ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ କ୍ରୀଡ଼ା ୨୦୨୬ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହ ମତ ବିନିମୟ କରିଛନ୍ତି । ଏତେ ସଂଖ୍ୟକ ପଦକ ବିଜେତାଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ ହେବାର ଦେଖିବା ଏକ ଚମତ୍କାର ପରିବେଶ ସୃଷ୍ଟି କରୁଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ‘‘ଉତ୍ସାହ ଓ ଲକ୍ଷ୍ୟ ବିଜୟରେ ପରିଣତ ହେଲେ ପଦକ ସହିତ ପରିଚୟକୁ ମଧ୍ୟ ଉଜ୍ଜ୍ୱଳ କରିଥାଏ । ଆପଣମାନେ ସମସ୍ତେ ଯୁବ କ୍ରୀଡ଼ାବିତ୍ ଏହାର ଉଦାହରଣ ପାଲଟିଛନ୍ତି’’, ବୋଲି ଶ୍ରୀ ମୋଦୀ କହିଛନ୍ତି ।
୧୪୦ କୋଟି ନାଗରିକଙ୍କ ପାଇଁ ଗୌରବର ମୁହୂର୍ତ୍ତ ଆଣିଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି, ଜାତୀୟ ପତାକାର ସମ୍ମାନ ଓ ଗୌରବ ବୃଦ୍ଧି କରିବା ହିଁ ହେଉଛି ପ୍ରକୃତ ସଫଳତା। ଏହି ସାମୂହିକ ଜାତୀୟ ବିଜୟ ପାଇଁ ଖେଳାଳି, ସେମାନଙ୍କ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଏବଂ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା କେବଳ ଆପଣମାନଙ୍କର ନୁହେଁ; ବରଂ ଏହା ଦେଶର କୋଟି କୋଟି ନାଗରିକଙ୍କର ମଧ୍ୟ ସଫଳତା ବୋଲି ସେ କହିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହି ଦିବଂଗତ ରାଷ୍ଟ୍ରନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡ. କଲାମଙ୍କ ଅସାଧାରଣ ଜୀବନ ଏବଂ ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ କିପରି ଆଜି ମଧ୍ୟ ଦେଶକୁ ମାର୍ଗଦର୍ଶନ କରୁଛି, ସେ ବିଷୟରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, “ତାଙ୍କ ଜୀବନ ଏବଂ ତାଙ୍କର ଦୂରଦୃଷ୍ଟି ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ।’’
ଏସୀୟ କ୍ରୀଡ଼ାରେ ହାସଲ ହୋଇଥିବା ଐତିହାସିକ ମାଇଲଖୁଣ୍ଟଗୁଡ଼ିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ପୁରୁଷ ଓ ମହିଳା ହକି ଦଳର ଦ୍ୱୈତ ସ୍ୱର୍ଣ୍ଣ ପଦକ ବିଜୟକୁ ଉତ୍ସାହର ସହ ଉଲ୍ଲେଖ କରିଥିଲେ । ବିଶେଷକରି ସେ କହିଥିଲେ, ମହିଳା ଦଳ ୪୪ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇ ସ୍ୱର୍ଣ୍ଣ ଜିତିଛି। ଏହା ସହିତ ଉଭୟ କ୍ରିକେଟ୍ ଦଳର କ୍ରମାଗତ ପଦକ ବିଜୟ ଏବଂ କବାଡ଼ିରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବା ମଧ୍ୟ ଉଲ୍ଲେଖନୀୟ ଥିଲା। ସେ ତୀରନ୍ଦାଜୀରେ ପାଞ୍ଚଟି ସ୍ୱର୍ଣ୍ଣ ପଦକ, ସୁଟିଂ, ବକ୍ସିଂ ଓ କୁସ୍ତିରେ ଚମତ୍କାର ପ୍ରଦର୍ଶନ, ଆଥଲେଟିକ୍ସରେ ନୂତନ ରେକର୍ଡ, ୨୮ ବର୍ଷ ପରେ ଭାରୋତ୍ତୋଳନରେ ପଦକ ଏବଂ ୧୯୮୨ ମସିହା ପରେ ମାରାଥନରେ ପ୍ରଥମ ସଫଳତା ପାଇଁ ଖେଳାଳିମାନଙ୍କୁ ପ୍ରଶଂସା କରିଥିଲେ। ଏଥରର ଏସୀୟ କ୍ରୀଡ଼ା ଆମ ପାଇଁ ଅନେକ ଦୃଷ୍ଟିରୁ ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
ଭାରତର ମୋଟ ୮୫ଟି ପଦକ ମଧ୍ୟରୁ ୧୧ଟି ସ୍ୱର୍ଣ୍ଣ ସମେତ ୩୮ଟି ପଦକ ହାସଲ କରିଥିବା ମହିଳା ଖେଳାଳିମାନଙ୍କ ଅସାଧାରଣ ଅବଦାନର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସେମାନଙ୍କର ଏହି ସଫଳତା କେବଳ କିଛି ସଂଖ୍ୟା ନୁହେଁ, ବରଂ ଏକ ସଶକ୍ତ ‘ନୂତନ ଭାରତ’ର ପ୍ରତିଛବି ବହନ କରେ। ସେ ଆହୁରି ମଧ୍ୟ ଉଲ୍ଲେଖ କଲେ ଯେ, ଭାରତୀୟ ଖେଳାଳିମାନେ ମିକ୍ସଡ୍ ମାର୍ଶାଲ୍ ଆର୍ଟସ୍, ସଫ୍ଟ ଟେନିସ୍ ଏବଂ ନୌଚାଳନା ସେଲିଂର କିଛି ବିଭାଗରେ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଆଜି ଭାରତ ସେହି ଖେଳଗୁଡ଼ିକରେ ମଧ୍ୟ ପଦକ ଜିତୁଛି, ଯେଉଁଥିରେ ପୂର୍ବରୁ ଏସୀୟ କ୍ରୀଡ଼ାର ଇତିହାସରେ ଆମେ କେବେବି ପଦକ ଜିତି ନଥିଲୁ।
କ୍ରୀଡ଼ା କ୍ଷେତ୍ରରେ ଆହୁରି ଉଚ୍ଚ ଶିଖର ଅତିକ୍ରମ କରିବାକୁ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଶ୍ରୀ ମୋଦୀ ସମସ୍ତଙ୍କୁ ଏକ ଉତ୍ସାହପୂର୍ଣ୍ଣ ଶପଥ ପାଠ କରାଇଲେ, ଯେଉଁଥିରେ ସମସ୍ତ ଖେଳାଳି ଏକସ୍ୱରରେ ଘୋଷଣା କରିଥିଲେ – “ଆମେ ଏହା କରି ଦେଖାଇବୁ!” ଖେଳାଳିମାନେ ଯେପରି ପ୍ରତ୍ୟେକ କ୍ରୀଡ଼ା କ୍ଷେତ୍ରରେ ତ୍ରିରଙ୍ଗାର ଗୌରବ ବଜାୟ ରଖିବେ, ଦେଶ ପାଇଁ ଏକ ନୂତନ କ୍ରୀଡ଼ା ପରିଚୟ ଗଢ଼ିବେ ଏବଂ ବିଭିନ୍ନ କ୍ରୀଡ଼ା ବିଭାଗରେ ନୂତନ ଚାମ୍ପିୟନ୍ ସୃଷ୍ଟି କରିବେ ସେଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ । ସେ ଦୃଢ଼ତାର ସହ କହିଥିଲେ, ‘‘ଆମ ନାମରେ ଆହୁରି ଅନେକ ନୂତନ ରେକର୍ଡ ସ୍ଥାପନ ହେବ, ଆମେ ଏହା କରି ଦେଖାଇବୁ!’’
