Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓବିସିଙ୍କ ଉପବର୍ଗୀକରଣ ପ୍ରସଙ୍ଗ ଅନୁଧ୍ୟାନ ପାଇଁ କମିଶନ ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ସମ୍ବିଧାନର ଧାରା 340 ଅନୁଯାୟୀ ଏକ କମିଶନ ଗଠନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଅଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିବାର 12 ସପ୍ତାହ ମଧ୍ୟରେ କମିଶନ ନିଜର ରିପୋର୍ଟ ପ୍ରଦାନ କରିବେ । ଏହି କମିଶନ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଗଠନ କରାଯିବ ।

କମିଶନ ନିମ୍ନୋକ୍ତ ସନ୍ଦର୍ଭ ପ୍ରତି ଧ୍ୟାନ ଦେଇ ପ୍ରସଙ୍ଗର ଅନୁଧ୍ୟାନ କରିବେ :

1. କେନ୍ଦ୍ରୀୟ ତାଲିକାରେ ସାମିଲ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସମେତ ପଛୁଆ ବର୍ଗଙ୍କ ବିସ୍ତୃତ ବର୍ଗରେ ସାମିଲ ଜାତି/ଗୋଷ୍ଠୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାର ଅସମାନ ଲାଭ ବିଷୟରେ ଯାଞ୍ଚ କରିବେ ।

2. ଓବିସିଙ୍କ ଉପବର୍ଗୀକରଣ ନିମନ୍ତେ ବୈଜ୍ଞାନିକ ଆଭିମୁଖ୍ୟ ଆଧାରରେ ମେକାନିଜିମ୍, ମାନଦଣ୍ଡ ପ୍ରସ୍ତୁତ କରିବେ ଏବଂ
3. କେନ୍ଦ୍ରୀୟ ତାଲିକାରେ ଥିବା ଓବିସିଙ୍କ ଜାତି/ଗୋଷ୍ଠୀ/ଉପଜାତି, ପର୍ଯ୍ୟାୟର ଅନୁଧ୍ୟାନ କରିବା ସହ ସେମାନଙ୍କୁ ସମ୍ପୃକ୍ତ ଉପବର୍ଗରେ ବର୍ଗୀକରଣ କରିବେ ।

ସୂଚନାଯୋଗ୍ୟ ଯେ ସୁପ୍ରିମ କୋର୍ଟ ଗତ 16.11.1992 ରେ ଦେଇଥିବା ଏକ ରାୟରେ କହିଥିଲେ ଯେ ଯଦି ସରକାର ପଛୁଆ ବର୍ଗଙ୍କୁ ପଛୁଆ ବର୍ଗ କିମ୍ବା ଅଧିକ ପଛୁଆ ବର୍ଗ ଭାବେ ବର୍ଗୀକରଣ କରୁଛନ୍ତି କିମ୍ବା ଉପବର୍ଗୀକରଣ କରୁଛନ୍ତି ଏହାର କୌଣସି ସାମ୍ବିଧାନିକ କଟକଣା ଏବଂ ଏହା ଆଇନରେ ଅସମ୍ଭବ ନୁହେଁ ।

ବର୍ତ୍ତମାନ ସୁଦ୍ଧା ନଅଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ପୁଡୁଚେରୀ, କର୍ଣ୍ଣାଟକ, ହରିୟାଣା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଏବଂ ତାମିଲନାଡ଼ୁ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣ ଶେଷ କରିସାରିଛନ୍ତି ।

**********