Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ ସୂଚୀରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପ ବର୍ଗୀକରଣ ନିର୍ଦ୍ଧାରଣ ପାଇଁ ଗଠିତ କମିଟିର କାର୍ଯ୍ୟ ଅବଧି ଆଉ ଦୁଇମାସ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମୋହର


 

  • କମିଶନଙ୍କ କାର୍ଯ୍ୟକାଳ ଜୁଲାଇ 31, 2019 ପର୍ଯ୍ୟନ୍ତ ବୃଦ୍ଧି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡ଼ିଏ) ସରକାର ଦେଶର ସମସ୍ତ ବର୍ଗର ଲୋକମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ପାଇଁ ସଂକଳ୍ପବଦ୍ଧ । ଏହି ପ୍ରତିବଦ୍ଧତା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଜାତି/ଗୋଷ୍ଠୀଙ୍କ ସକଳ ପ୍ରକାର ହିତସାଧନ ଓ ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଭାରତ ସମ୍ବିଧାନର ଧାରା 340 ଅନୁସାରେ ଏକ କମିଶନ ଗଠନ କରାଯାଇଥିଲା । କେନ୍ଦ୍ରୀୟ ତାଲିକାରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପ ବର୍ଗୀକରଣ ପ୍ରସଙ୍ଗକୁ ତର୍ଜମା କରି ଦେଖିବା ନିମନ୍ତେ ଏହି କମିଶନଙ୍କୁ ଦାୟିତ୍ୱ ଦିଆ ଯାଇଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ସୂଚୀରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପ ବର୍ଗୀକରଣ ନିର୍ଦ୍ଧାରଣ ପାଇଁ ଗଠିତ କମିଟିର କାର୍ଯ୍ୟ ଅବଧି ଆଉ ଦୁଇମାସ ବୃଦ୍ଧି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଫଳରେ ଏବେ ଏହି କମିଶନଙ୍କ କାର୍ଯ୍ୟକାଳ ଜୁଲାଇ 31, 2019 ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

କମିଶନଙ୍କ କାର୍ଯ୍ୟ ଅବଧିରେ ଏହାକୁ ମିଶାଇ ଛଅଥର ବୃଦ୍ଧି ଘଟାଯାଇଛି । ଏହି କମିଶନଙ୍କ କାର୍ଯ୍ୟକାଳ ମେ 31,2019 ରେ ଶେଷ ହେବାର ଥିଲା ।

ପ୍ରଭାବ: ଏହି କାର୍ଯ୍ୟ ଅବଧିର ସୀମା ବୃଦ୍ଧି କରାଯିବା ଦ୍ୱାରା କେନ୍ଦ୍ରୀୟ ସୂଚୀରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପ ବର୍ଗୀକରଣ ନିର୍ଦ୍ଧାରଣ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରାଯାଇପାରିବ । ଏଥିପାଇଁ ବିଭିନ୍ନ ହିତଧାରକମାନଙ୍କ ସହ ବ୍ୟାପକ ଆଲୋଚନା କରାଯାଇପାରିବ । ଫଳରେ କମିଶନ ତାଙ୍କର ବିସ୍ତୃତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିପାରିବେ ।

କେନ୍ଦ୍ରୀୟ ସୂଚୀରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପ ବର୍ଗୀକରଣ ନିର୍ଦ୍ଧାରଣ ପାଇଁ 2017 ଅକ୍ଟୋବର 2 ତାରିଖ ଦିନ ଏକ କମିଶନ ଗଠନ କରାଯାଇଥିଲା । ଏହି କମିଶନ ଜଷ୍ଟିସ  (ଅବସରପ୍ରାପ୍ତ) ଶ୍ରୀମତୀ ରୋହିଣୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା । 2017 ଅକ୍ଟୋବର ମାସରୁ କମିଶନ ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଏଯାବତ୍‌ ଦେଶର ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ କ୍ଷେତ୍ର ଯେଉଁମାନେକି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଉପ ବର୍ଗୀକରଣ ପ୍ରକ୍ରିୟା ସଂପାଦନ କରିଛନ୍ତି ଓ ରାଜ୍ୟ ପଛୁଆ ବର୍ଗ କମିଶନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । କମିଶନଙ୍କ ମତରେ ପୂର୍ବରୁ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଆଲୋଚନା ପତ୍ର ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ କ୍ଷେତ୍ରର ସରକାରମାନଙ୍କ ସହ ଆହୁରି ବିସ୍ତୃତ ଆଲୋଚନାର ଅବସର ରହିଛି ଯାହାକି ଯଥାର୍ଥ । ଏହା ଫଳରେ ଯେପରି କୌଣସି ଯୋଗ୍ୟ ଗୋଷ୍ଠୀ ଏହି ଉପ ବର୍ଗୀକରଣ ତାଲିକାରୁ ବାଦ୍‌ ପଡ଼ିନଯିବେ ଓ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନହେବେ ତାହା ସୁନିଶ୍ଚିତ କରାଯାଇପାରିବ ।ଏହି ପ୍ରକ୍ରିୟା ସଂପାଦନ କରିବାକୁ ଆଉ କିଛି ମାସ ସମୟ ଲାଗିବ ।

ଏହି ଦିଗକୁ ଦୃଷ୍ଟିରେ ରଖି, କମିଶନ ଏହାଙ୍କ କାର୍ଯ୍ୟ ଅବଧି ଆଉ ଦୁଇ ମାସ ବୃଦ୍ଧି କରିବା ସକାଶେ ଅନୁମତି ମାଗିଥିଲେ ଅର୍ଥାତ୍‌, ଜୁଲାଇ 31, 2019 ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ସରକାର ଏବେ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

 

**************