ପିଏମଇଣ୍ଡିଆ
ପ୍ରିୟ ଭାଇ ଓ ଭଉଣୀମାନେ,
ମୁଁ ସର୍ବପ୍ରଥମେ ସେଇ ସାତ ଋଷିଙ୍କୁ ନମସ୍କାର କରୁଛି, ଶିକ୍ଷକ ତ ଅନେକ ଅଛନ୍ତି । ଉତ୍ତମ ଶିକ୍ଷକ ବି ଅଛନ୍ତି । ଭଲ ଶିକ୍ଷକ ବି ଅଛନ୍ତି । ସମର୍ପିତ ଶିକ୍ଷକ ବି ଅଛନ୍ତି । କିନ୍ତୁ ସମ୍ଭବତଃ ଇତିହାସରେ ଅମର ଶିକ୍ଷକ ଶଦ୍ଦ ପ୍ରୟୋଗ କଲାବେଳେ ଏଇ ସପ୍ତର୍ଷିଙ୍କ ନାମକୁ ଅବଶ୍ୟ ଉଚ୍ଚାରଣ କରିବାକୁ ପଡିବ । ଏଭଳି ଶିକ୍ଷକ ୧୦୦ ବର୍ଷ ପରେ ଆଜି ବି ବର୍ତ୍ତମାନର ପିଢ଼ିଙ୍କୁ ପଢ଼ାଉଛନ୍ତି, ଶିକ୍ଷିତ କରୁଛନ୍ତି । ସମ୍ଭବତଃ ଇତିହାସରେ କେଉଁଠାରେ ବି ଏପରି ଦୁର୍ଲ୍ଲଭ ଘଟଣା ଶୁଣିବାର ସୌଭାଗ୍ୟ ମିଳିବ ନାହିଁ, ଯାହା ସହ କେଏଲଇ ସୋସାଇଟି ଦ୍ୱାରା ସିଦ୍ଧ ହୋଇଛି ।
ମୁଁ ଲକ୍ଷ୍ୟ କରୁଛି ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବକ ବସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସେଇ ସପ୍ତଋଷିଙ୍କ ତପସ୍ୟାର ପରିଣାମ । ଲୋକମାନ୍ୟ ତିଲକଜୀଙ୍କଠାରୁ ସେମାନେ ପ୍ରେରଣା ଲାଭ କରିଥିଲେ । ସନ୍ଥ ବସବେଶ୍ଵରଜୀ ସାମାଜିକ ବିପ୍ଳବର ଯେଉଁ ବିଗୁଲ ବଜାଇଥିଲେ, ସେଇ ସାମାଜିକ ଆନ୍ଦୋଳନକୁ ଶିକ୍ଷା ମାଧ୍ୟମରେ ପ୍ରତ୍ୟେକ ଜନତାଙ୍କ ନିକଟରେ ପହଂଚାଇବା କେବଳ ସେମାନଙ୍କ କର୍ତ୍ତବ୍ୟ ନଥିଲା । ବରଂ ପିଢ଼ିପରେ ପିଢ଼ିଙ୍କ ନିକଟରେ ଏହା ପହଂଚାଇବାରେ ସେମାନେ ଭଗୀରଥର ଦାୟିତ୍ଵ ସମ୍ପାଦନ କରିଥିଲେ । ୧୦୦ ବର୍ଷ ପୂର୍ବେ ଏହି ଭୂମିରେ ଏଭଳି କାର୍ଯ୍ୟ ସଂପନ୍ନ ହୋଇଥିଲା । ସମଗ୍ର ଦେଶ ଲାଗି, ଶିକ୍ଷାରେ ବିଶ୍ଵାସ ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସକାଶେ ଏହା ଗର୍ବ ଓ ଗୌରବର କଥା ।
ସଂସ୍ଥାମାନ ଗଢ଼ାଯାଏ, ସେସବୁ ବିଗିଡେ, ବନ୍ଦ ବି ହୋଇଯାଏ । କିନ୍ତୁ ଆପଣମାନେ କଳ୍ପନା କରନ୍ତୁ ଏଇ ସାତଜଣ ଋଷି ସେଥିରେ କି ପ୍ରକାର ସାମର୍ଥ୍ୟ ମିଶାଇଥିଲେ ଯେ ଆଜି ୧୦୦ ବର୍ଷ ପରେ ସୁଦ୍ଧା ଏ ବୃକ୍ଷରୂପୀ ଅନୁଷ୍ଠାନରେ ଫଳ ଫଳୁଛି, ଫୁଲ ଫୁଟୁଛି ଏବଂ ସାରା ଦେଶକୁ ପ୍ରେରଣା ଯୋଗାଇ ଆସୁଛି ।
ଆଜି ସାରା ସଂସାରର କୋଣ ଅନୁକୋଣରେ କେହି ନା କେହି ତ ଥିବେ ଯିଏ କହିବେ ଯେ ମୁଁ କେଏଲଇର ବିଦ୍ୟାର୍ଥୀ ଥିଲି । ଦୁନିଆର ଯେ କୌଣସି ସ୍ଥାନରେ ଇଣ୍ଟରଭ୍ୟୁ ହେଉନା କାହିଁକି, ଚାକିରୀ ଲାଗି ପଚରାଉଚରା ଚାଲିଥାଉ ନା କାହିଁକି, ଯେତେବେଳେ ସେ କିଛି କହୁଥିବ, ସବୁ ସାର୍ଟିଫିକେଟ ଦେଖାଉଥିବ, ନିଜର ମାର୍କ୍ସ ଦେଖାଉଥିବ, କିନ୍ତୁ ଯେତେବେଳେ ସେ କହୁଥିବ ଯେ, ସାବ, ଏସବୁ ତ ଠିକ ଅଛି । ଏ ହେଲା ଗୁଣାଙ୍କ, ଇଏ ହେଲା ମାର୍କ୍ସ, ଏଇ ଗ୍ରେଡ ନେଇ ପାସ କରିଛି । ହେଲେ ସବୁଠୁ ବଡ କଥା ହେଲା ମୁଁ କେଏଲଇର ବିଦ୍ୟାର୍ଥୀ ଏବଂ ସେଇ ମୁହୂର୍ତ୍ତରେ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ବି ଦେଖୁଥିବେ ଯେ, ଆଚ୍ଛା, କେଏଲଇ ! ଆରେ ଭାଇ, ଆସ, ଆସ ।
୧୦୦ ବର୍ଷ ଧରି କାହିଁ କେତେ ପିଢ଼ି ତପସ୍ୟା କରିଥିବେ । କେତେ କେତେ ଲୋକଙ୍କ ଯୋଗଦାନ ରହିଥିବ । ତା’ ପରେ ଯାଇ ଏପରି ଏକ ପ୍ରାଣବନ୍ତ ବ୍ୟବସ୍ଥାର ଜନ୍ମ ହୋଇଥିବ ଏବଂ ତାହା ଆଜି ପର୍ଯ୍ୟନ୍ତ ଚାଲିଆସୁଛି ।
ଆଜି ଯେତେବେଳେ ଦେଶରେ ବ୍ୟବସାୟିକରଣର ଚର୍ଚ୍ଚା ହେଉଛି । ବଡ ବଡ ଲୋକ ବି ବେଳେ ବେଳେ ମନ ବଳାଉଛନ୍ତି ଯେ ବିଦ୍ୟା ବ୍ୟାପାରରେ ଯୋଡିହୋଇ କିଛି ମୁନାଫା ସେମାନଙ୍କୁ ବି ମିଳିଯିବ । ଏଇଭଳି ଲୋକଙ୍କ ପାଇଁ ମହାଶିକ୍ଷା ହେଉଛନ୍ତି ସେଇ ସପ୍ତଋଷି । ୧୦୦ ବର୍ଷ ପୂର୍ବେ ସେମାନଙ୍କ ବେତନ କେତେ ହୋଇଥିବ, ଶିକ୍ଷକଙ୍କ ଦରମା ପ୍ରାୟ ୩୦ ଟଙ୍କା, ୩୫ ଟଙ୍କା, ୫୦ ଟଙ୍କା ଥିବ । ୧୦୦ ବର୍ଷ ପୂର୍ବେ ଯାହାଙ୍କର ବେତନ ୩୦, ୩୫ ବା ୫୦ ଟଙ୍କା ଥିଲା । ସେମାନେ ସମାଜ ପାଇଁ ଏତେ ବଡ ଯୋଗଦାନ ଦେଇ ଯାଇଛନ୍ତି । ଶିକ୍ଷା କ୍ଷେତ୍ରରେ ସେବା କରିବାକୁ ଚାହୁଁଥିବା ଲୋକଙ୍କ ସକାଶେ ସେମାନେ ଏକ ଆଲୋକବର୍ତ୍ତିକା, ପ୍ରେରଣା ହୋଇପାରିଛନ୍ତି ।
