ପିଏମଇଣ୍ଡିଆ
ନୋମୋସ୍କାର । ଲୁଇଟପୋରିୟା ରାଇଜୋଲୋଇ ମୁର ଶ୍ରୋଦ୍ଧା ଅରୁ ମରୋମ ଜାସିସୁ!
ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଜୀ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଜୀ, କେନ୍ଦ୍ରରେ ଥିବା ମୋର ସହକର୍ମୀ, ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଜୀ, ରାମ ମୋହନ ନାଇଡୁ ଜୀ, ମୁରଲୀଧର ମୋହୋଲ ଜୀ, ପବିତ୍ରା ମାର୍ଗେରେଟା ଜୀ, ଆସାମ ସରକାରଙ୍କ ମନ୍ତ୍ରୀମାନେ, ଅନ୍ୟ ଗଣମାନ୍ୟ ବ୍ୟକ୍ତି, ଭାଇ ଏବଂ ଭଉଣୀମାନେ ।
ମୋର ଭାଷଣ ଆରମ୍ଭ କରିବା ପୂର୍ବରୁ, ମୁଁ ଆପଣମାନଙ୍କୁ ଏକ ଅନୁରୋଧ କରୁଛି । ଆଜି ହେଉଛି ବିଜୟର ଦିନ, ଏକ ପ୍ରକାର ବିକାଶର ଦିନ ଏବଂ ଏହା କେବଳ ଆସାମ ପାଇଁ ନୁହେଁ, ସମଗ୍ର ଉତ୍ତର-ପୂର୍ବାଞ୍ଚଳର ବିକାଶର ଉତ୍ସବ ଅଟେ, ତେଣୁ ମୁଁ ଆପଣମାନଙ୍କୁ ନିଜର ମୋବାଇଲ ଫୋନ ବାହାର କରିବାକୁ, ସେଥିରେ ଫ୍ଲାସ୍ ଲାଇଟ୍ ଅନ୍ କରିବାକୁ ଏବଂ ଆପଣମାନେ ସମସ୍ତେ ଏହି ବିକାଶ ଉତ୍ସବରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି । ସମସ୍ତଙ୍କ ମୋବାଇଲ ଫୋନର ଆଲୋକ ରହିବା ଉଚିତ, କରତାଳିର ଶବ୍ଦ ସହିତ ସମଗ୍ର ଦେଶ ଦେଖିବ ଯେ, ଆସାମ ବିକାଶ ଉତ୍ସବ ପାଳନ କରୁଛି । ଯେତେବେଳେ ବିକାଶର ଆଲୋକ ପହଞ୍ଚେ, ଜୀବନର ପ୍ରତ୍ୟେକ ପଥ ନୂତନ ଉଚ୍ଚତାକୁ ଛୁଇଁବା ଆରମ୍ଭ କରେ । ସମସ୍ତଙ୍କୁ ବହୁତ ଧନ୍ୟବାଦ ।
ବନ୍ଧୁଗଣ,
ଆସାମର ମାଟି ସହିତ ମୋର ସଂଲଗ୍ନତା, ଏଠାକାର ଲୋକମାନଙ୍କର ସ୍ନେହ ତଥା ପ୍ରେମ ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବର ମାଆ ଓ ଭଉଣୀମାନଙ୍କ ଭଲପାଇବା ମୋତେ ସବୁବେଳେ ପ୍ରେରିତ କରିଥାଏ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଆମର ସଂକଳ୍ପକୁ ଅଧିକ ଦୃଢ଼ କରିଥାଏ । ମୁଁ ଦେଖୁଛି ଯେ, ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡା ହେଉଛି, ଏବଂ ଏପରି ସମୟରେ ଭାରତ ରତ୍ନ ଭୁପେନ ଦା’ଙ୍କ ପଙ୍କ୍ତି ଉପଯୁକ୍ତ ମନେ ହେଉଛି । ଲୁଇଦୋର ପାର ଜିଲିକାଇ ଟୁଲିବୋଲୋଇ, ଆମି ପ୍ରୋତିଜ୍ଞାବୋଦ୍ଧ! ଆମି ହୋନˆଲ୍ପବୋଦ୍ଧ! ଅର୍ଥାତ୍ ଲୁଇତ୍ ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧକାର ପ୍ରତ୍ୟେକ କାନ୍ଥ ଭାଙ୍ଗିବ ଏବଂ ଏହା ନିଶ୍ଚିତ ଭାବରେ ଘଟିବ, ଏହା ଆମର ସଂକଳ୍ପ, ଏହା ଆମର ପ୍ରତିଶୃତି ।
ବନ୍ଧୁଗଣ,