ଏହି ସମାବେଶ ସ୍ଥଳ ଉପରେ ଦୃଷ୍ଟି ଆକର୍ଷଣ କରି ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ମନେ ପକାଇ ଦେଇଥିଲେ ଯେ, ଏହି ଷ୍ଟାଡିୟମ୍ଟି କିମ୍ବଦନ୍ତୀ ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ, ଯିଏ କି ରାତି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଧରି ହକି ଅଭ୍ୟାସ କରୁଥିଲେ। ଏହି ମହାନ ଖେଳାଳିଙ୍କ ଅବିରତ ନିଷ୍ଠା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବୁଝାଇ କହିଥିଲେ ଯେ, ବଡ଼ ସଂକଳ୍ପ ପୂରଣ କରିବା ପାଇଁ ବର୍ଷ ବର୍ଷ ଧରି ଅତୁଟ ଧୈର୍ଯ୍ୟ ଏବଂ କଠିନ ପରିଶ୍ରମର ଆବଶ୍ୟକତା ରହିଥାଏ। ସଂକଳ୍ପ ଏବଂ ସ୍ୱପ୍ନ କେବେ ବି ଗୋଟିଏ ଦିନରେ ପୂରଣ ହୁଏ ନାହିଁ ବୋଲି ତାଙ୍କର ଏହି କଠିନ ପରିଶ୍ରମ ଆମକୁ ବାରମ୍ବାର ମନେ ପକାଇ ଦିଏ।
କ୍ରୀଡ଼ା କ୍ଷେତ୍ରରେ ଗତ ବାର ବର୍ଷ ଧରି ହୋଇଥିବା ନିଷ୍ଠାପର ପ୍ରୟାସକୁ, ପୂର୍ବ ସମୟ ସହିତ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ, ସେତେବେଳେ ଭାରତ ମାତ୍ର ଅଳ୍ପ କେତୋଟି ପଦକ ଜିତୁଥିଲା ଏବଂ ଅନେକ କ୍ରୀଡ଼ା ବିଷୟରେ ଦେଶ ଅବଗତ ମଧ୍ୟ ନଥିଲା। ପୂର୍ବରୁ ଅଲିମ୍ପିକ୍ର ଅଧାରୁ ଅଧିକ ଇଭେଣ୍ଟରେ ଭାରତର କୌଣସି ପ୍ରତିନିଧିତ୍ୱ ନଥିଲା। ପ୍ରତିଯୋଗିତା ପଡ଼ିଆରେ ପାଦ ନ ରଖି ଦେଶ କିପରି ପଦକ ଜିତିବା ଆଶା କରିପାରିବ? ସେ ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଯଦି ଆମେ ପ୍ରତିଯୋଗିତାରେ ଅଂଶଗ୍ରହଣ ହିଁ ନ କରିବା, ତେବେ ଆମେ ପଦକ କିପରି ଆଣିବା?’’
ଜାତୀୟ କ୍ରୀଡା ନୀତିରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହି ଐତିହାସିକ ଉଦାସୀନତା ଏବଂ ଆତ୍ମ-ସନ୍ଦେହକୁ ଦୂର କରିବା ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି ଅଧିକରୁ ଅଧିକ ସଂଖ୍ୟାରେ ଭାରତୀୟ ଖେଳାଳି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ଖୁସିର ବିଷୟ । ଏହି ନିରାଶାବାଦୀ ମାନସିକତାକୁ ଦୂର କରିବୁ ବୋଲି ଆମେ ଏହି ସଂକଳ୍ପ ନେଇଛୁ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଗତ ୧୦ ରୁ ୧୨ ବର୍ଷ ମଧ୍ୟରେ ଏକ ସୁଦୂରପ୍ରସାରୀ ଦୂରଦୃଷ୍ଟି ଏବଂ ଆନ୍ତରିକ ପ୍ରୟାସ ଯୋଗୁଁ ଏହି ପରିବର୍ତ୍ତନ ଆସିପାରିଛି ବୋଲି ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ଏକ ସ୍ୱଚ୍ଛ ଓ ଆଧୁନିକ କ୍ରୀଡ଼ା ବ୍ୟବସ୍ଥା ଗଠନ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଏହି ବ୍ୟବସ୍ଥାର ମୂଳ ଆଧାର ହେଉଛି ‘ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ (ଟପ୍ସ) ଏବଂ ସମ୍ପ୍ରସାରିତ ‘ଖେଲୋ ଇଣ୍ଡିଆ’ ଅଭିଯାନ। ସେ କହିଲେ ଯେ, ଦେଶବ୍ୟାପୀ କ୍ରୀଡ଼ା ମହାସଂଘଗୁଡ଼ିକୁ ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ା କାର୍ଯ୍ୟକ୍ରମଗୁଡ଼ିକୁ ବ୍ୟାପକ କରିବା ପାଇଁ ସରକାର ବହୁଳ ଆର୍ଥିକ ସମ୍ବଳ ଯୋଗାଇ ଦେଇଛନ୍ତି। ଖେଲୋ ଇଣ୍ଡିଆ’ର ସମ୍ପ୍ରସାରଣ ଏବଂ କ୍ରୀଡ଼ା ମହାସଂଘଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୬ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ।
ହଜାରରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ରରେ ତୃଣମୂଳସ୍ତରୀୟ ଭିତ୍ତିଭୂମିର ଦ୍ରୁତ ପ୍ରସାର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଛୋଟ-ବଡ଼ ସବୁ ସହରରେ ନିର୍ମିତ ହଜାର ହଜାର ନୂତନ ଷ୍ଟାଡିୟମ, ବହୁମୁଖୀ ହଲ୍, ଆଥଲେଟିକ୍ସ ଟ୍ରାକ୍, ଫୁଟବଲ୍ ଓ ହକି ପଡ଼ିଆ ଏବଂ ସୁଇମିଂ ପୁଲ୍ ବିଷୟରେ ସୂଚନା ଦେଇଥିଲେ। ଟପ୍ସ ଅଧୀନରେ ମାସିକ ୫୦ ହଜାର ଟଙ୍କା ଅତିରିକ୍ତ ଭତ୍ତା ଏବଂ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ପାଇଁ ପାଣ୍ଠି ସମେତ ଖେଳାଳିମାନଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଯଦି କୌଣସି କ୍ରୀଡ଼ାରେ ପ୍ରଶିକ୍ଷଣ ପାଇଁ ଦେଶ ବାହାରକୁ ଯିବାର ଆବଶ୍ୟକତା ପଡ଼େ, ତେବେ ସରକାର ତାହା ମଧ୍ୟ ସହଜ କରୁଛନ୍ତି ଏବଂ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।
ଶୀତକାଳୀନ କ୍ରୀଡ଼ା, ସାଂସଦ ଖେଳ ପ୍ରତିଯୋଗିତା ଏବଂ ନୂତନ ‘ଖେଲୋ ଭାରତ ନୀତି’ ମାଧ୍ୟମରେ ପ୍ରତିଯୋଗିତାମୂଳକ ଅଭିଜ୍ଞତାକୁ ସର୍ବାଧିକ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ ଖେଳାଳିମାନଙ୍କୁ ଦେଶ ପାଇଁ ଗୌରବ ଆଣିଦେଇଥିବାରୁ ପ୍ରଶଂସା କରିଥିଲେ। ସେ କହିଥିଲେ, ସାରା ଦେଶ ଖେଳାଳିଙ୍କ ସହ ଅଛି । ଦେଶବାସୀଙ୍କର ଏହି ସମର୍ଥନ କିଭଳି ଉତ୍କୃଷ୍ଟ ଫଳାଫଳ ଆଣିଦେଇପାରେ ତାହା ଖେଳାଳିମାନଙ୍କର ଏହି ସଫଳତା ଦ୍ୱାରା ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, ‘‘ଆଜି ପ୍ରତ୍ୟେକ ଖେଳାଳିଙ୍କ ମନରେ ଏହି ଆତ୍ମବିଶ୍ୱାସ ରହିଛି ଯେ ସେମାନଙ୍କର ସମଗ୍ର ଯାତ୍ରାରେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ।’’
ଦଳରେ ଥିବା ୧୫ ରୁ ୧୭ ବର୍ଷ ବୟସ୍କ କ୍ରୀଡ଼ାବିତ୍ମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ଉଦାହରଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖୁବ୍ କମ୍ ବୟସରୁ କ୍ରୀଡ଼ା ଆରମ୍ଭ କରିବା ଏକ ବିଶେଷ ସୁବିଧା ପ୍ରଦାନ କରିଥାଏ। ଏହାକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଏବଂ ଇମର୍ଜିଂ ଖେଲୋ ଇଣ୍ଡିଆ ମାଧ୍ୟମରେ ୫ ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ, ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତରେ ଆୟୋଜନ ଏବଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାର ଆକାଂକ୍ଷାକୁ ଆଗରେ ରଖି, ସେ ଲାଲକିଲ୍ଲାରୁ ଘୋଷଣା କରିଥିବା ସେହି ‘ଗ୍ରାମୀଣ ସ୍ତରୀୟ ପ୍ରତିଭା ଅନ୍ୱେଷଣ’ କାର୍ଯ୍ୟକ୍ରମ ବିଷୟରେ ପୁଣିଥରେ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ଏହି ଖେଳାଳିମାନେ ହିଁ ଭାରତ ପାଇଁ ପଦକ ଆଣିବେ ବୋଲି ସେ ଦୃଢ଼ତାର ସହ କହିଥିଲେ ।