ଭାଇ ଓ ଭଉଣୀମାନେ, ରାଜନୈତିକ ଦଳମାନେ ବି ୧୦୦ ବର୍ଷ ଚାଲିପାରୁନାହାନ୍ତି । କେତେ କେତେ ଭାଗରେ ବିଭାଜିତ ହୋଇଯାଉଛନ୍ତି, ପରିବାର ବି ତିଷ୍ଠି ପାରୁନାହିଁ । ଆପଣମାନେ କଳ୍ପନା କରିପାରୁଛନ୍ତି ଯେ ୧୦୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସଂସ୍ଥା ଚାଲିବା, କ୍ରମାଗତ ଭାବେ ଉନ୍ନତି ଓ ପ୍ରଗତି କରିଚାଲିବା, ଲୋକତାନ୍ତ୍ରିକ ପଦ୍ଧତିରେ ଏହାକୁ ପରିଚାଳିତ କରାଯିବା ଏବଂ ଜନସାଧାରଣଙ୍କ ଅର୍ଥରେ ଏହାକୁ ଆଗକୁ ବଢ଼ାଇନେବା, ଏହାର ପ୍ରାକ୍ତନ ଛାତ୍ରମାନଙ୍କ ସହାୟତାରେ ଏହାକୁ ଅଗ୍ରସର କରାଇବା , ଏହା ନିଜସ୍ଵ ଢ଼ଙ୍ଗରେ ସାରା ଦେଶଲାଗି ବହୁତ ବଡ ଆଲୋକବର୍ତ୍ତିକା ।
ମୁଁ ବିଶେଷ କରି ଦିଲ୍ଲୀରେ ଥିବା ଆମର ବିଦ୍ୱାନ ମିତ୍ରମାନଙ୍କୁ, ମିଡିଆବାଲାଙ୍କୁ, ସେମାନଙ୍କୁ ମୁଁ ଆଜି ସର୍ବସମକ୍ଷରେ ନିବେଦନ କରିବାକୁ ଚାହେଁ ଯେ କୌଣସି ବ୍ୟକ୍ତିଙ୍କୁ ଯେତେବେଳେ ୬୦ ବର୍ଷ ଆୟୁ ହୋଇଯାଏ, ତାଙ୍କ ବିଷୟରେ ଖବର କାଗଜରେ ବହୁତ ବଢ଼ିଆ ନିବନ୍ଧମାନ ପ୍ରକାଶ ପାଏ । କୌଣସି ସରକାର କ୍ଷମତାରେ ୧୦୦ ଦିନ ପୂରଣ କଲେ, ତା ସମ୍ପର୍କରେ ଖବରକାଗଜମାନେ ବଢ଼ିଆ ବଢ଼ିଆ ପ୍ରବନ୍ଧ ସବୁ ଛାପନ୍ତି । କୌଣସି ବ୍ୟକ୍ତିଙ୍କୁ ୭୫ ବର୍ଷ ବୟସ ହୋଇଗଲେ, ତାଙ୍କର ଚାରିଆଡେ, ଜୟ ଜୟକାର ହୁଏ । ଏଇ ସପ୍ତଋଷିମାନେ ଯେଉଁ କାମ କରିଛନ୍ତି, ସାରା ଭାରତର ଗଣମାଧ୍ୟମ, ଏଇ ଶତାଦ୍ଦୀ ବର୍ଷରେ ସେମାନଙ୍କ ବିଷୟରେ କିଛି ଲେଖିବା ଦରକାର । ତା ହେଲେ ଦେଶର ସେମାନଙ୍କ ଅବଦାନ ବିଷୟରେ ଜାଣିପାରିବ । ଏହା ଏଇଥିଲାଗି ଚାଲିବା ଦରକାର ଯେ ଦେଶର ଭିନ୍ନଭିନ୍ନ କୋଣ ଅନୁକୋଣରେ ଶିକ୍ଷା ପାଇଁ ଯେଉଁ ସମର୍ପିତ ବ୍ୟକ୍ତି ବିଶେଷ ଅଛନ୍ତି, ସମାଜ ପ୍ରତି ସମର୍ପିତ ଲୋକ ଅଛନ୍ତି, ସେଭଳି ଲୋକଙ୍କୁ ଏମାନଙ୍କ ଠାରୁ ପ୍ରେରଣା ମିଳିଥାଏ, ଶକ୍ତି ମିଳିଥାଏ ଏବଂ ଦେଶର ଅନ୍ୟ କୋଣ ଅନୁକୋଣରେ ଏଭଳି ଆଉ ଏକ ଆନ୍ଦୋଳନ ମୁଣ୍ଡ ଟେକିପାରେ ।
ଭାଇ ଓ ଭଉଣୀମାନେ, ଯେତେବେଳେ ସ୍ଵାଧୀନତା ଆନ୍ଦୋଳନ ଚାଲିଥିଲା, ସେତେବେଳେ ମହାତ୍ମାଗାନ୍ଧୀ ବି ସ୍ଵତନ୍ତ୍ରତା ସେନାନୀ ପ୍ରସ୍ତୁତ କରିବା ସକାଶେ ଗୁଜରାଟ ବିଦ୍ୟାପୀଠ ନାମରେ ଏକ ଶିକ୍ଷା ସଂସ୍ଥାକୁ ଜନ୍ମ ଦେଇଥିଲେ । ଲୋକମାନ୍ୟ ତିଲକଜୀ ସ୍ଵତନ୍ତ୍ରତା ସେନାନୀ ପ୍ରସ୍ତୁତ କରିବା ଲାଗି ଏବଂ ରାଷ୍ଟ୍ରକୁ ନିଜ ଶକ୍ତି ଆଧାରରେ ଠିଆ କରାଇବା ଲାଗି ଶିକ୍ଷା ଉପରେ ଜୋର ଦେଇଥିଲେ । ଏକବିଂଶ ଶତାଦ୍ଦୀରେ ବି ଭାରତକୁ ବିଶ୍ଵରେ ଯଦି ନିଜର ଲୌହ ପରି ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ପଡେ, ତେବେ ଆମର ଯୁବପିଢ଼ି, ସେମାନଙ୍କ କୌଶଳ, ସେମାନଙ୍କ ଶିକ୍ଷା, ଏହା ହିଁ ସେ କାର୍ଯ୍ୟ ସାକାର କରିପାରିବ ।
ଭାଇ ଓ ଭଉଣୀମାନେ, ଗୋଟିଏ ସମୟ ଥିଲା ଯେତେବେଳେ ଭାରତର ପରିଚୟ ସାରା ବିଶ୍ଵରେ କଣ ଥିଲା । ଏମାନେ ତ ସାପ-ସାପୁଆ ଲୋକ, ଏମାନେ ତ ଯାଦୁ-ମନ୍ତ୍ର କରୁଥିବା ଲୋକ । ସାପ ଓ ମୂଷାକୁ ଡେଇଁ ଏମାନଙ୍କର କୌଣସି ଜ୍ଞାନ ନଥିଲା । ଦୁନିଆଁରେ ଭାରତର ଏଇ ପରିଚୟ ଥିଲା । କିନ୍ତୁ କିଛି ବର୍ଷ ପୂର୍ବେ, ପୂର୍ବରୁ ଭାରତର ୧୮-୨୦ ବର୍ଷର ଯୁବକ ଯେତେବେଳେ କମ୍ଫ୍ୟୁଟର କି-ବୋର୍ଡ ଉପରେ ନିଜର ଅଙ୍ଗୁଳି ଚାଳନା ଆରମ୍ଭ କଲେ, ସାରା ସଂସାର ଘୁରିବାକୁ ଲାଗିଲା । ଚିନ୍ତାଧାରା ବଦଳିବାକୁ ବାଧ୍ୟ କଲା । ବିଶ୍ଵକୁ ସ୍ଵୀକାର କରିବାକୁ ପଡିଲା ଯେ ଭାରତ ନିକଟରେ ଅଦ୍ଭୁତ ଶକ୍ତି ମହଜୁଦ ରହିଛି । ଅଦ୍ଭୁତ ସାମର୍ଥ୍ୟ ଅଛି ଏବଂ ଏହାର ମୂଳ ଆଧାର ହେଲା ଶିକ୍ଷା । ୧୦୦ ବର୍ଷ ଭିତରେ ଏଠାକାର ସମାଜ ଜୀବନରେ ପରିବର୍ତ୍ତନ ଆଣିବା ସକାଶେ ଶିକ୍ଷା ଦ୍ୱାରା ସମଗ୍ର କର୍ଣ୍ଣାଟକରେ ଜୀବନକୁ ଶକ୍ତି ପ୍ରଦାନ କରିବା ନିମନ୍ତେ ଏବଂ ଏହାରି ଦ୍ୱାରା ସାରା ଦେଶକୁ ସାମର୍ଥ୍ୟ ଯୋଗାଇବାରେ ଆପଣଙ୍କର ବହୁତ ବଡ ଯୋଗଦାନ ରହିଛି ।
ଯେତେବେଳେ ମୁଁ ପୂର୍ବରୁ ଏଠାକୁ ଆସିଥିଲ, ଆମର ପ୍ରଭାକରଜୀ ମୋତେ କହୁଥିଲେ ଯେ ଗଲା ୩୨ ବର୍ଷ ଧରି ଲୋକମାନେ ତାଙ୍କୁ ଏ କାମ ଦେଇ ଆସିଛନ୍ତି । ଏହା କିଛି ଛୋଟ କଥା ନୁହେଁ, ପ୍ରଭାକର ଜୀ । ଆପଣଙ୍କୁ ମୁଁ ଅଭିନନ୍ଦନ ଜଣାଉଛି, ଆପଣଙ୍କ ପୁରାଟିମକୁ ଅଭିନନ୍ଦନ କରୁଛି । ପୁଣି ସବୁ କିଛି ଏଠାରେ ଲୋକତାନ୍ତ୍ରିକ ପଦ୍ଧତିରେ କରାଯାଉଛି । ଏତେ ସବୁ ପିଢ଼ିଙ୍କ ଲାଗି କେତେକେତେ ଲୋକ କାମ କରିନଥିବେ । କିନ୍ତୁ ସଂସାର ମଙ୍ଗଳ, ଶିକ୍ଷା ମଙ୍ଗଳ, ବିଦ୍ୟାର୍ଥୀଙ୍କର କଲ୍ୟାଣ, ଏଥିରେ କୌଣସି ପ୍ରକାର ସାଲିସ କରାଯାଇନାହିଁ । ଏହା ହେଉଛି ସବୁଠାରୁ ବଡ ସଫଳତା । କିନ୍ତୁ ଆଜି ଯେତେବେଳେ ଏଇ ଉତ୍ତମ କାର୍ଯ୍ୟକୁ ମୁଁ ମୋ ନିଜ ଆଖିରେ ଦେଖୁଛି, ସେତେବେଳେ ମୋ ମନ କହୁଛି, ଯେ ମୁଁ ବି ଆଜି ଆପଣମାନଙ୍କୁ କିଛି ମାଗିକରି ଯିବି । ମାଗି ପାରିବି ତ ? ମିଳିବ ?
ଆପଣମାନେ କହିବେ, ଆରେ ଭାଇ, ଦେଶର ଇଏ କି ଭଳିଆ ପ୍ରଧାନମନ୍ତ୍ରୀ, ମାଗିବାକୁ ଚାଲିଆସିଲା । ଏ ପ୍ରଧାନମନ୍ତ୍ରୀ ଏଇ ଭଳିଆ ଲୋକ ଭାଇ, ଇଏ ଜନତାଙ୍କଠାରୁ ମାଗି ନିଜର ଗୁଜରାଣ ମେଂଟାଇଥାଏ । ମୁଁ ଆଜି ଆପଣଙ୍କଠାରୁ କିଛି ମାଗିବାକୁ ଚାହେଁ, ଏବଂ ମୋର ବିଶ୍ଵାସ ଏବଂ ଏଇ ସପ୍ତଋଷିଙ୍କ ଉପରେ ମୋର ବିଶ୍ଵାସ, ଆଜିର ବ୍ୟବସ୍ଥା ଉପରେ ବିଶ୍ଵାସ, ମୋ ସାମ୍ନାରେ ବସି ରହିଥିବା ଲକ୍ଷାଧିକ ଯୁବକଯୁବତୀଙ୍କ ଉପରେ ମୋର ବିଶ୍ଵାସ, ସେଥିପାଇଁ କିଛି ମାଗିବାର ସାହସ ମନରେ ଜୁଟାଇ ପାରିଛି । ମାଗିବି ? ଦୟାକରି ଆପଣଙ୍କ ସ୍ଵର ଜୋର କରନ୍ତୁ, ମାଗିବି, ସତରେ ମାଗିବି ?
ଆପଣମାନେ ମୋତେ କହନ୍ତୁ ଯେ ଏଇ ସଂସ୍ଥା ନିକଟରେ ୧.୨୫ ଲକ୍ଷ ବିଦ୍ୟାର୍ଥୀ, ଏତେ ସବୁ ଅନୁଷ୍ଠାନ ରହିଛି । କଣ ଆମ କେଏଲଇ ଏ ସଂକଳ୍ପ କରିପାରିବେ ଯେ ୨୦୨୦ରେ ଯେତେବେଳେ ଟୋକିଓରେ ଅଲିମ୍ପିକ୍ସ ହେବ ତ କିଛି ସ୍ଵର୍ଣ୍ଣ ପଦକ ଏଇ କେଏଲଇର ବି ହେବ । କରିପାରିବ ବିନ୍ଧୁଗଣ, କରିପାରିବ । ସବୁ ସମ୍ଭବ ବନ୍ଧୁଗଣ । ଆପଣଙ୍କ ପକ୍ଷେ ସବୁ ସମ୍ଭବ । ମୋର ପ୍ରିୟ ଯୁବ ବନ୍ଧୁଗଣ, ମୁଁ ଏକଥା ବି ଚାହିଁବି ଯେ ଅଭିନବ ପନ୍ଥା ଅବଲମ୍ବନ, ଅଭିନବତ୍ଵ ହେଉଛି ଜଡିବୁଟି । ଯଦି ଅଭିନବତ୍ଵ ନ ରହିବ, ତା ହେଲେ ଜୀବନ ସ୍ଥିର ନିଶ୍ଚଳ ହୋଇଯିବ । ଏବଂ ଯେଉଁମାନେ ରିସର୍ଚ୍ଚ କରନ୍ତି ସେମାନେ ଆଗକୁ ଆଗେଇ ଯାଆନ୍ତି । ଆମେ କେବଳ ସେମାନଙ୍କ ଉତ୍ପାଦନର କ୍ରେତା ହୋଇ ରହିଯାଏ । ଗତ ଥର ଆସିବା ବେଳେ ମୁଁ ଆପଣଙ୍କଠାରେ ଏଭଳି ଅଭିନବତ୍ଵ ଲକ୍ଷ୍ୟ କରିଥିଲି । ଆପଣମାନଙ୍କ ନିକଟରେ ଏତେ ଭଲ ବୈଜ୍ଞାନିକ ଅଛନ୍ତି, ଏତେ ଭଲ ଅନୁଷ୍ଠାନ ଅଛି । ଏତେ ଭଲ ଟେକ୍ନିକାଲ ଜ୍ଞାନବାଲା ଲୋକ ଅଛନ୍ତି । ବିଶ୍ଵପାଇଁ ସ୍ଵୀକୃତି କୌଣସ ନା କୌଣସି ଅଭିନବତ୍ଵ ମାନବ ସମାଜର କଲ୍ୟାଣ ଲାଗି କେଏଲଇ ଦେଇପାରିବ । କଣ, ଦେଇପାରିବ? ପକ୍କା, ଦେଇପାରିବ ?
