ପିଏମଇଣ୍ଡିଆ
ସର୍ବପ୍ରଥମେ ମୁଁ ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତି ଏଥିପାଇଁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି ଯେ ଆପଣମାନେ ସମୟ ବାହାର କଲେ ଏବଂ ଅତ୍ୟନ୍ତ ଗମ୍ଭୀରତାର ସହିତ ନିଜର ମତାମତ ରଖିଲେ। ବର୍ତ୍ତମାନ ସୁଦ୍ଧା ଯେଉଁ ଚର୍ଚ୍ଚା ହେଲା, ଆଲୋଚନା ହେଲା, ସେଥିରେ ରାଜ୍ୟ ସରକାର ସମ୍ପୃକ୍ତ ରହିଲେ, ଅଧିକାରୀମାନେ ମଧ୍ୟ ସମ୍ପୃକ୍ତ ରହିଲେ। ଏହାର ଅନୁଭୂତି ଏବଂ ସାରା ବିଶ୍ୱର ଅନୁଭୂତିକୁ ଆଦାନପ୍ରଦାନ କରିବା ଲାଗି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବିଶେଷ ଅନୁଭୂତି ରହିଥିବା ମୁଁ ଅନୁଭବ କରିଥାଏ।
ସାର୍ବଜନୀନ ଜୀବନରେ କାମ କରୁଥିବା ଲୋକଙ୍କର ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ ରହିଥାଏ। ତେଣୁ ଏସବୁ କ୍ଷେତ୍ରରେ ଆପଣମାନଙ୍କର ପରାମର୍ଶ ମିଳୁ ବୋଲି ମୁଁ ଚାହୁଁଛି। ଯଦି ସମ୍ଭବ ହେଉଛି, ଆପଣ ଯଥାଶୀଘ୍ର ଆପଣଙ୍କର ପରାମର୍ଶ ଲିଖିତ ଆକାରରେ ଦେବେ ବୋଲି ମୋର ଆପଣମାନଙ୍କୁ ଅନୁରୋଧ। ଆଜି ମଧ୍ୟ ଆପଣମାନେ କେତେକ ଭଲ ପ୍ରସଙ୍ଗ ଉଠାଇଛନ୍ତି, କ’ଣ କରିବା ଉଚିତ ସେପରି ପରାମର୍ଶ ଦେଇଛନ୍ତି, ଏହାଠାରୁ ଅଧିକ କିଛି ପରାମର୍ଶ ଥିବ। ସେସବୁ ମିଶିଗଲେ ଆମକୁ ଆମର ରଣନୀତି କାର୍ଯ୍ୟକାରୀ କରିବାରେ ସୁବିଧା ହେବ। ଏହାକୁ କେହି କାହା ଉପରେ ଲଦି ଦେବେ ନାହିଁ । ଭାରତ ସରକାର ନିଷ୍ପତ୍ତି ନେଇଯିବେ ଆମେ ଏହାର କରିବୁ ବୋଲି ଏବଂ ରାଜ୍ୟ ସରକାର ତାହା କରିବେ ଏପରି ହୋଇପାରିବ ନାହିଁ । ଆମ ସମସ୍ତଙ୍କୁ ଏହାକୁ ଆଗେଇ ନେବାକୁ ହେବ । ସେଥିପାଇଁ ସମସ୍ତଙ୍କ ପ୍ରସ୍ତାବର ବିଶେଷ ଗୁରତ୍ୱ ରହିଛି ।
କରୋନା ସଂକ୍ରମଣ ସହ ଜଡ଼ିତ ଉପସ୍ଥାପନା ଦିଆଗଲା, ସେଥିରୁ ମଧ୍ୟ ଅନେକ ସୂଚନା ଆଗକୁ ଆସିଛି । ଆଜି ପ୍ରାରମ୍ଭରୁ ମୁଁ କେତେ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲି ଯେଉଁଠି ସ୍ଥିତି ଅଧିକ ବିଗିଡ଼ି ଯାଇଛି । ଟୀକା ପ୍ରସଙ୍ଗରେ, ଟୀକାର ସ୍ଥିତି ଏବଂ ବିତରଣକୁ ନେଇ ମଧ୍ୟ ଯେଉଁସବୁ ଚର୍ଚ୍ଚା ହେଉଛି, ଗଣମାଧ୍ୟମରେ ଯେଉଁ ସବୁ ଖବର ଆସୁଛି ତା’ଠାରୁ ବାସ୍ତବତା ଭିନ୍ନ । ଆମକୁ ଏସବୁ ପ୍ରସଙ୍ଗ ବିଶ୍ୱସନୀୟ ଭାବେ ଆଗକୁ ବଢ଼ାଇବାକୁ ପଡ଼ିବ କାରଣ ଆମେ ସିଷ୍ଟମର ଅଂଶବିଶେଷ । ତଥାପି ଚିତ୍ର ଯଥେଷ୍ଟ ସ୍ପଷ୍ଟ ହୋଇପାରିଛି ।
ଏପରି ଏକ ସମୟ ଥିଲା ଯେତେବେଳେ ଆମ ସମସ୍ତଙ୍କ ସମ୍ମୁଖରେ ଏକ ଅଜଣା ଶକ୍ତି ବିରୋଧରେ ଲଢ଼ିବାର ଆହ୍ୱାନ ରହିଥିଲା । କିନ୍ତୁ ଦେଶର ସଂଗଠିତ ପ୍ରୟାସ ଏହି ଆହ୍ୱାନର ମୁକାବିଲା କଲା, କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିପାରିଲା ।
