Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏଚଟି ନେତୃତ୍ୱ ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଏଚଟି ନେତୃତ୍ୱ ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଶୋଭନା ଭାରତୀୟା ମହୋଦୟା,

ଉପସ୍ଥିତ ସମସ୍ତ ମହାନୁଭବ

ଭାଇ ଓ ଭଉଣୀମାନେ,

ମୁଁ ପୁଣିଥରେ ଆପଣମାନଙ୍କ ଗହଣକୁ ଆସିବା ଲାଗି ସୁଯୋଗ ପାଇଛି  ।  ବହୁ ଚିହ୍ନା-ପରିଚିତ ଲୋକଙ୍କୁ ମୁଁ ଦେଖିପାରୁଛି । ମୋତେ ପୁଣିଥରେ ଡାକିଥିବାରୁ  ହିନ୍ଦୁସ୍ଥାନ ଟାଇମ୍ସ ଗ୍ରୁପ ଏବଂ ଏହାର ପାଠକମାନଙ୍କୁ ଅନେକ ଅନେକ କୃତଜ୍ଞତା  ।

ସାଥୀମାନେ, ଦୁଇ ବର୍ଷ ପୂର୍ବେ ଯେତେବେଳେ ମୁଁ ଏହି ସମ୍ମିଳନୀକୁ ଆସିଥିଲି, ବିଷୟ ଥିଲା- “ଉଜ୍ଜ୍ୱଳ ଭାରତ ଦିଗରେ ଆଗକୁ ବଢ଼ିବା”, କେବଳ ଦୁଇ ବର୍ଷ, କେବଳ ଦୁଇ ବର୍ଷରେ ଆମେ ଆଜି “ଭାରତର ଅପରିବର୍ତ୍ତନୀୟ ଉଦୟ” ଉପରେ ଆଲୋଚନା କରୁଛୁ । ଏହା କେବଳ ବିଷୟର ପରିବର୍ତ୍ତନ ନୁହେଁ  । ଏ ଦେଶର ଚିନ୍ତାଧାରାରେ ଆସିଥିବା ପରିବର୍ତ୍ତନ, ଦେଶର ଆତ୍ମବିଶ୍ୱାସରେ ଆସିଥିବା ପରିବର୍ତ୍ତନର ପ୍ରତୀକ ।

ଯଦି ଆମେ ଦେଶକୁ ଏକ ସମ୍ପୂର୍ଣ୍ଣତାର ସହ ଦେଖିବା, ଏକ ଜୀବନ୍ତ ପ୍ରତିମୂର୍ତ୍ତି ଭାବେ ଦେଖିବା, ତା’ହେଲେ ଆଜି ଯେଉଁ ସକାରାତ୍ମକ ମନୋଭାବ ଆମ ଦେଶରେ ଆସିଛି, ତାହା ପୂର୍ବରୁ କେବେ ହେଲେ ଆସିନଥିଲା । ମୋର ମନେ ପଡ଼ୁନାହିଁ, ଦେଶର ଗରିବମାନେ, ନବଯୁବକମାନେ, ମହିଳାମାନେ, କୃଷକମାନେ, ଶୋଷିତ-ବଞ୍ଚିତମାନେ ନିଜ ସାମର୍ଥ୍ୟ, ଦେଶ ଉପରେ ଭରସା….ନିଜ ସ୍ୱପ୍ନ ଉପରେ ଏତେ ଭରସା, ପୂର୍ବରୁ କେବେ କରିନଥିବେ ।

ସେହି ଭରସା ଏବେ ଆସିଛି । ଆମେ 125 କୋଟି ଭାରତବାସୀ ମିଶି ଏଥିପାଇଁ ଦିନ-ରାତି ଏକ କରିଦେଇଛୁ  । ଦେଶବାସୀଙ୍କର ନିଜ ଉପରେ ଭରସା, ଦେଶ ଉପରେ ଭରସା… କୌଣସି ମଧ୍ୟ ଦେଶକୁ ଶୀର୍ଷକୁ ନେଇ ଯିବା ଲାଗି ଏହା ହିଁ ମନ୍ତ୍ର ଅଟେ ।

ଆଜି ଗୀତା ଜୟନ୍ତୀ, ଗୀତାରେ ବଡ଼ ସ୍ପଷ୍ଟ ଭାବେ କୁହାଯାଇଛି –

“ଉଦ୍ଦରେତ ଆତ୍ମନ ଆତ୍ମନମ ନ ଆତ୍ମାନଂ ଅବସାଦୟେତ ଆତ୍ମେବ-ଆତ୍ମନୋ ବନ୍ଧୁ ଆତ୍ମେବ ରିପୁର ଆତ୍ମନା ।”

(उद्धरेत आत्मन आत्मानम न आत्मानं अवसादयेत आत्मेव-आत्मनो बंधु आत्मेव रिपुर आत्मना)

ନିଜକୁ ଉପରକୁ ଉଠାଅ ନକାରାତ୍ମକ ବିଚାରକୁ ଟାଳିଦିଅ,

ନିଜେ ହିଁ ନିଜର ମିତ୍ର ହୁଅ ଏବଂ ନିଜେ ହିଁ ନିଜର ଶତ୍ରୁ  ।

ଏବଂ ସେଥିପାଇଁ ଭଗବାନ ବୁଦ୍ଧ ମଧ୍ୟ କହିଥିଲେ  ।

ଅପ୍ପୋ ଦୀପୋ ଭବ ଅର୍ଥାତ ନିଜେ ନିଜକୁ ଆଲୋକିତ କର

125 କୋଟି ଦେଶବାସୀଙ୍କ ବୃଦ୍ଧି ପାଉଥିବା ଭରସା, ଏହି ଦେଶର ବିକାଶରେ ଏକ ମଜଭୂତ ଭିତ୍ତି ଭାବେ ନିର୍ମିତ ହେଉଛି  । ଏହି ହଲରେ ବସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଏହି ହୋଟେଲ ବାହାରେ ଯେଉଁ ଲୋକମାନେ ଅଟୋ ଚଳାଉଛନ୍ତି, କେଉଁଠି ରିକ୍ସା ଟାଣୁଛନ୍ତି, କେଉଁଠି ଜମିରେ ଭାଙ୍ଗିଯାଇଥିବା ବନ୍ଧକୁ ଠିକ କରୁଛନ୍ତି, କେଉଁଠି ବରଫରେ ରାତି ସାରା ଜଗି ରହିବା ପରେ ଏବେ କୌଣସି ଟେଣ୍ଟରେ ଶୋଇରହିଛନ୍ତି, ସେମାନେ ନିଜ ଭାଗ୍ୟର ତପସ୍ୟା କରୁଛନ୍ତି  । ଏହିପରି ପ୍ରତ୍ୟେକ ଭାରତୀୟଙ୍କ ତପସ୍ୟା ଯୋଗୁ ଆମେ “ଏକ ଉଜ୍ଜଳ ଭାରତ ଦିଗରେ” ଆଗକୁ ବଢ଼ି “ଭାରତର ଅପରିବର୍ତ୍ତନୀୟ  ଉଦୟ” କଥା କହୁଛୁ  ।