ତୃତୀୟ କଥାଟି ହେଲା, ଭାଇ ଓ ଭଉଣୀମାନେ, ଆଜି ବିଶ୍ଵର ଯେଉଁ ପ୍ରଥମ ୧୦୦ଟି ବିଶ୍ଵବିଦ୍ୟାଳୟ ରହିଛି, ସେଥିରେ ଆମର ସ୍ଥାନ ନାହିଁ । ଲଜ୍ଜା ଲାଗୁଛି । ସରକାର ଚଳିତ ବର୍ଷ ବଜେଟରେ ଏହି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆମେ ସିଦ୍ଧାନ୍ତ କରୁଛୁ ଯେ ୧୦ଟି ସରକାରୀ ବିଶ୍ଵବିଦ୍ୟାଳୟ, ଏବଂ ୧୦ଟି ଘରୋଇ ବିଶ୍ଵବିଦ୍ୟାଳୟ ଏଇ ସଂକଳ୍ପ କରନ୍ତୁ ଯେ ଆମକୁ ବିଶ୍ଵର ୧୦୦ଟି ବିଶ୍ଵବିଦ୍ୟାଳୟ ଭିତରେ ସ୍ଥାନ ସୁରକ୍ଷିତ କରିବାର ଅଛି । ଏହି କାର୍ଯ୍ୟ ଲାଗି ଆଗକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଯେଉଁମାନେ ଏଭଳି କାର୍ଯ୍ୟ କରିବାକୁ ଆଗ୍ରହୀ, ସେମାନଙ୍କୁ ସରକାରୀ ବାବୁମାନଙ୍କ ବାଧାବନ୍ଧନ ଯେପରିକି ଇଏ ପରମିସନ ଦରକାର, ସିଏ ପରମିସନ ଦରକାର, ସେସବୁଥିରୁ ମୁକ୍ତି ଦିଆଯିବ । ସେମାନଙ୍କ ପାଇଁ ମୁକ୍ତ ପରିବେଶ ସୃଷ୍ଟି କରାଯିବ । ମୁଁ ଦେଶର ୧୦ଟି ଘରୋଇ ବିଶ୍ଵବିଦ୍ୟାଳୟକୁ ଆମନ୍ତ୍ରଣ ଜଣାଉଛି । ମୁଁ ନିମନ୍ତ୍ରଣ ଜଣାଉଛି ୧୦ଟି ସରକାରୀ ବିଶ୍ଵବିଦ୍ୟାଳୟଙ୍କୁ ସାହସ ବାନ୍ଧି ଆଗକୁ ଆସନ୍ତୁ । ସଂସାରର ଯେଉଁ ୧୦୦ଟି ବିଶ୍ଵବିଦ୍ୟାଳୟ ରହିଛି, ସେଥିରେ ନିଜର ସ୍ଥାନ କାହିଁକି ନାହିଁ । ଆମେ ସେ କଥା ସିଦ୍ଧ କରି ଦେଖାଇବା । ଦେଶ ତ ଆମର, ଦେଶ କାଲି ବି ଥିଲା ଏବଂ ଆଜି କିଛି ବଢ଼ିଯାଇଛି । ଏତିକି ଭାବିଲେ ଚଳିବନି, ଏତେ ଦୁନିଆଁରେ ଶ୍ରେଷ୍ଠରୁ ଶ୍ରେଷ୍ଠତର ଯାହା ରହିଛି, ତାକୁ ହାସଲ କରିବାକୁ ଆମକୁ ପ୍ରୟାସ କରିବାକୁ ହେବ । ହିନ୍ଦୁସ୍ତାନର ସ୍ଵପ୍ନ ଏଇଆ ହେବା ଦରକାର । ଏହି ସ୍ଵପ୍ନକୁ ନେଇ ଆମକୁ ଆଗକୁ ବଢ଼ିବାକୁ ହେବ ।
ଭାଇ ଓ ଭଉଣୀମାନେ, ଆଜି ମୁଁ କର୍ଣ୍ଣାଟକ ଭୂମିକୁ ଆସିଛି । ଏବଂ ଟିଭି ମାଧ୍ୟମରେ ସାରା ଦେଶ ମୋ କଥାକୁ ଶୁଣିପାରୁଛନ୍ତି । ତେଣୁ ଆଉ ଗୋଟିଏ ବିଷୟରେ ବି ମୁଁ ଚର୍ଚ୍ଚା କରିବାକୁ ଚାହୁଁଛି । କହିବି, ଆପଣମାନେ ଶୁଣିବାକୁ ଚାହିଁବେ ? ୮ ତାରିଖ ରାତି ୮ଟା ବେଳେ ଆପଣ ଦେଖିଛନ୍ତି । ୨୦୧୨, ୨୦୧୩, ୨୦୧୪ରେ ଖବରକାଗଜରେ ସମ୍ବାଦ ଆସୁଥିଲା ଯେ କୋଇଲା ଦୁର୍ନୀତିରେ ଏତେ ଲକ୍ଷ କୋଟି ଟଙ୍କା ଖାଇଗଲେ । ୨-ଜି ସ୍ପେକ୍ଟ୍ରମ ଆବଂଟନରେ ଏତେ ଲକ୍ଷ କୋଟି ଗିଳିଗଲେ । ଏବଂ ୮ ତାରିଖ ପରେ ଆପଣମାନେ ସେମାନଙ୍କ ଅବସ୍ଥା ଦେଖିଛନ୍ତି ? ୪୦୦୦ ଟଙ୍କା ପାଇଁ କଷ୍ଟକରି ଲାଇନରେ ଠିଆ ହେବାକୁ ପଡୁଛି । ମୋର ପ୍ରିୟ ଦେଶବାସୀଗଣ, ଏ ସରକାର ସଚ୍ଚୋଟ ଲୋକଙ୍କୁ ହଇରାଣ କରିବାକୁ ଚାହେଁନି । କିନ୍ତୁ ମୋର ଭାଇ ଓ ଭଉଣୀମାନେ, ବେଇମାନଙ୍କୁ ବି ଛାଡିବାକୁ ଚାହେଁ ନି । ୭୦ ବର୍ଷ ହୋଇଗଲା । ଆପଣମାନେ ମୋତେ କୁହନ୍ତୁ ଦେଶକୁ ଲୁଟାଯାଇଛି ନା ନାହିଁ । ଭ୍ରଷ୍ଟାଚାର ହୋଇଛି ନା ହୋଇନି । ବଡ ବଡ ନୋଟର ବିଡା ଘରେ ଜମା ହୋଇଛି ନା ନାହିଁ ? ମୁଁ ଚିନ୍ତିତ ଯେ ଆମର କଂଗ୍ରେସ ନେତାମାନେ କହୁଛନ୍ତି ଯେ ଆପଣ ୧୦୦୦ ଟଙ୍କିଆ, ୫୦୦ ଟଙ୍କିଆ ନୋଟକୁ କାହିଁକି ଅଚଳ କଲେ । ଭାଇ, ଆପଣ ଯେତେବେଳେ ଚାରିଣୀ(୨୫ ପଇସା ) ବନ୍ଦ କରିଥିଲେ ସେତେବେଳେ ମୁଁ ପଚାରିଥିଲି । ଆପଣମାନଙ୍କର ସ୍ମରଣ ଥିବ କଂଗ୍ରେସ ପାର୍ଟି ଚାରିଣୀ ମୁଦ୍ରା ପ୍ରଚଳନ ବନ୍ଦ କରିଥିଲେ । ଦେଶବାସୀ ତ ସେତେବେଳେ ଚିତ୍କାର କରିନଥିଲେ । ଠିକ୍ ଅଛି, ଆପଣଙ୍କର ସେତିକି ସାମର୍ଥ୍ୟ ଥିଲା । ବନ୍ଦ କରିବା ଲାଗି ଆପଣ ତ ସହମତ ଥିଲେ । କିନ୍ତୁ ବଡ ନୋଟ ଅଚଳ କରିବାର ହିମ୍ମତ ଆପଣମାନଙ୍କର ନଥିଲା । ଚାରିଣୀରେ ଗାଡି ଚଳେଇବାର ଥିଲା । ଏବଂ ମୋତେ ଆଜି ଯେଉଁ ଲୋକମାନେ ପ୍ରଶ୍ନ କରୁଛନ୍ତି, ଯେ ମୋଦୀ ୧୦୦୦ ଟଙ୍କିଆ ନୋଟର ଜାଦୁ କରିଛି ।
ଭାଇ ଓ ଭଉଣୀମାନେ, ଯେଉଁ ଲୋକମାନେ ମୋ ଭାଷଣ ଶୁଣୁଛନ୍ତି, ମୋ କଥା ଶୁଣୁଛନ୍ତି । ଏକଥା ମୁଁ ପ୍ରଥମ ଥର ଲାଗି କହୁନାହିଁ । ପାଂଚବର୍ଷ ପୂର୍ବେ ସର୍ବସାଧାରଣ ସଭାରେ ମୁଁ କହିଥିଲି ଯେ କଂଗ୍ରେସ ପାର୍ଟି ପାଖରେ ଦମ ନାହିଁ, ତେଣୁ ଚାରିଣୀ ବନ୍ଦ କରୁଛି । ମୋର କ୍ଷମତା ଥିଲେ ମୁଁ ହଜାରେ ଟଙ୍କିଆ ନୋଟ ବନ୍ଦ କରିଦିଅନ୍ତି । ଆଜି ବି ସେ ଭାଷଣର ଭିଡିଓ କେଉଁଠି ଚାଲୁଥିବ, ଆପଣମାନେ ଚାହିଁଲେ ଦେଖିପାରିବେ ।
ଭାଇ ଓ ଭଉଣୀମାନେ, ମୁଁ ଦେଶଠାରୁ କୌଣସି କଥା ଗୋପନ ରଖିନାହିଁ । ପ୍ରଥମ ଦିନ ଠାରୁ ଭାଇ ଓ ଭଉଣୀମାନେ, ଯଦି ମୁଁ ଭୁଲ କହୁଥିବି ତା ହେଲେ ମୋ ଉପରେ ରାଗିବାର ସମସ୍ତ ଅଧିକାର ଆପଣମାନଙ୍କର ରହିଛି । ସେ ଅଧିକାର ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଦେଉଛି । ମୁଁ ପ୍ରଥମ ଦିନରୁ କହିଥିଲି ଯେ ଏ କାମ ଲାଗି ମୋତେ ୫୦ ଦିନ ସମୟ ଦିଅନ୍ତୁ । ୩୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଅନ୍ତୁ । କହିଥିଲି ନା ନାହିଁ ? ମୁଁ ପ୍ରଥମରୁ କହିଥିଲି ୩୦ ଡିସେମ୍ବର ପର୍ଯ୍ୟନ୍ତ କିଛିଟା ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । କହିଥିଲି ନା ନାହିଁ ? ଭାଇ ଓ ଭଉଣୀମାନେ ମୁଁ ଦେଶକୁ ବିଶ୍ଵାସକୁ ନେଇ ଏ କାମ କରିଥିଲି । ଦେଶରେ ଇମାନଦାର କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସାଧୁତାକୁ ନେଇ ବଂଚନ୍ତି । ସାଧୁତା କାରଣରୁ ସବୁ କିଛି ସହ୍ୟ କରିଥାନ୍ତି । ଆପଣମାନେ ମୋତେ କହନ୍ତି ସେଇ ସାଧୁ ଲୋକଙ୍କୁ ରକ୍ଷା କରିବା ଦାୟିତ୍ଵ ସରକାରଙ୍କର ଅଛି ନା ନାହିଁ । ସାଧୁ ସଚ୍ଚୋଟ ଲୋକମାନେ ସୁରକ୍ଷିତ ରହିବା ଉଚିତ କି ନାହିଁ ? ତେଣୁ ବେଇମାନ ଲୋକଙ୍କୁ ସଜା ଦେବାଲାଗି ଯଦି ଆମକୁ ୫୦ ଦିନ ଅସୁବିଧାରେ ରହିବାକୁ ପଡେ, ସେଥିରେ ମୋତେ ଆପଣମାନେ ସହଯୋଗ କରିବେ କି ନାହିଁ ? ଭାଇ ଓ ଭଉଣୀମାନେ, ଦୁଇ ହାତ ଉପରକୁ ଟେକି ମୋତେ ଏକଥା କୁହନ୍ତୁ । କରତାଳି ମାରି ମୋତେ କୁହନ୍ତୁ ଏ ଦେଶ ଦେଖୁଛି, ହିନ୍ଦୁସ୍ଥାନର ପ୍ରତ୍ୟେକ ଯୁବକଯୁବତୀ, ଏକଥା ଲକ୍ଷ୍ୟ କରୁଛି । ଯେଉଁମାନଙ୍କ ମନରେ ସନ୍ଦେହ ଅଛି, ସେମାନେ ଏ ଦୃଶ୍ୟ ଦେଖନ୍ତୁ । ଏୟାରଇଣ୍ଡିଆ କୋଠରୀରେ ବସି ବେଇମାନଙ୍କ ସପକ୍ଷରେ ଓକିଲାତି କରୁଥିବା ଲୋକମାନେ ଦେଖନ୍ତୁ, ଜନତା-ଜନାର୍ଦ୍ଦନ କଣ ଚାହାନ୍ତି ।
ଭାଇ ଓ ଭଉଣୀମାନେ, ଆମେ ସମସ୍ତେ ଜାଣିଛୁ, ଆମ ଦେଶରେ ନିର୍ବାଚନ ହୁଏ । ମତଦାନ ସୂଚୀ (ଭୋଟର ତାଲିକା) କୌଣସି ଗୁପ୍ତକାମ ନୁହେଁ । ନୋଟ ଉପରେ ପ୍ରତିବନ୍ଧ ଲାଗୁ କରିବା ମୋ ପାଇଁ ଖୁବ ଜରୁରୀ ଥିଲା ଯେ ତାହା ଗୁପ୍ତ ରଖାଯିବ । ଯଦି ତାହା ପ୍ରଘଟ ହୋଇଯାଇଥାନ୍ତା, ତା ହେଲେ ଏ ବେଇମାନ ଲୋକଙ୍କ ତାକତ ଏତେ ବେଶୀ ଯେ କେଉଁଠି ନା କେଉଁଠି ପହଂଚି ସେମାନେ ତାଙ୍କ କାମ ସାରି ଦେଇଥାନ୍ତେ । ଆଜି ଦେଶ ଖୁସି, ୮ ତାରିଖ ଠାରୁ ଗରିବ ଲୋକ ସୁଖ ନିଦ୍ରାରେ ଯାଉଛି ଏବଂ ଧନୀ ନିଦ ବଟିକା କିଣିବାକୁ ଗଲାବେଳେ ବଜାରରେ ତାକୁ ଦେବା ଲୋକ କେହି ନାହାନ୍ତି ।
ଭାଇ ଓ ଭଉଣୀମାନେ, ନିର୍ବାଚନରେ ମତଦାତା ସୂଚୀ ପ୍ରସ୍ତୁତ ହୁଏ । ଏହା ଗୁପ୍ତ କଥା ନୁହେଁ । ଏଥିରେ ସରକାର ସାମିଲ ହୁଏ, ଶିକ୍ଷକମାନେ ସାମିଲ ହୁଅନ୍ତି, ଅନ୍ୟ କର୍ମଚାରୀ ଲାଗନ୍ତି । ସରକାର ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଯାଏ । ସବୁ ଦଳର ଲୋକ ବେଳେ ବେଳେ ଲାଗି ଯାଆନ୍ତି । ଏହା ସତ୍ତ୍ୱେ ଯେଉଁଦିନ ଭୋଟଗ୍ରହଣ କରାଯାଏ, ସେଦିନ ନାନା ପ୍ରକାର ଅଭିଯୋଗ ଆସେ କି ନାହିଁ ? ମୋ ନାଁ ରହିଗଲା, ମୋ ମହଲା ନାଁ କଟିଗଲା, ମୋ ପରିବାର ତାଲିକାରୁ ବାଦ ପଡିଗଲା । ମୋ ସୋସାଇଟିର ନାଁ କଟିଗଲା, ମୋତେ କହନ୍ତୁ ଏପରି ସମସ୍ୟା ଉତ୍ପନ୍ନ ହୁଏ କି ନାହିଁ । ଏତେ ବଡ କାମ ଖୋଲାଖୋଲି ଭାବେ ହେଉଥିଲେ ସୁଦ୍ଧା କିଛି ନା କିଛି ଦୋଷତ୍ରୁଟି ରହିଯାଇଥାଏ । ଆମେମାନେ ଦେଖୁଛେ, ଦେଶରେ ଯେତେବେଳେ ନିର୍ବାଚନ ହୁଏ ପୁରା ଦେଶର, ପାଖାପାଖି ତିନିମାସ ଧରି ଏ କାମ ଚାଲିଥାଏ । ୯୦ ଦିନ ପର୍ଯ୍ୟନ୍ତ ସବୁ କାରବାର ଠପ ହୋଇଯାଇଥାଏ । ସବୁ ଅଫିସରଙ୍କୁ କିଛି ନା କିଛି ନିର୍ବାଚନ କାମ କରିବାକୁ ପଡିଥାଏ । କୌଣସି ବିଭାଗ ଏଥିରୁ ବାଦ ଯାଇନଥାଏ । ଭାଇ ଓ ଭଉଣୀମାନେ ନିର୍ବାଚନରେ ସରକାରଙ୍କର ଏତେ ଶକ୍ତି ଲାଗିଥାଏ, ରାଜନୈତିକ ଦଳ ବି ସାମିଲ ହୋଇଥାନ୍ତି, ମିଡିଆର ସହାୟତା ମିଳେ, ତଥାପି ମାତ୍ର ୬୦-୭୦ ପ୍ରତିଶତ ମତଦାନ ହୁଏ ଏବଂ ୯୦ ଦିନ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲିଥାଏ । ମୋର ପ୍ରିୟ ଦେଶବାସୀଗଣ, ମୁଁ ତ ଆପଣମାନଙ୍କୁ ମାତ୍ର ୫୦ ଦିନ ସମୟ ମାଗିଛି, ତାହା ପୁଣି ଦେଶର ଭଲ ପାଇଁ ।
ଭାଇ ଓ ଭଉଣୀମାନେ, ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଏଥର ବଜେଟରେ ଆମେ ଗୋଟିଏ ବ୍ୟବସ୍ଥା କରିଥିଲୁ । ଯେଉଁ ଲୋକମାନେ ମୋର “ମନ କି ବାତ” କାର୍ଯ୍ୟକ୍ରମ ଶୁଶୁଥିବେ ସେଥିରେ ବି ମୁଁ କହିଥିଲେ ଯେ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ଲଢ଼ିବା ଲାଗି ଗୋଟିଏ ଉପାୟ ଅଛି । ତାହା ହେଲା କ୍ୟାସଲେସ ସୋସାଇଟି । ନଗଦ ନୋଟ, ଟଙ୍କା ଦେଣନେଣ କାରବାର ଧୀରେ ଧୀରେ କମିଯିବା ଦରକାର । କ୍ରେଡିଟ କାର୍ଡ, ଡେବିଟ କାର୍ଡ, ପ୍ଲାଷ୍ଟିକ କରେନ୍ସି, ଏ ଦିଗରେ କାରବାର ଯିବା ଦରକାର । ତେଣୁ ଭାରତ ସରକାର ନିଜ ବଜେଟରେ କ୍ରେଡିଟକାର୍ଡ, ଡେବିଟ କାର୍ଡ ଉପରେ ଲାଗୁଥିବା ଟିକସକୁ ହଟାଇ ଦେଇଛନ୍ତି । ଏବଂ ସରକାରୀ ବିଭାଗମାନଙ୍କୁ ବି ସରକାର କହିଥିଲେ ଯେ ଆପଣମାନେ ବି ଏହାକୁ କମ କରନ୍ତୁ ଅଥବା ହଟାନ୍ତୁ । କେତେକ ବିଭାଗ ଏହାକୁ କମ କରିଛନ୍ତି ଏବଂ ଆଉ କିଛି ବିଭାଗ ହଟାଇଛନ୍ତି । ଏଇଥିପାଇଁ ଏକଥା କରାଯାଇଥିଲା ଯେ ଆଜି ଏକଥା କରିବାର ଥିଲ । ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ଜନ ଧନ ଏକାଂଉଟ ଖୋଲା ବ୍ୟବସ୍ଥା ପ୍ରଚଳନ କଲି, ଗରିବ ଲୋକଙ୍କ ଜମାଖାତା ଖୋଲାଗଲା, ତା ସହ ସେମାନଙ୍କୁ ଗୋଟିଏ କ୍ରେଡିଟ କାର୍ଡ ଦେବାର ବ୍ୟବସ୍ଥା ହେଲା, ଡେବିଟ କାର୍ଡ, ରୂପେ(RuPay) କାର୍ଡ ଦେବାର ବି ବ୍ୟବସ୍ଥା ହେଲା । ୨୦ କୋଟି ଲୋକଙ୍କୁ ଏଭଳି କାର୍ଡ ଦିଆଯାଇଛି । ଯଦ୍ୱାରା ଗରିବ ଲୋକମାନେ ବି ଧୀରେ ଧୀରେ ଏଇ କାର୍ଡ ମାଧ୍ୟମରେ ନିଜ ନିଜର କାରବାର ଚଳାଇବା ଆଉଥରେ କରିବେ । ସମୟ ଲାଗିବ, କିନ୍ତୁ ଦି ବର୍ଷ ତଳେ ଆମେ ଏ କାମ ଆରମ୍ଭ କରିଥିଲୁ । ମୁଁ ଏ କାର୍ଯ୍ୟ ଅଚାନକ କରିନାହିଁ। ଏ କଥା ସତେ ଯେ ବେମାରି ବେଶ ଗଭୀର। ୭୦ ବର୍ଷର ପୁରୁଣା । ପୁଣି ସମସ୍ତଙ୍କୁ ଏ ବେମାରି ଆକ୍ରାନ୍ତ କରିସାରିଛି । ଭାଇ ଓ ଭଉଣୀମାନେ ମୁଁ ଏହାର ଔଷଧର ମାତ୍ରା ବଢ଼ାଉଥିଲି । ପ୍ରଥମ ଡୋଜ ଦେଉଥିଲି, ପୁଣି ଦ୍ଵିତୀୟ ଡୋଜ, ଏବେ ସାମାନ୍ୟ ବଡ ଡୋଜ ଦିଆଯାଇଛି । ତେଣୁ ବେଆଇନ ଲୋକ ଓ ବେଇମାନଙ୍କ ରକ୍ଷାକର୍ତ୍ତା ଲୋକ ଏମାନେ ବି କାନଖୋଲି ଶୁଣନ୍ତୁ ଯେ ୩୦ ଡିସେମ୍ବର ପରେ ମୁଁ ତ ଅଟକିବା ଲୋକ ନୁହେଁ । କେଉଁ ଲୋକମାନେ ଗଙ୍ଗାଜଳରେ ଚାରିଣୀ ସୁଦ୍ଧା ପକାଉନଥିଲେ ସେମାନେ ଆଜି ନୋଟ ଭସାଉଛନ୍ତି । ମୁଁ ଦିନେ ଦେଖୁଥିଲି ଯେ ମଇଳା କଚରା ସଫା କରୁଥିବା ଜଣେ ମହିଳା କହୁଥିଲେ ଯେ ତାଙ୍କୁ ମଇଳାଗଦାରୁ ୫୭,୦୦୦ ଟଙ୍କା ମିଳିଛି । ବିଚାରୀ ତାକୁ ଥାନାରେ ଜମା ଦେବାକୁ ଚାଲିଗଲା ଯେ ସାହେବ ଏତେ ଟଙ୍କା ମୁଁ ମଇଳା ଗଦାରୁ ପାଇଛି । ଏଠାକୁ ଆସିବା ପରେ ପ୍ରଭାକରଜୀ ମୋତେ ସ୍ଵାଗତ କଲାବେଳେ ଲୋକଙ୍କ ଉପରେ ଫୁଲଫାଖୁଡା ପକାଯାଉଥିଲା । ମୁଁ କହୁଛିନା ସେ ଦିନ ଆଉ ବେଶୀ ଦୂର ନୁହେଁ, ଯେତେବେଳେ କୌଣସି ନେତା ଆସିଲେ, ଲୋକମାନେ ୧୦୦୦-୧୦୦୦ ଟଙ୍କିଆ ନୋଟକୁ କାଟି ତାଙ୍କ ଉପରେ ବର୍ଷା କରିବେ ।
