Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାବୁଲରେ ପୁନରୁଦ୍ଧାର ହୋଇଥିବା ସ୍ତୋର ପ୍ରାସାଦର ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ

କାବୁଲରେ ପୁନରୁଦ୍ଧାର ହୋଇଥିବା ସ୍ତୋର ପ୍ରାସାଦର ଉଦ୍ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ


ମହାମହିମ ରାଷ୍ଟ୍ରପତି ମହମ୍ମଦ ଅଶରଫ ଘାନି

ମାନନୀୟ ବିଦେଶ ମନ୍ତ୍ରୀ ରବାନୀ

ଓ ମୋର ପ୍ରିୟ ଆଫଗାନ ବନ୍ଧୁ, ଭାଇ ଓ ଭଉଣୀମାନେ

ମୁଁ ପୁଣିଥରେ ଆପଣମାନଙ୍କ ସହ ଥିବାରୁ ଅତ୍ୟନ୍ତ ଖୁସି । ଆଫଗାନିସ୍ତାନ ହେଉଛି ଭାରତର ନିକଟତମ ପଡ଼ୋଶୀ ଓ ଆମର ହୃଦୟ ଓ ମନରେ ରହିଛି । ଭାରତୀୟ ଓ ଆଫଗାନବାସୀ ସର୍ବଦା ଘନିଷ୍ଠ ବନ୍ଧୁ ରହି ଆସିଛନ୍ତି ।

ଆଜି ପୁଣିଥରେ ଆମ ବନ୍ଧୁତ୍ୱର ଆଉ ଏକ ସଫଳତାର ଉତ୍ସବ ପାଳନ ପାଇଁ ଆମେ ଏକାଠି ହୋଇଛେ ଓ ଆମର ସହଯୋଗର ଫଳପ୍ରଦ ଯାତ୍ରା ଦିଗରେ ଆଉ ପାଦେ ଆଗେଇଛେ ।

ମହାମହିମ ଘାନି,

କେତେକ କଥା ବହୁତ ଆନନ୍ଦ ଦେଇଥାଏ । ମିଳିତ ଉଦ୍ୟମରେ ସମ୍ପନ୍ନ ସଫଳତାର ଉତ୍ସବ ଉତ୍ତମ ବନ୍ଧୁଙ୍କ ସହ ମିଶି ଏକାଠି ପାଳନ କରିଛୁ । ଆପଣ ଓ ମୁଁ ଭାଗ୍ୟଶାଳୀ ଯେ, ବିଗତ କିଛି ମାସରେ ଗୁରୁତ୍ୱପୂର୍ଣ୍ଣ ଅବସରରେ ଆମେ ଏଭଳି କରିପାରିଛେ ।

ଗତବର୍ଷ ଡିସେମ୍ବରରେ ଆପଣ ଓ ଆଫଗାନିସ୍ତାନର ଲୋକମାନେ ଆଫଗାନିସ୍ତାନର ସଂସଦ ଭବନ ଉଦ୍ଘାଟନବେଳେ ମୋ’ସହ ରହିଥିଲେ ।

ଏହି ଉଦ୍ଘାଟନ ଆଧୁନିକ ଆଫଗାନିସ୍ତାନର ମୂଳଦୁଆକୁ ସୁଦୃଢ଼ କରିବା ଦିଗରେ ଆମର ମିଳିତ ପ୍ରୟାସର ପ୍ରତୀକ । ଭାରତ-ଆଫଗାନିସ୍ତାନ-ଇରାନ ପରିବହନ କରିଡର ରାଜିନାମାକୁ ଆମେ ଚଳିତବର୍ଷ ମଇ ମାସରେ ସ୍ୱାକ୍ଷର କରିଛୁ ଯାହାକି ଆମ ଭାଗିଦାରୀର ଆଉ ଏକ ମାଇଲଖୁଣ୍ଟ ।

