ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ବାରିପଦା ଗସ୍ତ କରିଥିଲେ ।
ସେ ଫଳକ ଉନ୍ମୋଚନ ପୂର୍ବକ ରସିକରାୟ ମନ୍ଦିର ଓ ପ୍ରାଚୀନ ହରିପୁରଗଡ଼ ଦୁର୍ଗର ପ୍ରତ୍ନତାତ୍ୱିକ ଖନନ ଢାଂଚାର ସଂରକ୍ଷଣ, ସୌନ୍ଦର୍ଯ୍ୟବର୍ଦ୍ଧନ ତଥା ବିକାଶ କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ ।
ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଧାରଶିଳା ରଖିଥିଲେ ।
ଆଇଓସିଏଲ ଦ୍ୱାରା ନିର୍ମିତ ପାରଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସେ ସମର୍ପିତ କରିଥିଲେ । ସେ 6ଟି ପାସପୋର୍ଟ ସେବା କେନ୍ଦ୍ର ଏବଂ ବାଲେଶ୍ୱରଠାରେ ବହୁମୁଖୀ ଲଜିଷ୍ଟିକ ପାର୍କର ଉଦଘାଟନ କରିଥିଲେ ।
ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଜି ଉଦଘାଟିତ ତଥା ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 4 ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ କରାଯିବ ।
ସେ କହିଥିଲେ ଯେ, କେନ୍ଦ୍ର ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିବ ।
ସେ କହିଥିଲେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲପିଜି ପାଇନଲାଇନ ଦ୍ୱାରା ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳକୁ ସହଜରେ ଏଲପିଜି ଯୋଗାଣ ସମ୍ଭବ ହେବ, ଯାହା ପରିବହନ ଖର୍ଚ୍ଚ ଏବଂ ସମୟ ସଂଚୟ କରିବ ।
ଏକବିଂଶ ଶତାବ୍ଦୀରେ ଯୋଗାଯୋଗର ମହତ୍ୱ ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ଯୋଗାଯୋଗ ବ୍ୟବସ୍ଥାର ସୃଷ୍ଟି ପାଇଁ ଅଭୂତପୂର୍ବ ନିବେଶ କରାଯାଉଛି । ସେ କହିଥିଲେ ଯେ ସଡ଼କ, ରେଳ ଏବଂ ବିମାନ ଯୋଗାଯୋଗ, ବିଶେଷ କରି ଓଡ଼ିଶାର ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ସେ କହିଥିଲେ ପରିବର୍ଦ୍ଧିତ ରେଳ ଯୋଗାଯୋଗ ଦ୍ୱାରା ଲୋକମାନଙ୍କ ଯାତାୟାତ ସୁବିଧାଜନକ ହେବ ଏବଂ ଉଦ୍ୟୋଗ ନିକଟକୁ ଖଣିଜ ସମ୍ପଦ ଆହୁରି ଶୀଘ୍ର ଉପଲବ୍ଧ ହୋଇପାରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ଦ୍ଧିତ ଭିତ୍ତିଭୂମିର ସର୍ବାଧିକ ଲାଭ ଦେଶର ମଧ୍ୟମ ବର୍ଗ ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମିଳିପାରିବ । ସେ କହିଥିଲେ ଆଧୁନିକ ସଡ଼କ, ସ୍ୱଚ୍ଛ ରେଳ ଏବଂ ମିତବ୍ୟୟୀ ବିମାନ ଯାତ୍ରା, ଆଦି ମଧ୍ୟମ ବର୍ଗର ସହଜ ଜୀବନଧାରଣରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ସାଢ଼େ ଚାରିବର୍ଷରେ ପାସପୋର୍ଟ ହାସଲ ପାଇଁ ଲୋକମାନଙ୍କ ଅସୁବିଧା ଦୂର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରିଆସୁଛନ୍ତି । ସେ କହିଥିଲେ ଯେ ଆଜି 6ଟି ପାସପୋର୍ଟ ସେବା କେନ୍ଦ୍ର ଉଦଘାଟିତ ହେବା ଏ ଦିଗରେ ଏକ ପଦକ୍ଷେପ । ଏହା “ସହଜ ଜୀବନଧାରଣ” ଦିଗରେ ଏକ ପ୍ରୟାସ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ସେ କହିଥିଲେ ବିଶ୍ୱାସ, ଆଧ୍ୟାତ୍ମିକତା ଏବଂ ଇତିହାସ ସହ ଜଡ଼ିତ ସ୍ଥାନ, ଯୋଗ ଏବଂ ଆୟୁର୍ବେଦର ଜ୍ଞାନ ଆଦିକୁ ସକ୍ରିୟ ଭାବେ ପ୍ରସାରିତ ଏବଂ ପ୍ରୋତ୍ସାହିତ କରାଯାଉଛି । ଏହି ପରିପ୍ରେକ୍ଷୀରେ, ସେ ଆଜି ଆରମ୍ଭ କରାଯାଇଥିବା ରସିକରାୟ ମନ୍ଦିର ଏବଂ ପ୍ରାଚୀନ ହରିପୁରଗଡ଼ ଦୁର୍ଗ ଖନନ ଢାଂଚା ସଂରକ୍ଷଣ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ । ସରକାରଙ୍କ ଦ୍ୱାରା ଏପରି ପଦକ୍ଷେପ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଛି ବୋଲି ସେ କହିଥିଲେ ।