ଭାଇ ଓ ଭଉଣୀମାନେ, ଏଭଳି ସଫେଇ ଜରୁରୀ । ଏବଂ ଏଥିଲାଗି ମୋତେ ଆପଣମାନଙ୍କ ସହଯୋଗ ଆବଶ୍ୟକ । କିଛିଟା ଅସୁବିଧା ହେବ, ମୁଁ ଏକଥା କେବେ ସୁଦ୍ଧା କହିନାହିଁ ଯେ ସମସ୍ୟା ଉତ୍ପନ୍ନ ହେବନାହିଁ । ମୋର ପ୍ରୟାସ ଜାରି ରହିଛି । ଆପଣମାନେ ଦେଖନ୍ତୁ ମୁଁ କାଲି ଦେଖୁଥିଲି, ବ୍ୟାଙ୍କମାନଙ୍କରେ ବ୍ୟାଙ୍କ କର୍ମଚାରୀମାନେ ଗୋଟିଏ ବର୍ଷରେ ଯେତିକି କାମ କରନ୍ତି, ତାଠାରୁ ଅଧିକ କାମ ଏଇ କେଇ ଦିନ ଭିତରେ କରିଛନ୍ତି । ଆମେ ସମସ୍ତେ ସବୁ ବ୍ୟାଙ୍କର କର୍ମଚାରୀମାନଙ୍କ ପାଇଁ କରତାଳି ଧ୍ଵନି ଦେଇ ସେମାନଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ । ଆମ ବ୍ୟାଙ୍କ କର୍ମଚାରୀମାନେ ଏତେ ଭଲ କାମ କରୁଛନ୍ତି । ସେମାନଙ୍କୁ ଅଭିନନ୍ଦନ କରାଯିବା ଦରକାର ।
ମୁଁ ଦେଖୁଛି ଯେ ୭୫ ବର୍ଷର, ୭୦ ବର୍ଷର, ୬୦ ବର୍ଷର ବ୍ୟାଙ୍କର ଅବସରପ୍ରାପ୍ତ ଲୋକମାନେ ବ୍ୟାଙ୍କକୁ ଯାଇ କହୁଛନ୍ତି ଯଦି ଆପଣଙ୍କର କିଛି ସେବା ଦରକାର, ମାଗଣାରେ ମୁଁ ତାହା ଯୋଗାଇଦେବାକୁ ପ୍ରସ୍ତୁତ ଅଛି । ଆମ ନିକଟରେ ବ୍ୟାଙ୍କିଙ୍ଗ ସେବାର ଅନୁଭବ ରହିଛି । ଦେଶରେ ଏପରି ଘଟିଛି । ମୁଁ ଏପରି ଯୁବକଙ୍କୁ ଦେଖିଛି, ଯେଉଁମାନେ ବରିଷ୍ଠ ନାଗରିକ ଧାଡିରେ ଠିଆ ହୋଇଥିବା ବେଳେ ନିଜ ଘରୁ ଚୌକି ଟେକି ଆଣି ସେମାନଙ୍କୁ ବସିବାକୁ ଦେଇଛନ୍ତି । ମୁଁ ଏପରି ମାତା ଓ ଭଉଣୀମାନଙ୍କୁ ଦେଖିଛି, ଯେଉଁମାନେ କୌଣସି ସ୍ଥାନରେ ଧାଡିରେ ଠିଆ ହୋଇଥିବା ଲୋକଙ୍କୁ ନିଜ ଘରକୁ ଡାକିନେଇ ଜଳପାନର ବ୍ୟବସ୍ଥା କରିଥାନ୍ତି । ଭାଇ ଓ ଭଉଣୀମାନେ, ସିନେମା ଥିଏଟର ବାହାରେ ଟିକେଟ ପାଇଁ ବେଳେବେଳେ ଝଗଡା ହୋଇଯାଇଥାଏ। ଏତେ ବିଶାଳ ହିନ୍ଦୁସ୍ଥାନ ଗୋଟିଏ ଧାଡିରେ ଠିଆ ହୋଇଛି ଏବଂ ସଭିଏଁ ନିଜ ନିଜର ନମ୍ବର ଅପେକ୍ଷାରେ ଅଛନ୍ତି । ଦେଶ ବେଇମାନଙ୍କ ଧୋକାବାଜିରେ ଥକି ପଡିସାରିଛି ।
ଭାଇ ଓ ଭଉଣୀମାନେ, ମୁଁ ସ୍ଵୀକାର କରୁଛି ଯେ ମୋର ଏହି ନିର୍ଣ୍ଣୟ କାରଣରୁ କିଛି ଲୋକଙ୍କୁ କଷ୍ଟ ପହଂଚିଛି, କିନ୍ତୁ ଦେଶର ଲାଭ ହୋଇଛି । ଏବଂ ମୁଁ ଆପଣମାନଙ୍କୁ ବିଶ୍ଵାସ ଦେବାକୁ ଚହେଁ, ଯେ ମୁଁ ଆପଣମାନଙ୍କ ସହ ଠିଆ ହୋଇଛି । ମୁଁ ସଚ୍ଚୋଟ ଲୋକଙ୍କୁ କହିବାକୁ ଚାହେଁ ଯେ କୌଣସି ବେଇମାନଙ୍କୁ ସତ ଉପାୟରେ ଅର୍ଜନ କରିଥିବା ନିଜର ୫୦୦ କି ୧୦୦୦ ଟଙ୍କିଆ ନୋଟ ତରବରିଆ ଭାବେ ତିଅନ୍ତୁନାହିଁ । ଆପଣଙ୍କ ନିକଟରେ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଛି । ୫୦୦ ଟଙ୍କିଆକୁ ୪୦୦ ଟଙ୍କାରେ ନେଲାବାଲା କେହି ଆସି ପହଂଚିଯିବେ । ୧୦୦୦ କୁ ୮୦୦ ଟଙ୍କା ନେଲାବାଲା ଅଛନ୍ତି । କିନ୍ତୁ ଆପଣଙ୍କ ୫୦୦ ଟଙ୍କା ଅର୍ଥ ଏହା ଉପରେ ଆପଣଙ୍କର ପୁରା ହକ୍ । ଏବଂ ସରକାର ଆପଣଙ୍କୁ ଏ ମୂଲ୍ୟ ଦେବାଲାଗି ବଚନବଦ୍ଧ । ୧୦୦୦ ଟଙ୍କାର ସତ ଉପାର୍ଜନ ଉପରେ ଆପଣଙ୍କର ଯଥାର୍ଥ ହକ ରହିଛି । ୩୦ ଡିସେମ୍ବର ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ, ବଦଳ ପକ୍ରିୟା ସନ୍ତୋଷଜନକ ବି ହେବ । ହୋଇପାରେ କେହି କେହି ଗଙ୍ଗାରେ ବୁହାଇଦେବେ, କେହି କେହି ମଇଳା ଗଦାରେ କୁଢ଼େଇ ଦେବେ । ଚିରିକାଟି ଫିଙ୍ଗିଦେବେ । ନିଜେ ହୁଏତ ବଂଚିଯିବେ । କିନ୍ତୁ ସେମାନଙ୍କ ଟଙ୍କା ଯିବ । ୨୦୦ କୋଟି ୪୦୦ କୋଟି ଟଙ୍କା ବରବାଦ ହେବ । ତାହା ପୁଣି ଅଲଗା ରାସ୍ତାରେ । ବ୍ୟାଙ୍କରେ ଜମା କରି ଇମାନଦାରୀ ସିଦ୍ଧ କରିବାକୁ ଗଲାବେଳେ ଦେଶ ସ୍ଵାଧୀନ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସବୁ ଚିଠା ଖୋଲି ରଖିବି । ୨୦୦% ଜୋରିମାନା ଲାଗିବ ଲୋକଙ୍କ ଉପରେ ୨୦୦% ଦଣ୍ଡ ବିଧାନ କରିବି । ଢ଼େର ଲୁଟିଛନ୍ତି ଏମାନେ ।
ମୋର ପ୍ରିୟ ଦେଶବାସୀଗଣ, ଲୁଟିବା ଲୋକଙ୍କୁ ଆପଣମାନେ ଦେଖିସାରିଛନ୍ତି । ୭୦ ବର୍ଷ ଧରି ଦେଶକୁ ଲୁଟାଯାଇଛି । ମୋତେ ୭୦ ମାସ ଦିଅନ୍ତୁ, ମୁଁ ଦେଶକୁ ସ୍ଵଚ୍ଛ ନିର୍ମଳ କରି ରଖିଦେବି । ୮ ତାରିଖ ୮ଟା ବେଳର ଟିଭି ଭାଷଣକୁ ଖୋଲି ପରଖି ନିଅ, ଯେ ମୋଦୀ କଣ କହିଛି ।