ଆଫଗାନିସ୍ତାନର ଆର୍ଥିକ ପ୍ରଗତି ଓ ସମୃଦ୍ଧି ପାଇଁ ନୂଆ ମାର୍ଗର ନିର୍ମାଣ କରାଯାଉ, ଏହା ଆମର ସ୍ପଷ୍ଟ ଉଦ୍ଦେଶ୍ୟ । ପରିବହନ କରିଡର ରାଜିନାମାର ଠିକ ମାସକ ପରେ ଜୁନ୍ ମାସରେ ଆମେ ହାତ ମିଳାଇଥିଲେ ଓ ଆଫଗାନିସ୍ତାନ-ଭାରତ ମୈତ୍ରୀ ବନ୍ଧ (Dam)କୁ ଉଦ୍ଘାଟନ କରିଥିଲେ ।

ସଲମା ବନ୍ଧ କେବଳ ଆଫଗାନିସ୍ତାନର ମଧ୍ୟଭାଗର ଅର୍ଥବ୍ୟବସ୍ଥା ଓ କୃଷି କ୍ଷେତ୍ରର ପୁନରୁଦ୍ଧାର ତଥା ନବୀକରଣ ନୁହେଁ ବରଂ ଏହା ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ସୁଦୃଢ଼ ତଥା ସ୍ଥାୟୀ ସମର୍ଥନର ସେତୁ ଭଳି କାର୍ଯ୍ୟ କରିବ ।

ମହାମହିମ

ଆଜି ସ୍ତୋର ମହଲର ଭିଡିଓ ଉଦ୍ଘାଟନ ଅନେକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ । ଅନେକ ଦୃଷ୍ଟିରୁ ଏହା ଅଧିକ ମୌଳିକ ଓ ଆମର ବ୍ୟସ୍ତତାର ଦିଗର ଏକ ପରିଚୟ ମଧ୍ୟ । ମୁଁ ଏଇଥିପାଇଁ କହୁଛି କି ଏହା ଆଫଗାନିସ୍ତାନର ସାଂସ୍କୃତିକ ଐତିହ୍ୟକୁ ଜୀବନ୍ତ କରିବାର ଏକ ମୂଲ୍ୟବାନ ମାଇଲଖୁଣ୍ଟ ।

ସ୍ତୋର ମହଲ ଅନେକ ଐତିହାସିକ ଘଟଣାଗୁଡ଼ିକର ସାକ୍ଷୀ ରହିଛି । ଯେଉଁମାନେ ଆଫଗାନିସ୍ତାନର ହିଂସାର ଛାଇ ବାହାରେ ଅଧିକ ଦେଖିବାରେ ଅସମର୍ଥ, ସେମାନଙ୍କୁ ପୁନରୁଦ୍ଧାର ହୋଇଥିବା ସ୍ତୋର ମହଲ ଆଫଗାନିସ୍ତାନର ସମୃଦ୍ଧ ପରମ୍ପରାର ସ୍ମରଣ କରାଇବ ।

ଆଉ ମୋର ଆଫଗାନ୍ ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଆଫଗାନ ସମାଜର ଲୁପ୍ତ ସୌନ୍ଦର୍ଯ୍ୟ, ସମୃଦ୍ଧି ଓ ଗୌରବକୁ ପୁନଃସ୍ଥାପିତ କରାଇଛି ।

ଆମର ସମ୍ପର୍କର ମୂଳଦୁଆ ଅନୁରୂପ ଆମର ବର୍ତ୍ତମାନର ବନ୍ଧୁତ୍ୱର ଗାଥା ଆମ ଐତିହାସିକ ବନ୍ଧନକୁ ରେଖାଙ୍କିତ କରୁଛି । ମୁଁ ସମସ୍ତ କଳାକାର, ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ପ୍ରଶଂସା କରୁଛି ଯେଉଁମାନେ ଦିନରାତି ଏହି ସମ୍ବେଦନଶୀଳ କାର୍ଯ୍ୟକୁ ପୂରଣ କରିଛନ୍ତି ।