ଆଜି ଆରୋଗ୍ୟ ହାର ଓ ମୃତ୍ୟୁ ହାର, ଉଭୟ ମାମଲାରେ ଭାରତ ଅଧିକାଂଶ ଦେଶ ଠାରୁ ଅତ୍ୟନ୍ତ ନିୟନ୍ତ୍ରିତ ସ୍ଥିତିରେ ରହିଛି । ଆମ ସମସ୍ତଙ୍କ ଅବିରାମ ପ୍ରୟାସ ଫଳରେ ଦେଶରେ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ଏକ ବହୁତ ବଡ଼ ନେଟୱର୍କ ଆଜି କାମ କରୁଅଛି । ଏହି ନେଟୱର୍କକୁ ଲଗାତାର ବିସ୍ତାରିତ ମଧ୍ୟ କରାଯାଉଛି ।
ପିଏମ କେୟାର୍ସ ମାଧ୍ୟମରେ ଅକ୍ସିଜେନ ଓ ଭେଣ୍ଟିଲେଟର୍ସ ଉପଲବ୍ଧ କରାଇବା ଲାଗି ବିଶେଷ ଗୁରୁତ୍ୱାରୋପ କରାଯାଉଛି । ଦେଶର ମେଡ଼ିକାଲ କଲେଜ ଏବଂ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଅକ୍ସିଜେନ ଜେନେରେସନ ମାମଲାରେ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରୟାସ କରାଯାଉଛି । ସେଥିପାଇଁ ଏବେ 160ରୁ ଅଧିକ ନୂଆ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇସାରିଲାଣି । ପିଏମ କେୟାର୍ସ ଫଣ୍ଡରୁ ଦେଶର ଭିନ୍ନ ଭିନ୍ନ ଡାକ୍ତରଖାନାକୁ ହଜାର ହଜାର ସଂଖ୍ୟାରେ ନୂଆ ଭେଣ୍ଟିଲେଟର ଯୋଗାଣ ମଧ୍ୟ ସୁନିଶ୍ଚିତ କରାଯାଇଛି । ଭେଣ୍ଟିଲେଟର ଲାଗି ପିଏମ କେୟାର୍ସ ଫଣ୍ଡରୁ 2 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇସାରିଛି ।
ବନ୍ଧୁଗଣ,
କରୋନା ମୁକାବିଲାରେ ବିଗତ 8–10 ମାସର ଅଭିଜ୍ଞତା ପରେ ଦେଶ ନିକଟରେ ଯଥେଷ୍ଟ ପରିମାଣରେ ଡାଟା ରହିଛି । କରୋନା ମ୍ୟାନେଜମେଣ୍ଟକୁ ନେଇ ଏକ ବ୍ୟାପକ ଅଭିଜ୍ଞତା ରହିଛି । ଆଗକୁ ରଣନୀତି ପ୍ରସ୍ତୁତି ସମୟରେ ଆମକୁ ବିଗତ କିଛି ମାସ ଧରି ଦେଶବାସୀ, ଆମ ସମାଜର ପ୍ରତିକ୍ରିୟା ବେଶ କାମରେ ଆସିବ । ଆମ ସମସ୍ତଙ୍କୁ ଏହାକୁ ବୁଝିବାକୁ ହେବ ବୋଲି ମୁଁ ଭାବୁଛି । କରୋନା ସମୟରେ ଭାରତବାସୀଙ୍କ ବ୍ୟବହାର ଦେଖନ୍ତୁ । ଏହା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଥିଲା ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଥିଲା ।
ମୋଟାମୋଟି ଭାବେ ଦେଖିଲେ ପ୍ରଥମ ପର୍ଯ୍ୟାୟରେ ବେଶ ଡର ଲାଗୁଥିଲା, ଭୟ ଥିଲା, କାହାରିକୁ କିଛି ବୁଝା ପଡ଼ୁନଥିଲା। କାହା ସହିତ କ’ଣ ହୋଇଯିବ। ସାରା ବିଶ୍ୱରେ ମଧ୍ୟ ଏପରି ପରିସ୍ଥିତି ଥିଲା। ଯେକେହି ଭୟଭୀତ ଥିଲା ଏବଂ ସେହି ଅନୁଯାୟୀ ସମସ୍ତେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ । ଆମେ ଦେଖିଲୁ ଯେ ଆରମ୍ଭରେ ଆତ୍ମହତ୍ୟା ଭଳି ଘଟଣା ଘଟିଲା । କରୋନା ହେବାରୁ କିଛି ଲୋକ ଆତ୍ମହତ୍ୟା କରୁଥିବା ଆମେ ଦେଖିଲୁ ।