ଦେଶର ମହାନ ସଂକଳ୍ପ ଉପରେ ପ୍ରଧାନମନ୍ତ୍ରୀ ଅତୁଟ ବିଶ୍ୱାସ ପ୍ରକାଶ କରିଥିଲେ । ‘‘ଆମେ କରିବୁ!’’ ବୋଲି କହି ଖେଳାଳିମାନଙ୍କ ସହିତ ପୁଣିଥରେ ଉତ୍ସାହୀ ସ୍ଲୋଗାନର ନେତୃତ୍ୱ ନେଇଥିଲେ। ସେ ପ୍ରମୁଖ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ, ଶ୍ରେଷ୍ଠ କ୍ରୀଡ଼ା ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ ହେବା, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ଏବଂ ଏକ ବିଶ୍ୱସ୍ତରୀୟ କ୍ରୀଡ଼ା କେନ୍ଦ୍ର ହେବାର ମିଳିତ ଲକ୍ଷ୍ୟ ବିଷୟରେ ସେମାନଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ଭାରତର ପ୍ରତ୍ୟେକ କୋଣରୁ ଜଣେ ଚାମ୍ପିଅନ୍ ଆସିବେ, ଏହା ଆମେ କରିବୁ!” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ।
ଏସୀୟ କ୍ରୀଡ଼ାର ବିଜୟକୁ ଭାରତୀୟ ଯୁବପିଢ଼ିଙ୍କ ବ୍ୟାପକ ଆକାଂକ୍ଷା ସହିତ ଯୋଡ଼ି ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ଯୁବ ଉଦ୍ଭାବକମାନେ ମହାକାଶ, ଉପଗ୍ରହ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି । ସେମାନେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ କରିଛନ୍ତି। କ୍ରୀଡା କ୍ଷେତ୍ର ଭଳି ଛୋଟ ସହର ଏବଂ ଗ୍ରାମର ଯୁବପିଢ଼ି ଏହି ଉଦ୍ୟୋଗ ବିକାଶର ଧାରାକୁ ଆଗେଇ ନେଉଛନ୍ତି । ଏହାକୁ ଗୋଟିଏ ଦଶନ୍ଧି ଧରି ଚାଲିଥିବା ବ୍ୟବସ୍ଥାଗତ ସଂସ୍କାର ଦ୍ୱାରା ସମର୍ଥନ ମିଳିଛି । ସେମାନଙ୍କୁ ଦେଶର ପୂର୍ଣ୍ଣ ସମର୍ଥନ ମିଳୁଛି । ସେମାନଙ୍କ ସ୍ୱପ୍ନକୁ ଆଗକୁ ନେବା ପାଇଁ, ଦେଶର ସମ୍ପୂର୍ଣ୍ଣ କ୍ଷମତା ସେମାନଙ୍କ ସହିତ ଛିଡ଼ା ହୋଇଛି ବୋଲି ସେମାନଙ୍କର ବିଶ୍ୱାସ ରହିଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
କ୍ରୀଡା ବିକାଶର ବ୍ୟାପକ ଆର୍ଥିକ ପ୍ରଭାବ ବିଷୟରେ ବିସ୍ତାର ପୂର୍ବକ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାରୀ ପଦକ୍ଷେପଗୁଡ଼ିକ କେବଳ ନିର୍ଦ୍ଦିଷ୍ଟ କ୍ଷେତ୍ର ଭିତରେ ଥିବା ପ୍ରତିଯୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହେଉଛି । କ୍ରୀଡା ପ୍ରଶିକ୍ଷଣ, ଫିଜିଓଥେରାପି, କ୍ରୀଡା ପରିଚାଳନା ଏବଂ କ୍ରୀଡା ପ୍ରସାରଣ ଭଳି ବିବିଧ ବୃତ୍ତିଗତ କ୍ଷେତ୍ରର ଦ୍ରୁତ ଅଭ୍ୟୁଦୟ ହେଉଛି । ଏହା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଏବଂ ଉଦ୍ୟୋଗର ନୂତନ ମାର୍ଗ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ଅନ୍ତର୍ଜାତୀୟ ସ୍ତରରେ ଅଭିଜ୍ଞ ପଦକ ବିଜେତାମାନଙ୍କୁ ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନ କରିବାର ଦାୟିତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ସେମାନଙ୍କୁ ସ୍କୁଲ ପରିଦର୍ଶନ କରିବା, ସେମାନଙ୍କର ମୂଳ ଖେଳ ପଡ଼ିଆକୁ ଫେରିବା ଏବଂ ସେମାନଙ୍କ ନିଜ ଗାଁ ଓ ସହରଗୁଡ଼ିକର ପିଲାମାନଙ୍କ ସହିତ ଜଡିତ ହେବାକୁ କହିଥିଲେ। ସେମାନଙ୍କର କଠିନ ପରିଶ୍ରମର ଅଭିଜ୍ଞତା ବାଣ୍ଟିବା ଦ୍ୱାରା ସେମାନଙ୍କ ପଦାଙ୍କ ଅନୁସରଣ କରିବାର ସ୍ୱପ୍ନ ଦେଖୁଥିବା ଯୁବ ଆଶାୟୀମାନେ ଗଭୀର ଭାବରେ ଅନୁପ୍ରାଣିତ ହେବେ । ଏହି ଖେଳାଳୀମାନଙ୍କର ଗୋଟିଏ ଛୋଟ ଶବ୍ଦ ମଧ୍ୟ ପିଲାଙ୍କୁ କ୍ରୀଡ଼ାରେ ଆଗକୁ ବଢ଼ିବା ପାଇଁ ସାହସ ଦେଇପାରେ ବୋଲି ଶ୍ରୀ ମୋଦୀ କହିଥିଲେ।