ସାଥୀମାନେ, 2014ରେ ଦେଶର ଲୋକମାନେ କେବଳ ସରକାର ବଦଳାଇବା ପାଇଁ ଭୋଟ ଦେଇନଥିଲେ  । 2014ରେ ଭୋଟ ଦିଆଯାଇଥିଲା ଦେଶ ବଦଳାଇବା ଲାଗି  । ବ୍ୟବସ୍ଥାରେ ଏପରି ପରିବର୍ତ୍ତନ ଆଣିବା ଲାଗି, ଯାହା ସ୍ଥାୟୀ ହୋଇଥିବ, ଅପରିବର୍ତ୍ତନୀୟ ହୋଇଥିବ । ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମ ବ୍ୟବସ୍ଥାର ଦୁର୍ବଳତା, ଆମ ଦେଶର ସଫଳତାରେ ବାଧକ ସାଜୁଥିଲା  ।

ଏହା ଏପରି ଏକ ବ୍ୟବସ୍ଥା ଥିଲା, ଯାହା ଦେଶର କ୍ଷମତା ସହିତ ନ୍ୟାୟ କରିପାରୁନଥିଲା । ଚାରିଆଡ଼େ କେହି ନା କେହି ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥା ସହ ଲଢ଼ିବାକୁ ପଡ଼ୁଥିଲା । ଏହା କେବଳ ମୋର ପ୍ରୟାସ ନୁହେଁ, ପ୍ରତିବଦ୍ଧତା ମଧ୍ୟ ଲୋକଙ୍କର ଏହି ବ୍ୟବସ୍ଥା ସହ ସଂଘର୍ଷ ବନ୍ଦ ହେଉ, ସେମାନଙ୍କ ଜୀବନରେ ଅପରିବର୍ତ୍ତନୀୟ ପରିବର୍ତ୍ତନ ଆସୁ, ଜୀବନ ସହଜ ହେଉ  ।

ଛୋଟ ଛୋଟ କଥା ପାଇଁ, ରେଳ ବସର ଟିକେଟ କରାଇବା ଲାଗି, ଗ୍ୟାସ ସଂଯୋଗ ପାଇଁ, ବିଦ୍ୟୁତ ସଂଯୋଗ ପାଇଁ, ଡାକ୍ତରଖାନାରେ ଭର୍ତ୍ତି ହେବା ଲାଗି, ପାସପୋର୍ଟ ପାଇବା ଲାଗି, ଆୟକର ଟିକସ ରିଫଣ୍ଡ ପାଇବା ଲାଗି ସେମାନେ ଚିନ୍ତିତ ନହୁଅନ୍ତୁ  ।

ସାଥୀଗଣ, ବର୍ତ୍ତମାନର ସରକାର ପାଇଁ ଦୁର୍ନୀତି ମୁକ୍ତ, ନାଗରିକ-କୈନ୍ଦ୍ରିକ ଏବଂ ବିକାଶ ସହାୟକ ପରିବେଶ ସବୁଠୁ ବଡ଼ ପ୍ରାଥମିକତା ଅଟେ । ନୀତି ଆଧାରିତ, ପ୍ରଯୁକ୍ତି ଉପରେ ଆଧାରିତ, ପାରଦର୍ଶୀତା ଉପରେ ଆଧାରିତ ଏପରି ଏକ ପରିବେଶ ଯେଉଁଥିରେ ଗଡ଼ବଡ଼ ହେବାର, ବାଟମାରଣାର ସୁଯୋଗ ବହୁତ କମ ହୋଇଥିବ ।

ଯଦି ମୁଁ ଜନଧନ ଯୋଜନା କଥା କହେ, ତା’ହେଲେ ଏହା ଗରିବ ଲୋକଙ୍କ ଜୀବନରେ ଏପରି ପରିବର୍ତ୍ତନ ଆଣିଛି, ଯାହା ପୂର୍ବରୁ କେହି ଭାବି ମଧ୍ୟ ପାରୁନଥିଲେ  । ଯେଉଁ ଗରିବଙ୍କୁ ପ୍ରଥମେ ବ୍ୟାଙ୍କ ଦ୍ୱାରରୁ ତିରସ୍କାର କରି ଘଉଡ଼ାଇ ଦିଆଯାଉଥିଲା, ତା’ପାଖରେ ଆଜି ନିଜର ବ୍ୟାଙ୍କ ଏକାଉଂଟ ରହିଛି । ଯେଉଁମାନଙ୍କ ଜନଧନ ଏକାଉଂଟ ଖୋଲୁଛି, ସେମାନଙ୍କୁ RuPay ଡେବିଟ କାର୍ଡ ମଧ୍ୟ ଦିଆଯାଉଛି  । 125 କୋଟି ଜନସଂଖ୍ୟା ଥିବା ଆମ ଦେଶରେ ଏପରି ଲୋକଙ୍କ ସଂଖ୍ୟା 30 କୋଟିରୁ ଅଧିକ  ।

ସେହି ଗରିବର ଆତ୍ମବିଶ୍ୱାସ ବିଷୟରେ ଭାବନ୍ତୁ, ଯେତେବେଳେ ସିଏ ବ୍ୟାଙ୍କକୁ ଯାଇ ଟଙ୍କା ଜମା କରାଇଥାଏ, ଯେତେବେଳେ ସେ RuPay ଡେବିଟ କାର୍ଡର ବ୍ୟବହାର କରୁଥାଏ । ଏହି ଆତ୍ମ-ବିଶ୍ୱାସ, ଏହି ସାହସ, ଏବେ ଚିରସ୍ଥାୟୀ, ତା’କୁ କେହି ବଦଳାଇପାରିବ ନାହିଁ  ।

ସେହିପରି ଉଜ୍ଜ୍ୱଳା ଯୋଜନା । ଏହି ଯୋଜନା ଗ୍ରାମାଂଚଳରେ ରହୁଥିବା ତିନି କୋଟିରୁ ଅଧିକ ମହିଳାଙ୍କ ଜୀବନ ସବୁଦିନ ପାଇଁ ବଦଳାଇ ଦେଇଛି  । ସେମାନଙ୍କୁ କେବଳ ମାଗଣା ଗ୍ୟାସ ସଂଯୋଗ ମିଳିନାହିଁ, ସେମାନଙ୍କୁ ସୁରକ୍ଷା ମଧ୍ୟ ମିଳିଛି, ପରିବାର ପାଇଁ ସମୟ ମଧ୍ୟ ମିଳିଛି ।

ଏପରି କୋଟି କୋଟି ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ବିଷୟରେ ଭାବନ୍ତୁ, ଯେଉଁ ପରିବର୍ତ୍ତନ ସ୍ୱଚ୍ଛ ଭାରତ ମିଶନ କାରଣରୁ ଆସିଛି  । ସରକାର କେବଳ ଶୌଚାଳୟ ନିର୍ମାଣ କରିନାହାନ୍ତି, ବରଂ କୋଟି କୋଟି ମହିଳାଙ୍କୁ, ଝିଅମାନଙ୍କୁ ସେହି ପୀଡ଼ାରୁ ମୁକ୍ତି ଦେଇଛନ୍ତି, ଯାହାକୁ ସେମାନେ ସନ୍ଧ୍ୟାର ଅପେକ୍ଷାରେ ସହି ଚାଲିଥିଲେ  ।

କିଛି ଲୋକ ଅଳ୍ପ ଅପରିଚ୍ଛନ୍ନ ପରିବେଶର ଫଟୋ ଉଠାଇ ତର୍କ କରି ଚାଲିଥିବେ  । ଲେଖି ଚାଲିଥିବେ, ଟିଭିରେ ଦେଖାଇ ଚାଲିଥିବେ  । କିନ୍ତୁ ଲୋକମାନଙ୍କୁ ଜଣାଅଛି ଯେ ଏପରି ଅଭିଯାନ ତୃଣମୂଳସ୍ତରରେ କିପରି ଅପରିବର୍ତ୍ତନୀୟ ପରିବର୍ତ୍ତନ ଆଣିଛି  ।

ଭାଇ ଓ ଭଉଣୀମାନେ, ମୁଁ ଜାଣିନାହିଁ ଯେ ଏହି ହଲ୍ରେ ବସିଥିବା କେତେ ଜଣ ବ୍ୟକ୍ତି ଏହାସହ ସମ୍ପର୍କ ଯୋଡ଼ିପାରିବେ, କିନ୍ତୁ ଯେତିକି ଆପଣମାନେ ଏଠାରୁ ଯିବା ପରେ ପାର୍କିଂ ଟିପ୍ ଆକାରରେ ଦେବେ, ତା’ଠାରୁ ବହୁତ କମରେ ଆଜି ଗରିବମାନଙ୍କ ଜୀବନ ବୀମାଭୂକ୍ତ ହୋଇଯାଉଛି  ।

ଭାବନ୍ତୁ, ମାସିକ କେବଳ 1 ଟଙ୍କା ଦେଇ ଦୁର୍ଘଟଣା ବୀମା, ଏବଂ 90 ପଇସା ପ୍ରତିଦିନ ପ୍ରିମିୟମ ଦେଇ ଜୀବନ ବୀମା । ଆଜି ଦେଶର 15 କୋଟିରୁ ଅଧିକ ଗରିବ ସରକାରଙ୍କ ଏହି ଯୋଜନା ସହ ଯୋଡ଼ି ହୋଇଯାଇଛନ୍ତି  । ଏହି ଯୋଜନା ଅନ୍ତର୍ଗତ ଗରିବଙ୍କୁ ପାଖାପାଖି 1800 କୋଟି ଟଙ୍କାର ଦାବି ଅର୍ଥରାଶି ଦିଆଯାଇସାରିଛି  । ଏତେ ଟଙ୍କା ଅନ୍ୟ କୌଣସି ସରକାର ଦେଇଥିଲେ ତା’କୁ ଦେବଦୂତ କହି ଉପସ୍ଥାପନ କରାଯାଇଥା’ନ୍ତା  ।

କିନ୍ତୁ ଗରିବଙ୍କ ପାଇଁ ଏତେ ବଡ଼ କାମ ହେଲା, ମୁଁ ଭାବୁନାହିଁ ଯେ କେହି ସେଥିପ୍ରତି ଧ୍ୟାନ ଦେଲେ  । ଏହା ମଧ୍ୟ ଏକ ସତ ଯାହାକୁ ମୁଁ ସ୍ୱୀକାର କରି ଚାଲିଛି  । ଆଉ ଏକ ଉଦାହରଣ ଏଲଇଡି ବଲ୍ବ  । ପୂର୍ବରୁ ଥିବା ସରକାରରେ ଯେଉଁ ଏଲଇଡି ବଲ୍ବ ତିନି ଶହ ସାଢ଼େ ତିନି ଶହରେ ବିକ୍ରି ହେଉଥିଲା, ତାହା ଏବେ ଏକ ମଧ୍ୟମ ବର୍ଗର ପରିବାରକୁ ପାଖାପାଖି 50 ଟଙ୍କାରେ ଉପଲବ୍ଧ ହେଉଛି  । ଉଜାଲା ଯୋଜନା ଆରମ୍ଭ ହେବା ପରେ ଦେଶରେ ଏବେ ସୁଦ୍ଧା ପାଖାପାଖି 28 କୋଟି ଏଲଇଡି ବଲ୍ବ ବିକ୍ରି ହୋଇସାରିଛି । ଏହି ବଲ୍ବ ଦ୍ୱାରା ଲୋମାନଙ୍କ 14ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ଆନୁମାନିକ ସଂଚୟ ହୋଇସାରିଛି ।

ଏହା ନୁହେଁ ଯେ ସଂଚୟ ଉପରେ, ବିଦ୍ୟୁତ ବିଲ କମ ହେବା ଉପରେ କିଛି ସମୟ ମଧ୍ୟରେ ଫୁଲଷ୍ଟପ ଲାଗିଯିବ । ଯେଉଁ ସଂଚୟ ହେଉଛି, ତାହା ହୋଇ ଚାଲିଥିବ । ଏହି ସଂଚୟ ଏବେ ପରମାନେଂଟ ।

ଭାଇ ଓ ଭଉଣୀମାନେ, ପୂର୍ବର ସରକାରଙ୍କୁ ଏପରି କରିବାରୁ କେହି ଅଟକାଇଥିଲା କି ନାହିଁ, ତାହା ମୁଁ ଜାଣେ ନାହିଁ  । କିନ୍ତୁ ଏତିକି ଜାଣିଛି ଯେ ବ୍ୟବସ୍ଥାରେ ସ୍ଥାୟୀ ପରିବର୍ତ୍ତନ ଆଣିବାର ନିଷ୍ପତ୍ତି ନେବା ଦ୍ୱାରା, ଦେଶହିତରେ ନିଷ୍ପତ୍ତି ନେବା ଦ୍ୱାରା କେହି ଅଟକାଇଲେ ଅଟକିବୁ ନାହିଁ  ।

ଯେଉଁମାନେ ଏ କଥାରେ ବିଶ୍ୱାସ କରିଥାନ୍ତି ଯେ ଦେଶକୁ ଯାଦୁ ବାଡ଼ି ବୁଲାଇ ବଦଳା ଯାଇପାରିବ ନାହିଁ, ସେମାନେ ହତାଶା ଏବଂ ନିରାଶରେ ବଂଚୁଛନ୍ତି । ଏହି ଆଭିମୁଖ୍ୟ ଆମକୁ କିଛି ନୁଆ କରିବାରେ, ସୃଜନାତ୍ମକ କାର୍ଯ୍ୟ କରିବାରୁ ଅଟକାଉଛି  ।

ଏହି ଆଭିମୁଖ୍ୟ ନିଷ୍ପତ୍ତି ନେବାରୁ ଅଟକାଉଛି । ସେଥିପାଇଁ ଏ ସରକାରଙ୍କ ଆଭିମୁଖ୍ୟ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଯେପରି ୟୁରିଆର ନିମ କୋଟିଂ କଥା ଆଲୋଚନା କରାଯାଇପାରେ । ପୂର୍ବରୁ ସରକାର ସମୟରେ ୟୁରିଆରେ 35% ନିମ କୋଟିଂ ରହୁଥିଲା । ଯେତେବେଳେ କି ସମ୍ପୂର୍ଣ୍ଣ ବ୍ୟବସ୍ଥା ଜାଣିଥିଲା ଯେ 35 ପ୍ରତିଶତ ନିମ କୋଟିଂ କରିବା ଦ୍ୱାରା କୌଣସି ଲାଭ ମିଳିବ ନାହିଁ  । ୟୁରିଆର ବାଟମାରଣା ରୋକିବା ପାଇଁ ସେଥିରେ 100 ପ୍ରତିଶତ ନିମ କୋଟିଂ କରିବାକୁ ହିଁ ପଡ଼ିବ  । 100ପ୍ରତିଶତ ନିମ କୋଟିଂ ହେଲେ ଆଉ ଶିଳ୍ପ କାମରେ ଲାଗିପାରିବ ନାହିଁ । କିନ୍ତୁ ଏହି ନିଷ୍ପତ୍ତି ପୂର୍ବରୁ ନିଆଯାଇନଥିଲା  । ବର୍ତ୍ତମାନର ସରକାର ନିଷ୍ପତ୍ତି ନେଲେ ଯେ ୟୁରିଆକୁ ସମ୍ପୂର୍ଣ୍ଣ ନିମ କୋଟିଂ କରାଯିବ ।