ଭୁପେନ ଦା ଙ୍କର ଏହି ପଂକ୍ତିଗୁଡ଼ିକ କେବଳ ଏକ ଗୀତ ନଥିଲା, ଏହା ଆସାମକୁ ଭଲପାଉଥିବା ପ୍ରତ୍ୟେକ ମହାନ ଆତ୍ମାର ସଂକଳ୍ପ ଥିଲା ଏବଂ ଆଜି ଏହି ସଂକଳ୍ପ ଆମ ସମ୍ମୁଖରେ ପ୍ରମାଣିତ ହେଉଛି । ଯେପରି ଆସାମରେ ବିଶାଳ ବ୍ରହ୍ମପୁତ୍ରର ଧାରା କେବେବି ବନ୍ଦ ହୁଏ ନାହିଁ, ସେହିପରି ବିଜେପିର ଡବଲ ଇଞ୍ଜିନ ସରକାର ଅଧୀନରେ ବିକାଶର ଧାରା ମଧ୍ୟ ଅନବରତ ପ୍ରବାହିତ ହେଉଛି । ଆଜି ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ବିମାନବନ୍ଦରର ନୂଆ ଟର୍ମିନାଲର ଉଦ୍ଘାଟନ ଆମର ଏହି ଦୃଢ଼ ସଂକଳ୍ପର ପ୍ରମାଣ । ମୁଁ ସମସ୍ତ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ଏହି ନୂଆ ଟର୍ମିନାଲ ଭବନ ପାଇଁ ଅଭିନନ୍ଦନ ଜଣାଉଛି ।
ଭାଇ ଓ ଭଉଣୀମାନେ,
କିଛି ସମୟ ପୂର୍ବରୁ ମୋତେ ଗୋପୀନାଥ ବୋରଦୋଲୋଇ ଜୀଙ୍କ ପ୍ରତିମା ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ବୋରଦୋଲୋଇ ଜୀ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ, ଆସାମର ଗୌରବ ଥିଲେ, ଆସାମର ପରିଚୟ, ଆସାମର ଭବିଷ୍ୟତ ଏବଂ ଆସାମର ସ୍ୱାର୍ଥ ସହ କେବେବି ସାଲିସ କରିନଥିଲେ । ତାଙ୍କର ଏହି ପ୍ରତିମୂର୍ତ୍ତୀ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବା ସହ ସେମାନଙ୍କ ମଧ୍ୟରେ ଆସାମ ପ୍ରତି ଗର୍ବର ଭାବନା ଜାଗ୍ରତ କରିବ ।
ବନ୍ଧୁଗଣ,
ଆଧୁନିକ ବିମାନବନ୍ଦର ଭଳି ସୁବିଧା ଯୋଗାଯୋଗର ଆଧୁନିକ ଭିତ୍ତିଭୂମି ଭଳି ସୁବିଧାଗୁଡ଼ିକ କୌଣସି ରାଜ୍ୟ ପାଇଁ ନୂତନ ସମ୍ଭାବନା ଏବଂ ନୂଆ ସୁଯୋଗର ପ୍ରବେଶ ଦ୍ୱାର । ଏଗୁଡିକ ହେଉଛି ରାଜ୍ୟର ବର୍ଦ୍ଧିତ ଆତ୍ମବିଶ୍ୱାସ ଏବଂ ଲୋକମାନଙ୍କର ବିଶ୍ୱାସର ସ୍ତମ୍ଭ । ଆପଣମାନେ ମଧ୍ୟ ଯେତେବେଳେ ଦେଖୁଛନ୍ତି ଯେ, ଆସାମରେ ଏତେ ସୁନ୍ଦର ରାଜପଥ ଏବଂ ବିମାନବନ୍ଦର ନିର୍ମାଣ ହେଉଛି, ଆପଣ ମଧ୍ୟ କହୁଛନ୍ତି – ଏବେ ଆସାମକୁ ନ୍ୟାୟ ମିଳିବା ଆରମ୍ଭ ହେଲା ।
ନଚେତ ବନ୍ଧୁଗଣ,
ଆସାମ ଏବଂ ଉତ୍ତରପୂର୍ବ ଅଞ୍ଚଳର ବିକାଶ କଂଗ୍ରେସର ସରକାରଙ୍କ ଏଜେଣ୍ଡାରେ ନଥିଲା । କଂଗ୍ରେସର ସରକାର ଏବଂ ସେଥିରେ ଥିବା ଲୋକମାନେ କହୁଥିଲେ, ଆସାମ ଏବଂ ଉତ୍ତରପୂର୍ବ ଅଞ୍ଚଳକୁ କିଏ ଯାଏ? କଂଗ୍ରେସ କହୁଥିଲା, ଆସାମକୁ ଏବଂ ଉତ୍ତର ପୂର୍ବାଞ୍ଚଳକୁ, ଆଧୁନିକ ବିମାନବନ୍ଦର, ରାଜପଥ ଏବଂ ଉନ୍ନତ ରେଳପଥର ଆବଶ୍ୟକତା କ’ଣ? ଏହି ଚିନ୍ତାଧାରା ଯୋଗୁଁ କଂଗ୍ରେସ ଅନେକ ଦଶନ୍ଧି ଧରି ଏହି କ୍ଷେତ୍ରକୁ ଉପେକ୍ଷା କରୁଥିଲା ।
ବନ୍ଧୁଗଣ,