ବନ୍ଧୁଗଣ

ଆଫଗାନିସ୍ତାନ ହେଉଛି ଘନିଷ୍ଠ ବନ୍ଧୁ । ଆମ ସମାଜ ଓ ଲୋକଙ୍କର ଯୁଗଯୁଗ ଧରି ପରସ୍ପର ମଧ୍ୟରେ ସୁଦୃଢ଼ ସମ୍ବନ୍ଧ ରହିଛି ।

ତେଣୁ ଏହା ଦେଖି ଆମକୁ ଦୁଃଖ ଲାଗେ ଯେ ବାହ୍ୟ ଶକ୍ତି ଦ୍ୱାରା ପ୍ରାୟୋଜିତ ହିଂସା ତଥା ଆତଙ୍କ, ଆପଣଙ୍କର ଗୌରବମୟ ରାଷ୍ଟ୍ର ପାଇଁ କ୍ରମାଗତ ଚାଲେଞ୍ଜ ପାଲଟିଛି ।

ମୁଁ ଆଫଗାନିସ୍ତାନର ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି କି ଆମର ସଂକଳ୍ପ :

– ସମୃଦ୍ଧ ଆଫଗାନିସ୍ତାନ ନିର୍ମାଣ ଓ

– ଆପଣ ସମାଜରେ ଶାନ୍ତି, ସୁରକ୍ଷା ଓ ସ୍ଥାୟୀତ୍ୱ ସ୍ଥାପନ କରିବା

ଭାରତର 125 କୋଟି ଲୋକ ସର୍ବଦା ଆପଣଙ୍କ ସହ ରହିବେ ।

ଆମର ଭାଗିଦାରୀ ଓ ସୁଦୃଢ଼ ବନ୍ଧୁତ୍ୱର ସଂକଳ୍ପ ଆଫଗାନିସ୍ତାନ ସହ ଅତୁଟ ରହିବ ।

ଆଜିର ଏହି ସମାରୋହ ଆମର ସଂକଳ୍ପ ଓ ସହଭାଗିତା ପ୍ରୟାସର ପ୍ରତୀକ ।
ଆମେ ଚାହୁଁଛୁ ପ୍ରତ୍ୟେକ ଆଫଗାନ ପ୍ରସ୍ପୁଟିତ ହୁଅନ୍ତ ଓ ଆର୍ଥିକ ବିକାଶର ଲାଭ ଆପଣଙ୍କ ସମାଜକୁ ମିଳୁ ।

ଯେତେବି ବାଧା ଆସୁ, ଆଫଗାନିସ୍ତାନର ଉଜ୍ୱଳ ଭବିଷ୍ୟତ ପାଇଁ ଭାରତ ଆପଣଙ୍କ ସହ କାମ କରୁଥିବ ।

ମହାମହିମ

ଶେଷରେ ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସରେ କାର୍ଯ୍ୟ କରୁଥିବା ଭାରତୀୟ ବିଶେଷଜ୍ଞଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରୁଥିବାରୁ ଏହି ଅବସରରେ ମୁଁ ଆପଣଙ୍କୁ ଓ ଆପଣଙ୍କ ସରକାରକୁ ଧନ୍ୟବାଦ ଜଣାଉଛି ।

ଆମର ଆଫଗାନ ଭାଇମାନଙ୍କର ବଳିଦାନକୁ କଦାପି ଭୁଲି ହେବ ନାହିଁ ।
ଆପଣଙ୍କ ଉପସ୍ଥିତି ପାଇଁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ମୁଁ ଆପଣଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ ପାଇଁ ପ୍ରତୀକ୍ଷା କରିଛି ।

ମୁଁ ଆଶା କରୁଛି ଯେ ପୁନରୁଦ୍ଧାର ହୋଇଥିବା ସ୍ତୋର ପ୍ରାସାଦକୁ କୌଣସି ଦିନ ଗସ୍ତ କରିବାର ସୁଯୋଗ ମିଳିବ ।

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ ।