Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ତାଇୱାନ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ପାଇଁ ଭାରତର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର ଏବଂ ତାଇୱାନର ତାଇପେଇ ଠାରେ ଥିବା ଭାରତ ତାଇପେଇ ସଂଘ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପଶ୍ଚାତକୃତ ଭାବେ ଅନୁମୋଦନ ଦିଆଯାଇଛି ।

କୃଷି, ଉଦ୍ୟାନ କୃଷି, ପଶୁପାଳନ, ମତ୍ସ୍ୟଚାଷ, ଜଳଜୀବ ଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଜନନବିଦ୍ୟା ସମ୍ବଳ ଏବଂ ପରିବେଶ ସଂରକ୍ଷଣ ଭଳି କ୍ଷେତ୍ରରେ ସହଯୋଗ ପାଇଁ ଏହି ବୁଝାମଣାରେ ଉଲ୍ଲେଖ ରହିଛି । ଉଭୟ ପକ୍ଷ ନିଜ ନିଜ ଦେଶର ଘରୋଇ କ୍ଷେତ୍ରକୁ ଉପରୋକ୍ତ କ୍ଷେତ୍ରମାନଙ୍କରେ ସହଯୋଗ ପାଇଁ ପ୍ରୋତ୍ସାହିତ କରିବେ । ଦୁଇ ପକ୍ଷ ସହଯୋଗ ଅନ୍ତର୍ଗତ ଯିବା ଆସିବା, ସୂଚନା, ପ୍ରଯୁକ୍ତି ବିଦ୍ୟା ଏବଂ ତାଲିମ ଆଦାନ ପ୍ରଦାନ, ବାଣିଜ୍ୟ କ୍ଷେତ୍ରର ପ୍ରତିବନ୍ଧକ ଦୂର କରି କୃଷି ବ୍ୟବସାୟ ବୃଦ୍ଧି କରିବା ଆଦି ହେବ ।

ବୁଝାମଣା ଅନୁସାରେ ଉଭୟ ଦେଶର ରୁଚିର ଅଗ୍ରାଧିକାର କ୍ଷେତ୍ର ଚୟନ ଏବଂ ଉଭୟ ପକ୍ଷ ତରଫରୁ ସ୍ଥିର କରାଯାଇଥିବା କାର୍ଯ୍ୟକଳାପର କାର୍ଯ୍ୟନ୍ୱୟନର ଅଗ୍ରଗତିକୁ ତଦାରଖ କରିବା ପାଇଁ ଗୋଟିଏ ମିଳିତ କାର୍ଯ୍ୟକାରୀ ସମିତି ଗଠିତ କରାଯିବ । ଏହି ବୁଝାମଣା ପ୍ରଥମେ ପାଞ୍ଚ ବର୍ଷ ପାଇଁ ସ୍ୱାକ୍ଷରିତ କରାଯିବ ଏବଂ ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରୁ କେହି ଏହାକୁ ସମାପ୍ତ କରିବା ପାଇଁ ଆଗ୍ରହ ପ୍ରକାଶ ନ କରିବା ଯାଏ ପ୍ରତିଥର ପାଞ୍ଚ ବର୍ଷ ସମୟାବଧି ପାଇଁ ନବୀକୃତ ହେଉଥିବ ।