ମୋର ପ୍ରିୟ ଦେଶବାସୀଗଣ, ମୋର କର୍ଣ୍ଣାଟକର ଭାଇ ଓ ଭଉଣୀମାନେ, ଏବଂ ଏଠାରେ ଆଜି ଅଧିକ ସଂଖ୍ୟକ ଗ୍ରାମବାସୀ ଅଛନ୍ତି । ଆପଣମାନଙ୍କ ନିକଟରେ ମୋର ଗୋଟିଏ ପ୍ରାର୍ଥନା, ମୁଁ ଏଇ ଯେଉଁ ପବିତ୍ର କାର୍ଯ୍ୟ କରିବାକୁ ବାହାରିଛି, ଯଦି ମୋର ସଚ୍ଚୋଟପଣିଆ ଉପରେ ଆପଣଙ୍କର ଆସ୍ଥା ଅଛି, ଯଦି ମୋ କାମ ଉପରେ ଆପଣମାନଙ୍କର ଭରସା ଅଛି, ମୁଁ ଏଇ ଯେଉଁ ନୋଟ ସ୍ଵଚ୍ଛକରଣ ଅଭିଯାନ ଆରମ୍ଭ କରିଛି, ମୋ କଥା ଉପରେ ଆପଣଙ୍କର ବିଶ୍ଵାସ ଥିଲେ, ଆପଣମାନଙ୍କର ଆଶୀର୍ବାଦ ମୋର କାମନା । ଆପଣମାନଙ୍କୁ ମୋର ପ୍ରାର୍ଥନା ନିଜ ନିଜ ସ୍ଥାନରେ ଠିଆହୋଇ, ଦୁଇ ହାତରେ ତାଳି ବଜାଇ ମୋତେ ଆଶୀର୍ବାଦ ଦିଅନ୍ତୁ । ଏଭଳି ସଚ୍ଚୋଟ ଓ ପବିତ୍ର କାର୍ଯ୍ୟ ଲାଗି ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ଏୟାରକଣ୍ଡିସନର କୋଠରୀରେ ବସି ଆମକୁ ଶୋଷୁଥିବା ଏଇ ଲୋକମାନଙ୍କୁ ଆମେ ଦଣ୍ଡିତ କରିବାରେ ସକ୍ଷମ କିପରି ହେବା ସେ ଆଶୀର୍ବାଦ ମୋତେ ଦିଅନ୍ତୁ । ଗ୍ରାମରେ ବସବାସ କରୁଥିବା ଲୋକମାନେ ସଚ୍ଚୋଟ ଜୀବନଯାପନ କରନ୍ତି । କଷ୍ଟ ସ୍ଵୀକାର କରିବା ସେମାନଙ୍କ ଅସ୍ଥି ମଜ୍ଜାଗତ । ଏଇ ଲୋକମାନେ ମୋତେ ଆଶୀର୍ବାଦ କରୁଛନ୍ତି । ଆପଣମାନଙ୍କ ଆଶୀର୍ବାଦରେ ମୁଁ ଦେଶ ସଫେଇ କାର୍ଯ୍ୟ କରି ଚାଲିଥିବି । ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୋ ଲାଗି ଏହା ଖୁସିର କଥା । ବିଶେଷ କରି ସାମ୍ବାଦିକମାନେ ନିଜ ଚୌକି ଛାଡି ଠିଆ ହୁନ୍ତି ନାହିଁ । କିନ୍ତୁ ମୁଁ ଆଜି ଦେଖୁଛି ପତ୍ରକାର ବନ୍ଧୁମାନେ ବି କୁର୍ସିଛାଡି ଠିଆ ହୋଇଯାଇଛନ୍ତି । ମୁଁ ଆଜି ଆପଣମାନଙ୍କୁ ଶତ ନମସ୍କାର ଜଣାଉଛି । ପତ୍ରକାରମାନଙ୍କୁ ଶତବାର ପ୍ରଣାମ କରୁଛି । ଖୁବ ବଡ କଥା ଆପଣମାନେ କରିଛନ୍ତି । ଆପଣମାନଙ୍କ ନିକଟରେ ମୁଁ କୃତଜ୍ଞ । ଅନେକ ଅନେକ ଧନ୍ୟବାଦ ।
In the 21st century, the youth will take India to new heights. For this, we need skilled youth: PM @narendramodi at Belagavi
— PMO India (@PMOIndia) November 13, 2016
Research and innovation are vital for us: PM @narendramodi
— PMO India (@PMOIndia) November 13, 2016
What was the news in 2012, 2013 and first half of 2014- the scams, the corruption...did you see their condition after 8th November: PM
— PMO India (@PMOIndia) November 13, 2016
This Government will never trouble innocent citizens & at the same time the Government wants to ensure those who are guilty are punished: PM
— PMO India (@PMOIndia) November 13, 2016
Delighted to join the centenary celebrations of Karnatak Lingayat Education Society in Belagavi. Had a very good interaction with students. pic.twitter.com/lgX3XWPn0j
— Narendra Modi (@narendramodi) November 13, 2016
Spoke about the importance of education, research, innovation & highlighted NDA’s efforts to eliminate corruption. https://t.co/oO5yYeXm1z
— Narendra Modi (@narendramodi) November 13, 2016
यह सरकार ईमानदार इंसान को परेशान करना नहीं चाहती, लेकिन बेईमानों को छोड़ना नहीं है। pic.twitter.com/rZJZmv2WPE
— Narendra Modi (@narendramodi) November 13, 2016
I asked the people to bless me & what they did overwhelmed me beyond words. This is a fight for the poor, against those who are corrupt. pic.twitter.com/bvVhYC8BNN
— Narendra Modi (@narendramodi) November 13, 2016