କଂଗ୍ରେସ ୬-୭ ଦଶନ୍ଧି ଧରି ଯେଉଁ ଭୁଲ କରିଆସୁଥିଲା, ମୋଦୀ ଏବେ ଗୋଟିଏ ପରେ ଗୋଟିଏ ସଂଶୋଧନ କରଛନ୍ତି । ମୋଦୀ କହୁଛନ୍ତି, କଂଗ୍ରେସ ସଦସ୍ୟମାନେ ଉତ୍ତର ପୂର୍ବାଞ୍ଚଳ ଗସ୍ତ କରନ୍ତୁ କି ନାହିଁ, ମୁଁ କିନ୍ତୁ ଉତ୍ତର ପୂର୍ବାଞ୍ଚଳ ଏବଂ ଆସାମ ଆସିଲେ ମୋତେ ଅନୁଭବ ହୁଏ ଯେ, ମୁଁ ନିଜର ଲୋକମାନଙ୍କ ମଧ୍ୟରେ ରହିଛି ।
ତେଣୁ ସେଥିପାଇଁ ବନ୍ଧୁଗଣ,
ଗତ ୧୧ ବର୍ଷ ମଧ୍ୟରେ ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଆରମ୍ଭ କରାଯାଇଛି । ଆଜି ଆସାମ ଆଗକୁ ବଢ଼ୁଛି ଏବଂ ନୂତନ ରେକର୍ଡ ସ୍ଥାପନ କରୁଛି । ମୁଁ ଜାଣି ଖୁସି ହେଲି ଯେ, ଆସାମ ଭାରତୀୟ ଦଣ୍ଡ ସଂହିତା ଲାଗୁ କରିବାରେ ଦେଶରେ ଏକ ନମ୍ବର ରାଜ୍ୟ ହୋଇଛି । ଆସାମ ୫୦ ଲକ୍ଷରୁ ଅଧିକ ସ୍ମାର୍ଟ ପ୍ରି-ପେଡ ମିଟର ସ୍ଥାପନ କରି ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛି । କଂଗ୍ରେସ ସମୟରେ ଆସାମରେ ବିନା ସ୍ଲିପ ଏବଂ ବିନା ଖର୍ଚ୍ଚରେ ଚାକିରି ମିଳିବା ଅସମ୍ଭବ ଥିଲା । କିନ୍ତୁ ଆଜି ଏଠାରେ ହଜାର ସଂଖ୍ୟାରେ ଯୁବପିଢ଼ି କୌଣସି ସ୍ଲିପ କିମ୍ବା ପଇସା ବିନା ସରକାରୀ ଚାକିରି ପାଉଛନ୍ତି । ବିଜେପି ସରକାର ଅଧୀନରେ ଆସାମର ସଂସ୍କୃତିକୁ ସବୁ ମଧ୍ୟରେ ପ୍ରୋତ୍ସାହିିତ କରାଯାଉଛି । ଗତ ବର୍ଷ ଅପ୍ରେଲ ୧୩ ତାରିଖରେ ଗୌହାଟୀ ଷ୍ଟାଡିୟମରେ ୧୧ ହଜାରରୁ ଅଧିକ କଳାକାର ଏକାଠି ବିହୁ ନୃତ୍ୟ ପରିବେଷଣ କରିଥିଲେ, ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ । ଏହି କାର୍ଯ୍ୟକ୍ରମ ଗିନିଜ ୱାର୍ଲ୍ଡ ରେକର୍ଡରେ ରେକର୍ଡ ହୋଇଛି । ଏପରି ନୂଆ ରେକର୍ଡ ସ୍ଥାପନ କରିବା ସହ ଆସାମ ଦ୍ରୁତ ଗତିରେ ପ୍ରଗତି ପଥରେ ଅଗ୍ରସର ହେଉଛି ।
ବନ୍ଧୁଗଣ,
ଏବେ ଏହି ନୂଆ ଟର୍ମିନାଲ ବିଲ୍ଡିଂ ଯୋଗୁଁ ଆସାମ ଏବଂ ଗୌହାଟୀର କ୍ଷମତା ଆହୁରି ବୃଦ୍ଧି ପାଇବ । ଏହି ଟର୍ମିନାଲରେ ବାର୍ଷିକ ପ୍ରାୟ ୧୨୫ ନିୟୁତ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିପାରିବେ! ଅର୍ଥାତ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସାମ ଆସିପାରିବେ । ଭକ୍ତମାନଙ୍କ ପାଇଁ ମାଆ କାମାକ୍ଷାଙ୍କ ଦର୍ଶନ ମଧ୍ୟ ଆହୁରି ସୁବିଧାଜନକ ହେବ । ଏହି ନୂଆ ଟର୍ମିନାଲରେ ପାଦ ଦେବା ମାତ୍ରେ ‘ବିକାଶ ଏବଂ ଐତିହ୍ୟ’ ମନ୍ତ୍ରର ଅର୍ଥ କ’ଣ ତାହା ସ୍ପଷ୍ଟ ଭାବରେ ଜଣାପଡେ । ଆସାମର ପ୍ରକୃତି ଏବଂ ସଂସ୍କୃତିକୁ ଦୃଷ୍ଟିରେ ରଖି ଏହି ବିମାନବନ୍ଦର ଡିଜାଇନ କରାଯାଇଛି । ଟର୍ମିନାଲ ଭିତରେ ସବୁଜିମା ଭରି ରହିଛି । ଏହା ଭିତରେ ଇନଡୋର ଜଙ୍ଗଲ ପରି ବ୍ୟବସ୍ଥା ମଧ୍ୟ ରହିଛି । ସବୁଆଡେ ପ୍ରକୃତି ସହିତ ଜଡ଼ିତ ଡିଜାଇନ ରହିଛି, ଯାହା ଏଠାକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀ ଶାନ୍ତି ଅନୁଭବ କରିବେ । ଏହାର ନିର୍ମାଣରେ ବାଉଁଶ ବିଶେଷ ବ୍ୟବହାର କରାଯାଇଛି । ବାଉଁଶ ଅହମୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଶକ୍ତି ଏବଂ ସୌନ୍ଦର୍ଯ୍ୟ ଉଭୟକୁ ପ୍ରତିନିଧିତ୍ୱ କରେ । ତଥାପି, ଦିଲ୍ଲୀର ପୂର୍ବ ସରକାରଗୁଡିକ ବାଉଁଶ ସମ୍ପର୍କରେ ପରିଚିତ ନଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ୨୦୧୪ରେ ଆପଣମାନେ ମୋତେ ଦାୟିତ୍ୱ ଦେଇଥିଲେ । ଏହା ପୂର୍ବରୁ ଆମ ଦେଶରେ ଏକ ଆଇନ ଥିଲା ଯେ ଆପଣ ବାଉଁଶ କାଟି ପାରିବେ ନାହିଁ । କିନ୍ତୁ ମୁଁ ବୁଝିପାରୁ ନାହିଁ ଏହା କାହିଁକି? କାରଣ ସେମାନେ କହିଥିଲେ ଯେ ବାଉଁଶ ଏକ ଗଛ, ଏକ ବୃକ୍ଷ ଅଟେ, ଏବଂ ଯେତେବେଳେ ଥରେ ବୃକ୍ଷ ବୋଲି କହିଦେଲେ, ସେତେବେଳେ ସମସ୍ତ ରାସ୍ତା ବନ୍ଦ ହୋଇଗଲା । କିନ୍ତୁ ସମ୍ପୂର୍ଣ୍ଣ ବିଶ୍ୱ ବିଶ୍ୱାସ କରେ ଯେ, ଏହା ଏକ ଗଛ ଏବଂ ଆମେ ଆଇନକୁ ପରିବର୍ତ୍ତନ କରି ବାଉଁଶକୁ ଘାସ ବର୍ଗରେ ଆଣିଛୁ, ଯାହା ପ୍ରକୃତରେ ବାଉଁଶର ପରିଚୟ ଏବଂ ଏହା ପରେ ଆଜି ବାଉଁଶରେ ଏପରି ଭବ୍ୟ କୋଠା ନିର୍ମାଣ କରାଯାଇପାରିଲା । ଆଜି ଯଦି ଆପଣ ସୋସିଆଲ ମିଡିଆ ଦେଖିବେ, ତେବେ ସମଗ୍ର ବିଶ୍ୱରେ ଭାରତର ଏହି ବିମାନ ବନ୍ଦରର ନିର୍ମାଣ ଉପରେ ଚର୍ଚ୍ଚା ହେଉଛି ।
ବନ୍ଧୁଗଣ,
ଏହି ଭିତ୍ତିଭୂମି ବିକାଶ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଉଛି, ଯାହା ଭାରତର ବିକାଶ ଯାତ୍ରାର ପ୍ରମୁଖ ପରିଚୟ ପାଲଟିଛି । ଏହା ଶିଳ୍ପକୁ ପ୍ରୋତ୍ସହିତ କରେ । ନିବେଶକମାନଙ୍କୁ ସଂଯୋଗର ନିଶ୍ଚିତତା ପ୍ରଦାନ କରେ । ସ୍ଥାନୀୟ ଉତ୍ପାଦଗୁଡିକୁ ବିଶ୍ୱବ୍ୟାପୀ ରପ୍ତାନି କରିବା ପାଇଁ ପଥ ଉନ୍ମୁକ୍ତ କରିଥାଏ । ଏବଂ ସବୁଠାରୁ ବଡ ଆତ୍ମବିଶ୍ୱାସ ସେହି ଯୁବପିଢ଼ିଙ୍କୁ ମିଳିଥାଏ, ଯେଉଁମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଥାଏ । ତେଣୁ ଆଜି, ଆମେ ଆସାମକୁ ଅସୀମ ସମ୍ଭାବନାର ଏହି ଉଡ଼ାଣରେ ଆଗକୁ ବଢ଼ୁଥିବାର ଦେଖୁଛୁ ।
ବନ୍ଧୁଗଣ,
ଆଜି ଭାରତ ପ୍ରତି ବିଶ୍ୱର ଚିନ୍ତାଧାରା ବଦଳିଛି, ଏବଂ ଭାରତର ଭୂମିକା ମଧ୍ୟ ବଦଳିଯାଇଛି । ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି । ୧୧ ବର୍ଷ ମଧ୍ୟରେ ଏହା କିପରି ହେଲା?