ଭାଇ ଓ ଭଉଣୀମାନେ, ଏହି ନିଷ୍ପତ୍ତି ଦ୍ୱାରା ୟୁରିଆର ବାଟମାରଣା ବନ୍ଦ ହେବା ସହିତ ଏହାର ନିଜସ୍ୱ ଦକ୍ଷତା ବଢ଼ିଗଲା । ଏବେ କୃଷକକୁ ସେତିକି କମ ଜମିରେ କମ ୟୁରିଆ ପ୍ରୟୋଗ କରିବାକୁ ପଡ଼ୁଛି । କେବଳ ସେତିକି ନୁହେଁ, କମ ୟୁରିଆ ପକାଇବା ସତ୍ୱେ ଫସଲ ଅମଳ ଅଧିକ ହେଉଛି ।

ସେହିପରି ଏବେ ଆମେ ଦେଶରେ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରୁଛୁ ଯେଉଁଥିରେ ଯୋଡ଼ି ହୋଇ କୃଷକ କୌଣସି ସ୍ଥାନରୁ ନିଜ ଫସଲ ବିକ୍ରି କରିବାରେ ସମର୍ଥ ହେବ  । ଏହା ଦ୍ୱାରା ଦେଶରେ ବହୁତ ବଡ଼ ବ୍ୟବସ୍ଥା ପରିବର୍ତ୍ତନ ଆସିବ । ଇ-ନାମ ଅର୍ଥାତ ଇଲେକଟ୍ରୋନିକ ନେସନାଲ ଏଗ୍ରୀକଲଚରାଲ ମାର୍କେଟ ଜରିଆରେ ଏବେସୁଦ୍ଧା ଦେଶର ସାଢ଼େ ଚାରି ଶହରୁ ଅଧିକ ମଣ୍ଡିକୁ ଅନଲାଇନରେ ଯୋଡ଼ାଯାଇସାରିଛି । ଭବିଷ୍ୟତରେ ଏହି ପ୍ଲାଟଫର୍ମ କୃଷକମାନଙ୍କୁ ସେମାନଙ୍କୁ ଫସଲର ଉଚିତ ମୂଲ୍ୟ ଦେବାରେ ସହାୟକ ହେବ ।

ଏଇ ନିକଟରେ ସରକାର ଦେଶର କୃଷି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଲାଗି, ଭଣ୍ଡାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ କିସାନ ସମ୍ପଦା ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ଚାଷଜମି କିମ୍ବା ବଗିଚାରେ ଉତ୍ପାଦିତ ହେଉଥିବା ଯେଉଁ ଶସ୍ୟ ବା ଫଳ ମଣ୍ଡି ନିକଟରେ ପହଁଚିବା ପୂର୍ବରୁ ଖରାପ ହୋଇଯାଉଛି, ସେଗୁଡ଼ିକୁ ସୁରକ୍ଷିତ ରଖାଯାଇପାରିବ । ସରକାର ଏହି ଯୋଜନା ଅନ୍ତର୍ଗତ ଫୁଡ ପ୍ରୋସେସିଂ କ୍ଷେତ୍ରକୁ ମଧ୍ୟ ମଜଭୂତ କରୁଛନ୍ତି । ଯାହାଦ୍ୱାରା କୃଷକର ଚାଷଜମି ଏକ ଇଣ୍ଡଷ୍ଟ୍ରିଆଲ ୟୁନିଟ୍ ଭଳି କାମ କରିବ ।

ଫୁଡ ପାର୍କରେ, ଫୁଡ ପ୍ରୋସେସିଂ ସହ ଜଡ଼ିତ ଆଧୁନିକ ପ୍ରଯୁକ୍ତିରେ, ନୂଆ ଗୋଦାମରେ, କୃଷି-ପ୍ରକ୍ରିୟାକରଣର ସମ୍ପୂର୍ଣ୍ଣ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ସରକାର 6 ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ଭାଇ ଓ ଭଉଣୀମାନେ ସମୟ ସହିତ ଜୈବ କୃଷି ଏବଂ ଜୈବ ଉତ୍ପାଦର ଚାହିଦା ମଧ୍ୟ ଲଗାତାର ବଢ଼ି ଚାଲିଛି । ସିକ୍କିମ ଭଳି ଦେଶର ଅନ୍ୟ କେତେକ ରାଜ୍ୟ ନିକଟରେ 100 ପ୍ରତିଶତ ଜୈବ ରାଜ୍ୟ ହେବାର କ୍ଷମତା ରହିଛି । ବିଶେଷ କରି ଆମ ହିମାଳୟ ରାଜ୍ୟରେ ଏହାକୁ ଆହୁରି ପ୍ରୋତ୍ସାହନ ଦିଆଯାଇପାରିବ । ସେଥିପାଇଁ ମଧ୍ୟ ସରକାର 10 ହଜାର କ୍ଲଷ୍ଟର ତିଆରି କରି ସେଥିରେ ଜୈବ କୃଷିକୁ ପ୍ରୋତ୍ସାହନ ଦେବା ଯୋଜନା ଉପରେ କାମ କରୁଛନ୍ତି ।

ଏବେ ନିକଟରେ ଆମେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛୁ  । ଭାଇ ଓ ଭଉଣୀମାନେ, ଏବେ ସୁଦ୍ଧା ବାଉଁଶକୁ ଦେଶର ଏକ ଆଇନରେ ଗଛ ବୋଲି ଗ୍ରହଣ କରାଯାଉଥିଲା । ଏହି କାରଣରୁ ବାଉଁଶ କାଟିବାକୁ ନେଇ କୃଷକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏବେ ସରକାର ବାଉଁଶକୁ ଗଛ ତାଲିକାରୁ ହଟାଇ ଦେଇଛନ୍ତି ।

ଏହାର ଫାଇଦା ଦେଶର ଦୂର-ଦୂରାନ୍ତ ଅଂଚଳରେ ଏବଂ ବିଶେଷ କରି ଉତ୍ତର-ପୂର୍ବ ରାଜ୍ୟର କୃଷକଙ୍କୁ ମିଳିପାରିବ ଯେଉଁମାନେ ବାଉଁଶ ତିଆରି ଘରକରଣା ଓ ଆସବାବପତ୍ର, ହସ୍ତକଳା କାର୍ଯ୍ୟ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବରୁ ସରକାରଙ୍କ ଦ୍ୱାରା କରାଯାଇଥିବା ଆଉ ଏକ ଆଇନରେ ବାଉଁଶକୁ ଗଛ ବୋଲି ଗ୍ରହଣ କରାଯାଉନଥିଲା ।

ଏହି ବିରୋଧାଭାସ 10-12ବର୍ଷ ପରେ ଏବେ ଦୂର କରାଯାଇପାରିଛି । ସାଥୀଗଣ, ଆମ ସରକାରରେ ସାମଗ୍ରିକ ଆଭିମୁଖ୍ୟର ସହିତ ନିଷ୍ପତ୍ତି ନିଆଯାଇଥାଏ । ଦେଶର ଆବଶ୍ୟକତାକୁ ବୁଝି ନିଷ୍ପତ୍ତି ନିଆଯାଇଥାଏ । ଏପରି ନିଷ୍ପତ୍ତି ପୂର୍ବରୁ ନିଆଯାଉନଥିଲା, ସେଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ଚିନ୍ତାରେ ଥିଲା । ସେମାନେ ଦେଶକୁ ଆଭ୍ୟନ୍ତରୀଣ ସମସ୍ୟାରୁ ମୁକ୍ତ  ହେବା ସହିତ ନୂଆ ବ୍ୟବସ୍ଥାର ନିର୍ମାଣ କରିବା ଭଳି ଦେଖିବାକୁ ଚାହୁଁଥିଲା ।

ଭାଇ ଓ ଭଉଣୀମାନେ, ଆମ ଏଠି ଯେଉଁ ବ୍ୟବସ୍ଥା ଥିଲା ସେଥିରେ ଭ୍ରଷ୍ଟାଚାରକୁ ହିଁ ଶିଷ୍ଟାଚାର ବୋଲି ଗ୍ରହଣ କରାଯାଇଥିଲା । କଳାଧନ ହିଁ ଦେଶର ପ୍ରତ୍ୟେକ ବୃହତ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିଲା । 2014ରେ ଦେଶର 125 କୋଟି ଜନସାଧାରଣ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଭୋଟ ଦେଇଥିଲେ । ସେମାନେ ଭୋଟ ଦେଇଥିଲେ ଦେଶରେ ଦେଖାଦେଇଥିବା ରୋଗର ସ୍ଥାୟୀ ଉପଚାର ପାଇଁ, ସେମାନେ ଭୋଟ ଦେଇଥିଲେ ନୂଆ ଭାରତ ନିର୍ମାଣ ପାଇଁ ।

ବିମୁଦ୍ରୀକରଣ ପରେ ଦେଶରେ ଯେପରି ଭାବେ ଅଭ୍ୟାସଗତ ପରିବର୍ତ୍ତନ ଆସିଲା ତାହାକୁ ଆପଣମାନେ ଅନୁଭବ କରିପାରୁଥିବେ । ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ଏପରି ହୋଇଥିଲା, ଯେତେବେଳେ ଦୁର୍ନୀତିଗ୍ରସ୍ତମାନେ କଳାଧନ କାରବାର କରିବା ପୂର୍ବରୁ ଡରୁଛନ୍ତି । ସେମାନଙ୍କ ଭିତରେ ଧରାପଡ଼ିବାର ଭୟ ଆସିଛି । ଯେଉଁ କଳାଧନ ପୂର୍ବରୁ ସମାନ୍ତରାଳ ଅର୍ଥବ୍ୟବସ୍ଥାର ଆଧାର ଥିଲା, ତାହା ବିମୁଦ୍ରୀକରଣ ପରେ ପରେ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥା ଭିତରକୁ ଆସିସାରିଛି ।

ଏହା ମଧ୍ୟ ବଡ଼ କଥା ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଫେରିଆସିଥିବା ଅର୍ଥ ନିଜ ସହିତ ପ୍ରମାଣ ମଧ୍ୟ ଆଣିଛି । ଦେଶକୁ ଯେଉଁ ଡାଟା ମିଳିଛି, ତାହା କୌଣସି ପୋତାଧନ ଠାରୁ କମ ନୁହେଁ । ଏହି ଡାଟାର ମାଇନିଂରୁ ଜଣାପଡ଼ୁଛି ଯେ ଗୋଟିଏ ଠିକଣାରେ ଚାରି-ଚାରି ଶହ, ପାଂଚ-ପାଂଚ ଶହ କମ୍ପାନୀ ଚାଲୁଥିଲା ଏବଂ ଗୋଟିଏ-ଗୋଟିଏ କମ୍ପାନୀ ଦୁଇ-ଦୁଇ ହଜାର ବ୍ୟାଙ୍କ ଏକାଉଂଟ ଖୋଲିଥିଲେ । ଏହା ଏକ ଅଜବ ବିରୋଧାଭାସ ନଥିଲା କି? ଗୋଟିଏ ପଟେ ଗରିବଙ୍କୁ ବ୍ୟାଙ୍କରେ ଏକା ଏକାଉଂଟ ଖୋଲିବା ଲାଗି ସମସ୍ୟା ଉପୁଜୁଥିଲା ଏବଂ ଅନ୍ୟପଟେ ଏକ କମ୍ପାନୀ ସହଜରେ  ହଜାର ହଜାର ଏକାଉଂଟ ଖୋଲି ଦେଉଥିଲା ।

ନୋଟବନ୍ଦୀ ସମୟରେ ଏହି ଏକାଉଂଟରେ ମଧ୍ୟ ଯେଉଁ ହେରଫେର କରାଯାଇଥିଲା, ତାହା ଧରାପଡ଼ିଯାଇଛି । ବର୍ତ୍ତମାନସୁଦ୍ଧା ଏପରି ପାଖାପାଖି ଅଢ଼େଇ ଲକ୍ଷ ଜାଲ କମ୍ପାନୀର ପଞ୍ଜୀକରଣ ରଦ୍ଦ କରାଯାଇସାରିଛି । ଏହି କମ୍ପାନୀରେ ଯେଉଁ ନିର୍ଦ୍ଦେଶକମାନେ ଥିଲେ, ଯେଉଁମାନଙ୍କ ଦାୟିତ୍ୱ ଥିଲା ଯେ ଏହି କମ୍ପାନୀ ଠିକ ଭାବେ କାମ କରୁ, ସେମାନଙ୍କ ଦାୟିତ୍ୱ ମଧ୍ୟ ଫିକ୍ସ କରାଯାଇଛି । ସେମାନଙ୍କୁ ଏବେ ଅନ୍ୟ କୌଣସି କମ୍ପାନୀର ନିର୍ଦ୍ଦେଶକ ହେବା ଉପରେ ରୋକ ଲଗାଇ ଦିଆଯାଇଛି ।

ସାଥୀଗଣ, ଏହା ଏପରି ଏକ ପଦେକ୍ଷପ, ଯାହା ଆମ ଦେଶରେ ସୁସ୍ଥ ଏବଂ ସ୍ୱଚ୍ଛ କର୍ପୋରେଟ କଲଚରକୁ ଆହୁରି ମଜଭୂତ କରିବ । ଜିଏସଟି ଲାଗୁ ହେବା ମଧ୍ୟ ଦେଶର ଆର୍ଥିକ ସ୍ୱଚ୍ଛତା ଲାଗି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । 70 ବର୍ଷରେ ଯେଉଁ ବ୍ୟବସ୍ଥା ହୋଇସାରିଥିଲା, କାରବାର କରିବାରେ ଯେଉଁ ଦୁର୍ବଳତା ଥିଲା, ଯେଉଁ ବାଧ୍ୟବାଧକତା ଥିଲା, ସେଗୁଡ଼ିକୁ ପଛରେ ପକାଇ ଏବେ ଆଗକୁ ବଢ଼ିଚାଲିଛି ।

ଜିଏସଟିରୁ ମଧ୍ୟ ଦେଶରେ ପାରଦର୍ଶୀତାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଅଧିକରୁ ଅଧିକ ବ୍ୟବସାୟୀ ମଧ୍ୟ ଏହି ସଚ୍ଚୋଟ ବ୍ୟବସ୍ଥା ସହ ଯୋଡ଼ି ହେଉଛନ୍ତି । ସାଥୀଗଣ, ଏପରି ଏକ ଅପରିବର୍ତ୍ତନୀୟ ପରିବର୍ତ୍ତନକୁ ଆଧାର ନମ୍ବରରୁ ସହାୟତା ମିଳୁଛି । ଆଧାର ଏପରି ଏକ ଶକ୍ତି ଯାହାଦ୍ୱାରା ଏହି ସରକାର ଗରିବମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଇବାକୁ ଚାହୁଁଛି ।

