ତ କର୍ତ୍ତୃପକ୍ଷ ଗଠନ କରିବେ ।

ବୃହତ ପ୍ରଭାବ :

ଥରେ ଏହି ଆଇନ କାର୍ଯ୍ୟକାରୀ ହେଲେ ଦେଶରେ ଉଧାର ଗର୍ଭଧାରଣ ସେବା ନିୟନ୍ତ୍ରିତ ହୋଇପାରିବ । ଏହା ଉଧାର ଗର୍ଭଧାରଣର ଅନୈତିକ ଉପଯୋଗକୁ ରୋକିବା ସହିତ ଉଧାର ଗର୍ଭଧାରଣର ବ୍ୟବସାୟକରଣକୁ ନିୟନ୍ତ୍ରଣ କରିବା, ଉଧାର ଗର୍ଭଧାରଣ କରୁଥିବା ମା’ ତଥା ଉଧାର ଗର୍ଭ ମାଧ୍ୟମରେ ଜନ୍ମିତ ଶିଶୁର ନିର୍ଯାତନାକୁ ରୋକିପାରିବ । ଉଧାର ଗର୍ଭଧାରଣର ବ୍ୟବସାୟକରଣକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବା ସହିତ ମାନବ ଭ୍ରୂଣ ଏବଂ ଜନନକୋଷର ବିକ୍ରି ବନ୍ଦ କରିବ । ସ୍ୱତନ୍ତ୍ର ସର୍ତ୍ତ ଏବଂ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ନିଃସନ୍ତାନ ଦମ୍ପତ୍ତିଙ୍କୁ ନୈତିକ ଉଧାର ଗର୍ଭଧାରଣ ପାଇଁ ଅନୁମତି ମିଳିବ ।

ଏହାଦ୍ୱାରା ନୈତିକ ଉଧାର ଗର୍ଭ ବ୍ୟବହାର କରିବାକୁ ଚାହୁଁଥିବା ସମସ୍ତ ବିବାହିତ ନିଃସନ୍ତାନ ଦମ୍ପତ୍ତି ଉପକୃତ ହୋଇପାରିବେ । ଆହୁରି, ଉଧାର ଗର୍ଭଧାରଣ କରୁଥିବା ମାତା ଏବଂ ଉଧାର ଗର୍ଭଧାରଣ ମାଧ୍ୟମରେ ଜନ୍ମିତ ଶିଶୁର ଅଧିକାର ସୁରକ୍ଷା ହୋଇପାରିବ । ଜାମ୍ମୁ ଏବଂ କାଶ୍ମୀରକୁ ବାଦ ଦେଲେ ଏହି ଆଇନ ସାରା ଭାରତରେ କାର୍ଯ୍ୟକାରୀ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ବିଭିନ୍ନ ଦେଶର ଦମ୍ପତ୍ତିମାନଙ୍କ ପାଇଁ ଭାରତ ଉଧାର ଗର୍ଭଧାରଣର କେନ୍ଦ୍ରସ୍ଥଳୀ ହୋଇ ଉଭା ହୋଇଛି । ତେବେ ଏଠାରେ ଉଧାର ଗର୍ଭଧାରଣର ଅନୈତିକ ଉପଯୋଗ, ଉଧାର ଗର୍ଭଧାରଣ କରୁଥିବା ମା’ଙ୍କୁ ନିର୍ଯାତନା, ଏପରିକି ଶିଶୁଙ୍କୁ ପରିତ୍ୟାଗ କରିବା, ମାନବ ଭ୍ରୂଣ ଏବଂ ଜନନକୋଷର ବିକ୍ରି ଭଳି ଅନୈତିକ ଘଟଣା ଘଟୁଛି । ଏଥିପାଇଁ ଭାରତୀୟ ଆଇନ କମିଶନ ତାଙ୍କର 228ତମ ରିପୋର୍ଟରେ ଉପଯୁକ୍ତ ଆଇନ ଆଣି ଦେଶରେ ଉଧାର ଗର୍ଭର ବ୍ୟବସାୟିକ ଉପଯୋଗ ନିଷିଦ୍ଧ କରିବା ଲାଗି ସୁପାରିସ କରିଥିଲେ ।

*****