Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ସମୂହର ସମ୍ମେଳନରେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କର୍ପୋରେଟ ପ୍ରଶାସନ, ମାନବ ସମ୍ବଳ ପରିଚାଳନା, ଆର୍ଥିକ ପୁନଃଯାନ୍ତ୍ରିକୀକରଣ, ନବସୃଜନ ଓ ପ୍ରଯୁକ୍ତି ଏବଂ ନୂତନ ଭାରତ ପାଇଁ ସଂକଳ୍ପ-2022 ଆଦି ବିଷୟବସ୍ତୁ ଉପରେ ଉପସ୍ଥାପନା କରାଯାଇଥିଲା  ।

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ସମ୍ମେଳନକୁ ସାର୍ବଜନୀନ କ୍ଷେତ୍ରର ପରିଧି ମଧ୍ୟରେ ଏକ ନୂତନ ଆରମ୍ଭ ବୋଲି ବର୍ଣ୍ଣନା କରିଥିଲେ  ।

ଉପସ୍ଥାପନାର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ର ଉପକ୍ରମଗୁଡ଼ିକୁ ପରିଚାଳନାଗତ ସ୍ୱାଧୀନତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ସେମାନେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ । ସେ କହିଥିଲେ ସ୍ୱାଧୀନତା ପରଠାରୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନେ ରାଷ୍ଟ୍ର ନିର୍ମାଣ ଏବଂ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।

ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉପକ୍ରମଗୁଡ଼ିକ ଉଭୟ ଲାଭ ଏବଂ ସାମାଜିକ ଲାଭ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କର୍ମଚାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ବିଦ୍ୟୁତ ସେବା ପହଁଚି ନଥିବା ଗ୍ରାମରେ ବିଦ୍ୟୁତ ସଂଯୋଗ, ଗରିବ ଲୋକମାନଙ୍କୁ ଏଲପିଜି ସଂଯୋଗ ଭଳି ସରକାରଙ୍କ ବୃହତ ଲକ୍ଷ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କର୍ମଚାରୀଙ୍କ କଠିନ ପରିଶ୍ରମ ବିନା ସମ୍ଭବ ହୋଇପାରିନଥା’ନ୍ତା ।

ଅତୀତର ସଫଳତାକୁ ନେଇ ଉଲ୍ଲସିତ ହେବା ଯଥେଷ୍ଟ ନୁହେଁ, ବରଂ ବୃଦ୍ଧି ପାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ କହିଥିଲେ ଯେ ବିଂଶ ଶତାବ୍ଦୀରେ ଉଦ୍ୟୋଗ ଏବଂ ଉଦ୍ଭାବନ ମାର୍ଗଦର୍ଶୀ ନୀତି ହେବା ଆବଶ୍ୟକ । ସେ କହିଥିଲେ ଯେ ପ୍ରୋତ୍ସାହନ, ପରିକଳ୍ପନା ଏବଂ ସଂସ୍ଥା ନିର୍ମାଣ ସଫଳତାର ତିନୋଟି ଚାବିକାଠି ।

ପ୍ରଯୁକ୍ତି ଏବଂ ପ୍ରକ୍ରିୟାରେ ହେଉଥିବା ପରିବର୍ତ୍ତନ ଜରିଆରେ ନୂତନ ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରାୟତ୍ତ ଉପକ୍ରମଗୁଡ଼ିକୁ ଆହ୍ୱାନ କରିଥିଲେ । ଏଥିପାଇଁ ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ 5-ପି ସୂତ୍ର – ପ୍ରଦର୍ଶନ (Performance), ପ୍ରକ୍ରିୟା (Process), ବ୍ୟକ୍ତି (Persona), କ୍ରୟ (Procurement) ଏବଂ ପ୍ରସ୍ତୁତି (Prepare)ର ଆବଶ୍ୟକତା ରହିଛି ।

ଏହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ ଯେ ପରିଚାଳନାଗତ ଏବଂ ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବା, ପ୍ରକ୍ରିୟାରେ ପାରଦର୍ଶୀତା ଏବଂ ଉତ୍ତରଦାୟିତ୍ୱ ଆଣିବା; ଜିଇଏମ ପ୍ଲାଟଫର୍ମ ଜରିଆରେ ଏବଂ ଏମଏସଏମଏଇଗୁଡ଼ିକଠାରୁ କ୍ରୟ; ଏବଂ କୃତ୍ରିମ ଧୀଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), କ୍ୱାଂଟମ କମ୍ପ୍ୟୁଟିଂ ଏବଂ ରୋବୋଟିକ୍ସ ଭଳି ପ୍ରଯୁକ୍ତିଗତ ଆହ୍ଵାନ/ବାଧା ପାଇଁ ପ୍ରସ୍ତୁତି ହେବାର ଆବଶ୍ୟକତା ରହିଛି ।

ନୂତନ ଭାରତ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ମୁଖରେ ସେ 5ଟି ଆହ୍ୱାନ ରଖିଥିଲେ ।

  • 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ସେମାନଙ୍କ ଭୂ-ରଣନୈତିକ ପହଁଚକୁ ବୃଦ୍ଧି କରିବେ?
  • 2022 ସୁଦ୍ଧା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ଦେଶର ଆମଦାନୀ ଦେୟ ହ୍ରାସ କରିବେ?
  • 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିପରି ନବସୃଜନ ଏବଂ ଗବେଷଣାକୁ ସମନ୍ୱିତ କରିବେ?
  • 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ସିଏସଆର ପାଣ୍ଠିର ସୁବିନିଯୋଗ ଲାଗି ମାର୍ଗଚିତ୍ର/ରୋଡମ୍ୟାପ କ’ଣ ହେବ?
  • 2022 ସୁଦ୍ଧା ଭାରତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦେଶକୁ କେଉଁ ବିକାଶ ମଡେଲ/ଢାଞ୍ଚା ପ୍ରଦାନ କରିବେ?

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର 500ଟି ବୃହତ କମ୍ପାନୀ ମଧ୍ୟରୁ ଏକ ଚତୁର୍ଥାଂଶ କେତେକ ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ଅନ୍ୟ ଦେଶର ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରି ବୈଦେଶିକ ନିବେଶ ଲାଗି ବିସ୍ତୃତ ରଣନୀତି ବିକଶିତ କରିପାରିବେ । ସେ କହିଥିଲେ ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭାରତର ଆମଦାନୀ ଦେୟ କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିବେ । ସିଏସଆଇଆର ଏବଂ ଆଇସିଏଆର ଆଦିରେ ଅତିରିକ୍ତ ସୁବିଧା ସହ ସିପିଏସଇଗୁଡ଼ିକ ନିକଟରେ ଆଧୁନିକ ଗବେଷଣା ଏବଂ ବିକାଶ ଭିତିଭୂମି ରହିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଦ୍ଭାବନ ଏବଂ ଗବେଷଣା ଏବେ ଏକୀକୃତ ହେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, ସିପିଏସଇ ଏବଂ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ବ୍ୟାପକ ସୂଚନା ଆଦାନପ୍ରଦାନ ପାଇଁ ସେ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ସିପିଏସଇଗୁଡ଼ିକର ସିଏସଆର ଖର୍ଚ୍ଚ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ବ୍ୟାପକ ଭାବେ ଲକ୍ଷ୍ୟବଦ୍ଧ ହେବା ଉଚିତ । ଏହି ପରିପ୍ରେକ୍ଷୀରେ, ଶୌଚାଳୟ ନିର୍ମାଣ କ୍ଷେତ୍ରରେ ସିଏସଆର ପାଣ୍ଠିର ବିନିଯୋଗର ସଫଳତା ବିଷୟରେ ସେ ଉଳ୍ଲେଖ କରିଥିଲେ । ଅଭିଳଷିତ ଜିଲ୍ଲାର ବିକାଶ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପାରେ ବୋଲି ସେ କହିଥିଲେ । ସେ କହିଥିଲେ ଯେ ସିପିଏସଇଗୁଡ଼ିକ ଦକ୍ଷତା ବିକାଶକୁ ସିଏସଆରର ଅଂଶବିଶେଷ ସ୍ୱରୂପ ନେଇପାରନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କାଗଜମୁକ୍ତ କାର୍ଯ୍ୟ ସଂସ୍କୃତି, ନଗଦବିହୀନ କାରବାର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ଆଦି କ୍ଷେତ୍ରରେ ସିପିଏସଇଗୁଡ଼ିକ ଆଦର୍ଶ ଭାବେ କାର୍ଯ୍ୟ କରିପାରିବେ ।

ନୂତନ ଭାରତର ସଂକଳ୍ପକୁ ବାସ୍ତବରୂପ ଦେବା ଲାଗି ସିପିଏସଇଗୁଡ଼ିକ ବ୍ୟାପକ ଭାବେ ଯୋଗଦାନ ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।

 

**********