ଶସ୍ତା ରାସନ, ସ୍କଲାରଶିପ, ଔଷଧ ଖର୍ଚ୍ଚ, ପେନସନ, ସରକାରଙ୍କ ପକ୍ଷରୁ ମିଳୁଥିବା ସବସିଡି, ଗରିବଙ୍କ ନିକଟରେ ପହଁଚାଇବାରେ ଆଧାରର ବଡ଼ ଭୂମିକା ରହିଛି । ଆଧାର ସହିତ ମୋବାଇଲ ଏବଂ ଜନଧନ ଏକାଉଂଟର ଶକ୍ତି ଯୋଡ଼ି ହେବା ଦ୍ୱାରା ଏପରି ଏକ ବ୍ୟବସ୍ଥାର ନିର୍ମାଣ ହୋଇଛି, ଯାହା ସମ୍ପର୍କରେ କିଛି ବର୍ଷ ପୂର୍ବରୁ ଚିନ୍ତା ମଧ୍ୟ କରାଯାଉନଥିଲା । ଏପରି ଏକ ବ୍ୟବସ୍ଥା ଯାହା ଅପରିବର୍ତ୍ତନୀୟ ।

ଭାଇ ଓ ଭଉଣୀମାନେ, ଏହି ସରକାରରେ ସରକାରୀ କ୍ରୟର ପୁରୁଣା ବ୍ୟବସ୍ଥାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦିଆଯାଇଛି । ଆମେ ଏକ ନୂଆ ବ୍ୟବସ୍ଥା ବିକଶିତ କରିଛୁ ଗଭର୍ଣ୍ଣମେଂଟ ଇ-ମାର୍କେଟ ପ୍ଲେସ ଜିଇଏମ(GeM)ର ନାଁରେ ।

ସରକାରରେ ଏବେ ଏହା ଜରିଆରେ ଟେଣ୍ଡର ଦିଆଯାଉଛି ଏବଂ ସରକାରୀ ସାମଗ୍ରୀର କ୍ରୟ କରାଯାଉଛି । ଏବେ ଗ୍ରାମୋଦ୍ୟୋଗବାଲା, ଛୋଟ-ଛୋଟ Handicraft ତିଆର କରୁଥିବା ଲୋକ, ଘର କରଣା ସାମଗ୍ରୀ ତିଆରି କରୁଥିବା ଲୋକ ମଧ୍ୟ ମଧ୍ୟ ଜିଇଏମ ମାଧ୍ୟମରେ ସରକାରଙ୍କୁ ନିଜ ସାମଗ୍ରୀ ବିକ୍ରି କରିପାରିବେ ।

ଭାଇ ଓ ଭଉଣୀମାନେ ଆମେ ଏପରି ଏକ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ ଯେଉଁଥିରେ କଳାଧନ ସୃଷ୍ଟି କରିବା, ବ୍ୟବସ୍ଥାର ଦୁର୍ବଳତା କାରଣରୁ ଦୁର୍ନୀତି କରିବାର ସମ୍ଭାବନା କମରୁ କମ ହୋଇଯିବ ।

ଯେଉଁଦିନ ଦେଶରେ ଅଧିକାଂଶ କ୍ରୟ-ବିକ୍ରୟ, ଟଙ୍କା କାରବାରର ଏକ ଟେକନିକାଲ ଏବଂ ଡିଜିଟାଲ ଠିକଣା ସଂଲଗ୍ନ ଢାଞ୍ଚା ହୋଇଯିବ, ସେହିଦିନ ଠାରୁ ସଂଗଠିତ ଦୁର୍ନୀତି ଯଥେଷ୍ଟ ହ୍ରାସ ପାଇବ । ମୁଁ ଜାଣିଛି ଯେ ରାଜନୈତିକ ଦୃଷ୍ଟିକୋଣରୁ ମୋତେ ଏହାର କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, କିନ୍ତୁ ଏଥିପାଇଁ ପ୍ରସ୍ତୁତ ଅଛି ।

ସାଥୀଗଣ, ଯେତେବେଳେ ଯୋଜନା ତ୍ୱରାନ୍ୱିତ ହୋଇଥାଏ, ସେତେବେଳେ ଦେଶର ବିକାଶ ହୋଇଥାଏ । କିଛି ପରିବର୍ତ୍ତନ ତ’ ନିଶ୍ଚିତ ଭାବେ ଆସିଛି, ଯାହାଦ୍ୱାରା ସରକାରଙ୍କ ଯୋଜନାର ସ୍ପିଡ ବଢ଼ିଯାଇଛି । ସମ୍ବଳ ସେତିକି ହିଁ ରହିଛି, କିନ୍ତୁ ବ୍ୟବସ୍ଥାରେ ଗତି ବୃଦ୍ଧି ପାଇଛି । ଏହା ଏଥିପାଇଁ ହୋଇଛି କାରଣ ସରକାର ଅମଲାତନ୍ତ୍ରରେ ମଧ୍ୟ ଏକ ନୂଆ କାର୍ଯ୍ୟ-ସଂସ୍କୃତି ବିକଶିତ କରୁଛନ୍ତି  । ଏହାକୁ ଅଧିକ ଉତରଦାୟୀ କରାଯାଇଛି ।

-ଆଜି ଏହାର ଫଳାଫଳ ସ୍ୱରୂପ ଗତ ସରକାରଙ୍କ ସମୟରେ ପ୍ରତିଦିନ 11କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେଉଥିଲା, ଏବେ ଗୋଟିଏ ଦିନରେ 22 କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରାଯାଉଛି ।

-ଗତ ସରକାରଙ୍କ ଶେଷ ତିନି ବର୍ଷରେ ଗ୍ରାମାଂଚଳରେ 80 ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା, ଆମ ସରକାରଙ୍କ ତିନି ବର୍ଷରେ 1 ଲକ୍ଷ 20 ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ।

-ଗତ ସରକାରଙ୍କ ଶେଷ ତିନି ବର୍ଷରେ ପାଖାପାଖି 1100 କିଲେମିଟର ନୂଆ ରେଳଲାଇନ ନିର୍ମାଣ ହୋଇଥିଲା । ଏ ସରକାରଙ୍କ ତିନି ବର୍ଷରେ ଏହା 21 କିଲୋମିଟରରୁ ଅଧିକରେ ପହଁଚିସାରିଛି  ।

-ଗତ ସରକାରଙ୍କ ଶେଷ ତିନି ବର୍ଷରେ 2500 କିଲୋମିଟର ରେଳଲାଇନର ବିଦ୍ୟୁତକରଣ ହୋଇଥିଲା, ଏ ସରକାରଙ୍କ ତିନି ବର୍ଷରେ 43ହଜାର କିଲୋମିଟରରୁ ଅଧିକ ରେଳ ଲାଇନର ବିଦ୍ୟୁତକରଣ ହୋଇଛି ।

-ଗତ ସରକାରଙ୍କ ଶେଷ ତିନି ବର୍ଷରେ ପାଖାପାଖି 1 ଲକ୍ଷ 49 ହଜାର କୋଟି ଟଙ୍କାର ମୂଳଧନୀ ବ୍ୟୟ କରାଯାଇଥିଲା, ଏ ସରକାରଙ୍କ ତିନି ବର୍ଷରେ ପାଖାପାଖି 2 ଲକ୍ଷ 64 ହଜାର କୋଟି ଟଙ୍କାର ବ୍ୟୟ କରାଯାଇଛି ।

