ପିଏମଇଣ୍ଡିଆ
କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଆଉ ଏକ କିସ୍ତିର ଅତିରିକ୍ତ 1 ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସେହିପରି କେନ୍ଦ୍ର ପେନସନଭୋଗୀମାନଙ୍କ ପାଇଁ ମଧ୍ୟ ଅତିରିକ୍ତ 1 ପ୍ରତିଶତ ମହଙ୍ଗା ରିଲିଫ ମିଳିବ । ଏହା 1 ଜୁଲାଇ 2017ରୁ ପିଛିଲା ଭାବେ ଲାଗୁ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ଅନୁଯାୟୀ ଏହି ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ/ ପେନସନଭୋଗୀମାନଙ୍କୁ 4 ପ୍ରତିଶତ ମହଙ୍ଗା ଭତ୍ତା / ରିଲିଫ ମିଳୁଥିବା ବେଳେ ଅତିରିକ୍ତ କିସ୍ତି ଯୋଗୁଁ ଏହା 5 ପ୍ରତିଶତକୁ ବୃଦ୍ଧି ପାଇବ ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ ପ୍ରଦାନ କାରଣରୁ ସରକାରୀ ରାଜକୋଷ ଉପରେ ବାର୍ଷିକ ମୋଟ 3068.26 କୋଟି ଟଙ୍କା ଏବଂ ଆର୍ଥିକ ବର୍ଷ 2017-18 (ଜୁଲାଇ 2017 ଠାରୁ ଫେବୃଆରୀ 2018 ପର୍ଯ୍ୟନ୍ତ 8 ମାସର ଅବଧି ନିମନ୍ତେ)ରେ 2045.50 କୋଟି ଟଙ୍କାର ବ୍ୟୟଭାର ପଡ଼ିବ । ଏହାଦ୍ୱାରା 49.26 ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ 61.17 ଲକ୍ଷ କେନ୍ଦ୍ର ପେନସନଭୋଗୀ ଲାଭାନ୍ୱିତ ହେବେ ।