ଏହାପରେ ଧୀରେ ଧୀରେ ଦ୍ୱିତୀୟ ପର୍ଯ୍ୟାୟ ଆସିଲା। ଦ୍ୱିତୀୟ ପର୍ଯ୍ୟାୟରେ ଲୋକମାନଙ୍କ ମନରୁ ଭୟ ଏବଂ ଅନ୍ୟମାନଙ୍କ ପାଇଁ ରହିଥିବା ସନ୍ଦେହ ଯୋଡ଼ି ହୋଇଗଲା। ସେମାନଙ୍କୁ ଲାଗିଲା ଯେ ଜଣଙ୍କୁ କରୋନା ହେଲା ମାନେ ଗମ୍ଭୀର ମାମଲା, ଦୂରେଇ ଯାଅ । ଏକ ପ୍ରକାରରେ ଘରେ ମଧ୍ୟ ଘୃଣାର ପରିବେଶ ଦେଖାଦେଲା। ରୋଗ କାରଣରୁ ସମାଜରୁ ବାସନ୍ଦ ହେବାର ଭୟ ଲୋକମାନଙ୍କୁ ଗୋଡ଼ାଇଲା । ଏହି କାରଣରୁ କରୋନା ହୋଇଥିବା ସତ୍ତ୍ୱେ କିଛି ଲୋକ ସଂକ୍ରମଣକୁ ଲୁଚାଇଲେ । ସେମାନଙ୍କୁ ଲାଗିଲା ଯେ ଏକଥା କହିବା ଅନୁଚିତ, ନଚେତ ସମାଜରୁ ବାସନ୍ଦ ହୋଇଯିବୁ । ମାତ୍ର ସେଥିରୁ ମଧ୍ୟ ଲୋକମାନେ ଧୀରେ ଧୀରେ ବୁଝିବାକୁ ଲାଗିଲେ, ଏଥିରୁ ବାହାରକୁ ବାହାରିଲେ ।
ଏହାପରେ ଆସିଲା ତୃତୀୟ ପର୍ଯ୍ୟାୟ । ତୃତୀୟ ପର୍ଯ୍ୟାୟରେ ଲୋକମାନେ ଯଥେଷ୍ଟ ସଚେତନ ହେଲେ । ଏବେ ସଂକ୍ରମଣକୁ ସ୍ୱୀକାର ମଧ୍ୟ କଲେ ଏବଂ ପ୍ରକାଶ ମଧ୍ୟ କଲେ ଯେ ମୋତେ ଏପରି କଷ୍ଟ ହେଉଛି, ମୁଁ ନିଜକୁ ଆଇସୋଲେସନରେ ରଖୁଛି, ମୁଁ କ୍ୱାରେଣ୍ଟାଇନରେ ରହୁଛି, ଆପଣମାନେ ମଧ୍ୟ ରୁହନ୍ତୁ । ଅର୍ଥାତ ଏକପ୍ରକାରରେ ଲୋକମାନେ ମଧ୍ୟ ଆପେ ଆପେ ବୁଝିବାକୁ ଲାଗିଲେ ।
ଦେଖନ୍ତୁ ଆପଣମାନେ ମଧ୍ୟ ଦେଖୁଥିବେ ଯେ ଲୋକମାନଙ୍କ ମଧ୍ୟରେ ଅଧିକ ଗମ୍ଭୀରତା ମଧ୍ୟ ଆସିଲାଣି । ଲୋକମାନେ ଏବେ ସଚେତନ ମଧ୍ୟ ହେଲେଣି । ତୃତୀୟ ପର୍ଯ୍ୟାୟ ପରେ ଆମେ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛୁ। ଯେତେବେଳେ କରୋନାରୁ ଆରୋଗ୍ୟ ହାର ବଢ଼ିଛି । ଲୋକମାନଙ୍କୁ ଲାଗୁଛି ଏହି ଭୂତାଣୁ ସେତେଟା କ୍ଷତି ପହଞ୍ଚାଉ ନାହିଁ, ଏହା ଦୁର୍ବଳ ହେବାରେ ଲାଗିଛି । ଅନେକ ଲୋକ ଏହା ମଧ୍ୟ ଭାବୁଛନ୍ତି ଯଦି ରୋଗ ହେଉଛି ତା’ହେଲେ ଭଲ ମଧ୍ୟ ହୋଇଯିବ ।
ଏହି କାରଣରୁ ଅବହେଳାର ଏହି ସ୍ତର ମଧ୍ୟ ଅତ୍ୟନ୍ତ ବ୍ୟାପକ ହୋଇଯାଛି । ସେଥିପାଇଁ ମୁଁ ଆମ ପାର୍ବଣ ଆରମ୍ଭରେ, ବିଶେଷ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ, ସମସ୍ତଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରିଥିଲି, ଅବହେଳା କରନ୍ତୁ ନାହିଁ କାରଣ ଟିକା ଓ ଔଷଧ ଆମ ପାଖରେ ନାହିଁ । ଏବେ ଆମ ପାଖରେ ଗୋଟିଏ ରାସ୍ତା ଅଛି । ଆମେ ସମସ୍ତେ ନିଜକୁ ହିଁ ବଞ୍ଚାଇବା । ଆମେ ଯେଉଁ ଭୁଲ କରିଛୁ, ତାହା ଏକ ବିପଦ ହୋଇଯାଇଛି, ଅବହେଳା ଖୁବ ଅଧିକ ହୋଇଯାଇଛି ।
ଏହି ଚତୁର୍ଥ ପର୍ଯ୍ୟାୟରେ ଲୋକମାନଙ୍କୁ କରୋନାର ଗମ୍ଭୀରତା ପ୍ରତି ପୁଣିଥରେ ସଚେତନ ହେବାକୁ ପଡ଼ିବ । ଆମେ ଟୀକା ପ୍ରସ୍ତୁତିରେ ଲାଗିଛୁ, ଯାହାର ଯେଉଁ କାମ କରିବୁ । ଆମକୁ କରୋନା ଉପରେ ଫୋକସ କରିବାକୁ ହେବ । କୌଣସି ପରିସ୍ଥିତିରେ ମଧ୍ୟ ଆମେ ଅବହେଳା କରିବା ନାହିଁ । ହଁ ଆରମ୍ଭରୁ କିଛି ବନ୍ଧନ ଏଥିପାଇଁ ଲାଗୁ କରିବାକୁ ପଡ଼ିଥିଲା ଯଦ୍ଦ୍ୱାରା ବ୍ୟବସ୍ଥା ବିକଶିତ ହୋଇପାରିବ । ଲୋକମାନଙ୍କୁ ସଚେତନ ମଧ୍ୟ କରିବାର ଥିଲା । ଏବେ ଆମ ପାଖରେ ଟିମ ପ୍ରସ୍ତୁତ ହୋଇ ଅଛନ୍ତି, ଲୋକମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସାମାନ୍ୟ ଇଚ୍ଛା ରହିଲେ ସବୁକିଛି ନିୟନ୍ତ୍ରିତ ହୋଇପାରିବ । ଯାହା ଆମେ ପ୍ରସ୍ତୁତ କରିବା ତା’କୁ ସେହିପରି ଭାବେ କାର୍ଯ୍ୟକାରୀ କରିବା । ଆଗକୁ ବଢ଼ିବା ସମୟରେ ଆମକୁ ଏହା ଧ୍ୟାନରେ ରଖିବାକୁ ପଡ଼ିବ ଯେ କୌଣସି ଗଡ଼ବଡ଼ ଯେମିତି ନହୁଏ ।