ବନ୍ଧୁଗଣ,
ଏଥିରେ ଆଧୁନିକ ଭିତ୍ତିଭୂମି ବିକାଶର ଏଥିରେ ପ୍ରମୁଖ ଭୂମିକା ରହିଛି । ଭାରତ ୨୦୪୭ ମସିହା ପାଇଁ ପ୍ରସ୍ତୁତି କରୁଛି । ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ପୂରଣ କରିବା ପାଇଁ, ଆମେ ଭିତ୍ତିଭୂମି ଉପରେ ଧ୍ୟାନ ଦେଉଛୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ବିକାଶର ଏହି ଅଭିଯାନରେ ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ରର ଭାଗିଦାରୀ ରହିଛି । ଆମେ ପଛୁଆ ବର୍ଗଙ୍କୁ ପ୍ରାଥମିକତା ଦେଉଛୁ । ପ୍ରତ୍ୟେକ ରାଜ୍ୟ ଏକତ୍ର ପ୍ରଗତି କରିବା ଏବଂ ବିକଶିତ ଭାରତର ମିଶନରେ କିପରି ନିଜର ଯୋଗଦାନ ଦେଇପାରିବେ ସେ ଉପରେ କାର୍ଯ୍ୟ କରୁଛି । ଏବଂ ମୁଁ ଖୁସି ଯେ, ଆଜି ଆସାମ ଏବଂ ଉତ୍ତର-ପୂର୍ବ ଏହି ମିଶନର ନେତୃତ୍ୱ ନେଉଛନ୍ତି । ଆମେ ଆକ୍ଟ ଇଷ୍ଟ ନୀତି ମାଧ୍ୟମରେ ଉତ୍ତର-ପୂର୍ବକୁ ପ୍ରାଥମିକତା ଦେଇଥିଲୁ, ଏବଂ ଆଜି, ଆମେ ଆସାମକୁ ଭାରତର ପୂର୍ବ ପ୍ରବେଶ ଦ୍ୱାର ଭାବରେ ଉଭା ହେଉଥିବା ଦେଖୁଛୁ । ଆସାମ ଭାରତକୁ ଆସିଆନ ଦେଶଗୁଡ଼ିକ ସହିତ ସଂଯୋଗ କରୁଥିବା ଏକ ସେତୁ ଭାବରେ କାର୍ଯ୍ୟ କରୁଛି । ଏହି ପ୍ରାରମ୍ଭ ବହୁ ଆଗକୁ ବଢ଼ିବ । ଏବଂ ଆସାମ ଅନେକ କ୍ଷେତ୍ରରେ ବିକଶିତ ଭାରତର ଇଞ୍ଜିନ ହେବ ।
ଆଜି, ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ଭାରତ ବିକାଶର ଏକ ନୂତନ ପ୍ରବେଶ ପଥ ହେବାକୁ ଯାଉଛି । ବହୁ ମୋଡାଲ ସଂଯୋଗ ପ୍ରତି ପ୍ରତିବଦ୍ଧତା ଏହି ଅଞ୍ଚଳର ଦିଗ ଏବଂ ଅବସ୍ଥା ଉଭୟକୁ ପରିବର୍ତ୍ତନ କରିଛି । ଆସାମରେ ନୂତନ ସେତୁ ନିର୍ମାଣର ଗତି, ନୂତନ ମୋବାଇଲ ଟାୱାର ସ୍ଥାପନର ଗତି ଏବଂ ପ୍ରତ୍ୟେକ ବିକାଶ ପ୍ରକଳ୍ପର ଗତି ଇତ୍ୟାଦି ସ୍ୱପ୍ନ ବାସ୍ତବରେ ପରିଣତ ହେଉଛି । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ସେତୁଗୁଡିକ ଆସାମର ସଂଯୋଗୀକରଣକୁ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଛି । ସ୍ୱାଧୀନତାର ଛଅରୁ ସାତ ଦଶନ୍ଧି ମଧ୍ୟରେ, ଏଠାରେ ମାତ୍ର ତିନିଟି ବଡ ସେତୁ ନିର୍ମିତ ହୋଇପାରିଥିଲା । କିନ୍ତୁ ଗତ ଏକ ଦଶକ ମଧ୍ୟରେ ଚାରୋଟି ନୂତନ ମେଗା ସେତୁ ନିର୍ମାଣ ସରିଛି ଏବଂ ଅନେକ ଐତିହାସିକ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ବୋଗିବିଲ ଏବଂ ଧୋଲା-ସାଦିଆ ଭଳି ଦୀର୍ଘତମ ସେତୁ ଆସାମର ରଣନୈତିକ ସ୍ଥିତିକୁ ଆହୁରି ମଜବୁତ କରିଛି । ରେଳ ସଂଯୋଗୀକରଣ ମଧ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି । ବୋଗିବିଲ ସେତୁ ଖୋଲିବା ଦ୍ୱାରା ଉପର ଆସାମ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ଦୂରତା ହ୍ରାସ ପାଇଛି । ଗୌହାଟୀରୁ ନୁ୍ୟ ଜଲପାଇଗୁଡି ପର୍ଯ୍ୟନ୍ତ ଚଳାଚଳ କରୁଥିବା ବନେ୍ଦ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ହ୍ରାସ ପାଇଛି । ଦେଶରେ ଜଳପଥ ବିକାଶରୁ ଆସାମ ମଧ୍ୟ ଲାଭବାନ ହେଉଛି । ମାଲ ପରିବହନ ୧୪୦ ପ୍ରତିଶତ ବୃଦ୍ଧି ପାଇଛି, ଯାହା ପ୍ରମାଣିତ କରୁଛି ଯେ, ବ୍ରହ୍ମପୁତ୍ର କେବଳ ଏକ ନଦୀ ନୁହେଁ, ବରଂ ଏକ ଆର୍ଥିକ ଶକ୍ତିର ଉତ୍ସ । ପାଣ୍ଡୁରେ ପ୍ରଥମ ଜାହାଜ ମରାମତି ସୁବିଧା ବିକଶିତ ହେଉଛି, ବାରଣାସୀରୁ ଦିବ୍ରୁଗଡ଼ ପର୍ଯ୍ୟନ୍ତ ଗଙ୍ଗା ବିକାଶ କ୍ରୁଜ ବିଷୟରେ ସମସ୍ତେ ଉତ୍ସାହିତ ଅଛନ୍ତି, ଯାହା ଉତ୍ତରପୂର୍ବକୁ ବିଶ୍ୱ କ୍ରୁଜ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଛି ।
ବନ୍ଧୁଗଣ,
କଂଗ୍ରେସ ସରକାର ଆସାମ ଏବଂ ଉତ୍ତର ପୂର୍ବକୁ ବିକାଶରୁ ଦୂରରେ ରଖିବାର ଯେଉଁ ପାପ କରିଥିଲା, ଏହା ଦ୍ୱାରା ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତାକୁ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । କଂଗ୍ରେସ ସରକାର ଅଧୀନରେ ଦଶନ୍ଧି ଧରି ହିଂସାର ଯୁଗ ବୃଦ୍ଧି ପାଇଥିଲା, ଆମେ ମାତ୍ର ୧୦-୧୧ ବର୍ଷ ମଧ୍ୟରେ ଏହାକୁ ଶେଷ କରିବା ଦିଗରେ ଅଗ୍ରସର ହେଉଛୁ । ଉତ୍ତର ପୂର୍ବରେ ପ୍ରଥମେ ଯେଉଁଠି ହିଂସା ଏବଂ ରକ୍ତପାତ ହେଉଥିଲା, ଆଜି ସେଠାରେ ୪ଜି ଏବଂ ୫ଜି ଟେକ୍ନୋଲୋଜି ଯୋଗୁଁ ଡିଜିଟାଲ୍ ସଂଯୋଗୀକରଣ ହୋଇପାରିଛି । ଯେଉଁ ଜିଲ୍ଲାଗୁଡ଼ିକ ଦିନେ ହିଂସାଗ୍ରସ୍ତ ବୋଲି ମନେ ହେଉଥିଲା, ଆଜି ସେଗୁଡିକ ଆକାଂକ୍ଷିତ ଜିଲ୍ଲା ଭାବରେ ବିକଶିତ ହେଉଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳ ଇଣ୍ଡଷ୍ଟି୍ରଆଲ୍ କରିଡରରେ ମଧ୍ୟ ପରିଣତ ହେବ । ତେଣୁ ଆଜି ଉତ୍ତର ପୂର୍ବାଞ୍ଚଳକୁ ନେଇ ଏକ ନୂଆ ଆଶା ଦେଖାଦେଇଛି । ଆମକୁ ଏହାକୁ ଆହୁରି ମଜବୁତ କରିବାକୁ ହେବ ।
ବନ୍ଧୁଗଣ,
ଆମେ ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ କରିବାରେ ମଧ୍ୟ ସଫଳ ହେଉଛୁ କାରଣ ଆମେ ଏହି ଅଞ୍ଚଳର ପରିଚୟ ଏବଂ ସଂସ୍କୃତିକୁ ସୁରକ୍ଷା ଦେଉଛୁ । କଂଗ୍ରେସ ଆଉ ଏକ ପାପ କରିଥିଲା, ଏହି ଅଞ୍ଚଳର ପରିଚୟକୁ ଲିଭାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲା । ଆଉ ଏହି ଷଡ଼ଯନ୍ତ୍ର କେବଳ କିଛି ବର୍ଷର ନୁହେଁ! କଂଗ୍ରେସର ଏହି ପାପର ଚେର ସ୍ୱାଧୀନତା ପୂର୍ବରୁ ରହିଛି । ସେହି ସମୟରେ, ଯେତେବେଳେ ମୁସିଲମ ଲିଗ ଏବଂ ଇଂରେଜ ସରକାର ମିଳିତ ଭାବରେ ଭାରତର ବିଭାଜନର ଯୋଜନା କରୁଥିଲେ, ସେତେବେଳେ ଆସାମକୁ ମଧ୍ୟ ଅବିଭାଜିତ ବଙ୍ଗଳାର, ଅର୍ଥାତ୍ ପଶ୍ଚିମ ପାକିସ୍ତାନର ଅଂଶ କରିବାକୁ ଯୋଜନା କରାଯାଇଥିଲା । କଂଗ୍ରେସ ଏହି ଷଡ଼ଯନ୍ତ୍ରର ଅଂଶ ହେବାକୁ ଯାଉଥିଲା । ସେତେବେଳେ ବୋରଦୋଲୋଇ ଜୀ ନିଜ ଦଳ ବିରୁଦ୍ଧରେ ଠିଆ ହୋଇଥିଲେ । ସେ ଆସାମର ପରିଚୟକୁ ନଷ୍ଟ କରିବାର ଏହି ଷଡ଼ଯନ୍ତ୍ରର ବିରୋଧ କରିଥିଲେ । ଏବଂ ଆସାମକୁ ଦେଶରୁ ଅଲଗା ହେବାରୁ ରକ୍ଷା କରିଥିଲେ । ବିଜେପି ଦଳ, ସର୍ବଦା ଦଳୀୟ ସୀମା ଅତିକ୍ରମ କରି ଦେଶପ୍ରେମୀମାନଙ୍କୁ ସମ୍ମାନ କରିଥାଏ । ଅଟଳ ଜୀଙ୍କ ନେତୃତ୍ୱରେ ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର କ୍ଷମତାକୁ ଆସିଥିଲା, ସେତେବେଳେ ବୋରଦୋଲୋଇଙ୍କୁ ଭାରତ ରତ୍ନ ଦିଆଯାଇଥିଲା ।
ଭାଇ ଓ ଭଉଣୀମାନେ,
ବୋରଦୋଲୋଇ ଜୀ ସ୍ୱାଧୀନତା ପୂର୍ବରୁ ତ ଆସାମକୁ ରକ୍ଷା କରିଥିଲେ, କିନ୍ତୁ ତାଙ୍କ ପରେ କଂଗ୍ରେସ ପୁଣି ଥରେ ଆସାମ ବିରୋଧୀ ଏବଂ ଦେଶବିରୋଧୀ କାମ ଆରମ୍ଭ କରିଦେଇଥିଲା । କଂଗ୍ରେସ ନିଜ ଭୋଟ ବ୍ୟାଙ୍କ ବଢ଼ାଇବାକୁ ସମ୍ପ୍ରଦାୟ ତୁଷ୍ଟିକରଣର ଷଡ଼ଯନ୍ତ୍ର କରିଛି । ବଙ୍ଗଳା ଓ ଆସାମରେ ଭୋଟବ୍ୟାଙ୍କଭାବେ ଅନୁପ୍ରବେଶକାରୀଙ୍କୁ ଖୋଲା ସୁବିଧା ଦିଆଯାଇଛି । ଏଠାକାର ଭୌଗୋଳିକ ଚିତ୍ରକୁ ବଦଳାଇ ଦିଆଯାଇଛି । ଏହି ଅନୁପ୍ରବେଶକାରୀମାନେ ଆମର ଜଙ୍ଗଲ ଉପରେ କବଜା କରିଛନ୍ତି, ଆମର ଜମିକୁ କବଜା କରିଛନ୍ତି । ଏହାର ଫଳ ଏହା ହୋଇଛି କି ସମ୍ପୂର୍ଣ୍ଣ ଆସାମର ସୁରକ୍ଷା ଓ ପରିଚୟ ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଛି ।
ବନ୍ଧୁଗଣ,
ଆଜି ହିମନ୍ତ ଜୀଙ୍କ ସରକାର ଏବଂ ତାଙ୍କ ଟିମର ସମସ୍ତ ସାଥୀ ବହୁତ ପରିଶ୍ରମରେ ଆସାମର ସମ୍ବଳକୁ ଏହି ବେଆଇନ ଓ ଦେଶବିରୋଧୀ ଅତିକ୍ରମଣରୁ ମୁକ୍ତ କରୁଛନ୍ତି । ଆସାମର ସମ୍ବଳ, ଆସାମର ଜନସାଧାରଣଙ୍କ କାମରେ ଆସୁ, ଏଥିପାଇଁ ପ୍ରତ୍ୟେକ ସ୍ତରରେ କାମ ହେଉଛି । କେନ୍ଦ୍ର ସରକାର ମଧ୍ୟ ଅନୁପ୍ରବେଶ ରୋକିବାକୁ କଠୋର ହୋଇଛନ୍ତି । ବେଆଇନ ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ସେମାନଙ୍କୁ ଚିହ୍ନଟ କରିବା କାମ ମଧ୍ୟ ଚାଲିଛି ।
କିନ୍ତୁ ଭାଇ ଭଉଣୀ ମାନେ,
କଂଗ୍ରେସ ପାର୍ଟି ଏବଂ ଇଣ୍ଡି ମେଣ୍ଟର ଲୋକମାନେ ଖୋଲାଖୋଲି ଦେଶବିରୋଧୀ ଆଜେଣ୍ଡାରେ କାମ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ଦେଶର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଲୋଚନା ହୋଇଛି । କିନ୍ତୁ ଏହି ଲୋକମାନେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ବୟାନବାଜୀ କରୁଛନ୍ତି । ସେମାନଙ୍କ ଓକିଲ ଅନୁପ୍ରବେଶକାରୀଙ୍କୁ ଥଇଥାନ କରିବାକୁ ଯୁକ୍ତି କରୁଛନ୍ତି । ନିର୍ବାଚନ ଆୟୋଗ ନିରପେକ୍ଷ ନିର୍ବାଚନ କରାଇବାକୁ ଏସଆଇଆର ପ୍ରକ୍ରିୟା କରୁଛନ୍ତି, କିନ୍ତୁ ଏହି ଲୋକମାନଙ୍କୁ ଦେଶର ପ୍ରତ୍ୟେକ କୋଣରେ ବାଧୁଛି । ଏଭଳି ଲୋକମାନେ, ଆସାମର ଭାଇଭଉଣୀଙ୍କୁ ହିତକୁ ସୁରକ୍ଷା ଦେବେନାହିଁ । ଏହି ଲୋକମାନେ ଆପଣମାନଙ୍କ ଜଙ୍ଗଲ ଓ ଜମିକୁ ଅନ୍ୟମାନଙ୍କ ଦ୍ୱାରା କବଜା ହେବାକୁ ଦେବେ, ଏମାନଙ୍କ ଦେଶବିରୋଧୀ ମାନସିକତା ପୁରୁଣା ଦିନର ଅଶାନ୍ତି ଓ ହିଂସା ଜନକ ସ୍ଥିତି ସୃଷ୍ଟି କରିପାରେ । ଏବଂ ଏଥିପାଇଁ ଆସାମର, ମୋର ଭାଇଭଉଣୀମାନେ ବହୁତ ସାମଧାନ ରହିବାକୁ ପଡ଼ିବ । ଯେଉଁ ଆସାମର ଅସ୍ମିତା ପାଇଁ ବୋରଦୋଲୋଇ ଜୀ ଙ୍କ ଭଳି ଲୋକ ଜୀବନବ୍ୟାପୀ ନିଜର ସବୁ କିଛି ଉତ୍ସର୍ଗ କରିଦେଇଥିଲେ,ଆମକୁ ତାହାର ରକ୍ଷା କରିବକୁ ପଡ଼ିବ । ଆସାମର ଲୋକମାନଙ୍କୁ ଏକଜୁଟ ରହିବାକୁ ପଡ଼ିବ । ଆମକୁ ଆସାମର ବିକାଶକୁ ଲାଇନଚୁ୍ୟତ ହେବାରୁ ବଂଚାଇବାକୁ ପଡ଼ିବ, କଂଗ୍ରେସର ଷଡ଼ଯନ୍ତ୍ରକୁ ପ୍ରତି ମୁହୂର୍ତ୍ତରେ, ପ୍ରତି ସ୍ତରରେ ବିଫଳ କରିବାକୁ ପଡ଼ିବ ।
ବନ୍ଧୁଗଣ,
ଆଜି ଦୁନିଆ ଭାରତକୁ ଆଶାର ସହ ଦେଖୁଛି । ଭାରତର ଭବିଷ୍ୟର ନୂତନ ସୂର୍ଯେ୍ୟାଦୟ ପୂର୍ବାଞ୍ଚଳରୁ ହିଁ ହେବ । ଏଥିପାଇଁ ଆମକୁ ମିଳିମିଶି ଆମର ସ୍ୱପ୍ନ ପାଇଁ କାମ କରିବାକୁ ପଡ଼ିବ । ଆମକୁ ଆସାମର ବିକାଶକୁ ସର୍ବାଗ୍ରେ ରଖି ଚାଲିବାକୁ ପଡ଼ିବ । ମୋର ବିଶ୍ୱାସ ଅଛି, ଆମର ଏହି ସାମୁହିକ ପ୍ରୟାସ ଆସାମକୁ ନୂତନ ଶୀର୍ଷତାକୁ ନେଇଯିବ । ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା । ଏବଂ ବିକଶିତ ଭାରତକୁ ବିକଶିତ ଆସାମରୁ ରାସ୍ତା ନିର୍ମାଣ ହେବ । ଏହି କାମନା କରି ମୁଁ ପୁଣି ଥରେ ନୂତନ ଟର୍ମିନଲ ପାଇଁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋ ସହ କୁହନ୍ତୁ-
ବନେ୍ଦ ମାତରମ୍ ।
ବନେ୍ଦ ମାତରମ୍
ବନେ୍ଦ ମାତରମ୍ ।
ବନେ୍ଦ ମାତରମ୍ ।
ବନେ୍ଦ ମାତରମ୍ ।
ବନେ୍ଦ ମାତରମ୍ ।
ବନେ୍ଦ ମାତରମ୍ ।
SR
The new terminal building of Lokapriya Gopinath Bardoloi International Airport will boost connectivity, commerce and tourism across Assam and entire Northeast.
— Narendra Modi (@narendramodi) December 20, 2025
https://t.co/jRJdcJIOSB
Modern airports and advanced connectivity infrastructure serve as gateways to new possibilities and new opportunities for any state. pic.twitter.com/E7fs1kgCQK
— PMO India (@PMOIndia) December 20, 2025
Today, Assam and the entire North East are emerging as the new gateway to India's development. pic.twitter.com/6IR2FaTi5x
— PMO India (@PMOIndia) December 20, 2025
The North East will lead India's future growth. pic.twitter.com/1uURYScmQc
— PMO India (@PMOIndia) December 20, 2025