କ୍ରୀଡ଼ା କ୍ଷେତ୍ର ବାହାରେ ଆଥଲେଟିକ୍ସର ଗଭୀର ମୂଲ୍ୟବୋଧ ଉପରେ ଆଲୋକପାତ ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡା ଜୀବନବ୍ୟାପୀ ଶୃଙ୍ଖଳା, ଅନୁକୂଳ କ୍ଷମତା, ଦୀର୍ଘକାଳୀନ ଲକ୍ଷ୍ୟ ପ୍ରତି ସ୍ଥିରତା ଏବଂ ପରାଜୟ ପରେ ଉଠିବା ପାଇଁ ସ୍ଥିରତା ପ୍ରଦାନ କରିଥାଏ । ଏହି ମୌଳିକ ଗୁଣଗୁଡ଼ିକ ସ୍ୱାଭାବିକ ଭାବରେ ଦୈନନ୍ଦିନ ଜୀବନରେ ଏକୀକୃତ ହୋଇ ପ୍ରତ୍ୟେକ ଆହ୍ୱାନରେ ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରିଥାଏ। ଏହି ଖେଳୁଆଡ଼ ମନୋଭାବ ଜୀବନସାରା କାମରେ ଆସିଥାଏ ।
ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, ଯିଏ ଖେଳେ, ସେ ହିଁ ଆଗକୁ ବଢ଼େ । ଖେଳାଳି ମାନଙ୍କ ଉତ୍ସାହ ‘ନୂତନ ଭାରତ’ର ସବୁଠାରୁ ବଡ଼ ଶକ୍ତି ବୋଲି ସେ ଗର୍ବର ସହିତ କହିଥିଲେ । ଏହା ସହ ସେ “ଆମେ ଏହା କରି ଦେଖାଇବୁ!’’ ସେ ସାମୂହିକ ଘୋଷଣା କରିଥିଲେ। ଏହି ଉଦଘୋଷ ସହିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ, ବିଶ୍ୱର ଶ୍ରେଷ୍ଠ ତିନି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇବା, ‘ଆତ୍ମନିର୍ଭର ଭାରତ’, ବିଶ୍ୱ ଉତ୍ପାଦନ କେନ୍ଦ୍ର ହେବା, ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ନେବା, ମହାକାଶ ଅନୁସନ୍ଧାନ ଏବଂ ଅଲିମ୍ପିକ୍ସ ଆୟୋଜନ କରିବା ଭଳି ଲକ୍ଷ୍ୟଗୁଡ଼ିକ ଅନ୍ତର୍ଭୁକ୍ତ ଥିଲା। ସେ ଖେଳାଳିମାନଙ୍କର ଭବିଷ୍ୟତର ସମସ୍ତ ପ୍ରତିଯୋଗିତା ଏବଂ ଉଦ୍ୟମ ପାଇଁ ଶୁଭକାମନା ଜଣାଇଥିଲେ। ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ, ‘‘ଏହି ଆତ୍ମବିଶ୍ୱାସ ବଳରେ ଆମକୁ ଭାରତକୁ ନୂତନ ଶିଖରକୁ ନେବାକୁ ହେବ।’’
**********
PS
Our Asian Games champions have made the Tricolour fly high! Their achievements show what passion, perseverance and belief can achieve. https://t.co/m3gOPecQCo
— Narendra Modi (@narendramodi) October 15, 2026
You have made the Tricolour fly high and enhanced its honour and pride: PM @narendramodi to the Asian Games team https://t.co/pJazGfotrq
— PMO India (@PMOIndia) October 15, 2026
We will do it! https://t.co/5g0lLzSVsT
— PMO India (@PMOIndia) October 15, 2026
India is all set to become a global sporting powerhouse. https://t.co/x7T46sg91E
— PMO India (@PMOIndia) October 15, 2026