ବିପତ୍ତିର ଗଭୀର ସମୁଦ୍ରରୁ ବାହାରି ଆମେ କୂଳ ଆଡ଼କୁ ଯାଉଛୁ । ଆମ ସମସ୍ତଙ୍କ କ୍ଷେତ୍ରରେ ପୁରୁଣା ଯେଉଁ ଢଗଢମାଳି ରହିଛି ତାହା ନଘଟୁ ।
ହମାରୀ କିସ୍ତି ଭୀ
ୱହାଁ ଡୁବି ଜହଁ ପାନୀ କମ ଥା ।
(ଆମର ଡଙ୍ଗା ମଧ୍ୟ ସେଇଠି ବୁଡ଼ିଲା ଯେଉଁଠି ପାଣି କମ ଥିଲା)
ଏପରି ସ୍ଥିତି ନଆସୁ ଆମକୁ ସେଥିପ୍ରତି ଧ୍ୟାନ ରଖିବାକୁ ହେବ ।
ବନ୍ଧୁଗଣ,
ଆଜି ଆମେ ସାରା ବିଶ୍ୱରେ ଦେଖୁଛୁ ଯେ ଯେଉଁସବୁ ଦେଶରେ କରୋନା କମିଥିଲା, ସେଠାରେ ପୁଣି କିଭଳି ଭାବେ ସଂକ୍ରମଣ ବ୍ୟାପୁଛି ତାହାର ସମ୍ପୂର୍ଣ୍ଣ ଚାର୍ଟ ନିକଟରେ ଆପଣମାନେ ଦେଖିଲେ । ଆମ ଦେଶରେ ମଧ୍ୟ କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ସେଥିପାଇଁ ଆମ ସମସ୍ତଙ୍କୁ, ଶାସନ ଓ ପ୍ରଶାସନକୁ ପୂର୍ବାପେକ୍ଷା ଅଧିକ ସଚେତନ, ସତର୍କ ରହିବାର ଆବଶ୍ୟକତା ରହିଛି । ସଂକ୍ରମଣ କମ କରିବା ଲାଗି ଆମକୁ ଆମ ପ୍ରୟାସକୁ ଆହୁରି ବଢ଼ାଇବାକୁ ହେବ । ପରୀକ୍ଷଣ, ଚିହ୍ନଟ, କଣ୍ଟାକ୍ଟ ଟ୍ରେସିଂ ଏବଂ ଡାଟା ସହ ଜଡ଼ିତ ଯେକୌଣସି ପ୍ରକାରର ସମସ୍ୟାକୁ ଆମକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେଗୁଡ଼ିକୁ ଠିକ କରିବାକୁ ପଡ଼ିବ । ପଜିଟିଭ ହାରକୁ 5% ପରିଧି ମଧ୍ୟକୁ ଆଣିବାକୁ ହେବ ଏବଂ ଛୋଟ ଛୋଟ ୟୁନିଟଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । କାହିଁକି ବଢ଼ିଲା, କେତେ ବଢ଼ିଲା ସେସବୁ ପ୍ରତି ଦୃଷ୍ଟି ଦେବାକୁ ହେବ । ରାଜ୍ୟଗୁଡ଼ିକ ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ସ୍ଥାନୀୟ ସ୍ଥିତିକୁ ଦେଖି ଚର୍ଚ୍ଚା କଲେ ହୁଏତ ଆମେ ସମସ୍ୟାକୁ ଶୀଘ୍ର ସମାଧାନ କରିପାରିବା ।
ଆହୁରି ଆମେ ସମସ୍ତେ ଏହା ଅନୁଭବ କରିଛୁ ଯେ ଆର୍ଟିଫିସିଆଲ ଟେଷ୍ଟ ଅନୁପାତ ଆମକୁ ବଢ଼ାଇବାକୁ ହେବ। ଯେଉଁମାନେ ଘରେ ଆଇସୋଲେଟେଡ ରୋଗୀ ଅଛନ୍ତି, ସେମାନଙ୍କ ମନିଟରିଂ ମଧ୍ୟ ଖୁବ ଉନ୍ନତ ଢଙ୍ଗରେ କରିବାକୁ ହେବ । ଆପଣମାନେ ଜାଣନ୍ତି ଯେ ଏହି କ୍ଷେତ୍ରରେ ଅବହେଳା କଲେ ରୋଗୀମାନେ ଖୁବ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆସିଥାନ୍ତି ଏବଂ ଆମେ ତାଙ୍କୁ ବଞ୍ଚାଇ ପାରିନଥାଉ । ଗ୍ରାମ ଏବଂ ଗୋଷ୍ଠୀ ସ୍ତରରେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି, ସେଗୁଡ଼ିକୁ ମଧ୍ୟ ଅଧିକ ସୁବିଧାଜନକ କରିବାକୁ ହେବ । ଗାଁ ପାଖରେ ଭିତ୍ତିଭୂମି ଠିକ ରହୁ, ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଯୋଗାଣ ହେଉ, ଆମକୁ ସେଥିପ୍ରତି ଧ୍ୟାନ ଦେବାକୁ ହେବ ।