-ଗତ ସରକାରଙ୍କ ଶେଷ ତିନି ବର୍ଷରେ ମୋଟ 12ହଜାର ମେଗାୱାଟର ନବୀକରଣ ଯୋଗ୍ୟ ଶକ୍ତିର ନୂଆ କ୍ଷମତା ଯୋଡ଼ାଯାଇଥିଲା, ଏ ସରକାରଙ୍କ ତିନି ବର୍ଷରେ 22 ହଜାର ମେଗାୱାଟରୁ ଅଧିକ ନବୀକରଣ ଯୋଗ୍ୟ ଶକ୍ତିର ନୂଆ କ୍ଷମତାକୁ ଗ୍ରୀଡ ପାୱାର ସହ ଯୋଡ଼ାଯାଇଛି ।

-ଗତ ସପ୍ତାହର ତୁଳନାରେ ଶିପିଂ ଇଣ୍ଡଷ୍ଟ୍ରିରେ ବିକାଶ କଥା କହିଲେ, ପୂର୍ବରୁ ଯେଉଁଠି କାର୍ଗୋ ହ୍ୟାଣ୍ଡଲିଂର ଅଭିବୃଦ୍ଧି ନେଗେଟିଭ ଥିଲା, ଏ ସରକାରଙ୍କ ତିନି ବର୍ଷରେ 11 ପ୍ରତିଶରୁ ଅଧିକ ବୃଦ୍ଧି ହୋଇଛି ।

ସାଥୀଗଣ, ଯଦି ସମ୍ପୂର୍ଣ୍ଣ ଭାବେ ତୃଣମୂଳସ୍ତରକୁ ଯାଇ ବ୍ୟବସ୍ଥାକୁ ଠିକ କରାଯାଇନଥା’ନ୍ତା, ତା’ହେଲେ କ’ଣ ଏହି ଦ୍ରୁତଗତି ଆସିପାରିଥା’ନ୍ତା? ସରକାର ଏ ନିଷ୍ପତ୍ତି ନେଇପାରିଥା’ନ୍ତେ ନା । ବଡ଼ ଏବଂ ସ୍ଥାୟୀ ପରିବର୍ତ୍ତନ ଏମିତି ଆସିନଥାଏ ଏଥିପାଇଁ ସମଗ୍ର ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡ଼ିଥା’ନ୍ତା । ଯେତେବେଳେ ଏହି ପରିବର୍ତ୍ତନ ହୋଇଥାଏ ସେତେବେଳେ ଦେଶ ମାତ୍ର ତିନି ବର୍ଷରେ ଇଜ ଅଫ ଡୁଇଂ ବିଜନେସର ର୍ୟାଙ୍କିରେ 142ରୁ 100ରେ ପହଁଚିଯାଇଥାଏ ।

ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଜଣାଅଛି, 2014ରେ ଯେତେବେଳେ ଆମେ ଆସିଥିଲୁ, ଆମକୁ ପରମ୍ପରା ସ୍ୱରୂପ କ’ଣ ମିଳିଥିଲା? ଅର୍ଥବ୍ୟବସ୍ଥାର ସ୍ଥିତି, ଗଭର୍ଣ୍ଣାନ୍ସର ସ୍ଥିତି, ଆର୍ଥିକ ଶୃଙ୍ଖଳା ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସ୍ଥିତି, ସବୁକିଛି ବିଗଡ଼ିଯାଇଥିଲା । ଆପଣମାନଙ୍କୁ ସେତେବେଳେ କମ ଶବ୍ଦରେ ଏ କଥା କହିବାକୁ ପଡ଼ୁଥିଲା, ହେଡଲାଇନ ଲେଖିବାକୁ ପଡ଼ୁଥିଲା ଯେ ନୀତିଗତ ପକ୍ଷାଘାତ ବା ପଲିସି ପାରାଲିସିସ… ।

ଭାବନ୍ତୁ, ଆମ ଦେଶ ଫ୍ରାଗାଇଲ ଫାଇଭ(ପାଞ୍ଚ କ୍ଷଣଭଙ୍ଗୁର)ରେ ଗଣାଯାଉଥିଲା । ବିଶ୍ୱର ଅଧିକାଂଶ ଦେଶ ଭାବୁଥିଲେ ଯେ ଅର୍ଥବ୍ୟବସ୍ଥାର ସଂକଟରୁ ତ’ ଆମେ ବାହାରିଯିବୁ କିନ୍ତୁ ଏ ଫ୍ରାଗାଇଲ ଫାଇଭ ନିଜକୁ ତ’ ବୁଡ଼ାଇବେ ଆମକୁ ବି ବୁଡ଼ାଇଦେବେ ।

ଆଜି ବିଶ୍ୱସ୍ତରରେ ଭାରତ କେଉଁଠି ଛିଡ଼ା ହୋଇଛି, କେଉଁ ସ୍ଥିତିରେ ରହିଛି, ଆପଣମାନେ ତାହା ଭଲ ଭାବେ ଜାଣନ୍ତି । ବଡ଼ ହେଉ ବା ଛୋଟ, ବିଶ୍ୱର ଅଧିକାଂଶ ଦେଶ ଆଜି ଭାରତ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ପସନ୍ଦ କରୁଛନ୍ତି । ଅନ୍ତର୍ଜାତୀୟ ମଂଚରେ ଭାରତ ନିଜ ପ୍ରଭାବ ଲଗାତାର ବଢ଼ାଇଚାଲିଛି । ଏବେ ଅଟକିଯିବା ନାହିଁ, ଆଗକୁ ମାଡ଼ିଚାଲିବା ।

ସାଥୀମାନେ, ଯେତେବେଳେ ଏକ ଦେଶ ଆତ୍ମବିଶ୍ୱାସର ସହିତ ଛିଡ଼ା ହୋଇଥାଏ, ସେତେବେଳେ ପରିବର୍ତ୍ତନୀୟ ଏବଂ ଅପରିବର୍ତ୍ତନୀୟର କୌଣସି ମୂଲ୍ୟ ନଥାଏ । ଯେତେବେଳେ ଏକ ରାଷ୍ଟ୍ର ଆତ୍ମବିଶ୍ୱାସର ସହିତ ନିଜ ପାଦ ଆଗକୁ ବଢ଼ାଇଥାଏ, ନିଷ୍ପତ୍ତି ନେଇଥାଏ, ତାହା ଘଟିଥାଏ, ଯାହା ଗତ ୭୦ ବର୍ଷରେ ଘଟିନଥିଲା ।

ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସର ନିର୍ବାଚନରେ ଭାରତର ସଫଳତା ସାରା ଦେଶର ଚିନ୍ତାଧାରାରେ ଆସିଥିବା ପରିବର୍ତ୍ତନର ପ୍ରତୀକ । ଭାଇ ଓ ଭଉଣୀମାନେ ଯେତେବେଳେ ଯୋଗକୁ ମିଳିତ ଜାତିସଂଘରେ ସର୍ବସମ୍ମତିରେ ମାନ୍ୟତା ପ୍ରଦାନ କରାଯାଇଥାଏ, ସେତେବେଳେ ତା’ର ଅପରିବର୍ତ୍ତନୀୟ ଉତ୍ଥାନ ଦେଖିବାକୁ ମିଳିଥାଏ ।

ଯେତେବେଳେ ଭାରତର ପ୍ରୟାସକ୍ରମେ ଅନ୍ତର୍ଜାତୀୟ ସୌର ମେଂଟର ଗଠନ ହୋଇଥାଏ, ସେତେବେଳେ ତା’ର ଅପରିବର୍ତ୍ତନୀୟ ଉତ୍ଥାନ ଦେଖିବାକୁ ମିଳିଥାଏ

ସାଥୀଗଣ, ଆମ ସରକାର କୂଟନୀତିକୁ ମାନବିକତା ସହ ଯୋଡ଼ିଛି, ମାନବୀୟ ସମବେଦନା ସହିତ ଯୋଡ଼ିଛି । ଯେତେବେଳେ ନେପାଳରେ ଭୂକମ୍ପ ଆସିଥିଲା, ସର୍ବପ୍ରଥମେ ଭାରତ ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ଲାଗିଯାଇଥିଲା । ଯେତେବେଳେ ଶ୍ରୀଲଙ୍କାରେ ବନ୍ୟା ଆସିଥିଲା ଭାରତର ନୌସେନା ତତ୍ପରତାର ସହିତ ସହାୟତା ନିମନ୍ତେ ସର୍ବପ୍ରଥମେ ପହଁଚିଥିଲା । ଯେତେବେଳେ ମାଳଦ୍ୱୀପରେ ପାଣି ସଂକଟ ଦେଖାଦେଇଥିଲା, ଭାରତରୁ ଜାହାଜରେ ଭରି ପାଣି ସେଠାକୁ ପଠାଇଥିଲା । ଯେତେବେଳେ ୟେମେନରେ ସଂକଟ ଦେଖାଦେଉଥିଲା, ଭାରତ ନିଜର ଚାରି ହଜାରୁ ଅଧିକ ନାଗରିକଙ୍କୁ ହିଁ ନୁହେଁ, ବରଂ 48ଟି ଅନ୍ୟ ଦେଶର ଦୁଇ ହଜାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ବାହାର କରିଥିଲା । ଏହା ଭାରତର ବୃଦ୍ଧି ପାଉଥିବା ପ୍ରଭାବ ଏବଂ ବୃଦ୍ଧି ପାଉଥିବା ପରିଣାମର ଅଟେ ଯେ ଆଜି ବିଦେଶରେ ରହୁଥିବା ଭାରତୀୟମାନେ ନିଜ ଆହୁରି ମୁଣ୍ଡ ଟେକି ଆଗରେ ଥିବା ଲୋକ ସହିତ ଆଲୋଚନା କରିପାରୁଛନ୍ତି ।

ଯେତେବେଳେ ବିଦେଶରେ “ଅବକୀ ବାର କାମେରୁନ ସରକାର” ଏବଂ “ଅବକୀ ବାର ଟ୍ରମ୍ପ ସରକାର”ର ସ୍ଲୋଗାନ ଗୁଞ୍ଜରିତ ହୋଇଥାଏ, ସେତେବେଳେ ଏହା ଭାରତୀୟଙ୍କ ସାମର୍ଥ୍ୟକୁ ସ୍ୱୀକୃତି ଦେଇଥାଏ । ଭାଇ ଓ ଭଉଣୀମାନେ, ଯେତେବେଳେ ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ସମାଜ, ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟକୁ ବୁଝି, ନିଜ ସ୍ତରରେ ପରିବର୍ତ୍ତନର ଆରମ୍ଭ କରିବ, ସେତେବେଳେ ନୂଆ ଇଣ୍ଡିଆର ସ୍ୱପ୍ନ ପୂରଣ ହେବ । ନିଉ ଇଣ୍ଡିଆର ଏହି ସ୍ୱପ୍ନ କେବଳ ମୋର ନୁହେଁ, ଆପଣଙ୍କର ମଧ୍ୟ । ଆଜି ସମୟର ଆହ୍ୱାନ ଯେ ରାଷ୍ଟ୍ର ନିର୍ମାଣ ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ସଂସ୍ଥା ଦେଶର ଆବଶ୍ୟକତାକୁ ବୁଝି, ଦେଶର ଆଗରେ ଥିବା ଆହ୍ୱାନଗୁଡ଼ିକୁ ବୁଝି, ନିଜ ସ୍ତରରେ କିଛି ସଂକଳ୍ପ ନେଉ ।

2022 ରେ, ଯେତେବେଳେ ଦେଶ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ କରିବ, ସେତେବେଳ ସୁଦ୍ଧା ଆମକୁ ଏହି ସଂକଳ୍ପ ପୂରଣ କରିବାକୁ ହେବ । ମୁଁ ଆପଣମାନଙ୍କୁ ନିଜେ ତ’ କିଛି ପରାମର୍ଶ ଦେଇପାରିବି ନାହିଁ, କିନ୍ତୁ ଆମ ସମସ୍ତଙ୍କ ପ୍ରିୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମଙ୍କ ଏକ କଥା ବିଷୟରେ ସ୍ମରଣ କରାଇଦେବାକୁ ଚାହିଁବି । ସେ କହିଥିଲେ-

“ଆମ ଏଠାକାର ମିଡିଆ ଏତେ ନେଗଟିଭ କାହିଁକି? ଏମିତି କାହିଁକି ହେଉଛି ଯେ ଭାରତରେ ଆମେ ନିଜର କ୍ଷମତା ଏବଂ ଉପଲବ୍ଧୀକୁ ନେଇ ଲଜ୍ଜିତ ରହୁଛୁ? ଆମେ ଏତେ ମହାନ ରାଷ୍ଟ୍ର, ଆମ ନିକଟରେ ସଫଳତାର ଏତେ ଅଦ୍ଭୂତ କାହାଣୀ ରହିଛି, ତଥାପି ଆମେ ସେଗୁଡ଼ିକୁ ସ୍ୱୀକାର କରିବା ଲାଗି ମନା କରିଦେଉଛୁ । ଏମିତି କାହିଁକି ହେଉଛି?”

ସେ ଏ କଥା ଅନେକ ବର୍ଷ ପୂର୍ବେ କହିଥିଲେ । ଆପଣମାନେ ବିଦ୍ୱାନ, ଠିକ ଲାଗିଲେ ଏହା ଉପରେ ଆପଣଙ୍କ ପାଖରେ ଥିବା ମିନାରଗୁଡ଼ିକରେ, ନ୍ୟୁଜ ରୁମରେ ନିଶ୍ଚିତ ଭାବେ ଚର୍ଚ୍ଚା କରିବେ । ମୋର ଆଶା ଯେ ଆପଣମାନେ ଯେଉଁ ପରିବର୍ତ୍ତନ କରିବେ, ତାହା ଅପରିବର୍ତ୍ତନୀୟ ହେବ ।

ଏହି ମଂଚରୁ ସାରା ଦେଶର ମିଡିଆ ଜଗତକୁ ମୁଁ ଅନୁରୋଧ କରୁଛି, ଆପଣମାନେ ନିଜେ ମଧ୍ୟ ସଂକଳ୍ପ ନିଅନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତୁ । ଯେପରି ଭାବେ ସ୍ୱଚ୍ଛ ଭାରତ ଅଭିଯାନକୁ ନିଜର ବୋଲି ଗ୍ରହଣ କରି, ତା’କୁ ଏକ ଜନ-ଆନ୍ଦୋଳନରେ ବଦଳାଇବାରେ ସକ୍ରିୟ ଭୂମିକା ତୁଲାଇଥିଲେ, ସେହିପରି ସଂକଳ୍ପରୁ ସିଦ୍ଧିର ଏହି ଯାତ୍ରାରେ ମଧ୍ୟ ଆଗକୁ ସାଥୀରେ ଚାଲନ୍ତୁ ।

ଏହି ଶବ୍ଦଗୁଡ଼ିକ ସହିତ ମୁଁ ନିଜର ବକ୍ତବ୍ୟ ଶେଷ କରୁଛି । ପୁଣିଥରେ ହିନ୍ଦୁସ୍ତାନ ଟାଇମ୍ସ ଗ୍ରୁପକୁ ଏହି ଆୟୋଜନ ପାଇ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ,

ଜୟ ହିନ୍ଦ!

 

**********