ପିଏମଇଣ୍ଡିଆ
କାମ୍ବୋଡିଆ, ଲାଓସ, ମିଆଁମାର ଏବଂ ଭିଏତନାମର ଅର୍ଥବ୍ୟବସ୍ଥାରେ ଭାରତର ଉପସ୍ଥିତି ଦର୍ଶାଇବା ପାଇଁ ପ୍ରକଳ୍ପ ବିକାଶ ପାଣ୍ଠି (ପିଡିଏଫ) ନାମରେ 500 କୋଟି ଟଙ୍କାର ଏକ ପାଣ୍ଠି ଗଠନ ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ ଲାଭ କରିଛି ।
ପିଡିଏଫ ବାଣିଜ୍ୟ ବିଭାଗ ଅଧିନରେ ରହିବା ସହ ରପ୍ତାନି-ଆମଦାନୀ ବ୍ୟାଙ୍କ (Exim Bank) ଜରିଆରେ କାର୍ଯ୍ୟ କରିବ । ଏହା ଏକ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ସମିତି ଦ୍ୱାରା ପରିଚାଳିତ ହେବ ଏବଂ ବାଣିଜ୍ୟ ସଚିବ ଏହାର ଚେୟାରମ୍ୟାନ ଦାୟୀତ୍ୱରେ ରହିବେ ।
ପୃଷ୍ଠଭୂମି –
କାମ୍ବୋଡିଆ, ଲାଓସ, ମିଆଁମାର ଏବଂ ଭିଏତନାମ (CLMV) ଏହି ଦେଶମାନଙ୍କର ଆଞ୍ଚଳିକ ମୂଲ୍ୟ ଶୃଙ୍ଖଳାରେ ବିଶେଷ ଗୁରୁତ୍ୱ ରହିଛି । ବିଭିନ୍ନ ବାଣିଜ୍ୟ ରାଜିନାମା ଯୋଗୁ ଏହି ଦେଶଗୁଡିକ ଚୀନ ଏବଂ ୟୂରୋପୀୟ ସଂଘର ବଜାର ପାଇଁ ବାଟ ଖୋଲି ଦେଇଛି । ଭାରତକୁ ଆଞ୍ଚଳିକ ମୂଲ୍ୟ ଶୃଙ୍ଖଳାରେ ସ୍ଥାନିତ କରିବାର ପ୍ରମୁଖ ଉଦ୍ଦେଶ୍ୟ ହେଲା ଭାରତୀୟ ଉଦ୍ୟୋଗ ପାଇଁ ଦୀର୍ଘକାଳୀନ ଭିତ୍ତିରେ କଞ୍ଚାମାଲର ଏକ ସୁରକ୍ଷିତ ବଜାର ସୃଷ୍ଟି କରିବା । ସୂଚନା ଏବଂ ଭିତ୍ତିଭୂମିର ଅଭାବ ସହ ସମ୍ଭାବ୍ୟ ବିପଦ ଯୋଗୁ ପ୍ରଚୁର ସୁଯୋଗରେ ଭରା ଏହି ଅଞ୍ଚଳରେ ଭାରତୀୟ ଉଦ୍ୟୋଗୀମାନଙ୍କ ପ୍ରୟାସ ଯଥେଷ୍ଟ ମାତ୍ରାରେ ହୋଇପାରି ନାହିଁ । ପିଡିଏଫ ଭାରତୀୟ ଉଦ୍ୟୋଗ ଜଗତକୁ ବ୍ୟବସାୟୀକ ସମ୍ପ୍ରସାରଣ, ଉତ୍ପାଦାନ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହ ବୈଶ୍ୱିକ ଉତ୍ପାଦନ ନେଟୱାର୍କ ସହ ସଂଯୁକ୍ତ ହେବାରେ ସାହାଯ୍ୟ କରିବ ।