ମୃତ୍ୟୁ ହାରକୁ 1 ପ୍ରତିଶତ ତଳକୁ ଆଣିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଯେମିତି ମୁଁ ପୂର୍ବରୁ କହିଛି ଯେ ଛୋଟ ଛୋଟ ଅଞ୍ଚଳରେ ଯଦି ମୃତ୍ୟୁ ଘଟଣା ଘଟିଛି ତା’ହେଲେ କାହିଁକି ଘଟିଛି । ଯେତେ ଅଧିକ ଫୋକସ କରିବା, ସ୍ଥିତି ସେତିକି ନିୟନ୍ତ୍ରିତ ହେବ । କରୋନାରୁ ସୁରକ୍ଷିତ ରହିବା ଲାଗି ଯାହା ଜରୁରି ବାର୍ତ୍ତା, ସେଥିପ୍ରତି ସମାଜକୁ ଯୋଡ଼ି ରଖିବାକୁ ହେବ । କିଛି ଦିନ ପୂର୍ବରୁ ପ୍ରତ୍ୟେକ ସଂଗଠନ, ପ୍ରତ୍ୟେକ ପ୍ରଭାବୀ ବ୍ୟକ୍ତିଙ୍କୁ ଆମେ ସମ୍ପୃକ୍ତ କରିଥିଲୁ, ସେମାନଙ୍କୁ ପୁଣିଥରେ ଆକ୍ଟିଭ କରିବାକୁ ହେବ ।
ସାଥୀଗଣ,
ଆପଣମାନେ ଭଲ ଭାବେ ଜାଣନ୍ତି ଯେ କରୋନା ଟିକାକୁ ନେଇ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ କିଭଳି ଖବର ସବୁ ଆସୁଛି । ଆଜି ଦେଶ ଏବଂ ଦୁନିଆରେ ଟୀକା ଗବେଷଣା ଓ ପରୀକ୍ଷଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି, ଯାହାକି ଆପଣ ବିସ୍ତୃତ ଭାବେ ଏବେ ପ୍ରେଜେଣ୍ଟେସନରେ ଦେଖିଲେ। ଭାରତ ସରକାର ପ୍ରତ୍ୟେକ ଘଟଣାକ୍ରମ ଉପରେ ଖୁବ ସତର୍କ ଦୃଷ୍ଟି ରଖିଛନ୍ତି, ଆମ ସମସ୍ତଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଛୁ । ଟୀକାର ଏକ, ଦୁଇ କିମ୍ବା ତିନି କେତୋଟି ଡୋଜ ଦିଆଯିବ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏହାର ମୂଲ୍ୟ କେତେ ରହିବ ତାହା ମଧ୍ୟ ଠିକ ହୋଇନାହିଁ ।
ଅର୍ଥାତ ଏବେ ସୁଦ୍ଧା ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିନାହିଁ । କାରଣ ଏହାର ନିର୍ମାତାମାନଙ୍କ ମଧ୍ୟରେ ବିଶ୍ୱର କର୍ପୋରେଟ ୱାର୍ଲ୍ଡ ଭଳି ପ୍ରତିଯୋଗିତା ଦେଖିବାକୁ ମିଳୁଛି । ବିଶ୍ୱର ବିଭିନ୍ନ ଦେଶର ନିଜ ନିଜ କୂଟନୈତିକ ସ୍ୱାର୍ଥ ମଧ୍ୟ ରହିଛି । ଡବ୍ଲୁଏଚଓ ଠାରୁ ମଧ୍ୟ ଆମକୁ ପରାମର୍ଶ ନେବାକୁ ପଡ଼ିଥାଏ । ତେଣୁ ଏସବୁ କଥାକୁ ଆମକୁ ବୈଶ୍ୱିକ ସନ୍ଦର୍ଭରେ ଆଗକୁ ବଢ଼ାଇବାକୁ ହେବ । ଆମେ ଭାରତୀୟ ଟୀକା ବିକାଶକାରୀ ଏବଂ ଉତ୍ପାଦନକାରୀଙ୍କ ସହିତ ମଧ୍ୟ ଯୋଗାଯୋଗରେ ରହିଛୁ । ଏହାବ୍ୟତୀତ ବୈଶ୍ୱିକ ନିୟନ୍ତ୍ରକ, ଅନ୍ୟ ଦେଶର ସରକାର, ବହୁପକ୍ଷୀୟ ସଂସ୍ଥାନ ସହିତ ଅନ୍ତର୍ଜାତୀୟ କମ୍ପାନୀ, ସମସ୍ତଙ୍କ ସହିତ ଯେତେ ଅଧିକ ସମ୍ପର୍କ ସ୍ଥାପନ କରାଯାଇପାରିବ, ନିୟମିତ ଯୋଗାଯୋଗ କରାଯାଇପାରିବ, ସେଥିପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରାଯାଉଛି । ଏକ ବ୍ୟବସ୍ଥା କରାଯାଇଛି ।
ସାଥୀଗଣ,
କରୋନା ମୁକାବିଲା ପ୍ରାରମ୍ଭରେ ଆମେ ପ୍ରତ୍ୟେକ ଦେଶବାସୀଙ୍କ ଜୀବନ ବଞ୍ଚାଇବା ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ । ଏବେ ଟୀକା ଆସିବା ପରେ ଆମର ପ୍ରୟାସ ହେବ ସମସ୍ତଙ୍କ ନିକଟରେ ଟୀକା କିଭଳି ଭାବେ ପହଞ୍ଚିବ, ଏଥିରେ କୌଣସି ବିବାଦର ପ୍ରଶ୍ନ ହିଁ ଉଠୁନାହିଁ । କିନ୍ତୁ କରୋନା ଟୀକା ସହ ଜଡ଼ିତ ଭାରତର ଅଭିଯାନ, ଆମର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ପ୍ରକାରର ଜାତୀୟ ପ୍ରତିବଦ୍ଧତା ଭଳି । ଏତେ ବଡ଼ ଟୀକାକରଣ ଅଭିଯାନ ସହଜ ହେଉ, ବ୍ୟବସ୍ଥିତ ହେଉ ଏବଂ ଦୀର୍ଘସ୍ଥାୟୀ ହେଉ । ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବ, ଏଥିପାଇଁ ଆମ ସମସ୍ତଙ୍କୁ, ପ୍ରତ୍ୟେକ ସରକାରଙ୍କୁ, ପ୍ରତ୍ୟେକ ସଂଗଠନକୁ ଏକଜୁଟ ହୋଇ ସମନ୍ୱୟ ସ୍ଥାପନ କରି ଦଳଗତ ଭାବେ କାମ କରିବାକୁ ହେବ ।
ସାଥୀଗଣ,
ଟୀକା କ୍ଷେତ୍ରରେ ଭାରତ ନିକଟରେ ଯେତିକି ଅଭିଜ୍ଞତା ରହିଛି, ବିଶ୍ୱର ବଡ଼ ବଡ଼ ଦେଶ ନିକଟରେ ମଧ୍ୟ ନାହିଁ ।
ଆମ ପାଇଁ ଗତି ଯେତେ ଆବଶ୍ୟକ, ନିରାପତ୍ତା ମଧ୍ୟ ସେତିକି ଆବଶ୍ୟକ । ଭାରତ ଯେଉଁ ଟୀକା ନିଜର ନାଗରିକମାନଙ୍କୁ ପ୍ରଦାନ କରିବ, ତାହା ବୈଜ୍ଞାନିକ ପ୍ରାମାଣିକତାର ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବ । ଟୀକା ବିତରଣ ପ୍ରସଙ୍ଗରେ ଆପଣମାନଙ୍କର ସମସ୍ତ ରାଜ୍ୟଗୁଡ଼ିକ ସହିତ ମିଶି କାର୍ଯ୍ୟ କରାଯାଉଛି ।
ଟୀକା ପ୍ରାଥମିକତା ଆଧାରରେ କିପରି ଭାବେ ଦିଆଯିବ, ଏହା ରାଜ୍ୟଗୁଡ଼ିକ ସହିତ ମିଶି ଏକ ମୋଟାମୋଟି ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଆମେ ଡବ୍ଲୁଏଚଓର ପରାମର୍ଶ ଅନୁଯାୟୀ ଚାଲିଲେ ଠିକ ହେବ । କିନ୍ତୁ ଶେଷରେ ଏହି ନିଷ୍ପତ୍ତି ଆମ ସମସ୍ତଙ୍କୁ ନେବାକୁ ହେବ । ପ୍ରତ୍ୟେକ ରାଜ୍ୟର ପରାମର୍ଶ ଏଥିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନଙ୍କ ରାଜ୍ୟରେ ଟୀକାକରଣ କିପରି କରାଯିବ ଏବଂ ଆମକୁ କେତେ ଅଧିକ କୋଲ୍ଡ ଚେନ ଷ୍ଟୋରେଜର ଆବଶ୍ୟକତା ରହିଛି ସେ ବିଷୟରେ ସେମାନଙ୍କର ଧାରଣା ରହିଛି ।
ମୁଁ ଭାବୁଛି ରାଜ୍ୟଗୁଡ଼ିକ ଏଥିପାଇଁ ବ୍ୟବସ୍ଥା ନିର୍ମାଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆରମ୍ଭ କରନ୍ତୁ । କେଉଁଠି ଏହାର ସମ୍ଭବ ହେବ, ଏହାର ପାରାମିଟର କ’ଣ ହେବ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଠାରୁ ବିଭାଗଗୁଡ଼ିକୁ ଦିଆଯାଉଥିବା ସୂଚନାକୁ କାର୍ଯ୍ୟକାରୀ କରିବା ଲାଗି ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆବଶ୍ୟକ ହେଲେ ଅତିରିକ୍ତ ଯୋଗାଣ ମଧ୍ୟ ସୁନିଶ୍ଚିତ କରାଯିବ। ଏହାର ବିସ୍ତୃତ ଯୋଜନା ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହିତ ମିଶି ଏହା ନିର୍ଦ୍ଧାରିତ କରାଯିବ। ଆମର ରାଜ୍ୟ ଓ କେନ୍ଦ୍ର ଟିମ ଲଗାତାର ଆଲୋଚନା କରୁଛନ୍ତି, ଏ ଦିଗରେ କାର୍ଯ୍ୟ ଜାରି ରହିଛି।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କିଛିଦିନ ପୂର୍ବରୁ ଅନୁରୋଧ କରିଥିଲେ ରାଜ୍ୟ ସ୍ତରରେ ଷ୍ଟିଅରିଂ କମିଟି ଏବଂ ଜିଲ୍ଲାସ୍ତରରେ ଏକ ଟାସ୍କ ଫୋର୍ସ ଗଠନ କରିବା ଲାଗି। ଏବେ ମୁଁ ଚାହୁଁଛି ବ୍ଲକ ସ୍ତରରେ ଆମକୁ ଯେତେଶୀଘ୍ର ସମ୍ଭବ ବ୍ୟବସ୍ଥା କରିବାକୁ ହେବ। କୌଣସି ଜଣେ ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ଦେବାକୁ ହେବ। ଏହି କମିଟିଗୁଡ଼ିକର ନିୟମିତ ବୈଠକ, ତାଲିମ, ମନିଟରିଂ ଏବଂ ଅନଲାଇନ ଟ୍ରେନିଂ ମଧ୍ୟ ଆରମ୍ଭ କରିବାକୁ ହେବ । ଆମକୁ ଦୈନନ୍ଦିନ କାର୍ଯ୍ୟ ସହିତ କରୋନା ମୁକାବିଲା ପାଇଁ ବ୍ୟବସ୍ଥା କରିବାକୁ ହେବ । ମୁଁ ଏଥିପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି ।
ଆପଣମାନେ ଯେଉଁ କେତୋଟି ପ୍ରଶ୍ନ ପଚାରିଛନ୍ତି– କେଉଁ ଟୀକାର ଦାମ କେତେ ରହିବ, ତାହା ଏବେ ନିର୍ଦ୍ଧାରିତ ହୋଇନାହିଁ । ମୂଳ ଭାରତୀୟ ଟୀକା ଏବେ ବି ଦୁଇଟି କ୍ଷେତ୍ରରେ ଆଗରେ ରହିଛି । କିନ୍ତୁ ବାହାର ସଂସ୍ଥା ସହିତ ମିଶି ଆମର ଲୋକମାନେ କାମ କରୁଛନ୍ତି । ବିଶ୍ୱରେ ଯେଉଁ ଟୀକା ବିକଶିତ ହୋଇଛି ତାହାର ଉତ୍ପାଦନ ପାଇଁ ମଧ୍ୟ ଭାରତରେ ଆଲୋଚନା ଜାରି ରହିଛି, ବିଭିନ୍ନ କମ୍ପାନୀ ସହିତ । ଏସବୁ ଭିତରେ ଆମେ ସମସ୍ତେ ଜାଣିଛୁ ଯେ 20 ବର୍ଷ ଧରି ଲୋକପ୍ରିୟ ହୋଇଥିବା ଏବଂ ଲୋକମାନେ ଉପଯୋଗ କରୁଥିବା ଔଷଧ ଉପରେ ମଧ୍ୟ କିଛି ଲୋକ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ଆଜି ବି ସେମିତି ହେଉଛି । ତେଣୁ ଏ କ୍ଷେତ୍ରରେ ମଧ୍ୟ ସେପରି ହେବାର ସମ୍ଭାବନା ରହିଛି । ନିଷ୍ପତ୍ତି ବୈଜ୍ଞାନିକ ନିକିତି ଉପରେ ତଉଲା ଯିବା ଉଚିତ । ନିଷ୍ପତ୍ତି ସେମାନେ ନିଅନ୍ତୁ ଯେଉଁମାନେ ଉପଯୁକ୍ତ କର୍ତ୍ତୃପକ୍ଷ । ସେମାନେ ନିଜର ମାନ୍ୟତାପ୍ରାପ୍ତ ବ୍ୟବସ୍ଥା ଅନୁଯାୟୀ ନିଷ୍ପତ୍ତ ନିଅନ୍ତୁ ।
ଆମେମାନେ ସାମାଜିକ ଜୀବନରେ ଚିନ୍ତା କରିଥାଉ କିନ୍ତୁ ଆମେ ଜାଣିଛୁ ଯେ ଆମେ ବୈଜ୍ଞାନିକ ନୋହୁଁ । ଆମେ ଏ ବିଷୟରେ ବିଶେଷଜ୍ଞ ନୋହୁଁ । ତେଣୁ ଦୁନିଆରେ ଯେଉଁ ବ୍ୟବସ୍ଥା ଚାଲିଛି ସେହି ବ୍ୟବସ୍ଥା ଅନୁଯାୟୀ ଆମକୁ ସେସବୁକୁ ସ୍ୱୀକାର କରିବାକୁ ପଡ଼ିବ । ଏହାକୁ ହିଁ ସ୍ୱୀକାର କରି ଆମେ ଆଗକୁ ବଢ଼ିବୁ । କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଟୀକାକୁ ନେଇ ଆପଣମାନଙ୍କ ମନରେ ଯେଉଁ ଯୋଜନା ରହିଛି, କିପରି ଏହାର ବିତରଣ ତୃଣମୂଳ ସ୍ତରରେ ହୋଇପାରିବ ସେ ଦିଗରେ ଆପଣମାନେ ନିଜର ବିସ୍ତୃତ ଯୋଜନା ଯେତେଶୀଘ୍ର ଲିଖିତ ଆକାରରେ ପ୍ରଦାନ କରିବେ ନିଷ୍ପତ୍ତି ନେବା ସେତିକି ସହଜ ହୋଇପାରିବ । ଆପଣମାନଙ୍କ ବିଚାରର ବିଶେଷ ଗୁରୁତ୍ୱ ଏଥିରେ ରହିଛି । ରାଜ୍ୟଗୁଡ଼ିକର ଅଭିଜ୍ଞତା ବିଶେଷ ଗୁରୁତ୍ୱ ବହନ କରିଥାଏ କାରଣ ସେମାନଙ୍କୁ ନେଇ ହିଁ ଏହା ଆଗକୁ ବଢ଼ିବ। ସେଥିପାଇଁ ମୁଁ ଚାହୁଁଛି, ଏଥିରେ ଆପଣମାନଙ୍କର ଅଧିକ ସକ୍ରିୟ ସହଭାଗୀତା ରହୁ । ମୁଁ ଏହା ଆଶା ମଧ୍ୟ କରୁଛି ।
କିନ୍ତୁ ମୁଁ ପୂର୍ବରୁ କହିଛି ଟୀକା ନିଜ ସ୍ଥାନରେ, ସେ ଦିଗରେ କାମ ହେଉଛି, ଏବଂ ଆମେ କରିବୁ । କିନ୍ତୁ କରୋନା ମୁକାବିଲାରେ ସାମାନ୍ୟ ଅବହେଳା କରାଯିବା ଅନୁଚିତ, ଆଦୌ ଅବହେଳା କରାନଯାଉ। ଏହା ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ଆଜି ତାମିଲନାଡ଼ୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଥିଲା। ଆନ୍ଧ୍ରକୁ ମୁଁ ସକାଳେ ଫୋନ କରିପାରିନଥିଲି। ଏକ ଘୂର୍ଣ୍ଣିବାତ୍ୟା ଆମର ପୂର୍ବ ଉପକୂଳରେ ସକ୍ରିୟ ହୋଇଛି। ତାହା ଆସନ୍ତାକାଲି ବୋଧହୁଏ ତାମିଲନାଡ଼ୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କିଛି ଭାଗ ଦେଇ ଆଗକୁ ବଢ଼ୁଅଛି। ଭାରତ ସରକାରଙ୍କ ସମସ୍ତ ଟିମ ସମ୍ପୂର୍ଣ୍ଣ ସକ୍ରିୟ ରହିଛି, ସମସ୍ତେ ଯାଇଛନ୍ତି।
ମୁଁ ଆଜି ଦୁଇ ଆଦରଣୀୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହିତ ଏବେ ଏହା ପରେ ଆଲୋଚନା କରିବି। କିନ୍ତୁ ସମସ୍ତଙ୍କ ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ମିଶି କାର୍ଯ୍ୟ କରିବେ। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ସେମାନଙ୍କର ଜୀବନ ବଞ୍ଚାଇବା ପ୍ରତି ଆମେ ବିଶେଷ ଜୋର ଦେଉଛୁ ।
ମୁଁ ପୁଣିଥରେ ଆପଣମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ବ୍ୟକ୍ତ କରୁଛି, ଆପଣମାନେ ସମୟ ଦେଇଥିବାରୁ । କିନ୍ତୁ ମୁଁ ଆଶା କରିବି ଯେ ଆପଣମାନେ ଶୀଘ୍ର ମୋତେ କିଛି ସୂଚନା ନିଶ୍ଚିତ ଭାବେ ପଠାନ୍ତୁ ।
ଧନ୍ୟବାଦ!
**********
Interaction with Chief Ministers on COVID-19. https://t.co/lw3b6vQwRc
— Narendra Modi (@narendramodi) November 24, 2020
Discussed various aspects relating to the COVID-19 situation, including further ramping up of health infrastructure and ensuring vaccination to our citizens, during the interaction with CMs earlier today. https://t.co/lLs8auUQN1
— Narendra Modi (@narendramodi) November 24, 2020